Unknown

 

 

 

 

 

 

 

 

 

 

 

ଅପରାହ୍ନର ଆକାଶ

ଜ୍ଞାନୀନ୍ଦ୍ର ବର୍ମା

 

ସରଣିକା

 

୧୯୬୨ ସେପ୍‍ଟେମ୍ବର ମାସରେ ମୋ ଜୀବନର ଗତିପଥରେ ଯେଉଁ ବିରାଟ ପରିବର୍ତ୍ତନ ଘଟିଲା, ସେଥିରେ ମୁଁ ଆଉ କିଛି ଲେଖାଲେଖି କରିପାରିବି ବୋଲି ଆଶା କରି ନଥିଲି । ସେହି ପରିବର୍ତ୍ତନ ଘଟିଥିଲା ମୋର ଏକମାତ୍ର କନ୍ୟାର ଅକାଳ ବିୟୋଗ ଯୋଗୁଁ । ଶୋକ–ବିଦଗ୍ଧତାରୁ ମୁକ୍ତି ପାଇବାପାଇଁ ବହୁ ପ୍ରଯତ୍ନ କରି ଘୋର ନିଷ୍ଫଳତା ଭିତରେ ଶେଷରେ ଫେରିଆସିଲି ମାନସ–କନ୍ୟା ସୃଜନୀ ପାଖକୁ । ଏକବର୍ଷ ପରେ ପୁଣି ଲେଖାରେ ମନ ଦେବାକୁ ଲାଗିଲି । ତାହା ମୋତେ ଶାନ୍ତି ନ ଦେଲେ ମଧ୍ୟ କିଞ୍ଚିତ୍ ଆଶ୍ୱସ୍ତି ଦେଲା ।

 

୧୯୬୩ ନଭେମ୍ବର ମାସର ଶେଷ ଭାଗରେ ମୁଁ ଏହି “ଅପରାହ୍ନର ଆକାଶ” ଲେଖିବାର ଉଦ୍ୟମ କଲି । ହୁଏତ ଉପନ୍ୟାସର ଏହି ନାମକରଣ ସହ ଜୀବନର ପ୍ରତୀକତା ପ୍ରକାଶ ପାଉଥିବା ହେତୁରୁ ତାହାର ଲେଖା ମୋତେ କ୍ରମେ ଆକୃଷ୍ଟ କଲା । ସାମ୍ବାଦିକତାର ଜଞ୍ଜାଳ ଭିତରେ ଦିବସର ଉତ୍କୃଷ୍ଟ ସମୟତକ ବ୍ୟୟିତ ହେବାପରେ ସୃଜନୀପାଇଁ ଖୁବ୍ କମ୍ ସମୟ ବିନିଯୋଗ କରିବାକୁ ଅବସର ରହିଥାଏ । ତାହାରି ଭିତରେ ମୁଁ ଏହି ଉପନ୍ୟାସଟି ଶେଷ କଲି ୧୯୬୪ ମାର୍ଚ୍ଚ ୧୬ ତାରିଖରେ ।

 

“ଅପରାହ୍ନର ଆକାଶ” ଶେଷ କରିବାର କେତେକ ମାସ ବ୍ୟବଧାନରେ “ରେନେଁସା ଓ ଡିକାଡ଼େନ୍‍ସର ଏପିକ୍” ଲେଖିଲି ଓ ତାହାପରେ ଲେଖିଲି “ଜଏଦେବର ନୂତନ କବିତା” । ‘ରେନେଁସା’ ସେହି ୧୯୬୪ ମସିହାର ଡିସେମ୍ବର ମାସରେ ପ୍ରକାଶିତ ହୋଇଥିଲା । ତାହାପରେ ଏହି ଉପନ୍ୟାସର ପାଣ୍ଡୁଲିପି ମୁଁ ପ୍ରକାଶକଙ୍କୁ ଦେଲି ୧୯୬୫ ଜାନୁୟାରୀ ମାସରେ । ତାହା ଏବେ ପ୍ରକାଶ ପାଇଲା । ତଥାପି ମଧ୍ୟ ମୁଁ ପ୍ରକାଶକଙ୍କୁ ଧନ୍ୟବାଦ ଦେଉଛି । ଶେଷ ଲେଖାଟି ଶୀଘ୍ର ପ୍ରକାଶିତ ହେବ ।

 

ଏହା ହେଲା ନିର୍ମାଖୀ ଲେଖକ–ଜୀବନର ଝଡ଼ଝଞ୍ଜାର କାହାଣୀ । ସେଥି ସହ ସୃଜନୀର କୌଣସି ସମ୍ପର୍କ ନାହିଁ । କାରଣ, ଇତିହାସର ଧର୍ମାଧିକରଣରେ ଏ କାହାଣୀର ପ୍ରବେଶ ନିଷିଦ୍ଧ । କିନ୍ତୁ ଯେଉଁମାନେ ଜୀବନର କୃତି ସାଙ୍ଗରେ ଜୀବନର ଗତିକୁ କଥଞ୍ଚିତ୍ ଦୃଷ୍ଟି ଦେଇଥାନ୍ତି, ସେହିମାନଙ୍କ ଉଦ୍ଦେଶ୍ୟରେ ହୁଏତ ଉଲ୍ଲିଖିତ କେଇ ପଦ କଥା କହିଦେଲି । ତାହା ମୋର ସ୍ୱଗତୋକ୍ତି କିମ୍ବା ବିସ୍ମୃତିର ସ୍ମରଣିକା । ତାହା ଉପରେ ତିରସ୍କରଣୀ ଟାଣିଦିଆଯିବା ଉଚିତ ।

 

“ଭୂମିକା” ପରେ ମୁଁ ସେହି ଧରଣର କେତୋଟି ଉପନ୍ୟାସ ଲେଖିବି ବୋଲି ମନସ୍ଥ କରିଥିଲି । ‘ଭୂମିକା’ ଲେଖିଥିଲି ପ୍ରାୟ ଏକୋଇଶବର୍ଷ ତଳେ ୧୯୪୩–୪୪ରେ । ଦୁଃଖର କଥା ଯେ କାଳର ଏହି ଦୀର୍ଘ ଅତିକ୍ରମଣ ଭିତରେ ମୁଁ ସେଥିପାଇଁ ଧ୍ୟାନ ଦେଇପାରି ନଥିଲି । ଏହି ଉପନ୍ୟାସଟି ସେହି ପରିକଳ୍ପନାର ଏକ ଅଙ୍ଗ । ଏଥିପାଇଁ ଆଉ ଦୁଇଟି ଉପନ୍ୟାସର ଆବଶ୍ୟକତା ରହିଛି । ସୁଯୋଗର ଅବସର ଭିତରେ ତାହା ଲେଖି ପାରିଲେ ମୁଁ ଖୁସି ହେବି ।

 

ଜ୍ଞାନୀନ୍ଦ୍ର ବର୍ମା

୮ । ୨ । ୬୬

☆☆☆

 

ସୁଚରିତା କଳ୍ପନା

 

ତମେ ଘନିଷ୍ଠ ଭାବରେ ସଂପୃକ୍ତ ଥିବା ଗୋଟିଏ ପରିବାରର ଐତିହ୍ୟ ସହ ପରିଚିତ ହେବା ଉଦ୍ଦେଶ୍ୟରେ ଏ ବହିଟି ତମକୁ ଦେଲି ।

 

ଏକ

 

ଭାରତର ସାତ ଲକ୍ଷ ଗାଁ

 

ସେଥିରେ ଓଡ଼ିଶାର ଗୋଟିଏ...

 

ନାଁ–କଦମ୍‍ପାଳ ।

 

ସେଇ ଗାଁର ଗୋଟିଏ ପରିବାରର ଏ କାହାଣୀ ।

 

ପରିସ୍ଥିତିର ପରିବର୍ତ୍ତନ ଏବଂ କାଳର କୁରାଳ ଚକ୍ରର ଗତିରେ ସେ ଘରର ଖାନ୍‍ଦାନୀ ହ୍ରାସ ପାଇଥିଲେବି ସେଠି ଏବେ ମଧ୍ୟ ମଣିଷ ବଞ୍ଚିଛି ବିବର୍ତ୍ତନର ନୂତନ ଆସ୍ଵାଦ ଘେନି । ଯେମିତି ଡାଇନୋସର୍ ଆଉ ମ୍ୟାମଥ୍‍ର ମୃତ୍ୟୁଗହ୍ୱର ମଧ୍ୟରୁ ମଣିଷ ଆବିଷ୍କାର କରିଛି ଭାବୀ କାଳପାଇଁ ବଞ୍ଚିବାର ଉପାୟ ।

 

ବଂଶର ଆଦିପୁରୁଷ କିଏ ?

 

ମଣିଷ ସ୍ଵୟମ୍ଭୂ ନୁହେଁ । ଯେକୌଣସି ମଣିଷ ପଛରେ ନିଶ୍ଚିତ ଭାବରେ ରହିଛି ବିରାଟ ବଂଶଲତା । କିନ୍ତୁ ସେପରି କିଛି ଉଲ୍ଲେଖଯୋଗ୍ୟ ଘଟନା ନ ଘଟିଲେ ସେ ମଣିଷର ଖବର କେହି ରଖେନା । ସେହିପରି ମଙ୍ଗରାଜ ବଂଶର ଆଦିପୁରୁଷ କିଏ ଥିଲେ ସେ ସମ୍ବାଦ ଆଜି କେହି ରଖିନି-। ଜନ୍ମେଜୟ ମଙ୍ଗରାଜଙ୍କ ସାଆନ୍ତବାପ ଷେଣ୍ଢ ପାଇକରା ଯେତେବେଳେ କଳେବଳେ କୌଶଳେ ବାଟିଏ ଯାଏଁ ଚାଷଜମିର ମାଲିକ ହେଇ ଦାଣ୍ଡରେ ତିନି ହଳ ବଳଦ ବାନ୍ଧିଦେଲେ ସେତେବେଳେ ଗାଁ ଓ ପାଖଆଖ ଅଞ୍ଚଳ ଲୋକେ ସେ ବଂଶର ଖବର ରଖିବାକୁ ବାଧ୍ୟ ହେଲେ । ଷେଣ୍ଢ ପାଇକରାଙ୍କ ଜୀବନ କାଳ ମଧ୍ୟରେ ଭୂସମ୍ପତ୍ତିର ପରିମାଣ ଆହୁରି ଏକ ବାଟି ଯାଏଁ ବୃଦ୍ଧି ପାଇଥିଲା-

 

ଷେଣ୍ଢ ପାଇକରାଙ୍କର ତାଙ୍କ ପୁଅ ମାନ ପାଇକରା ବଂଶର ଖ୍ୟାତି ଅଧିକ ବଢ଼ାଇ ଦେଇଥିଲେ । ଚାଷଜମି ପରିବର୍ତ୍ତେ ସେ ଜମିଦାରୀ ମାହାଲ କିଣି ନିଜକୁ ଜଣେ ସଙ୍ଗତିସମ୍ପନ୍ନ ଜମିଦାର ଭାବରେ ସମାଜରେ ପ୍ରତିଷ୍ଠିତ କରିଥିଲେ । ବଂଶର ପାଇକରା ସାଙ୍ଗିଆ ବଦଳେଇ ଦେଇ ସେ ନିଜକୁ ମାନଗୋବିନ୍ଦ ମଙ୍ଗରାଜ ବୋଲି ମଧ୍ୟ ନାମିତ କରିଥିଲେ ।

 

ବାପାମା’ଙ୍କର ଏକମାତ୍ର ସନ୍ତାନରୂପେ ଭୂମିଷ୍ଠ ହୋଇଥିଲେ ମଧ୍ୟ ନିଜେ ଛ’ଟି ସନ୍ତାନର ଜନକ ହୋଇଥିଲେ । ପୈତୃକ ସମ୍ପତ୍ତିର ଉତ୍ତରାଧିକାର ଲାଭରେ ସେଥିଯୋଗୁଁ କୌଣସି ପ୍ରକାର ପ୍ରତିଦ୍ଵନ୍ଦ୍ୱିତା ଦେଖା ଦେଇ ନଥିଲା । କାରଣ ମାନଗୋବିନ୍ଦ ମଙ୍ଗରାଜଙ୍କ ଛ’ଟି ସନ୍ତାନ ଭିତରୁ କନ୍ୟା ସଂଖ୍ୟା ଥିଲା ପାଞ୍ଚ । ସମ୍ପତ୍ତିର ଉତ୍ତରାଧିକାର ଘେନି କୌଣସି ପ୍ରତିଦ୍ଵନ୍ଦ୍ୱିତା ଘଟି ନଥିଲେ ମଧ୍ୟ ପାଞ୍ଚଟି କନ୍ୟାରତ୍ନଙ୍କୁ ସତ୍‍ପାତ୍ର ଓ ସଦ୍‍ବଂଶରେ ବିବାହ ଦେବାକୁ ଯାଇ ସମ୍ପତ୍ତିର ମୂଳଭିତ୍ତି ଦୋହଲି ଯାଇଥିଲା ଏବଂ ଶେଷକୁ ଯେଉଁ ଭାବରେ ୠଣଗ୍ରସ୍ତ ମଧ୍ୟ ହୋଇ ପଡ଼ିଥିଲେ । ଶୁଣାଯାଇଛି ସେତେବେଳ ସମୟରେ ସେ ପ୍ରତ୍ୟେକ ଝିଅର ବିବାହରେ ନଗଦ ଟଙ୍କା କରି ଖର୍ଚ୍ଚ କରିଥିଲେ । ଏହା ବାଦ ପନିପରିବା, ଡାଲି, ଚାଉଳ ଓ ତେଲ ଘିଅ ଇତ୍ୟାଦିର ଖର୍ଚ୍ଚ ରହିଚି । ମାନଗୋବିନ୍ଦ ସ୍ଵଭାବତଃ ବିଳାସୀ ଥିଲେ । ପ୍ରତି କଥାରେ ଅୟସି ଖର୍ଚ୍ଚ । ସେଥିରେ ମାତ୍ର ଗୋଟିଏ ପୁରୁଷର ବୁନିଆଦି ପରେ ବଦଖର୍ଚ୍ଚର ଏତେ ଧକ୍କା ସମ୍ଭାଳିବା ସ୍ୱକୀୟ ତଥା ପୈତୃକ ସମ୍ପତ୍ତି ପକ୍ଷରେ ସମ୍ଭବପର ହୋଇ ନଥିଲା । ଶେଷକୁ ସେ କାଳରେ ସେ ପ୍ରାୟ ତିନି ହଜାର ଟଙ୍କା ଋଣ କରି ପକେଇଥିଲେ । ଘଟନାର ସମୟ ହେଉଛି ୧୮୯୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ।

 

ମାନଗୋବିନ୍ଦ ମଙ୍ଗରାଜ ଅତି ବେପରବାୟ ପ୍ରକୃତିର ଲୋକ ଥିଲେ ମଧ୍ୟ ଏହି ଋଣହିଁ ତାଙ୍କ ପକ୍ଷରେ ହେଲା କାଳ । ଦାୟଗ୍ରସ୍ତରୁ ମୁକ୍ତି ଲାଭପାଇଁ ଶେଷ ଅବସ୍ଥାରେ ତାଙ୍କୁ ଅର୍ଦ୍ଧେକ ଜମିଦାରୀ ବିକ୍ରି କରି ଦେବାକୁ ପଡ଼ିଲା । ବୁଢ଼ାବେଳକୁ ତାଙ୍କର ବଡ଼ବଡ଼ ନିଶ ହଳକ ପାଚି ଯାଇ ସମ୍ପୂର୍ଣ୍ଣ ବକପକ୍ଷର ବର୍ଣ୍ଣ ଧାରଣ କରିଛି ମଧ୍ୟ ତାହାର ଦୁଇ ଆଗକୁ ବେପରବାୟ ଭାବରେ ମୋଡ଼ି ମୋଡ଼ି ବାକି ଅର୍ଦ୍ଧେକ ଜମିଦାରୀର ଅଧିକାର ବଳରେ ନିଜକୁ ଏକ ଜମିଦାର ତଥାପି ସେ ଖୁବ୍ ସ୍ପର୍ଦ୍ଧିତ ଅନୁଭବ କରୁଥିଲେ ।

 

ପ୍ରାୟ ପଁଷଠିବର୍ଷ ବୟସରେ ମାନଗୋବିନ୍ଦଙ୍କର କାଳ ହେଲା । ସେତେବେଳକୁ ତାଙ୍କର ଏକମାତ୍ର ପୁଅର ବୟସ ମାତ୍ର କୋଡ଼ିଏବର୍ଷ । ସବୁଗୁଡ଼ିକ ଝିଅ ଭୂମିଷ୍ଠ ହେବାପରେ ପ୍ରାୟ ପଇଁଚାଳିଶ ବର୍ଷ ବୟସବେଳକୁ ଜନ୍ମ ହୋଇଥିଲା ପୁତ୍ରସନ୍ତାନ । କଦମ୍‍ପାଳ ଜମିଦାର ବଂଶର ଭାବୀ ଉତ୍ତରାଧିକାରୀ ଭାବରେ ନିଜର ପୁତ୍ରକୁ ମାନଗୋବିନ୍ଦ ଖୁବ୍ ଆଦବକାଇଦାର ଶିକ୍ଷା ଦେଇଥିଲେ । କିନ୍ତୁ ଯେଉଁ ଶିକ୍ଷା ପାଇଥିଲେ ପୁତ୍ରର ଭବିଷ୍ୟତ ଅଧିକ ସୁଖମୟ ହୋଇଥାନ୍ତା ସେ ଶିକ୍ଷା ସେ ତାକୁ ଦେଇ ନଥିଲେ କିମ୍ବା ସେଥିପାଇଁ ଇଚ୍ଛା ମଧ୍ୟ କରି ନଥିଲେ । ମାନଗୋବିନ୍ଦ ଭାବିଥିଲେ, ସମ୍ପତ୍ତି ଯାହା ରହିଚି ତାହା ଗୋଟିଏ ପୁଅପାଇଁ ଯଥେଷ୍ଟ । ତାହାକୁ ରଖି ଥୋଇ ଚଳିଲେ ପୁଅର ପୁଅ ନାତି ମଧ୍ୟ ଘିଅଭାତ ଖାଇ ଚଳିଯିବେ । କିନ୍ତୁ ଏହି ପୁଅ ନାତିଗୁଡ଼ିକର ସଂଖ୍ୟା ଭବିଷ୍ୟତରେ କେତେ ଦେବ, ତାହା ସେ ସ୍ଵପ୍ନରେ ଥରେ ହେଲେ ଭାବି ନଥିଲେ । ସେଥିପାଇଁ ଯେତେବେଳେ ଗୋଟିଏ ମାଟିବଂଶ ଅବଧାନ, ଅର୍ଦ୍ଧ ଇଂରେଜୀ ଶିକ୍ଷିତ ଜଣେ ଗାଁର ବ୍ରାହ୍ମଣ ବସ୍ତିରେ ପଣ୍ଡିତ ବୋଲାଉଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମୁତୟନ କରି ପୁଅର ଆଲୋକ ପ୍ରାପ୍ତିର ବ୍ୟବସ୍ଥା କରିଥିଲେ । ପୁତ୍ରର ବିଦ୍ୟାଶିକ୍ଷା ଲାଗି ଅନ୍ୟ କିଛି ବ୍ୟବସ୍ଥା କରିବାକୁ ପଡ଼ିଥିଲେ ନିଜ ଗାଁଠାରୁ ପ୍ରାୟ ପାଞ୍ଚ କୋଶ ଦୂରରେ ଥିବା ମାଇନର୍ ସ୍କୁଲ୍‍ରେ ପୁଅକୁ ଛାଡ଼ିବାକୁ ପଡ଼ିଥାନ୍ତା । ସେଠି ପାଠ ଶେଷ କରିଥିଲେ, ସେ ହୁଏତ ପରେ କଟକର ନାଲି ରାସ୍ତା ଦେଖିଥାନ୍ତା । ଗୋଟିଏ ବୋଲି ପୁଅ, ଏକୋଇର ବଳା ବିଶିକେଶନ, ଆଖି ଆଗରୁ ଦିନେ ହେଲେ ଦୂରରେ ରଖିବାକୁ ସ୍ତ୍ରୀ ଏକାନ୍ତ ଅନିଚ୍ଛା ପ୍ରକାଶ କରିବାରୁ ମାନଗୋବିନ୍ଦ ତାହା କରିପାରିନାହାନ୍ତି ।

 

ସେ ଯାହାହେଉ, ଏହିପରି ପରିସ୍ଥିତି ଭିତରେ ମାନଗୋବିନ୍ଦ ମଙ୍ଗରାଜଙ୍କର ଗୋଟିଏ ବୋଲି ପୁଅ ଏବଂ କଦମ୍ବପାଳ ଜମିଦାର ବଂଶର ଏକମାତ୍ର ଉତ୍ତରାଧିକାରୀ ଜନ୍ମେଜୟ ମଙ୍ଗରାଜ ଜମିବାଡ଼ି ଓ ଜମିଦାରୀ ସିରସ୍ତାର ହିସାବକିତାବ ରଖିବାପାଇଁ ମାଟିବଂଶ ଅବଧାନଠାରୁ ଆବଶ୍ୟକୀୟ ଶିକ୍ଷା ଗ୍ରହଣ ପରେ କାଗଜପତ୍ରରେ ଇଂରେଜୀରେ ଦସ୍ତଖତ ଏବଂ କଚେରି କାଗଜପତ୍ରର ଚିହ୍ନଟଆଦି ପାଇଁ ଫାଷ୍ଟବୁକ୍‍ର ଅଧାଅଧି ଶେଷ କରିଥିଲେ । ବିବାହ ଓ ବ୍ରତ ଉତ୍ସବ ପ୍ରଭୃତିରେ ଚଉପାଢ଼ିଆ ତର୍କ ଏବଂ ଅନ୍ୟାନ୍ୟ କୌଳିକ କାର୍ଯ୍ୟ ନିର୍ବାହ ଉଦ୍ଦେଶ୍ୟରେ ଗାଁର ତଥାକଥିତ ବ୍ରାହ୍ମଣ ପଣ୍ଡିତଙ୍କଠାରୁ ଜନ୍ମେଜୟ ଯେଉଁ ସଂସ୍କୃତ ପାଠ, ଶ୍ଳୋକ, ଆଉ ଛାନ୍ଦ ଚଉପଦୀ ଇତ୍ୟାଦି ଶିକ୍ଷା କରିଥିଲେ ନିଜର ଜୀବ–ଦ୍ଦଶାରେ ତାହା ତାଙ୍କୁ ଆଭିଜାତ୍ୟର କାଇଦା ବଜାୟ ରଖି ସମ୍ମାନ ଦେବାକୁ ବିଶେଷ ସାହାଯ୍ୟ କରିଥିଲା ।

 

ସ୍ନେହର ଆତିଶଯ୍ୟରୁ ହେଉ କିମ୍ବା ନିଜର ଦୂରଦୃଷ୍ଟି ସମ୍ପନ୍ନତାରୁ ହେଉ, ମାନଗୋବିନ୍ଦ ମଙ୍ଗରାଜ ପୁଅକୁ ଖୁବ୍ ଶୀଘ୍ର ବିବାହ କରି ଦେଇଥିଲେ । ସେତେବେଳେ ପୁଅ ଜନ୍ମେଜୟର ବୟସ ମୋଟେ ଅଠରବର୍ଷ ଆଉ ପୁତ୍ରବଧୂ ସୁରେଶ୍ଵରୀଙ୍କର ବୟସ ମାତ୍ର ପନ୍ଦର । ପୁଅର ବିବାହର ପଣରୂପେ ମାନଗୋବିନ୍ଦ ସେ କାଳରେ ଯେତେ ପରିମାଣରେ ଯୌତୁକ ଦାବି କରିଥିଲେ, ସେ ଅଞ୍ଚଳରେ ସେ କଥା ଏବେ ମଧ୍ୟ ଆଖ୍ୟାୟିକା ହୋଇ ରହିଚି । ନିଜର ବଂଶର ଗରିମା ସେ ଏପରି ଭାବରେ ପ୍ରଚାର କରିଥିଲେ ଯେ ଶେଷରେ ଏକ ଦୁର୍ଭାଗା ପରିବାର ନିଜର ଅର୍ଦ୍ଧେକ ସମ୍ପତ୍ତି ବିକ୍ରି କରି ମଙ୍ଗରାଜଘରେ ବନ୍ଧୁ ବାନ୍ଧିବାକୁ କୃତସଂକଳ୍ପ ହୋଇଥିଲା । ଏହି ପରିବାରଟି କୃଷିଜୀବୀ କ୍ଷତ୍ରିୟ ହେଲେ ମଧ୍ୟ ମଙ୍ଗରାଜଙ୍କ ପରିବାରଠାରୁ ପ୍ରାଚୀନ ଏବଂ ଧନାଢ଼୍ୟ । ବଂଶର ପ୍ରତିଷ୍ଠା ମଧ୍ୟ ରହିଛି । ପାଖଆଖ ଅଞ୍ଚଳରେ ଲୋକେ ସେ ପରିବାରକୁ ‘‘ସମର ସିଂ’’ ବଂଶ ବୋଲି କହନ୍ତି । କେବେ ଓଡ଼ିଶାର କେଉଁ ଐତିହାସିକ ଯୁଦ୍ଧରେ ରଣନୈପୁଣ୍ୟ ପ୍ରଦର୍ଶନ କରି ଏ ବଂଶର ପ୍ରତିଷ୍ଠାତା ପୁରୁଷ ‘ସମର ସିଂହ’ ଉପାଧି ଲାଭ କରିଥିଲେ ତାହା ଆଜି କେହି ଜାଣନ୍ତି ନାହିଁ । କିନ୍ତୁ ସେହି ଉପାଧିକୁ ଅନୁସରଣ କରିଚି ଏବେ ମଧ୍ୟ ଅନେକାଂଶରେ ବଜାଏ ରହିଛି । ହୁଏତ, ସେ ଭଳି ଏକ ଖ୍ୟାତିସଂପନ୍ନ ବଂଶରୁ ଝିଅ ଆଣି ଅର୍ବାଚୀନ ମଙ୍ଗରାଜ ବଂଶ ନିଜର ପ୍ରତିଷ୍ଠାକୁ ଦୃଢ଼ୀଭୂତ କରିବା ଦୃଷ୍ଟିରୁ ସମସ୍ତ ପଣ ପ୍ରତ୍ୟାହାର କରି ନେଇ ପାରିଥାନ୍ତେ । କିନ୍ତୁ ମାନଗୋବିନ୍ଦଙ୍କ ସୌଭାଗ୍ୟକୁ ସମର ସିଂ ବଂଶରେ ସେତେବେଳକୁ କେତୋଟି ବିଧବାଙ୍କ ଛଡ଼ା ଆଉ କେହି କର୍ଣ୍ଣଧାର ହେବାକୁ ନଥିଲେ । ବଂଶରେ ଥିଲେ ତିନୋଟି ବିଧବା । ସେଥିଭିତରୁ ଜଣକର ଗୋଟିଏ ଅପ୍ରାପ୍ତବୟସ୍କ ପୁତ୍ର ଓ ଅନ୍ୟଟିର ଗୋଟିଏ ପ୍ରାପ୍ତବୟସ୍କା ବିବାହଯୋଗ୍ୟା କନ୍ୟା । ତୃତୀୟ ବିଧବାଟି ନିଃସନ୍ତାନା । ସମର ସିଂ ବଂଶର ଏହି ଅସହାୟତାର ସୁଯୋଗ ଗ୍ରହଣ କରି ମାନଗୋବିନ୍ଦ ମଙ୍ଗରାଜ ନିଜର ଦାବି ପୂର୍ଣ୍ଣରୂପେ ହାସଲ କରି ଶେଷକୁ ମଧ୍ୟସ୍ଥ କରି ପାଟଯୋଷୀଙ୍କ ସହାୟତାରେ ରାସ୍ତା ଖର୍ଚ୍ଚ ପାଞ୍ଚ ଶହ ଓ ପୁଅପାଇଁ ଗୋଟିଏ ଲକ୍ଷଣବନ୍ତ ଘୋଡ଼ା କିଣିବାକୁ ନଗଦ ତିନି ଶହ ଟଙ୍କା ମଧ୍ୟ ଆଦାୟ କରି ନେଇଥିଲେ ।

 

ବିବାହ ସୂତ୍ରରୁ ମାନଗୋବିନ୍ଦ ମଙ୍ଗରାଜ ଘରକୁ ଯେପରି ଧନ ବୋହି ଆଣିଥିଲେ, ସେହିପରି ନିଜ ବାକ୍‍ସରୁ କିଛି ଅର୍ଥ ମଧ୍ୟ ଜଳସ୍ରୋତ ପରି ଖର୍ଚ୍ଚ କରି ଦେଇଥିଲେ । ପ୍ରଥମ ମହାଯୁଦ୍ଧ ସମୟରେ ଜେପ୍‍ଲିନ୍ ଗ୍ଳାଇଡ଼୍‍ର ଓ ବ୍ୟୋମଯାନ ଉଡ଼ିଲା ଭଳି ତାହାର ବହୁ ପୂର୍ବରୁ ରୋଶଣି ପଡ଼ିଆରେ ସେ ଯେତେବେଳେ ଦଶ ପନ୍ଦରଟା ଫାନସ ଉଡ଼େଇ ଦେଇ ନଭୋମଣ୍ଡଳକୁ ଆଲୋକମାଳାରେ ସୁଶୋଭିତ କରିଦେଲେ, ସେତେବେଳେ ତାଙ୍କ ନାଁରେ ଧନ୍ୟ ଧନ୍ୟ ପଡ଼ିଗଲା । ବର ଯାଇଥିବା ଚୌଦୋଳାର ସାଜସଜ୍ଜା ଦେଖି ମଧ୍ୟ ସମସ୍ତେ ଆଚମ୍ବିତ ହୋଇ ଯାଇଥିଲେ । ବରଯାତ୍ରୀ ଦଳରେ ଯାଇଥିଲେ ପାଞ୍ଚ ଜଣ ଘୋଡ଼ାସବାର ସାଆନ୍ତ । ଆଉ ପ୍ରାୟ କୋଡ଼ିଏ ଜଣ ସାଆନ୍ତ ଯାଇଥିଲେ ସବାରିରେ । ତା’ଛଡ଼ା ଲୋକ ଲସ୍କର ଅନେକ । ସେ ସମସ୍ତଙ୍କ ସମାବେଶରେ ଦୁନିଆର ଏକ ଜନପଦ ଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା ।

 

ପୁଅ ବିଭାଘରର ମାତ୍ର ଦୁଇବର୍ଷ ପରେ ମାନଗୋବିନ୍ଦ ଯେତେବେଳେ କୋଳରେ ନାତି ଧରିବାର ସୌଭାଗ୍ୟ ଲାଭକଲେ, ସେତେବେଳେ ତାଙ୍କର ଆନନ୍ଦ ସୀମାତିକ୍ରମ କରିଥିଲା । ପୁଅକୁ ସତ୍ୱର ବିବାହ ଦେବାରେ ସେ ଯେଉଁ ଦୂରଦୃଷ୍ଟିର ସାହାଯ୍ୟ ନେଇଥିଲେ, ସେତେବେଳେ ତାହା ମଧ୍ୟ ପରିପୂର୍ଣ୍ଣ ଭାବରେ ସାର୍ଥକ ହୋଇଥିଲା । କିନ୍ତୁ ସେହି ନାତି ଯେପରି ତାଙ୍କରି ଶେଷ ବାର୍ତ୍ତା ଧରି ଆସିଥିଲା । ନାତିର ଏକୋଇଶା ଉତ୍ସବ ଖୁବ୍ ଆଡ଼ମ୍ବର ସହକାରେ ଶେଷ କରିବାର ପନ୍ଦର ଦିନ ଭିତରେ ସେ ନିଜର ଇହଲୀଳା ଶେଷ କରିଥିଲେ ।

 

ସମାଜରେ ପିତୃତ୍ଵର ଗୌରବ ଲାଭ କଲେ ମଧ୍ୟ ମୋଟେ କୋଡ଼ିଏବର୍ଷ ବୟସରେ ନିଜେ ପିତୃହୀନ ହୋଇ ଜନ୍ମେଜୟ ନିଜକୁ ବଡ଼ ଅସହାୟ ମନେକଲେ । ଏକୋଇଶା ଉତ୍ସବର ମାତ୍ର ପନ୍ଦର ଦିନ ପରେ ଏକ ବିରାଟ ଅନ୍ତ୍ୟେଷ୍ଟିକ୍ରିୟାର ଆୟୋଜନ ହେବ ବୋଲି ମଙ୍ଗରାଜଙ୍କ ପରିବାରରେ କେହି ହେଲେ କଳ୍ପନା ସୁଦ୍ଧା କରି ନଥିଲେ । ବଂଶର ମର୍ଯ୍ୟାଦା ରକ୍ଷା କରି କିପରି ଏତେ ବଡ଼ କାର୍ଯ୍ୟ ସମ୍ପନ୍ନ କରିବାକୁ ପଡ଼ିବ, ତାହା ହେଲା ଜନ୍ମେଜୟଙ୍କ ପକ୍ଷରେ ପ୍ରଧାନ ଚିନ୍ତା । ଖୁବ୍ ଆଡ଼ମ୍ବର ସହ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରିବାପାଇଁ ମଧ୍ୟ ବନ୍ଧୁବାନ୍ଧବ ଓ ସାହି ପଡ଼ିଶାର ଲୋକେ ଯୁବକ ଜନ୍ମେଜୟଙ୍କୁ ଉତ୍ସାହିତ କରିବାକୁ ଲାଗିଲେ । ଏ ଘଟଣାରେ ଜନ୍ମେଜୟ ଆହୁରି ବିବୃତ ହୋଇ ପଡ଼ିଲେ । କିନ୍ତୁ ବୈଧବ୍ୟ ବିଧୁରା ହୋଇ ଗୋଟିଏ ନିଭୃତ ପ୍ରକୋଷ୍ଠରେ ଆବଦ୍ଧ ରହିଥିଲେ ମଧ୍ୟ ଏତିକିବେଳେ ମାନଗୋବିନ୍ଦଙ୍କ ପତ୍ନୀ ଅନୁଛାୟା (ଅନୁସୂୟା) ଦେଈ ପୁଅକୁ ଆଡ଼ମ୍ବରରୁ ବିରତ ହେବାକୁ ନିର୍ଦ୍ଦେଶ ଦେଇ ପ୍ରକାରାନ୍ତରେ ସବୁ ବିଷୟର ଦାୟିତ୍ଵ ନିଜେ ତୁଲାଇବାକୁ ଲାଗିଲେ । ଝିଅ ଘରଗୁଡ଼ିକ ମଧ୍ୟ ଏ କାର୍ଯ୍ୟରେ ଖୁବ୍ ସାହାଯ୍ୟ କରିଥିଲେ । କିନ୍ତୁ ଏକ ସାଧାରଣ ପରିବାରରୁ ଷେଣ୍ଢ ପାଇକରାଙ୍କ ବୋହୂ ହେଇ ଆସିଥିବା ଅନୁଛାୟା ଦେଈଙ୍କ ତତ୍ତ୍ଵାବଧାନରୁ ଅନ୍ତ୍ୟେଷ୍ଟିକ୍ରିୟା ପୂର୍ବରୁ ଷୋଡ଼ଶ ଦାନ, ବୃଷୋତ୍ସର୍ଗ ପ୍ରଭୃତି ନାନା ଆଡ଼ମ୍ବରପୂର୍ଣ୍ଣ ଉପସର୍ଗ କଟିଯିବା ଫଳରେ ବିଶେଷ କୌଣସି ଅପବ୍ୟୟ ଘଟି ନଥିଲା ।

 

ପ୍ରଦୀପ୍ତ ଦୀପଶିଖା ପରି କ୍ରମେ ଜନ୍ମେଜୟ ମଙ୍ଗରାଜ ମୁଣ୍ଡ କାଢ଼ି ଉଠିଲେ । ପରିବାରର ପରିସର ମଧ୍ୟରେ ଜନନୀ ଅନୁଛାୟା ଦେଈଙ୍କ କର୍ତ୍ତୃତ୍ଵ ଯେପରି ବଜାୟ ରହିପାରିଲା, ବାହାର କାର୍ଯ୍ୟରେ ତାହା ଘଟି ପାରିଲାନି । ସେ ସବୁ କାର୍ଯ୍ୟରେ ପୁଅକୁ ଆୟତ୍ତାଧୀନ କରିବା ମଧ୍ୟ ସେ ଉଚିତ ମନେ କଲେନି । ପାଞ୍ଚବର୍ଷ ଭିତରେ ଅଞ୍ଚଳ ମଧ୍ୟରେ ଜନ୍ମେଜୟ ଜନୁ ମଙ୍ଗରାଜ ନାମରେ ଖୁବ୍ ପରିଚିତ ହୋଇଗଲେ । ପ୍ରାୟ ଦଶବର୍ଷ ଭିତରେ ମାନ ମଙ୍ଗରାଜ ସ୍ଥାନରେ ଜନୁ ମଙ୍ଗରାଜଙ୍କ ଘରରୂପେ ପରିବାରଟି ପ୍ରତିଷ୍ଠା ଲାଭକଲା । ଏହି ଦଶବର୍ଷ ଭିତରେ ଜନ୍ମେଜୟ ମଙ୍ଗରାଜ ହେଲେ ଚାରୋଟି ସନ୍ତାନର ଜନକ । ସେଥିମଧ୍ୟରୁ ତିନୋଟି ପୁତ୍ର ଓ ଗୋଟିଏ କନ୍ୟା । ସେତେବେଳକୁ ଜନ୍ମେଜୟଙ୍କ ବୟସ ମାତ୍ର ଅଠେଇଶ ଓ ପତ୍ନୀ ସୁରେଶ୍ଵରୀଙ୍କ ବୟସ ପଚିଶ । ବର୍ଷର ପରିମାପରେ ପ୍ରଜନନ କାର୍ଯ୍ୟ ପୂର୍ବର ଅନୁପାତ ରକ୍ଷା ନ କଲେ ମଧ୍ୟ ଜନ୍ମେଜୟ ମଙ୍ଗରାଜ ଚାଳିଶବର୍ଷ ଅତିକ୍ରମ କଲାବେଳକୁ ସାତୋଟି ସନ୍ତାନର ଜନ୍ମଦାତା ହେବାର ଗୌରବ ଲାଭ କଲେ । ବିବାହର ଦ୍ୱିତୀୟ ଦଶନ୍ଧିରେ ଯେଉଁ ତିନୋଟି ସନ୍ତାନଙ୍କୁ ସେ ପୃଥିବୀର ଆଲୋକ ପବନର ସ୍ପର୍ଶ ଦେଲେ, ସେମାନଙ୍କ ଭିତରୁ ଗୋଟିକ ଛଡ଼ା ବାକିଗୁଡ଼ିକ ଷଷ୍ଠ ଓ ସପ୍ତମ ଗର୍ଭକୁ ରାଜକନ୍ୟା ଜାତ ବୋଲି ତାଳପତ୍ର ଜାତକ ପୃଷ୍ଠାରେ ଘୋଷିତ ହୋଇଥିଲା ।

 

ଉପର୍ଯ୍ୟୁପରି ସାତଟି ସନ୍ତାନ ପ୍ରସବ ପରେ ମଧ୍ୟ ସୁରେଶ୍ଵରୀ ଦେଈଙ୍କ ପ୍ରଜନନ ଶକ୍ତି ଖୁବ୍ ପ୍ରଖର ରହିଥିଲା । ଚାରିବର୍ଷ ପରେ ସେ ପୁଣି ଦୁଇଟି ଯାଆଁଳା ପିଲା ଜନ୍ମ କଲେ । ଦୁଇଟିଯାକ ପୁତ୍ରସନ୍ତାନ । କିନ୍ତୁ ଛ’ମାସ ପରେ ସେଥିରୁ ଗୋଟିଏ ସନ୍ତାନ ସଂସାରର ପ୍ରବେଶ ପତ୍ର ପ୍ରତ୍ୟାଖ୍ୟାନ କଲା । ସେତେବେଳକୁ ଜନ୍ମେଜୟ ମଙ୍ଗରାଜ ଅତିଷ୍ଠ ହେଇ ଉଠିଲେଣି । ଦିନଯାକ ସ୍ତ୍ରୀଙ୍କ ଉପରେ ସେ ହୁଏତ ବିରକ୍ତ ହୁଅନ୍ତି । ମାତ୍ର ସନ୍ଧ୍ୟାହେଲେ ଖଡ଼ି ଗାରଭଳି ସବୁ କଥା ନିଭିଯାଏ ବିସ୍ମୃତିର ଇନ୍ଦ୍ରଧନୁର ଉଦୟରେ । ରାତିଅଧବେଳକୁ ଇନ୍ଦ୍ରଧନୁ ଧରେ ଫୁଲଧନୁର ସ୍ୱପ୍ନ । ପଢ଼ିଥିବା ଛାନ୍ଦ ଚଉପଦୀ ମଧ୍ୟ ଏଥିରେ ତାଙ୍କୁ ଖୁବ୍ ସାହାଯ୍ୟ କରେ । ରାତିର ଶେଷ ପ୍ରହରକୁ ପୁଣି ସେ ସ୍ୱପ୍ନ ଭାଙ୍ଗିଯାଏ । ଚକ୍ରବାଳରେ ଉଷାର ଆଗମ ଯେତିକି ସ୍ପଷ୍ଟ ହୁଏ, ସେତିକି ସ୍ୱଚ୍ଛ ହୋଇ ଉଠେ ନିଶୀଥର ଭ୍ରାନ୍ତି । ତରବରରେ କଠଉ ହଳକୁ ପାଦରେ ଗଳେଇ ସେ ଦାଣ୍ଡପିଣ୍ଡାକୁ ପଳେଇ ଯାଇ ବୁଲି ବୁଲି ଗାଆନ୍ତି ଭଜନ ।

 

ଏହିପରି ଅବସ୍ଥା ଭିତରେ ଶେଷରେ ଶାଶୁ ଅନୁଛାୟା ଦେଈ ସୁରେଶ୍ୱରୀଙ୍କ ରକ୍ଷାକାରିଣୀ ସାଜିବା ଛଡ଼ା ଅନ୍ୟ ଗତି ଦେଖିଲେ ନାହିଁ । ତାଙ୍କୁ କୁଆଡ଼େ ଅନେକ ଜଡ଼ିବୁଟି ମାଲୁମ ଥିଲା । ଆଉ କିଛି ବେମାଲୁମ ବିଦ୍ୟାପାଇଁ ପରିଶେଷରେ ସେ କାଳେ ଗୋଟିଏ ଘୁଷୁରି ପାଳକର ଆଶ୍ରୟ ନେଲେ । ତାହାରି ଫଳରେ ସେ ଭଗବାନଙ୍କର ଅନନ୍ତ ଆଶୀର୍ବାଦର ପଥ ରୁଦ୍ଧ କରି ଷେଣ୍ଢ ପାଇକରା ବଂଶର ତୃତୀୟପୁରୁଷରେ ପରିବାର ନିୟନ୍ତ୍ରଣ ପୂରାପୂରି ସଫଳ କରିପାରିଥିଲେ ।

 

ବର୍ତ୍ତମାନ ଷେଣ୍ଢ ପାଇକରା ବଂଶର ତୃତୀୟପୁରୁଷ ଓ ମାନ ମଙ୍ଗରାଜ ବଂଶର ଦ୍ଵିତୀୟ ପୁରୁଷରେ ମୋଟ ପରିବାର ସଂଖ୍ୟା ହେଲା, ଶାଶୁ, ବୋହୂ, ପୁଅ ଓ ନାତିନାତୁଣୀ ମିଶି ଏଗାର । ଏହାବାଦ ଗଲାଅଇଲା ଓ ଚାକର କୋଠିଆ ଅଛନ୍ତି । ମାନଗୋବିନ୍ଦ ମଙ୍ଗରାଜଙ୍କ ମୃତ୍ୟୁ ସମୟକୁ ସମ୍ପତ୍ତିର ପରିମାଣ ଯାହା ଥିଲା, ଏହା ଭିତରେ ତାହାର କୌଣସି ବୃଦ୍ଧି ଘଟିନି ।

 

ମାନ ମଙ୍ଗରାଜ ନିଜେ ପ୍ରଥମ ପୌତ୍ରର ନାମ ଦେଇଥିଲେ ଉଦିତଚନ୍ଦ୍ର । ତାଙ୍କ ଅନ୍ତେ ଅନ୍ୟ ଯେଉଁମାନଙ୍କର ଆବିର୍ଭାବ ଘଟିଲା, ସେମାନଙ୍କର ନାମକରଣ ନିଜେ କାବ୍ୟରସିକ ପିତା ଜନ୍ମେଜୟ ଏହିପରି କରିଛନ୍ତି, ପ୍ରତାପ କେତନ, ମୀନକେତନ, ମିତ୍ରଭାନୁ, ଚିତ୍ରଭାନୁ, କନକ ମଞ୍ଜରୀ, ପରାଗ ମଞ୍ଜରୀ ଓ ପ୍ରବାଳ ମଞ୍ଜରୀ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶେଷୋକ୍ତ ନାମ ତିନୋଟି ହେଉଛି ଚତୁର୍ଥ, ଷଷ୍ଠ ଓ ସପ୍ତମ ଗର୍ଭଜାତ ରାଜକନ୍ୟାମାନଙ୍କର ।

 

ଦୁଇ

 

ଜନ୍ମେଜୟ ମଙ୍ଗରାଜ ନିଜର କୌଳିକ ପର୍ବପର୍ବାଣି ପାଳନ କରିବାରେ ବଡ଼ ଧୁରନ୍ଧର ଥିଲେ । ଷେଣ୍ଢ ପାଇକରାଙ୍କ ସମୟରେ ଦଶହରା ପର୍ବ ଉପଲକ୍ଷେ ବଂଶରେ ଯେଉଁ ଖଣ୍ଡା ତରବାରି ଓ ଢାଲ ବର୍ଚ୍ଛା ପ୍ରଭୃତି ଅସ୍ତ୍ରଶସ୍ତ୍ର ପୂଜା ପ୍ରଚଳିତ ଥିଲା, ତାହାର ଅଭିବୃଦ୍ଧି ଘଟେଇ ମାନଗୋବିନ୍ଦ ମଙ୍ଗରାଜ ଘଟପୂଜା ଓ ତା’ ସଙ୍ଗେ ଚଣ୍ଡୀପାଠ ପ୍ରଭୃତିର ପ୍ରବର୍ତ୍ତନ କରିଥିଲେ । କେବଳ ପୂଜା ନୁହେଁ, ତା’ ସାଙ୍ଗକୁ ସେ ତିନି ରାତି ନାଟ ଦଳର ସୁଆଙ୍ଗ ମଧ୍ୟ ଅଭିନୀତ ହେବାର ବନ୍ଦୋବସ୍ତ କରିଥିଲେ । ଷେଣ୍ଢ ପାଇକରାଙ୍କ ସମୟରେ ବାରିକମାନଙ୍କ ଦ୍ଵାରା ମଶାଲ ପ୍ରସ୍ତୁତ ହୋଇ କାମ ଚଳୁଥିଲା; କିନ୍ତୁ ମାନଗୋବିନ୍ଦଙ୍କ ଅମଳରେ ଦାଣ୍ଡରେ ନାଚଖାନା ନିର୍ମିତ ହୋଇ ଖୁଣ୍ଟମାନଙ୍କରେ ଦିଆଲ ଗିରି ଓ ତତ୍ପରେ ହଣ୍ଡା ଆଲୁଅ ଜଳାଯାଇ ମଜଲିସ୍ ଆରମ୍ଭ ହେଲା । ଏହାଛଡ଼ା ମଧ୍ୟ ଯାତ୍ରା ନାଚ ଦେଖିବାପାଇଁ ଯେଉଁଠାରେ ମାଣ୍ଡି ଓ ଗାଲିଚା ପ୍ରଭୃତି ପଡ଼ି ଖୋଦ୍ ମଙ୍ଗରାଜଙ୍କ ପାଇଁ ସ୍ଥାନ କରାଯାଉଥିଲା, ସେ ସ୍ଥଳର ସାମନାର ଦୁଇ ପାଖରେ ମହମବତୀଦିଆ ଦୁଇଟି ଆଲୋକର ଝାଡ଼ ମଧ୍ୟ ସଜ୍ଜିତ ହେଲା । ସେ କାଳରେ ଯାତ୍ରାଦଳର ସୁଲଭତା ଯୋଗୁଁ ବେଳେବେଳେ ମଙ୍ଗରାଜଙ୍କ ଦାଣ୍ଡକୁ ଦୁଇ ଦଳ ନାଚବାଲା ମଧ୍ୟ ଆସି ଯାଉଥିଲେ ଏବଂ ଅଭିନୟ ପ୍ରଦର୍ଶନ ପାଇଁ ସେମାନେ ମାନଗୋବିନ୍ଦଙ୍କ ଅକୁଣ୍ଠ ଅନୁକମ୍ପା ପାଇପାରୁଥିଲେ ।

 

ପିତାଙ୍କ ଅନ୍ତେ ଜନ୍ମେଜୟ ଦଶହରାର ମଜଲିସ୍‍ରେ ଚାରି ରାତି ନାଚ ହେବାର ବ୍ୟବସ୍ଥା କଲେ । ତା’ ସାଙ୍ଗକୁ ନାଚଖାନା ଓ ଚଉପାଢ଼ିର ସଂସ୍କାର କରି କେତେକ ସ୍ଥଳରେ ଚୂନ ଲିପା ଇଟାର କାନ୍ଥ ଓ ଖମ୍ବ ପ୍ରଭୃତି ନିର୍ମାଣ କରାଇଥିଲେ । ଦିଆଲ ଗିରି ଓ ହଣ୍ଡା ଆଲୁଅ ସ୍ଥାନରେ ସେ ପ୍ରବର୍ତ୍ତନ କଲେ ଗ୍ୟାସ୍‍ବତୀ । ତାହା ଯଥେଷ୍ଟ ମନେ ନ ହେବାରୁ ସେ ଶେଷକୁ ପଞ୍ଚ୍‍ଲାଇଟ୍‍ର ବ୍ୟବସ୍ଥା କରିଥିଲେ । ଏହିସବୁ ମଜଲିସ୍ କାର୍ଯ୍ୟରେ ସହଯୋଗ କରିବାପାଇଁ ସେତେବେଳକୁ ଗାଁରେ ଅନେକ ଲୋକ ପ୍ରସ୍ତୁତ ହୋଇ ଯାଇଥିଲେ । ସେମାନଙ୍କ ଭିତରେ ପ୍ରଧାନ ଛଡ଼ିଦାର ଭାବରେ ଦେଖାଦେଲେ ପଡ଼ୋଶୀ ଚକ୍ର ଜେନାଙ୍କ ପୁଅ ବଂଶୀଧର । ମାନଗୋବିନ୍ଦ ମଙ୍ଗରାଜଙ୍କର ଖଣ୍ଡେ ପୁରୁଣା ଲମ୍ବା କୋଟ୍ ଦେହରେ ଗଳେଇ ଆଉ ହାତରେ ଖଣ୍ଡେ ଲମ୍ବ ବାଉଁଶ ଛଡ଼ି ଧରି ସେ ଯେତେବେଳେ ମଜଲିସ୍‍ର କଡ଼େ କଡ଼େ ବୁଲି ଯାଇ ନିଜର ପ୍ରଶସ୍ତ ନିଶ ହଳକୁ ଆମର୍ଷଣ କରି ଯାତ୍ରାକାଳିମାନଙ୍କୁ ଗୋଳମାଳ ନ କରିବାକୁ ତାଗିଦ୍ କରି ଏକ ଅଦ୍ଭୁତ ଧ୍ୱନି କରନ୍ତି, ତାହା ବାସ୍ତବିକ ଯାତ୍ରାର ଜମକକୁ ଦୁଇ ଗୁଣ ବୃଦ୍ଧି କରିଦିଏ । ଗାଁରେ ଆହୁରି ଦଳେ ଯୁବକ ବାହାରିଚନ୍ତି, ସେମାନେ ରଙ୍ଗୀନ କାଗଜରେ ନାନାପ୍ରକାର ଫୁଲ ଲତା ପ୍ରଭୃତି ତିଆରି କରି ନାଚଖାନାର ଶୋଭାବୃଦ୍ଧି କରିବାରେ ସାହାଯ୍ୟ କରନ୍ତି ।

 

ଦଶହରା ଉତ୍ସବର ଆଡ଼ମ୍ବର ଏହିପରି ଖୁବ୍ ଜାକଜମକରେ ବଜାୟ ରଖିବା ସାଙ୍ଗକୁ ଜନ୍ମେଜୟ ଆଉ ଗୋଟିଏ ପର୍ବସୃଷ୍ଟି କଲେ । ତାହା ହେଉଛି ଦୋଳ–ଉତ୍ସବ । ଦୋଳ–ଉତ୍ସବ ଯେ ମଙ୍ଗରାଜ ବଂଶରେ ଆଗରୁ ପାଳନ କରାଯାଉ ନଥିଲା, ଏପରି ନୁହେଁ । କିନ୍ତୁ ତାହା ବିଶେଷ ତାମସିକ ନଥିଲା । କୁଳଦେବତା ‘ରାଧାମାଧବ’ ଥିଲେ କୁଳର ଦୀକ୍ଷାଦାତା ଗୁରୁଙ୍କ ଘରେ–ବୈଷ୍ଣବ ସାହି ମଠରେ । ଠାକୁରଙ୍କ ପାଇଁ ପାଇକରାଙ୍କ ସମୟରୁ କିଛି ଚାଷଜମି ଖଞ୍ଜାଯାଇ ନୀତି ଚଳିବାର ବନ୍ଦୋବସ୍ତ କରାଯାଇଥିଲା । ସେଇଠି ଠାକୁରଙ୍କର ସବୁ ପୂଜା–ପାର୍ବଣ ଅନୁଷ୍ଠିତ ହୁଏ । ନିଜର କୁଳଦେବତା ରାଧାମାଧବ କୌଣସି ମେଲଣ ପ୍ରଭୃତିକୁ ଯିବେ ନାହିଁ ବୋଲି ଷେଣ୍ଢ ପାଇକରା ନିଷେଧ କରି ଦେଇଥିଲେ । ସେଥିଯୋଗୁଁ କେବଳ ଦୋଳପୂର୍ଣ୍ଣିମାର ପୂର୍ବ ରାତ୍ରିରେ ଠାକୁରଙ୍କ ଚାଚେରୀ ଖେଳ ଛଡ଼ା ଆଉ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉ ନଥିଲା । ସେହି ଚାଚେରୀ ଖେଳ ପୁଣି ସୀମିତ ଥିଲା ପାଇକରାଙ୍କ ଗୋଷ୍ଠୀ ଭିତରେ । ମଠରୁ ଯଥୋଚିତ ଆଡ଼ମ୍ବର ସହ ଆସି ରାଧାମାଧବ କେବଳ ନିଜର ପ୍ରତିଷ୍ଠାତା ବଂଶ ଓ ଗୋଷ୍ଠୀର ପୂଜା–ଅର୍ଚ୍ଚନା ଗ୍ରହଣ କରି ପୁଣି ନିଜ ଆସ୍ଥାନକୁ ଫେରି ଯାଉଥିଲେ ।

 

ରାଧାମାଧବଙ୍କ ଦୋଳ–ଉତ୍ସବର ଏହି ବ୍ୟବସ୍ଥା ମାନଗୋବିନ୍ଦ ମଙ୍ଗରାଜଙ୍କ ଅମଳ ଯାଏଁ ସେହିପରି ଅପରିବର୍ତ୍ତିତ ରହିଥିଲା । କିନ୍ତୁ ଜନ୍ମେଜୟ ସେହି କୌଳିକ ବ୍ୟବସ୍ଥାର ପରିବର୍ତ୍ତନ କରି ଦୋଳ ଉତ୍ସବକୁ ଏକ ମହାଆଡ଼ମ୍ବରରେ ପରିଣତ କଲେ । ସମଗ୍ର ଗାଁଯାକ ବୁଲି ରାଧାମାଧବ ଚାଚେରୀ ତ ଖେଳିଲେ, ଶେଷକୁ ବିରାଟ ଆଡ଼ମ୍ବର ସହ ଅନେକଗୁଡ଼ିଏ ମେଲଣରେ ମଧ୍ୟ ଯୋଗଦେଲେ । ରାଧାମାଧବଙ୍କ ପଟୁଆରରେ ଯାଉଥିବା ଛତ୍ରି, ତରାସ, ଆଢ଼େଣି, ଚାମର, ଧ୍ୱଜା, ବୈରଖ ପ୍ରଭୃତିକୁ ଛାଡ଼ି ଜନ୍ମେଜୟ ଆହୁରି ବହୁ ଉପସର୍ଗ ଯୋଡ଼ିଦେଲେ । ସେଥିପାଇଁ ଷଣ୍ଢ, କେଳାକେଲୁଣୀ, ଭାଲୁ ଓ ହନୁ–ଅଙ୍ଗଦ ପ୍ରଭୃତିର ରୂପ ଆସି ନାଚର ବ୍ୟବସ୍ଥା ହେବା ସଙ୍ଗେ ସଙ୍ଗେ ଗୋଟିପୁଅ ଦଳର ଯାତ୍ରା ମଧ୍ୟ ହେଲା । ରାଧାମାଧବ ଯେଉଁସବୁ ମେଲଣକୁ ଗଲେ, ସେଠାକୁ ଏହି ସମସ୍ତ ଆଟୋପ ଆଡ଼ମ୍ବର ପୂରାଦମ୍‍ରେ ଚାଲିଲା । ଏହାଛଡ଼ା ଢୋଲ, ବଡ଼ବାଜା, ତେଲଙ୍ଗୀ, ଚାଙ୍ଗୁ ଓ ଘୁମୁରା ବାଦ୍ୟ ସହ ଏକ ପୂରା ଆଖଡ଼ାରେ କୀର୍ତ୍ତନ ଦଳ ମଧ୍ୟ ନିଯୁକ୍ତ ରହିଲେ । ଏସବୁ କାର୍ଯ୍ୟରେ ପ୍ରାୟ ଶହେ ଲୋକ ବନ୍ଧା ରହିଲେ । ଦୀର୍ଘ ପନ୍ଦର ଦିନ କାଳ ଏତେ ଲୋକଙ୍କ ଖାଇବା ପିଇବାରେ ଅନେକ ପଇସା ଖର୍ଚ୍ଚ ହେବାକୁ ଲାଗିଲା ।

 

ଏସବୁ ସାଙ୍ଗକୁ ପୁଣି ରହିଲା ସମଗ୍ର ପରିବାର ଓ ଚାକରବାକରଙ୍କ ପାଇଁ ନୂତନ ବସ୍ତ୍ର ଓ ପୋଷାକ ପରିଚ୍ଛଦର ବ୍ୟୟ । ତା’ପରେ ହୋରି ଖେଳର ଅପବ୍ୟୟ । ପ୍ରତ୍ୟେକ ମେଲଣ ଓ ମଙ୍ଗରାଜଙ୍କ ଅନ୍ତଃପୁରଠାରୁ ଚଉପାଢ଼ି ପର୍ଯ୍ୟନ୍ତ ହୋରିଖେଳରେ ସୁବାସିତ ଫଗୁ ବିଞ୍ଚା ହେବାରେ ପ୍ରାୟ ଦୁଇ ବସ୍ତା ଅବିର ଓ ପଚାଶ ଟଙ୍କାର ଅତର ବାୟୁତରଙ୍ଗର ଗର୍ଭିତ ହେବାକୁ ଲାଗିଲା ।

 

ଅସଲରେ ମଙ୍ଗରାଜ ବଂଶ ଗୋଟିଏ କୃଷିଜୀବୀ ପରିବାର । ଯେତେ ଉତ୍ସବ ଆଡ଼ମ୍ବର ହେଉ ପଛକେ ସମସ୍ତର ବ୍ୟୟ ସେହି କୃଷି ଉପରେ ନିର୍ଭରଶୀଳ । ସୁଖର କଥା ଯେ, ଷେଣ୍ଢ ପାଇକରା ଯେଉଁ ଦୁଇ ବାଟି ଚାଷ ଜମି କରିଯାଇଥିଲେ, ତାହା ଏପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଆସିଚି । ମନୁ ମଙ୍ଗରାଜ ନିଜ ଅମଳରେ ବଡ଼ ଏକ ଜମିଦାରୀ ମାହାଲ କିଣିଥିଲେ ମଧ୍ୟ ନିଜର ଜୀବଦ୍ଦଶା ଭିତରେ ସେଥିରୁ ସେ ଅର୍ଦ୍ଧେକ ବିକ୍ରି କରି ଦେଇଯାଇଥିଲେ । ବାକି ଅର୍ଦ୍ଧେକର ସଦରଜମା ପ୍ରାୟ ଦୁଇ ହଜାରେ ଟଙ୍କା ହେବ । ସେଥିରେ ନିଜ–ଚାଷ ଜମି ମଧ୍ୟ ପଚିଶ ତିରିଶ ମାଣ ରହିଚି । ସବୁ ମିଶାଇ ଜମିଦାରୀ ବାବଦର ଆୟ ବର୍ଷକୁ ପ୍ରାୟ ପାଞ୍ଚ ହଜାର କି ସାତ ହଜାର ଟଙ୍କା ହେବ । ପରିବାରର ବାହାର ଖର୍ଚ୍ଚ ସମ୍ଭାଳିବାକୁ ତାହା ଅବଶ୍ୟ ଯଥେଷ୍ଟ ହୁଅନ୍ତା, କିନ୍ତୁ ଜନ୍ମେଜୟ ମଙ୍ଗରାଜ ଯେଉଁଭଳି ନବାବୀ ମଜଲିସ୍‍ରେ ନାନା ଅପବ୍ୟୟର ମାତ୍ରା ବୃଦ୍ଧି କରିବାରେ ଲାଗିଲେ, ତାକୁ ସମ୍ଭାଳିବାକୁ ଏ ସାମାନ୍ୟ ଜମିଦାରୀର ଶକ୍ତି କେତେ ?

 

ଗାଁରେ ବ୍ୟବସାୟୀ ଗୋଷ୍ଠୀ ଅଛନ୍ତି । ସେମାନଙ୍କ ଭିତରୁ କେତେକ ନଗଦ ଶହ ଶହ ଟଙ୍କା ଗଣି ଦେବାକୁ ସମର୍ଥ ହେଲେ ମଧ୍ୟ ମଙ୍ଗରାଜ ବଂଶକୁ ସେମାନେ ଖୁବ୍ ସମ୍ମାନ କରନ୍ତି । ଯାନିଯାତ୍ରାରେ ସେମାନେ ଡାକରା ପାଇ ମଙ୍ଗରାଜଙ୍କ ଦାଣ୍ତରେ ବସିଲେ ନିଜକୁ ଗୌରବାନ୍ୱିତ ମନେ କରନ୍ତି । ବ୍ୟବସାୟୀ ଗୋଷ୍ଠୀ ଭିତରେ ବୁରୁନ୍ଦ ସାହୁ ବଡ଼ ମହାଜନ । ସେ ବର୍ଷ ଦଶହରାକୁ ଦାଣ୍ତରେ ଯାତ୍ରା ଦେଖିବାପାଇଁ ଗୁମାସ୍ତାଙ୍କୁ ପଠେଇ ଜନ୍ମେଜୟ ମଙ୍ଗରାଜ ତାଙ୍କୁ ନିମନ୍ତ୍ରଣ କରି ଆଣିଥାନ୍ତି । ମଙ୍ଗରାଜଙ୍କ ଆଡ଼ମ୍ବର ଦେଖି ମହାଜନ ବୁଢ଼ା ଆବାକାବା ହେଇ ଯାଉଥାଏ । ତେଲ ଜୁକୁଜୁକୁ ଦିହ । ବେକରେ ସହି ସୁନାର ପିଟା ମୃଦଙ୍ଗିଆ କଣ୍ଠୀର ଗୋଟିଏ ମାଳ ଚିପି ହେଇ ରହିଚି-। ଦେହକୁ ଆଂଶିକ ଆବୃତ କରିଚି ଖଣ୍ଡିଏ ତନ୍ତବୁଣା ଚାଦର । ତା’ ପୁଣି ଗାଁ ଧୋବଣୀ ହାତର ସଫେଇ । ମଳି ଛାଡ଼ିଚି ଅବଶ୍ୟ, କିନ୍ତୁ ମଳିର ଦଖଲ ସ୍ୱତ୍ୱ ଲୋପ ପାଇନି । ଯେମିତି ମଳି ଆଉ ଶୁଭ୍ରତାର ରଫାନାମା ସେ ଚାଦର ଖଣ୍ଡକ ।

ଉପରେ ପଞ୍ଚ୍‍ଲାଇଟ୍ ହାଲୋର ହେଇ ଜଳୁଚି । ତଳେ ଚାଲିଚି ନାଟ ଦଳର ଯାତ୍ରା । ରାଜା ରାଣୀ ମନ୍ତ୍ରୀ ଗଧ ସମସ୍ତେ ନାଚିଯାଉଚନ୍ତି ସେଥିରେ । କ’ଣ ଗୋଟିଏ ଅଭିନୟରେ ଖୁବ୍ ଖୁସି ହେଇ ମଙ୍ଗରାଜ ଗୋଟାଏ ଚିତ୍କାର ତୋଳି ସାବାସ୍‍ କହି ଉଠିଲେ । ଦେଖଣାହାରି ସମସ୍ତେ ଅବାକ୍ । ଅନେକେ ଚମକି ପଡ଼ିଲେ ସେ ଶବ୍ଦରେ । ମହାଜନେ ଆଖି ଟେକି ଅନେଇଲେ ମଙ୍ଗରାଜଙ୍କୁ । ବଡ଼ବଡ଼ ପୃଥୁଳାକୃତି ମାଣ୍ଡି ଉପରେ ଆଉଜି ମଙ୍ଗରାଜ ନିଶ ହଳକୁ ସାଉଁଳେଇବାରେ ଲାଗିଚନ୍ତି । ତା’ପରେ ହାତକୁ ଆଲ୍‍ବାଲାର ନଳିଟା ବଢ଼େଇଦେଲା ବାରିକ । ସୁବାସିତ ବିଷ୍ଣୁପୁରୀ ଗୁଡ଼ାଖୁର ଧୂଆଁ ଟାଣି ଜନ୍ମେଜୟବାବୁ ଭଡ଼ଭଡ଼ କରି ମଜଲିସ୍‍ର ବାୟୁମଣ୍ଡଳକୁ ଧୂମାୟିତ କରିଦେଲେ ।

ଏକା ଗାଁର ଲୋକ ହେଲେବି ବୁରୁନ୍ଦ ସାହୁ ଜମିଦାର ଘରର ଏ ଆଡ଼ମ୍ବର ଦେଖିବାର ସୁଯୋଗ କେବେ ପାଇ ନଥିଲେ । ଗାଁରେ ସାହୁଙ୍କର ବଡ଼ ଗୋଦାମ । ଖଣ୍ତମଣ୍ତଳର ତେଜରାତି ଦୋକାନୀମାନେ ତାଙ୍କରି ଗୋଦାମରୁ ସଉଦା ନେଇ ବ୍ୟବସାୟ କରନ୍ତି । ଜମିଦାରଙ୍କ ଘର ଖର୍ଚ୍ଚପାଇଁ ମଧ୍ୟ ସେହି ବୁରୁନ୍ଦ ସାହୁଙ୍କ ଗୋଦାମରୁ ଆସେ ସଉଦା । ସେଥିରୁ ମହାଜନେ ଜମିଦାରଙ୍କ ଭିତର ମହଲ ଖର୍ଚ୍ଚର କିଛି ପରିଚୟ ପାଇଥିଲେ । ଆଜି ସେ ବାହାର ଖର୍ଚ୍ଚର ଆଡ଼ମ୍ବର ଦେଖିଲେ । ସବୁ କଥାକୁ ସେ ଟଙ୍କାପଇସାରେ ହିସାବ କରିବାରେ ଅଭ୍ୟସ୍ତ । ମଜଲିସ୍ ଉପରେ କୁଣ୍ତଳୀ ଖାଇ ଖେଳି ବୁଲୁଥିବା ମଙ୍ଗରାଜଙ୍କ ତୁଣ୍ତର ଗୁଡ଼ାଖୁ ଧୂଆଁକୁ ମଧ୍ୟ ସେ ପଇସାରେ ମାପିବାକୁ ଭୁଲୁ ନଥାନ୍ତି । ତୁଚ୍ଛାଟାରେ ପବନରେ କେତେ ପଇସା ଉଡ଼େଇ ନ ଦଉଚି ଏ ମଙ୍ଗରାଜ-!

 

ଏତିକିବେଳେ ବାସ୍ନାର ଗୋଟା ମହକ ଚହଟିଗଲା ମଜଲିସ୍ ଉପରେ । ନାକରେ ସୁବାସ ଅନୁଭବ କରିବା ଶେଷ ନ ହେଉଣୁ ମହାଜନେ ନିଜର ଇନ୍ଦ୍ରଲୁପ୍ତ ମସ୍ତକ ଉପରେ ଶୀତଳତାର ଏକ କୋମଳ ସ୍ପର୍ଶ ଅନୁଭବ କଲେ । ଅନେଇ ଦେଇ ଆଗରେ ଦେଖିଲେ ଧରମା ଭଣ୍ଡାରିକି । ରୁପାର ଏକ ସିଞ୍ଚାଦାନିର ସେ ବାସନା ପାଣିର ବର୍ଷା ଢାଳି ଚାଲିଯାଉଚି । ମଙ୍ଗରାଜେ ବସିଥିବା ଗାଲିଚାର ଆଗ ପାଖରେ ରୁପାର ଆଉ ଗୋଟିଏ ଦାନି ଥୁଆ ହୋଇଚି । ଦାନି ଉପରିଭାଗର ତାରକସି କାରୁ ଦେହରୁ ରୁପାର ଝରା ସବୁ ଓହଳିଚି ତଳକୁ । ଦାନିର ମୁଣ୍ଡ ଉପରେ ବସିଚି ଗୋଟିଏ ମିନାକରା ରୁପାର ଲୋଟଣି ମୟୂର । ବାରିକ ଲେଭେଣ୍ଡରର ବାସ୍ନାପାଣି ଛିଞ୍ଚିଯିବା ପରେ ରୁପାର ସେ ଅତରଦାନିଟା ମଙ୍ଗରାଜେ ମହାଜନଙ୍କ ଆଡ଼କୁ ଘୁଞ୍ଚେଇ ଦେଲେ । ବୁରୁନ୍ଦ ସାହୁ ସେତେବେଳକୁ ଏ ସବୁ ଆଡ଼ମ୍ବରର ଆତିଶଯ୍ୟରେ ଅତିଷ୍ଠ ହେଇ ମଙ୍ଗରାଜଙ୍କ ଭବିଷ୍ୟତ ସମ୍ପର୍କରେ ଆକାଶପାତାଳ ଚିନ୍ତା କରୁଥାନ୍ତି । ସେତିକିବେଳେ ମଙ୍ଗରାଜଙ୍କ ଦ୍ଵାରା ଅତରଦାନି ପ୍ରସାରିତ ହେବାର ଦେଖି ସେ ଦି’ହାତକୁ ମୁଠା କରି କହି ଉଠିଲେ–

 

ଢେର୍ ଢେର୍, ଢେର୍ ହେଲାଣି ବାବୁ । ସୁବାସରେ ଆପଣାକୁ ନାକ ଫାଟିଗଲାଣି ଆଜ୍ଞା...

 

ମଙ୍ଗରାଜ ଏ କଥାରେ ଟିକେ ଆହତ ହେଲେ ଯେମିତି । କିନ୍ତୁ ମହାଜନେ ସେତେବେଳେ ଆହୁରି ଭାବୁଥାନ୍ତି, ସେ କହି ଦିଅନ୍ତେ, ଏସବୁ ନହେଲେ କ’ଣ ବଞ୍ଚିହବନି ବାବୁ ? ଏଇଥିରେ କ’ଣ ବାପ ଅଜାଙ୍କ ନାଁ ରହିବ ?

 

ହେଲେ, ତୁଣ୍ଡ ଖୋଲି କିଛି ଆଉ ସେ କହିଲେନି ।

 

କିଛି ସମୟ ପରେ ନହବତ୍‍ଖାନାରେ ତେଲିଙ୍ଗୀ ବାଜା ଓ ଯୋଡ଼ିନାଗରା ଖୁବ୍ ଜୋରରେ ବାଜିଉଠିଲା । ଯାତ୍ରାଦଳ ମଧ୍ୟ ଅଭିନୟ ବନ୍ଦକରି ପଖୋଜ ଓ ଢୋଲକ ପିଟା ଆରମ୍ଭ କରିଦେଲେ । ଠାକୁରାଣୀଙ୍କ ସନ୍ଧିପୂଜା ଆରମ୍ଭ ହୋଇଚି । ରାତି ସେତେବେଳକୁ ଗୋଟାଏ । ସେ ବର୍ଷ ସନ୍ଧିପୂଜା ଡେରିରେ ପଡ଼ିଥାଏ । ବାରିକ ଆସି ଡାକିଗଲା ବାବୁମାନଙ୍କୁ ଚଉପାଢ଼ିକି ଯିବାଲାଗି-। ମଙ୍ଗରାଜ ଉଠିଲେ । ତାଙ୍କର ଜ୍ଞାତି ଭାୟା ଅନ୍ୟ ବାବୁମାନେ ମଧ୍ୟ ଗଲେ । ମଜଲିସ୍ ଭିତରେ ଶୋଇ ପଡ଼ିଥିବା ମଙ୍ଗରାଜଙ୍କ କେତୋଟି ପୁଅଙ୍କୁ ବାରିକମାନେ କୋଳରେ ତୋଳି ତୋଳି ଚଉପାଢ଼ିକି ନେଇଗଲେ । ଚଉପାଢ଼ିର ଏକ ଅଂଶରେ ଦୁର୍ଗାଦେବୀଙ୍କ ଆସ୍ଥାନ କରାଯାଇ ସେଇଠି ପୂଜାପାଠ ଚାଲିଚି ।

 

ସନ୍ଧିପୂଜା ସରିଲା ପରେ ସମସ୍ତେ ଫେରିଗଲେ ନାଚଖାନାର ମଜଲିସ୍‍କି ନାଟ ଦେଖିବାକୁ । ଦୁଇ ଜଣ ବାରିକ ଭୋଗ ବୋହି ନେବାରେ ବ୍ୟସ୍ତ ରହିଲେ । ପୂଜା ଶେଷରେ ନିଜକୁ ଅତି କ୍ଳାନ୍ତବୋଧ କରି ଦେବୀ ଆସ୍ଥାନରେ ଗୋଟିଏ ପଟେ ଖଣ୍ଡେ ସତରଞ୍ଜି ବିଛେଇ ପୁରୋହିତ ମାୟାଧର ଶତପଥୀ ନିଦରେ ଶୋଇପଡ଼ିଲେ । କିନ୍ତୁ ସେ ପର୍ଯ୍ୟନ୍ତ ଚଉପାଢ଼ିର ମଝି ଘରେ ନିଜେ ଜନ୍ମେଜୟବାବୁ ବସି ରହିଛନ୍ତି ବୋଲି କାହାରି ଖିଆଲ ନାହିଁ । କେତେବେଳକେ ମଙ୍ଗରାଜେ ଗୋଟା ହାଇମାରିଲେ । ସେ ହାଇ ଭିତରେ ପ୍ରାକୃତିକ ସ୍ୱର ଅପେକ୍ଷା କିମିତି ଟିକେ ଅସ୍ଵାଭାବିକ ଶବ୍ଦ ଫୁଟି ଉଠିଲା । ବାରିକ ଦୁଇ ଜଣ ଚମକିପଡ଼ିଲେ ସେଥିରେ । ପଛକୁ ଅନେଇ ଦେଖିଲେ, ଘରର ଗୋଟିଏ କଣରେ ନିଜେ ସାଆନ୍ତେ ବସି ରହିଚନ୍ତି । ନିଜ କାର୍ଯ୍ୟରେ ସେମାନଙ୍କର ଗଭୀର ସନ୍ତର୍ପଣତା ପ୍ରକାଶ ପାଇଲା ।

 

ମଙ୍ଗରାଜଙ୍କର କିନ୍ତୁ ସେମାନଙ୍କ ଆଡ଼କୁ ଲକ୍ଷ୍ୟ ନାହିଁ । ସେ ଏକଲୟରେ ଚାହିଁ ରହିଚନ୍ତି ଦେବୀଙ୍କ ଆସ୍ଥାନ ଉପରକୁ । ଦେବୀ ବୋଇଲେ ଅନ୍ୟ କିଛି ନୁହେଁ, ଦୁଇଟି ଚୌକି ଯୋଡ଼ାଯାଇ ତା’ ଉପରେ ପାଟ ବସ୍ତ୍ରର ଅବରୋଧରେ ଏକ ବିମାନ ପ୍ରସ୍ତୁତ ହୋଇଚି । ତଳର ଚୌକି ଉପରେ ମଧ୍ୟ ବିଛାଯାଇଚି ପାଟଲୁଗା । ତାହାରି ଉପରେ କୌଳିକ ଅସ୍ତ୍ରଶସ୍ତ୍ର ଖଡ଼୍‍ଗ, ଖଣ୍ଡା, ଭୁଜାଲି, କଟୁରି ପ୍ରଭୃତି ସଜ୍ଜିତ କରି ରଖାଯାଇଚି । ସବୁଥିରେ ଗୁଆଘିଅ ଲିପାଯାଇ ସିନ୍ଦୁରଟିପା ଲଗାଯାଇଚି । ତା’ ଉପରେ ଲମ୍ବିଯାଇଛି ଫୁଲର ମାଳ । ଚୌକି ଦୁଇଟିର ସମ୍ମୁଖଭାଗରେ ଦୁଇଟି ଘଟ ସ୍ଥାପନା କରାଯାଇଚି । ଘଟ ଉପରେ ଗୋଟିଏ ଗୋଟିଏ ଆମ୍ବ ଡାଳ ରଖାଯାଇ ତା’ ଉପରେ ଥୁଆଯାଇଛି ସବୁଜ ନାରିକେଳ, ଦୁଇଟି ଘଟରେ ଦୁଇଟି । ଦୁଇ ନାରିକେଳର ଉପରେ ନବବସ୍ତ୍ରକୁ ହଳଦୀରେ ରଙ୍ଗା ଯାଇ ଅବଗୁଣ୍ଠନ ପ୍ରସ୍ତୁତ କରାଯାଇଚି । ଘଟ ଦେହରେ ଫ୍ୟୁଚରିଷ୍ଟ ଶୈଳୀରେ ସିନ୍ଦୂର ରେଖାରେ ଅଙ୍କିତ ହୋଇଚି ଦେବୀଙ୍କର ସାଙ୍କେତିକ ରୂପ । ତାହାହିଁ ଦେବୀ । ସେ ବର୍ଷ ଜନ୍ମେଜୟ କ’ଣ ଶାରୀରିକ ଅସୁସ୍ଥତା ବୋଧ କରିଥିବାରୁ ପୂଜାର ସଂକଳ୍ପ ଗ୍ରହଣ କରିଥାନ୍ତି ତାଙ୍କର ଜଣେ ବିରାଦରୀୟ ଭାଇ ।

 

ଘଟ ଦୁଇଟି ଆଗରେ ହୋମକୁଣ୍ଡର ବାଲୁକା ନିର୍ମିତ ବେଦୀ । ତା’ ପାଖରେ ଜଳୁଚି ଗୋଟିଏ ପିତଳର ପିଲସଜ ଉପରେ ଅଖଣ୍ଡ ଘୃତଦୀପ । ଘର ଭିତରେ ଧୂପ ଧନାର ଏକ ପବିତ୍ର ଗନ୍ଧ ପ୍ରସାରିତ ହୋଇ ରହିଚି ।

 

ଦେବୀଙ୍କର ଆସ୍ଥାନକୁ ଏକଦୃଷ୍ଟିରେ ଅନେଇ ରହିବାରେ ମଙ୍ଗରାଜ ପ୍ରାୟ ପନ୍ଦର ମିନିଟ ସମୟ ଅତିବାହିତ କରିଦେଲେ । ହଠାତ୍ ଆଖି ଫେରେଇ ଚାହିଁଲେ ଦରଜା ଆଡ଼କୁ, ଘର ଭିତରକୁ ପଶି ଆସୁଚି ବୁରୁନ୍ଦ ସାଉ ମହାଜନ । ଘର ଭିତରେ ପହଞ୍ଚି ଦେବୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଗୋଟିଏ ପଟର କାନ୍ଥକୁ ଆଉଜି ତଳେ ବୁରୁନ୍ଦ ସାହୁ ତେଲପଚା ବଙ୍କୁଲି ବାଉଁଶ ବାଡ଼ି ଖଣ୍ଡକ ଥୋଇ ବସି ପଡ଼ିଲେ । ଆଉ କିଛି କାରଣରୁ ନୁହେଁ, ମହାଜନେ ଆସିଥିଲେ ମଙ୍ଗରାଜଙ୍କଠାରୁ ବିଦାୟ ନେଇ ଘରକୁ ଫେରିଯିବାକୁ ।

 

କିନ୍ତୁ ତାଙ୍କର ଆକସ୍ମିକ ଉପସ୍ଥିତିରେ ମଙ୍ଗରାଜ ଯେପରି ମନ ଭିତରେ ଖୁବ୍ ସାହସ ପାଇଲେ । ବୁରୁନ୍ଦ ସାହୁଙ୍କ ପାଖକୁ ସେ ଘୁଞ୍ଚିଆସି ହଠାତ୍ କହି ବସିଲେ–

 

ଉପାୟ କ’ଣ ମହାଜନେ, କହି ପାରିବ ?

 

ଉପରର ଓରା ଦିହରୁ ଓହଳି ହଣ୍ଡା ଆଲୁଅ ଝୁଲୁଚି । ମଙ୍ଗରାଜଙ୍କ ମୁହଁକୁ ଅନେଇଲେ ବୁରୁନ୍ଦ ସାହୁ, ଖୁବ୍ ତନ୍ନତନ୍ନ କରି । କିଏ କହିଲା ତାଙ୍କୁ କ’ଣ ? ତାଙ୍କ କାନରେ ସେ ମଙ୍ଗରାଜଙ୍କ କଥା ଶୁଣିଲେ, ନାଁ ଆଉ କିଛି ?

 

ପଛକୁ ଫେରି ଯିବାର ଉପାୟ କ’ଣ କିଛି ନାଇଁ...ବାବା ଏସବୁ ନ କରି ବଡ଼ ଭଲ କରିଥିଲେ...ମୋର ଗୋଡ଼ ଖସିଯାଇଚି ବୁରୁନ୍ଦ ସାଉ !

 

ଏଥର ବୁରୁନ୍ଦ ସାହୁ ଜାଣିଲେ ମଙ୍ଗରାଜେ ତାଙ୍କୁ ଉଦ୍ଦେଶ୍ୟ କରି ଏ କଥା କହୁଚନ୍ତି । ଗାଁରେ ମହାଜନ ଆହୁରି ଅଛନ୍ତି । କିନ୍ତୁ ‘ବୁରୁନ୍ଦ ସାହୁ’ ସେ ଏକା । ହଁ, ତେବେ ଏଡ଼େ ବଡ଼ଲୋକଙ୍କୁ କ’ଣ ଉତ୍ତର ଦେବେ ସିଏ ? ଟିକେ ଥକା ମାରିଗଲେ ।

 

ତମେ ହୁଏତ ଜାଣିନ ମହାଜନେ, ଏହା ଭିତରେ ମୁଁ ତିନି ଚାରି ହଜାର ଟଙ୍କା କରଜ କରିସାରିଲିଣି । ଏ କଥା ବାହାରେ କେହି ଜାଣି ନାହାନ୍ତି । ଜମି ମାଣେ ବିକିଲେ ଅତି ଜୋରରେ ହବ ଅଢ଼େଇଶ ଟଙ୍କା । ସବୁ ହେଇ ଦି’ବାଟି ଭିତରେ ଜମି । ଆଉ ଥାଇଁ ଥାଇଁ ଜମିଦାରୀ ଖଣ୍ଡକ । ଦି’ହଜାର ଟଙ୍କାର ମାହାଲ । ଅତି ବେଶି ହେଲେ ବର୍ତ୍ତମାନ ସମୟରେ ପାଞ୍ଚ ଛ’ଗୁଣା ଦର ହବ । ତେବେ ତାକୁ ଛାଡ଼ି ଦେଇ କରିବି କ’ଣ ? ପାଞ୍ଚ ପାଞ୍ଚଟା ପିଲା । ଗୋଟାଏ ପିଲା କଟକରେ ଆଉ ଦି’ଟା ପିଲା ପଢ଼ୁଛନ୍ତି ବଡ଼ଚଣାରେ । ପୁଣି ଝିଅ ତିନିଟା ଅଛନ୍ତି....

 

ଏହିପରି କହିଯିବା ପରେ ନିଜର ପ୍ରଗଳ୍‍ଭତାରେ ଜନ୍ମେଜୟ ଖୁବ୍ ଲଜ୍ଜିତ ହେଇପଡ଼ିଲେ । ତତୋଽଧିକ ଲଜ୍ଜିତ ହେଲେ ବୁରୁନ୍ଦ ସାହୁ । ଜମିଦାରେ ଏତେ କଥା ତାଙ୍କର ଜଣେ ସାମାନ୍ୟ ପ୍ରଜା ଆଗରେ କହିଗଲେ କାହିଁକି । ଓହୋ, ଏ ଅଞ୍ଚଳର ମଉଡ଼ମଣି, ତାଙ୍କ ଅବସ୍ଥା ଆସି ପୁଣି ଏମିତି ହେଲାଣି !

 

ହଠାତ୍ ଏହି ସମୟରେ ଦାଣ୍ଡରେ ଗୋଳ ଉଠିଲା । ନାଚଖାନାରୁ ଯାତ୍ରା ଦେଖାଳି ଉଠି ଚାଲି ଯାଉଛନ୍ତି–ବାଲିପାଟଣାକୁ । ସେଠି ମଳିକ ଘର ଦାଣ୍ଡରେ ଏ ବର୍ଷ ଦୁର୍ଗାପୂଜାକୁ ନାଟ ଆରମ୍ଭ ହେଇଚି । ସାନ୍ଦ ମଳିକର କଲିକତା ସର୍ଦାରି ଟଙ୍କା । ସେଠିକି ଦୁବଗାଡ଼ିଆରୁ ଭଲ ଯାତ୍ରା–ଦଳ ଆସିଛନ୍ତି । ଏ ନେଉଳପୁରିଆ ଅତି ପୁରୁଣା । ପୁଣି ପାଟଣାକୁ ଲାଗି ନରଣପୁର ପଞ୍ଚୁ ଜେନା ଦାଣ୍ଡରେ ନାଚ ହଉଚି । ତା’ ଘରେ କାନ୍ତରାଟି ଟଙ୍କା । ସେଠିକି ଆଇଚନ୍ତି ଅଉଖଣ୍ଡର ମହନ୍ତ ସଂପ୍ରଦା । ଖାଲି ଗଜା ଟୋକା ଦଳ । ପୋଷାକରେ ଆଖି ଝଲସି ପଡ଼ୁଚି । ଆରେ ରଜାପୋଷାକ କ’ଣ ଦେଖିବୁ ! ସେଠି ହେଉଚି ଇନ୍ଦ୍ରଜିତ ବଧ । ରାବଣ ହେଇଚି ନିଜେ ଓସ୍ତାତ ।

 

ଏମିତି କେତେ କଥା କୁହାକୁହି ହୋଇ ଲୋକେ ଉଠି ଯାଉଚନ୍ତି । ଆଉ କେତେକେ ମଙ୍ଗରାଜ ଦାଣ୍ଡର ପ୍ରଶଂସାରେ ମୁଖର ହୋଇ କହୁଚନ୍ତି, ଯାବେ, ଏମିତି ଜାଗା ଖଣ୍ଡେ ଏକା ପାଇବୁ-? ହାପ, ଇନ୍ଦ୍ରଭୁବନ ଯେମିତି ! ଦେଖବେ, ମାଦୀ ପଟରେ ନବୀନା ବାହାରିଚି ! ଅଃ...ବଦ୍–କିମ୍ମତ୍ ମାଇକିନା ପିଲାଟେ...

 

ପାଟି ଗୋଳର ହେତୁ ଲକ୍ଷ୍ୟ କରିବାକୁ ଉଠି ମଙ୍ଗରାଜେ ଝରକା ଆରପଟେ ଛିଡ଼ା ହୋଇ ସବୁ କଥା ଶୁଣିଲେ । ସବୁ କଥା ଶୁଣି ଶୁଣି ହୋହୋ ହସିଉଠି କହିଲେ–

 

ମହାଜନେ ଶୁଣିଲଣି...ପଞ୍ଚୁ ଜେନା ଦାଣ୍ଡରେ ଯାତରା । ପାଟଣା ସାନ୍ଦ ମଳିକ ପୁଣି ଏ ବର୍ଷ ଯାତ୍ରାଦଳ ଆଣିଚି । ହୋ...ହୋ...ହୋ...ଆଉ ଆମେ କି ଯାତ୍ରା କରେଇବା ଏଥିରେ...

 

ପୁଣି ସେ ଆସି ଠିଆହେଲେ ଝରକା ପାଖରେ । ଶୁଣିଲେ ବଂଶୀ ଜେନାର କୁହାଟ । ଲମ୍ବା ଛଡ଼ି ଲୋକଙ୍କ ମୁଣ୍ଡରେ ଠୁକେଇ ସେମାନଙ୍କୁ ସେ ବସେଇ ଦେବାରେ ଲାଗିଚି ।

 

ମଙ୍ଗରାଜେ ମହାଜନଙ୍କ ପାଖକୁ ଫେରିଆସି ବସି ପଡ଼ିଲେ । ଦାଣ୍ଡରେ ଆଉ ଗୋଳମାଳ ନାହିଁ । ଖାଲି ଯାତ୍ରାର ଅଭିନୟ ଓ ବାଦ୍ୟବାଜଣାର ସ୍ୱର । ଏବେ ଲୋକମାନେ ନିଶ୍ଚଳ ହୋଇ ଅଭିନୟର ବଚନିକା ଆଉ ଗୀତ ଶୁଣିବାରେ ଲାଗିଛନ୍ତି ।

 

ସେ ବସିପଡ଼ିବାକ୍ଷଣି ପ୍ରଥମେ ବୁରୁନ୍ଦ ସାହୁ କଥା କହିବା ଆରମ୍ଭ କଲେ ।

 

“ବୁଦ୍ଧି ମୋର ହଜିଗଲାଣି ଆଜ୍ଞା ! ଆପଣ କରଜ କରିଚନ୍ତି । ପୁଣି ଚାରି ହଜାର ଯାଏଁ ଟଙ୍କା ! ଭାରି ଅବସୋସର କଥା । ତେବେ ମୋର ଏତିକି ନେହୁରା, ଚାଷଜମିରେ କେବେହେଲେ ଟିପ ଦେବେନେଇଁ ଆଜ୍ଞା ! ଚେଷ୍ଟା କଲେ ମାହାଲଟାର ଜରସମନ ଆଠ ଦଶ ଗୁଣା ହୋଇପାରେ-।”

 

ଏ କଥାରେ ବୁରୁନ୍ଦ ସାହୁ ନିଜ ଇଚ୍ଛାର କିଛି ସୂଚନା ଦେଲେ ଯେପରି । ମଙ୍ଗରାଜେ ଅନ୍ୟମନସ୍କ ରହି କ’ଣ ଭାବିବାକୁ ଲାଗିଲେ ।

 

ତିନି

 

ପ୍ରାୟ ତିନିଟି ମାସ ପରେ ।

 

ଦିନେ ହଠାତ୍ ନିଃଶବ୍ଦ ରାତିର ପାହାନ୍ତା ପ୍ରହରରେ ମଙ୍ଗରାଜଙ୍କ ଦୁଇ ମହଲାର ବଖୁରିକିଆ ହଲ୍ ଘରେ କରୁଣ ସ୍ଵରରେ କ୍ରନ୍ଦନରୋଳ ଶୁଣାଗଲା । ସେହି ବଖରାଟିରେ ଜନ୍ମେଜୟ ମଙ୍ଗରାଜ ଏକା ଶୁଅନ୍ତି । ତଳ ମହଲାରେ ପକ୍କାଘର ମୋଟେ ଦୁଇଟି ବଖରା । ସେଥିରୁ ଗୋଟିଏ ବଖରା ମଙ୍ଗରାଜଙ୍କ ସ୍ତ୍ରୀ ସୁରେଶ୍ଵରୀ ଦେଈଙ୍କର । ଆର ବଖରାଟି ପ୍ରାୟ ବନ୍ଦ ଥାଏ । ସେଥିରେ ଥାଏ ଜମିଦାରୀ ସିରସ୍ତା ଓ ଅନ୍ୟାନ୍ୟ କାଗଜପତ୍ର ଏବଂ ଖଣ୍ଡାୟତ କୁଳର ସନ୍ତକସ୍ୱରୂପ ପୁରୁଣା ହାତହତିଆର । ଗୋଟାଏ ସିନ୍ଦୁକ ମଧ୍ୟ ସେ ଘରେ ପଡ଼ିଚି । କିନ୍ତୁ ତାହାର ଚାବି ଜନ୍ମେଜୟଙ୍କ ହାତରେ ନାହିଁ । ତାହା ରହିଛି ଯାଇ ତାଙ୍କର ମା’ ମନୁ ମଙ୍ଗରାଜଙ୍କ ପତ୍ନୀ ଅନୁଛାୟା ଦେଈଙ୍କ ଅଣ୍ଟାର ରୁପା ଗୋଠ କେରାକର ମଝିରେ ।

 

ତଳ ମହଲାର ଆଗଣାଟା ପ୍ରଶସ୍ତ ଓ ପକ୍କା । ଗୋଟିଏ ପଟକୁ ପାଁ–ଶେଣିଆ ଧୂଳିଆ କଚ୍ଚାଘର ଦି’ବଖରା । ଗୋଟିଏ ପଟକୁ ଭଣ୍ଡାରଘର । ଅନ୍ୟ ଏକ ପଟରେ ତଳ ଖଞ୍ଜାକୁ ଯିବାର ବାଟ ଓ ଏକ ଓସାରିଆ ନଙ୍ଘା । ତଳ ଖଞ୍ଜାରେ ଦୁଇଟି ବଡ଼ବଡ଼ ଅମାର, ଛାତରେ ଟିଣ ଛପର ହୋଇଛି । ଗୋଟିଏ ପଟକୁ ରୋଷେଇଘର ଓ ଢିଙ୍କିଶାଳ ଇତ୍ୟାଦି । ଢିଙ୍କିଶାଳ ସଙ୍ଘାରେ ଅନେକ ଦିନ ତଳର ସୁନିଆ ତାଳପତ୍ର ପାଞ୍ଜି ଗଦା ହୋଇଛି । ଉପର ଖଞ୍ଜାରେ ସମସ୍ତେ ରହନ୍ତି । କେବଳ ଚାକରବାକର ରାତିରେ ଶୁଅନ୍ତି ଅମାର ଖଞ୍ଜାରେ । ଦୁଇ ଖଞ୍ଜାର ଅଗଣାରେ ଦୁଇଟା କୁଅ । ଅମାର ଖଞ୍ଜାର ପଛପଟୁ ଆରମ୍ଭ ହୋଇ ଆଗ ଖଞ୍ଜାର ଦକ୍ଷିଣ ପଟ ଯାଏଁ ଲାଗିଛି ବାଡ଼ିବଗିଚା । ତା’ ସେ ପାଖକୁ ରାଜପଥ । ତା’ ଆରପାଖକୁ ତୋଟା । ତୋଟାର ଆୟତନ ଅନେକ ବଡ଼ । ଉତ୍ତମ ଗଣତନ୍ତ୍ର ଶାସନରେ ସଂଖ୍ୟାଲଘୁର ସ୍ଵାର୍ଥ ସୁରକ୍ଷିତ ହେଲା ଭଳି ଆମ୍ବଗଛର ସଂଖ୍ୟାଗରିଷ୍ଠତା ଭିତରେ ତୋଟାର ଆଠ ଦଶଟି ପଣସ ଓ ଜାମୁଗଛ ନିଜର ଶ୍ରୀବୃଦ୍ଧି ସାଧନ କରିପାରିଛନ୍ତି ।

 

ଦୋମହଲାରୁ ଭାସି ଆସୁଥିବା କ୍ରନ୍ଦନର ଧ୍ଵନି ପ୍ରଥମେ ଅନୁଛାୟା ଦେଈ ଶୁଣିଲେ । ବୟସ ଆସି ସତୁରୀ ପାଖାପାଖି ହେଲାଣି । ଏବେବି ସେ ଖୁବ୍ ଦମ୍ଭିଲା । ଏବେ ମଧ୍ୟ ଧାନଉଁଷାବେଳେ ଗୋଟା ଗୋଟା ବଡ଼ ଫଳିମାଛ ଚୁଲିରେ ମୋହିଁ ଦେଇ ସେ ପୋଡ଼ି ଖାଇଦେବାରେ ଅଭ୍ୟସ୍ତ । ଅନେକ ସମୟରେ କୋଠା ଛାତ ଉପରକୁ ସିଡ଼ିରେ ଉଷୁନା ଧାନ ଟୋକେଇ କାଖେଇ ନେଇ ଖରାରେ ଶୁଖେଇ ଦେଇ ଆସି ପାରନ୍ତି ସେ ।

 

ପ୍ରାୟ ରାତି ତିନିଟାବେଳେ ବାହାରକୁ ସେ ଉଠିଥିଲେ । ଦୋମହଲାରୁ କାନ୍ଦଣା ସ୍ଵର ଆସୁଥିବା ଶୁଣି ସେ ଚମକି ପଡ଼ିଲେ । କରୁଣ ଅଥଚ ପୁରୁଷର ସ୍ଵର । ଏତେ ରାତିରେ ମୋ ଘରେ ପୁରୁଷର କାନ୍ଦଣା ! ତାହାହେଲେ ଜନୁ କାନ୍ଦୁଛି ? ମୋ ପୁଅ ? କୋଉଥିରେ ଅଭାବ ହୋଇଚି ମୋ ପୁଅର ! କ’ଣ ହେଲା !

 

ହାତର ଡିବି ଆଲୁଅରେ ବାଟ କାଢ଼ି ସିଡ଼ିରେ ଚଢ଼ି ବୃଦ୍ଧା ଅନୁଛାୟା ଦେଈ କୋଠା ଉପରକୁ ଉଠଲେ । କବାଟର କଡ଼ା ହଲେଇ ଡାକିଲେ, ‘‘ଜନୁ, ଜନୁ, ଆରେ କାନ୍ଦୁଛୁ କାହିଁକି ଜନୁ ! ଆରେ କବାଟ ଖୋଲିଲୁ, ଆରେ...” ।

 

ମା’ର କଣ୍ଠସ୍ଵର ଶୁଣି ଜନ୍ମେଜୟ ଆହୁରି ଉଚ୍ଚରେ କାନ୍ଦି ଉଠିଲେ । ଅନୁଛାୟା ଦେଈ ସେଥିରେ ଆହୁରି ଅଥୟ ହେଇ ପଡ଼ିଲେ–‘‘ଆରେ ସାଇପଡ଼ିଶାରେ ଘର । ଭଗାରି ଶୁଣିବେ...ଆରେ ଲୋକେ କ’ଣ ଭାବିବେ...ତୁ ଦୁଆର ଫିଟେଇଲୁ ଆଗେ... ନଇଲେ ମୁଁ ଏଇକ୍ଷଣି କବାଟ ଭାଙ୍ଗିଦେବି କହୁଚି...

 

କବାଟ ଫିଟେଇଲେ ଜନ୍ମେଜୟ । ଅଶ୍ରୁଳ ମୁଖ । ଆଖିରୁ ଧାର ଧାର ଲୁହ ବହି ଯାଉଚି-। ଏକା ଘରେ ଏକା ଖଞ୍ଜାରେ ଥିଲେବି ମା’–ପୁଅଙ୍କ ମଧ୍ୟରେ କ୍ୱଚିତ ସାକ୍ଷାତ ଘଟିଥାଏ । ଆଜି ନିଜର ମଉଡ଼ମଣି ପୁଅର ଏପରି ଅସହାୟ ଅବସ୍ଥା ଦେଖି ସେ ଆଉ ଧୈର୍ଯ୍ୟ ଧରି ପାରିଲେନି-। ଦୁଇ ହାତରେ କୁଣ୍ଢେଇ ପକେଇଲେ ପୁଅକୁ । ପଣତରେ ପୁଅର ଲୁହ ପୋଛି ଦେଇ କହିଲେ–

 

“ଆଗରେ ଦୋଳ ପୁନେଇଁ ଆସୁଚି...ହାତରେ ଟଙ୍କାପଇସା ନାଇଁ, ତୁ ସେଇ ଚିନ୍ତାରେ କାନ୍ଦୁଚୁ ନା କ’ଣ ?”

 

ଜନ୍ମେଜୟ ଆଶ୍ଚର୍ଯ୍ୟ ହେଇ ଚାହିଁଲେ ମା’ର ମୁହଁକୁ । ବୋଉ କେମିତି ଜାଣିଲା ମୋ ମନର ଏ ସବୁ କଥା ! କିନ୍ତୁ ମୁହଁଟାକୁ ଲୁଗା କାନିରେ ପୋଛି ଦେଇ ସେ ଭିନ୍ନ ଭାଷାରେ ଉତ୍ତର ଦେଲେ ।

 

“ଦୋଳ ଉଚ୍ଛବ ହେବନେଇଁ ବୋଉ । ଏ ଦାଣ୍ଡରେ ଦଶରାବି ଏଣିକି ହେବନେଇଁ...ମୁଁ କରଜ ଦାମରେ ବୁଡ଼ିଗଲିଣି...କିଏ ଯଦି ଏ ଘରେ ସେ କଥା ଉଠେଇବ ତ ମୁଁ ଏ ଘରୁ ବାହାରିଯିବି...ସତ କହୁଚି ବୋଉ, ମୁଁ ବାବାଜି ହେଇ ଚାଲିଯିବି...”

 

ପୁଅ ପାଟିରୁ କରଜ କଥା ଶୁଣି ଅନୁଛାୟା ଦେଈଙ୍କ ସାରା ଦିହଟା ଜଳିଗଲା ଯେମିତି । ସେ ଗର୍ଜିଉଠି କହିଲେ, “ଆରେ କ’ଣ କହିଲୁ, ତୁ କରଜ କଲୁଣୁ ? କେତେ କରଜ କଲୁଣୁ କହିଲୁ ? ଆରେ, ତୁ ଏ ଗାଁରେ କା ପାଖରେ ଯାଇ ହାତ ପତେଇଛୁ ? ତୁ ମତେ ଆଜି କି କଥା ଶୁଣେଇଲୁ ଜନୁଆ !”

 

ଘର ଭିତରେ ମହମବତୀଦିଆ ଗୋଟିଏ ଟେବୁଲ ଲ୍ୟାମ୍ପ ଜଳୁଚି । ଅନୁଛାୟା ଦେଈ ଉତ୍ତେଜିତ ହେଇ ତାହାର ମନ୍ଦୋଜ୍ଜ୍ୱଳ ଆଲୋକରେ ପୁଅକୁ ଭଲ କରି ତାନେ ଅନେଇଲେ । ତାଙ୍କର ଯେମିତି ମନେ ହେଉଥାଏ, ଜନୁଆ ଆଜି ଛୋଟ ହେଇଥିଲେ ଗାଲରେ ତା’ର ଦି’ ଚଟକଣା ଲଗେଇ ଦିଅନ୍ତେ । କିନ୍ତୁ ଏ ଘରେ ଜନୁଆ ଆଜି ମୁରବି...ମାଲିକ । ବାପ ଅନ୍ତେ ସେ କଦମ୍‍ପାଳର ଜମିଦାର ଜନ୍ମେଜୟ ମଙ୍ଗରାଜ । କ’ଣ ଭାବି ପୁଅ ପାଖରୁ ଉଠିପଡ଼ି ଅନୁଛାୟା ଦେଈ ଘର ଭିତରେ ଘେରାଏ ବୁଲି ଆସିଲେ ।

 

ବୁଲି ବୁଲି ସେ କହିଲେ–

 

“ଆରେ ସେ ଊର୍ଦ୍ଧ୍ଵମୁଖା ଠାକୁରକୁ ତତେ ମେଲଣକୁ ବାହାର କରିବାକୁ କିଏ କହିଲା ? ଯୋଉଦିନଠଉଁ ତୁ ସେ ଠାକୁରକୁ ଧରି ମେଲଣ ବୁଲା ଆରମ୍ଭ କଲୁଣି, ସେଇଦିନଠଉଁ ମୁଁ ଜାଣେ ନିଶ୍ଚେ କିଛି ଅନିଷ୍ଟ ଘଟିବ । ମୁଁ ତ କିଛି କହିଥିଲେ କହିଥାନ୍ତୁ ମରହଟିଆ ବୁଢ଼ୀ...ଆରେ ଶୁଣିବୁ...ସେମିତି ଥରେ ତୋ ଜେଜେ ଠାକୁରଙ୍କର କ’ଣ ସବୁ ଭଲ ଭଲ ଖଞ୍ଜା କରିଦେଲେ; ତା’ପରଠଉଁ ସେ ଭାରି ବେମାରିରେ ପଡ଼ିଲେ । ସେଇଠଉଁ ସେ ସବୁ ବନ୍ଦ କରି ଦେଇଥେଲେ । ଦେଖୁନୁ, ଗୋସେଇଁ ବଉଁଶ କେମିତି ନାଶ ପାଇ ଯାଉଚନ୍ତି ! ମଠରେ ଦି’ ତିନିଟା ବୁଢ଼ୀଙ୍କୁ ଛାଡ଼ିଦେଲେ ଖାଲି ରାଣ୍ଡୀପଲ । ଆରେ ଅର୍ଜୁନି ଗୋସେଇଁ କ’ଣ ତତେ ଏ ସବୁ କଥା କିଛି କହି ନଥିଲେ ? ମୁଁ ସବାଖାଈ ତ କିଛି କହି ପାରିନି....ଆଉ କା’ କଥା କହିବି କ’ଣ ? ଭାବିଥେଲି, କୁଆ ଉଡ଼ିଲାବେଳକୁ ତାଳ ପଡ଼ିଲା । ସତେ କ’ଣ ଊର୍ଦ୍ଧ୍ଵମୁଖା ଠାକୁର ସବୁ ଖାଇଯାଉଚି ! ଏବେ ସତକୁସତ ସବୁ ଘଟିଲା । ଆରେ ଜନୁ, ମୋ ଧନଟା ପରା, କେତେ ଟଙ୍କା କରଜ କଲୁଣୁ ମତେ ସତ କହିଲୁ ।

 

ପୁଣି ଭୋଭୋ ହୋଇ କାନ୍ଦିଉଠିଲେ ଜନ୍ମେଜୟ । କାନ୍ଦମିଶା ସ୍ଵରରେ ସେ କହିବାକୁ ଲାଗିଲେ, ଏ ଘରକୁ ମୁଁ ବୁଡ଼େଇ ସାରିଲିଣି ବୋଉ...ଜମିଦାରୀ ବିକି ଅଧେ ସମ୍ପତ୍ତି ଭାଙ୍ଗିଲେବି ଉଧୁରିବାର ଉପାୟ ମୁଁ ଦେଖୁନେଇଁ....ନାଟତାମସା ମଜାମଜଲିସ୍ କରି ମୁଁ ଚାରି ହଜାର ଟଙ୍କା କରଜ କରି ସାରିଲିଣି ବୋଉ....

 

ଏତିକି କହି ଜନ୍ମେଜୟଙ୍କ କଣ୍ଠ ହଠାତ୍ ରୁଦ୍ଧ ହେଇ ପଡ଼ିଲା । ଚଲା ବନ୍ଦ କରି ଥପ୍ କରି ତଳେ ବସି ପଡ଼ିଲେ ଅନୁଛାୟା ଦେଈ । ପାଟିରୁ କେବଳ ପଦେ ତାଙ୍କର ବାହାରି ପଡ଼ିଲା–‘‘କୁଳାଙ୍ଗାର ଟୋକା, ତୁ ଶେଷକୁ ଏଇଆ କଲୁ !”

 

କିଛି ସମୟ ସମ୍ପୂର୍ଣ୍ଣ ନୀରବତା ଭିତରେ କଟିଗଲା ।

 

କେତେକ ସମୟପାଇଁ ମା’ ଓ ପୁଅ କେହି କାହାକୁ ପଦେ ହେଲେ କଥା କହି ପାରିଲେନି । କାଉର କା’ କା’ ଶବ୍ଦର ପିଛାଧରି ଝରକା ବାଟେ ଘର ଭିତରକୁ ପ୍ରଭାତୀ ପବନ ପଶି ଆସିଲାବେଳକୁ ଅନୁଛାୟା ଦେଈଙ୍କ ହୋସ୍ ହେଲା ଯେ ସେ ଆଜି ଭଜନ ଜଣାଣ କିଛି ଗାଇ ପାରି ନାହାନ୍ତି । ତୁରନ୍ତ ଉଠିପଡ଼ି ସେ ତଳକୁ ଯିବାକୁ ବସିଲେ । ଉଠି ଯାଉଁ ଯାଉଁ ସେହି ପ୍ରଥମେ ସ୍ତବ୍ଧ ପ୍ରକୋଷ୍ଠର ନୀରବତା ଭାଙ୍ଗି କହିଲେ–

 

“ମୋର ଆଉ କୋଉ ସୁଖ ଊଣା ଅଛି ଯେ ଟଙ୍କା ଛଞ୍ଚିବାକୁ ମନ ବଳେଇବି । ବାପା ତୋର କୋଉ କଥା ବାକି ରଖିନେଇଁ ଯେ ମୁଁ ଆଉ ତୀର୍ଥବ୍ରତ କରିବାକୁ ଆଶାକରି ବସିବି । ରଖି ରଖି ଦିପଇସା ମୁଁ ତୋରି ପିଲାଙ୍କ ନାଗି ରଖିଚି...ତିନି ତିନିଟା ଝିଅ, କାଲି ସକାଳେ ଆଗପଛ ହେଇ ପରଘରକୁ ଯିବେ....ହଉ, ଏବେ ତ ସମସ୍ତେ ତୋ ଭାଗ୍ୟକୁ ଆଶ୍ରା କରି ରହିଲେ....ତୁ ଏବେ ଯା କରିବୁ... ।”

 

ତାଙ୍କର ଶେଷ କଥାଗୁଡ଼ିକ ପାଦର ଗତି ସାଙ୍ଗରେ ସମତା ରକ୍ଷା କରି ଦୂରତ୍ଵର ବ୍ୟବଧାନ ଫଳରେ କ୍ରମେ ଅସ୍ପଷ୍ଟ ହେଉଥିଲେ ମଧ୍ୟ ସେଥିରୁ ଗୋଟିଏ ହେଲେ ଶବ୍ଦ ମଙ୍ଗରାଜଙ୍କ ଶ୍ରୁତିକୋଷର ଦ୍ୱାର ଏଡ଼ାଇ ପାରୁ ନଥିଲା ।

 

ଏ ଘଟନାର ପ୍ରାୟ ପନ୍ଦର ଦିନ ପରେ ଦିନେ ନିସ୍ତବ୍ଧ ରାତିରେ ନିଜର ଖାସ୍ ଦଖଲରେ ଥିବା ସିନ୍ଦୁକଟିକୁ ଅନୁଛାୟା ଦେଈ ଖୋଲିଲେ । ଭବିଷ୍ୟତର ଅବସ୍ଥା ଯାହାହେଉ, ଆଗେ ବର୍ତ୍ତମାନର ପରିସ୍ଥିତିକି ସମ୍ଭାଳିବାକୁ ହେବ । ପୁଅଟା ସତ୍ୟାନାଶ କରି ଦେଇଚି । ଗୋଟିଏ ବୋଲି ପୁଅ, କୁଳର ମଉଡ଼ମଣି, ସେ ଆଜି ଭୁଲ କରି ପକେଇଚି । ତାକୁ ସୁଧାରିବାକୁ ହେବ । ଏପରି ଅବସ୍ଥା ନ ଘଟିଥିଲେ ବଂଶର ସେହି ଐତିହାସିକ ସିନ୍ଦୁକଟିର ଅଭ୍ୟନ୍ତର ନିକଟ ଭବିଷ୍ୟତରେ ଡିବିରି ଆଲୋକର ତେଜ କିମ୍ବା ଗୃହର ଆବଦ୍ଧ ପବନର ସ୍ପର୍ଶ ପାଇବା ସମ୍ଭବ ହେଇ ନଥାନ୍ତା । ପ୍ରାୟ ଦଶବର୍ଷ ହେଲା ଏ ସିନ୍ଦୁକ ବନ୍ଦ ରହିଚି । ଅର୍ଥାତ୍ ଆଜିକି ଦଶବର୍ଷ ହେଲା ଅନୁଛାୟା ଦେଈ ନିଜର ପୁରାତନ ମହାଜନି କାରବାର ବନ୍ଦ କରି ଗତ ତିରିଶବର୍ଷର କରଜ, ଦେଢ଼ି, ବନ୍ଧକ ଆଦି ବାବଦରେ ମୂଳ ପ୍ରାୟ ସାତଶ’ ଆଠଶ’ ଟଙ୍କାରୁ ଯେଉଁ ଆଠ ହଜାର ଟଙ୍କାର ଅଭିବୃଦ୍ଧି ଘଟିଥିଲା, ତାହାକୁ ସ୍ଥଗିତ ରଖି ଦେଇଛନ୍ତି । ତାଙ୍କ ମହାଜନି କାରବାର ସ୍ଥଗିତ କରିବାରେ ଆର୍ତ୍ତା ଭଣ୍ଡାରୀର ଅପକର୍ମ ହୋଇଥିଲା ପ୍ରଧାନ କାରଣ ।

 

ତାହା ମଧ୍ୟ ଏକ ଐତିହାସିକ କାହାଣୀ । ନାରୀମହଲର ଚିରାଚରିତ ଉଚ୍ଚ କଳନ୍ତରରେ ଟଙ୍କା ଲଗାଣ କାରବାର କ୍ଷେତ୍ରରେ ପରମ ଶିକ୍ଷଣୀୟ ବିଷୟ । ବର୍ଷେ ଦୂର ଇଲାକାର ପ୍ରଜା ଭିକା ବାରିକ ଷାଠିଏବର୍ଷ ବୟସରେ ଅପୁତ୍ରିକ ଦୋଷରୁ ମୁକ୍ତିଲାଭ କରିବା ଫଳରେ ନବଜାତ ପୁତ୍ରର ମୁଖ ଅବଲୋକନରେ ଆବଦ୍ଧ ରହି ଦଶହରାରେ ବାବୁଘରକୁ ବେଠି ଖଟି ନ ଆସିପାରି ପଠେଇଥିଲା ତାହାର ଶାଳକ ଆର୍ତ୍ତାକୁ । ସେ ଭିନ୍ନ ଇଲାକାର ଲୋକ । ନରମାନଙ୍କ ଭିତରେ ନରସୁନ୍ଦର ଯେ ଅତ୍ୟଧିକ ଧୂର୍ତ୍ତ, ଏ ଉକ୍ତି ଆର୍ତ୍ତାଠାରେ ଅକ୍ଷରେ ଅକ୍ଷରେ ସାର୍ଥକ ହୋଇଚି । ଅନୁଛାୟା ଦେଈଙ୍କ ପାଖରେ ପାଣ୍ଠିପତ୍ରର କାରବାର ଦେଖି ସେ ତାଙ୍କୁ ନିଜର ଶରବ୍ୟ ବାଛିନେଲା-। ସବୁବେଳେ ସେ ତାଙ୍କରି ବୋଲହାକରେ ମନ ଦେଲା । ଦଶହରା ପରେ କୁଆଁରପୂନେଇଁ ଟପି ଦିଆଲି ଅମେଇସା ଆସିଲା, ତଥାପି ଆର୍ତ୍ତା ଘରକୁ ଫେରିବା କଥା ମନରେ ଧରିଲାନି । ଦିନେ ସୁଯୋଗ ଉଣ୍ଡି ଅନୁଛାୟା ଦେଈଙ୍କି ନିଜର ହାଲ ହଇକତ କହି ଦୁଇଶ’ ଟଙ୍କା କରଜ ପାଇବାକୁ ପ୍ରାର୍ଥନା କଲା । ମାସକୁ ଟଙ୍କାକେ ଦିପଇସା ସୁଧର ପ୍ରସ୍ତାବ ଦେଲେ ଅନୁଛାୟା ଦେଈ-। ତାଙ୍କ ପ୍ରସ୍ତାବକୁ ବଳି ପଡ଼ି ଟଙ୍କା ପାଇଲାକ୍ଷଣି ଆଗେ ସେ ମାସକର ସୁଧ ହିସାବ କରି ନଗଦ ଟଙ୍କା ଗଣି ଦବ ବୋଲି ଜବାବ ଦେଲା ଆର୍ତ୍ତା ।

 

ଏଥିରେ ଖୁବ୍ ପ୍ରଲୋଭିତା ହେଇ ପଡ଼ିଲେ ଅନୁଛାୟା ଦେଈ । ନିସ୍ତବ୍ଧ ଖରାବେଳେ ଅତି ନିଭୃତରେ ଦୁଇ ଶ’ ଟଙ୍କା ଗଣିଦେଲେ ଆର୍ତ୍ତାକୁ । ଆର୍ତ୍ତା ହିସାବ କରି ସାଙ୍ଗେ ସାଙ୍ଗେ ନଗଦ ଛ’ ଟଙ୍କା ଚାରିଅଣା ଗଣିଦେଲା । ଅନଉ ଅନଉ ମାସକର ସୁଧ ହାତରେ ପାଇ ଅନୁଛାୟା ଦେଈ ସ୍ୱରରେ ଅତି ପ୍ରସନ୍ନତା ଧରି କହିଲେ–

 

“ଆରେ, ବେପାର ବଣିଜ କରିବୁ ଯଦି ଆଉ ଶହେ ଦି’ ଶ’ ନଉନୁ....”

 

ବୋଧହୁଏ ଧର୍ମକୁ ଅନେଇଲା ଆର୍ତ୍ତା ।

 

“ନା, ଏଇଖିଣା ଥାଉ; ଦରକାର ହେଲେ ମୁଁ ପୁଣି ଆସି ପହଞ୍ଚିବି ସାଆନ୍ତାଣୀ ! ପ୍ରତି ମାସରେ ତ ସୁଧ ଟଙ୍କା ଦେଇ ଯିବାକୁ ଆସିବି । ଦରକାର ହେଲେ ସେତିକିବେଳେ କହିବିନି !”

 

ସେତିକି ।

 

ଆର୍ତ୍ତାକୁ ଆଉ କିଛି କହିବା ଦରକାର ପଡ଼ିନି । ପ୍ରତି ମାସ ତ ଦୂରର କଥା, ଦୀର୍ଘ ଦୁଇବର୍ଷ ପରେ ମଧ୍ୟ ଅନୁଛାୟା ଦେଈ ଦିନେହେଲେ ଆର୍ତ୍ତାର ଦେଖା ପାଇଲେନି । ସେତେବେଳକୁ ଭିକା ଭଣ୍ଡାରୀ ମଧ୍ୟ ଏକବର୍ଷର ଶିଶୁପୁତ୍ର ଉପରେ ଭାବୀ ଦାସତ୍ୱର ଦାୟିତ୍ୱ ଅର୍ପଣ କରି ଇହଲୀଳା ଶେଷ କରି ସାରିଥାଏ । ଅନ୍ୟ ଏକ ଇଲାକାର ଲୋକ ଆର୍ତ୍ତା । ତାକୁ ପାଇବାକୁ ଆଉ କୌଣସି ମାଧ୍ୟମ ନାହିଁ । ଗ୍ଳାନି ଓ ଅସନ୍ତୋଷରେ କୁହୁଳି କୁହୁଳି ଶେଷକୁ ସେ ନିବିଡ଼ ଭାବରେ ହୃଦୟଙ୍ଗମ କଲେ ଯେ ତାଙ୍କରି ଟଙ୍କାରୁ ତାଙ୍କୁ ସୁଧ ଗଣି ଦେଇଥିଲା ଆର୍ତ୍ତା । ସେ ପୁଣି ତାକୁ ଆହୁରି ଟଙ୍କା ଦେବାକୁ କହୁଥିଲେ...

 

ଏତେ ବଡ଼ ଧୋକା କୌଣସି ଖାତକଠାରୁ ଅନୁଛାୟା ଦେଈ କେବେହେଲେ ପାଇ ନଥିଲେ । ତା’ପରଠୁଁ ସେ ଟଙ୍କା ଲଗାଣ କାରବାର ବନ୍ଦ କରିଦେଲେ । ତା’ ଆଜିକି ଦଶବର୍ଷର କଥା । କିନ୍ତୁ ବନ୍ଧକ ପକେଇ ଯେଉଁମାନଙ୍କର କେତେ ସୁନା, ରୁପା ଜିନିଷ ସୁଧ ଗଣି ନ ପାଇବା ହେତୁ ବୁଡ଼ି ଯାଇଚି, ଆର୍ତ୍ତାର ଦୁଇ ଶ’ଟଙ୍କା ତୁଳନାରେ ତା’ର ପରିମାଣ ଯଥେଷ୍ଟ ଅଧିକ । ତେବେ ଆର୍ତ୍ତା କଥା ମନେପଡ଼ିଲେ ଅନୁଛାୟା ଦେଈ ସେ ସବୁ ଲାଭକୁ ଅତି ତୁଚ୍ଛ ମନେ କରନ୍ତି । ଦେହରୁ ରକ୍ତ ଚଳାଏ ଯେମିତି ଶୁଖିଯାଏ ।

 

ଅନୁଛାୟା ଦେଈ ପୁରୁଣାକାଳିଆ ଲୋକ ହେଲେ କ’ଣ ହବ, କୋଡ଼ି ହିସାବରେ ଟଙ୍କାପଇସାର ଗଣନା ନ କରି ଶହ ହିସାବରେ କରିପାରନ୍ତି । ଆଲୁଅଟାକୁ ଭଲ କରି ତେଜି ଦେଇ ଘର ଭିତରେ ସେ ଟଙ୍କା ଗଣିବାରେ ଲାଗିଚନ୍ତି । କବାଟ କିଳି ଦେଇଚନ୍ତି ଭିତରୁ । ଟିକେ ଶବ୍ଦ ଯେମିତି ନ ହବ, ସେଥିଲାଗି ମଧ୍ୟ ସେ ଭାରି ସାବଧାନ । ସବୁ ପ୍ରକାର ସାବଧାନତା ଭିତରେ ଟଙ୍କା ଗଣୁ ଗଣୁ ରାତି ପ୍ରାୟ ଚାରିଟା ବାଜିଲା । କେତେବେଳୁ ତୋଟା ମୁଣ୍ଡରେ ବିଲୁଆ ପଞ୍ଝାଏ ପାହାନ୍ତିଆ ଡାକ ଛାଡ଼ି ଚାଲି ଯାଇଚନ୍ତି, ତେଣିକି ମଧ୍ୟ ତାଙ୍କର ହୋସ୍ ନାହିଁ । ହଠାତ୍ କାଉ ଡାକରେ ତାଙ୍କର ଚେତା ପଶିଲା । ତରବର ହେଇ ଟଙ୍କା ଗଣା ସେତିକିରେ ବନ୍ଦ କରି, ଝରକା କିଳି, ବାହାରପଟୁ ଦରଜାରେ ତାଲା ପକାଇ ଚାଲିଗଲେ ନିଜର ଶୋଇବାଘରକୁ । ପୁଣି କାମ ଲାଗିଲା ଆରଦିନର ରାତିଅଧକୁ । ଟଙ୍କା ଗଣା ଶେଷକୁ ସରିଲା । ଶହେ ଟଙ୍କାର ଗୋଟିଏ ଥାକ ଟଙ୍କାକୁ ଗଣିବାରେ କେତେ ଥର ଭୁଲ୍ ମଧ୍ୟ ହେଇଗଲା । ପରିଶେଷରେ ନିର୍ଭୁଲ ଭାବରେ ଠିକ୍ କଲେ, ତାଙ୍କର ପାଣ୍ଠିର ପରିମାଣ ହେଲା ଆଠ ହଜାର ଚାରି ଶହ ଅଶୀ ଟଙ୍କା । ଅଣି, ଦୋଅଣି, ସୁକି, ଅଧୁଲି କି ସେ ଆଦ୍ୟରୁ ଗଣି ନାହାନ୍ତି । ସିନ୍ଦୁକର ଆଉ ଗୋଟିଏ ପଟକୁ ରହିଲା ଗଣ୍ଡା ଦି’ଗଣ୍ଡା ସୁନା ମୋହର । ଦୁଇ ତିନି ଖଣ୍ଡ ସୁନାର କାଡ଼ି । ଆଉ ଅନେକ ଦିନ ତଳର ନିଜ ଦିହର ରୁପା ଅଳଙ୍କାର, ତାହା ପ୍ରାୟ ତିନି ଶହ ଭରି ଖଣ୍ଡେ ହେବ ।

 

ଥାକଥାକ କରି ଚାଳିଶଟି ଶହେ ଟଙ୍କାର ଥାକ ପଦାରେ ରଖି ଆଉ ସବୁ ଟଙ୍କାକୁ ଅନୁଛାୟା ଦେଈ ପୁଣି ସିନ୍ଦୁକ ଭିତରେ ରଖିଦେଲେ । ସିନ୍ଦୁକର ତିନିଟା କୁମୁଡ଼ାରେ ତିନିଟା ମୋଟ ମୋଟ ତାଲାରେ ଚାବି ପକେଇ ସେ ନିଃଶ୍ୱାସ ମାରିଲେ । ଜନୁଆ କହୁଥେଲା, ଚାରି ହଜାର ଟଙ୍କା କରଜ କରିଚି; ହେଲା, ଆଉ ଅଧଲାଟିଏ ହବନି । ସୁଦ...କଳନ୍ତର ତା’ ହାତରୁ ସିଏ ଦଉ...ଏଡ଼େ ସାହସ...କହୁଚି ଜମିଦାରୀ ବିକିବ...ଜମି ବିକିବ...ଘରଟାକୁ ନାଶ କରିଦବ ଇଏ...

 

ଦୁଇ ଦିନ ପରେ ଦିନେ ରାତିରେ ବାହାରେ ରଖିଥିବା ଟଙ୍କା ଥାକଗୁଡ଼ିକ ଗୋଟିଏ ବଡ଼ ଥଳିରେ ରଖି ଦେଇ ଅନୁଛାୟା ଦେଈ ଗଲେ ଉପରମହଲାକୁ । ଜନ୍ମେଜୟ ଟେବୁଲ ପାଖରେ ବସି ସେତେବେଳେ କ’ଣ ହିସାବପତ୍ର ଦେଖୁଥାନ୍ତି । ଏଥିଭିତରେ ସ୍ତ୍ରୀ ସୁରେଶ୍ଵରୀ ଦେଈଙ୍କଠାରୁ ସେ କେବଳ ଶୁଣିଥିଲେ ଯେ ରାତିଅଧରେ ବୋଉ ତାଙ୍କର ଦିଦିନ ହେଲା ସିନ୍ଦୁକ ଘରକୁ ଯାଉଚନ୍ତି । କିନ୍ତୁ ସେ ସିନ୍ଦୁକର କରାମତି ଯେ ସେପରି ଅଧିକ କିଛି ହେଇଥିବ, ସେଥିରେ ଜନ୍ମେଜୟଙ୍କର ଆଦୌ ବିଶ୍ୱାସ ନଥିଲା । ସେଥିଯୋଗୁଁ ସେ ଜମିଦାରୀର କିୟଦଂଶ ବିକ୍ରି ବିଷୟରେ ବୁରୁନ୍ଦ ସାହୁଙ୍କ ସହ କଥାବାର୍ତ୍ତା ବନ୍ଦ କରି ନଥାନ୍ତି । ବୁରୁନ୍ଦ ସାହୁ ଚାହୁଁଥାନ୍ତି ଖାସ୍ କଦମ୍‍ପାଳ ମାହାଲଟା ହସ୍ତଗତ କରିବାକୁ; କିନ୍ତୁ ମଙ୍ଗରାଜଙ୍କ ଇଚ୍ଛା ଥାଏ ଭିନ୍ନ । ସେ ଚାହୁଁଥାନ୍ତି ସାହାସପୁରର ଦୁଇ ଅଣା ଅଂଶ ବିକି ଦେଇ ନିତାନ୍ତ ପକ୍ଷେ ଦି’ହଜାର ଟଙ୍କା ଉଠେଇବାକୁ । ସେତକ କିଣିଲେବି ବୁରୁନ୍ଦ ସାହୁ ଜମିଦାର ବୋଲେଇ ପାରିବେ ସତ, ମାତ୍ର ମଙ୍ଗରାଜ ବଂଶ ସ୍ଥାନରେ କଦମ୍‍ପାଳର ଜମିଦାର ହେବାପାଇଁ ସେ ଯେଉଁ ସ୍ଵପ୍ନ ଦେଖି ଆସିଚନ୍ତି, ତାହା ଆଉ ସଫଳ ହେବନି । କଦମ୍‍ପାଳ ଜମିଦାରୀ ଲାଗି ସେ ପାଞ୍ଚ ହଜାର ଟଙ୍କା ଜରସମନର ପ୍ରସ୍ତାବ ଦେଇ ସାରିଲେଣି । ଦରକାର ପଡ଼ିଲେ ଆଉ ଦି’ ହଜାର ମଧ୍ୟ ବଢ଼େଇ ଦେବାକୁ ସେ ମନେମନେ ସ୍ଥିର କରି ସାରିଚନ୍ତି । ଖାଲି ସେତିକି ନୁହେଁ, କାମଟା ସୁବିଧାରେ ହେଇଗଲେ ତହସିଲଦାର ରାମ ପଟ୍ଟନାୟକଙ୍କୁ ପାଞ୍ଚ ଶ’ ଟଙ୍କା ମିଠେଇଖିଆ ଦେବେ ବୋଲି ପ୍ରତିଶ୍ରୁତିବି ଦେଇଚନ୍ତି ।

 

କିନ୍ତୁ ବିଚିତ୍ର କଥା ଯେ, କଦମ୍‍ପାଳ ମାହାଲପାଇଁ ବୁରୁନ୍ଦ ସାହୁଙ୍କ ଜରସମନ ଯେତେ ବଢ଼ୁଚି, କଦମ୍‍ପାଳକୁ ନ ଛାଡ଼ିବାପାଇଁ ଜନ୍ମେଜୟ ମଙ୍ଗରାଜଙ୍କ ହୃଦୟରେ ସେତିକି ଇଚ୍ଛା ବୃଦ୍ଧିପାଉଚି ।

 

ଉପରମହଲାରେ ପହଞ୍ଚି ଅନୁଛାୟା ଦେଈ ଦେଖିଲେ, ଦରଜାର କବାଟ ଦରଆଉଜା ହେଇଚି । ହଁ, ପୁଅ ଶୋଇନେଇଁ ତାହାହେଲେ । କବାଟକୁ ଆଡ଼େଇ, ଜନୁ, ଜନୁ ବୋଲି ଡାକି ସେ ଭିତରକୁ ପଶିଗଲେ । ହିସାବ ଛାଡ଼ି ଟେବୁଲ ପାଖରୁ ଉଠିଆସିଲେ ଜନ୍ମେଜୟ । ମନରେ ଭାବନା ଖେଳିଗଲା, ବୋଉ ସତେ କ’ଣ ତାଙ୍କୁ ଏ ବିପଦରୁ ଉଦ୍ଧାର କରିବାକୁ ଆସିଲା !

 

ପୁଅର ଭାବନାକୁ ରୋଧ କରି ହଠାତ୍ ଅନୁଛାୟା ଦେଈ ପଚାରିଲେ, ‘‘କ’ଣ, ଟଙ୍କା ଯୋଗାଡ଼ କଲୁ ?”

 

ଜନ୍ମେଜୟ ନୀରବ ।

 

ନୀରବତାରେ ବ୍ୟଞ୍ଜିତ ହେଇଥିବା ପୁଅର ମୁହଁକୁ ଅନୁଛାୟା ଦେଈ ଥରେ ଖୁବ୍ ଭଲ କରି ନିରୀକ୍ଷଣ କଲେ । ସେ ନୀରବତା ନୁହେଁ, ଯେମିତି ଅଶ୍ରୁର ସମାହାର । ମଉଡ଼ମଣି ପୁଅ, କୁଳର ପ୍ରଦୀପ, ଏ ଅଞ୍ଚଳର ତାଲବର–କଦମ୍‍ପାଳର ଜମିଦାର । ତା’ରି ମୁହଁରେ ଅଶ୍ରୁ । ହୁଏତ ମୁହଁଟା ଅଶ୍ରୁ ପାଲଟି ଯାଇଛି; କିମ୍ବା ଅଶ୍ରୁରେ ଗଢ଼ା ହେଇଚି ମୁହଁଟା । ଆଉ ଅନେଇ ପାରିଲେନି ପୁଅକୁ । ତାଙ୍କ ଛାତିକି କିଏ ଯେମିତି କୋରି ପକେଇଲା ଭିତରେ । ହାତର ଚାବିଟାକୁ ଫୋପାଡ଼ିଦେଲେ ଟେବୁଲ ଉପରକୁ ।

 

“ନେ, ଚାବିନେ; ତଳେ ସିନ୍ଦୁକ ଘରେ ଥୁଆ ହୋଇଚି ଚାରି ହଜାର ଟଙ୍କା । ମୋ ପାଖରେ ଆଉ କିଛି ନାଇଁ । କରଜର ଯା ସୁଦ ପଡ଼ିବ ତାକୁ ତୁ ବୁଝ । ଆଉ ଯେମିତି ଏ ଘରେ କରଜ ଦାମ କଥା ମୁଁ ନ ଶୁଣେ ।”

 

ଏତିକି କହି ଅନୁଛାୟା ଦେଈ ପାହାଚରେ ଓହ୍ଲେଇ ଯିବାକୁ ଲାଗିଲେ ତଳକୁ । ବାର୍ଦ୍ଧକ୍ୟର ପ୍ରଭାବକୁ ବେଖାତିର କରି ପାହାଚରେ ତାଙ୍କ ପାଦ ଖୁବ୍ ଜୋରରେ ପଡ଼ୁଥାଏ । ସେହି ପଦଶବ୍ଦକୁ କାନ ପାରି ରହିଲେ ଜନ୍ମେଜୟ । ତାଙ୍କ ମା’ ଦେହରେ ଏତେ ଶକ୍ତି ! ଅଥଚ ସେ ଆଜି ଏଇ ବୟସରେ ଜଡ଼, ନିଷ୍କ୍ରିୟ । ତା’ପରେ ସେ ଟେବୁଲ ଉପରକୁ ଅନେଇଲେ । ଗୋଟିଏ ଡୋରରେ ଗୁନ୍ଥା ହେଇଚି ଦି’ଟା ଚାବି । ସିନ୍ଦୁକ ଘରର ଚାବି, ସିନ୍ଦୁକର ନୁହେଁ । ସତେ, ସିନ୍ଦୁକଘରେ ଚାରି ହଜାର ଟଙ୍କା ଥୋଇ ଦେଇ ଆସିଚି ବୋଉ ! ଏ ଅସହାୟ ଅବସ୍ଥାରେ ଜନନୀର ଅଯାଚିତ ଅନୁକମ୍ପା ସ୍ମରଣ କରି ସେ ବିମୂଢ଼ ହେଇ ପଡ଼ିଲେ । ଆଖି ଫାଟି ଆପେ ଝରି ପଡ଼ିଲା ଅଶ୍ରୁବିନ୍ଦୁ । ବାତାୟନ ଧାରକୁ ଯାଇ ସେ ଚାହିଁଲେ ଆକାଶକୁ । କୃଷ୍ଣପକ୍ଷର ରାତି । ଦିଗ୍‍ବଳୟରେ ଅଷ୍ଟମୀର ଚନ୍ଦ୍ର ହୁଏତ ଉଠିବାର ଉପକ୍ରମ କରୁଚି । ତଥାପି ଆକାଶଟାଯାକ ଉଜ୍ଜ୍ୱଳ ତାରାରେ ଭରି ଯାଇଚି । ଯେମିତି ତାଙ୍କ ଜନନୀ ଏଇ ତାରାଗୁଡ଼ାକ ଭିତରେ ବୁଣିଦେଇଚି ଚାରି ହଜାର ଟଙ୍କା ।

 

ଟେବୁଲ ଉପରେ ବୁରୁନ୍ଦ ସାହୁର ପ୍ରସ୍ତାବ । କଦମ୍‍ପାଳ ଜମିଦାରୀ କିଣିବ ପାଞ୍ଚ ହଜାର ଟଙ୍କାରେ । ହୋ ହୋ ହୋ, ହସି ଉଠିଲେ ଜନ୍ମେଜୟ ମଙ୍ଗରାଜ । ହଠାତ୍ ନିଶ ଉପରେ ତାଙ୍କର ହାତ ପଡ଼ିଗଲା । ଟେବୁଲ ଉପରୁ ସେ କାଗଜ ଖଣ୍ଡକୁ ଟାଣିନେଇ ଟିକିଟିକି କରି ଚିରିଦେଲେ । ମଙ୍ଗରାଜ ଘରେ ଟଙ୍କା ନାଇଁ ! ଏକା ତାଙ୍କ ମା’ ଗଣି ଦେଇଚି ଚାରି ହଜାର ଟଙ୍କା । ହୁଁ !

 

ଚାରି

 

ଦୋଳପୂର୍ଣ୍ଣିମା ନିକଟ ହେଲା । ଭାରତର ଅନ୍ୟାନ୍ୟ ଅଞ୍ଚଳ ଭଳି ଓଡ଼ିଶାରେ ଏହା ଏକ ସାର୍ବଜନୀନ ଉତ୍ସବ । ବିଶେଷକରି ମଙ୍ଗରାଜ ବଂଶର ପତଙ୍ଗଧର୍ମୀ ଉନ୍ମାଦନା ଯୋଗୁଁ କଦମ୍‍ପାଳରେ ଦୋଳପୂର୍ଣ୍ଣିମା ଗୋଟିଏ ମହୋତ୍ସବରେ ପରିଣତ ହୋଇ ଆସିଚି । ଜାଗର ଅମାବାସ୍ୟା ପରେ ପରେ ପ୍ରତିବର୍ଷ ମଙ୍ଗରାଜଙ୍କ ଘର–ବାହାରେ ଏଥିପାଇଁ ଗୋଟିଏ ସାଜ ସାଜ ରବ ଖେଳିଯାଏ । ଯେମିତି ବିଜୟ ଅଭିଯାନର ଆୟୋଜନ । ଏ ବର୍ଷ ମଧ୍ୟ ସେହିପରି ହେଲା । ଗ୍ରାମର କେତେକ ଉତ୍ସାହୀ ଫୋଲାଫାଙ୍କିଆ ଯୁବକ ଦଳଦଳ ହେଇ ମଙ୍ଗରାଜଙ୍କ ଦାଣ୍ଡରେ ଆସି କେତେଥର ବୁଲିଗଲେଣି । ଗୋସେଇଁ ସାହି ମଠରେ ଏ ବର୍ଷ ଶ୍ରୀପଞ୍ଚମୀ ପରଠାରୁ କୀର୍ତ୍ତନ ଦଳର ଆଖଡ଼ା ରୀତିମତ ଆରମ୍ଭ ହେଇ ଯାଇଚି । ମଙ୍ଗରାଜଙ୍କ କେତେକ ଇଲାକା ବୁଲି କ’ଣ ସବୁ ବରାଦ କରି ଆସିବା ପରେ ଛଡ଼ିଦାର ବଂଶୀ ଜେନା ଦାଣ୍ଡରେ ଆସି ଆଡ଼ା ଜମେଇ ଦେଇ ସାରିଲେଣି । ଚଉପାଢ଼ିରେ କନା ଗୁଡ଼ାହେଇ ଟଙ୍ଗା ହେଇଥିବା କେଳାକେଲୁଣୀ ରୂପ, ଷଣ୍ଢ, ଭାଲୁ, ହନୁ–ଅଙ୍ଗଦ, ରାକ୍ଷସ, ରାକ୍ଷସୀର ମୁଣ୍ଡକୁ ବାହାର କରି ସେ ଦିଦିନ ହେଲା ଖରା ଦେବାପରେ ଏବେ ଚାୟାଁପାଳରୁ କାରିଗର ଡାକିଆଣି ସେ ସବୁର ମରାମତି ସହ ସାନି ରଙ୍ଗ ଦେବାର ବ୍ୟବସ୍ଥା କଲେଣି । ଯୁବକଦଳର ସାହାଯ୍ୟରେ ଅମାର କାନ୍ଥରେ ଲଟକା ହେଇଥିବା ଷେଣ୍ଢର ବାଉଁଶ ତିଆରି ପଞ୍ଜରା ଦି’ଟାକୁ ବାହାର କରି ସେ ଦାଣ୍ଡରେ ଆଣି ମଧ୍ୟ ପକେଇ ସାରିଲେଣି । ସେଥିଭିତରୁ ଗୋଟିଏ ହୁଏ ନାଲି ଓ ଗୋଟିଏ ଧଳା ରଙ୍ଗର ଷଣ୍ଢ । ନାଲି ରଙ୍ଗର ଷଣ୍ଢପାଇଁ ସାଲୁକନା ଠିକ୍ ଅଛି କି ନା, ତାହାର ତଦାରଖ ମଧ୍ୟ ଆରମ୍ଭ ହେଇଚି । ଧଳା ରଙ୍ଗର ଷଣ୍ଢର କପଡ଼ାଗୁଡ଼ା ବିଶେଷ ମଇଳା ହେଇଥିବା ଦେଖି ତାହାର ସଫେଇ କାମ ଗାଁ ଧୋବା ହାତରେ ହେଇପାରିବାର ସମ୍ଭାବନା ନଥିବାରୁ ବଂଶୀ ଜେନା ସକାଳୁ ନରିଆ ପାଣକୁ ପଠେଇ ଅଡ଼ମ ଗାଁର ଅନାଦି ସେଠୀ ଧୋବାକୁ ଡକେଇଚନ୍ତି । ଏସବୁ ଛଡ଼ା ଗୋସେଇଁ ସାହି ମଠରେ ଠାକୁରଙ୍କର ଛତ୍ରି, ତରାସ, ଆଢ଼ଣି, ଧ୍ଵଜ, ବୈରଖ ପ୍ରଭୃତିକୁ ଖରାଦେବା କାର୍ଯ୍ୟ ମଧ୍ୟ ଚାଲିଛି ।

 

ପ୍ରତିବର୍ଷ ପରି ଏ ସବୁ ଆୟୋଜନ ଅତି ସାଧାରଣ ଘଟନା ହେଲେ ମଧ୍ୟ ଯୁବକ ଦଳ ଭିତରେ ଏ ବର୍ଷ ଉନ୍ମାଦନାର ମାତ୍ରା ବିଶେଷ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଚି । ଏବର୍ଷ ଗୋଟିଏ ‘କାଳିକା’ ମୂର୍ତ୍ତି ଓ ସାହେବ–ସାହେବାଣୀ ରୂପ ବାହାର କରିବାପାଇଁ କଟକରୁ ଏଥିସକାଶେ ନୂଆ ନୂଆ ମୁଖା ମଗାଇବାକୁ ସେମାନେ ବାରମ୍ବାର ଦାବି କରିବାରୁ ବଂଶୀ ଜେନା ମଧ୍ୟ ହଁ ଭରି ସାରିଛନ୍ତି । ଯାନି–ଯାତ୍ରା ସମ୍ପର୍କରେ ମଙ୍ଗରାଜଙ୍କ ପାଖରେ କେବଳ ଛଡ଼ିଦାର ବଂଶୀ ଜେନାଙ୍କ କାଟେଣି; ସେଠି ଆଉ କାହାର କଥା ରହିବାର ଭରସା ନାହିଁ । ବଂଶୀ ଜେନାଙ୍କ ପଛକୁ ନାରୀମହଲର ପ୍ରସ୍ତାବ ମଧ୍ୟ ଅଗ୍ରାଧିକାର ପାଏ । କିନ୍ତୁ ସେ ମହଲରୁ ପ୍ରସ୍ତାବ ଆସେ କମ୍ । ଯଦି ଦୋଳଉତ୍ସବବେଳକୁ ମଙ୍ଗରାଜଙ୍କ କେହି ଭଉଣୀ ପ୍ରଭୃତି ଆସି ପହଞ୍ଚିଥାନ୍ତି, ତାହାହେଲେ ଆମୋଦପ୍ରମୋଦର ଉପସର୍ଗ ବୃଦ୍ଧିପାଇଁ ମୂଳ ପ୍ରସ୍ତାବ ଉପରେ ଅନେକ ସଂଶୋଧନ ପ୍ରସ୍ତାବ ଆଗତ ହେଇଯାଏ ଏବଂ ସେଗୁଡ଼ିକ ଧାର୍ଯ୍ୟ ହେଇଯିବାରେ କୌଣସି ବିରୋଧ ପ୍ରକାଶ ପାଏନା ।

 

ପୂନେଇଁର ଠିକ୍ ଦଶ ଦିନ ଆଗରୁ ଇଲାକାର ଅସୁଲପତ୍ର ସାରି ତହସିଲଦାର ରାମ ପଟ୍ଟନାୟକ ଚଉପାଢ଼ିରେ ହାଜର ହେଇଗଲେ । ଦୋଳ ସଉଦା କିଣିବା ଲାଗି ସେ କଟକ ଯିବେ । ବୁଢ଼ୀ ସାଆନ୍ତାଣୀଙ୍କଠାରୁ ଆରମ୍ଭ କରି ବାବୁଆଣୀ, ପିଲା ଛୁଆ, ଖାସ୍ ମଙ୍ଗରାଜ ଏବଂ ଚାକରବାକର ପର୍ଯ୍ୟନ୍ତ କାହାର କିପରି ପରିଧେୟ ଆସିବ, ସେ ସବୁ ବୁଝିବା ଏବଂ ତାହା ଆଣି ମୁକାମରେ ପହଞ୍ଚାଇବା ତାଙ୍କର କର୍ତ୍ତବ୍ୟ । ଖାଲି ସେତିକି ନୁହେଁ, ମଙ୍ଗରାଜଙ୍କ ପୁତ୍ରକନ୍ୟାମାନଙ୍କର ମାପ ନେଇ ତାଙ୍କୁ ମଧ୍ୟ କଟକର ଦରଜି ଦୋକାନରେ ଜାମା, ଫ୍ରକ୍ ତିଆରିପାଇଁ ଧାରଣା ଦେବାକୁ ହେବ । ବଡ଼ ଦୁଇ ପୁଅ ଉଦିତଚନ୍ଦ୍ର ଓ ପ୍ରତାପ କେତନ କଟକରେ ରହି ମାଟ୍ରିକ ପଢ଼ୁଛନ୍ତି । ସେ ଦୁହିଁଙ୍କ ରୋଆବ୍ ପୁଣି ବେଶି । ସେଠାରେ ମାପଚୁପ ନେଇ ତାଙ୍କ ମନଲାଖି ଜାମା ପ୍ରଭୃତି ତିଆରି କରାଇବାକୁ ପଡ଼ିବ । ତୃତୀୟ ନମ୍ବର ପୁତ୍ର ମୀନକେତନ ପଢ଼ୁଚି ବଡ଼ଚଣା ମାଇନର୍ ସ୍କୁଲ୍‍ରେ । ପିଲାଟା ଭାରି ଖାମ୍‍ଖିଆଲି ଓ ସୌଖୀନ । ତା’ପାଇଁ ସିଲ୍କ କନାର ଜାମା ନହେଲେ ନ ଚଳେ । କଟକ ଗଲାବେଳେ ବାଟରେ ରହି ତା’ଠାରୁ ମାପ ନେବାକୁ ହେବ । ତା’ ପଛକୁ ରାଜକୁମାରଙ୍କ ଭିତରେ ଶେଷ ସ୍ଥାନ ଅଧିକାର କରିଛନ୍ତି ମିତ୍ରଭାନୁ ଓ ଚିତ୍ରଭାନୁ । ସେଥିଭିତରେ ଚିତ୍ରଭାନୁ ଅତି ସାନ । ମଙ୍ଗରାଜଙ୍କ ଚଉପାଢ଼ିରେ ଖୋଲା ଯାଇଥିବା ଗାଁ ଚାଟଶାଳାରେ ମିତ୍ରଭାନୁ ଏପର୍ଯ୍ୟନ୍ତ ପଢ଼ୁଚି । ସେମାନଙ୍କ ମନର ସ୍ୱପ୍ନ ଏବେ ମଧ୍ୟ ନିଦ୍ରିତ ଅବସ୍ଥାରେ ରହିଛି । ଯେକୌଣସି ପ୍ରକାରର ଦିଖଣ୍ଡ ନୂଆ କୁର୍ତ୍ତା ପିନ୍ଧିଲେ ସେମାନଙ୍କର ସେହିଥିରେହିଁ ଆନନ୍ଦ । ମିତ୍ରଭାନୁ ଉପରକୁ ଓ ତୃତୀୟ କୁମାର ମୀନକେତନ ତଳକୁ ପ୍ରଥମ ଜାତ ରାଜକନ୍ୟା ହେଉଚି କନକମଞ୍ଜରୀ । ମଙ୍ଗରାଜ ବଂଶରେ ସେ ସବୁ ଚାହିଁ ଅଲିଅଳ ଜେମା । ତା’ ଉପରେ ମଙ୍ଗରାଜଙ୍କ ସ୍ନେହ ଅଧିକ । ଦିହ ତା’ର ଭାରି ବଢ଼ୁଆଳ । ଦୁଇବର୍ଷ ହେଲା ଫ୍ରକ୍ ଛାଡ଼ି ସେ ଶାଢ଼ି ପିନ୍ଧିବା ଆରମ୍ଭ କରିଛି । ସବୁ କଥାକୁ ବିଚାର କରି ତା’ ଅନୁଯାୟୀ ଶାଢ଼ି ଖଣ୍ଡେ ଆଣିବାକୁ ପଡ଼ିବ । ତା’ପରେ ପରାଗମଞ୍ଜରୀ ଓ ପ୍ରବାଳମଞ୍ଜରୀ ପାଇଁ ଛିଟକନାର ଦିଖଣ୍ଡ ଫ୍ରକ୍ ଜାମା ଆଣିଲେ ଚଳିବ । ସବୁ ଚିନ୍ତା ଶେଷ କରି ବଡ଼ ନିଃଶ୍ୱାସଟାଏ ମାରିଲେ ତହସିଲଦାର । ଏ ଭିତରେ ସେ ଚଉପାଢ଼ିରୁ ଦୁଇ ପୁଅ ପିଲାଙ୍କଠାରୁ ମାପଆଣି ସାରିଛନ୍ତି । ବାକି ଝିଅ ଦୁଇଟିଙ୍କର ମାପ । ସେତକ ଶେଷକରି ସେ ଆଶ୍ୱସ୍ତିର ନିଃଶ୍ୱାସଟାଏ ଛାଡ଼ିବାକୁ ଯାଉଥିଲେ; ଏତିକିବେଳେ ନେପଥ୍ୟରୁ ସାଆନ୍ତାଣୀଙ୍କ ସ୍ୱର ଶୁଣି ଥମକି ଗଲେ । ଏକ ମତ୍ତ କାମିନୀର ସ୍ୱରଝଙ୍କାର ବାୟୁତରଙ୍ଗରେ ଥରି ଥରି ତାଙ୍କ କାନରେ ପଶିବାକୁ ଲାଗିଲା......

 

“ଲୋ ପରାଗ, ପଟନାଆକକୁ ପଚାରିଲୁ, ଆରବର୍ଷ ଦୋଳ ସଉଦା କିଏ ଆଣିବାକୁ ଯାଇଥେଲା କି......”

 

ବସିବା ସ୍ଥାନରୁ ଛିଡ଼ା ହୋଇ ପଡ଼ିଲେ ତହସିଲଦାରେ । ବାଁ ହାତର ଦି’ ତିନିଟା ଆଙ୍ଗୁଠିକି ମୁଣ୍ଡ ବାଳରେ ଦି’ଥର ଘୋଷାରି ନେଇଗଲେ । ଡାହାଣ ହାତରେ ମାପ ଫିତାଟା ସେମିତି ଧରାହେଇଚି । ତାଙ୍କର ମନେ ପଡ଼ିଗଲା, ଗତବର୍ଷରେ ଦୋଳ ଶାଢ଼ିଟା ବାବୁଆଣୀଙ୍କ ମନକୁ ପାଇ ନଥିଲା । ହେଲେ, ସେଥିକି ତାଙ୍କର ଅକ୍ତିଆର କିଛି ନଥିଲା । ଲୁଗାପଟା ଖର୍ଚ୍ଚ ଅପେକ୍ଷା ଗତବର୍ଷ ଅତର ଖର୍ଚ୍ଚ ପଡ଼ିଗଲା ବେଶି । ପଟନାୟକେ ମୁହଁରେ କିଛି ଆଉ କହିଲେନି ।

 

ବୁଢ଼ୀ ସାଆନ୍ତାଣୀ ଅନୁଛାୟା ଦେଈ ଏତିକିବେଳେ ହଠାତ୍ ତଳ ଖଞ୍ଜାରୁ ଆସି ସେଇ କୋଠା ଖଞ୍ଜାରେ ପହଞ୍ଚିଲେ । ଖୁବ୍ ନଇଁପଡ଼ି ତହସିଲଦାର ଗୋଟା ଜୁହାର ପକେଇଲେ ତାଙ୍କୁ । କିନ୍ତୁ ତହସିଲଦାରଙ୍କ ଉପରେ ତାଙ୍କର ଦୃଷ୍ଟି ନାହିଁ । ସେ ଯେମିତି ଦାଣ୍ଡମୁହାଁ ହେଇ କୌଣସି ଜରୁରୀ କାମରେ ବାହାରିଚନ୍ତି । ଦାଣ୍ଡ ଦୁଆରମୁହଁରେ ପହଞ୍ଚି ବଡ଼ପାଟିରେ “ବଇଁଶିଆ”, “ବଇଁଶିଆ” ବୋଲି ଡାକ ଛାଡ଼ିଲେ ।

 

ଷଣ୍ଢ ଓ ଅନ୍ୟାନ୍ୟ ମୁଣ୍ଡ ମୁଖା ପ୍ରଭୃତିର ଚିତ୍ରକାମ ଦେଖିବା ବନ୍ଦ କରି ଦୌଡ଼ିଆସିଲେ ବଂଶୀ ଜେନା । ତାଙ୍କୁ ପାଖରେ ପହଞ୍ଚିବା ଦେଖି ଅନୁଛାୟା ଦେଈ କହିଲେ, “ଆରେ, ଆଉ ସବୁ କାମ ହଉଚି ନା ଖାଲି ସେଇ ଷେଣ୍ଢ ପିଛାରେ ନାଗିଚୁ ?”

 

ତା’ପରେ ସେ ଚାଲ ଚାଲ ହେଇ ଫେରିଆସିଲେ ଖଞ୍ଜାକୁ । ପିଣ୍ଡାରେ ବସି ପଡ଼ି ସେ କହିଲେ, “ଆରେ, ନୟନା ଆଉଚି ଜାଣିଲୁ ?”

 

“କିଏ, ଦେଈ ଆଉଚନ୍ତି ?”

 

ବଂଶୀ ଜେନା କିଛି କହିବା ଆଗରୁ ବିସ୍ମୟରେ ବିମୂଢ଼ ହେଇ ପଚାରିଲେ ଛାମୁକରଣେ-

 

“ନୟନା ଦେଈ ଆଉଚି ମା’ ?”

 

ଦୁଇ ଜଣଙ୍କର କଣ୍ଠସ୍ଵର ଶୁଣି ଅନୁଛାୟା ଦେଈ ବଲବଲ କରି ଆଗକୁ ଅନେଇଲେ । ଦୃଷ୍ଟିଶକ୍ତି ଟିକେ ତାଙ୍କର ଏବେ କମିଯାଇଚି । ତାହା ଅତି ସାମାନ୍ୟ । ଆଜି ମଧ୍ୟ ସିଏ ବହଡ଼ିଅ ପାହାଡ଼କୁ କୋଠାର ଛାତ ଉପରୁ ଅନେଇ ଅନେଇ ସେଠାରେ ଥିବା ପୀର ଆସ୍ଥାନର ଯେଉଁ ଧଳା କୋଠା ଖଣ୍ଡକ ସାଗୁଆ ଗଛଲତା ଭିତରେ ଲୁଚି ଲୁଚି ଯାଉଚି, ତାକୁ ଅକ୍ଳେଶରେ ଦେଖିପାରୁଚନ୍ତି । ତହସିଲଦାରଙ୍କୁ ଆଗରେ ଦେଖି ଖୁବ୍ ଖୁସି ହେଇ କହିଲେ, “କ’ଣ ଛୁଆଙ୍କର ଜାମାପଟାର ମାପ ନଉଚ ତହସିଲଦାରେ ? ହଁ, ନୟନା ଆଉଚି ଯେ ମୁଁ ସେଇଥିନାଗି ବଇଁଶିଆକୁ ଡାକୁଥେଲି, ଏ ବର୍ଷ ଦକ୍ଷିଣୀ ସଂପଦା କୋଉଠୁ ଆସୁଚନ୍ତି ପଚାରିବାକୁ ।”

 

ସବୁ କଥା ଜାଣନ୍ତି ତହସିଲଦାରେ । ମାତ୍ର ଚାରି ମାସ ତଳର କଥା । ସେଇ ଅନୁଛାୟା ଦେଈଙ୍କ ଅନୁକମ୍ପା ଫଳରେହିଁ ଏ ବଂଶର ମସ୍ତବଡ଼ ଆର୍ଥିକ ସଙ୍କଟଟା କୌଣସିମତେ ତୁଟି ପାରିଚି-। ଏବେ ପୁଣି ସେଇ ଅନୁଛାୟା ଦେଈ ଖର୍ଚ୍ଚର ଜନନୀରୂପେ ଦେଖାଦେଲେଣି । ସେ ଆଉ କିଛି ନ ଭାବି ନୟନା ଦେଈଙ୍କ ସାଙ୍ଗରେ ତାଙ୍କର କେତୋଟି ସନ୍ତାନ ଆସୁଚନ୍ତି, ଖାଲି ସେଇ କଥା ସେ ଭାବିବାକୁ ଲାଗିଲେ ।

 

“ହଁ, ତହସିଲଦାର ।” ଅନୁଛାୟା ଦେଈ କହିଲେ, “ନୟନା ଆଉ ତା’ ସାନ ଝିଅ ପେଇଁ ଦିଖଣ୍ଡ ଶାଢ଼ି, ଦିଖଣ୍ଡ ଜାମା ଆଣିବ । ତା’ ସାଙ୍ଗରେ ଆଉ କେହି ଆସୁ ନାହାନ୍ତି; ଖାଲି ତା’ ସାନ ଝିଅଟି ଆଉଚି । ଏସନ ବଇଶାଖ ମାସରେ ତା’ର ବା ଘର ହବ ନା....ଆଉ ତ ମାମୁଘର ଦେଖିପାରିବ ନେଇଁ, ସେଇଥିଲାଗି ମା’ ତା’ର ସାଙ୍ଗରେ ତାକୁ ଘିତି ଆଉଚି...”

 

ନେପଥ୍ୟରେ ଥାଇ ସୁରେଶ୍ଵରୀ ଦେଈ ଶିହରି ଉଠିଲେ । ନଣନ୍ଦ ନୟନା ଦେଈ ଶାଶୁଙ୍କର ସବା ସାନ ଝିଅ । ତାଙ୍କ ଉପରେ ଶାଶୁଙ୍କର ଭାରି ଶରଧା । ପୁଣି ବା ହବା ଆଗରୁ ସେଇ ଝିଅର ଝିଅ ନାତୁଣୀ ଆସୁଚି ମାମୁଘର ବୁଲି । ଶାଶୁ ଏଥର ନିଶ୍ଚେ କିଛି ଉଠେଇ ଦେବେ । ସେ ଆଉ କିଛି ଭାବିପାରିଲେନି । ଏଣିକି ତାଙ୍କ କାନରେ ପଡ଼ିଲା ବଂଶୀ ଜେନାର କଥା । ସେ କହିଯିବାରେ ଲାଗିଚି...

 

“ଆମେ ଭାବିଚୁ ଏ ବର୍ଷ ‘ଦାସ ଓଝା’ ସଂପଦା ମଗେଇବାକୁ । କାଲି ଧରମା ଭଣ୍ଡାରୀ ବଇନା ନେଇ ଯିବ । ତମେ ଆଉ କାହାକୁ ମଗେଇବାକୁ କହୁଚ ମା’ ?”

 

ଅନୁଛାୟା ଦେଈ ଠୋସ୍ ଠୋସ୍ କଥାରେ କହିଲେ–

 

“କାହିଁକି ‘ଭଗୀ ସୂତାର ସଂପର୍ଦା’ ? ପାଞ୍ଚବର୍ଷ ହେଲା ଭଗୀ ସୂତାର ଏ ଦାଣ୍ଡକୁ ଆଉ ଆସିନି । ହେଲେ, ତା’ ଜରସମନ ଟିକେ ବେଶି । ଆରେ ବଇଁଶିଆ, ସେଇଥିଲାଗି ତୁ ‘ଦାସ ଓଝା’ କଥା ଉଠଉଚୁ କି ?”

 

କେହି ଆଉ କିଛି କହିଲେନି । ସମସ୍ତେ ଗୁମ୍‍ମାରି ଗଲେ । ବୁଢ଼ୀ ସାଆନ୍ତାଣୀଙ୍କ ମୁହଁ ଉପରେ ହଠାତ୍ କିଛି କହିଦେବା ସହଜ କଥା ନୁହେଁ ।

 

ପୁଣି ଅନୁଛାୟା ଦେଈ ପଚାରିଲେ, “କେତେ ନବ ରାତିକେ ଦାସ ଓଝା ?”

 

ତହସିଲଦାରେ କହିଲେ, ‘‘ପାଞ୍ଚ ଟଙ୍କା ।”

 

“ଆଉ ଭଗୀ ସୂତାର ?”

 

“ଦଶ ଟଙ୍କାରୁ କମ୍ ନୁହେଁ ।”

 

ତାହାପରେ ତହସିଲଦାର ଥତମତ ହେଇ କହିଲେ, “ଏ ବର୍ଷ ନାଟତାମସା କିଛି ହବ ନେଇଁ ବୋଲି ବାବୁ ମନା କରି ଦେଇଚନ୍ତି । ଠାକୁର ମଧ୍ୟ କୌଣସି ମେଲଣକୁ ଯିବେ ନେଇଁ । ଖାଲି ଚାଚିରୀ ଆଉ ଦାଣ୍ଡରେ ହୋରି ଖେଳ ହବ ।”

 

“ଆଉ ଛୁଆପିଲା କେଇ କନା–କବଟା ଖଣ୍ଡେ ପିନ୍ଧିବେ ନେଇଁ ?”

 

ସେତେବେଳକୁ ବୁଢ଼ୀ ଖୁବ୍ ଉତ୍ତେଜିତ ହୋଇ ଗଲେଣି । ବୋହୂ ସୁରେଶ୍ଵରୀ ଦେଈ ବଡ଼ ଝିଅ କନକମଞ୍ଜରୀ ହାତରେ ଶାଶୁଙ୍କପାଇଁ ପାନ ଦିଖଣ୍ଡ ପଠେଇଦେଲେ । ଦିଖଣ୍ଡଯାକ ଖିଲକୁ ପାଟିରେ ଗାବୁ କରି ପୂରେଇଦେଲେ ଅନୁଛାୟା ଦେଈ । ଖାଇବା ପିଇବାରେ ଏବେ ମଧ୍ୟ ତାଙ୍କର ଶକ୍ତି ଅପରିମିତ ।

 

ତହସିଲଦାର ହାତକୁ ମୁଠା ମୁଠା କରି କହିଲେ, “ଆଜ୍ଞା, ସେ ବଜିଟି ବନ୍ଦ କରିବ କିଏ-? ପିଲାଙ୍କର ମାପଚୁପ ତ ମୁଁ ନେଇ ସାରିଲିଣି । କାଲି ଛାଡ଼ି ପଅରିଦିନ ଯିବି କଟକ-। ଫଗୁ ତ ଯାହା ଲାଗିବ ବୁରୁନ୍ଦ ସାଉ ଦୋକାନରୁ କିଣାଯିବ । ଖାଲି ଅତର, ଗୋଲାପଜଳ ଆଉ ଲୁଗାପଟା ଧରି ମୁଁ ଆସିବି ।”

 

ଏସବୁ କଥା ଅନୁଛାୟା ଦେଈଙ୍କ କାନକୁ ଯେମିତି ସୁଖ ଲାଗିଲାନି । କଳର ପାନ ଉପରେ ଦି’ ଚାରିଥର ଦାନ୍ତ ବୁଲେଇ ନେଇ ସେ ବଡ଼ପାଟି କରି କହିଲେ, “ମୋର ଝୁଅ ଅଇଲାବେଳକୁ ସବୁ କାଟକୁଟ ଆରମ୍ଭ ହେଇଗଲା । କାଲି ଯାଜପୁର ଯିବା ଆଗରୁ ଜନୁଆ ମତେ କହିଗଲା, ତହସିଲଦାରକୁ କହି ସଁବାର ଦିନ ନୟନା ଦେଈ ଘରକୁ ଦିଖଣ୍ଡ ସବାରି ପଠେଇ ଦବ । କାଇଁ ଆଉ କିଛି କଥା ତ ମତେ କହିଲାନି... ? ହଉ, ସବାରି ବେହେରା କଥା କ’ଣ ହବ କହିଲ ?”

 

“ହବ ଆଉ କ’ଣ ମା’, ବଇଁଶୀବାବୁ ଅଛନ୍ତି । ପିଆଦା ରମଜାନ ଖାଁକୁ ପଠେଇ ସେ ସବୁ ବରାଦ କରିଦେବେ । ନୟନା ଦେଈ ଆସିବେ, ସେଥିରେ ଆଉ କ’ଣ କିଛି ହାନି ହବ ? ...ହଁ...ମା’, ବାବୁ କ’ଣ ଯାଜପୁର ଗଲେ ବୋଲି କହିଗଲେ ! ଯାଜପୁର କାହିଁକି ଗଲେ ?”

 

“କ’ଣ ନିଆଁନଗା ସରକାରୀ ରାସ୍ତା ଆମ ଜମି ଉପରେ ମାଡ଼ି ଯାଉଚି ଯେ ସେଇନାଗି କଚେରି ବନ୍ଦ ଆଗରୁ ହାକିମ ସାଙ୍ଗରେ କଥା ହବାକୁ ଯାଉଚି ବୋଲି ତ କହିଲା ।”

 

ବୁଢ଼ୀଙ୍କ କଥା ଶୁଣି ପଟନାୟକେ ବିସ୍ମିତ ହେଇ କହିଲେ, “ସେ କଥା ତ ତୁଟି ଯାଇଚି...ଇଲାକାରୁ ବେଶି ଟଙ୍କା ଅସୁଲ ନ ହବାରୁ ତ ମୁଁ ସେଇ ସଡ଼କ ଜମି କ୍ଷତିପୂରଣ ଟଙ୍କା ଯାଜପୁରରୁ ଘିତି ଫେରିଲି । ଆଉ ବାବୁ ପୁଣି କାହିଁକି ଗଲେ !”

 

ରହି ରହି ତହସିଲଦାର ଖୁବ୍ ସ୍ତବ୍ଧ କଣ୍ଠରେ କହିଲେ ।

 

“ଆଉ ହବ ନେଇଁ ମା’, ହବ ନେଇଁ । ଏ ଦୋଳପୂନେଇଁ ଏ ଘରକୁ ଉଆଁସ ଡାକି ଆଣିବ । ଏ ପାଖଆଖ ଅଞ୍ଚଳରେ ବାବୁ କା’ ଠଉଁ ଧାର କରଜ କରନ୍ତି ନେଇଁ । ନୟନା ଦେଈ ଆସୁଚନ୍ତି ବୋଲି ଜାକଜମକର ଖିଆଲ ପଶିଚି । ସେଥିଲାଗି ଟଙ୍କା ଆଣିବାକୁ ସେ ଯାଇଚନ୍ତି ଅରାମାଳ କାଚରା ଘରକୁ । ଆଉ ହବନେଇଁ...ହବନେଇଁ...”

 

ସମସ୍ତେ ଅବାକ୍ ହେଇ ଚାହିଁ ରହିଲେ ତହସିଲଦାରଙ୍କ ମୁହଁକୁ ।

 

ନେପଥ୍ୟରେ ସୁରେଶ୍ଵରୀ ଦେଈଙ୍କ ହାତର କାଚ ଝଣଝଣ ହୋଇ ଉଠିଲା । ଯେମିତି ସେ ସ୍ଵାମୀଙ୍କ ସମାଲୋଚନାରେ ଅସହିଷ୍ଣୁ ହେଇ ପ୍ରତିବାଦ ଘୋଷଣା କରୁଛନ୍ତି । ବଂଶୀ ଜେନାଙ୍କ ଆଖିରୁ ଠକ୍ ଠକ୍ ହୋଇ ଚାରିଟୋପା ଲୁହ ଗଡ଼ି ପଡ଼ିଲା । ବାବୁଘର କରଜ କରୁଛନ୍ତି । ଯେମିତି କାନ ତା’ର ଏ କଥା ବିଶ୍ୱାସ କରିବାକୁ ଚାହେଁନା । ତାଙ୍କ ଆଖିରେ ଫୁଟିଉଠିଲା କେତେ ମେଲଣର ଛବି । ଷଣ୍ଢ, ଭାଲୁ, କେଳାକେଲୁଣୀ ଆଉ ହନୁ ଅଙ୍ଗଦର ରୂପ । ଦାଣ୍ଡରେ ପଡ଼ିଚି ଷଣ୍ଢର ବାଉଁଶ ତିଆରି ପଞ୍ଜରା ଦି’ଟା । ସେ ଦି’ଟା ତାଙ୍କ ଆଖିରେ ଯେମିତି କରାଟ ପାହାଡ଼ ପରି ଦେଖାଗଲା । ଯେଉଁ ଷଣ୍ଢ ଦି’ଟା ରାସ୍ତା ସଫାକରି ମୁଣ୍ଡ ହଲେଇ ହଲେଇ ଆଗକୁ ମାଡ଼ି ଯାଉଥିଲେ, ସେମାନେ ଯେମିତି ଏବେ ରାସ୍ତା ଅବରୋଧ କରି ବସିଲେଣି । ମେଲଣକୁ ଯିବନି ବାବୁଘର ବିମାନ ! ପୁଣି ଦି’ଟୋପା ଲୁହ ଝରିପଡ଼ିଲା ବଂଶୀ ଜେନାଙ୍କ ଆଖିରୁ ।

 

ନିଆଁ ଲାଗିଗଲା ଅନୁଛାୟା ଦେଈଙ୍କ ଦେହରେ । କାଳିସୀ ଲାଗିଲା ପରି ସେ ଉଠିପଡ଼ି ବାଁ ହାତର ସୁନା ଅନ୍ତପଟକୁ ଉପରକୁ ଟେକି ଦେଇ ପଣତଟାକୁ କମରରେ ଗୁଡ଼େଇ ଆଣୁ ଆଣୁ ଚିତ୍କାର କରି କହିଲେ ।

 

“ଆରେ ବଇଁଶିଆ, ଉଠା ମୋ ଦାଣ୍ଡରୁ ସେ ଷେଣ୍ଢ ମୁଣ୍ଡ, କେଳାକେଳୁଣୀ । ନଇଲେ ସବୁ ନିଆଁ ନଗେଇଦେବି ଏଇକ୍ଷଣି । ପରଘରୁ ଟଙ୍କା କରଜ କରି ଏ ଦାଣ୍ଡରେ ତାମସା ହବ ! ଭଗୀ ସୂତାର କି ଦାସ ଓଝା କେଇ ଆସିବେନି । ପରଦୁଆରେ ଦାନ୍ତ ନିକିଟି ଟଙ୍କା ଆଣି ମୋ ଦୁଆରେ ଗାଣ୍ଡିହଲା ନାଚ ହବ । ଲୋକେ ପଦେ ବାହାବା କରିବେ ବୋଲି ମୋ ଘରକୁ ଏ ସତ୍ୟାନାଶ କରିଦେବ । କିଛି ତ ହବ ନେଇ କହୁଚି । ଝୁଅ ମୋର ଆସୁ, ଝୁଅ କ’ଣ ମୋ ଘର ଦେଖିନେଇ... । ଜାଣିଲ ତହସିଲଦାରେ, ତମେ କଟକ ଯାଉଚ ତ ଯା, ଯଦି ଲୁଗାପଟା ଛଡ଼ା ଅତର ଫତର କିଛି ଆଣିବ ତ, ମୁଁ ସତ କଉଚି, ସବୁ ନେଇ ସେ ବାନାଗାଡ଼ିଆରେ ଓଜାଡ଼ି ଦେବି–ଗତ ସନ ଅତର କିଣାରେ ଟଙ୍କା ଉଡ଼ିଗଲା ଯେ ମୋ ବୋହୂ ପେଇଁ ଆସିଲା ଦଶ ଟଙ୍କାରେ ଖଣ୍ଡେ କବଟା । ଏଡ଼େ ସାହସ ତମର ! ତମେ କ’ଣ କରି ପାଇଲଣି କି ମତେ ! ଏ ଘରକୁ ରକ୍ଷାକରିବା ପେଇଁ ନାନଗୋବିନ୍ଦ ମଙ୍ଗରାଜ ଭଳି ଗେରସ୍ତ ମଲା ଯେ ମୁଁ ଷୋଡ଼ଶ ଶିରାଧ କରେଇ ଦେଇ ନେଇଁ; ତମେ ଆଜି ନାଚତାମସାରେ ମାତି ସର୍ବନାଶ କରିବାକୁ ବସିଲଣି ।”

 

ହଁ ତସିଲାରେ....

 

ଚମକି ପଡ଼ିଲେ ରାମ ପଟ୍ଟନାୟକ । ବୁଢ଼ୀ ସାଆନ୍ତାଣୀଙ୍କର ରାଗ ଉଠିଲେ କିଛି ବାକି ରହେନା; ସେ ଭଲରୂପେ ଜାଣନ୍ତି । ତାଙ୍କ କଥାର ଉତ୍ତର ଦେଲେ ଅବସ୍ଥା ଆହୁରି ଭୟଙ୍କର ହୁଏ, ତା’ ମଧ୍ୟ ସେ ଆଗରୁ ଅନୁଭବ କରିଚନ୍ତି । ନକୁଳୀ ମାହାନ୍ତି ମରିଯିବା ପରଠଉଁ ଆଜିକି ପ୍ରାୟ କୋଡ଼ିଏବର୍ଷ ହେଲା ସେ ଏଠି ତହସିଲଦାରୀ କଲେଣି । କାହାରି ରାଶିନକ୍ଷତ୍ର ଜାଣିବାକୁ ତାଙ୍କର ଆଉ କିଛି ବାକି ନାହିଁ । ନୀରବଦ୍ରଷ୍ଟା ହୋଇ ସେ କେବଳ ବୁଢ଼ୀ ସାଆନ୍ତାଣୀଙ୍କ ମୁହଁକୁ ତକେଇ ରହିଲେ ।

 

ହଁ, ଜାଣିଲ ତସିଲାରେ....

 

ତହସିଲଦାର ଲକ୍ଷ୍ୟ କଲେ, ବୁଢ଼ୀ ସାଆନ୍ତାଣୀଙ୍କ ରାଗ କମି କମି ଆସୁଚି । ତାହାକୁ ଅନୁସରଣ କରି ତାଙ୍କ ମନରୁ ମଧ୍ୟ ଆଶଙ୍କା ଊଣା ପଡ଼ିବାକୁ ଲାଗିଲା ।

 

ଏଥରକ ରହି ରହି ସ୍ପଷ୍ଟଭାବରେ କହିଲେ ଅନୁଛାୟା ଦେଈ ।

 

“ମଠର ସେଇ ଊର୍ଦ୍ଧ୍ଵମୁଖା ଠାକୁରଟା...ତାକୁ କେମିତି ତମେ ବଦଳେଇ ଦେଇ ପାରନ୍ତିନି-? ସବୁ ନଷ୍ଟକରୁଚି ସେଇ ଠାକୁର....”

 

ବୁଢ଼ୀ ସାଆନ୍ତାଣୀଙ୍କଠାରୁ ଏଭଳି ପ୍ରଶ୍ନ ଶୁଣିବେ ବୋଲି ତହସିଲଦାର ଆଦୌ ଆଶା କରି ନଥିଲେ । ବଂଶୀ ଜେନା ମଧ୍ୟ ବିସ୍ମିତ ହୋଇ ଅନେଇଲେ । କ’ଣ ଏ ସବୁ କହିଯାଉଚି ବଡ଼ମା’-। ମୁଣ୍ଡ ଖରାପ ହୋଇଗଲାଣି...ବୁଢ଼ୀ ମଣିଷ ! ଅନୁଛାୟା ଦେଈଙ୍କ ଚେହେରାକୁ ଚାହିଁ ଚାହିଁ ସେ ନିଜକୁ ଆଶ୍ଵାସନା ଦେଲେ ।

 

ପର ମୁହୂର୍ତ୍ତରେ ବୁଢ଼ୀଙ୍କ ମୁହଁରୁ ସମ୍ପୂର୍ଣ୍ଣ ଭିନ୍ନ କଥା ଶୁଣାଗଲା ।

 

“ହଁ ତସିଲାରେ ! ତମେ ଆଉ ଅଧିକ କ’ଣ କହିବ ? ହଁ, ମନେ ରହିଲା....ତସିଲାରେ ! ପୁଅ ମୋର ଯେତିକି କହି ଯାଇଚି, ସେତିକି ଠିକ୍ କରିବ । ମୁଁ ସିନା ଘର ଭିତରେ ପାଟି କରୁଚି, ବାହାରକୁ ସିଏ ଜମିଦାର; ସିଏ ଘରର ମାଲିକ । ହଁ ଜାଣିଲ ତସିଲାରେ ! ସେତିକି କରିବ, ସେ ଯା କଇଚି–ସେଇ ଚାଚିରୀ ଆଉ ହୋରି ଖେଳ–ଆରେ ବଇଁଶିଆ, ତୁ ଯା ଠିକ୍ କରିଚୁ ସେଇ ଦାସ ଓଝା ସମ୍ପର୍ଦା ଆଣ । ହଁ ଜାଣିଲ ବଇଁଶିଆ, କୋଉଠି ଯେମିତି ଏ କଥା ନ କହୁ, ହୁସିଆର, ସେ ଦିନ ତୋ ବାସ ରଖି ଦେବି ନେଇଁ....କହୁଚି, ବାଙ୍କ ମୁହଁ ବୈରୀଗଞ୍ଜନ ଝିଆରୀ ମୁଁ । ଜାଣିଚୁ....

 

ସମସ୍ତେ ବିମୂଢ଼ ହୋଇ ପଡ଼ିଲେ । ବଂଶୀ ଜେନାଙ୍କ ଅବସ୍ଥା ସବୁଠାରୁ ଶୋଚନୀୟ ହେଲା । ଷେଣ୍ଢ ମୁଣ୍ଡ, କେଳାକେଲୁଣୀ ତ ଉଠେଇଲା, ବୁଢ଼ୀ ପୁଣି ଅକାରଣେ କାହିଁକି ରାଗିଲା ତା’ ଉପରେ । କିନ୍ତୁ ସମସ୍ତଙ୍କୁ ଆହୁରି ବିସ୍ମିତ କରି ହଠାତ୍ ଅନୁଛାୟା ଦେଈଙ୍କ ମୁହଁରେ ହସ ଫୁଟିଉଠିଲା । ଯେମିତି ପୁଷୁମାସର ପାହାନ୍ତିଆ ଆକାଶରେ ଅସ୍ତଗାମୀ ଜହ୍ନ । ଉପମାନ ଯାହାହେଉନା କାହିଁକି, ବୁଢ଼ୀଙ୍କ ଅଧରୋଷ୍ଠର ସେହି ଅଭିବ୍ୟକ୍ତିକୁ ନିଶ୍ଚିତରୂପେ ହସ ବୋଲି କହିବାକୁ ହେବ । ହସଝରା କଥାରେ ଅନୁଛାୟା ଦେଈ କହିଲେ....

 

“ଆରେ, ଏସନ କ’ଣ ସା’ବ ସା’ବାଣୀ ରୂପ ବାହାର କରିବୁ ପରା ! ଜାଣିଲ ତହସିଲାରେ, ମୁଖା କିଣିବାକୁ ବଇଁଶିଆକୁ ପାଞ୍ଚୁଟା ଟଙ୍କା ଦବ । ....ଆରେ ଜାଣିଲୁ ବଇଁଶିଆ, ତୁ ଟିକେ ଓଲଗାଲିଆ ଲୋକ ନା, ସେଇଥିନାଗି ତତେ କହୁଚି....ମଙ୍ଗରାଜ ଘର କରଜ ବଟା କରି ପରବ ପାଳୁଚନ୍ତି ବୋଲି କୋଉଠି ଯେମିତି ନ କହୁ....”

 

ଅନୁଛାୟା ଦେଈଙ୍କ ପାଦମୂଳେ ଗୋଟା ମୁଣ୍ଡିଆ ମାରିଲେ ବଂଶୀ ଜେନା । କାନମୋଡ଼ି ହେବା ଭଙ୍ଗୀରେ ଦି’ କାନମୂଳେ ଦି’ ହାତ ଲଗେଇ ସେ କହିଲେ, “ମୋଠଉଁ ଏ କଥା ବାହାରିବ ? ମୁଁ ହଲପ୍ କରି କହୁଚି....ତମେ ଦେଖିବ ନେଇଁକି ବଡ଼ମା’ !”

 

ନେପଥ୍ୟରେ ସୁରେଶ୍ୱରୀ ଦେଈଙ୍କ ବାଜୁବନ୍ଧର ନିକ୍ୱଣ ଶୁଣାଗଲା । ଘର ଭିତରେ ଗୋଟା ଟ୍ରଙ୍କ୍ ଖୋଲୁଚନ୍ତି ସିଏ । ଟ୍ରଙ୍କ୍ ଖୋଲିବାର ଶବ୍ଦ ମଧ୍ୟ ଶୁଭୁଚି । ତା’ପରେ ତାଙ୍କ କଣ୍ଠସ୍ଵରବି ବାୟୁ ତରଙ୍ଗରେ ଭାସି ଆସିଲା,....‘‘ନେଲୋ କନକ, ପଟନାକଙ୍କୁ ଦେଖେଇବୁ । ଏ ବର୍ଷ ଦୋଳକୁ ମୋ ପେଇଁ ଠିକ୍ ଏମିତି ଶାଢ଼ି ଖଣ୍ଡେ ଆଣିବେ ।”

 

ପାଞ୍ଚ

 

ତିନିପୁରୁଷର ପ୍ରତିଷ୍ଠା ଓ ଦୁଇ ପୁରୁଷର ଖାନ୍‍ଦାନୀ ଭିତରେ ମଙ୍ଗରାଜ ବଂଶରେ ବାରମାସରେ ତେର ପାର୍ବଣର ଯେଉଁ ଶଗଡ଼ଗୁଳା ପଡ଼ି ଯାଇଥିଲା, ତାହାର ବ୍ୟତିକ୍ରମ ଘଟେଇବାକୁ ଯଥେଷ୍ଟ ଚେଷ୍ଟା କରାଗଲେ ମଧ୍ୟ ତାହା ସହଜରେ ପୋତି ହୋଇ ପାରିଲାନି । ଜନ୍ମେଜୟ ମଙ୍ଗରାଜ ସଡ଼କ ଜମିର କ୍ଷତିପୂରଣ ସଂକ୍ରାନ୍ତରେ ଯାଜପୁର ଯାଉଚନ୍ତି କହି ସେହି ଯେ ଘରୁ ବାହାରି ଯାଇଥିଲେ, ଆସିଲେ ଯାଇଁ ଦୋଳଉତ୍ସବ ଶେଷରେ । ଉତ୍ସବ ପାଳିବାପାଇଁ ସେ ଯାହା ବରାଦ କରି ଦେଇ ଯାଇଥିଲେ, ସେତିକି କାର୍ଯ୍ୟକାରୀ କରିବାରେ ଖର୍ଚ୍ଚ ହେଇଚି ପ୍ରାୟ ସାତ ଶହ ଟଙ୍କା । ତହସିଲଦାର ଇଲାକାରୁ ପାଁ’ଶ ଯାଏଁ ଟଙ୍କା ଅସୁଲ କରି ଆଣିଥିଲେ, ତା’ପରେ ଯାଜପୁର ଯାଇ ଆଣିଥିଲେ ସରକାର ଘରୁ ତିନିଶ ଟଙ୍କା କ୍ଷତିପୂରଣ ବାବଦକୁ । ଏଇ ଆଠଶ ଟଙ୍କାରୁ ଆଉ ପ୍ରାୟ ଶହେ ଟଙ୍କା ବଳିଚି । ସେତକ ମଧ୍ୟ ପିଲାଙ୍କ ଖର୍ଚ୍ଚ ତୁଲେଇବାରେ ଚାଲିଯିବ । ଉଦିତ ଆଉ ପ୍ରତାପ ଆସିଚନ୍ତି କଟକରୁ । ଛୁଟି ଶେଷ କରି ଫେରିଲାବେଳକୁ ସେମାନେ ପଚାଶ ଷାଠିଏ ଟଙ୍କା ନେଇଯିବେ । ତା’ପରେ ମୀନକେତନ ଫେରିଯିବ ବଡ଼ଚଣା ମାଇନର୍ ସ୍କୁଲ୍‍ ବୋଡ଼ିଂକୁ । ସେ ମଧ୍ୟ ଦଶ ପନ୍ଦର ଟଙ୍କା ନେବ । ଆଉ ଯେଉଁ ପନ୍ଦର ଟଙ୍କା ଯାଏଁ ଖଣ୍ଡେ ରହିବ, ଇଲାକାର ଦୂର ଗାଁରୁ ଆସିଥିବା ନାଜିମନ୍ତ ଆଉ ଭଣ୍ଡାରୀ ପ୍ରଭୃତିଙ୍କୁ ଯତ୍‍ସାମାନ୍ୟ ମାମୁଲି ବିଦାକି ଦେବାରେ ସେତକ ମଧ୍ୟ ନିଃଶେଷ ପାଇଯିବ । ତେଣିକି ଫମ୍ପା ହାତରେ ତହସିଲଦାରଙ୍କୁ ପୁଣି ଆଗକୁ ଖେଦି ଯିବାକୁ ପଡ଼ିବ । ମଝିରେ ଚୈତ୍ର ମାସଟା ଗଲେ ବୈଶାଖ ମାସରେ ଲାଟବନ୍ଦୀ । ବର୍ଷକର ଦୁଇ କିସ୍ତି ଭିତରୁ ଲାଟବନ୍ଦୀର ଏଇ କିସ୍ତିଟା ବଡ଼ । ଦୁଇ ହଜାର ଟଙ୍କାରୁ ପ୍ରାୟ ବାରଶ ଟଙ୍କା ଏହି କିସ୍ତିରେ ଦାଖଲ କରିବାକୁ ହେବ । ସେତକ ସଂଗ୍ରହ ଲାଗି ମଧ୍ୟ ତାଙ୍କୁ ପନ୍ଦର କୋଡ଼ିଏ ଦିନ କିମ୍ଵା ହୁଏତ ସମୟ ବଖତରେ ମାସକରୁ କମ୍ ସମୟ ଲାଗେନା ।

 

କାର୍ତ୍ତିକ କିସ୍ତିରେ ମଧ୍ୟ ସେହିପରି ଜଞ୍ଜାଳ । ପନ୍ଦର ଦିନ ଆଗରୁ ଦଶହରା ପର୍ବର ବାଦଶାହୀ ଆଡ଼ମ୍ବରର ସମସ୍ତ ଖର୍ଚ୍ଚ ତୁଲେଇ ତା’ପରେ ନଗଦ ଆଠ ଶହ ଟଙ୍କା ନେଇ ଲାଟବନ୍ଦୀର କିସ୍ତି ଦାଖଲ କରିବା ତହସିଲଦାରଙ୍କ ପକ୍ଷରେ ବଡ଼ କଷ୍ଟକର ହୋଇପଡ଼େ । କିନ୍ତୁ କ’ଣ କରିବେ, ସାତ ଟଙ୍କାର ଚାକିରି, ପରିବାର ପୋଷଣଠାରୁ ପୁଅର ପାଠପଢ଼ା ଓ ଝିଅ ବିଭାଘରର ଭାବୀ ଖର୍ଚ୍ଚସବୁ ଏଇ ଚାକିରି ଖଣ୍ଡକ ଉପରେ ନିର୍ଭର କରିଚି । ସାତ ଅଙ୍କଟା ଯେ ବହୁ ସମୟରେ ସତୁରୀ ହୋଇଯାଏ, ଏଇ ଅନୁଭୂତି ତାଙ୍କ ଏଇ ଛୋଟ ଚାକିରି ଖଣ୍ଡକ ପ୍ରତି ବିଶେଷ ଭାବରେ ଆକୃଷ୍ଟ କରି ରଖିଚି । ଯଦି ପ୍ରଜାଙ୍କ ଆର୍ଥିକ ଅବସ୍ଥା ଦୁର୍ଗତ ହେବା ଯୋଗୁଁ କେଉଁ ବର୍ଷ ଟଙ୍କା ଅସୁଲ ହୋଇ ନ ପାରେ, ସେ ବର୍ଷ ମଙ୍ଗରାଜଙ୍କ ହାତରୁ ହ୍ୟାଣ୍ଡନୋଟ୍ ଖଣ୍ଡେ ଦସ୍ତଖତ କରେଇ ଅରାମାଳ ଗାଁର କାଚରା ଘରକୁ ଦଉଡ଼ିବା ଛଡ଼ା ତହସିଲଦାରଙ୍କ ପକ୍ଷରେ ଅନ୍ୟ ଗତି ରହେନା ।

 

ଅନୁଛାୟା ଦେଈଙ୍କ ସବା ସାନ ଝିଅ ନୟନା ଆସିଚି । ତା’ ସାଙ୍ଗରେ ଆସିଚି ତାହାର ସାନ ଝିଅ ପ୍ରଫୁଲ୍ଲ । ପୂରା ନାଁ ପ୍ରଫୁଲ୍ଲକୁମାରୀ । ଫୁଲଟି ପରି ଦେଖିବାକୁ । ମୋଟେ ତେରବର୍ଷର ବାଳିକା । ବଢ଼ୁଆଳ ଦିହ ଯୋଗୁଁ ଯୌବନ ଯେମିତି ଫାଟିପଡ଼ୁଚି । ନିଟୋଳ ପାଦ । ଚାଲିଗଲାବେଳେ ଫୁଲ ଫୁଟିଗଲା ପରି ଜଣାପଡ଼ୁଚି । ରଙ୍ଗଟା ମଧ୍ୟ ଖୁବ୍ ସଫା, ଯେମିତି ବାରଅଣା ସୁନାରେ ଚାରିଅଣାର ଚାନ୍ଦି ମିଶିଚି । ବଜାରରେ ଏଭଳି ଖାଦ ସୁନା ଯେତେ ନିରସା ବୋଲି ଗଣା ହୁଅନ୍ତା, ସେ ଖାଦ ସୁନାର ରଙ୍ଗଟା ଯୁବତୀର ମାଂସ ଦେହରେ ପ୍ରକାଶ ପାଇ ରୂପ–ହାଟରେ ତାକୁ ଖୁବ୍ ଦୁର୍ମୂଲ୍ୟ କରି ଦେଇଚି । ପାନପତ୍ର ପରି ମୁହଁ । ଲମ୍ବା ଲମ୍ବା ଆଖି ଉପରେ କଳା କଳା ମୋଟ ଭ୍ରୂଲତା । ମୁଣ୍ଡରେ ଅର୍ଦ୍ଧ–କୁଞ୍ଚିତ ଗୋଛାଏ ବାଳ, ଉଆଁସ ରାତିର କାଳିଯାକ ଯେମିତି ନେଶି ହେଇଚି ସେଥିରେ । ଓଠରେ ହରଗଉରା ଫୁଲର ଦି’ଟା ପାଖୁଡ଼ା ଲାଗିଚି ଯେମିତି ।

 

ମଙ୍ଗରାଜଙ୍କ ବଡ଼ଝିଅ କନକମଞ୍ଜରୀକି ଏବେ ବାରବର୍ଷ ହେଲାଣି । ସେ ମଧ୍ୟ ବଢ଼ୁଆଳ ପିଲା । ରୂପ ଦେବତାର ସୁନା କାଠି ତାକୁ ଯେମିତି ଛୁଇଁବାର ଉପକ୍ରମ କରୁଚି । ସେ ବାଲୁ ବାଲୁ ହେଇ ଅନେଇ ରହେ ପ୍ରଫୁଲ୍ଲକୁ । କେଡ଼େ ସୁନ୍ଦର ଏଇ ପ୍ରଫୁଲ୍ଲ ଦେଈ ! ଅନେଇ ଅନେଇ ପାଖକୁ ତା’ର ଲାଗି ଆସି ତାକୁ ଧରି ପକାଏ । ମନହୁଏ, ତାକୁ ସିଏ ଆଉ କ’ଣ କରନ୍ତା । କିନ୍ତୁ କିଛି ଭାବି ପାରେନା । କେବଳ ମନଇଚ୍ଛା ଲଦି ହୋଇପଡ଼େ ପ୍ରଫୁଲ୍ଲ ଉପରେ । ଖୁବ୍ ଅଳ୍ପ ବୟସରେ ଯୌବନର ପ୍ରାଦୁର୍ଭାବ, ନିଜକୁ ସେପରି ଆୟତ୍ତରେ ରଖିବା ଶିଖି ପାରିନି ପ୍ରଫୁଲ୍ଲ । ବେଳେବେଳେ ଲୁଗାପଟା ଖସିଯାଏ ଦେହରୁ । ଅରାବରା ହେଉଁ ହେଉଁ ନିଜକୁ ଦେଖି ସେ ନିଜେ ଚମକି ପଡ଼େ । ଏତେ ଉଞ୍ଚ ତା’ର ଛାତି ଦି’ଟା ହେଲା କାହିଁକି ?

 

ଏହିପରି ସମୟରେ ବେଳେବେଳେ ଦୂରରେ ଚାଲିଯାଏ ଉଦିତଚନ୍ଦ୍ର । ତାକୁ କୋଡ଼ିଏବର୍ଷ ହେଲାଣି । କଟକରେ ସେ ଏପର୍ଯ୍ୟନ୍ତ ମାଟ୍ରିକ୍ୟୁଲେଶନ ପଢ଼ୁଚି । ବାବୁଘର ପିଲା, ସେଥିଲାଗି ପଢ଼ାରେ ଟିକେ ବୟସ ଗଡ଼ି ଯାଇଚି । ତେବେ ଏ ବର୍ଷ ସେ ପ୍ରବେଶିକା ପାସ୍ କରିଯିବ ବୋଲି ଆଶା କରାଯାଉଚି । ମୁଖମଣ୍ଡଳରେ ଶ୍ମଶ୍ରୁର କୋମଳ ଜାଗରଣ ସାଙ୍ଗକୁ ଆଖିରେ ତାରୁଣ୍ୟର ସ୍ଵପ୍ନ ଚାପି ହେଇ ଯାଇଚି । ଅସମ୍ଵୁତା ପ୍ରଫୁଲ୍ଲକୁ ଦେଖି ଉଦିତଚନ୍ଦ୍ରର ଧମନୀରେ ରକ୍ତ ଚହଲି ଯାଏଁ । ସ୍ତମ୍ଭିତ ହୋଇଯାଏ ସେ । ପାଦ ସ୍ଥଗିତ ହୋଇଯାଏ । ଆଖିରେ ସେ କ’ଣ ଦେଖିଲା ବିଶ୍ଵାସ କରିପାରେନା । ସ୍ଵପ୍ନ ନା ସତ୍ୟ !

 

ପ୍ରଫୁଲ୍ଲ ମଧ୍ୟ ଅବାକ୍ ହେଇ ଅନେଇ ରହେ । ନିଜକୁ ସମ୍ଭାଳି ନେବାର ଅନ୍ୟ ଉପାୟ ନ ଦେଖି ହଠାତ୍ ବସିପଡ଼େ । ଶେଷରେ ସବୁ ଅବସ୍ଥାର ସମାପ୍ତି ଘଟାଇ ଯେ ଯାହାର ବାଟରେ ଚାଲିଯାଆନ୍ତି । କାହାର ଯେମିତି କିଛି ଘଟିନି । ସବୁ ନିତ୍ୟନୈମିତ୍ତିକ । ଗୋଟିଏ ବହୁଜନ ଅଧ୍ୟୁଷିତ ପରିବାର ଭିତରେ ଏ ଘଟଣାର ପୌନଃ ପୁନିକତା ଅନେକ ସମୟରେ ଦେଖାଦିଏ । କିନ୍ତୁ ହଠାତ୍ କିଛି ଓଲଟପାଲଟ ହେଇ ଯାଏନା, ହୁଏତ କେତେଘଣ୍ଟା ପରେ ସେଇ ପ୍ରଫୁଲ୍ଲ ଆସି ଉଦିତ ଆଗରେ ଠିଆ ହେଇ କହେ–

 

“ଚନ୍ଦ୍ରଭାଇ, କଟକରୁ କ’ଣ ଭଲ ବହି ଆଣିଚ ଖଣ୍ଡେ ଦେଲ ।”

 

କେତେକ ସମୟରେ ଏବଂ କ୍ଷେତ୍ର ବିଶେଷରେ ଏହାର ବ୍ୟତିକ୍ରମ ମଧ୍ୟ ଘଟେ ।

 

ଝିଅ ଓ ନାତୁଣୀ ଆସିବାରୁ ଅବଶ୍ୟ ଅନୁଛାୟା ଦେଈଙ୍କ ଗୋଡ଼ ତଳେ ଲାଗିନି, କିନ୍ତୁ ପୁଅ ଘରେ ନଥିବାରୁ ଏ ବର୍ଷର ଦୋଳ ଉତ୍ସବଟା ତାଙ୍କୁ ଆଉ ଉତ୍ସବ ପରି ମନେ ହୋଇନି । ସେ ଭଲରୂପେ ମନେ କଲେ, ଉତ୍ସବର ଖର୍ଚ୍ଚ କାଟ ଯୋଗୁଁ ପୁଅ ଗାଁରେ ମୁହଁ ଦେଖେଇ ନ ପାରି ଚାଲିଗଲା ଦୂରକୁ । ମାତ୍ର ସେ କେତେ ଦୂରକୁ ଚାଲି ଯାଇଥିଲେ ତାହାର ସନ୍ଧାନ କେହି ପାଇ ନଥିଲେ । ଘରକୁ ଫେରି ସେ କଥା ପ୍ରକାଶ କଲେ ନିଜେ ମଙ୍ଗରଜ । ଗଙ୍ଗାମାତାଙ୍କ ଡୋରି ଲାଗିଲା, ସେ ଯାଇଥିଲେ ଗଙ୍ଗାସ୍ନାନ କରି, କଲିକତା । କଲିକତାରୁ ସିଧାସଳଖେ ପୁରୀକୁ ଯାଇ ସେ ଜଗନ୍ନାଥ ଦର୍ଶନ କରି ଘରକୁ ଫେରିଛନ୍ତି । କଲିକତାର ନିଦର୍ଶନ ବାତ୍‍ସା, ସନ୍ଦେଶ ସାଙ୍ଗକୁ ପୁରୀରୁ ମହାପ୍ରସାଦ ଆସିଚି ତାଙ୍କ ସାଙ୍ଗରେ । ଗଙ୍ଗାମୃତ୍ତିକା ସାଙ୍ଗକୁ ନିଜର ବିଧବା ଜନନୀପାଇଁ ସେ ଜଗନ୍ନାଥଙ୍କ ଶୁଷ୍କନିର୍ମାଲ୍ୟଗୁଡ଼ିଏ ମଧ୍ୟ ଆଣିଛନ୍ତି ।

 

ଏସବୁ ଛଡ଼ା ଜନ୍ମେଜୟ ମଙ୍ଗରାଜେ କଲିକତାରୁ ଆଉ ଯାହାସବୁ ଆଣିଛନ୍ତି, ତାହା ନିତାନ୍ତ ବୈଷୟିକ । ଆଧ୍ୟାତ୍ମିକତାର କୌଣସି ସମ୍ପର୍କ ନାହିଁ ସେଥିରେ । ସେ ଆଣିଛନ୍ତି, ପ୍ରାୟ ଦଶ ଯୋଡ଼ା ଯାଏଁ ମୁର୍ଶିଦାବାଦୀ ଆଉ ଚନ୍ଦ୍ରକଣା ଧୋତି । ଦୁଇ ଖଣ୍ଡ ଶାଲ । ପୁଣ୍ଟାଦାର ତଞ୍ଜବ୍ କନାର ଦୁଇ ଖଣ୍ଡ ପଞ୍ଜାବି । କାନ୍ଧଠାରୁ ହାତର ଯୋଡ଼େଇ ମଝିରେ ସେଥିରେ ଲାଗିଛି ଜାଲି କାମକରା ଲେସ୍ । ଆଉ ଦୁଇ ଖଣ୍ଡ ଯୋଧପୁରୀ ଚିପା ପାଇଜାମା, ହଳେ ନାଗରା ଜୋତା । ଶେଷୋକ୍ତ ଜିନିଷ, ଅର୍ଥାତ୍ ପଞ୍ଜାବି ପାଇଜାମା ଆଉ ଜୋତାହଳକ ପିନ୍ଧେଇଚି ତାଙ୍କୁ ତାଙ୍କ ପିଆଦା ରମଜାନ୍ ଖାଁର ସାନ ଭାଇ ରସିଦ୍ । ସେ ଗ୍ରାଣ୍ଡ୍ ହୋଟେଲରେ ଖାନ୍‍ସମା କାମ କରେ । ଦରମା ଅପେକ୍ଷା ବକ୍ସିସ୍‍ରୁ ଆୟ ତା’ର ବେଶି । ନିଜ ଦେଶର ଜମିଦାର ଭାବରେ ସେ ମଙ୍ଗରାଜଙ୍କୁ ଗ୍ରାଣ୍ତ୍ ହୋଟେଲରେ ଖୁଆଇବାଠୁଁ ଆରମ୍ଭ କରି ଅନେକ ବଡ଼ବଡ଼ ଜାଗାରେ ମଧ୍ୟ ବୁଲାଇ ଆଣିଥିଲା । ମଙ୍ଗରାଜଙ୍କୁ ବାକି ଉପଢ଼ୌକନଗୁଡ଼ିକ ଦେଇଚନ୍ତି କଲିକତାରେ ଥିବା ନିଜ ଇଲାକାର ପ୍ରଜାପାଟକମାନେ । ଖାଲି ସେତିକି ନୁହେଁ, ସେମାନେ ତୋଳା କରି ମଙ୍ଗରାଜଙ୍କୁ ନଗଦ ଦୁଇ ଶହ ଟଙ୍କା ରାସ୍ତା ଖର୍ଚ୍ଚ ଓ ତାଙ୍କ ପତ୍ନୀଙ୍କ ଲାଗି ଖଣ୍ଡେ ମହାର୍ଘ ବନାରସୀ ଶାଢ଼ି ମଧ୍ୟ ଦେଇଛନ୍ତି । ପୁଣ୍ୟଲାଭ ଅପେକ୍ଷା ବହୁ ଦରିଦ୍ର ଲୋକଙ୍କ ଝାଳବୁହା ଧନରେ ମଙ୍ଗରାଜେ ଯେଉଁ ବିତ୍ତ ଲାଭକଲେ, ତାହା ତାଙ୍କୁ ଆନନ୍ଦ ଦେଉଚି ଅଧିକ ।

 

କଲିକତା ରହଣି ଭିତରେ ମଙ୍ଗରାଜ ବଡ଼ ଆଶ୍ୱସ୍ତିରେ ସମୟ କାଟିଛନ୍ତି । ବୟସ ଏବେ ଆସି ତାଙ୍କୁ ପଇଁଚାଲିଶ–ଛାୟାଳିଶ ହେଇଗଲା । ପ୍ରାୟ ଦଶବର୍ଷରୁ ଅଧିକ ହେଲା ସେ ଦୋଳଉତ୍ସବର ଆଡ଼ମ୍ବର ଆରମ୍ଭ କଲେଣି । ଏଇ ଦଶବର୍ଷ ଭିତରେ ସେହି ଆଡ଼ମ୍ବରରୁ ଦୂରରେ ରହିବା ଏହା ତାଙ୍କ ପକ୍ଷରେ ପ୍ରଥମ । ଘରେ ପହଞ୍ଚି ସେ ପ୍ରଥମେ ନିଜକୁ ଯେମିତି ବଡ଼ ଅପରାଧୀ ମନେକଲେ । ନୟନା ଦେଈକି ଦେଖାକରି ଦଣ୍ଡବତ ହେଉଁ ହେଉଁ ଏ ଅପରାଧ ପାଇଁ ତାଙ୍କ ପିଠିରେ ଗୋଟା ଚାବୁକ୍ ମାଡ଼ ବସିଲା ଯେମିତି । କୁଶଳ ପ୍ରଶ୍ନ ପରିବର୍ତ୍ତେ ନୟନା ଠୋସ୍ କରି କହି ପକେଇଲା, “ତୋ ମନରେ ପୁଣି ଏକଥା ଥେଲାରେ ଜନୁ ! କ’ଣ ପ୍ରଫୁଲ୍ଲ ଆଉଚି ଶୁଣି ତାକୁ ଦୋଳଖର୍ଚ୍ଚ ଦବାକୁ ପଡ଼ିବ ବୋଲି ତୁ ଏବେ କଲିକତା ଗାଁକୁ ପଳେଇଲୁ ?”

 

ଭାଣିଜୀକି ଦୋଳଖର୍ଚ୍ଚ ପାଇଁ ପାଞ୍ଚ ଦଶ ଟଙ୍କା ଦେବା ମଙ୍ଗରାଜଙ୍କ ପକ୍ଷରେ ଅତି ସାମାନ୍ୟ କଥା । ତଥାପି ବଡ଼ଭଉଣୀର ଏ ଶ୍ଳେଷବାକ୍ୟ ତାଙ୍କୁ ହଜମ କରି ଦେବାକୁ ପଡ଼ିଲା । ଏ କଥାର ଉତ୍ତର ଦେବାରେ କିଛି ଅର୍ଥ ହୁଏନା । ଏତିକିବେଳେ ଭାଣିଜୀ ପ୍ରଫୁଲ୍ଲକୁମାରୀ ଆସି ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲା । ପ୍ରଫୁଲ୍ଲକୁ ସେ ଦେଖିଥିଲେ ଯାଇଁ ପାଞ୍ଚବର୍ଷ ତଳେ । ବୈଶାଖରେ ଭାଣିଜୀ ତାଙ୍କର ବିଭା ହେଉଚି ବୋଲି ଆଗରୁ ସେ ଅବଶ୍ୟ ଶୁଣିଥିଲେ । କିନ୍ତୁ ବିବାହଯୋଗ୍ୟା ଭାଣିଜୀର ରୂପ–କଳ୍ପନା ତାଙ୍କ ମାନସଲୋକରେ କେବେ ରେଖାପାତ କରି ନଥିଲା । ପ୍ରଣାମ ଶେଷ କରି ପ୍ରଫୁଲ୍ଲ ଯେତେବେଳେ ଉଠି ଠିଆ ହେଲା, ତାକୁ ଦେଖି ସେ ବିସ୍ମିତ ହେଇଗଲେ । ନିଜର କଲ୍ୟାଣୀୟା ଭାଣିଜୀକି ଅନେଇ ନ ପାରି, ଚାହିଁ ଦେଲେ ସେ ଶ୍ରଦ୍ଧେୟା ଭଉଣୀର ମୁହଁକୁ । ଭଉଣୀର ଆଖିରେ ସେତେବେଳେ ଯେମିତି ହସ ଫାଟି ପଡ଼ୁଚି । ଆଖିର ହସକୁ ପାଟିରେ ଖେଳେଇ ନୟନା କହି ଉଠିଲା–

 

“ଜାଣିଲୁ ଜନୁ, ପ୍ରଫୁଲ୍ଲକୁ ଜମା ତେରବର୍ଷ ।”

 

ନିଶୀଥର ପଦ୍ମ ପରି ତଳକୁ ମୁହଁ ଭାଙ୍ଗି ଦେଇ ପ୍ରଫୁଲ୍ଲ ଆଢ଼ୁଆଳକୁ ଘୁଞ୍ଚିଯିବା ପାଇଁ ଚେଷ୍ଟାକଲା । ଏ କଥାର ମର୍ମ ତା’ ପକ୍ଷରେ ଆଉ ଅଜଣା ନୁହେଁ । ବୟସ ନୁହେଁ, ତା’ର ଦୈହିକ ବିକାଶ ତାକୁ ଯେମିତି ଏଠି ଅପାଂକ୍ତେୟ କରି ଦେଉଚି । ଅଳିନ୍ଦର ଅନ୍ଧକାର ଭିତରେ ଜଳୁଚି ଗୋଟିଏ ଲଣ୍ଠନର ଆଲୁଅ । ଦୂରକୁ ଅପସରି ଗଲେ ମଧ୍ୟ ଆଲୋକର ପ୍ରଭାବରୁ ପ୍ରଫୁଲ୍ଲ ନିଜର ଦେହକୁ ସମ୍ପୂର୍ଣ୍ଣ ମୁକ୍ତ କରିପାରିଲାନି । ତାହାର ଉନ୍ନତ ନିତମ୍ବ ଉପରେ ଆବଦ୍ଧ ହୋଇ ରହିଲା ଆଲୋକର ଏକ ଉଜ୍ଜ୍ୱଳ ଆଶ୍ଳେଷ ।

 

ମଙ୍ଗରାଜ ଭାବିଥିଲେ, ଭଉଣୀ ଆଗରେ ଗଙ୍ଗାମାତାଙ୍କ ଆକର୍ଷଣର କାହାଣୀ ବର୍ଣ୍ଣନା କରି ପରିସ୍ଥିତିକୁ ନିଜ ପକ୍ଷରେ ବଶୀଭୂତ କରିବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ଆସିଥିବା ଅଭିଯୋଗକୁ ମଧ୍ୟ ନିଷ୍କ୍ରିୟ କରିଦେବେ । କିନ୍ତୁ ସେ ପାରିଲେନି । ତଞ୍ଜବ୍ କନାର ପଞ୍ଜାବି ପକେଟରୁ ଅଦ୍ଦି କନାର ରୁମାଲ୍ କାଢ଼ି ମୁହଁ ପୋଛି ପୋଛି ସେ ବାହାରିଗଲେ ଦାଣ୍ଡକୁ ।

 

ଦାଣ୍ଡରେ ପହଞ୍ଚୁ ପହଞ୍ଚୁ ହଠାତ୍ ଦେଖାହେଲା ସଦେଇ ଧଳଙ୍କ ସାଙ୍ଗରେ । ପଡ଼ୋଶୀ ଗାଁ ଅଢ଼େଇକଣାର ସେ ଜଣେ ତାଲବର ଶ୍ରେଣୀର ଲୋକ । ମଙ୍ଗରାଜେ କଲିକତା ଯାଇଥିଲେ ଶୁଣି ବାଟ ଭାଙ୍ଗି ସେ ଚାଲି ଆସିଛନ୍ତି ତାଙ୍କୁ ସାକ୍ଷାତ କରିବା ସକାଶେ । ସେତେବେଳକୁ ପହଞ୍ଚି ଗଲେଣି ଆସି ବଂଶୀ ଜେନା । ତାଙ୍କର ସହଯୋଗୀରୂପେ ପର୍ବପର୍ବାଣିରେ କାମ କରୁଥିବା ଗ୍ରାମର ଦୁଇ ତିନିଜଣ ଯୁବକ ଦାଣ୍ଡରେ ଏଠିସେଠି ବୁଲୁ ବୁଲୁ ମଙ୍ଗରାଜଙ୍କୁ ଗୋଟାଏ ଗୋଟାଏ ଦଣ୍ଡବତ କରି ଚାଲିଗଲେ ।

 

ପ୍ରଥମେ କଥା ଆରମ୍ଭ କଲେ ସଦେଇ ଧଳ । ନାଚଖାନାରେ ପଡ଼ିଥିବା ବେଞ୍ଚ୍ ଉପରେ ଗୋଟା ଲଣ୍ଠନ ଆଣି ଥୋଇଦେଲେ ବଂଶୀ ଜେନା ।

 

“ଆଜ୍ଞା, ଆପଣ ଗଙ୍ଗାସ୍ନାହାନ କରି ଆସିଲେ ଶୁଣି ମତେ ଭାରି ଖୁସି ଲାଗିଲା । ଦୋଳରେ ହୋରି ଖେଳ ଆଉ ମେଲଣ ବୁଲା ତ ସବୁ ବରଷ ହଉଚି...ଏ ବରଷ ଗଙ୍ଗାସ୍ନାହାନ କରି ଆସିଲେ ଭାରି ଭଲ ହେଲା । ସେଇଥିନାଗି ଟିକେ ଦେଖାକରି ଯିବାକୁ ଆଇଥେଲି...ପୁଣ୍ୟବନ୍ତ ନୋକ ଦେଖିଲେବି ମଣିଷର ପୁଣ୍ୟ ହୁଏ । ...ହୋ ବଇଁଶୀବାବୁ...ଏବେ ମଙ୍ଗରାଜଙ୍କ ଉଆସରୁ ଆମକୁ ଗଙ୍ଗାମୃତ୍ତିକା ଟିକେ ମିଳୁ ।”

 

“ଆରେ ମୁଁ ପୁରସ୍ତମବି ଯାଇଥେଲି ଯେ ! ବଂଶୀ, ମହାର୍ଦ୍ଦ ଆଉ ନିର୍ମାଲ୍ୟ ଆଣିବ ଧଳଙ୍କ ଲାଗି ।” ମଙ୍ଗରାଜଙ୍କ କଥା ଶୁଣି ସଦେଇ ଧଳେ ଆହୁରି ଉଲ୍ଲସିତ ହୋଇ ପଡ଼ିଲେ । ଆଲୁଅର ଧାସ ଭିତରେ ଅନେଇ ରହିଲେ ମଙ୍ଗରାଜଙ୍କ ମୁହଁକୁ । ଓହୋ, କେଡ଼େ ପୁଣ୍ୟବନ୍ତ ଲୋକ-! ଏହାପରେ ମନର ଭାବନାକୁ ତୁଣ୍ଡରେ ପ୍ରକାଶ କଲେ ସଦେଇ ଧଳ । “କେଡ଼େ କାମ ନ କଲେ ଆପଣ । ଚାଷବାସରେ ଧନ୍ଦି ହୋଇ ଦିନେ କ’ଣ ଗାଁ ଛାଡ଼ି କୁଆଡ଼େ ଥରେ ଯାଇ ହେଲା-? ହଉ, ହଉ, ଆପଣଙ୍କୁ ଥରେ ଦେଖିଗଲି ସେଇ ମୋର ଢେର୍ ଭାଗ୍ୟ ।”

 

ଗଙ୍ଗାମୃତ୍ତିକା, ମହାର୍ଦ୍ଦ ଆଉ ନିର୍ମାଲ୍ୟକୁ ଜାଡ଼ୁଆଳି କାନିରେ ବାନ୍ଧି ସଦେଇ ଧଳ ଚାଲିଯିବା ପରେ ମଙ୍ଗରାଜେ ଦାଣ୍ଡର ଚାରିପଟେ ଥରେ ବୁଲି ଆସିଲେ । ତା’ପରେ ଲଣ୍ଠନଟାକୁ ହାତରେ ଧରି ଭୂଇଁ ଉପରେ ଆଖି ପକେଇ କ’ଣ ଅନୁସନ୍ଧାନ କଲାପରି ସେ ଦେଖିବାକୁ ଲାଗିଲେ-। ପାଖରେ ଚାଲିଚନ୍ତି ବଂଶୀ ଜେନା ।

 

“ଏଥର କେତେ ଅବିର ଆଣିଥେଲ ବଂଶୀ ?”

 

ମଙ୍ଗରାଜଙ୍କ ଏ ପ୍ରଶ୍ନର ଉଦ୍ଦେଶ୍ୟ କିଛି ବୁଝି ନ ପାରିଲେବି ବଂଶୀ ଜେନା ଉତ୍ତର ଦେଇ କହିଲେ, “ମେଲଣକୁ ତ ଗଲୁନେଇଁ, ଖାଲି ଚାଚିରୀ ଆଉ ଦାଣ୍ଡରେ ହୋରିଖେଳ ହେଲା । ଆଉ କେତେ ଅବିର ଆସିବ ! ବସ୍ତାଏ ଆଣିଥେଲୁ ବୁରୁନ୍ଦ ସାହୁ ଦୋକାନରୁ ।”

 

“ଦାଣ୍ଡରେ ହୋରିଖେଳ ହେଉଚି....ଅଥଚ ଏଇ ମୋଟେ ଦଶ ଦିନ ଭିତରେ ମାଟିରେ ହେଲେ ଟିକେ ଅବିରର ଗନ୍ଧନାହିଁ ?”

 

ଏତକ କହିସାରି ତଳକୁ ନଇଁପଡ଼ି ଦାଣ୍ଡର ଧୂଳିଟିକେ ଆଣି ମଙ୍ଗରାଜେ ନାକ ପାଖରେ ଧରିଲେ । ବଂଶୀ ଜେନା ଜାଣିପାରିଲେ, ଦୋଳ ଗଲାର ଦଶ ଦିନ ପରେ ଅବିରର ଅତର ବାସ୍ନା ପାଇବାକୁ ମଧ୍ୟ ମଙ୍ଗରାଜେ ଚେଷ୍ଟା କରୁଚନ୍ତି । ତାଙ୍କର ମନେ ପଡ଼ିଲା, ତହସିଲଦାରଙ୍କ କଥା....ଅରାମାଳ ମହାଜନ ଘରୁ ଟଙ୍କା କରଜ ଆଣି ଏଠି ନାଟତାମସା ହୋଉଛି....ତା’ପରେ ମନେ ପଡ଼ିଲା, ବଡ଼ମା’ ଅନୁଛାୟା ଦେଈଙ୍କ ସତର୍କ ବାଣୀ–ମଙ୍ଗରାଜ ଘର କରଜ ବଟା କରି ପରବ ପାଳୁଛନ୍ତି ବୋଲି କୋଉଠି ଯେମିତି ନ କହୁ ବଇଁଶିଆ । ଚୁପ୍ ହୋଇ ଛିଡ଼ା ହୋଇ ପଡ଼ିଲେ ବଇଁଶୀ ଜେନା । ବଡ଼ମା’ ଯେମିତି ତାଙ୍କ ଆଗରେ ସାକ୍ଷାତ୍ ଛିଡ଼ା ହେଇ ତାଙ୍କୁ ତାକିଦ୍ କରୁଚନ୍ତି । ମଙ୍ଗରାଜଙ୍କ ସାଙ୍ଗକୁ ସେ ଏଥର ଦୁଇ ଗୁଣ ଉତ୍ସାହ ଧରି ତଳକୁ ଚାହିଁଲେ । ନଇଁପଡ଼ି ମଙ୍ଗରାଜେ ଧରିଥିବା ଲଣ୍ଠନର ଆଲୁଅଟାକୁ ମଧ୍ୟ ତେଜି ଦେଲେ ।

Unknown

 

“ହେଇ....ହେଇ....ହେଇ ଏଇଠି ଭାଇ, ହେଇ ଆହୁରି ଏଠି....”

 

ଖୁବ୍ ନଇଁ ପଡ଼ିଲେ ବଂଶୀ ଜେନା । ଚକା ଚକା ହେଇ ତଳେ ଜମିଥିବା ନାଲି ନାଲି ଦାଗ ଉପରୁ ଚିମୁଟା ଆଣିଲେ ଅବିବର ରେଣୁ । ନିଜ ନାକରେ ଲଗେଇ, ଅର୍ଦ୍ଧଶଙ୍କିତ ଭାବରେ ମଙ୍ଗରାଜଙ୍କ ନାକ ପାଖକୁ ନିଜର ଆଙ୍ଗୁଠି କେତେଟା ବଢ଼େଇ ଦେଲେ ।

 

“ହେଇ ଫଗୁ ଦିହରୁ ଆଜିବି ଅତର ବାସନା ଆସୁଚି...”

 

ମଙ୍ଗରାଜେ ବଂଶୀ ଜେନାଙ୍କ ଆଙ୍ଗୁଠି ତିନିଟାକୁ ଧରିପକେଇ ଖୁବ୍ ଜୋରରେ ଶୁଙ୍ଘି ନେଇ ମୁଣ୍ଡ ଟୁଙ୍ଗାରିଲେ ।

 

“ହୁଁ ।”

 

ପୁଣି ତଳକୁ ମୁହଁ କରି ଚାଲୁ ଚାଲୁ କେତେବେଳକରେ କହିଲେ, “ଦଶ’ରା ଆଉ କେତେ ମାସ ରହିଲା ବଂଶୀ ?’’

 

ଚୈତ୍ର, ବୈଶାଖ, ଜ୍ୟେଷ୍ଠ,...ଆଷାଢ଼........

 

ଆଙ୍ଗୁଠିର ଯବ ଗଣି ଗଣି ବଂଶୀ ଜେନା....କହିଲେ, “ଆଉ ସାତ ମାସ....ହେଲେ, କୁଆଡ଼େ କାଲି ପରି ଚାଲିଯିବ....”

 

“ହୁଁ....ମୁଁ ଦଶରାକୁ କୁଆଡ଼େ ଚାଲିଯିବି ବୋଲି ଭାବିଚୁ କି ବଂଶୀ ? ମୁଁ କୁଆଡ଼େ ଯିବିନି....”

 

ବଂଶୀ ଜେନା ବିସ୍ମିତ ହୋଇ ଅନେଇଲେ ମଙ୍ଗରାଜଙ୍କ ମୁହଁକୁ । ସେ କାହିଁକି ଏ କଥା ଭାବିବେ । ମଙ୍ଗରାଜ ଘର କ’ଣ ହେଇଚି କି ? ତାଙ୍କୁ ମଙ୍ଗରାଜେ ସନ୍ଦେହ କରୁଛନ୍ତି ନା କ’ଣ ? ସେ ତ ମଙ୍ଗରାଜ ଘର ଭିତର କଥା କିଛି ଜାଣନ୍ତିନି । କେହି ତାଙ୍କୁ କିଛି କହି ନାହାନ୍ତି ! ତହସିଲଦାର ରାମ ପଟ୍ଟନାୟକ କିଏ ? ଅରାମାଳ କେଉଁଠି ? ସେ କେବଳ ଚିହ୍ନନ୍ତି ବଡ଼ମା’ ଅନୁଛାୟା ଦେଈଙ୍କି । ସେ ତାଙ୍କୁ କହିଛନ୍ତି କେବଳ ଗୋଟିଏ କଥା ।

 

ବଂଶୀ ଜେନାଙ୍କ ଆଖି ଆଗରେ ଅନୁଛାୟା ଦେଈ ଘେରାଏ ବୁଲି ଚାଲିଗଲେ ଯେମିତି-

 

ଛଅ

 

ଏହିପରି କ୍ରମେ ଦଶବର୍ଷ କଟିଗଲା । ଦଶବର୍ଷ ଭିତରେ ମଙ୍ଗରାଜ ବଂଶରେ ଅନେକ ପରିବର୍ତ୍ତନ ଘଟିଗଲା । ସାତବର୍ଷ ହେଲା ବଡ଼ପୁଅ ଉଦିତଚନ୍ଦ୍ରର ବିଭାଘର ହୋଇ ଗୋଟିଏ ପୁଅ ଓ ଗୋଟିଏ ଝିଅ ଏପରି ଜନ୍ମେଜୟ ମଙ୍ଗରାଜଙ୍କ ଦୁଇଟି ନାତିନାତୁଣୀ ହେଇଛନ୍ତି । ଉଦିତଚନ୍ଦ୍ର ପରେ ବିଭା ହେଇଚି କନକମଞ୍ଜରୀକୁ । ବିବାହର ଚାରିବର୍ଷ ପରେ ଏବେ ନିକଟରେ ତା’ର ଗୋଟିଏ ପୁଅ ହେଇଚି । ମାସକ ତଳେ ନାତିର ଏକୋଇଶିଆ ଉତ୍ସବରେ ଯୋଗ ଦେଇ ମଙ୍ଗରାଜେ ଝିଅଘରୁ ଫେରିଛନ୍ତି । କନକମଞ୍ଜରୀ ପରେ ବିଭା ହେଇଚି ଦ୍ୱିତୀୟ ପୁତ୍ର ପ୍ରତାପ କେତନ । ବିବାହ ପରେ ବର୍ଷେ କାଳ ଶାଶୁଘରେ ରହି ପ୍ରତାପର ସ୍ତ୍ରୀ ଦୁଇ ମାସ ହେବ ବାପଘରକୁ ଯାଇଚି । ପ୍ରତାପ ବର୍ତ୍ତମାନ ବିରହ–ପାଗଳ ହେଇ ବସିଚି ଯାଇ ମଠସାହି କଚେରିରେ । ସେ ଏକ ଗୁଣ୍ଡା ପାଲଟିଛି । କଟକରେ ଅନେକକାଳ ପଢ଼ି ପଢ଼ି ମାଟ୍ରିକ୍ୟୁଲେଶନ ଖଣ୍ଡକ ପାସ୍ କରିବା ତା’ ପକ୍ଷରେ ଆଉ ସମ୍ଭବ ହେଲାନି । ଅବସ୍ଥାର କ୍ଷୟିଷ୍ଣୁତା ଭିତରେ ତା’ପାଇଁ ବୃଥାରେ ଟଙ୍କା ଯୋଗେଇବା ମଧ୍ୟ ମୁସ୍କିଲ୍ ହେଲା । ବର୍ତ୍ତମାନ ସେ ପ୍ରଜାପାଟକଙ୍କ ଉପରେ ନାନା ଜୁଲୁମ ଜବରଦସ୍ତି କରି ତହିଁରୁ ଅର୍ଜିତ ଯତ୍‍କିଞ୍ଚିତ୍ ଧନରେ ମଉଜ ମଜଲିସ୍ ଭିତରେ ଜୀବନ କାଟିବାକୁ ନିଜର ବୃତ୍ତି କରି ନେଇଚି-

 

ପୁଅମାନଙ୍କ ଭିତରେ କେବଳ ବଡ଼ ଉଦିତଚନ୍ଦ୍ର ହେଇଚି ଯୋଗ୍ୟ । ମାଟ୍ରିକ୍ୟୁଲେଶନ ପରେ ତଳପାହ୍ୟା ଇଞ୍ଜିନିୟରିଙ୍ଗ ପାସ୍ କରି ଗୋଟିଏ ଗଡ଼ଜାତ ରାଜ୍ୟରେ ଓଭରସିଅର ହେଇଛି । ଷୋଳ ସତର କୋଶ ମୁଲକର ପୂର୍ତ୍ତ ବିଭାଗର ସେ ମାଲିକ । ସେଥିଯୋଗୁଁ ଭଲ ଉପରି ଦିପଇସା ସେ କରେ । ପାହାଡ଼ ଜଙ୍ଗଲ ମୁଲକରେ ସାଇକେଲରେ ଚଳାଚଳ କରିବାରେ ଅସୁବିଧା ହେବାରୁ ସେ ଗୋଟିଏ ଘୋଡ଼ା କିଣିଚି । ଘୋଡ଼ାଟିକି ସେ କିଣିଚି ବୋଲି କହିଲେ ସତ୍ୟର ଅପଳାପ ହେବାର ଆଶଙ୍କା ଅଛି, ନାମମାତ୍ର ମୂଲ୍ୟ ନେଇ ରାଜା ତାକୁ ସେ ଘୋଡ଼ାଟିକି ଦାନ କରି ଦେଇଚନ୍ତି-। ତେବେ ଘୋଡ଼ାର ଜିନ୍ ପ୍ରଭୃତି ସାଜ ପୋଷାକପାଇଁ ଉଦିତଚନ୍ଦ୍ରକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିଚି-। ଏପରି ସର୍ବମୋଟ ଖର୍ଚ୍ଚ କରିବାକୁ ପଡ଼ିଚି ତିନିଶ ଟଙ୍କା । ଏତିକି ଅର୍ଥ ବ୍ୟୟରେ ଘୋଡ଼ାଟି ଉଦିତଚନ୍ଦ୍ରର ଏକାନ୍ତ ନିଜସ୍ୱ ସମ୍ପତ୍ତିରେ ପରିଣତ ହେଇଚି ।

 

ଥରେ ଥରେ ସେଇ ଦୂର ମୁଲକରୁ ଘୋଡ଼ାରେ ବସି ଗାଁକୁ ଚାଲି ଆସେ ଉଦିତଚନ୍ଦ୍ର । ବିଶେଷକରି ଦଶହରା ଛୁଟିରେ ତା’ର ଏଇ ଅଶ୍ଵାରୋହଣ ଯାତ୍ରା ପ୍ରାୟ ଅବ୍ୟାହତ ରହେ । ଘୋଡ଼ା ଟାପୁ ଗାଁ ରାସ୍ତାରେ ଶୁଭିବା ସଙ୍ଗେ ସଙ୍ଗେ ଟୋକାଙ୍କ ମହଲରେ ଆନ୍ଦୋଳନ ଖେଳିଯାଏ । ଘୋଡ଼ା ଲାଞ୍ଜର ଗୋଛାଏ ବାଳ ଉପରେ ସେମାନଙ୍କର ଲକ୍ଷ୍ୟ । ସେଥିରୁ କିନ୍ତୁ ସେମାନେ ହସ୍ତଗତ କରି କିପରି ମାଳି ବୁଣିବେ ତାହାରି ଚିନ୍ତାରେ ଲାଗିଯାନ୍ତି । ବଡ଼ମଣିଷମାନେ ଅନେଇ ରହନ୍ତି ଘୋଡ଼ା ଆଉ ତାହାର ସବାର ଉଦିତଚନ୍ଦ୍ରକୁ । ରାଜା ଲାଖି ଚେହେରା । କଳା ମଚମଚ ନିଶ ଯୋଡ଼ାକ ପଛକୁ ଉଦିତଚନ୍ଦ୍ର ମୁଣ୍ଡରେ ଝାଙ୍କି ହୋଇ ପଡ଼ିଥିବା ସାହେବ ଟୋପି ଉପରେ ସେମାନଙ୍କ ଦୃଷ୍ଟି ନିବଦ୍ଧ ହୁଏ । ଲୋକମାନଙ୍କ କୌତୂହଳକୁ ତେଜିତ କରି ଉଦିତଚନ୍ଦ୍ର ଘୋଡ଼ା ପିଠିରେ ଚାବୁକ୍ ପିଟି ଦିଏ । ରାସ୍ତାରୁ ଆଡ଼େଇ ହୋଇଯାନ୍ତି ବାଳ, ବୃଦ୍ଧ, ବନିତା । ଲୋକେ ଧନ୍ୟ ଧନ୍ୟ କୁହନ୍ତି ମଙ୍ଗରାଜଙ୍କୁ । ତାଙ୍କ ନାଁ ରଖିଲା ଏଇ ଉଦିତଚନ୍ଦ୍ରବାବୁ । ଆଉ ପୁଅଗୁଡ଼ାକ ଫକଡ଼ିଆ, ଲଫଙ୍ଗା, ବଜାରୀ । ସେମାନଙ୍କୁ ଲୋକେ ମନେମନେ ତାଚ୍ଛଲ୍ୟ କରନ୍ତି ।

 

ଏହି ଚତୁଷ୍ପଦ ବାହନଟିର କ୍ରମ ଅବସ୍ଥାନ ଯୋଗୁଁ ଗାଁର ଦୁଇ ତିନୋଟି ଅନ୍ଧାରୁଆ ସ୍ଥାନରେ ଯେଉଁ ଭୂତ ଆଉ ବାସେଳୀ ଭୟ ଥିଲା, ତାହା ଦୂର ହେଇଯାଇଚି ବୋଲି ଲୋକଙ୍କ ଭିତରେ ବିଶ୍ଵାସ ଜନ୍ମିଛି । ଘୋଡ଼ା ଟାପୁତଳର ଲୁହା ନାଲ ଖଣ୍ଡେ ପାଇଲେ ସେମାନେ ଆହୁରି ଆଶ୍ୱସ୍ତ ହୁଅନ୍ତେ । କେହି କେହି ତାହାରି ସନ୍ଧାନରେ ଅଛନ୍ତି । ଗାଁପାଇଁ ଘୋଡ଼ାର ଅସ୍ଥାୟୀ ସଇସ ନିଯୁକ୍ତ ହେଇଥିବା ସନା ପାଣକୁ ସେଥିପାଇଁ ଦି’ ଚାରି ପଇସା ଲାଞ୍ଚ ଦେବାର ଚେଷ୍ଟା ମଧ୍ୟ ସେମାନେ କରିଛନ୍ତି ।

 

ଘୋଡ଼ାଟି ପ୍ରତି ମଙ୍ଗରାଜଙ୍କ ଆଗ୍ରହ ସବୁ ଚାହିଁ ଅଧିକ । ଅସ୍ତାବଲ ସାମନା ଦାଣ୍ଡର ଗୋଟିଏ ପଟକୁ ଦି’ଟା ବାଉଁଶ ପୋତା ହୋଇ ସେଇଥିରେ ଘୋଡ଼ାର ତୁଣ୍ଡି ଦଉଡ଼ି ବନ୍ଧାହୁଏ । ଦୁଇ ପଟର ଦଉଡ଼ିରେ ଝିଙ୍କି ହୋଇ ମଧ୍ୟସ୍ଥଳରେ ଘୋଡ଼ାଟି ଦର୍ପିତ ଭଙ୍ଗୀରେ ଠିଆ ହୋଇ ରହିଥିଲାବେଳେ ସକାଳ ସନ୍ଧ୍ୟାରେ ତାହାର ମର୍ଦ୍ଦନରେ ଲାଗିଯାଏ ସନା ମଳିକ । ସାମ୍ନାର କିଛି ଆଗକୁ ବାଞ୍ଛା ଚାକର ଆଣି କାଠର ପୁରୁଣା କୁର୍ଚି ଖଣ୍ଡେ ପକେଇ ଦେଇଯାଏ । ତା’ରି ଉପରେ ବସି ବସି ଜନ୍ମେଜୟ ମଙ୍ଗରାଜେ ନିର୍ନିମେଷ ନୟନରେ ଘୋଡ଼ାଟିକି ଅନେଇ ରହନ୍ତି । ଲକ୍ଷଣବନ୍ତ ଘୋଡ଼ା...ଅନେକ ଆଗରୁ ଏ ଦାଣ୍ଡରେ ଗୋଟା ଘୋଡ଼ା ବନ୍ଧା ହେବା ଦରକାର ଥେଲା...

 

ମନେ ପଡ଼ିଯାଏ ତାଙ୍କର ବା’ ଘର କଥା । ତାଙ୍କପାଇଁ ଗୋଟା ଘୋଡ଼ା କିଣିବେ ବୋଲି ଶଶୁରଘରୁ ବାପା ତିନି ଶହ ଟଙ୍କା ଦାବି କରି ଆଣିଥିଲେ । କିନ୍ତୁ ସେ ଆଉ ଜୀବନରେ ଥରେ ଘୋଡ଼ା ଚଢ଼ି ପାରିଲେନି । ଏ ଘୋଡ଼ାଟା ଖୁବ୍ ସୁନ୍ଦର । ଭାବି ଭାବି ଚଉକିରୁ ଉଠି ପଡ଼ି ମଙ୍ଗରାଜେ ଘୋଡ଼ାର ନିକଟକୁ ଚାଲି ଯାଆନ୍ତି । ଘୋଡ଼ାର ମର୍ଦ୍ଦନ ଛାଡ଼ି ସନା ଆଡ଼େଇ ହୋଇଯାଏ । ପାଖକୁ ଲାଗିଯାଇ ହାତକୁ ଠୋଲକା କରି ଘୋଡ଼ା ପିଠିରେ ମଙ୍ଗରାଜେ ଦି’ଟା ଥାପଡ଼ ମାରି ଦିଅନ୍ତି । ପଶୁର ନିତମ୍ବଟା ଚହଲି ଉଠେ । ସେଇପରି ତୁଣ୍ଡିବନ୍ଧା ଅବସ୍ଥାରେ ହେଁହେଁ ଶବ୍ଦ କରେ ଘୋଡ଼ାଟା । ଦି’ଥର ଗୋଡ଼ କଚାଡ଼ି ଦିଏ ।

 

ନାଃ...

 

ଘୁଞ୍ଚି ଆସନ୍ତି ମଙ୍ଗରାଜେ । ଆସି କୁର୍ଚି ଉପରେ ବସିପଡ଼ନ୍ତି ।

 

ନାଃ...ଏ ବୟସରେ ଆଉ ହେବନି...

 

ଉପର୍ଯ୍ୟୁପରି ତିନୋଟି ସନ୍ତାନଙ୍କର ବିବାହକାର୍ଯ୍ୟ ସମ୍ପନ୍ନ କରିବା ପରେ ମଙ୍ଗରାଜେ ବର୍ତ୍ତମାନ ମୀନକେତନର ବିବାହ ବିଷୟ ବିଶେଷ ଭାବରେ ଚିନ୍ତା କରୁଛନ୍ତି । କିନ୍ତୁ ସୁରେଶ୍ଵରୀ ଦେଈ ବେଶି ଜୋର୍ ଦେଉଚନ୍ତି ଝିଅ ପରାଗମଞ୍ଜରୀ ବିବାହ ଉପରେ । ପରାଗମଞ୍ଜରୀକୁ ଏଥିଭିତରେ ଅନଉ ଅନଉ ଆସି ସତରବର୍ଷ ହେଲାଣି । ମାଇକିନିଆ ଝିଅ, ରାତିକ ଭିତରେ ଅସୁରୁଣୀ ପରି ବଢ଼ିଯାନ୍ତି । ଖାଲି ପରାଗମଞ୍ଜରୀ ନୁହେଁ, ସାନ ଝିଅ ପ୍ରବାଳମଞ୍ଜରୀକି ଦେଖି ମଧ୍ୟ ସୁରେଶ୍ଵରୀ ଛାନିଆ ହୋଇ ଗଲେଣି । ଏଇ ପନ୍ଦରବର୍ଷ ବୟସରେ ପ୍ରବାଳମଞ୍ଜରୀର ଦେହ ମୁଣ୍ଡକୁ ଚାହିଁଲେ ଆଖି ଯେମିତି ବୁଜି ହୋଇ ପଡ଼େ । ଦେହରେ ତା’ର ମାଂସ ଯେମିତି ଖୁନ୍ଦି ହେଇ ଉଠୁଚି । ଦୁଇବର୍ଷ ତଳେ ଏକମାଟିଆ ଅବସ୍ଥାରେ ଥିବା ମାଟିପ୍ରତିମାପରି ଯେଉଁ ଦେହର ଦୁଇଟି ସ୍ଥାନରେ ମାଂସର ଉଦ୍‍ଗମ କେବଳ ସୂଚନା ମାତ୍ର ଦେଉଥିଲା, ଆଜି ସେଠି ଉଚ୍ଛ୍ୱାସ ଆସି ମୁଣ୍ଡ ପିଟି ଦେଇଚି । କେଉଁଠି ଥିଲା ଏ ମାଂସ, ଏ ରୂପ ଆଉ ଯୌବନ ! ଦିନେ ତାଙ୍କର ଦେହରୁ ଜନ୍ମ ହୋଇଥିଲା ଏଇ ପ୍ରବାଳମଞ୍ଜରୀ ! ସୁରେଶ୍ଵରୀ ଦେଈ ଅବାକ୍ ହୋଇ ଅନେଇ ରହନ୍ତି ନିଜର ଗର୍ଭଜାତ କନ୍ୟାକୁ ।

 

ତାସଖେଳ ଶେଷ କରି ଏତିକିବେଳେ ଭାଉଜମାନଙ୍କ ମେଳରୁ କ୍ଷୁଧାର ତାଡ଼ନାରେ ଦୌଡ଼ିଆସେ ମା’ ପାଖକୁ ପରାଗମଞ୍ଜରୀ । ଘରଭିତରେ ନିଜର ଗର୍ଭଧାରିଣୀ ମା’ ପାଖରେ ଆର୍ଦୋଳି, ଦେହର ପରିଧେୟ ଅସମ୍ବୃତ ହୋଇ ପଡ଼ିଚି, ବ୍ଲାଉଜ୍‍ର ଆକଟ ଯୋଗୁଁ ବିଦ୍ରୋହ ଘୋଷଣା କରି ବକ୍ଷର ମାଂସ ସ୍ତପ ଦୁଇଟା ଉନ୍ମୁଖ ହୋଇ ଝୁଙ୍କିପଡ଼ିଚି ଆଗକୁ । ପରାଗମଞ୍ଜରୀକି ଦେଖି କ୍ଷଣକ ଆଗରୁ ତାଙ୍କ ମନରେ ପ୍ରବାଳମଞ୍ଜରୀର ଯେଉଁ ଚିନ୍ତା ପ୍ରଭାବ ବିସ୍ତାର କରିଥିଲା, ତାହା ଆପଣା ଛାଏଁ ଅନ୍ତର୍ହିତ ହୋଇଗଲା । ଅଳିନ୍ଦରୁ ସୁରେଶ୍ଵରୀ ଦେଈ ପଳେଇ ଗଲେ ନିଜର ଶୋଇବା ଘର ଭିତରକୁ । ପଛେ ପଛେ ପରାଗମଞ୍ଜରୀ ଧାଇଁ ଯାଇ ଖଟ ଉପରେ ନାଥୁକରି ଗଡ଼ି ପଡ଼ି କହିଲା–

 

“ଭାରି ଭୋକ ହେଲାଣି, କ’ଣ ଖାଇବି ବୋଉ ?”

 

ଝିଅର କ୍ଷୁଧା ନିବୃତ୍ତିର ଆକୁତି ଶୁଣି ସୁରେଶ୍ଵରୀ ବୁଲି ପଡ଼ି ଅନେଇଲେ ପରାଗମଞ୍ଜରୀକି । ବିଛଣାରେ ଛାତି ମାଡ଼ି ହେଇ ଅନେଇଚି ତାଙ୍କର ଅଲିଅଳ ଝିଅ । ବ୍ଲାଉଜ୍‍ର ଉପର ପାଖର ଶେଷ ରେଖା ଟପି ବେକ ଆଡ଼କୁ ବହକି ପଡ଼ିଚି ଗୁଡ଼ାଏ ମାଂସ । କଟିବନ୍ଧର ତଳ ଆଡ଼କୁ ଲୁଗାରେ ଢାଙ୍କି ହେଇ ଉତ୍‍କ୍ଷିପ୍ତ ହେଇଚି ଦୁଇଟା ସୁବର୍ତ୍ତଳ ଗୋଲକ । ସୁରେଶ୍ଵରୀଙ୍କ ଆଖିରେ ବିଷ ଚଢ଼ିଗଲା ଯେମିତି ।

 

ମନେମନେ ସେ ବିରକ୍ତ ହେଇ କହିଲେ, ଏଥିରେ ପୁଣି ଆଉରି ଭୋକ ! ଝିଅର ଅଲକ୍ଷ୍ୟରେ ନିଜର ଦେହକୁ ଥରେ ଚାହିଁଦେବାକୁ କାହିଁକି ତାଙ୍କର ଇଚ୍ଛା ହେଲା । କିନ୍ତୁ ପାରିଲେନି । କ୍ଷଣକ ପରେ ସେ ଘରୁ ବାହାରି ଯାଉଁ ଯାଉଁ କହିଲେ, “ବାଞ୍ଛୁକୁ କହିବୁ ଯା, ଗୋଟା ଦି’ଟା ନଡ଼ିଆ ଛଡ଼େଇ ଦବ, ସମସ୍ତେ ମିଶି ମୁଢ଼ି ନଡ଼ିଆ ଖାଇବ ଯା । ଆଉ କିଛି ନାଇଁ...”

 

ମୀନକେତନକୁ ଏବେ ତେଇଶିବର୍ଷ ହେଲାଣି । ମଙ୍ଗରାଜଙ୍କ ସବୁ ପୁଅଙ୍କ ଭିତରେ ଦେଖିବାକୁ ସେ ଟିକେ ଅଧିକ ସୁନ୍ଦର । ମାତ୍ର ଏକ ଅକର୍ମା ଯୁବକ । ପାଠଶାଠ ତା’ଦେଇ ଆଉ ବେଶି ହେଲାନି । ବଡ଼ଚଣା ଇସ୍କୁଲ୍‍ରେ ସେଇ ମାଇନର୍ ଖଣ୍ଡକ ପାସ୍ କରିବାରେ ତା’ର ଷୋଳବର୍ଷ ବୟସ ଟପିଗଲା । ବିଳାସ ଆଉ ରୂପ ସାଧନାରେ ସେ ଯେତେ ସମୟ ବ୍ୟୟ କରେ, ସେଥିରୁ କିଛି ଅଂଶ ସେ ନିଜର ଉନ୍ନତି ଲାଗି ଖଟେଇ ପାରୁଥିଲେ ସେ ଆଜି ପରିବାରର ଗଳଗ୍ରହ ବୋଲି ବିବେଚିତ ହେଉ ନଥାନ୍ତା । ବିଳାସ ସାଧନା ସାଙ୍ଗକୁ ଗତ କେତେ ବର୍ଷ ହେଲା ସେ କଳାଚର୍ଚ୍ଚାରେ ମନ ଦେଇଚି । ଗାଁର ଆଉ କେତେକ ଅକର୍ମା ଯୁବକଙ୍କୁ ଏକଜୁଟ କରି ସେ ଗୋଟାଏ ଥିଏଟରଦଳ ଗଠନ କରିଚି । ଦଳର ନାଁ ରଖାହେଇଛି “କାତ୍ୟାୟିନୀ ଥିଏଟର ।” ବର୍ଷକୁ ବେଳେବେଳେ ତିନି ଥର ଅଭିନୟ ପ୍ରଦର୍ଶନ କରାଯାଏ–ଦୋଳ, ରଜ ସଂକ୍ରାନ୍ତି ଓ ଦଶହରା । କିନ୍ତୁ ସାଧାରଣ ଭାବରେ ଦୋଳ ଓ ଦଶହରାକୁ କାତ୍ୟାୟିନୀ ଥିଏଟର ପକ୍ଷରୁ ଦୁଇ ଥର ନାଟକ ଅଭିନୀତ ହେବା ନିଧାର୍ଯ୍ୟ ।

 

ଜନ୍ମେଜୟ ମଙ୍ଗରାଜ ପ୍ରଥମେ ପ୍ରଥମେ ମୀନକେତନର ଏପରି ନାଟ୍ୟପ୍ରିୟତାର ଘୋର ବିରୋଧ କରୁଥିଲେ । କିନ୍ତୁ ଯେଉଁ ବର୍ଷ ଦଶହରାକୁ ପ୍ରଥମ କରି କଟକରୁ ସିନ୍ ଓ ପୋଷାକପତ୍ର ପ୍ରଭୃତି ଭଡ଼ାରେ ଆଣି ଦାଣ୍ଡରେ ‘ପର୍ଶୁରାମ ଦର୍ପଚୂର୍ଣ୍ଣ’ ନାଟକ ସେମାନେ ଅଭିନୟ କଲେ, ସେହି ଦିନଠାରୁ କାବ୍ୟ–ରସିକ ଜନ୍ମେଜୟ ପୁଅର କଳାସାଧନା ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ । ବିଶେଷ କଥା, ପିତା ଜନ୍ମେଜୟ ଯେତେବେଳେ ଜଣିଲେ ଯେ ଅଭିନୀତ ହୋଇଥିବା ନାଟକକୁ ନିଜ ପୁତ୍ର ମୀନକେତନ ରଚନା କରିଚି, ସେତେବେଳେ ସେ ଆନନ୍ଦରେ ବିଭୋର ହୋଇଗଲେ । କେତେ କାବ୍ୟକବିତା, ଛନ୍ଦ, ଚଉପଦୀ ସେ ପଢ଼ିଛନ୍ତି । ପଢ଼ି ପଢ଼ି ସେଗୁଡ଼ିକୁ କଣ୍ଠସ୍ଥ ମଧ୍ୟ କରିଚନ୍ତି । କେତେକ କାବ୍ୟ କବିତା ଓ ଛାନ୍ଦ ଚଉପଦୀର ବିଷୟବସ୍ତୁକୁ ସେ ନିଜର ଦାମ୍ପତ୍ୟ ଜୀବନରେ ରୂପଦାନ କରିବାକୁବି ଭୁଲି ନାହାନ୍ତି । ଯେତେହେଲେ ସେ ସବୁ ଥିଲା ଅନ୍ୟ ପ୍ରତିଭାର ଆହରଣ । ଅନ୍ୟ ଉଦ୍ୟାନର ପୁଷ୍ପ ସୌରଭ ଆସି ନିଜ ଅଙ୍ଗନରେ ଚହଟି ଯାଉଥିଲା । ଆଜି ନିଜ ଉଦ୍ୟାନରେ ପ୍ରସ୍ଫୁଟିତ ହେଇଚି ସୁରଭି ପୁଷ୍ପ । ଏସବୁ ଭାବି ଜନ୍ମେଜୟ ବାସ୍ତବିକ ବିଭୋର ହୋଇ ପଡ଼ିଚନ୍ତି । ନାଟକର ଅଭିନୟରେ ନିଜେ ମଧ୍ୟ ମୀନକେତନ ଅଂଶଗ୍ରହଣ କରିଥିଲା । ସେ ଗ୍ରହଣ କରିଥିଲା ରାମଚନ୍ଦ୍ରର ଭୂମିକା । କାର୍ତ୍ତିବୀର୍ଯ୍ୟାର୍ଜ୍ଜୁନର ଅତ୍ୟାଚାରରେ ଅତିଷ୍ଠ ହେଇ ପୃଥିବୀକୁ ଏକୋଇଶ ଥର ନିଷ୍କ୍ରିୟ କରିବା ପରେ ପୌରାଣିକ କାଳରେ ଯେଉଁ ପରଶୁରାମ ବିରାଟ ବୀରପୁରୁଷରୂପେ ପରିଚିତ ହୋଇଥିଲା, ତାହାର ପରାଜୟକୁ ସେ ଦେଖିଚନ୍ତି ନିଜର ଔରସଜାତ ପୁତ୍ର ହାତରେ । ମୀନକେତନର ଅଭିନୟବେଳେ ଉଚ୍ଛ୍ଵସିତ କରତାଳି ଧ୍ୱନି ପଡ଼ିଥିଲା, ଲୋକେ ଧନ୍ୟ ଧନ୍ୟ କହିଥିଲେ । ସେହି ସବୁ ଉଚ୍ଚ ପ୍ରଶଂସା ଜନ୍ମେଜୟଙ୍କୁ ଆହୁରି ଉତ୍ତେଜିତ କରିଚି । ଫଳରେ କାତ୍ୟାୟିନୀ ଥିଏଟରର ଉନ୍ନତିପାଇଁ ସେ ନଗଦ ଶହେ ଟଙ୍କା ଓ ପୋଷାକପତ୍ର ପାଇଁ କେତେ ଖଣ୍ଡ ମୂଲ୍ୟବାନ ପୁରୁଣା ପାଟ ବନାରସୀ ଶାଢ଼ି ଦାନ କରି ଦେବାକୁ କୁଣ୍ଠିତ ହୋଇ ନାହାନ୍ତି ।

 

ମୀନକେତନ ଥିଏଟର ଦଳ ଆରମ୍ଭ କରିବାରେ ପ୍ରାୟ ଛ’ ସାତବର୍ଷ ହୋଇଗଲାଣି । ଏହି ଛ’ ସାତବର୍ଷ ଭିତରେ ପଲ୍ଲୀ ଅଞ୍ଚଳରେ ତାହାର ପ୍ରତିପତ୍ତି ଖୁବ୍ ବଢ଼ିଯାଇଛି । କଦମ୍ବପାଳର ଦେଖାଦେଖି ପାଖଆଖ ଗ୍ରାମରେ ନୂଆ ନୂଆ ଥିଏଟରଦଳ ଗଢ଼ି ଉଠିବାରେ ଲାଗିଛି । ଥିଏଟର ବିଷୟରେ ପରାମର୍ଶ ଓ ମୀନକେତନର ନାଟକ ଅଭିନୟର ଅନୁମତି ସହ ସେଗୁଡ଼ିକୁ ଉତାରି ନେବାକୁ ସାମୟିକ ଭାବରେ କେତେ ଯୁବକ ମଙ୍ଗରାଜଙ୍କ ଚଉପାଢ଼ିକି ଆସିବାରେ ଲାଗିଲେ । ଗତ କେତେ ବର୍ଷ ଧରି ଚଉପାଢ଼ିଟି ମୀନକେତନର ଏକାନ୍ତ ସାଧନା ପୀଠରେ ପରିଣତ ହେଇଚି । ସେ ଗୃହର ବାୟୁମଣ୍ଡଳକୁ ମୁଖରିତ କରି କେତେବେଳେ ଭାସିଉଠୁଚି ଅଭିନୟର ଗୁରୁଗମ୍ଭୀର ନାଦ, କେତେବେଳେ କରୁଣ ଧ୍ଵନି, ବିଲାପର ମୂର୍ଚ୍ଛନା ଏବଂ କେତେବେଳେ ହର୍ଷମୁଖର ଆନନ୍ଦର କୋଳାହଳ । ସମୟେ ସମୟେ ସଙ୍ଗୀତର ସ୍ଵର ସାଧନା ଭିତରେ ଫୁଟିଉଠେ ହାରମୋନିୟମ୍ ଓ ବେହେଲାର ସ୍ୱର–ଝଙ୍କାର ଏବଂ ଡୁଗି ତବଲାର ଚାଟି । ବେଳେବେଳେ ଦୋମହଲାର ହଲଘରେ ବସି ଜନ୍ମେଜୟ ଏହି ସବୁ ନାଦ, ନିଦାନ ଓ ସ୍ଵର–ଝଙ୍କାର ନିବିଷ୍ଟ ମନରେ ଶୁଣନ୍ତି । ତାଙ୍କୁ ଯେମିତି ଜଣାଯାଏ, ଏଇଟା ସ୍ୱର୍ଗ, ନୃତ୍ୟ–ସଙ୍ଗୀତ ନିଦାଦିତ ସୁଧର୍ମା ସଭାର ଖୁବ୍ ନିକଟରେ ସେ ବସିଛନ୍ତି ଆସି । ଯେମିତି ବଂଶର ଖାନ୍‍ଦାନୀଟା ଏତେଦିନେ ପୂର୍ଣ୍ଣାଙ୍ଗ ରୂପ ଲାଭ କରିଛି । ଆନନ୍ଦରେ ମସ୍‍ଗୁଲ ହେଇ ଗୁଡ଼ାଖୁ ନଳିଟାକୁ ଖୁବ୍ ଜୋରରେ ଶୋଷି ନେଇ ସେ ଗୁଡ଼ାଏ ଧୂଆଁ ଉଡ଼େଇ ଦିଅନ୍ତି କୋଠରୀ ଭିତରେ ।

 

ଏହି ନାଟ୍ୟ–ସଙ୍ଗୀତ–ନୃତ୍ୟକଳାର ସାଧନା ଭିତରେ ମୀନକେତନ ଯେଉଁ ଚାରିତ୍ରିକ ସ୍ଖଳନ ପଥରେ ଓହ୍ଲେଇ ଯାଉଥିଲା, ଜନ୍ମେଜୟ ସେ ଦିଗକୁ ଅନେକ ଦିନ ଯାଏଁ ଜାଣିପାରି ନଥିଲେ-। ଦିନେ ସେ ତା’ର ସନ୍ଧାନ ପାଇଲେ ଏକ ଗଭୀର ନିଶୀଥର ନିସ୍ତବ୍ଧ ମୁହୂର୍ତ୍ତରେ । ପଡ଼ୋଶୀ ଗ୍ରାମରେ ଗୋଟିଏ ପଞ୍ଚାୟତ ଶେଷ କରି ଘରକୁ ଫେରୁ ଫେରୁ ପ୍ରାୟ ରାତି ଗୋଟାଏ ହେଇଗଲା-। ମଙ୍ଗରାଜେ ଯେତେବେଳେ ନିଜ ଦାଣ୍ଡର ସୀମା ସ୍ପର୍ଶ କଲେ, ସେତେବେଳେ ନିରନ୍ଧ୍ର ଅନ୍ଧକାର ଭିତରେ ନିର୍ଜନତା ସେହି କ୍ଷୁଦ୍ର ପରିବେଶ ଭିତରେ ଏକଛତ୍ର ଶାସନ ଜାହିର କରି ବସିଚି । ଆଗରେ ଚାଲିଗଲା ଗୋଟିଏ ନାରୀମୂର୍ତ୍ତି, ଗୋଟିଏ ଯୁବତୀ ନାରୀର ପଦଲୀଳା ସେହି ଅନ୍ଧକାର ଭିତରେ ମଙ୍ଗରାଜଙ୍କ ସମସ୍ତ ଦୃଷ୍ଟିଶକ୍ତିକୁ ଆକର୍ଷଣ କରିନେଲା । ସେ ସ୍ତବ୍ଧ ହୋଇଗଲେ । ସେଇ ନାରୀମୂର୍ତ୍ତିଟି ଚାଲିଗଲା ଚଉପାଢ଼ି ଆଡ଼କୁ । ପାହାଚ ଉପରେ ଚଢ଼ି ବରଣ୍ଡାକୁ ଉଠି ଘର ଭିତରକୁ ପଶିଗଲା ସେଇ ଯୁବତୀଟି । ଚଉପାଢ଼ିର କବାଟ ଅଧ ମୁକୁଳା ହେଇ ରହିଚି । ଲଣ୍ଠନ ଆଲୁଅର ଗୋଟିଏ ତୀର୍ଯକ ରେଖା ଅନ୍ଧକାରର ବକ୍ଷ ଭେଦ କରିବା ଭିତରେ ସେଇ ଯୁବତୀଟିକି ନିଜସ୍ଵ କରିନେଲା । ପର ମୁହୂର୍ତ୍ତରେ ବନ୍ଦ ହୋଇଗଲା କବାଟ । ତଥାପି ମଙ୍ଗରାଜେ ଅନେଇ ରହିଲେ ଚଉପାଢ଼ିକି । ସେ ନିଧାର୍ଯ୍ୟ ଭାବରେ ମନେ କଲେ, ଚଉପାଢ଼ି ଭିତରେ ଅଛି କେବଳ ମୀନକେତନ, ଆଉ କେହି ନାହାନ୍ତି । ମୁଣ୍ଡରେ ତାଙ୍କର ବଜ୍ର ପଡ଼ିଲା ପରି ଲାଗିଲା । ରକ୍ତରେ ନିଆଁ ଲାଗିଗଲା ଯେମିତି । ମନେ କଲେ, ସେ ଖୁବ୍ ଜୋରରେ ମୀନକେତନକୁ ଡାକନ୍ତେ । କିଏ ସେଇ ଝିଅ, ତାଙ୍କର କଳାସାଧକ ପୁଅକୁ ନରକର ପଥକୁ ଟାଣି ନେଉଚି ? ତାକୁ ଝିଙ୍କି ଆଣନ୍ତେ ସେ ପଦାକୁ । ଗୋଟାଏ ଗୋଇଠା ମାରି ଚଉପାଢ଼ିର କବାଟ ଭାଙ୍ଗିଦେଇ ସବୁ ଅଭିନୟ ଆଜି ସେ ଶେଷ କରି ଦିଅନ୍ତେ । ଅନେକ କଥା ଭାବିଗଲେ ଜନ୍ମେଜୟ । କିନ୍ତୁ କିଛି କରିପାରିଲେନି ।

 

ଆହୁରି ତିନି ମିନିଟ ସେ ସେଇପରି ସ୍ତବ୍ଧତା ଭିତରେ କାଟିଦେଲେ । ନା, ଆଉ ଡେରି କରିବା ବିପଦ । ପାଞ୍ଚ ପହଣ୍ଡ ସେ ଆଗେଇ ଗଲେ ଚଉପାଢ଼ି ଆଡ଼କୁ । ପାଦ ତଳେ ଜୋତାର ଶବ୍ଦ ତାଙ୍କର ହଠାତ୍ ବନ୍ଦ ହେଇଗଲା । ମୀନକେତନ ବର୍ତ୍ତମାନ କି ଅବସ୍ଥାରେ ଥିବ ! ମୁଣ୍ଡରେ ତାଙ୍କର ରକ୍ତ ଚଢ଼ିଗଲା । ନିଜକୁ ବହୁ କଷ୍ଟରେ ସଂଯତ କରି ସେ ବୁଲି ପଡ଼ିଲେ ପଛକୁ । ପାଦର ଜୋତା ଦି’ଗୁଣ ଶବ୍ଦରେ ମଚମଚ ହେଇ ଉଠିଲା । ଚଉପାଢ଼ି କି ନୁହେଁ, ଘର ଆଡ଼କୁ ଚାଲିଲେ ଜନ୍ମେଜୟ ।

 

ସଦର ଦରଜା ଆଉଜେଇ ଦେଇ ବାବୁଙ୍କୁ ଅପେକ୍ଷା କରି କରି ବାଞ୍ଛା ବନ୍ଧ ଆରପଟେ କେତେବେଳୁ ଶୋଇ ପଡ଼ିଚି । ଜୋତା ମିଶା ଗୋଡ଼ରେ ମଙ୍ଗରାଜେ ଅଜାଣତରେ ଚଢ଼ିଗଲେ ବାଞ୍ଛା ଉପରେ । ନିଃସହାୟ ଭୃତ୍ୟଟା ଯନ୍ତ୍ରଣାରେ ଚିତ୍କାର କରି ଉଠିଲା । ମଙ୍ଗରାଜେ କିନ୍ତୁ ସେଥିପ୍ରତି ଭ୍ରୂକ୍ଷେପ କଲେନି । ନିଜ ମୁନିବର ପଦ–ପ୍ରହାର ଜାଣି ବାଞ୍ଛା ମଧ୍ୟ ସମ୍ପୂର୍ଣ୍ଣ ନୀରବ ହେଇଗଲା ।

 

ଚଉପାଢ଼ିର ପ୍ରକୋଷ୍ଠ ବାହାରେ ଯେଉଁ ବିଷମୟ ଅବସ୍ଥା ଘଟିଗଲା, ତାହା କିନ୍ତୁ ମୀନକେତନ ପକ୍ଷରେ ସମ୍ପୂର୍ଣ୍ଣ ଅଜ୍ଞାତ ରହିଗଲା । ଯୁବତୀଟି ମଧ୍ୟ ନିଜର ଚଳଚଞ୍ଚଳ ଅଭିସାର ଭିତରେ ତା’ ପଛରେ କାହାର ଯେ ପ୍ରଖର ଦୃଷ୍ଟି ପ୍ରଧାବିତ ହେଇଚି, ତାହା ଆଦୌ ଜାଣିବାର ଅବସର ପାଇ ନଥିଲା । ବିଶେଷ କଥା, ନାଚଖାନା ତଳର ଅନ୍ଧକାର ଭିତରେ ମଙ୍ଗରାଜଙ୍କ ଅସ୍ତିତ୍ଵ ଅନୁଭବ କରିବା ଆଗରୁ ଯୁବତୀଟି ଆପେ କବାଟ ବନ୍ଦ କରି ଦେଇ ପ୍ରଣୟୀ ପାଖରେ ନିଜର ଉପସ୍ଥିତି ଘୋଷଣା କରି ଦେବାପାଇଁ ବ୍ୟଗ୍ର ହୋଇ ପଡ଼ିଥିଲା । ଚଉପାଢ଼ିର ନିକଟବର୍ତ୍ତୀ ଅଞ୍ଚଳରୁ ମଙ୍ଗରାଜେ ଦୁଇ ଗୁଣ ଶବ୍ଦରେ ଜୋତା ମଚମଚ କରି ଯେତେବେଳେ ଗୃହ ଅଭିମୁଖରେ ଫେରି ପଡ଼ିଲେ, ସେତେବେଳେ ଯୁବକ ଓ ଯୁବତୀ ଉଭୟେ ନିରୁପାୟ । ଆଗରୁ ଚଉପାଢ଼ିର ଝରକା ବନ୍ଦ ହେଇ ରହିଥିଲା, ପରେ ଅର୍ଦ୍ଧ ଉନ୍ମୁକ୍ତ ଦ୍ଵାର ବନ୍ଦ ହେଇ ଯାଇଚି । ନିର୍ଜନ ନିଶୀଥର ନିଭୃତ ପ୍ରକୋଷ୍ଠ ଭିତରେ ଦୁଇଟି ଯୁବକ ଓ ଯୁବତୀ । ହୁଏତ ପୃଥିବୀର ଆଉ କୌଣସି ସତ୍ତା ଅଛି ବୋଲି ସେମାନଙ୍କ ମନରେ ସ୍ଥାନ ନଥିବ । ହୁଏତ ଯୁବତୀକୁ ବିବସ୍ତ୍ର କରି ତା’ର ଅପୂର୍ବ ଯୌବନଶ୍ରୀ ଦେଖିବାପାଇଁ ଯୁବକଟି ପ୍ରଯତ୍ନ କରିଥିବ । ଯୁବତୀଟି ଚାପି ଧରିଥିବ ନିଜର ପରିଧେୟ । ହୁଏତ କଳାସାଧକ ପ୍ରଣୟୀର ଅଦ୍ଭୁତ ପ୍ରେମପ୍ରବଣତାରେ ଅତିଷ୍ଠ ହେଇ ବିବସ୍ତ୍ର ଅବସ୍ଥାରେ ଯୁବତୀଟି ଆତ୍ମସମର୍ପଣ କରିଥିବ । ତାହାପରେ ନିଭି ଯାଇଥିବ ଆଲୋକ । ଅନ୍ଧକାର ଭିତରେ ସୃଷ୍ଟି ହେଇଥିବା ଦୁଇଟି ହୃଦୟର ଅପୂର୍ବ ମିଳନ; କିମ୍ବା ଜଳି ଉଠିଥିବ ଆଲୋକ ପ୍ରଖର ଭାବରେ, ଆଉ ସେଇ ଆଲୋକକୁ ଉଦ୍ଭ୍ରାନ୍ତ କରି ଦେଇଥିବ ଦୁଇଟି ଦେହର ଉନ୍ମୁକ୍ତ ଯୌବନ, ଆଉ ମିଳନର ହର୍ଷମୁଖର ଆନନ୍ଦ । ଜୈବିକ ଆନନ୍ଦର ଏଇ ଶ୍ରେଷ୍ଠ ଐଶ୍ୱର୍ଯ୍ୟ ପାଖରେ ବାହାରର ଝଡ଼ ଝଞ୍ଜା ନିରର୍ଥକ ଭାବରେ ମୁଣ୍ଡ ପିଟିଯିବାରେ ଲାଗିଲା ।

 

ମଙ୍ଗରାଜଙ୍କୁ ରାତିରେ ଆଉ ନିଦ ହେଲାନି । ମାନସିକ ଉତ୍ତେଜନା ଯୋଗୁଁ ରାତିରେ ସେ ମଧ୍ୟ କିଛି ଖାଇପାରି ନଥିଲେ । ବିଛଣାରେ ପଡ଼ି ପଡ଼ି ସେ ଆକାଶପାତାଳ ଅନେକ ଚିନ୍ତା କରିବାକୁ ଲାଗିଲେ । ସେ ମନେମନେ ଭାବିଲେ, ଚଉପାଢ଼ିକୁ ଭାଙ୍ଗି ଧ୍ଵଂସ କରି ଦିଅନ୍ତେ । ‘କାତ୍ୟାୟିନୀ’ ଥିଏଟର ଦଳକୁ ଦିଅନ୍ତେ ନିଶ୍ଚିହ୍ନ କରି କରି । ପୁଅର କଳାସାଧନାକୁ ଧିକ୍ ! ତାକୁ ସେ ତଣ୍ଟିଆ ମାରି ବିଦା କରି ଦିଅନ୍ତେ ଏ ଘରୁ । ଆଉ ସେ ଝିଅଟାକୁ ଟାଣି ଆଣି ଦାଣ୍ଡରେ ସମସ୍ତଙ୍କ ଆଗରେ ଚଢ଼େଇ ଦିଅନ୍ତେ ଚାବୁକ୍ । ଭାବି ଭାବି ଉଠିପଡ଼ିଲେ ବିଛଣାରୁ । ଝରକା ପାଖରେ ଠିଆ ହେଇ ଦାଣ୍ଡକୁ ଅନେଇଲେ । ଘୋର ଅନ୍ଧକାର ଭିତରେ ବୁଡ଼ି ରହିଚି ନାଚଖାନା ଆଉ ଚଉପାଢ଼ି । ରାସ୍ତା ସେ ପାଖର ଆମ୍ବତୋଟା ତଳେ ଗୋଟାଏ ନାରୀମୂର୍ତ୍ତି ଯେମିତି ଅନ୍ଧକାରରେ ମିଶି ମିଶି ଯାଉଚି । କୋଠା ଉପରୁ ଡେଇଁପଡ଼ି ସେଇ ନାରୀମୂର୍ତ୍ତିଟାକୁ ଧରି ପକେଇବାକୁ ମଙ୍ଗରାଜଙ୍କ ଇଚ୍ଛା ହେଲା । କିନ୍ତୁ ତାଙ୍କ ପକ୍ଷରେ ସେପରି କରିବା ଅସମ୍ଭବ । ଆଗରେ ଝରକାର ରେଲିଂ, ତା’ପରେ କୋଠା ଆଉ ଆମ୍ବତୋଟା ଭିତରେ ଅନେକ ବ୍ୟବଧାନ । ଝରକା ପାଖରୁ ଫେରିଆସି ମଙ୍ଗରାଜେ ଟେବୁଲ ଉପରେ ଥୁଆ ହୋଇଥିବା ବଡ଼ ଟର୍ଚ୍ଚଟାକୁ ଉଠେଇ ସାମ୍ନାକୁ ଟିପିବାକୁ ଚେଷ୍ଟା କଲେ । କିନ୍ତୁ ସେଇ ନାରୀମୂର୍ତ୍ତିଟା ପ୍ରତି ତାଙ୍କର ଦୟା ହେଲା ଯେମିତି । ନାରୀଟିର ଉପରେ ଆଲୁଅ ନ ପକାଇ ସେ ତା’ର ଆଗକୁ ଟିପିଲେ ବତୀ । ମଙ୍ଗରାଜେ ମନେ କଲେ; ଯେମିତି ତାହାହିଁ ଯଥେଷ୍ଟ । ନିଜ ପୁଅ, ଆଉ ଗୋଟିଏ ଯୁବତୀର ବ୍ୟଭିଚାର କଦମ୍‍ପାଳର ଜମିଦାର ଜନ୍ମେଜୟ ମଙ୍ଗରାଜ ଜାଣିପାରିଚି, ତାହାହିଁ ଯଥେଷ୍ଟ ।

 

ଆଲୋକ ଚରଖାର ଆକସ୍ମିକ ପ୍ରକାଶରେ ଯୁବତୀଟି ଚମକି ପଡ଼ି ଠିଆ ହେଇଗଲା । ତା’ପରେ ସେଇ ଆଲୋକ ରେଖାର ଆଗମନର ଗତି ଅନ୍ୱେଷଣ କରି ଅନେଇଲା କୋଠାର ଝରକାଆଡ଼େ । ମଙ୍ଗରାଜଙ୍କ ଇଚ୍ଛା ନଥିଲେ ମଧ୍ୟ ହାତର ଅସ୍ଥିରତା ହେତୁ ହଠାତ୍ ସେଇ ଯୁବତୀଟି ମୁହଁରେ ବିଚ୍ଛୁରିତ ହେଲା ଟର୍ଚ୍ଚବତୀର ଆଲୁଅ ଯୁବତୀଟି ଚାହିଁଛି ଅପଲକ ଆଖିରେ ଝରକା ଆଡ଼େ-। ଝରକାର ଆଲୁଅ ଅଜାଡ଼ି ହେଇ ପଡ଼ିଚି ଯୁବତୀଟି ମୁହଁରେ । ଯୁବତୀକି ମଙ୍ଗରାଜେ ଅନେକାଂଶରେ ଚିହ୍ନିପାରିଲେ । ପରାଗମଞ୍ଜରୀର ଘନିଷ୍ଠ ସଙ୍ଗିନୀ ସୋଶୀଳା, ବଂଶୀ ଜେନାର ଭାଇ ପରୀକ୍ଷିତ ଜେନାର ଝିଅ । ହାତରୁ ଟର୍ଚ୍ଚବତୀଟି ଖସିପଡ଼ିଲା । ମଙ୍ଗରାଜେ ସ୍ତମ୍ବିତ ହେଇ ତଳେ ବସି ପଡ଼ିଲେ । ତାଙ୍କର ଝିଆରୀ ଏହି ସୋଶୀଳା । ମୀନକେତନର ହବ ଭଉଣୀ-

 

କିଛି ସମୟ ପରେ ତଳ ଖଞ୍ଜାରେ ପିଲାମାନଙ୍କର ପାଟି ଶୁଣାଗଲା । ଅନୁଛାୟା ଦେଈଙ୍କର ଭାରି କାଶ ଉଠିଚି ଆଜି । ଖୁବ୍ ବୁଢ଼ୀ ହେଇଗଲେଣି, ଅଶୀବର୍ଷ ବୟସ ହେଲାଣି, ତଥାପି ତାକତ ଅଛି । ଖାଲି କାଶଟା ମଝିରେ ମଝିରେ ତାଙ୍କୁ କାବୁ କରି ଦେଉଚି । ପ୍ରାୟ ପନ୍ଦର ମିନିଟ୍ କାଳ ବୁଢ଼ୀର କାଶ ଶୁଣି ଶୁଣି ମଙ୍ଗରାଜେ ଅଧୈର୍ଯ୍ୟ ହେଇ ପଡ଼ିଲେ । ତା’ରି ଭିତରେ ସେ ଭୁଲିଗଲେ ଅନ୍ୟ ସବୁ କଥା । କେତେବେଳକେ ବିଛଣାରେ ଆସି ଗଡ଼ିପଡ଼ିଲେ । ସେ ପର୍ଯ୍ୟନ୍ତ ବାୟୁତରଙ୍ଗ ଭିତରେ ଅନୁଛାୟା ଦେଈଙ୍କ କାଶର ଶବ୍ଦ ଭାସି ଆସୁଚି । ଏହି ସମୟରେ ପାହାଚରେ କାହାର ପାଦ ଶବ୍ଦ ଶୁଣାଗଲା । ତାହାପରେ ଦରଜାରେ ମୃଦୁ କରାଘାତର ଶବ୍ଦ ।

 

ଚକିତ ହେଇ ଅନେଇଲେ ମଙ୍ଗରାଜେ ।

 

କିଏ !

 

ମଙ୍ଗରାଜେ ବିଛଣାରୁ ଉଠି ଆସି କବାଟ ଖୋଲିଲେ । ଆଗରେ ଗୋଟିଏ ନାରୀମୂର୍ତ୍ତିର ଆବିର୍ଭାବ ଘଟିଲା । ମୂର୍ତ୍ତିଟି ପୁଣି ସୁବାସିତା । ହାତରେ ଗୋଟିଏ ପାତ୍ର । ନାରୀମୂର୍ତ୍ତିର ତନୁର ସେଇ ସୁବାସ ଖୁବ୍ ଉଚ୍ଚ ଧରଣର ନହେଲେ ମଧ୍ୟ ମଙ୍ଗରାଜେ ସେଥିରୁ ଘନିଷ୍ଠ ପରିଚୟ ଓ ଗୂଢ଼ ଉଦ୍ଦେଶ୍ୟର ସୂଚନା ପାଇଲେ । ନାରୀଟି ଆଉ କେହି ନୁହେଁ, ନିଜେ ସୁରେଶ୍ଵରୀ ଦେଈ, ମଙ୍ଗରାଜଙ୍କ ପତ୍ନୀ ।

 

ଘର ଭିତରକୁ ପଶି ଆସିଲେ ସୁରେଶ୍ଵରୀ ଦେଈ । କବାଟ ବନ୍ଦ କରି ଦେଇ ଆସି ମଙ୍ଗରାଜ ଲ୍ୟାମ୍ପ ଲଗେଇ ଆଲୁଅ ଜାଳିଲେ । ଟେବୁଲ ଉପରେ ହାତର ଗ୍ଲାସ୍‍ଟାକୁ ରଖିଦେଇ ସୁରେଶ୍ଵରୀ ଦେଈ କହିଲେ–

 

“ତମେ କାହିଁକି ଆଜି ଖାଇଲନି ? ସେତିକିବେଳୁ ମୁଁ ବସି ତମରି କଥା ଭାବୁଚି । କ’ଣ ହେଲା ?”

 

ମଙ୍ଗରାଜ ନିରୁତ୍ତର ।

 

କିନ୍ତୁ ସୁରେଶ୍ଵରୀ ଦେଈଙ୍କ ପ୍ରଶ୍ନ ସାଙ୍ଗେ ସାଙ୍ଗେ ପଛକଥା ତାଙ୍କର ପୁଣି ମନେ ପଡ଼ିଗଲା । ଆଗକୁ ଚାଲି ଯାଇ ସେ ସାମ୍ନା ଝରକା ବନ୍ଦ କରି ଦେଇ ଆସିଲେ । ମୁହଁଟା ତାଙ୍କର ଖୁବ୍ ଭାରି ହେଇ ଯାଇଚି ଯେମିତି । ତାଙ୍କ ମୁହଁକୁ ଅନେଇ ସୁରେଶ୍ଵରୀ ଦେଈ ଯେମିତି ଭୟ ପାଇଲେ । ଆଉ କିଛି କହିବାକୁ ଇଚ୍ଛା ନ କରି ଟେବୁଲ ଉପରୁ ଗ୍ଲାସ୍‍ଟାକୁ ଉଠେଇ ଆଣି କହିଲେ–

 

“ଥାଉ, କିଛି କଥା ଆଉ ମୁଁ ପଚାରିବାକୁ ଚାହୁଁନି । ଗରମ କରି ଆଣିଚି, ଖାଲି ଏଇ ଦୁଧତକ ପିଇଦିଅ ।”

 

ସ୍ତ୍ରୀଙ୍କ ମୁହଁକୁ ଥରେ ଅନେଇ ଦେଇ ତା’ପରେ ଦୁଧତକ ଏକ ନିଃଶ୍ୱାସରେ ଢକଢ଼କ କରି ସେ ପିଇ ଦେଲେ । ହଁ, ଖୁବ୍ ଭୋକ ହେଉଥିଲା ତାଙ୍କୁ । ସେ କଥା ତାଙ୍କର ସ୍ତ୍ରୀ ଛଡ଼ା ଆଉ କିଏ ବୁଝନ୍ତା ?

 

ଖଟ ବାଡ଼ରୁ ତଉଲିଆ ଆଣି ମଙ୍ଗରାଜେ ବଡ଼ବଡ଼ ନିଶ ଯୋଡ଼ାକରୁ ଦୁଧର ଚିଟା ଆଉ ନାଳି ସର ପୋଛିନେଲେ । ପଣତର ଗଣ୍ଠି ଫିଟେଇ ଦିଖଣ୍ଡ ପାନ କାଢ଼ିଲେ ସୁରେଶ୍ଵରୀ ଦେଈ । ସ୍ଵାମୀଙ୍କ ହାତକୁ ପାନ ଦିଖଣ୍ଡ ବଢ଼େଇ ଦେଇ ତା’ପରେ ସେ ହୁକା ସାଜି ଦେବାକୁ ଚେଷ୍ଟା କଲେ । ସେଥିରେ ତାଙ୍କୁ ବାଧା ଦେଇ ମଙ୍ଗରାଜେ ସୁରେଶ୍ଵରୀ ଦେଈଙ୍କ ହାତକୁ ନିଜ ଆଡ଼କୁ ଭିଡ଼ି ଆଣିଲେ-। ଏସବୁ ଯେମିତି ଅନେକ ବିସ୍ମୃତ ଦିନର କଥା । ସୁରେଶ୍ଵରୀ ଦେଈଙ୍କି ଏବେ ଆସି ପ୍ରାୟ ପଚାଶବର୍ଷ ହେଲାଣି । ତଥାପି ସ୍ୱାମୀଙ୍କର ଆଜିର ଏଇ ଆକର୍ଷଣରେ ତାଙ୍କ ଅଙ୍ଗପ୍ରତ୍ୟଙ୍ଗରେ ଶିହରଣର ଗୋଟାଏ ଢେଉ ଛୁଟିଗଲା । ମୁଣ୍ଡର ଲୁଗାଟାକୁ ସେ ଭଲ କରି ଟିକେ ଟାଣିଦେଲେ-। ଯେମିତି ତିରିଶବର୍ଷ ତଳର ବଧୂର ରୂପ ପ୍ରକାଶ ପାଇଲା ତାଙ୍କ ଦେହରେ । ସୁରେଶ୍ଵରୀ ହଠାତ୍ କହି ପକେଇଲେ, ପିଲାମାନେ ସମସ୍ତେ ଯାଇ ଆଜି ଶୋଇଚନ୍ତି ତଳ ଖଞ୍ଜାରେ, ବୁଢ଼ୀଙ୍କର ଆଜି ଟିକେ କାଶ ଉଠିଚି ସିନା, ହେଲେ ପିଲାମାନେ କେହି ଉଠିବେନି । ଖାଲି ବଡ଼ବୋହୂ ତା’ ପିଲା ଦି’ଟାଙ୍କୁ ଧରି ଶୋଇଥିଲା ଉପର ଖଞ୍ଜାରେ । ସମସ୍ତେ ଶୋଇ ପଡ଼ିଚନ୍ତି ।

 

ଏ ସବୁ ସଙ୍କେତର ଅର୍ଥ ମଙ୍ଗରାଜେ ହୁଏତ ଭଲରୂପେ ବୁଝିଲେ । କିନ୍ତୁ ମୁହଁ ଖୋଲି କିଛି କହିଲେନି । ସେ ଏତିକି ଖୁବ୍ ବିଶ୍ଵସ୍ତ ଭାବରେ ଅନୁଭବ କଲେ ଯେ ନାରୀର ବୟସ ନାହିଁ । ଧର୍ମ ତା’ର ଗୋଟିଏ । ମୁହଁଟାକୁ ସେ ଥରେ ତଉଲିଆରେ ପୋଛି ପକେଇ ନିଶ ଦି’ପଟକୁ ହାତ ମାରି ସାଉଁଳେଇ ନେଲେ । ତା’ପରେ ଲ୍ୟାମ୍ପ ଆଲୁଅକୁ ନିଭେଇ ଦେଇ ଆଗର ବାତାୟନକୁ ମୁକ୍ତ କରିଦେଲେ । ସ୍ପର୍ଶ ମଧୁର ପବନ ଝଲକାଏ ପଶିଆସିଲା ଘର ଭିତରକୁ । ସୁରେଶ୍ଵରୀ ଦେଈଙ୍କ ଦେହରେ ଲାଗିଥିବା ବାସନା ତାହାର କ୍ରୀଡ଼ନକ ହେଲା ଯେମିତି ।

 

ଆଉ କିଛି ପ୍ରତିକାର ନ ଦେଖି ମୀନକେତନକୁ ବିପଥରୁ ଉଦ୍ଧାର କରିବା ଦୃଷ୍ଟିରୁ ଆଗାମୀ ବୈଶାଖରେ ତାକୁ ବିବାହ ଦେବା ସ୍ଥିର କରି ସେହି ରାତିରେ ମଙ୍ଗରାଜେ ସ୍ତ୍ରୀଙ୍କୁ ସେ କଥା ଜଣେଇଦେଲେ । କିନ୍ତୁ କଳାସାଧକ ପୁତ୍ରର ସ୍ଖଳନ ବିଷୟରେ ସେ ଯେଉଁ ସବୁ କଥା ଜାଣିଥିଲେ, ତାହା ସ୍ତ୍ରୀଙ୍କ ପାଖରେ ପୂରାପୂରି ପ୍ରକାଶ କରିପାରିଲେନି । ତେବେ ପରାଗମଞ୍ଜରୀ ଆଉ ସୋଶୀଳାର ସମ୍ପର୍କ ଯେପରି ଆଉ ଘନିଷ୍ଠ ନହୁଏ, ସେ ବିଷୟରେ ଦୃଷ୍ଟିଦେବାକୁ ସ୍ତ୍ରୀଙ୍କୁ କଡ଼ା ତାଗିଦ୍ କରିଦେଲେ । ସେହି କଥା କହୁଥିଲାବେଳେ ହଠାତ୍ ତାଙ୍କ ପାଟିରୁ ବାହାରି ପଡ଼ିଲା, ସୋଶୀଳାବି ବା’ ହେଇ ଯା’ନ୍ତାନି ଏହା ଭିତରେ !”

 

ତକିଆରୁ ମୁଣ୍ଡ ଟେକି ସ୍ୱାମୀଙ୍କ ମୁହଁକୁ ସେହି ଅନ୍ଧାର ଭିତରେ ଅନେଇଲେ ସୁରେଶ୍ଵରୀ ଦେଈ । କ’ଣ କହୁଛନ୍ତି ଇଏ ? କଥା କ’ଣ ? ମୁହଁ ଖୋଲି କିଛି ପଚାରିବାକୁ ସାହସ କଲେନି ।

 

ସ୍ଵାମୀଙ୍କ ମୁହଁରୁ ସେ ପୁଣି ଶୁଣିବାକୁ ପାଇଲେ, “ସୋଶୀଳା ବା’ ହେଇ ଏଠୁ ବିଦା’ ନହେଲେ ମୀନକେତନର ଦାମ୍ପତ୍ୟ ଜୀବନରେ ସେ କଣ୍ଟକ ହେଇ ଛିଡ଼ାହବ ।”

 

ସୁରେଶ୍ଵରୀ ଆଉ ସମ୍ଭାଳି ପାରିଲାନି । ଅର୍ଦ୍ଧଶାୟିତ ଅବସ୍ଥାରେ ସ୍ଵାମୀଙ୍କ ଉପରକୁ ଆଉଜି ଆସି କ୍ଷୁବ୍ଧ ସ୍ଵରରେ ପଚାରିଲେ, “ସତେ ଏ ସବୁ କ’ଣ କହୁଚ ତୁମେ ? ସୋଶୀଳା ସାଙ୍ଗରେ ମୀନର ସମ୍ପର୍କ କ’ଣ ? ମୋତେ ଏ ସବୁ କଥା ଏମିତି ଲୁଚଉଚ କାହିଁକି କହିଲ ?”

 

ଶେଷକୁ ସୁରେଶ୍ଵରୀ ଦେଈଙ୍କ କଥାରୁ ଯେମିତି ଅଶ୍ରୁ ଝରି ପଡ଼ିଲା । ସ୍ତ୍ରୀଙ୍କର ପାକଳ ଚମର ମୁହଁଟାକୁ ଛାତି ଉପରେ ଜାକିଧରି ସେ ସଂକ୍ଷେପରେ କହିଲେ, “ସେମିତି ଗୁରୁତର କଥା କିଛି ନୁହେଁ । ସେ ବିଷୟରେ ବଂଶୀ ଜେନା ସାଙ୍ଗରେ କଥା ହେବି । ତେବେ ଦରକାର ପଡ଼ିଲେ ତାକୁ ଭରଣେ ଦି’ ଭରଣ ଧାନ ଦବାକୁ ପଡ଼ିବ । ଏତିକି କହି ମଙ୍ଗରାଜେ ଗୋଟିଏ ଦୀର୍ଘ ନିଃଶ୍ଵାସ ମାରିଲେ । ଯେମିତି ପୂର୍ବରୁ ଏ ସବୁ କଥା ସେ ଆଦୌ ଭାବି ପାରୁ ନଥିଲେ । ବଂଶୀ ଜେନାକୁ ସାହାଯ୍ୟ ଦେବାପାଇଁ ଏ ଯେଉଁ କଥାଟା ବର୍ତ୍ତମାନ ମୁଣ୍ଡରେ ଜୁଟିଗଲା, ତାହା ଏକ ନିରାଟ ସଫଳତା । ବା’ଘରପାଇଁ ଭରଣେ ଓ ଆଉ ଭରଣେ ଧାନ ଘର ଖର୍ଚ୍ଚ ଲାଗି ପାଇଲେ ବଂଶୀ ଜେନା ନିଶ୍ଚୟ ଏ ଦିଗରେ ଆଗେଇ ଯିବ ବୋଲି ତାଙ୍କର ବିଶ୍ଵାସ ହେଲା । ଭାବୀ ସଫଳତାର ଆନନ୍ଦରେ ହଠାତ୍ ଉତ୍ତେଜିତ ହୋଇ ସେ ବିଛଣାରୁ ଉଠି ପଡ଼ିଲେ । ତାଙ୍କର ଇଚ୍ଛାହେଲା, ସେ ସୁରେଶ୍ଵରୀଙ୍କି ଟେକି ନିଅନ୍ତେ ନିଜର କୋଳକୁ । ତାଙ୍କୁ କୋଳରେ ଧରି ଘରସାରା ସେ ବୁଲି ଯାଆନ୍ତେ ସେଇ ଯୁବକକାଳ ପରି । କିନ୍ତୁ ସେ ଇଚ୍ଛା ଫଳବତୀ ନ କରି ସେ ଆକସ୍ମିକ ଭାବରେ ଯାଇ ଟେବୁଲ ଉପରେ ଆଲୁଅ ଜାଳି ଦେଲେ । ଫେରି ପଡ଼ି ସେ ଅନେଇଲେ ଖଟ ଆଡ଼କୁ; ଦେଖିଲେ, ପରିଧେୟର ବିଶ୍ରସ୍ତତା ଭିତରେ ସ୍ତ୍ରୀ ତାଙ୍କୁ ଏକ ଦୃଷ୍ଟିରେ ଚାହିଁ ରହିଚନ୍ତି ଅବାକ୍ ହେଇ । ତା’ପରେ ସେ ସ୍ତ୍ରୀଙ୍କ ପାଖକୁ ଫେରି ଆସି ଶିଶୁଟି ପରି ବସିପଡ଼ି କହିଲେ,

 

“ବର୍ତ୍ତମାନ ଅନେକ ମାନସିକ ଦୁଶ୍ଚିନ୍ତାକୁ କାଟି ଦେଇ ପାରିଚି ଉଦିତବୋଉ !”

 

ସୁରେଶ୍ଵରୀ ଦେଈ ସ୍ଵାମୀଙ୍କି ଆଉ କିଛି କଥା ପଚାରିବାକୁ ଇଚ୍ଛା କଲେନି । ସ୍ଵାମୀଙ୍କ ପାଖକୁ ସେ ଯେଉଁ ଆଶା ଘେନି ଆସିଥିଲେ, ତା’ ଏପର୍ଯ୍ୟନ୍ତ ପୂରଣ ହେଇନି । କିନ୍ତୁ ଉଦ୍ଦେଶ୍ୟ ପୂରଣ ହେଇଚି । ସେ ମୁଖ୍ୟତଃ ଆସିଥିଲେ ସ୍ଵାମୀଙ୍କ ମନର କଷ୍ଟ ଦୂର କରିବାପାଇଁ । ଆଉ ତାହା ଦୂର କରିବାର ଉପାୟରୂପେ ସେ ଯେଉଁ ଆଶାପୋଷଣ କରି ଆସିଥିଲେ, ତାହାର ଦିଗ ସ୍ଵତନ୍ତ୍ର । ଅନୁକୂଳ ପରିସ୍ଥିତି ଅଭାବରୁ ତାହା ବହୁତ ଦୂରରେ ରହିଛି, ଆଉ ସେ ଏପର୍ଯ୍ୟନ୍ତ ରହିଚନ୍ତି ବିପ୍ରଲବ୍ଧା-। ବର୍ତ୍ତମାନ ସ୍ଵାମୀଙ୍କ କଥା ଶୁଣି ସେ ଖୁବ୍ ଆଶ୍ଵସ୍ତ ହେଲେ ଯେମିତି । ଅଙ୍ଗବାସର ବିଶ୍ରସ୍ତତା ଭିତରେ ମେଦବହୁଳ ଦେହଟାକୁ ସେ ଘୁଞ୍ଚେଇ ଆଣିଲେ ସ୍ଵାମୀଙ୍କର ଆହୁରି ନିକଟକୁ-। ଆଲୁଅର ଆଭା ଭିତରେ ଦେହର ମାଂସଗୁଡ଼ାକ ଖୁବ୍ ଲୋଭନୀୟ ହୋଇ ଉଠିଲା ।

 

ଥରେ ହାତ ବୁଲେଇ ଆଣିଲେ ସେ ପତ୍ନୀଙ୍କ ପୃଥୁଳ ଅଙ୍ଗପ୍ରତ୍ୟଙ୍ଗ ଉପରେ । ସୁରେଶ୍ଵରୀଙ୍କ ମୁହଁ ଉପରେ ନିବଦ୍ଧ କରି ରଖିଲେ ଦୃଷ୍ଟି । ଆଲୁଅ ପଡ଼ି ତାଙ୍କର ଗଣ୍ଡମଣ୍ଡଳ ଏ ବୟସରେ ମଧ୍ୟ ସୁନ୍ଦର ଦିଶୁଚି । ଆଖିରେ ଆଜି ସୁରେଶ୍ଵରୀ କଳା ଲଗେଇଚନ୍ତି ନା କ’ଣ ! ଆହୁରି ତଳକୁ ଖସି ଆସିଲା ମଙ୍ଗରାଜଙ୍କ ମୁହଁ । ସୁରେଶ୍ଵରୀ ଆହୁରି ଲାଗି ଲାଗି ଆସିଲେ । ଅନେକ ଦିନ ତଳର ଅଭ୍ୟାସ ତାଙ୍କର ଏବେ ଯେମିତି ପୂର୍ଣ୍ଣ ଭାବରେ ମନେ ରହିଚି । ବଳିଷ୍ଠ ବାହୁ ଦୁଇଟା ଭିତରେ ସ୍ତ୍ରୀଙ୍କ ପୃଥୁଳ ଦେହଟାକୁ ସମ୍ପୂର୍ଣ୍ଣ ଆବଦ୍ଧ କରିନେଲେ ମଙ୍ଗରାଜ ।

 

ସାତ

 

ମଙ୍ଗରାଜଙ୍କ ଆର୍ଥିକ ଅବସ୍ଥାରେ କ୍ରମେ ଘୋର ପରିବର୍ତ୍ତନ ଘଟିଲା । ଭାରତ ସ୍ଵାଧୀନ ହେବାର ବର୍ଷକ ଭିତରେ ଦେଶରୁ ରାଜୁଡ଼ା ଶାସନ ଲୋପ କରାଯାଇଥିଲା । ତାହାପରେ ଏବେ ମଧ୍ୟସ୍ଵତ୍ୱାଧିକାରୀ ଜମିଦାର ଓ ମକଦ୍ଦମମାନଙ୍କୁ ଉଚ୍ଛେଦ କରିବା ସ୍ଥିର କରାଯାଇଛି । ଏହିପରି ଜନରବ ଦେଶ ସ୍ଵାଧୀନ ହେବା ପୂର୍ବରୁ ସୀମିତ ନିର୍ବାଚନ ପ୍ରଥାରେ ପ୍ରଦେଶମାନଙ୍କରେ କଂଗ୍ରେସ ସରକାର ପ୍ରତିଷ୍ଠିତ ଥିବାବେଳେ ମଧ୍ୟ ଶୁଣା ଯାଇଥିଲା । ସେହି ଜନରବର ପରିଣତିରୂପେ ଜମିଦାରୀ ମାହାଲମାନଙ୍କରୁ ତୋଟା ଓ ବଡ଼ବଡ଼ ବାଗ–ବଗିଚା ପ୍ରଭୃତି ଅନେକାଂଶରେ ପ୍ରାୟ ପଦା ହୋଇଗଲା । ଯେକୌଣସି ଦରରେ ଗଛଗୁଡ଼ିକୁ ବିକ୍ରି କରି ଜମିଦାରମାନେ ଟଙ୍କା କମେଇବାରେ ଲାଗି ଯାଇଥିଲେ । ଏବେ ସ୍ଵାଧୀନତା ଲାଭ ପରେ ସରକାରର ନିଷ୍ପତ୍ତି ଆଉ ପୂର୍ବଭଳି ଜନରବରେ ଆବଦ୍ଧ ହେଇ ରହିବ ବୋଲି କେହି ବିଶ୍ଵାସ କରୁ ନାହାନ୍ତି । ସମ୍ବାଦପତ୍ର ଜରିଆରେ ମଧ୍ୟ ଗାଁ ଗହଳର ମୁଖିଆ ମୁଖିଆ ଲୋକ ଅନ୍ୟାନ୍ୟ ପ୍ରଦେଶରେ ଏ ଦିଗରେ କି ଭଳି କାର୍ଯ୍ୟ କରାଯାଉଛି, ସେ ସବୁ ଜାଣିପାରୁଚନ୍ତି । ଗାଁ ଗାଁରେ ବିଭିନ୍ନ ରାଜନୈତିକ ଦଳର ଲୋକେ ମଧ୍ୟ ନାନାପ୍ରକାର ପ୍ରଚାର ଚଳାଇଚନ୍ତି । “ଲଙ୍ଗଳ ଯାର, ଜମି ତା’ର” ବୋଲି ମଧ୍ୟ ସେଥିଭିତରେ ଗୋଟାଏ ପ୍ରଚାର ଚାଲିଛି । ଗାଁ ଗାଁରେ ଅତି ନଗଣ୍ୟ ଲୋକ ମଧ୍ୟ ଦଳବାନ୍ଧି ଏ ପ୍ରଚାର ଚଳାଇବାରେ ଲାଗିଯାଇଚନ୍ତି-। ଏ ସବୁ ବିଷୟରେ କଦମ୍‍ପାଳ ଜମିଦାର ଶ୍ରୀ ଜନ୍ମେଜୟ ମଙ୍ଗରାଜ ଅଧିକ ଜାଣିବାର ଲୋକ-। ସେ ଖବରକାଗଜ ପଢ଼ନ୍ତି । ତା’ ଛଡ଼ା ବହୁ ଅଭିଜ୍ଞ ଲୋକଙ୍କ ସହିତ ସମୟ ବଖତରେ ସେ ବସାଉଠା ମଧ୍ୟ କରନ୍ତି । ପୁଅ ତାଙ୍କର ଗଡ଼ଜାତରେ ଓଭର୍‍ସିଅର୍ । ଏବେ ଅବଶ୍ୟ ସେ ସବୁ ଗଡ଼ଜାତ ମାହାଲ ହେଇ ଆଉ ନାହିଁ । ସେ ଅନୁସାରେ ପୁଅର ଚାକିରି ମଧ୍ୟ ଆଉ ରାଜୁଡ଼ା ଚାକିରି ନୁହେଁ । ଖାସ୍ ସରକାରୀ ଚାକିରିରେ ପରିଣତ ହେଇ ପୁଅର ପଦୋନ୍ନତି ମଧ୍ୟ ଘଟିଚି । ତେବେ ରାଜୁଡ଼ା ଶାସନ ଉଚ୍ଛେଦ ପୂର୍ବରୁ କୌଣସି କୌଣସି ଗଡ଼ଜାତରେ ଯେଉଁ ଆନ୍ଦୋଳନ ଓ ଅତ୍ୟାଚାର ଚାଲିଥିଲା, ସେ ସମ୍ପର୍କରେ ଅନେକ ବିଷୟ ପୁଅଠାରୁ ମଙ୍ଗରାଜେ ଶୁଣିଚନ୍ତି । କିନ୍ତୁ ସେ ସବୁ ଘଟଣାର ଉପଯୋଗିତା ନିଜର ବ୍ୟବସାୟ ପାଇଁ କିଛି ଅଛି ବୋଲି ସେ କେବେ ଭାବି ନଥିଲେ-। ଗଡ଼ଜାତୀ ଶାସନର ଉଚ୍ଛେଦ ପରେ ଓଭର୍‍ସିଅର୍ ପୁଅ ତାଙ୍କର ଏବେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର୍ ହୋଇଛି । ଏ ଗୋଟା ଲାଭର ବିଷୟ ନିଶ୍ଚୟ ।

 

ଏ ସବୁ ବିଷୟ ଛଡ଼ା ଜନ୍ମେଜୟଙ୍କ ବୟସରେ ଆହୁରି ଅନେକ ଅଭିଜ୍ଞତା ରହିଚି । ନିଜର ତରୁଣ ବୟସରେ ସେ ପାଟଣାର ମେଲଣ ପଡ଼ିଆରେ କଂଗ୍ରେସ କର୍ମୀଙ୍କ ଆଶ୍ରମ ପ୍ରତିଷ୍ଠା ଏବଂ ଅରଟ ଓ ତକଲି ସାହାଯ୍ୟରେ ସୂତାକଟାର ପ୍ରଚାର ତଥା ପ୍ରସାର ସେ ଦେଖିଚନ୍ତି । “ତିଳକ ସ୍ଵରାଜ ପାଣ୍ଠି” ସଂଗ୍ରହରେ ଲୋକଙ୍କ ଅକାତର ଦାନ ଓ କ୍ଷେତ୍ର ବିଶେଷରେ ସେ ପାଣ୍ଠିର ତୋସରପାତ ଘଟଣା ମଧ୍ୟ ସେ ଜାଣିଚନ୍ତି । ଯେ ଆଜି ଏ ପ୍ରଦେଶରେ କଂଗ୍ରେସର ଜଣେ ମୁଖ୍ୟବ୍ୟକ୍ତି ଏବଂ ଚାରି ପାଞ୍ଚଟି କଳକାରଖାନାର ଅଧିକାରୀ, ଦିନେ ତାଙ୍କରି ହାତରୁ ଗୋଟିଏ ଚିଲ କିପରି ସାତ ହଜାର ଟଙ୍କାର ତିଳକ ସ୍ଵରାଜ ପାଣ୍ଠି ଛୁ ମାରି ଉଠାଇ ନେଲା ତାହାର ବୃତ୍ତାନ୍ତ ବିଶଦ ଭାବରେ ସେ ଶୁଣିଚନ୍ତି । ତା’ପରେ ଲବଣ ସତ୍ୟାଗ୍ରହ, ମହାତ୍ମାଗାନ୍ଧୀଙ୍କ ଦାଣ୍ଡି ଅଭିଯାନ, ଗୋଲଟେବୁଲ ବୈଠକ, ଅଗଷ୍ଟ ଆନ୍ଦୋଳନ ପ୍ରଭୃତି ଘଟନା ସମ୍ପର୍କରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କେତେକ ଅଭିଜ୍ଞତା ରକ୍ତରେ ତାଙ୍କର ମିଶିଯାଇଚି । ଏ ଅଞ୍ଚଳର କଂଗ୍ରେସସେବା ପରିବାରରୂପେ ବିଖ୍ୟାତ ହେଇଥିବା ପାଟଣାର ‘‘ଚାର୍ଭାୟା” ବଂଶକୁ ସେ ଦେଖିଚନ୍ତି । ସେମାନେ କୁଆଡ଼େ ତାଙ୍କର ନିକଟସମ୍ପର୍କୀୟ ବ୍ୟକ୍ତି । ଚାରି ଭାଇଙ୍କ ଭିତରୁ ବଡ଼ ଦୁର୍ଗାଶଙ୍କରବାବୁ କଂଗ୍ରେସ ନାଁରେ ପାଗଳ । ତାଙ୍କରି ପୁଅ ଭଳି, ପୁଅ ତାଙ୍କର ଓଭର୍‍ସିଅର୍ ଥିଲା, କିନ୍ତୁ ସେ ଅନେକ ଦିନୁ ମରିଯାଇଚି । ସେଇ ପୁଅର ନାମ ଗୁରୁଚରଣ । ଛାତ୍ରବେଳେ ସେ କୁଆଡ଼େ ‘ବନ୍ଦେ ମାତରଂ” ଦଳରେ ରହି କାମ କରୁଥିଲା । ସେ ସବୁ କଥା ସେ ଦୁର୍ଗାଶଙ୍କରବାବୁଙ୍କଠାରୁ ଅନେକ ଥର ଶୁଣିଚନ୍ତି । କିନ୍ତୁ ସେ ବିଷୟ ସେ ମନେ ରଖିପାରି ନାହାନ୍ତି । ଦୁର୍ଗାଶଙ୍କରଙ୍କ ସାଙ୍ଗକୁ ତାଙ୍କର ସାନ ଭାଇ ସୁନାକରବାବୁଙ୍କୁ ସେ ଦେଖିଛନ୍ତି । ସେ ଥିଲେ ଯେପରି ଏକ ଅବତାରୀ କଂଗ୍ରେସପନ୍ଥୀ । ପ୍ରଥମ ମହାଯୁଦ୍ଧଠାରୁ କଂଗ୍ରେସର ସ୍ଵାଧୀନତା ଆନ୍ଦୋଳନ ପର୍ଯ୍ୟନ୍ତ ସବୁକଥା ଏ ଅଞ୍ଚଳର ଲୋକେ ତାଙ୍କରିଠାରୁ ଜାଣୁଥିଲେ । ସେତେବେଳେ ସେ ଥିଲେ ଜର୍ମାନୀର ସମର୍ଥକ । କାଇଜର ବିସ୍‍ମାର୍କ, ଏମ୍ଡ଼େନ୍, ଜେପ୍‍ଲିନ୍ ପ୍ରଭୃତି ଶବ୍ଦ ତାଙ୍କ ଜିହ୍ୱାର ଅତି ପ୍ରିୟ ବସ୍ତୁ ଥିଲା । ଜର୍ମାନୀର ଭାବଧାରାରେ ପୁଷ୍ଟ ହେବା ଯୋଗୁଁ ଲୋକେ ତାଙ୍କୁ ପରୋକ୍ଷରେ ଜର୍ମାନୀ ବୋଲି କହୁଥିଲେ । ପରବର୍ତ୍ତୀ କାଳରେ ସେ କଂଗ୍ରେସର ପତାକା ତଳେ ଠିଆ ହେଇ କାୟମନୋବାକ୍ୟରେ କଂଗ୍ରେସର ଆଦର୍ଶ ଓ ନୀତିକୁ ଗ୍ରହଣ କରି ନେଇଥିଲେ । ତାଙ୍କର ଅନ୍ୟ ଦୁଇ ଭାଇ ମଧ୍ୟ ତଦ୍ରୂପ ଦେଶଭକ୍ତ । କିଏ କଲେଜରୁ, କିଏ ହାଇସ୍କୁଲ୍‍ରୁ, କିଏ ମାଇନର୍ କ୍ଲାସ୍‍ରୁ ବାହାରି ଆସି ହେଲା ସ୍ଵାଧୀନତା ସଂଗ୍ରାମର ସୈନିକ । ଦେଶସେବାରେ ଉନ୍ମାଦନାରେ ପଡ଼ି ଆର୍ଥିକ ଦିଗ ପ୍ରତି କେହି କୌଣସି ପ୍ରକାର ଦୃଷ୍ଟି ନ ଦେବାରୁ ପ୍ରାୟ କୋଡ଼ିଏଟି ବର୍ଷ ଭିତରେ ଚାର୍ଭାୟା ବଂଶର ଘୋର ଅର୍ଥନୈତିକ ପତନ ଘଟିଲା । କିନ୍ତୁ ପରିବାରର ଏ ପତନ ଘଟିବା ପୂର୍ବରୁ ମୁରବି ଚାରି ଭାଇଙ୍କ ଭିତରୁ କେହି ଆଉ ଜୀବିତ ନଥିଲେ । ବଂଶର ଭାବୀ ଉତ୍ତରାଧିକାରୀରୂପେ ଯେଉଁ ପାଞ୍ଚ ଛ’ ଜଣ ଯୁବକ ଭ୍ରାତା ରହିଲେ, ସେମାନେ ପରିଣତ ବୟସରେ ଆଗ ଭଳି ଆଉ ଗୋଟିଏ ରାଜନୈତିକ ଆଦର୍ଶରେ ବାନ୍ଧି ହେଇ ପାରିଲେ ନାହିଁ । ସେଥିଭିତରୁ କିଏ କମ୍ୟୁନିଷ୍ଟ, କିଏ ସୋସାଲିଷ୍ଟ ମଧ୍ୟ ପାଲଟିଲେ ।

 

ଜନ୍ମେଜୟ ଅନେକ ସମୟରେ ଏହି ପରିବାରଟି କଥା ଭାବନ୍ତି । ସେମାନଙ୍କ ରାଜନୈତିକ ଆଦର୍ଶ ଯେତେ ଉଚ୍ଚ ହେଲେ ମଧ୍ୟ ପରିବାରର ଅର୍ଥନୈତିକ ପତନ ମଙ୍ଗରାଜଙ୍କୁ ବିଶେଷ ଭାବରେ ନିରୁତ୍ସାହିତ କରେ । ଏବେ ଜମିଦାରୀ ଉଠିଯିବ । ସମ୍ବାଦ ଅତି ସଠିକ୍ ବୋଲି ଜାଣି ମଙ୍ଗରାଜ ଖୁବ୍ ବିବ୍ରତ ହେଇ ପଡ଼ିଛନ୍ତି । ଏଭଳି ସଙ୍କଟ ଭିତରେ ସେ ଚାର୍ଭାୟା ବଂଶର ଟୋକାଙ୍କ କଥା ବିଶେଷ ଭାବରେ ଭାବୁଚନ୍ତି । ସେ ଯାଆନ୍ତେ ସେମାନଙ୍କ ପାଖକୁ, ସେମାନଙ୍କ ଭିତରୁ ବଡ଼ ଶ୍ରୀକାନ୍ତ ହେଇଚି ଜିଲାବୋର୍ଡ଼ର ମେମ୍ବର । ଗତ ନିର୍ବାଚନରେ ସେ ତା’ରି କଥାରେ ପଡ଼ି ଗାଁର ସବୁ ଲୋକଙ୍କୁ ନେଇ କଂଗ୍ରେସ ବାକ୍‍ସରେ ଭୋଟ ଦିଆଇଲେ । ଶେଷକୁ କ’ଣ ଏଇୟା କରିବ କଂଗ୍ରେସ ? ଜମିଦାରୀ ଉଠିଗଲେ ଚଳିବେ କେମିତି ସିଏ ? କୋଡ଼ିଏ ପଚିଶ ମାଣ ନିଜଚାଷ ଜମି, ସବୁ ନେଇଯିବ ସରକାର ବିନା ପଇସାରେ, ସେଠି ଭାଗଚାଷୀ ହେବେ ମାଲିକ । ହଁ, କଂଗ୍ରେସ ପୁଣି ୟା ପଛକୁ ଭାଗଚାଷ ଆଇନ କରିବ ବୋଲି ଶୁଣାଯାଉଚି । ଭାବି ଭାବି ବିଭ୍ରାନ୍ତ ହେଇ ପଡ଼ିଲେ ମଙ୍ଗରାଜ । ଚାକର ବାଞ୍ଛାକୁ ବଡ଼ପାଟିରେ ଡାକ ପକେଇ ତାକୁ ପାଣସପୁର ଗାଁରୁ ରମଜାନ ପିଆଦାକୁ ଡାକିଆଣିବା ପାଇଁ ପଠେଇଲେ । ରମଜାନ ଡାକିଆଣିବ ମଠସାହି କଚିରିରୁ ତହସିଲଦାର ରାମ ପଟାନ’କଙ୍କୁ । କ’ଣ କରୁଚନ୍ତି ୟାସିନ୍ ଖାଁ, ସୁନ୍ଦରା ଓ ସାହେବରା ଘର ଜମିଦାରୀ ପାଇଁ, ରାମ ପଟନା’କଙ୍କୁ ପଠେଇ ବୁଝିବାକୁ ହବ । ମନେ ପଡ଼ିଲା ତାଙ୍କର ପ୍ରତାପ କେତନ କଥା; ସେଇଦିନୁ ଯାଇ ସିଏ କଚିରି ଗାଁରେ ବସିଚି । ଗଛ ଫଛ କାଟି ବିକ୍ରି କରୁଥିଲା ବୋଲି ଶୁଣିଥିଲେ ସିଏ । କ’ଣ କେତେ ଦୂର କଲା ? ତାକୁ ମଧ୍ୟ ଡାକି ଆଣିବାକୁ ସିଏ ଖବର ଦେଲେ ।

 

ଏହି ବିବ୍ରତତା ଭିତରେ ମୀନକେତନର ବିବାହ ଚିନ୍ତା ମଙ୍ଗରାଜଙ୍କ ମନରୁ ଖୁବ୍ ଦୂରେଇ ଗଲା । ଦୁଇ ତିନି ଦିନ ଭିତରେ ମଠସାହିରୁ ରାମ୍ଭ ପଟ୍ଟନାୟକ ଓ ପ୍ରତାପକେତକ ଆସି ପହଞ୍ଚିଲେ-। ସେମାନଙ୍କ ସହ ଆଲୋଚନା କରିବା ପରେ ସ୍ଥିର ହେଲା, ଅନ୍ୟାନ୍ୟ ଜମିଦାରଙ୍କ ପରି ନିଜଚାଷ ଜମିକୁ ଲୋକଙ୍କ ନାଁରେ ପଟା କରିଦେଇ ଯାହା କିଛି ଟଙ୍କା ମିଳିବ, ତାହାକୁ ଭବିଷ୍ୟତ ପାଇଁ ସମ୍ବଳ କରି ରଖିବାକୁ ପଡ଼ିବ । ଏହି ମଧ୍ୟବିତ୍ତ ଶ୍ରେଣୀପାଇଁ ବଞ୍ଚିବାର ଅନ୍ୟ ପନ୍ଥା ଆଉ ନାହିଁ-

 

ଘଡ଼ିକେ ଘୋଡ଼ା ଛୁଟୁଛି । ଦେଶରେ କେତେକ ରାଜନୈତିକ ଦଳ; କେତେବେଳେ କ’ଣ ଘଟିବ, ସେ କଥା କିଏ କହିବ ? ନାଃ, ମଙ୍ଗରାଜ ସିଦ୍ଧାନ୍ତ କଲେ, ନିଜଚାଷ ଜମି ପ୍ରତି ଆଉ କୌଣସି ପ୍ରକାର ମମତା ରଖିବା ଅର୍ଥ ନିଜର ଧ୍ୱଂସକୁ ବ୍ୟାପକ ଆକାରରେ ଆମନ୍ତ୍ରଣ କରି ଆଣିବା ।

 

ନିଜଚାଷ ଜମି ବିଷୟରେ ଏ ସିଦ୍ଧାନ୍ତ ଗ୍ରହଣ କଲାପରେ ଗଛ ମାଛ ବିକ୍ରି ସମ୍ପର୍କରେ ମଙ୍ଗରାଜ ପ୍ରତାପକେତନକୁ ପ୍ରଶ୍ନ କଲେ । ସେ ବାବଦରେ ପ୍ରତାପ ପ୍ରାୟ ହଜାର ଦେଢ଼ ହଜାର ଟଙ୍କା ଆୟକରି ପାରିଛି । ଖାସ୍ ଜମିଦାରଙ୍କ ପୁଅ ଏ ବ୍ୟବସାୟରେ ହାତ ଦେଇଛନ୍ତି ବୋଲି ତାହାର ଖବର ତହସିଲଦାର କିଛି ରଖି ନଥିଲେ । ମଙ୍ଗରାଜଙ୍କ ପ୍ରଶ୍ନ ଶୁଣି ସେ ଅନେଇ ରହିଲେ ପ୍ରତାପକେତନ ମୁହଁକୁ I ପ୍ରତାପକେତନ ବାପାଙ୍କୁ ପାଁଶ ଟଙ୍କାର ହିସାବ ଦେଲା । ମଙ୍ଗରାଜ ଭାବିଲେ, ଖୁବ୍ ହେଇଚି, ଗଛ ବିକି ପାଁଶ ଟଙ୍କା ରୋଜଗାର କରିଚି ପ୍ରତାପ, ଢେର୍ କରିଚି । ପାଁଶଟଙ୍କା ତାଙ୍କ ହାତରେ ପଡ଼ିଲେ ସେ ଦଶରା ଆଉ ଦୋଳ ଏଇ ଦି’ଟାଯାକ ପର୍ବର ଖର୍ଚ୍ଚ ସମ୍ଭାଳି ନେବେ । କିନ୍ତୁ ଆଉ କେତେଦିନ ? ମଙ୍ଗରାଜ ନୀରବ ହେଇଗଲେ ନିଜ ଭିତରେ । ଦଶହରା ଆଉ ଦୋଳଖର୍ଚ୍ଚର ଆଡ଼ମ୍ବର ସମ୍ଭାଳି ମା’ଙ୍କ ସଞ୍ଚିତ ଧନରୁ ଚାରିହଜାର ଟଙ୍କା ଖତମ୍ ହେଇଚି । ବଡ଼ଝିଅ କନକମଞ୍ଜରୀର ବା’ଘରକୁ ବୋଉ ଦୁଇହଜାର ଟଙ୍କା ଦେଇଥିଲା । ପରାଗ ଆଉ ପ୍ରବାଳମଞ୍ଜରୀ ଲାଗି ହଜାର ହଜାର କରି ବୁଢ଼ୀ ଦି’ ହଜାର ଟଙ୍କା ଥୋଇ ଦେଇଚି । ଆଉ ଦି’ ଝିଅଙ୍କ ପାଇଁ ପାଞ୍ଚ ପାଞ୍ଚ ଭରି ସୁନା । ବୋଉଙ୍କର ତତ୍ପରତାରୁ ଘରେ ପାଣ୍ଠି ବୋଲି ଏତିକି । ସେ ମଧ୍ୟ ବାହାରେ ବାହାରେ ଯିବ । ଧଅଳିଆର ବୈରୀଗଞ୍ଜନଙ୍କ ଘରେ ବା’ ହୋଇଚି ବଡ଼ପୁଅ । ବୋଉ ଆଣିଚି ଅତି ବେଶି ହେଲେ କୋଡ଼ିଏ ଭରି ଓଜନର ସୁନା ଗହଣା । ସମଢ଼ଙ୍ଗା ରଣସିଂଙ୍କ ସାନଝିଅ ପ୍ରତାପର ସ୍ତ୍ରୀ । ପରିବାରର ଧ୍ଵଂସବେଳକୁ ଆମେ ଜୁଟିଲେ ଯାଇ ସେଇଠି । ସେଇ ଧ୍ଵଂସାବଶେଷ ଭିତରୁ ମିଳିଚି ମାତ୍ର ଦଶ ଭରି ସୁନା । ପ୍ରତାପର ସ୍ତ୍ରୀ ପ୍ରତି ତାଚ୍ଛଲ୍ୟ ଭରିଗଲା ଯେମିତି ମଙ୍ଗରାଜଙ୍କ ମନରେ । ହଠାତ୍ ମନେ ପଡ଼ିଗଲା ମୀନକେତନର କଥା...

 

ଏଁ, ସେଠି ଏମିତି କିରିକିରି ହେଇ ହସୁଚି କିଏ... ?

 

ଦୂରରୁ ପରାଗମଞ୍ଜରୀର କଥାଭାଷା ଭିତରେ ଆଉ କାହାର ଉଚ୍ଚ ହାସ୍ୟ ଭାସିଆସି ଉପର ଖଞ୍ଜାର କୋଠା ବାରଣ୍ଡା ଅବଧି ଖେଲିଯାଉଚି । ବାପାଙ୍କ ପାଟି ଶୁଣି ପରାଗ ବଡ଼ପାଟି କରି କହିଲା, ଏଠି ସୋଶୀଳା ହସୁଚି ବାପା । ପ୍ରବାଳ ଆଉ ମୁଁ ଚିତା ଲେଖୁଚୁ, ଆଉ ସେ ଏଠି ଗୋଳମାଳ କରୁଚି ବସି...

 

ପ୍ରବାଳମଞ୍ଜରୀର କଥା ଶେଷ ନ ହେଉଣୁ ମଧ୍ୟ ସୋଶୀଳା ପୁଣି ଥରେ ଖେଁ କରି ହସିଉଠିଲା ।

 

ହଁ ସୋଶୀଳା ! ସୋଶୀଳା କଥା ଭୁଲିଯାଇ ନାହାନ୍ତି ମଙ୍ଗରାଜେ । ବଂଶୀ ଜେନାଙ୍କୁ ସେ କହିଥିଲେ । କ’ଣ କଲା ବଂଶୀ ଜେନା ! ହଠାତ୍ ଉତ୍ତେଜନା ସହ ଉଠିପଡ଼ି ମଙ୍ଗରାଜ ଜୋରରେ ଗୋଟା ଗଳା ଖଙ୍କାର ମାରିଲେ । ଏହାର ଅର୍ଥ ସେ ଖୁବ୍ ରାଗିଯାଇଚନ୍ତି । ଏ ଶବ୍ଦରେ ଚାରିଆଡ଼େ ସମସ୍ତେ ସ୍ତବ୍ଧ ହୋଇଗଲେ । ଏହାପରେ କେବଳ ତହସିଲଦାରଙ୍କୁ ସାଙ୍ଗରେ ଡାକି ନେଇ ମଙ୍ଗରାଜେ ଚାଲିଗଲେ ଉପରମହଲାକୁ । ବଂଶୀ ଜେନାଙ୍କୁ ଡାକିଦେବା ପାଇଁ କହିଲେ ପ୍ରତାପକୁ ।

 

ପାହାଚରେ ଉଠି ଯାଉ ଯାଉ ସେ ଭାବିଲେ, ସବୁ ତ ଯିବ, ଏଇ ନିଃସ୍ଵ ବଂଶୀ ଜେନା ନାଁରେ ଦି’ ତିନି ମାଣ ଜମି ଲେଖିଦେଲେ କ’ଣ କ୍ଷତି ହୁଅନ୍ତା... । ଏ ସମ୍ପର୍କରେ ତହସିଲଦାରଙ୍କ କଥା ମଧ୍ୟ ତାଙ୍କର ମନେ ପଡ଼ିଲା । ତାଙ୍କ ପଛରେ ରାମ ପଟ୍ଟନାୟକଙ୍କ ପଦଧ୍ୱନି ମଧ୍ୟ ଶୁଭୁଛି । ସେଇ ପାହାଚରେ ବୁଲିପଡ଼ି ତାଙ୍କୁ ଥରେ ଅନେଇଲେ ମଙ୍ଗରାଜେ । ଅନେକ ଦିନର ପୁରୁଣା ଲୋକ । ଅନେକ କାମ କରିଚି । ଜମିଦାରୀ ଉଠିଗଲା ପରେ ଏ ବୟସରେ ବିଚରା କୁଟୁମ୍ବ ପାଳିବ କେମିତି ?

 

ଦୋମହଲାର ଅଣଓସାରିଆ ଆଉ ଅନ୍ଧାରୁଆ ପାହାଚରେ ପାଦ ଗଣି ଗଣି ତଳକୁ ମୁହଁ ପୋତି ଚାଲିଛନ୍ତି ପଟ୍ଟନାୟକ । ଯେପରି ନିଜର ଭବିଷ୍ୟତ ବିଷୟରେ ତାହାରି ଭିତରେ ସେ କିଛି ଭାବିବାକୁ ଚେଷ୍ଟା କରୁଛନ୍ତି ।

 

ଆଠ

 

ଜମିଦାରୀ ଉଠିବା ଭିତରେ ଦୀର୍ଘ ଗୋଟିଏବର୍ଷ କଟିଗଲା । ଦୀର୍ଘ ଗୋଟିଏବର୍ଷ; ଉଦ୍‍ଯୋଗୀ ଲୋକଙ୍କ ପକ୍ଷରେ ଗୋଟିଏବର୍ଷ କିଛି କମ୍ ସମୟ ନୁହେଁ । ଏହି ଗୋଟିଏବର୍ଷ ଭିତରେ ଅନେକ ଜମିଦାର ଅନେକ ଫିକର କରି ନେଲେ । ଭବିଷ୍ୟତର ଅସହାୟତାରୁ କେତେକାଂଶରେ ମୁକ୍ତି ପାଇବାପାଇଁ ଏହାକୁ ସେମାନଙ୍କର ଆତ୍ମରକ୍ଷାର ଉଦ୍ୟମ ବୋଲି କହିଲେ ଅସଙ୍ଗତ ହେବନି । କାଳ ସେମାନଙ୍କୁ ଧ୍ଵଂସ କରିବାପାଇଁ ଧାଇଁଚି, ଆଉ ସେମାନେ ବଞ୍ଚିରହିବା ପାଇଁ ପ୍ରବଳ ଚେଷ୍ଟା କରୁଚନ୍ତି । ବିଚିତ୍ର ଉଦ୍ୟମ ! ଯୁଗଯୁଗ ଧରି ଜୀବ–ଜଗତରେ ବଞ୍ଚିବାର ଏହି ବିଚିତ୍ର ସଂଗ୍ରାମ ଲାଗି ରହିଚି । ଯେଉଁ ମଣିଷ ଜୀବଟି ଦିନେ ଗିରିଗୁହାରେ କାଳ କାଟୁଥିଲା, ଦିନେ ଯିଏ ହେଲା ଚାରଣଭୂମିରେ ପଶୁପାଳକ, ତାହାପରେ ସେହି ମଣିଷ ଗୋଷ୍ଠୀ ବା କୌମ ପ୍ରତିଷ୍ଠା କରି ହେଲା କୃଷିଉତ୍ପାଦନର ମାଲିକ । ଏହାରି ଭିତରେ ବିବର୍ତ୍ତନର କେତେ ପ୍ରଣାଳୀ ବିତି ଯାଇଚି-। ଶେଷକୁ ସେହି କୌମପତି ହୋଇଚି ନରପତି–ମହତି ଦେବତା ହ୍ୟେଷା ନର ରୂପେଣ ତିଷ୍ଠତି-। ସେହି ନରପତିକି କେନ୍ଦ୍ର କରି ସୃଷ୍ଟି ହେଇଚି ଦେବତା ଓ ବ୍ରାହ୍ମଣ । ବ୍ରାହ୍ମଣର ମନ୍ତ୍ରାସ୍ତ୍ର ବଳରେ ଦେବତା ପୂଜା କରି ଇଂରେଜକୁ ବିଜୟୀ କରିବାପାଇଁ ହିଟଲର–ଧ୍ୱଂସୀ ଯଜ୍ଞ କରି ଏ ଦେଶରେ ଶାସନ ଗାଦି ମାଡ଼ି ବସିଥିବା ତାତ୍‍କାଳୀନ ବିଦେଶୀ ସରକାରକୁ ଯେଉଁ ଅଧସ୍ତନ ବୃତ୍ତିଶ୍ଵରମାନେ ତୁଷ୍ଟ କରିବାର ଚେଷ୍ଟା କରିଥିଲେ ନିଜର ରକ୍ଷାପାଇଁ, ସେମାନେ ଶେଷକୁ ସେ ଅସ୍ତ୍ର ଆଉ ପ୍ରୟୋଗ କରିପାରିଲେନି । ସେହି ଅଧସ୍ତନ ତଥାକଥିତ ନରପତିଙ୍କ ତଳକୁ ମଧ୍ୟବିତ୍ତ ଶ୍ରେଣୀରେ ଯେଉଁ ଖାନ୍‍ଦାନୀ ଗଢ଼ି ଉଠିଥିଲା, ତାହାକୁ ଆଶ୍ରୟ କରି ତିଆରି ହୋଇଥିଲା ଏ ଦେଶର ବିରାଟ ସଂସ୍କୃତି-। କିନ୍ତୁ ଆଜିର ଗଣତାନ୍ତ୍ରିକ ପଦ୍ଧତି ଭିତରେ ମଣିଷର ସୁଖସ୍ଵାଚ୍ଛନ୍ଦ୍ୟ ତୁଳନାରେ ସେ ସଂସ୍କୃତି ହୋଇଚି ନଗଣ୍ୟ । ଶିଳ୍ପ–ପ୍ରସାର ଓ ବଣିକପ୍ରଧାନ ସଂସ୍ଥା ଭିତରେ ଯେଉଁ ନୂତନ ଖାନ୍‍ଦାନ୍‍ର ଦଳ ଗଢ଼ି ଉଠୁଛନ୍ତି, ତାହାକୁ ଆୟତ୍ତ କରିବାରେ ଗଣତାନ୍ତ୍ରିକ ଅଙ୍କୁଶ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ପାରି ନଥିଲେ ମଧ୍ୟ ମଣିଷର ସମୂହ ବିକାଶ କଳ୍ପନାରେ ଆଜି ଘଟୁଛି ଜମିଦାରଶ୍ରେଣୀର ବିଲୋପ ।

 

ଏହି ବିଲୋପର ବିକଳ୍ପ ଚିନ୍ତାରେ ଅନ୍ୟାନ୍ୟ ଜମିଦାରଙ୍କ ପରି ବର୍ଷକ ଭିତରେ ଜନ୍ମେଜୟ ମଙ୍ଗରାଜ ଯେଉଁ କାର୍ଯ୍ୟ କରିପାରିଚନ୍ତି, ତାହା ଅତି ଉଲ୍ଲେଖଯୋଗ୍ୟ । ଏହିପରି କାର୍ଯ୍ୟରେ ବ୍ୟସ୍ତ ରହିବା ଫଳରେ ଅବଶ୍ୟ ମୀନକେତନର ବିବାହପାଇଁ ସେ କିଛି ବ୍ୟବସ୍ଥା କରିପାରିନାହାନ୍ତି । କିନ୍ତୁ ବଂଶୀ ଜେନାକୁ ହାତ କରି ସେ ସୋଶୀଳାର ଶୁଭପରିଣୟ ସମ୍ପନ୍ନ କରାଇ ତାକୁ ପରଘରକୁ ଉଠେଇ ଦେଇ ପାରିଚନ୍ତି । ଏ ଆଶ୍ଵସ୍ତି ପଛକୁ ଜମିଦାରୀ–ଉଚ୍ଛେଦ ପୂର୍ବରୁ ନିଜଚାଷଜମିଗୁଡ଼ିକୁ ପଟା କରି ଦେଇ ସେ ଯେଉଁ ପନ୍ଦର ହଜାର ଟଙ୍କା ଘରକୁ ଆଣିଲେ, ତାହା ତାଙ୍କ ଆତ୍ମାକୁ ଖୁବ୍ ଆଶ୍ୱସ୍ତ କରିଚି । ମୋଟରେ ଏ ବାବଦରେ ଆୟ ହେଉଥିଲା କୋଡ଼ିଏ ହଜାର ଟଙ୍କା । କିନ୍ତୁ ଟଙ୍କାତକ ହାତପଇଠ ହେବାପାଇଁ ସବୁଠାରୁ ଅକ୍ଳାନ୍ତ ପରିଶ୍ରମ କରିଚି ପ୍ରତାପକେତନ-। ସେଥିପାଇଁ ନିଜର ହାତର ପାଞ୍ଚସ୍ୱରୂପ ସେ ନେଇଚି ପାଞ୍ଚ ହଜାର । ଅବଶ୍ୟ ସେ ବିଷୟ ମଙ୍ଗରାଜ ଜାଣିନାହାନ୍ତି । ଜାଣିଥିଲେ ମଧ୍ୟ ସେଥିଲାଗି ସେ କୌଣସି ଉଦ୍‍ବେଗ ପ୍ରକାଶ କରି ନଥାନ୍ତେ । ବିଭିନ୍ନ ରାଜନୈତିକ ଦଳର ପ୍ରଚାରରେ ଲୋକମାନେ କିପରି ଏକଜୁଟ ହେଇ ଟଙ୍କା ଦେଇ ଜମି ଖରିଦ ନ କଲେ ସେ ସବୁ ବିନା ପଇସାରେ ପାଇଯିବେ ବୋଲି ସ୍ଥିର କରିଥିଲେ, ତାହା ସେ ଜାଣନ୍ତି । କିନ୍ତୁ ଲୋକମାନଙ୍କର ସେ ଉଦ୍ୟମକୁ ପଣ୍ଡ କରିଦେବା କେବଳ ପ୍ରତାପ ଯୋଗୁଁ ସମ୍ଭବ ହେଇଚି । ଯେଉଁ ପୁଅ ଏକପ୍ରକାର ଗୁଣ୍ଡା ପାଲଟି ଯାଇଚି ବୋଲି ଏକଦା ସେ ବିଶ୍ୱାସ କରୁଥିଲେ, ଶେଷରେ ତାହାରି ଭିତରେ ସେ ପାଇଲେ ଅଦ୍ଭୁତ କର୍ମଦକ୍ଷତା ଓ କୂଟନୈତିକତାର ପରିଚୟ । କେଉଁଠି କମ୍ୟୁନିଷ୍ଟଙ୍କ ସାଙ୍ଗରେ ସର୍ବହରାର ବନ୍ଧୁ ଏବଂ କେଉଁଠି ସୋସାଲିଷ୍ଟଙ୍କ ସାଙ୍ଗରେ ସମଧର୍ମା ପାଲଟି ଏହି ପଲ୍ଲୀ ଅଞ୍ଚଳର ସାମାଜିକ ରଙ୍ଗମଞ୍ଚରେ ସେ ଏକ ବିଚିତ୍ର ଅଭିନେତା ହେଇ ଛିଡ଼ା ହେଲା । କେବଳ ପ୍ରତାପର ପ୍ରଚେଷ୍ଟା ଫଳରେ ଶେଷକୁ ମଙ୍ଗରାଜଙ୍କ ଜମିଦାରୀ ଭିତରୁ ରାଜନୈତିକ ଦଳର ପ୍ରଚାର ବନ୍ଦ ହେଇଗଲା ଏବଂ ସେମାନେ ଯଥାସାଧ୍ୟ ଚେଷ୍ଟା କରି ପନ୍ଦର କୋଡ଼ିଏ ହଜାର ଟଙ୍କା ଉଠେଇବାରେ ସକ୍ଷମ ହେଇ ପାରିଲେ । ଏହି କାରଣରୁ ମଙ୍ଗରାଜେ ପୁଅ ପ୍ରତାପକେତନର ସବୁ କାର୍ଯ୍ୟକୁ ଶୁଭଦୃଷ୍ଟିରେ ଦେଖିବା ଛଡ଼ା ଅନ୍ୟ କିଛି ଚିନ୍ତାକୁ ମନରେ ସ୍ଥାନ ଦେଇ ପାରିଲେନି ।

 

ଅନେକ ଦିନ ପରେ ମଙ୍ଗରାଜଙ୍କର ମନେ ପଡ଼ିଲା ମହାଜନ ବୁରୁନ୍ଦ ସାହୁର କଥା । ଆଜି ଅବଶ୍ୟ ବୁରୁନ୍ଦ ସାହୁ ନାହିଁ । ପାଞ୍ଚବର୍ଷ ହେଲା ମରି ସେ ଯାଇ ସ୍ଵର୍ଗପୁରରେ ରହିଲାଣି । ହୁଏତ ସେଠି ସେ ଏବେ ଆଉ କୌଣସି ବ୍ୟବସାୟ କରୁଥିବ । କିନ୍ତୁ ଅନେକ ଦିନ ପରେ ବୁରୁନ୍ଦ ସାହୁର କଥା ମଙ୍ଗରାଜଙ୍କ ମନରେ କେତେ ଥର ଉଙ୍କି ମାରିଦେଇ ଚାଲିଗଲା । ଆଜିକି ପ୍ରାୟ ବାର ତେରବର୍ଷ ତଳେ ଖୁବ୍ ବେଶି ହେଲେ ସର୍ବମୋଟ ଦଶ ହଜାର ଟଙ୍କାରେ ଜମିଦାରୀଟି କିଣିନେବା ପାଇଁ ବୁରୁନ୍ଦ ସାହୁ ଅଭିଳାଷ ବାନ୍ଧି ବସିଥିଲା । ମାତ୍ର ଏହି ତେରବର୍ଷ ଭିତରେ ସେ ଜମିଦାରୀରୁ ଅଜସ୍ର ଉପକାର ପାଇଚନ୍ତି । ନିଜଚାଷ ପଚିଶ ମାଣ ଜମିରୁ ବର୍ଷକୁ ଭାଗଧାନ ପାଇଚନ୍ତି ପ୍ରାୟ ପଇଁତ୍ରିଶ ଭରଣ; ଆଉ ମୁଗ ଓ ବିରି ପ୍ରଭୃତି ଶସ୍ୟ ପାଇଚନ୍ତି ପ୍ରାୟ ତିନି ଚାରି ଭରଣ । ତା’ ଛଡ଼ା ଜମିଦାରୀର ରାଜସ୍ଵ ଆଦାୟ ରହିଛି ।

 

ତାହାପରେ ମଙ୍ଗରାଜଙ୍କର ମନେପଡ଼ିଲା ବୋଉ ଅନୁଛାୟା ଦେଈଙ୍କ କଥା । ପ୍ରବଳ ବାର୍ଦ୍ଧକ୍ୟ ଭିତରେ ସେ ଆଜି ଅନେକାଂଶରେ ଅକ୍ଷମ । ତଥାପି ବେଳେବେଳେ ତାଙ୍କର ସ୍ଵର ଶୁଣାଯାଏ । ଅସମର୍ଥ ହାତରେ କାଠର ଜପାମାଳି ଗଡ଼ଉ ଗଡ଼ଉ ସେ କୋଠିଆ ରଘୁଆ ପାଣକୁ ହୁରି ପକେଇ ମାୟା–ମା’ ଗୋଖଣୀ ଆଜି କାହିଁକି ମାଛ ଆଣିନେଇ ବୋଲି ଖବର ନିଅନ୍ତି । କେତେ ଲୁଗାପଟା ଥାଉଁ ଥାଉଁ କେତେବେଳେ ମାଛଧରା କାଣ୍ଟିଆଟାକୁ ଶୀର୍ଣ୍ଣ ଅଙ୍ଗଯଷ୍ଟିର ପରିଧେୟ କରି ତଳ ବାଡ଼ିର ଢିଅ ଉପରୁ ଗୁଣ୍ଡା–ଘଷି ଗୋଟେଇ ଆଣିବାକୁ ଚାଲିଯାଆନ୍ତି । ବେଳେବେଳେ ମଙ୍ଗରାଜେ ଏସବୁ ଦେଖିଲେ ମଧ୍ୟ କିଛି କହିବାକୁ ସାହସ କରିପାରନ୍ତିନି । ବାଟ ଭାଙ୍ଗି ଚାଲିଯାଇ ନିଜର ମନର ଚିନ୍ତା ବଦଳେଇ ନିଅନ୍ତି । ଆଜି କିନ୍ତୁ ବିଶେଷ ଭାବରେ ମନେପଡ଼ିଲା ବୋଉଙ୍କ କଥା । ସେଦିନ ବୋଉ ଚାରି ହଜାର ଟଙ୍କା କାଢ଼ି ଦେଇ ନଥିଲେ ଆଜି ଯାଏଁ ଏ ଜମିଦାରୀ ନଥାନ୍ତା । ଖାସ୍ ବୋଉ ଯୋଗୁଁ ତେରବର୍ଷ ହେଲା ସେ ଜମିଦାରୀର ଯାବତ୍ ପ୍ରକାର ଆୟ କରି ଆଜି ପୁଣି ପାଇଚନ୍ତି ନଗଦ ପନ୍ଦର ହଜାର ଟଙ୍କା । ବୋଉ ପ୍ରତି କୃତଜ୍ଞତାରେ ମନ ତାଙ୍କର ପୂର୍ଣ୍ଣ ହେଇଗଲା ।

 

ଚାଲି ଚାଲି ହେଇ ସେ ଯାଇ ପହଞ୍ଚିଲେ ଅନୁଛାୟା ଦେଈଙ୍କ ପାଖରେ । ଖଟ ଉପରେ ବସିପଡ଼ି ବୋଉଙ୍କ ଗୋଡ଼ ଆଉଁସି ଦେବାକୁ ଲାଗିଲେ । ସେତେବେଳେ ଅନୁଛାୟା ଦେଈଙ୍କ ଆଖିରେ ଟିକେ ତନ୍ଦ୍ରା ଲାଗି ଯାଇଥିଲା । ହଠାତ୍ ସେ ଚିହିଁକି ପଡ଼ି ଅନେଇଲେ ଆଗକୁ । ଦେଖିଲେ, ତାଙ୍କର ପଦସେବା କରୁଚନ୍ତି କଦମ୍‍ପାଳର ଜମିଦାର ନିଜେ ଜନ୍ମେଜୟ ମଙ୍ଗରାଜ । ନିଜ ହାତରେ ମୂର୍ତ୍ତି ଗଢ଼ି ତାକୁ ଆରାଧ୍ୟ ବିଗ୍ରହରୂପେ ପୂଜା କଲା ପରି ଏହି ପରିବାରରେ ପୁଅ ଜନ୍ମେଜୟର ଆଧିପତ୍ୟ ଅନୁଛାୟା ଦେଈ ଅନେକଦିନୁ ମାନି ନେଇଛନ୍ତି । ଯେଉଁ ଆଜ୍ଞାଧୀନ ପୁଅ ଶେଷକୁ ଆଜ୍ଞାକାରୀ ଆସନରେ ଅଧିଷ୍ଠିତ ହେଇ ଆସିଚି, ତାହାର ଏ ବ୍ୟବହାରରେ ଅନୁଛାୟା ଦେଈ ନିଜକୁ ସଙ୍କୋଚିତ ମନେକରିବା ସ୍ଵାଭାବିକ ।

 

ଅନୁଛାୟା ଦେଈଙ୍କ ଏପରି ସଙ୍କୋଚ ଭାବ ସତ୍ତ୍ୱେ ମଙ୍ଗରାଜ ମାଆର ପଦସେବାରୁ ବିରତ ହେଲେନି । ପୁଅର ଏ କାର୍ଯ୍ୟରେ ଅନୁଛାୟା ଦେଈ ମନେମନେ ମଧ୍ୟ ଖୁବ୍ ସନ୍ତୋଷ ଲାଭ କଲେ । ପୁଅକୁ କୋଟିପରମାୟୁ ଦିଅ ବୋଲି ସେ ମନେମନେ ଭଗବାନଙ୍କୁ ପ୍ରାର୍ଥନା କଲେ ଯେମିତି, ଆଖି ତାଙ୍କର କିଛି ସମୟପାଇଁ ବନ୍ଦ ହୋଇଗଲା । କେତେବେଳକରେ ତାଙ୍କର ଧାରଣା ହେଲା, ପୁଅ ତାଙ୍କର ପୁଣି କିଛି ବିପଦରେ ପଡ଼ିଲାନା କ’ଣ ! ସେଥିଯୋଗୁଁ ଅନେକ ଦିନ ପରେ ସେ ଆସି ମା’ର ଆଜି ଆଶ୍ରା ଖୋଜି ବସିଚି । କିନ୍ତୁ ସେ ବିଷୟରେ ସିଧାସଳଖ ସେ କିଛି ପଚାରି ପାରିଲେନି । କେତେବେଳକରେ ସେ କଥା ବାଆଁରେଇ କହିଲେ–

 

“ଏଇଟା କି ମାସ କିରେ ଜନୁ ? ଏଇଠି କୋଉଠି ସୁନିଆ ପଡ଼ିବ ନା କ’ଣ ପରା !”

 

ମଙ୍ଗରାଜେ ସଂକ୍ଷେପରେ କହିଲେ–

 

“ଆଉ ପନ୍ଦର ଦିନ ଅଛି ସୁନିଆ, ଏଇଟା ଭାଦ୍ର ମାସ ବୋଉ !”

 

ଜମା ଆଉ ପନ୍ଦର ଦିନ ! ଅନୁଛାୟା ଦେଈଙ୍କ କଥାରେ ବିସ୍ମୟ ପ୍ରକାଶ ପାଇଲା; ସେ ପୁଣି କହିଲେ, ଆଗେ କେତେ ଆର୍ଦୋଳି ହଉଥେଲା ସୁନିଆକୁ...ଏ ସବାଖିଆ କଂଗ୍ରେସ ସରକାର ସବୁ ସାଇଲା । କେତେ ଗାଁରୁ କେତେ ଭେଟି ଆସୁଥେଲା, ରାତି ନ ପାହୁଣୁ ମାଛଦିଆରୁ ଆଗେ ଭାର ଭାର ହେଇ ମାଛଭେଟି ଆସି ପହଞ୍ଚୁଥେଲା । ତା’ପରେ ନୁହା ଆଉ “କାଠଜିନିଷ ଠଉଁ ପନିପରିବା ପର୍ଯ୍ୟନ୍ତ ସକାଳୁ ସଧ୍ୟାଯାଏ ଭେଟି ଧାରା ନାଗିଥାଏ । କେତେ ଖିଆପିଆ, କେତେ ଦିଆନିଆ ନାଗେ । ବାପା ଅମଳର କଥା ତୋର ମନେ ଅଛିନାରେ ଜନୁ ? ବର୍ଷେ ବର୍ଷେ ସୁନିଆକୁ ଦାଣ୍ଡରେ ନାଟବାଲା ଆସି ନାଟ କରନ୍ତି । ତୋ ଅମଳରେ ତୁ ସିନା ଦୋଳ ଆଉ ଦଶରାକୁବି ପରବ କଲୁ, ହେଲେ ଆଗେ ସୁନିଆ ହଉଥିଲା ଏ ଦାଣ୍ଡରେ ବଡ଼ ପରବ...

 

ତା’ପରେ ସେ କଥା ବଦଳେଇ କହିଲେ, “ଏ ସନ ତୁ ସୁନିଆ କରିବାକୁ ମଠସାଇକି ଯିବୁନା, ଚଉପାଢ଼ିରେ କରିବୁ ?”

 

ମଙ୍ଗରାଜଙ୍କ ମନରେ ଏହା ଭିତରେ କେତେ କଥା ଉଠି ମିଳେଇ ଯାଇଚି । ସୁନିଆର ଆର୍ଦୋଳି କମି ଯାଇଥିଲା ସିନା, ଏଣିକି ତା’ ବିଲ୍‍କୁଲ୍ ବନ୍ଦ ହେଇଯିବ । ଆଉ ଦୋଳ–ଦଶରା କଥା କହୁଚି ବୋଉ, ଯେତିକି ହେଇଥିଲା ସେତିକି । ଏଣିକି ନୁଖୁରା ମୁଣ୍ଡକୁ ପଳାଏ ତେଲ ମିଳିବନି, କପିଳାସରେ ଜାଗର ଜାଳିବ କିଏ !

 

ବୋଉଙ୍କ କଥାର ଉତ୍ତର ଦେବାକୁ ଯାଇ ସେ କେତେବେଳକରେ କହିଲେ, “ତୁ କ’ଣ ଜମିଦାରୀ କଥା କିଛି ଜାଣିନଉ ବୋଉ ?”

 

ବିଛା କାମୁଡ଼ିଲା ଭଳି ଚମକି ପଡ଼ି ଅନୁଛାୟା ଦେଈ କହିଲେ, “ତୁ କ’ଣ କରଜ ଦାମ କରି ଜମିଦାରୀକି ନିଲାମରେ ଉଠେଇ ଦେଲୁ କିରେ ?’’

 

ଏ କଥାରେ ମଙ୍ଗରାଜେ କିନ୍ତୁ ନିଜକୁ ଅସମ୍ମାନିତ ମନେ କଲେନି । ବୋଉ ଏପରି ଆଶଙ୍କା କରିବା ସ୍ଵାଭାବିକ । ବୋଉର କଥାକୁ ହଜମ କରି ସେ ଧୀର ଭାବରେ କହିଲେ–

 

“ଜମିଦାରୀ ଉଠିଯାଉଚି ବୋଉ...ସରକାର ଜମିଦାରୀ ଉଠେଇ ଦଉଚି...। ଏ ଦାଣ୍ଡରୁ ବତୀ ନିଭିଯିବ ଏଣିକି...ଠିକ୍ ସୁନିଆ ଦିନ ହୁଏତ ଜମିଦାରୀ ଉଠିଯିବ...ମୁଁ ଆଉ ସୁନିଆ କରିବାକୁ ଯିବି କୋଉଠିକି...ମୋରି ଅମଳରେ ଏ ଜମିଦାରବଂଶ ଲୋପ ପାଇଲା ବୋଉ...”

 

ଦୁଃଖରେ ବିଚଳିତ ହେଇ ମଙ୍ଗରାଜେ ଯେମିତି ଆବଶ୍ୟକତା ତୁଳନାରେ ଅନେକଗୁଡ଼ିଏ କଥା କହିଗଲେ । ଶେଷକୁ ଆଖିରେ ତାଙ୍କର ଲୁହ ଜମି ଆସିଲା ।

 

ଉତ୍ତେଜନାରେ ଅନୁଛାୟା ଦେଈ ବିଛଣାରୁ ଉଠି ବସିଲେ । କେବଳ ଜଳଜଳ କରି ପୁଅର ମୁହଁକୁ ଅନେଇ ରହିଲେ । ଜନୁଆ କ’ଣ ପାଗଳ ହେଇ ଯାଉଚିନା କ’ଣ ? ତିନିପୁରୁଷର ଜମିଦାରୀ; ସେ ପୁଣି ଉଠିଯିବ କୁଆଡ଼େ ! ମାଟି କୁଆଡ଼େ ଯିବ ? ତାକୁ ଯିଏ ତ ହେଲେ ରଖିବ, ତେବେ ଆମେ କ’ଣ ରଖିପାରିବୁନି ?

 

ଏହାପରେ ଆଉ କିଛି ଭାବିବା ତାଙ୍କ ପକ୍ଷରେ ସମ୍ଭବ ହେଇ ପାରିଲାନି । ପୁଅ ମୁହଁର ଅଖଣ୍ଡ ନୀରବତାକୁ ଚାହିଁ ସେ କଥାର ସତ୍ୟତା ଅନୁଭବ କଲେ ଯେମିତି । ଆଖି ଆଗରେ ତାଙ୍କର ପରିବାରଟାର ଚିତ୍ର ଖେଳିଗଲା । କେତେକ ସମୟ ଗୁମ୍ ମାରିଗଲା ପରେ ସେ ହଠାତ୍ କହି ଉଠିଲେ–

 

“ପିଲାଗୁଡ଼ା ଏଣିକି ବଞ୍ଚିବେ କେମିତି ଜନୁ ?”

 

ନଅ

 

ଜମିଦାରୀର ନିଜଚାଷ ଓ ଅନାବାଦି ଜମି ପ୍ରଭୃତିକୁ ପଟା କବୁଲିୟତ୍ କରିଦେବା ପରେ ଜନ୍ମେଜୟ ମଙ୍ଗରାଜ ଦିନେ ଅଧରାତିରେ ନିଜର ନିର୍ଜନ କୋଠରୀ ଭିତରେ ବସି ସେ ବାବଦରେ ସଂଗୃହୀତ ହେଇଥିବା ଟଙ୍କା ଓ ନୋଟ୍‍ର ତାଡ଼ାଗୁଡ଼ିକୁ କେତେଥର ନିବିଷ୍ଟ ମନରେ ଗଣିଲେ । ପ୍ରଥମଥର ଗଣିବା ପରେ ସେ ଦେଖିଲେ, ପାଞ୍ଚଶ ଟଙ୍କା ଊଣା ପଡ଼ୁଚି । ତା’ପରେ ପୁଣି ଥରେ ଗଣିଲେ । ଏଥର ପାଞ୍ଚଶ ଟଙ୍କା ପରିବର୍ତ୍ତେ ତିନି ଟଙ୍କା କମ୍ ହେଲା । ସେ ମନେମନେ ଠିକ୍ କଲେ, ହୁଏତ ଥଳିଗୁଡ଼ିକରେ ଠିକ୍ ପନ୍ଦର ହଜାର ଟଙ୍କା ଅଛି, ମନର ଅସ୍ଥିରତା ଯୋଗୁଁ ଗଣିବାରେ ତାଙ୍କର ଭୁଲ୍ ହେଉଚି । ପ୍ରଧାନ କଥା, ଏକକାଳୀନ ସେ ଜୀବନରେ କେବେହେଲେ ଏତେଗୁଡ଼ାଏ ଟଙ୍କା ଗଣି ନଥିଲେ । ଟଙ୍କାଗୁଡ଼ାକୁ ଦେଖି ମନରେ ତାଙ୍କର ଖୁବ୍ ଲୋଭ ହେଲା...ସେଥିଲାଗି ସେ ଆହୁରି ଥରେ ବସି ଗଣିଲେ, କିନ୍ତୁ ସେ କେତେ ଟଙ୍କା ଗଣିଲେ ଶେଷକୁ ତାଙ୍କର କିଛି ଆଉ ସ୍ମରଣ ରହିଲାନି । ଥର ଥର କରି ତିନି ଥର ଗଣିବାଦ୍ଵାରା ସେ ନଗଦ ପଇଁଚାଳିଶ ହଜାର ଟଙ୍କା ଗଣିଲେ-। ଏଥିରେ ଦୀର୍ଘ ଦୁଇ ଘଣ୍ଟା ସମୟ ବିତିଗଲା । ଶେଷରେ ଟଙ୍କାଗୁଡ଼ାକ ଦୁଇ ତିନୋଟି ବାକ୍‍ସ ଭିତରେ ବନ୍ଦ କରି ସେ ଶୋଇ ପଡ଼ିବାକୁ ଚେଷ୍ଟା କଲେ । ରାତି ସେତେବେଳକୁ ଆସି ଦୁଇଟାରୁ ଗଡ଼ିଗଲାଣି ।

 

ବିଛଣାରେ ପଡ଼ି ରହିବାରେ ପ୍ରାୟ ଅଧଘଣ୍ଟା ବିତିଗଲା । ମଙ୍ଗରାଜଙ୍କୁ କିନ୍ତୁ ନିଦ ହେଲାନି । ବିଛଣାରେ ପଡ଼ି ପଡ଼ି ସେ ନାନା କଥା ଚିନ୍ତା କରିବାକୁ ଲାଗିଲେ । ନିଜଚାଷ ଜମି ପଟା କରି ଦେଇ ଟଙ୍କା ସଂଗ୍ରହ କାମକୁ ସେ ଖୁବ୍ ଅନ୍ୟାୟ ବୋଲି ମନେକଲେ । ଜମିଦାରୀର କ୍ଷତିପୂରଣ ପାଇଁ ତିନି ଗୁଣରୁ ତିରିଶ ଗୁଣ ଯାଏଁ ଟଙ୍କା ଦେବାକୁ ସରକାର ସ୍ଥିର କରୁଛନ୍ତି । ସେ ସ୍ଥଳରେ ସେ ଅନ୍ୟାୟ ଭାବରେ ଜମିକୁ ପଟା କରି ଦେଇ ଟଙ୍କା ସଂଗ୍ରହ କରିବାର ଅର୍ଥ କ’ଣ ? ଯୁଗ ତାଙ୍କୁ ଧ୍ଵଂସ କରିଦେବାକୁ ଆସିଚି...ଆଉ ସେ ବଞ୍ଚିରହିବାକୁ ଚେଷ୍ଟା କରୁଚନ୍ତି । ଗୋଟିଏ ଖାନ୍‍ଦାନ୍‍ ବଂଶ ତିନିପୁରୁଷ ବଞ୍ଚିଲା, ସ୍ୱଚ୍ଛନ୍ଦରେ ଆହୁରି ବଞ୍ଚିଥାନ୍ତା ଅନେକ ଦିନ; କିନ୍ତୁ ତାହା ବୋଧହୁଏ ଇତିହାସର ଲକ୍ଷ୍ୟ ନୁହେଁ । ଦେଶରେ ତଥାକଥିତ ଖାନ୍‍ଦାନ୍‍ଙ୍କ ଛଡ଼ା ଆହୁରି ଅସଂଖ୍ୟ ଲୋକ ଅଛନ୍ତି, ସେମାନେ ମଧ୍ୟ ବଞ୍ଚିବେ । ଏହିପରି ଭାବନା ଭିତରେ ମଙ୍ଗରାଜଙ୍କ ଆଖି ଆଗରେ ଏକ ବିରାଟ ଜନତାର ଚିତ୍ର ଭାସିଉଠିଲା । ତା’ରି ଭିତରେ ସେ ଦେଖିଲେ ପ୍ରତାପ ଆଉ ମୀନକେତନକୁ । କିନ୍ତୁ ଉଦିତଚନ୍ଦ୍ରକୁ ଦେଖିଲେନି । ପ୍ରତାପ ହସି ହସି ଛୁଟିଯାଉଚି ଆଗକୁ । ମାତ୍ର ମୀନକେତନର ଅବସ୍ଥା ଭଲ ନୁହେଁ । ସେହି ଟୋକୀଟା ତା’ ପଛରେ ଏବେ ମଧ୍ୟ ଲାଗିଚି । ତା’ପରେ ସେ ଦେଖିଲେ ମିତ୍ରଭାନୁକୁ...ତାଙ୍କର ଚତୁର୍ଥ ପୁତ୍ର । କିନ୍ତୁ ଚିତ୍ରଭାନୁ କାହିଁ ? ମଙ୍ଗରାଜେ ଉଦ୍‍ଗ୍ରୀବ ହେଇ ଅନେଇଲେ ଜନତା ଭିତରକୁ । କେଉଁଠି ହେଲେ ତାକୁ ପାଇଲେନି । ଅନେଇବା ଭିତରେ ସେ ପୁଣି ଦେଖିଲେ ମିତ୍ରଭାନୁକୁ । ଗତବର୍ଷ ମାଟ୍ରିକ୍ୟୁଲେଶନ ପାସ୍ କରି ଏ ବର୍ଷ ସେ କଲେଜରେ ନାଁ ଲେଖେଇଛି । ଏଇ ମିତ୍ରଭାନୁ ଉପରେ ମଙ୍ଗରାଜଙ୍କର ଖୁବ୍ ବିଶ୍ଵାସ ଅଛି । ସେ ମଣିଷ ହବ । ଆଉ ଶେଷକୁ ରହିଲା ଚିତ୍ରଭାନୁ । ତାକୁ ବେଶିହେଲେ ବାରବର୍ଷ ହେବ । କେତେ ବର୍ଷ ହେଲା ଗାଁରେ ମାଇନର୍ ସ୍କୁଲ୍‍ ହେଇଚି...ସେ ବର୍ତ୍ତମାନ ପଢ଼ୁଚି ସେଇ ଗାଁ ଇସ୍କୁଲ୍‍ରେ । ତା’ପରେ ମାଇନର୍ ସ୍କୁଲ୍‍କୁ ହାଇସ୍କୁଲ୍‍ କରିବାପାଇଁ ଯୁବକମାନେ ଚେଷ୍ଟା କରୁଚନ୍ତି । ଚିତ୍ରଭାନୁ ଏଇ ଗାଁରେ ପଢ଼ି ମାଟ୍ରିକ୍ ପାସ୍ କରିବ । ଚମକି ଉଠି ମଙ୍ଗରାଜେ କହିଲେ, ସେ ତାହାହେଲେ ପଛରେ ପଡ଼ିବ କାହିଁକି ? ଉଠିଯାଉ ଜମିଦାରୀ...ନିଜଚାଷ ଜମିର ଫସଲ ସେ ପଛେ ଆଉ ନ ପାଆନ୍ତୁ...ତଥାପି ପିଲା ତାଙ୍କର ବଞ୍ଚିବେ । ଖାନ୍‍ଦାନୀ ଭାଙ୍ଗିଯାଉ, କିନ୍ତୁ ବଂଶ ଲୋପ ପାଇବନି...ଗଢ଼ି ଉଠିବ ନୂତନ ରକ୍ତ । ନୂତନ ପରମ୍ପରା ।

 

ଭାବି ଭାବି ମଙ୍ଗରାଜେ ଟିକେ ଉତ୍ତେଜିତ ହେଇପଡ଼ିଲେ । ପୁଣି ଆଗରେ ଆସି ଠିଆହେଲା ମିତ୍ରଭାନୁ । ହାତ ଦେଖେଇ ସେ ଜନତାକୁ ନିୟନ୍ତ୍ରିତ କରୁଚି; ତା’ ପଛରେ ଅନେକ ଲୋକ ଚାଲିଚନ୍ତି । କିନ୍ତୁ ଜନତାଠାରୁ ଖୁବ୍ ଦୂରକୁ ଚାଲିଯାଉଚି ମୀନକେତନ । ଚାଲିଯାଇ ଦୂର ପଡ଼ିଆର ଗୋଟା ଗଛ ମୂଳେ ବସି ଗୀତ ଗାଉଚି । ଆଗରେ କଳାଘୁମର ପାଣିର ଲହଡ଼ି ଭାଙ୍ଗି ବହିଯାଉଚି ଗୋଟାଏ ନଈ । ପାଣିରେ ଲୁଗାଯାକ ଭସେଇ ଦେଇ ଉଚ୍ଛ୍ୱସିତ ଯୌବନ ଧରି ଗାଧୋଉଚି ଗୋଟା ଯୁବତୀ । ନିରିଖି କରି ଅନେଇଲେ ମଙ୍ଗରାଜ, ସେ ଆଉ କେହି ନୁହେଁ, ସୋଶୀଳା, ବଂଶୀ ଜେନାର ଝିଆରୀ । ଦି’ ମାସ ହେଲା ସେ ଶାଶୁଘରୁ ଆସିଚି । ସେ ଯାଇ ଲୁଗା ଭସେଇ ଦେଇ ନଈରେ ଗାଧେଇଲାଣି । ...ଗୋଟା ଚାବୁକ୍ ଧରି ମଙ୍ଗରାଜ ଛୁଟିଗଲେ ନଈକୂଳକୁ-। ପାଣିକି ଦି’ ଭାଗ କରି ପିଟି ଦେଲେ ଚାବୁକ୍ । କିନ୍ତୁ ସୋଶୀଳା ସେଠି କାହିଁ ! ମଙ୍ଗରାଜ ଦେଖିଲେ ଗାଧୋଉଚନ୍ତି ସୁରେଶ୍ଵରୀ ଦେଈ । ପାତଳା ଲୁଗାଟା ଓଦା ହେଇ ଦେହରେ ତାଙ୍କର ଜଡ଼ିଯାଇଚି । ତା’ ଭିତରୁ ମେଦବହୁଳ ଦେହର ମାଂସ ଫୁଟି ଉଠୁଚି ଉଜ୍ଜ୍ଵଳ ହେଇ, ସେଠୁ ପୁଣି ଭାସିଆସୁଚି ବାସ୍ନା । ଆଉ ସେ ଅନେଇଚନ୍ତି ଲୁବ୍ଧକ ଭଳି ସେଇ ମେଦବହୁଳା ନାରୀମୂର୍ତ୍ତିକି । ଦି’ଟା ବଡ଼ବଡ଼ ପେଣ୍ଡୁଳା ଭଳି ଓହଳିପଡ଼ିଚି ଦି’ଟା ସ୍ତନ ।

 

ଏପରି ଦୃଶ୍ୟ ଦେଖି ନିଜ ଉପରେ ସେ ନିଜେ ଖୁବ୍ ବିରକ୍ତ ହେଲେ । ରାତି ପାହିବା ଉପରେ । ଆଉ ଶୋଇବାର ଚେଷ୍ଟା ନ କରି ସେ ଉଠି ଆସି ଝରକାପାଖରେ ଠିଆହେଇ ଆଖି ପକେଇଲେ ମୁକ୍ତ ପ୍ରକୃତି ଭିତରକୁ । ହଠାତ୍ କାନରେ ପଡ଼ିଲା ତାଙ୍କର ମଧୁର ସଙ୍ଗୀତ ଧ୍ୱନି । ବେହେଲା ବଜେଇ ତାଙ୍କର କଳାସାଧକ ପୁତ୍ର ମୀନକେତନ ବ୍ରାହ୍ମ ମୁହୂର୍ତ୍ତରେ ସ୍ଵର ସାଧନା କରୁଚି-। କ୍ଷଣକରେ ସବୁ ଦୁଶ୍ଚିନ୍ତା ମନରୁ ତାଙ୍କର ଦୂର ହୋଇଗଲା । କିନ୍ତୁ କେତେକ ମୁହୂର୍ତ୍ତରେ ପୁଣି ପ୍ରତିକ୍ରିୟା ସୃଷ୍ଟି ହେଲା ତାଙ୍କ ମନରେ । କେତେଦିନ ବେହେଲା ବଜେଇ ମୀନକେତନ ଆଉ ସୁର ସାଧନା କରିବ ? ଅଭିନୟ ଭିତରେ ସେ ଆଉ କେତେକାଳ ବଞ୍ଚିବ ? ବର୍ତ୍ତମାନ ରାତି ପାହି ଆସୁଚି ସତ, କିନ୍ତୁ ଏତିକିବେଳେ ପୃଥିବୀର ଅପର ଗୋଲାର୍ଦ୍ଧରେ ସୂର୍ଯ୍ୟାସ୍ତ ହେଉଥିବ-। ସେଇ ଅପର ଗୋଲାର୍ଦ୍ଧରେ ରହିଚି ଯାଇ ମଧ୍ୟବିତ୍ତ ଗୋଷ୍ଠୀର ଖାନ୍‍ଦାନୀ । ମଙ୍ଗରାଜେ ମନେମନେ ଗୋଟିଏ ଓଡ଼ିଆ ଛାନ୍ଦର କେତେଅଂଶ ଆଉଡ଼େଇଗଲେ । ଗାଇଗଲେ ଗୋଟିଏ ଚଉପଦୀ-। ଗୋଟିଏ ସରସ ସଙ୍ଗୀତ ମଧ୍ୟ ତାଙ୍କର ମନେ ପଡ଼ିଗଲା । ମନେପଡ଼ିଲା, ଗୋଟିଏ ସୁନ୍ଦର ଭାବଗର୍ଭକ ସଂସ୍କୃତ ଶ୍ଳୋକ । ଶ୍ଳୋକଟି ଆବୃତ୍ତି କରି ତା’ର ଶେଷ ପାଦଟି ସେ ସ୍ପଷ୍ଟରୂପେ ଗାଇ ଉଠିଲେ ।

 

ତା’ପରେ ସେ ଦୃଢ଼କଣ୍ଠରେ କହିଲେ, ସେ ମଧ୍ୟବିତ୍ତର ସ୍ଵପ୍ନ ଆଉ ରହିବ କି ? ତାକୁ କେନ୍ଦ୍ର କରି ଗଢ଼ିଉଠିଥିଲା ଯେଉଁ ସଂସ୍କୃତି, ତାହା ମଧ୍ୟ ଲୋପପାଇବ । ଆଉ ସେଠି ତିଷ୍ଠିବ ପୁଣି ମୀନକେତନର ସଙ୍ଗୀତ ସାଧନା ।

 

ଭାବନା ଭିତରେ ମଙ୍ଗରାଜେ କୋଠରୀରୁ ବାହାରି ଉଠି ଚାଲିଲେ ଦୋମହଲାର ଛାତ ଉପରକୁ । ମୁକ୍ତ ପ୍ରକୃତିକୁ ସେ ଆହୁରି ନିବିଷ୍ଟ ଭାବରେ ଅନେଇ ରହିଲେ । ପୂର୍ବ ଆକାଶରେ ସିନ୍ଦୂରା ଫାଟିଯାଇଚି । ଦିଗନ୍ତରେ ଖେଳିଯାଇଚି ରକ୍ତର ପ୍ରବାହ । ତାଙ୍କର ମନେ ହେଲା, ଯେମିତି ଏ ସବୁ ତାଙ୍କରି ଗୋଷ୍ଠୀର ରକ୍ତ । ମନରେ ତାଙ୍କର ବିଦ୍ରୋହ ଖେଳିଗଲା । ସେ ପୂର୍ବ ଆକାଶରୁ ଦୃଷ୍ଟି ଫେରେଇ ଛାତର ଅପର ପାଖକୁ ବୁଲିଯାଇ ଅନେଇଲେ ପଶ୍ଚିମ ଦିଗକୁ । ଗୋଟାଏ ଦି’ଟା ଦେବଦାରୁ ଗଛ ଓ ଗୋଟା ନଡ଼ିଆଗଛର ପତ୍ର ଉହାଡ଼ରେ ବେଳେବେଳେ ଯେଉଁ କୋଠାର ଅଂଶଟା ଦେଖାଯାଏ ତାହାକୁ ନିରୀକ୍ଷଣ କରି ସେ ଖୋଜିବାକୁ ଲାଗିଲେ, ସେଇଟା ବୁରୁନ୍ଦ ସାହୁଙ୍କ କୋଠା । କିନ୍ତୁ ଆବଛାୟା ଅନ୍ଧାରରେ ସେ କୋଠା ଆଜି ଆଉ ଦେଖାଗଲାନି । ତଥାପି ସେଇ କୋଠାର ଅସ୍ତିତ୍ଵ ସ୍ମରଣ କରି ସେ ଭାବିଗଲେ ବୁରୁନ୍ଦ ସାହୁ ଭଳି ବ୍ୟବସାୟୀ ଗୋଷ୍ଠୀର କଥା । ସେମାନେ ବଞ୍ଚିବେ; ତାଙ୍କର ଜୀବନ କିମ୍ବା ଅର୍ଥାଗମ ଉପରେ କୌଣସି ହସ୍ତକ୍ଷପ ଦରକାର ନାହିଁ । ଖାଲି ମରିବ ଏଇ ମଙ୍ଗରାଜ ! ସେ କ’ଣ ବାଧା ଦେଉଥିଲେ ସମାଜ–ବ୍ୟବସ୍ଥାରେ । ବଡ଼ପୁଅର ବା’ଘରବେଳେ ଠିକ୍ ସମୟରେ ସବାରୀ ବେହେରା ପହଞ୍ଚେଇ ନପାରିବାରୁ ସେ ମାଡ଼ ଦେଇଥିଲେ ବାସୁଆ ଗଉଡ଼କୁ । କ’ଣ ବେହେଡ଼ା କରି ଜବାବ ଦେବାରୁ ସେ ଥରେ ବାଡ଼େଇ ପକେଇଥିଲେ ତୁଳାଭିଣା ଟୋକା ଗୋବିନ୍ଦାକୁ । ଆଉ ସେଇ ଝିଅଟାର କଥା ?

 

ନେପଥ୍ୟରେ ମଙ୍ଗରାଜଙ୍କୁ କିଏ ପ୍ରଶ୍ନ କଲା ଯେମିତି । ମଙ୍ଗରାଜଙ୍କର ମନେପଡ଼ିଲା ଅନେକ ଦିନ ତଳର ମଠସାହି କଚେରିର କଥା । ଯୁବକବେଳେ ତାଙ୍କର ଥରେ ଗୋଡ଼ ଖସି ଯାଇଥିଲା । ଦାସିଆମାଳୀର ଝିଅ ଚେମୀ । ମଙ୍ଗରାଜେ ତାକୁ ରକ୍ଷିତା ଭାବରେ ଗ୍ରହଣ କରିବେ ବୋଲି ରାଜି ହେଇଥିଲେ । ସେଥିରେ ବାପ ତା’ର ରାଜି ହେଲାନି । ଶେଷରେ ଗର୍ଭ ନଷ୍ଟ କରିବାକୁ ଯାଇ ଚେମୀର ମୃତ୍ୟୁ ଘଟିଲା । ସେଥିରେ ସେ କ’ଣ କରିବେ । ନିଶକୁ ଖୁବ୍ ଜୋରରେ ମୋଡ଼ି ଦେଇ ସେଭଳି ଭାବନାକୁ ମଙ୍ଗରାଜେ ମନରେ ପ୍ରଶ୍ରୟ ଦେବାକୁ ଇଚ୍ଛା କଲେନି ।

 

ତା’ପରେ ବୁଲିପଡ଼ି ଆଖିପକେଇଲେ ଉତ୍ତର–ପଶ୍ଚିମ ଦିଗର ମୁକ୍ତ ଆକାଶ ତଳେ ଦେଖାଯାଉଥିବା କେତୋଟି କୁଡ଼ିଆ ଘର ଉପରକୁ । ସେଇଟି ହରିଜନ ବସ୍ତି । ନାମ ପରିବର୍ତ୍ତନ କରାଯାଇଛି ସିନା; କିନ୍ତୁ ଅସଲ ଜିନିଷର କୌଣସି ପରିବର୍ତ୍ତନ ଘଟିନି । ମନେମନେ ହସି ଉଠିଲେ ମଙ୍ଗରାଜ । ତାଙ୍କ ବାପାଙ୍କ ଅମଳରେ ଏଇ ଦରିଦ୍ର ପାଣ ଜାତିର ଲୋକମାନେ ଆଜ୍ଞାପାଳନରେ ଅସୀମ ପ୍ରଭୁଭକ୍ତିର ପରିଚୟ ଦେଇ ହତ୍ୟା କରିଥିଲେ ସେଇ ପାଣ ଜାତିର ଜଣେ ଦୁର୍ଦ୍ଧର୍ଷ ଲୋକକୁ-। ମଙ୍ଗରାଜଙ୍କ ମନେପଡ଼ିଲା ମାଳିଆ ପାଣର ହତ୍ୟା ଘଟନା । ଶେଷକୁ ବାବୁଙ୍କୁ ରକ୍ଷା କରିବାପାଇଁ ସେଇ ପାଣମାନେ ଭୋଗିଲେ ଦ୍ଵୀପାନ୍ତର ଦଣ୍ଡ । ସେମାନଙ୍କ ଭିତରୁ ଦୁଇ ତିନି ଜଣ ପ୍ରାଣ ବଞ୍ଚେଇ ଫେରିଆସିଛନ୍ତି କଳାପାଣିରୁ ।

 

ସେଇ ବୀରପୁରୁଷମାନେ ସମସ୍ତେ ଏଇ କୁଡ଼ିଆ ଭିତରେ ଅଛନ୍ତି । ମଙ୍ଗରାଜଙ୍କ ମନର ଗଭୀର ମହାନୁଭୂତି ଖେଳିଗଲା ସେଇ କୁଟୀରଗୁଡ଼ିକ ଉପରେ ।

 

ମଙ୍ଗରାଜ ମୁହଁ ଫେରେଇଲେ ଅନ୍ୟଆଡ଼େ । ନିଜ ଚକଡ଼ାର ଅଳ୍ପ ଦୂର ଛାଡ଼ି ନିଜ ବିରାଦରମାନଙ୍କ ଘର ଲାଗିରହିଚି । ହେଇ ସେଠି ବଂଶୀ ଜେନାର ଘର । ବିଚରା ଭାରି ଗରିବ । ହଁ, ତା’ପାଇଁ ସେ ଦି’ମାଣ ଜମି ପଟା କରି ଦେଇଚନ୍ତି । ହଁ ବଂଶୀ ଜେନା ସାଙ୍ଗରେ ଏବେ କେତେ କାମ ଅଛି । କମଳପୁର ଛୋଟରା ଘରକୁ ସେ ଯିବ । ଏ ବର୍ଷ ମୀନକେତନ ଆଉ ପରାଗମଞ୍ଜରୀର ବା’ଘର ଶେଷ କରିବାକୁ ହବ । ଆରବର୍ଷକୁ ପ୍ରବାଳମଞ୍ଜରୀ ।

 

ସେଇ ଛାତ ଉପରୁ ସେ ବଂଶୀ ଜେନା ଉଦ୍ଦେଶ୍ୟରେ ଡାକ ଛାଡ଼ିଲେ ।

 

ବଂଶୀ....ବଂଶୀ ।

 

ଆରେ ବଂଶୀ ଉଠିଲୁଣି....

 

ଦଶ

 

ସେଇ ବର୍ଷ ଫଗୁଣ ମାସରେ ମୀନକେତନର ବିଭାଘର ହେଲା ।

 

ପୁଅ ମୀନକେତନ ଓ ଝିଅ ପରାଗମଞ୍ଜରୀର ବା’ଘର ଏକା ଆର୍ଦୋଳିରେ ସାରିଦେବାକୁ ମଙ୍ଗରାଜେ ଖୁବ୍ ଚେଷ୍ଟା କରିଥିଲେ । କିନ୍ତୁ ତା’ ସମ୍ଭବ ହେଲାନି । ବିଶେଷତଃ ପରାଗମଞ୍ଜରୀର ବଢ଼ନ୍ତି ଦେହକୁ ଦେଖି ତାକୁ ଆଗେ ଉଠେଇଦେବା ଲାଗି ସୁରେଶ୍ୱରୀ ଦେଈ ଭାରି ଜିଦ୍ ଧରି ବସିଥିଲେବି ଭଲ ଘରଟିଏ ସହଜରେ ଜୁଟି ପାରିଲାନି । ତେଣୁ ତା’ ବା’ଘର ଆସନ୍ତା ବୈଶାଖକୁ ସ୍ଥଗିତ ରହିଲା ।

 

ପୂର୍ବ ପ୍ରସ୍ତାବ ମତେ କମଳପୁର ଛୋଟରାୟଙ୍କ ଘରେ ମୀନକେତନର ବା’ଘର ହେଲା । କଦମ୍‍ପାଳଠାରୁ କମଳପୁର ସାତ କୋଶ ବାଟ । ମଙ୍ଗରାଜଙ୍କ ଘର ଭଳି ଛୋଟରା ଘର ବହୁକୁଟୁମ୍ବୀ ନୁହଁନ୍ତି । ଉଭୟ ପରିବାର କ୍ଷୟିଷ୍ଣୁ ମଧ୍ୟବିତ୍ତ ଶ୍ରେଣୀର ହେଲେ ମଧ୍ୟ କ୍ଷୟର ଧକ୍କାରେ ଛୋଟରା ଘର ଆତଙ୍କିତ ନୁହନ୍ତି । ଘରର ମାଲିକ ଗୌରୀଶ୍ୟାମ ଛୋଟରାୟ ହାଲି ଦୁଇବର୍ଷ ହେବ ମରିଯାଇଚନ୍ତି । ଘରର ସମସ୍ତ ଭାର ପଡ଼ିଚି ତାଙ୍କର ବିଧବା ସ୍ତ୍ରୀ କୁମୁଦିନୀ ଦେଈଙ୍କ ଉପରେ ଏବଂ କୁମୁଦିନୀ ଦେଈ ଏକାନ୍ତ ଭାବରେ ନିର୍ଭର କରି ରହିଚନ୍ତି ଗୁମାସ୍ତା ମାଧ ମାଟିଆଙ୍କୁ । ଏଥିଭିତରେ ଜମିଦାରୀ ଉଠି ଯାଇଥିଲେ ମଧ୍ୟ ମାଧ ମାଟିଆଙ୍କ ଚାକିରିରେ ସେଥିପାଇଁ କିଛି ଆଞ୍ଚ ଆସିନି ।

 

ସ୍ୱର୍ଗତ ଗୌରୀଶ୍ୟାମ ଛୋଟରାୟଙ୍କର ଦୁଇଟି ପୁଅ ଓ ଗୋଟିଏ ମାତ୍ର ଝିଅ । ଝିଅର ନାମ ସୁଷମା । ସେଇ ବା’ ହେଲା ମୀନକେତନକୁ । ଛୋଟରାଙ୍କ ଦୁଇ ପୁଅଯାକ ସରକାରୀ ଚାକିରି କରନ୍ତି । ରହନ୍ତି ଘରଠାରୁ ଅନେକ ଦୂରରେ । ଗୌରୀଶ୍ୟାମ ଛୋଟରା ପ୍ରଥମେ କୌଣସି ଗୋଟିଏ ବଡ଼ ଜମିଦାରୀରେ ନାଏବ ତହସିଲଦାରୀ କରି ବହୁ ଧନ ଉପାର୍ଜନ କରିଥିଲେ । ଶେଷକୁ ନିଜେ ମଧ୍ୟ କିଛି ଜମିଦାରୀ କରଗତ କରି ନିଜକୁ ଜମିଦାର ଶ୍ରେଣୀରେ ଗଣ୍ୟ କରାଇ ଅଧିକ ଖାତିର କମେଇବା ଉଦ୍ଦେଶ୍ୟରେ ସେ ଆପଣାଛାଏଁ ଅକାଳରେ ଚାକିରି ଛାଡ଼ିଦେଇ ଆସିଥିଲେ । ଜମିଦାରୀ ଉଠିଯିବାର ଜନରବ ଉଠିଲାକ୍ଷଣି ସେ ସମସ୍ତ ଖବର ଭଲଭାବରେ ବୁଝି ପ୍ରାୟ ଦେଢ଼ବର୍ଷ ଆଗରୁ ଅର୍ଦ୍ଧେକ ଜମିଦାରୀ ମାହାଲକୁ ଦଶ ହଜାର ଟଙ୍କାରେ ବିକ୍ରି କରିଦେଇ ପାରିଥିଲେ । ତାହା ଫଳରେ ଅନ୍ତିମ ଅବସ୍ଥାରେ କେତୋଟି ମାଲିମକଦ୍ଦମାରେ ପଡ଼ି ଦାୟଗ୍ରସ୍ତ ହେଇଥିଲେ ମଧ୍ୟ ସେଥିରୁ ମୁକ୍ତି ପାଇପାରିଥିଲେ । ଶେଷକୁ ସେଇ ଟଙ୍କାରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ଖୁବ୍ ଜାକଜକମରେ ସମ୍ପନ୍ନ ହେଲା । ଖୁବ୍ ଆଡ଼ମ୍ବର ସହକାରେ ସୁଷମାର ବା’ଘର ହେଲା ମଧ୍ୟ ସେଇ ଟଙ୍କାରେ । ସେଥିରୁ ଏବେବି କିଛି ଆଖିଦୃଶିଆ ଅଂଶ ଅଛି । ତାହା ବର୍ତ୍ତମାନ ସୁଷମାର ମା’ କୁମୁଦିନୀ ଦେଈଙ୍କ ପାଣ୍ଠି ।

 

କଳାସାଧକ ପୁଅର ମନକୁ ଏହି ବିବାହଦ୍ଵାରା ସମ୍ପୂର୍ଣରୂପେ ବଦଳେଇ ଦେବାପାଇଁ ମଙ୍ଗରାଜେ ଖୁବ୍ ଚେଷ୍ଟା କରିଥିଲେ । ସେଥିପାଇଁ ନିଜର ରହିବା ସ୍ଥଳ ଦୋମହଲାର ହଲ୍ ଘରୁ ଉଠିଯାଇ ସେ ରହିଲେ ଚଉପାଢ଼ିରେ । ଚଉପାଢ଼ିରୁ ମୀନକେତନର ଆଡ଼୍ଡ଼ା ଭାଙ୍ଗିଦେବା ଥିଲା ତାଙ୍କର ଅସଲ ଉଦ୍ଦେଶ୍ୟ ।

 

ସୁଷମା ସହ ମୀନକେତନ ମଧୁରାତ୍ରି ଯାପନ କଲା ସେହି ହଲ୍ ଘରେ । ମଧୁଶଯ୍ୟାରେ ଶାୟିତା ପ୍ରଭିନ୍ନ ଯୌବନା ସୁଷମାକୁ ଦେଖି ମୀନକେତନ ମୁଗ୍ଧ ହେଇଥିଲା । ଖୋଲା ଝରକା ଭିତରେ ବାସନ୍ତୀ ଆକାଶର ଅସଂଖ୍ୟ ତାରାର ଚାହାଣି ତଳେ ହେଇଥିଲା ଚାରୋଟି ଚକ୍ଷୁର ମିଳନ-। ଝିରି ଝିରି ଦକ୍ଷିଣା ପବନ ଭିତରେ ପ୍ରଣୟୀ–ପ୍ରଣୟିନୀର ସମସ୍ତ ଅଙ୍ଗ ଉଲ୍ଲସିତ ହେଇ ଉଠିଥିଲା-। ମଧୁଶଯ୍ୟାରେ ଫୁଲର ପ୍ରାଚୁର୍ଯ୍ୟ ନଥିଲେ ମଧ୍ୟ ସୌରଭର ଆଧିକ୍ୟ ଥିଲା । କିନ୍ତୁ ତା’ଠାରୁ ଆଉ ଏକ ସୌରଭ ଥିଲା, ଯାହା ସବୁଠାରୁ ଭିନ୍ନ–ଯୌବନ ରସାଣିତ ଦୁଇଟି ନୂତନ ଦେହର ସୌରଭ-। ଆବେଗର ଆତିଶଯ୍ୟରେ ତାହା ଯେପରି ଉଚ୍ଛନ୍ନ ହେଇ ରହିଥିଲା । ପ୍ରାଣ ଭିତରେ ପ୍ରୀତିର ଦୋଳା, ମନ ଭିତରେ ମନସିଜର ଖେଳା, ଆଖି ଭିତରେ ପ୍ରିୟ ରୂପର ଲୀଳା । ସବୁ ମିଶି ଗଢ଼ି ଦେଇଥିଲା ଏକ ଅତ୍ୟାକାଂକ୍ଷିତ ସୁଧାମୟ ଭୋଜ୍ୟ । ମୀନକେତନ ପକ୍ଷରେ ମନସିଜର ଖେଳା ଅନାସ୍ଵାଦିତ ନଥିଲା ସତ; କିନ୍ତୁ ସେ କ୍ଷୁଧା ସେ ନିବାରଣ କରିଥିଲା ଏକ ଅନ୍ନସତ୍ରରେ-। ରୂପ ଦେବତାର ଏକ ଶ୍ରେଷ୍ଠ ପାକଶାଳାରେ ପ୍ରସ୍ତୁତ ପ୍ରଣୟ–ଭୋଜ୍ୟ ଆହାର କରିବା ତା’ ପକ୍ଷରେ ଏପର୍ଯ୍ୟନ୍ତ ଦୁର୍ଲ୍ଲଭ ହେଇ ରହିଥିଲା । ସେଥିଯୋଗୁଁ ପୂର୍ବର ସମସ୍ତ ଅଭିଜ୍ଞତା ଭୁଲିଯାଇ ମୀନକେତନ ହେଇ ଉଠିଲା ଅତିଶୟ ଅନାଡ଼ି । ସୁଷମାର ସୁଷମାମଣ୍ଡିତ ଲଜ୍ଜାନତ ବଧୂମୁଖକୁ ଯେତେବେଳେ ପ୍ରଦୀପର ଆଲୋକରେ ସେ ଦେଖିଲା, ସେତେବେଳେ ସେ ନିଜକୁ ମନେକଲା ତ୍ରିଭୁବନର ସମ୍ରାଟ । ତା’ପରେ ଆନୁକ୍ରମିକ କାର୍ଯ୍ୟ ଗତିରେ ସେ ଆହୁରି ଦୂରକୁ ଚାଲି ଯାଇଥିଲା-। ସେ ଦେଖିଥିଲା, ସକଳ ପ୍ରକାର ବାଧା ଦାନରେ ନିରସ୍ତ ହେବାପରେ ଶଯ୍ୟାରେ ଲୀଳାୟିତ ଭଙ୍ଗିରେ ପଡ଼ିଥିବା ଏକ ବିଶ୍ରସ୍ତ୍ର ବସନା ଯୁବତୀକୁ । ବକ୍ଷର ନିଚୋଳ ଫିଟି ସ୍ଥାନ ଭ୍ରଷ୍ଟ ହୋଇଚି, ମୁକ୍ତ ହୋଇପଡ଼ିଚି ଦୁଇଟି ସ୍ଵର୍ଣ୍ଣାଭ ଗମ୍ବୁଜ । କଟିବନ୍ଧରୁ ଖସିଯାଇଛି ବସ୍ତ୍ର । ଗୋଟିଏ ଗୋଡ଼ର ବହୁ ଅଂଶ ଅନାବୃତ । ପାଦ ଦୁଇଟିକି ଦେଖିବାରେ ମଧ୍ୟ ମୀନକେତନର ଆଖି ଅଟକି ରହିଲା-। ତାହାପରେ ସେ ଦେଖିଲା ସୁଷମାର କେଶଗୁଚ୍ଛର ବେଣୀକୁ । ବନ୍ଧନ ତା’ର ଫିଟିଯାଇଚି, ସେହି ମୁକ୍ତ ବେଣୀର କେଶଗୁଚ୍ଛ ଲମ୍ବି ଆସିଚି ନିତମ୍ବ ଯାଏଁ । ସେଠାରେ ମଧ୍ୟ ପରିଧେୟ ଅସମ୍ବୃତ-। ସେହି ଉଚ୍ଚ, ଶୁଭ୍ର, ଦ୍ୱିଧା ବିଭକ୍ତ ସୁକୋମଳ ମାଂସ ସ୍ତୂପ ଉପରେ ଥରେ ହାତ ବୁଲେଇ ନେଲା ମୀନକେତନ ।

 

ଏହି ସମୟରେ ଲଜ୍ଜା କାଟି ଉଠି ପଡ଼ିଲା ସୁଷମା । ହଠାତ୍ ଯାଇ ନିଭେଇଦେଲା ଲଣ୍ଠନର ଆଲୁଅକୁ । ସେଇ ଆକସ୍ମିକ ଦୃଶ୍ୟଟି ମୀନକେତନ ପକ୍ଷରେ ହେଇଉଠିଲା ଆହୁରି ଉପଭୋଗ୍ୟ । ତା’ପରେ ଘରଭିତରେ ଭରି ରହିଲା ଅଖଣ୍ଡ ଅନ୍ଧକାର । ସେଇ ଅନ୍ଧକାର ଭିତରେ ପୂରି ଉଠିଲା ସ୍ଵପ୍ନ । ସେଇ ସ୍ଵପ୍ନ ଭିତରେ ଝରିଲା କେବଳ ସଙ୍ଗୀତ । ତାହାପରେ ପାହିଯାଇଥିଲା ରାତି ।

 

ପ୍ରାୟ ପନ୍ଦର ଦିନ ପରେ ଶାପଭ୍ରଷ୍ଟ ପରି ସେଇ ପ୍ରଣୟୀ ମିଥୁନ ଖସିଆସିଲେ ତଳକୁ । ଦୀର୍ଘ ସମୟପାଇଁ ଘରର ସାମାନ୍ୟ ଗୋଟିଏ ବୋହୂ ଲାଗି ସବୁ ଜିନିଷ ନିଆଅଣା କରିବା କଷ୍ଟକର ହେଲା । ଘରେ ଅନ୍ୟ ଦୁଇଟି ବଡ଼ ଯାଆ ମଧ୍ୟ ଅଛନ୍ତି । ସୁଷମା ପ୍ରତି ଏପରି ପକ୍ଷପାତ ବ୍ୟବହାରରେ ସେମାନେ ମଧ୍ୟ ବିମୁଖ ହେଇ ପଡ଼ିଲେ । ନିଜେ ଶାଶୁ ସୁରେଶ୍ଵରୀ ଦେଈ ମଧ୍ୟ ଏ ବ୍ୟବସ୍ଥାକୁ ଆଉ ସୁଖକର ମନେ କଲେନି । ଶେଷକୁ ମଙ୍ଗରାଜ ମଧ୍ୟ ଅନୁଭବ କଲେ ଏଥିଭିତରେ ବୋହୂର ପଣତରେ ବାନ୍ଧି ହେଇପଡ଼ିଛି ମୀନକେତନ । ବିଶେଷ କଥା, ତାଙ୍କୁ ମଧ୍ୟ ବାହାର ଲୋକ ଭଳି ଚଉପାଢ଼ିରେ ବେଶିଦିନ ପଡ଼ିରହିବା ଆଉ ଭଲ ଲାଗିଲାନି । ସବୁ ସମସ୍ୟାର ସମ୍ମିଶ୍ରଣରେ ସେଇ ପ୍ରଣୟୀ ମିଥୁନ ହେଲେ ସ୍ୱର୍ଗଭ୍ରଷ୍ଟ ।

 

ବିରାଟ ପରିବାରର ଅଙ୍ଗୀଭୂତ ହେଇ ସେମାନେ ରହିଲେ ଆସି ତଳ ଖଞ୍ଜାର ଗୋଟିଏ ଘରେ । ସେଠି ଯେପରି ଆଲୁଅ ନାହିଁ କି, ଅନ୍ଧାର ନାହିଁ । ସ୍ୱପ୍ନର ଚିତାଭସ୍ମ ଉପରେ ନିରାଟ ବାସ୍ତବତାର ଏକ ନିର୍ମମ ପରିବେଶ । ଯେପରି କୌଣସି ନବଜନ୍ମ ନେବାକୁ ଭ୍ରୂଣର ଗର୍ଭବାସ । ଏହାରି ଭିତରେ ସେମାନେ ଚାଲିଗଲେ ଅନେକ ବାଟ । ସେମାନଙ୍କର ଆନନ୍ଦର ରୂପ ମଧ୍ୟ କ୍ରମେ ବଦଳିଯିବାକୁ ଲାଗିଲା ।

 

ପରିସର ଛୋଟ ହେଲେ ମଧ୍ୟ ସୁଷମାର ପ୍ରାଣର ଆନନ୍ଦ ତା’ରି ଭିତରେ ଅନେକ ଦିନ ଧରି ସତେଜ ରହିଥିଲା । ସକାଳୁ ଗାଧୋଇସାରି ଶାଶୁ, ଆଈଶାଶୁ ଓ ଶଶୁରଙ୍କ ପାଦରୁ ପାଣି ଛୁଆଁଇ ଆଣି ପିଇବା, ଚନ୍ଦନ ଘୋରିବା, ପାନ ଭାଙ୍ଗ ବା ଓ ଲୁଗା କୁଞ୍ଚି ରଖିବାରେ ସୁଷମାର ଶୀତଳ ସମୟତକ କଟିଯାଏ । ତା’ପରେ ନବାଗତା ସାନବୋହୂ ଭାବରେ ରୋଷେଇର ତାତ୍ପର୍ଯ୍ୟ ଦେଖେଇବାକୁ ହୁଏ ମଧ୍ୟାହ୍ନର ପ୍ରାକ୍‍କାଳରେ । ସେତେବେଳେ ମଧ୍ୟ ତା’ପାଇଁ ଆହୁରି କର୍ତ୍ତବ୍ୟ ପଡ଼ିରହେ । ନଣନ୍ଦ ପ୍ରଭୃତିଙ୍କୁ ଧରି ହସଖୁସି ହେବା ତ କର୍ତ୍ତବ୍ୟର ବାହାରେ, ସାହିପଡ଼ିଶା ଘରୁ ଗୁରୁଜନସ୍ଥାନୀୟା କେହି ସ୍ତ୍ରୀଲୋକ ଆସିଲେ ପାନ ଭାଙ୍ଗିଦେଇ ସେମାନଙ୍କ ଗୋଡ଼ ଘଷି ଦେବା ମଧ୍ୟ କର୍ତ୍ତବ୍ୟର ଅଙ୍ଗୀଭୂତ ହୋଇପଡ଼େ । ଏହି ଶୁଷ୍କ କର୍ତ୍ତବ୍ୟ ପାଳନ ଭିତରେ ସୁଷମାର ହୃଦୟର ହାହାକାର ପବନକୁ ଯେ କେତେ ଘନୀଭୂତ କରେ ତାହାର ହିସାବ କେହି ରଖେନା ।

 

ବାସ୍ତବିକ ମୀନକେତନ ଏହା ଭିତରେ ସୁଷମା ପ୍ରତି ଖୁବ୍ ଅନୁରକ୍ତ ହେଇପଡ଼ିଚି । କିନ୍ତୁ ସେଇ ଅନୁରକ୍ତି ପ୍ରକାଶ କରିବାପାଇଁ ଦିନବେଳଠାରୁ ରାତି ବାରଟା ଯାଏଁ ସେ ସୁଯୋଗ ଖୁବ୍ କମ୍ ପାଏ । ଦିନବେଳେ ସେ ଅନେକଥର ଏପାଖ ସେପାଖ ହେଇ ଶେଷକୁ ଯାଇ ଦାଣ୍ଡର ଚଉପାଢ଼ିରେ ଆଶ୍ରୟ ନିଏ । ବେହେଲାରେ ଛଡ଼ି ଘଷିଘଷି ସୁର ସାଧିବାକୁ ସେ କେତେ ଚେଷ୍ଟାକରେ, କିନ୍ତୁ ସଫଳ ହେଇପାରେନା । କିଏ ଯେମିତି ତାକୁ ଡୋରି ଲଗେଇ ଝିଙ୍କିଆଣେ ଖଞ୍ଜାଭିତରକୁ । ଖଞ୍ଜା ଭିତରକୁ ଆସି କେତେବେଳେ ଭାଉଜମାନଙ୍କ ପାଖରେ ଗପ କରିବାକୁ ଚେଷ୍ଟାକରେ, କିନ୍ତୁ ପାରେନା । ସୋଶୀଳାକୁ କେନ୍ଦ୍ର କରି ସେମାନଙ୍କ ପରିହାସ ତୀବ୍ର ହେଇଉଠେ । ସୁଷମା ପାଖରୁ ସେ ସବୁ ଗୋପନ ରଖିବାକୁ ପ୍ରାଣପଣେ ଯତ୍ନ କରି ସେ ପୁଣି ପଳେଇଯାଏ ବାହାରକୁ ।

 

ଦିନେ ଖରାବେଳେ ସୁଷମା କାମରୁ ଟିକେ ଅବ୍ୟାହତି ପାଇ ବସି ଦେହ ଶୀତଳଉଚି ଏହି ସମୟରେ ପାଖଘରୁ ଆଈଶାଶୁର ଡାକ ପଡ଼ିଲା । ପାଖରେ ପହଞ୍ଚି ସୁଷମା ଦେଖିଲା, ବୁଢ଼ୀ ବିନ୍ଧା ଛିଟିକାରେ ଯେମିତି ଅସମ୍ଭାଳ ହେଉଚି । ପାଖରେ ଠିଆ ହେଇ ସେ ଭାବିଲା, କ’ଣ ଏତେ ଲୋକରେ ବୁଢ଼ୀଙ୍କ ଦିହରେ ହାତ ମାରି ଦେବାକୁ କେହିହେଲେ ଟିକେ ଆସନ୍ତି ନେଇ ? ଆଈଶାଶୁ ଏଇ ଅନୁଛାୟା ଦେଈଙ୍କି ବିଚାରୀ ସୁଷମା ଜାଣେନା । ଏଠି ସେ ମାତ୍ର କେତେଦିନର ଆଗନ୍ତୁକା । ସେ ମଧ୍ୟ ଆହୁରି ଜାଣେନା, ଯେ କେତେ କୋମଳ ହାତର ଉଷୁମ ଆଶ୍ଳେଷ ବୁଢ଼ୀର ସେଇ ଶୀର୍ଣ୍ଣ ହାଡ଼ମିଶା ଦେହଟି ହଜମ କରିସାରିଚି । ସେତେବେଳେ ବୟସ୍କା ଯାଆମାନେ କୋଉଠି ମେଳ ବାନ୍ଧି ଗପର ଆଡ଼୍‍ଡ଼ାରେ ବ୍ୟସ୍ତ । ଯାହା ପକ୍ଷରେ ବର୍ତ୍ତମାନ ଅବସର ଓ ବିଶ୍ରମ୍ଭବିଳାସ ସମସ୍ତଙ୍କ ଚାହିଁ ଅଧିକ ଆବଶ୍ୟକ ସେହି ସୁଷମାପାଇଁ ତାହା ହୁଏ ସ୍ୱପ୍ନ । କର୍ମଚକ୍ରର ଘୋରଣୀ ଭିତର ଯୁବତୀମନ ତା’ର ପେଶି ହେଇଯାଏ ଯେମିତି ।

 

ବୁଢ଼ୀ ଅନୁଛାୟା ଦେଈଙ୍କ ପାଖରେ ଠିଆହେଇ ତାଙ୍କର ଶୁଖିଲା ଗୋଡ଼ ଦୋଟିକି ସୁଷମା ଚାହିଁ ରହିଲା । ଆଗରୁ କେତେଥର ସେ ଏଇ ଗୋଡ଼ ଦୋଟିକି ତା’ର କୋମଳ ଆଶ୍ଳେଷ ଦେଇଚି । ତଥାପି ସେ ଆଜି ଅନେଇ ରହିଲା ସେଇ ଗୋଡ଼ ଦିଖଣ୍ଡକୁ । ବାସ୍ତବରେ ଅନୁଛାୟା ଦେଈ ଏହାରି ଭିତରେ ଆହୁରି ଦୁର୍ବଳ ହେଇ ପଡ଼ିଚନ୍ତି । ମାଂସର ଗନ୍ଧ ନାହିଁ, ଭିତରର ହାଡ଼ ବିବର୍ଣ୍ଣ ଚମରେ ଯାହା ଖାଲି ଢାଙ୍କି ହେଇ ରହିଚି । ଘଷି ମୋଡ଼ି ଦେଲାବେଳେ ତାହା ଓଲଟି ଅନ୍ୟର ହାତକୁ ପୀଡ଼ାଦିଏ । ଏହିପରି ନାନା ଭାବନା ଭିତରେ ବୁଢ଼ୀର ଖଟ ଧାରରେ ବସି ପଡ଼ିଲା ସୁଷମା-। ସେ ବସିଯିବାକ୍ଷଣି ତାହାର ଯୌବନର ଦେଦୀପ୍ୟମାନ ଦେହ କାନ୍ତିରେ ମୃତ୍ୟୁଛାୟାମୟୀ ବୁଢ଼ୀର ସେଇ କୋଠରୀ ଖଣ୍ଡକରେ ଯେପରି ନବଜୀବନର ଆଲୋକ ଲାଗିଲା । ସୁଷମାର ଦେହରେ ମାଂସ ମଧ୍ୟ ପ୍ରଚୁର । କେହି ଶଲ୍ୟ ଚିକିତ୍ସକ ସେପରି ଅସ୍ତ୍ରୋପଚାର କରି ଜାଣିଲେ ସେଥିରେ ବାର୍ଦ୍ଧକ୍ୟପୀଡ଼ିତା ଏଇ ଅନୁଛାୟା ଦେଈଙ୍କୁ ମଧ୍ୟ ନବ ଐଶ୍ୱର୍ଯ୍ୟ ଦେଇପାରନ୍ତା । ମାତ୍ର ଏଇ ମୁମୂର୍ଷୁ ଆଈ ବୁଢ଼ୀମାନଙ୍କର ଦୁଃଖ ବୁଝିବ କିଏ ?

 

ସୁଷମାର ମୁହଁକୁ କ୍ଷୀଣ ଦୃଷ୍ଟିରେ ଅନେଇ ବୁଢ଼ୀ ଫୁସ୍ ଫୁସ୍ କରି କହିଲା...

 

“ପାଠ ପଢ଼ିଚୁ ବୋହୂ ? ଗୀତ ଭାଗବତ ବୋଲି ଜାଣିଚୁ ?”

 

ସୁଷମା ନୀରବ ରହିଲା । ମନେମନେ ଭାବିଲା, ପାଠପଢ଼ାର କଥାରେ ବୁଢ଼ୀର ପୁଣି ଭାଗବତ ପଢ଼ାର ଜୁଲମ ଆରମ୍ଭ ହବନେଇଁ ତ ?

 

ନାତୁଣୀବୋହୂର ଉତ୍ତରକୁ ଅପେକ୍ଷା ନ କରି ତକିଆ ତଳୁ ଖଣ୍ଡେ କାଗଜ ବାହାର କରି ବୁଢ଼ୀ ପୁଣି କହିଲା...

 

“ନେ, ଏ କାଗଜ ଖଣ୍ଡକ ନେ । ପଢ଼ିବୁ ଯା । ଘରେ ପଶି କବାଟ ନଗେଇ ଦବୁ...ଏ ନିଆଁନାଗିଗୁରା ତତେ କ’ଣ ଖରାବେଳେ ଶୋଇ ବସେଇ ଦଉଥେବେ ଯା...ଗୋଡ଼ ମୋର ସତେ କ’ଣ ବିନ୍ଧୁଚି ଆଉ...”

 

ଏତକ କହି ବୁଢ଼ୀ ଟିକେ ହସିଦେଲା । ପାକୁଆ ପାଟିର ହସ, କେବଳ କଳ ଆଡ଼କୁ କେତୋଟି ଦାନ୍ତ ଦେଖାଗଲା । ଯୁବତୀବେଳେ ହୁଏତ ଅନୁଛାୟା ଦେଈ ଅଳତାରେ ଦାନ୍ତ ପଚେଇ ନିଜକୁ ଡାଳିମ୍ବଦନ୍ତୀ କରିବାକୁ ପ୍ରଯତ୍ନ କରିଥିଲେ । ସେଇ ଦାନ୍ତ କେତୋଟିରେ ତାହାର ଆଭା ଦେଖାଗଲା ।

 

ବୁଢ଼ୀ ହାତରୁ କାଗଜ ଖଣ୍ଡକ ନେବାକୁ ସୁଷମା ହାତ ଉଠେଇ ପାରିଲାନି । କି କାଗଜ ! ସେ କାହିଁକି ନବ ! ସେ ପୁଣି ତାକୁ ପଢ଼ିବ କାହିଁକି !

 

“ଆଲୋ, ତୋରି ଘଇତା ଦେଇଚିଲୋ...ନେ...”

 

ତଥାପି ମଧ୍ୟ ସୁଷମା କିଛି ବୁଝିପାରିଲାନି । ଦୋଦୋପାଞ୍ଚ ହେଇ ଶେଷକୁ ବୁଢ଼ୀଙ୍କ ହାତରୁ କାଗଜ ଖଣ୍ଡିକ ନେଇ ସେଠୁ ଝଟ୍ ଚାଲିଗଲା ।

 

ଘରେ ପଶିଯାଇ ସୁଷମା ଝଟ୍ କବାଟ କିଳିଦେଇ ଆଖିଆଗରେ କାଗଜ ଖଣ୍ଡକୁ ମେଲେଇ ଧରିଲା । ସତେ, ଏତ କା’ର ଚିଠି ! ଖଟ ଉପରେ ପଡ଼ିଯାଇ ସେ ଚିଠି ଖଣ୍ଡକ ପଢ଼ିଲା ।

 

ପ୍ରିୟତମା !

 

ଶିହରି ଉଠିଲା ସୁଷମା । ହଁ ତା’ରି ସ୍ୱାମୀ ଦେଇଚନ୍ତି ଚିଠି । ଦାଣ୍ତରୁ ସେ ଘରକୁ ପଠେଇଚନ୍ତି ଚିଠି ବୁଢ଼ୀମା ହାତରେ । ଚିଠିର କଥା ଛାଡ଼ି ସେ ଘଟନାକୁ ଭାବି ହସି ହସି ବିଛଣାରେ ଲୋଟି ପଡ଼ିଲା ।

 

ୟା ଆଗରୁ ସୁଷମା ଏପରି ଚିଠି କେବେହେଲେ ପଢ଼ି ନଥିଲା । ନିଜ ହାତର ଛୋଟ ଛୋଟ ଅକ୍ଷରରେ ମନର କଥା ଏମିତି ପ୍ରକାଶ କରି ହୁଏ ବୋଲି ସେ ଭାବିପାରି ନଥିଲା । ମୋଟଉପରେ ‘ପ୍ରେମପତ୍ର’ ସେ କେବେ ପାଇ ନଥିଲା କି, ପଢ଼ି ନଥିଲା । ଏହାଇ ପ୍ରଥମ ।

 

ଚିଠି ଖଣ୍ଡକ ଥରକୁଥର ସୁଷମା ପଢ଼ିଲା ।

 

ପଢ଼ି ପଢ଼ି ସେ ମନେମନେ ହସିଉଠିଲା ଅନେକଥର ।

 

ମଲା, ଏ କି କଥା ! ମୋର କି ଦୋଷ ! ମୋ ଉପରେ ଅଭିଯୋଗ କାହିଁକି ? ମୁଁ କ’ଣ ଆଉ ଦାଣ୍ଡରେ ଯାଇଁ ବୁଲନ୍ତି କି ତମ ସାଙ୍ଗରେ ! ତମେ କାଇଁକି ଦିନବେଳେ ଘରକୁ ଥରେ ପଶି ଆସୁନା ! କ’ଣ କିଏ କରନ୍ତା ତମେ ଆସି ଏଠି ଶୋଇ ପଡ଼ିଲେ । ହେଇ ତ ସେ କଣ ଘରେ ମଝିଆଁ ଅପା ଶୋଇଚନ୍ତି, ନନାବି ଅଛନ୍ତି ।

 

ନା ! ଖରାପ କଥା । କିଏ ଆସି ପହଞ୍ଚିଯିବ । ସେ କାହିଁକି ଦିନବେଳେ ଆସିବେ ଏଠିକି-। ଖରାପ କଥା-

 

ସୁଷମା ଏସବୁ ଭାବିଗଲା ମନେମନେ ।

 

କିନ୍ତୁ ଅସଲ କଥାପାଇଁ ସେ କିଛି କରିପାରିଲାନି । ଚିଠିରେ ମୀନକେତନ ତାକୁ ଅନୁରୋଧ କରିଥାଏ, ଉତ୍ତର ଲେଖି ବୁଢ଼ୀମା ପାଖରେ ଦେଇ ଆସିବାକୁ ।

 

ସୁଷମା କିଛି ଠିକ୍ କରିପାରିଲାନି ।

 

କ’ଣ ସିଏ ଲେଖିବ ! ତାକୁ ପୁଣି ବୁଢ଼ୀଙ୍କି ନେଇ ଦବ କେମିତି ! କ’ଣ କହିବ । ଛିଃ, ବଡ଼ ବେହେଡ଼ା କଥା ।

 

ଶେଷରେ ବୁଢ଼ୀ ପ୍ରତି ସୁଷମାର ହୃଦୟରେ କୃତଜ୍ଞତା ଭରି ଉଠିଲା ।

 

ଚିଠି ଖଣ୍ଡକ ଗଦି ତଳେ ଲୁଚେଇ ଦେଇ ସେ ଚାଲ ଚାଲ ହେଇ ଯାଇ ପୁଣି ଅନୁଛାୟା ଦେଈଙ୍କ ଘରେ ପହଞ୍ଚିଲା । ଦେଖିଲା, ବୁଢ଼ୀଙ୍କ ଆଖିରେ ନିଦର ନାଁ ଗନ୍ଧ ନାହିଁ । ଦିନକୁ ଦଶ ଦଶ ଥର ବୁଢ଼ୀ ଯେମିତି ଚାଳର ରୁଅ ବାଉଁଶ ଗଣୁଚନ୍ତି । ସେ ଗଣିବା ଯେମିତି ସରୁନି ।

 

ଆଗପରି ଖଟଧାରରେ ବସିପଡ଼ି ସୁଷମା କୃତଜ୍ଞତା ପ୍ରକାଶ କରି ବୁଢ଼ୀଙ୍କ ଗୋଡ଼ ଦୁଇଟିକି ଆଉଁସି ଦେବାକୁ ଲାଗିଲା ।

 

କିଛିକ୍ଷଣ ପରେ ପୁଳାଏ ଦମକା ପବନ ପରି ସେ ଘରେ ପହଞ୍ଚିଲା ଆସି ମୀନକେତନ-। ତା’ର ଧାରଣା ଥିଲା ୟା ଭିତରେ ସୁଷମା ଚିଠି ପାଇ ଉତ୍ତର ଲେଖି ବୁଢ଼ୀମା ପାଖରେ ଦେଇ ଯାଇଥିବ । ଆଉ ତାକୁ ନେଇ ପଢ଼ି ପଢ଼ି ସେ ତୋଟାର ଆମ୍ବଗଛ ପବନରେ ବସି ଦିନର ବାକି ସମୟତକ କାଟିଦବ । କିନ୍ତୁ ଘରଭିତରେ ସୁଷମାକୁ ଦେଖି ସେ ଶୀତେଇ ପଡ଼ିଲା, ବୋଧହୁଏ ବୁଢ଼ୀମା କତିରୁ ସୁଷମା ଏତେବେଳଯାଏ ତା’ ଚିଠିଟି ପାଇନି ।

 

ମୀନକେତନ ଆଉ କିଛି ନ ଭାବି ଘରଭିତରେ ଟିକେ ଏପାଖ ସେପାଖ ହେଇ ସୁଷମାକୁ ସାମ୍ନା କରି ଆରପାଖ ଖଟଧାରରେ ବସି ପଡ଼ିଲା ।

 

“ଦେଖା, ଏ ଗୋଡ଼ୁଟା ମୁଁ ଘଷିଦିଏ ବୁଢ଼ୀମା !”

 

ବୁଢ଼ୀମାର ପାକୁଆ ପାଟି । କଳରେ କେଇଟି ଅଳତା ପଚା ଦାନ୍ତ ଥିଲେବି ହସିବାରେ ସେଗୁଡ଼ିକର ସାହଚର୍ଯ୍ୟ ମୋଟେ ରହେନା । କେବଳ ଦି’ ପାଖର ମାଢ଼ି ଦି’ ଧାରକୁ ସମ୍ବଳ କରି ବୁଢ଼ୀମା ହସିବା କାମ ଚଳାଏ । ସେଇ ହସ ଭିତରେ ଲୋଳିତ ଗାଲ ଯୋଡ଼ିକ ଆହୁରି ରେଖାମୟ ହେଇଉଠେ । ସେ ବି ଏକ ସୌନ୍ଦର୍ଯ୍ୟ ।

 

ମୀନକେତନର କଥା ଶୁଣି ବୁଢ଼ୀମାର ହସ ଖେଳିଗଲା ସେଇ ପାକୁଆ ପାଟିରେ । ଏ ଭିତରେ ମୀନକେତନ ବୁଢ଼ୀମାର ଗୋଡ଼ରେ ହାତ ଚଳେଇବା ଆରମ୍ଭ କରିଦେଇଚି । କିନ୍ତୁ ଗୋଡ଼ ଘଷିବା ଭିତରେ ତା’ର ହାତ ଖାଲି ବାଜୁଚି ଯାଇ ସୁଷମାର ହାତରେ । ସେଥିରେ ଦେହରେ ଶିହରଣ ଜାଗିଉଠୁଚି, ମୁହଁରେ ଫୁଟି ଉଠୁଚି ହସ । କିଛି ସମୟ ପରେ ସୁଷମା ଦେଖିଲା, ବୁଢ଼ୀଙ୍କର ଦି’ ଆଖିଯାକ ବୁଜି ହେଇ ଯାଇଚି । ସେ ଛନଛନ ହେଇ ଥରେ ଥରେ ଅନେଇଲା ମୀନକେତନର ମୁହଁକୁ । ସତେ କେଡ଼େ ସୁନ୍ଦର ଚେହେରା ୟାଙ୍କର । ଗୋରା ମୁହଁର ଠିଆ ନାକ ଉପରେ ମୋଟା ମୋଟା ଆଖିପତା ଦି’ଟା, ତା’ ଉପରକୁ ଝୁଲି ପଡ଼ିଚି ଝାମ୍ପୁରା–ଝାମ୍ପୁରା ବାଳ । ପୁଣି ଆଖି ଫେରେଇ ଓଠ ଆଡ଼କୁ ଚାହିଁବାବେଳକୁ ସେ ବାଧା ପାଇଲା ।

 

ହଠାତ୍ ସୁଷମାର ନାକଟାକୁ ଟାଣିଦେଲା ମୀନକେତନ । ତା’ପରେ ପଚାରିଲା ପ୍ରଶ୍ନ ।

 

“ଚିଠି ପାଇଚ ?”

 

ସୁଷମା କେବଳ ମୁରୁକି ମୁରୁକି ହସିଲା ।

 

ତା’ର ଇଚ୍ଛା ହେଉଥାଏ ସେ ପଚାରନ୍ତା, କୋଉ ବିଦେଶକୁ ତମେ ଯାଇଥିଲ କି ?

 

କିନ୍ତୁ ଏ ଚିନ୍ତା ତା’ର ନ ସରୁଣୁ ତା’ ହାତ ପାପୁଲିକି ଚିମୁଟି ଦେଲା ମୀନକେତନ । ତା’ ଉପରେ ପୁଣି ପ୍ରଶ୍ନ ।

 

“ପାଇଚ ?”

 

ମୁଣ୍ଡ ଟୁଙ୍ଗାରି ସୁଷମା ସମ୍ମତି ଜଣେଇଲା ।

 

“ଉତ୍ତର କାହିଁ ?”

 

ସେତେବେଳକୁ ସୁଷମାର ଟିକେ ସାହସ ହେଲାଣି । ବୁଢ଼ୀମାର ମୁହଁକୁ ଅନେଇ ଅନେଇ ସେ ଧୀରେ ଧୀରେ ହସମିଶା କଥାରେ କହିଲା...

 

“ମତେ ଆସେନା ।”

 

ମୀନକେତନ ସୁଷମାର ପାଖକୁ ଚାଲିଆସି ତା’ ଦି’ କାନ୍ଧକୁ ଧରି ପକେଇ ଝୁଲେଇ ଝୁଲେଇ କହିଲା–

 

“ଦେଖିବ, ଦେଖିବ କେମିତି ଆସେନା !”

 

“ଆରେ, ତମେ ଏଠିକି ଆଇଲ କାହିଁକି ?”

 

ଏଥିଭିତରେ ବୁଢ଼ୀଙ୍କର ଆଖି ଖୋଲିଯାଇଚି । କିନ୍ତୁ କାହାକୁ ସେ କଥା ଜଣାନାହିଁ । ମୀନକେତନ ଆଉ ଟିକେ ଆଗେଇବାକୁ ଯାଉଚି ଏତିକିବେଳେ ସେ ବୁଢ଼ୀମାର କଥା ଶୁଣିବାକୁ ପାଇଲା....

 

“ଗୋଡ଼ ମୋଡ଼ା ସଇଲା କିରେ ମୀନ ?”

 

ମୀନକେତନ ଧଡ଼୍ କରି ଖଟତଳକୁ ପଶିଗଲା, ଅନ୍ୟ କିଛି ଉପାୟ ନାହିଁ । ସୁଷମାର ମୁହଁ ଲାଲ ହେଇଉଠିଚି ।

 

ମୀନକେତନର ଦୁଷ୍ଟାମିରେ ସୁଷମାର ଗୋଡ଼ଘଷା ବନ୍ଦ ହେଇ ଯାଇଥିଲା । ଏବେ ସେ ପୁଣି ହାତ ଚଳେଇଲା ଧୀରେ ଧୀରେ । ଲୁଚି ଲୁଚି ବସିବସିକା ମୀନକେତନ ସେ ଘରୁ ବାହାରିଗଲା । ତା’ର ଅବସ୍ଥା ଦେଖି ସୁଷମା ପ୍ରକାଶ୍ୟରେ ମଧ୍ୟ ହସିଉଠିଲା ।

 

ଅନୁଛାୟା ଦେଈ ଆଜି ନିପଟ ବୁଢ଼ୀ ହେଇଯାଇଥିଲେବି ତାଙ୍କ ରକ୍ତରେ ଅନେକ ଦିନର ଅଭିଜ୍ଞତା ରହିଚି । ସୁଷମାର ହସ ଦେଖି ହୁଏତ ସେଇ ଅଭିଜ୍ଞତାର ତାଡ଼ନାରେ ସେ କହି ଉଠିଲେ–

 

“ଆଲୋ ବୋହୂ, ମୀନ ପଳେଇଲା କିଲୋ ! ଆଲୋ ତୁ ଏଡ଼େ ହୁଣ୍ଡୀ, କବାଟ ନଗେଇ ଦେଲୁନୁ । ଟୋକାଟାକୁ ମିଛରେ ହଇରାଣ କଲୁ ।”

 

ପହିଲୁ ଏ କଥାର ଅର୍ଥ ସୁଷମା କିଛି ବୁଝି ପାରିଲାନି । କିଛିକ୍ଷଣ ପରେ ବୁଢ଼ୀର ଏ ସୂଚନା ବିଷୟରେ ତା’ର ହେତୁ ହେଲା । ହସି ହସି ସେ ଏକ ନିଃଶ୍ଵାସରେ ପଳେଇଗଲା ସେଠୁ ।

 

କିନ୍ତୁ ସୁଷମା ବେଶିବାଟ ଯାଇ ପାରିଲାନି । ପିଣ୍ଡାରେ ହଠାତ୍ କାହା ସହିତ ଢୁ ଖାଇଯାଇ ସେ ଜିଭ କାମୁଡ଼ି ଛିଡ଼ା ହୋଇ ପଡ଼ିଲା । ମୁଣ୍ଡର ଉଢ଼ୁଣାଟାକୁ ଅଧିକ ଟାଣିଦେଇ ସେ ଆଗକୁ ଅନେଇ ପାରି ନଥିବାରୁ ତା’ର ଏ ଅବସ୍ଥା ଘଟିଲା । ଦେହ ତା’ର ବରଡ଼ାପତର ପରି ଥରିଲାଣି, କିଏ ? କାହା ସହିତ ତା’ର ଧକ୍କା ଲାଗିଲା ?

 

ମୁହଁ ଟେକି ଚାହିଁଲା ସେ ଆଗକୁ । ଗୋଟିଏ ନାରୀମୂର୍ତ୍ତି, ମୁହଁରେ ତା’ର ହସ ଢାଳି ହେଇଯାଇଚି । ଖିଲ୍ ଖିଲ୍ ହସୁଚି ସେଇ ନାରୀଟା । ଦେହରେ ମାଂସର ଢେଉ । ଛାତିଟା କି ଉଞ୍ଚା ବେଶୀ ଅନେଇ ପାରିଲାନି ସୁଷମା । ତାକୁ ଅଧିକ ଲାଜ ଲାଗିଲା । ମାଇପିଟା ଦିହରେ ଜାମା ବ୍ଲାଉଜ୍‍ର ଗନ୍ଧ ବାସନା ନାଇଁ । ଫୁଙ୍ଗୁଳା ଦିହରେ ପତଳା ବେଢ଼ାଣଟା ଆହୁରି ଢିଲା ଢିଲା ହେଇଚି । ଭାରି ଲାଜ ଲାଗିଲା ସୁଷମାକୁ । ମୁଣ୍ଡ ଲୁଗାକୁ ମୁହଁ ଅଧାକୁ ଟାଣି ଆଣି ସେ ନିର୍ବାକ୍ ଛିଡ଼ା ହେଇ ରହିଲା ।

 

କିଏ ? ସେଇ କି ! ସାନଅପା ଦିନେ ଯା’କଥା କ’ଣ କଉଥେଲେ,...କ’ଣ ତି...କ’ଣ ତି–ସେ ନାଁଟା...

 

ଯେମିତି ଅଗ ଜିଭରେ ଅଛି । କିନ୍ତୁ ସୁଷମାର ସେ ନାଁଟା ଆଦୌ ମନେ ପଡ଼ିଲାନି ।

 

“ମତେ ଜାଣିନା ନୂଆବୋଉ ? ମୁଁ ପା ସୋଶୀଳା ।”

 

ଏତିକି କହି ସେ କିଲ୍ କିଲ୍ ହେଇ ହସିଲା । ତା’ପରେ ସେ ପୁଣି କହି ଉଠିଲା–

 

“ହଁ ମତେ ତମେ ଚିହ୍ନିବ ଆଉ କୋଉଠୁ । ଏ ଖଞ୍ଜାକୁ ପଶିବାକୁ ବଡ଼ପା’ ମତେ ମନା କରି ଦେଇଚନ୍ତି । ଆଜି ଖରାବେଳେ କେହି ନଥିବାର ଦେଖି ନୁଚିକରି ଟିକେ ଚାଲିଆଇଚି ତମକୁ ଦେଖିବାକୁ । ନୂଆବୋଉ, ତମେ ଏମିତି ମୁହଁ ପୋତିଦେଲ କାହିଁକି ।”

 

ପୁଣି ହସି ଉଠିଲା ସୋଶୀଳା । ପୁଣି କହିଲା କଥା ।

 

“କିଏ କାଳେ ମୋ ଆସିବା କଥା ବଡ଼ପା’ଙ୍କୁ କହିବେ ବୋଲି ତମେ ଡରୁଚ, ନୁହେଁ ? ଏବେ ତମର କିଏ କ’ଣ କରିବ...ତମେ ତ ମୀନଭାଇଙ୍କ ବା’ହେଲା ସ୍ତ୍ରୀ । ହି–ହି–ହି–ହି–। ମୀନଭାଇ ଭଲ ଗୀତ ଗାଆନ୍ତି ଯେ ତା’ ଶୁଣିବାକୁ ମୁଁ ଦିନେ ଚଉପାଢ଼ିକି ଚାଲି ଯାଇଥେଲି ।” ସେଇଦିନୁ ବଡ଼ପା’ ମୋ ଉପରେ ଭାରି ରାଗିଚନ୍ତି । ହି–ହି–ହି–। ମୀନଭାଇ ଖାଲି କ’ଣ ଆଉ ଚଉପାଢ଼ିରେ ରହୁଚନ୍ତି...ହେଇ ତୋଟାରେ ବୁଲୁଚନ୍ତି ।”

 

ସୋଶୀଳାର ଏତେଗୁଡ଼ିଏ କଥା ଶୁଣିବି ସୁଷମା ପଦେହେଲେ କିଛି, କହି ପାରିଲାନି । ଶେଷର କଥାତକ ଶୁଣି ସେ ଅନେଇଲା ସୋଶୀଳାର ମୁହଁକୁ । ମୁହଁଟା କେମିତି ସିଂହାରୀ ହେଇ ରହିଚିଲୋ ମା’ ! ଆଖି ଦି’ଟା କା’କୁ ଗିଳିଯିବ ଯେମିତି । ଇଏ ଯାଉଥେଲା ଚଉପାଢ଼ିକି, କାହିଁକି ? ସିଏ ଗୀତ ଗାଆନ୍ତି ?

 

ସୋଶୀଳା ପୁଣି କହିଲା–

 

“ତମର ହାତ ଦି’ଟା କି ସୁନ୍ଦର ହେଇଚି ନୂଆବୋଉ...ଏ ନାକୁଟାକୁ ତମର ମତେ ଦିଅମ ।”

 

ତଥାପି ସୁଷମା କିଛି କହି ପାରିଲାନି । ଶେଷକୁ ଅଭିନୟ ଶେଷ କରି ଚାଲିଗଲା ସୋଶୀଳା । ଗଲା ଆଗରୁ ସୁଷମାର ଡାହାଣ ହାତରୁ ପୁଳାଏ ଚିମୁଟି ଦେଲା ।

 

“ମତେ ମନେ ରଖିଥିବ ଗୋ ନୂଆବୋଉ...”

 

ତାକୁ ପଛରୁ ଅନେଇ ରହିଲା ସୁଷମା । ସୁଷମାର ଆଖିରେ ସୋଶୀଳାର ପଛ ପାଖର ଦୃଶ୍ୟ ଆହୁରି ନିବିଡ଼ ହେଇ ଲାଖିରହିଲା । ଚାଲିଯାଉଚି ସୋଶୀଳା, ଦେହରୁ ପାତଳା ବେଢ଼ଣ ଖଣ୍ଡକ ଖସି ଖସି ଯାଉଚି । ଉନ୍ନତ ନିତମ୍ବ ଦି’ଟା ପରସ୍ପରକୁ ଧକ୍କା ମାରୁଚନ୍ତି ଯେମିତି ।

 

ହଠାତ୍ ଖଞ୍ଜା ଭିତରକୁ ପରାଗମଞ୍ଜରୀ ପଶି ଆସିଲା । ହାତରେ ଗୋଟା ଲୁଡ଼ୁପାଲି । ଆଗକୁ ଦୃଷ୍ଟି ପକେଇ କହିଲା–“ସିଏ ପା ସୋଶୀଳା ଦେଈ....”

 

“ହଁ, ସିଏ କୁଆଡ଼େ ଚଉପାଢ଼ିକି ଯାଆନ୍ତି ତମ ଭାଇଙ୍କ ଗୀତ ଶୁଣିବାକୁ ?”

 

ପରାଗମଞ୍ଜରୀ ଭିତରୁ ସବୁ ସରସତା ଯେମିତି ହଜିଗଲା । କେତେବେଳକେ ପଚାରିଲା–

 

“କିଏ କଉଥେଲା ?”

 

“ସେଇ ଡାଆଣୀଟା...”

 

ଅବାକ୍ ହୋଇଗଲା ପରାଗମଞ୍ଜରୀ । ଖାଲି ବଲବଲ କରି ଅନେଇଲା ନୂଆ ଭାଉଜର ମୁହଁକୁ । ହାତରୁ ତା’ର ଲୁଡ଼ୁପାଲିଟା ଖସି ପଡ଼ିଲା ଅଜ୍ଞାତରେ ।

 

ଏଗାର

 

ବିବାହର ପ୍ରାୟ ଛ’ ମାସ ପରେ ସୁଷମା ଗଲା ବାପଘରକୁ । ସେଠି ରହିଲା ପାଞ୍ଚମାସ-। ମୀନକେତନର ପ୍ରେମର ଆତିଶଯ୍ୟ ଭିତରେ ମନରୁ ତା’ର ସେ ଦିନର ଡାଆଣୀ–ପ୍ରଭାବ କଟିଯାଇଥିଲେବି ବେଳେବେଳେ ଦୁଶ୍ଚିନ୍ତା ଉଙ୍କି ମାରି ଉଠେ । କିନ୍ତୁ ପ୍ରାୟ ପ୍ରତିଦିନ ମୀନକେତନଠାରୁ ଚିଠି ପାଇ ମନ ତା’ର ପୁଣି ନିର୍ମଳ ହେଇଯାଏ । ସୁଷମା ନିଜେ କିଛି କିଛି ଗୀତ ଗାଇ ଜାଣେ, କିନ୍ତୁ ତାହାର କିଛି ପରିଚୟ ସ୍ୱାମୀ କି ସେ କେବେହେଲେ ଦେଇ ପାରିନି । ମାତ୍ର ନିଜର ସ୍ୱାମୀ ଜଣେ ସଙ୍ଗୀତଜ୍ଞ ଜାଣି ତା’ ମନରେ ଭାରି ଗର୍ବ ହେଇଚି । ସେ କଥା ଦୀର୍ଘ ଛ’ ମାସ ଭିତରେ ସ୍ୱାମୀ କିନ୍ତୁ ଥରେ ନ ଜଣାଇବାରୁ ମନରେ ତା’ର ଦୁଃଖ ହେଇଚି । ସେଇକଥା ମୀନକେତନକୁ ସେ ଚିଠିରେ ଥରେ ଲେଖିଲା । ମୀନକେତନ ସେ ବିଷୟରେ ତାକୁ ଉତ୍ତର ଦେଇଥିଲା ।

 

ମୁଁ ଗୀତ ଗାଇ ଜାଣେ ବୋଲି ତୁମକୁ କିଏ କହିଲା ସୁମା ! ମୁଁ ଜାଣେ, କିନ୍ତୁ ସେପରି କିଛି ନୁହେଁ । ସେଥିଯୋଗୁଁ ତମର ପ୍ରେମ ଉପଭୋଗ କରିବାର ସୁଯୋଗ ଛାଡ଼ି ମୋର ସେଇ ନିକୃଷ୍ଟ ଗୁଣର ଚର୍ଚ୍ଚାରେ ସମୟ ନଷ୍ଟ କରିବାକୁ ଉଚିତ ମନେ କରିନି । ଆଉ ସେଥିଯୋଗୁଁ ସେ ବିଷୟ ତମକୁ କେବେ ମଧ୍ୟ କହିନି । କିନ୍ତୁ ମୁଁ ମନେ କରୁଚି, ତମ ଦେହର ଭଙ୍ଗୀ ଓ ଲାବଣ୍ୟରେ ଯେଉଁ ଭକତି ଛନ୍ଦ ଫୁଟିଉଠେ ସେଥିରେ ତମେ ନିଶ୍ଚିୟ କିଛି ଲଳିତକଳା ଜାଣିଥିବ । ସ୍ୱରଯନ୍ତ୍ର ବଜେଇବା ପାଇଁ ତମର ଆଙ୍ଗୁଠିଗୁଡ଼ିକ ମଧ୍ୟ କି ସୁନ୍ଦର !

Unknown

 

ଏ ଚିଠିର ଉତ୍ତର ସୁଷମା ଅବଶ୍ୟ ଦେଇଥିଲା । କିନ୍ତୁ ସେ କାହାଠାରୁ ସ୍ୱାମୀ ଜଣେ ସଙ୍ଗୀତଜ୍ଞ ବୋଲି ଜାଣିବାକୁ ପାଇଲା ସେକଥା କିଛି ପ୍ରକାଶ କଲାନି । ସ୍ୱାମୀର ଅନୁରୋଧମତେ ନିଜର ଗୁଣ ସମ୍ବନ୍ଧରେ ସେ ମଧ୍ୟ ଲେଖି ପାରିଲାନି । ଖାଲି ଏତିକି ଲେଖିଲା, ଏଥର ଗଲାବେଳେ ମୁଁ ମୋର ହାରମୋନିୟମ୍‍ଟି ସାଙ୍ଗରେ ନେଇଯିବି । ହେଲେ, କୋଉଠି ବାଜିବ ସେ ଯନ୍ତ୍ର ? ତମରି ସେଇ ଘରେ ?

 

ଏହାପରେ ମୀନକେତନ ଆଉ କିଛି ପଚାରିନି । ଏଣିକି ଚିଠି ଗଡ଼ି ଚାଲିଚି, ସେମାନଙ୍କର ଜୈବିକ ବିରହ ଆନନ୍ଦକୁ କେନ୍ଦ୍ର କରି । ବିରହର ଦିନ ଯେତିକି ଅଧିକ ହେଲା ମୀନକେତନର ଚିଠିରୁ ପ୍ରେମର ଶାଳୀନତା ସେତିକି କମିଯାଇ କ୍ରମେ ନଗ୍ନ ପ୍ରକାଶ ଆରମ୍ଭ ହେଲା-। ସୁଷମା ମଧ୍ୟ ସେଇ ପଥର ପଥୁକି । କିନ୍ତୁ ଲେଖାର ଶାଳୀନତା ଛାଡ଼ିବା ତା' ପକ୍ଷରେ ସହଜେ ସମ୍ଭବ ହେଲାନି । ମାତ୍ର ଅନ୍ୟକୁ ବରାବର ସ୍ରୋତରେ ପହଁରିବା ଦେଖି ସେ ନିଜକୁ ନିୟନ୍ତ୍ରଣ କରିପାରିଲାନି । ଅବଶେଷରେ ସେ ଡେଇଁ ପଡ଼ିଲା ପାଣିକି । ତା’ ଭିତରେ ସେଇ ସୋଶୀଳା ଡାଆଣୀର ଆତଙ୍କ । ଏ ପହଁରିବା ଭିତରେ ସେଇ ଡାଆଣୀକି ମଧ୍ୟ ସେ ଘଉଡ଼େଇ ଦେବ-। ରାତି ରାତି ଅନିଦ୍ରା ହେଇ ହୃଦୟର କେତେ ଭାବନାକୁ ଚିଠିରେ ସେ ରୂପାୟିତ କରି ସ୍ୱାମୀକୁ ଉପହାର ଦେବାକୁ ଲାଗିଲା । ଦେଖିଲା, ଏ ପହଁରା ବଡ଼ ଆନନ୍ଦଦାୟକ । କ୍ଳାନ୍ତି ନାହିଁ; ବଡ଼ ମଧୁର ସତେ ଏ ସନ୍ତରଣ । ଆନନ୍ଦରେ ସେ ମନେମନେ କହିଉଠେ, ସ୍ୱାମୀ, ଏ ପହଁରା ଶିଖେଇବା ଲାଗି ତମକୁ ଧନ୍ୟବାଦ ଦଉଚି ।

 

କ୍ରମେ ଏ ଦିଗରେ ସେ ଖୁବ୍ ପାରଙ୍ଗମ ହେଇ ଉଠିଲା । ସନ୍ତରଣର ଅନ୍ତିମ ଅବସ୍ଥା ଦେଖାଦେଲା–ନିମଜ୍ଜନ । ମୀନକେତନ ଭଳି ପରିଣାମରେ ସେ ମଧ୍ୟ ହେଲା ନିରୁପାୟ ।

 

ଶେଷକୁ ଲେଖିଦେଲା, ତୁମକୁ ନ ଦେଖିଲେ ଆଉ ଦିନଟିଏ ବଞ୍ଚିବା ଏଠି କଷ୍ଟକର ହେବ ।

 

ଚିଠି ଖଣ୍ଡକ ସାଙ୍ଗେ ସାଙ୍ଗେ ବନ୍ଦ କରି ଉପରେ ସେ ଠିକଣା ଲେଖିଦେଲା । ଚିଠିରେ କ’ଣ ଲେଖିଲା ସେ କଥା ସେ ଥରେହେଲେ ଆଉ ଭାବିଲାନି ।

 

ଗାଁରେ ନୂଆ ହେଇ ଡାକଘର ଖୋଲିଥାଏ । ଆଉ କୋଉଠି ଜାଗା ନଥିବାରୁ ତାଙ୍କରି ଦାଣ୍ତ ମେଲାରେ ଖୋଲିଥାଏ ପୋଷ୍ଟ୍ ଅଫିସ୍ । ଗାଁ ପ୍ରାଇମେରୀ ଇସ୍କୁଲ୍‍ର ଜଣେ ଶିକ୍ଷକ ସେଠି ଆସି ଡାକ ମାଷ୍ଟର କାମ କରନ୍ତି । ଏ ସବୁ କଥା ସାଙ୍ଗରେ ସୁଷମାର କିଛି ସମ୍ପର୍କ ନାହିଁ । ତା’ର ସମ୍ପର୍କ କେବଳ ଚିଠିବାକ୍‍ସଟି ସାଙ୍ଗରେ । ପ୍ରାୟ ବାର ଚୌଦ ମାଇଲ ଦୂରକୁ ତା’ର ଯେଉଁ ହୃଦୟର ବାର୍ତ୍ତା ଗତି କରିବ, ତାହାର ପ୍ରବେଶପଥ ମୁକ୍ତହେଇଚି ତାଙ୍କରି ଦାଣ୍ଡ ଦୁଆରମୁହଁରେ । ଚିଠି ଖଣ୍ଡକ ଝଟ୍ ବାକ୍‍ସରେ ପକେଇ ଦେଇ ସେ ଆସି ଗୋଟାଏ ଦୀର୍ଘ ନିଃଶ୍ଵାସ ମାରିଲା ।

 

ଗୌରୀଶ୍ୟାମ ଛୋଟରାଙ୍କର ଗଡ଼ଜାତର କେଉଁ ଦିଆନଙ୍କ ସାଙ୍ଗରେ କାଳେ ଭାରି ବନ୍ଧୁତା ଥିଲା । ତାଙ୍କରି ସହାୟତାରେ ଗଡ଼ଜାତ ମୁଲକରୁ ଖୁବ୍ ଶସ୍ତା ଦରରେ ଅନେକ ମୂଲ୍ୟବାନ କାଠ ଆଣି ସେ ମେଲାଘର ଓ ରହିବା ଖଞ୍ଜା ପ୍ରଭୃତି ତିଆରି କରିଥିଲେ । ମେଲାଘରେ କାଠର ଶେଣି ଚଉକାଠ ବନ୍ଧ ପଟାରେ ମଧ୍ୟ ଅସଂଖ୍ୟ କାରୁକାମ । କବାଟରେ ଲତା, ପତ୍ର, ପଶୁ, ପକ୍ଷୀର ବିନ୍ଧାଣି କାମଭରା । ଛାଟରାଙ୍କର ବାକି ଅଧକ ଜମିଦାରୀ ଉଠି ଯାଇଥିଲେ ମଧ୍ୟ ତାହାର ସିରସ୍ତା ଏପର୍ଯ୍ୟନ୍ତ ସେଇ ମେଲାଘର ସିନ୍ଦୁକରେ ଅଛମର ହେଇ ରହିଚି । ଗୁମାସ୍ତା ମାଧ ମାଟିଆ ସେଇ ସିରସ୍ତାର ଅଧିପତି । ତାଙ୍କରି ଉଦ୍ୟମରେ ଜମିଦାରୀ ଉଠିଯିବା ଆଗରୁ ପଟା ପାଉତି କରି ପ୍ରାୟ ତିନି ଚାରି ହଜାର ଟଙ୍କା ମିଳିପାରିଥିବାରୁ ସୁଷମାର ମା’ କୁମୁଦିନୀ ଦେଈଙ୍କ ବିଶ୍ୱାସ ମାଧ ମାଟିଆଙ୍କ ଉପରେ ଆହୁରି ବଢ଼ିଯାଇଚି । ସେଇ କମଳପୁର ଗାଁରେ ତାଙ୍କ ଘର ।

 

ନିଇତି ସକାଳୁ ଆସି ମେଲାଘର ସିନ୍ଦୁକ ଭିତରୁ ହାତବାକ୍‍ସ ଖଣ୍ଡକ ବାହାର କରି ମାଧ ମାଟିଆ ଦାଣ୍ଡପିଣ୍ଡାରେ ଖଣ୍ଡେ ମସିଣା ବିଛେଇ ବସି ପଡ଼ନ୍ତି । ଏବେବି କୁଆଡ଼େ ଅନେକ ରଇତଙ୍କ ଉପରେ ଖଜଣା ବାକି ପଡ଼ିଚି । ସେ ସବୁ ଆଦାୟ କରିବାପାଇଁ ଜମିଦାରଙ୍କ ହକ୍ ଅଛି । ସରକାର ମଧ୍ୟ ସେଥିପାଇଁ ଅନୁମତି ଦେଇଚନ୍ତି । ସେ ଅନୁସାରେ ସବୁକୁ ସେ ଆସ୍ତେ ଆସ୍ତେ ଆ–ଦାୟ କରିବାପାଇଁ ନିତି ଯତ୍ନ କରୁଚନ୍ତି ବୋଲି କୁହନ୍ତି । କିନ୍ତୁ ଗୁମାସ୍ତାଙ୍କ ଏ କଥାରେ କୁମୁଦିନୀ ଦେଈ କେବେହେଲେ ମୁଣ୍ଡ ଘୂରାନ୍ତିନି । ଦାଣ୍ଡଟା ଖାଲି ପଡ଼ିବ, ଆଗେ କେତେକେତେ ଆର୍ଦୋଳି, କେତେ ଗହଳଚହଳ ଲାଗିଥିଲା ଏଇ ଦାଣ୍ଡରେ । ସବୁ ଏବେ ନିଭି ଗଲାଣି । ଗୁମାସ୍ତା ନଥିଲେ ମାଛ ମରିଯିବ ଦାଣ୍ଡରେ । ଆସୁ, ଆସୁ, ବସିଥାଉ ଗୁମାସ୍ତା । ସେ ଆସୁଚି ବୋଲି କେତେ ଲୋକ ଆସି ବସାଉଠା କରୁଚନ୍ତି, ଭଲମନ୍ଦରେ ଟିକେ ଠିଆ ହଉଚନ୍ତି ପାଖରେ । ଆଉ ଏ କୋଠିଆ ଚାକରଙ୍କ ଦେଇ ସବୁ କାମ କ’ଣ ହୁଅନ୍ତା I…ଛୁଆ ଦି'ଟା ତ ସବୁଦିନେ ଯାଇ ରହିଲେ ବିଦେଶରେ । ତାଙ୍କ ପିଲାଛୁଆ ମଧ୍ୟ ରହିଲେ ସିଆଡ଼େ । କାଁଭାଁ ବର୍ଷକେ ଥରେଅଧେ ଆସିବେ; ଏଠି ଫେର୍ ଏତେ ଘରଦ୍ଵାର ଧରି ମାଇପିଟା ମୁଁ ଚଳିବି କେମିତି । ଆସୁ, ଆସୁ, ଗୁମାସ୍ତା ଆସୁ । କେତେ ବା ନଉଚି, ମାସକୁ ଦଶଟା ଟଙ୍କା । ସେତକବି ସେ ଜମିଦାରୀ ଗଲାଦିନୁ ଆଜିଯାକେ ମାଗିନି । ଯା ଖାଉଚି ସେଇ ଜମି ଦି'ମାଣେ । ଏବେ ସିନା ମାଷ୍ଟ୍ରେ ଆସି ଏଠି ଡାକଘର ଖୋଲିଲେ, ନହେଲେ ଗୁମାସ୍ତା ମୂଳ । ନହେଲେ ଏ କୋଠିଆ ଚାକରଙ୍କୁ ମୋର ସମ୍ଭାଳିବ କିଏ !

 

ଏହିପରି ଭାବି କୁମୁଦିନୀ ଦେଈ ବଡ଼ ଭରସା ପାଆନ୍ତି । ତେଣେ ଗୁମାସ୍ତାଙ୍କ ଅବସ୍ଥା ମଧ୍ୟ ତଦ୍ରୂପ । ଦିନେ ବାବୁଘର ଦାଣ୍ଡ ନ ମାଡ଼ିଲେ ତାଙ୍କୁ ନିଦ ହୁଏନା । କେଉଁଦିନ କୁଣିଆ ମଇତ୍ର ଘର ଯାଇଥିବା ଯୋଗୁଁ ଗରହାଜର ରହିଥିଲେ ରାତିଅଧରେ ଆସି ମଧ୍ୟ ବୁଲି ଯାଆନ୍ତି । ମା'ଙ୍କୁ ଡାକି ହାନିଲାଭ ସବୁ ବୁଝନ୍ତି । ଚାକିରି କରି ବାବୁଘରେ ତାଙ୍କର ଉମର କଟିଗଲାଣି । ପଚିଶରୁ ଆସି ହେଲାଣି ପଞ୍ଚାବନ । ଆଉ କୁଆଡ଼େ ଯିବେ ସିଏ ? ଏଇ ଛୋଟରାଘରେ ରହି ଝିଅଟିକି ସେ ଭଲ ଘରେ ବିଭା କରିପାରିଚନ୍ତି । ପୁଅଟି ବି.ଏ. ପାସ୍ କରି ଏବେ ସେକ୍ରେଟେରିଏଟ୍‍ରେ ଭର୍ତ୍ତି ହେଇଚି । ସବୁ ଉଜୁଡ଼ି ତାଙ୍କର ଏଇ ବାବୁଘରୁ । ମା’ କ’ଣ ସେ ଜମି ଦିମାଣ ଆଉ ମୋଠୁ ଫେରେଇ ନେବେ ! ସବୁ କଥା ଭାବି ଗୁମାସ୍ତାଙ୍କ ମନରେ ଏକ ସନ୍ତୋଷର ଆନନ୍ଦ ଚହଟିଯାଏ ।

 

ଶୀତ ଋତୁର ଆରମ୍ଭ ।

 

ଆକାଶରୁ ମେଘ କଟି ଯାଇ ସେ ଦିନ ସାମାନ୍ୟ ଭାବରେ ଥଣ୍ଡା ପଡ଼ିଥାଏ । ସେଥିଯୋଗୁଁ ସେ ଦିନ ଗୁମାସ୍ତା ଟିକେ ସଅଳ ସଅଳ ଘରକୁ ଫେରିଯାଇଥାନ୍ତି ।

 

ଗପ କରୁଥାନ୍ତି କୁମୁଦିନୀ ଦେଈ ।

 

ଦାଣ୍ଡପିଣ୍ଡାର ପଶ୍ଚିମ ପଟର ସିମେଣ୍ଟ ପଲସ୍ତରା ଉପରେ ବସିଥାନ୍ତି ସେ ନିଜେ । ଆରପଟ ଖଞ୍ଜାର ପିଣ୍ଡାରେ ବସିଥାଏ ବିରାଦରୀୟ ପୁତୁରା ଯାମିନୀ । ପୁତୁରାମାନଙ୍କ ଭିତରେ ଯାମିନୀକାନ୍ତ ପ୍ରଧାନ । ବୟସରେ ମଧ୍ୟ ସେ ବଡ଼ । ଭାରି ରହସ୍ୟପ୍ରିୟ । ସୁଷମା ଭଉଣୀ ହେଲେ ମଧ୍ୟ ତାକୁ ଥଟା ନକଲ କରିବାକୁ ସେ ଛାଡ଼େନା । ଯାମିନୀକାନ୍ତର ପରିହାସରେ ଅସହିଷ୍ଣୁ ହୋଇ ଅନେକବେଳୁ ସୁଷମା ଘରଭିତରକୁ ପଳେଇଚି । ଗପ କରୁଥିଲେ କୁମୁଦିନୀ ଦେଈଙ୍କି ଗରମ କିମ୍ବା ଥଣ୍ଡା କିଛି ବାଧେନା । ଯାମିନୀର ରସରସିଆ ଗପ ଭିତରେ ସେ ବିଲ୍‍କୁଲ୍ ମଜି ଯାଇଥିଲେ । କିନ୍ତୁ ଅକସ୍ମାତ୍ ଚାଳରୁ ଗୋଟା କଙ୍କଡ଼ାବିଛା ଖସି ସବୁ ଭଣ୍ଡୁର କରିଦେଲା । କଙ୍କଡ଼ାବିଛା ତ କେଡ଼େ ଜନ୍ତୁ, ସାମାନ୍ୟ ଗୋଟା ଘୋଡ଼ାପୋକ ଦେଖିଲେ କୁମୁଦିନୀ ଅସମ୍ଭାଳ ହେଇ ପଡ଼ନ୍ତି । ବିଛାଟାକୁ ଅବଶ୍ୟ ଯାମିନୀ ସାଙ୍ଗେ ସାଙ୍ଗେ ମାରି ଦେଇଚି । ମାତ୍ର ତା’ର ମୃତ୍ୟୁ ଆଉ କୁମୁଦିନୀ ଦେଈଙ୍କି ଗପ ଶୁଣିବାକୁ ଅଟକେଇ ପାରିନି । ଝଟ୍ ଘରଭିତରକୁ ଯାଇ ସେ କେତେବେଳୁ ଦାଣ୍ଡ କବାଟ ଲଗେଇ ଦେଇ ସାରିଚନ୍ତି ।

 

ଦିନ ଚାରିଟାବେଳୁ ସୁଷମାର ମନ ଭଲନାହିଁ ।

 

ବଡ଼ ପୋଷ୍ଟ୍ ଅଫିସ୍‍ରୁ ଡାକ ଆସି ଚାରିଟାବେଳେ ତାଙ୍କ ଗାଁର ପୋଷ୍ଟ୍ ଅଫିସ୍ ତାଙ୍କର ଦାଣ୍ଡ ମେଲାରେ ପହଞ୍ଚେ । ଇସ୍କୁଲ୍‍ରୁ ନର୍ତ୍ତମ ମାଷ୍ଟ୍ର ଆସି ଡାକ ଦେଖି ପିଅନ ହାତରେ ଚିଠି ବାଛିବାକୁ ପଠେଇ ଦେଇଚନ୍ତି । ମେଲାରେ ସେତେବେଳକୁ ସେ ନିଜେ ଯାଇ ପହଞ୍ଚିଥିଲେ ମଧ୍ୟ ତା’ ଭାଗରେ କିଛିହେଲେ ପଡ଼ିନି ।

 

ଆଜି କି ଚାରି ଦିନ ହେଲାଣି । ହଁ ଠିକ୍ ଚାରି ଦିନ ।

 

ଚାରି ଦିନ ତଳେ ସେ ମୀନକେତନ ପାଖକୁ ଚିଠି ପକେଇଥିଲା ଆଜି ନିଶ୍ଚେ ଉତ୍ତର ପାଇବାର କଥା । କିନ୍ତୁ ମିଳିଲାନି । ସୁଷମାର ମୁଣ୍ଡରେ ରକ୍ତ ଚଢ଼ିଗଲା ଯେମିତି । ଦେହଟା ଝିମିଝିମି ହେଇଗଲା । ସେତିକିବେଳୁ ମନ ତା’ର ଭଲ ନଥାଏ ।

 

କେତେବେଳକେ ତା’ର ମନେ ପଡ଼ିଗଲା ଶାଶୁଘର ଗାଁର ସେଇ ସୋଶୀଳା କଥା ।

 

ଆଗରେ ଠିଆ ହେଇଗଲା କି ଆଉ ଡାଆଣୀ ।

 

ଦାଣ୍ଡପିଣ୍ଡାରୁ ଆସି ସୁଷମା ଘର ଅଗଣାରେ ବେସବୁର ହେଲାଭଳି ଦି’ଚାରି ଘେରା ବୁଲିଗଲା । ଯେମିତି ଏ ଥଣ୍ଡାଟା ତାକୁ ଖୁବ୍ ଗରମ ଲାଗୁଚି । ହଠାତ୍ ଚାକର ରାଘବା ଉପରେ ଆଖି ପଡ଼ିବାରୁ ସେ ଥପ୍ କରି ଛିଡ଼ା ହେଇଗଲା ।

 

ରାଘବା ପୂର୍ବପାଖ ପିଣ୍ଡାରେ ବସି ଗୋଡ଼ରେ ତେଲ ମାଲିସ କରୁଥାଏ । ଦିନଯାକର ଖଟଣି; ଗାଈ ଗୋରୁ ଠଉଁ ଆରମ୍ଭ କରି ଖଳାର ଅମଳ କାମ ପର୍ଯ୍ୟନ୍ତ ଖଟି ଖଟି ଗୋଡ଼ ହାତ ତା’ର ଯେମିତି ଦଦରା ହେଇ ଯାଇଚି । ତେଲ ବୋଳି ବୋଳି ସେ ଜୀବନ ପୂରଉଥାଏ ସେଥିରେ । ସୁଷମାର ଏଇ ଉନ୍ମତ୍ତତା ଉପରେ ରାଘବାର ସେତେ ନିଘାପଡ଼ିନି । ତେବେ ସେ ଭାବୁଥାଏ, ଦେଈ ମନ ଖୁସିରେ ବୁଲୁଚନ୍ତି ।

 

ରାଘବା ଜବାନ୍ ଭେଣ୍ଡା, ବୟସ ହେବ ପଚିଶ କି ଛବିଶ । ଚାକର ଶ୍ରେଣୀର ଲୋକଭଳି ବେଶି ଦିଶେନା । ଦେହର ରଙ୍ଗଟାବି ଟିକେ ସଫା । ଗୋଡ଼ର ପେଣ୍ଡା ଉପରୁ ଲୁଗା ଖସେଇ ଦେଇ ସେ ତେଲ ମାଲିସ କରୁଥାଏ । ମୋଟ ମୋଟ ପେଣ୍ଡା ଦି’ଟା କାମର ଚାପାରେ ଟାଣ ହେଇ ରହିଚି । ଡିବିରି ଆଲୁଅ ପଡ଼ି ତେଲ ବୋଳା ପେଣ୍ଡାର ମାଂସପେଶି ଦି’ଟା ଚକ୍ ଚକ୍ ଦିଶୁଚି ଆଖିକି । ରାଘବାର ସେଇ ମୁକୁଳା ପେଣ୍ଡା ଦି’ଟାକୁ ଥରେ ଚାହିଁଦେଲା ସୁଷମା । ତା’ପରେ ଝଟ୍ ଘରଭିତରକୁ ପଶି ଅତି ନିରାଶ୍ରୟ ଭାବରେ ଖଟ ଉପରେ ଗଡ଼ି ପଡ଼ିଲା ।

 

ସୁଷମା ଦାଣ୍ଡରୁ ଆସିବାର ପ୍ରାୟ ପନ୍ଦର ମିନିଟ ପରେ କଙ୍କଡ଼ାବିଛା ଉତ୍ପାତରୁ କୁମୁଦିନୀ ଘରକୁ ଫେରିଲେ । ସେତେବେଳକୁ ସୁଷମା ମନର ଭାବ ବଦଳେଇ କୋଉଦିନରୁ ପଡ଼ିଥିବା ଖଣ୍ଡେ ଅଧବୁଣା ସ୍ଵେଟରକୁ ଆଣି ବୁଣି ବସିଚି । ମା’କୁ ପାଖରେ ପାଇ ତା’ର ନିରାଶ୍ରୟତା ଟିକେ ଊଣା ପଡ଼ିଗଲା । ଆଗରେ ଲଣ୍ଠନ ଆଲୁଅ । ସୁଷମାର କପାଳର ପାଖେପାଖେ ଝୁରୁ ଝୁରୁ ହେଇ ଝୁଲୁଚି ଚୂର୍ଣ୍ଣକୁନ୍ତଳ । ମୁଣ୍ଡ ଉପରୁ ଲୁଗା ଖସି ଯାଇ କାନର ଝୁମୁକା ଚକ୍‍ଚକ୍ କରୁଚି । ଝିଅକୁ ଅନେଇ ରହିଲେ କୁମୁଦିନୀ ଦେଈ । ଝିଅ ତାଙ୍କର ଗୋଟିଏ ଚାଉଳରେ ଗଢ଼ା । ଟିକକ ପରେ ସେ ସ୍ନେହଢ଼ଳା କଣ୍ଠରେ କହିଲେ–

 

“କେତେବେଳୁ ଯାଇ ଖାଇଥେଲୁ । ତତେ ଭୋକ ହଉନି ସୁଷ...”

 

କିଏ ସତେ ଯେମିତି ଚାଲି ଆସୁଚି ।

 

କାହାର ପଦଶବ୍ଦ ଯେମିତି ସୁଷମାର କାନରେ ବାଜି ଯାଉଥାଏ । ଆଡ଼କୁ ସାଡ଼କୁ ସେ ଅନ୍ୟମନସ୍କ ଭାବରେ ଅନେଇ ବୋଉ କଥାର ଉତ୍ତର ଦେବାକୁ ଭୁଲିଗଲା ।

 

ରାତି ପ୍ରାୟ ଆଠଟା ହେଲାଣି । ନଈ ଉପରେ ଘର ହେଲେ ମଧ୍ୟ ସୁଷମା ଘରଠାରୁ ଘାଟକୂଳଟା ମାଇଲିଏ ବାଟ ହେବ । ତାଙ୍କ ଘରକୁ ଆସିବାକୁ ହେଲେ ନଈ ପାରି ହେବାକୁ ପଡ଼େ ।

 

ହାତର ସ୍ୱେଟର୍ ବୁଣା ବନ୍ଦ ହେଇଗଲା । ଆଖି ଆଗରେ ସୁଷମା ଦେଖିଲା, ମଝିରେ ବହି ଯାଉଚି ନଈ ସୁଅ, ଆରପାରିରେ କିଏ ଯେମିତି ଠିଆ ହେଇଚି ଏପାରିକି ଅନେଇ । ମନର ଉତ୍ତେଜନାରେ କିଛି ନ ବିଚାରି ହଠାତ୍ ସୁଷମା ପଚାରି ଉଠିଲା...

 

“ଏତେବେଳେ ଘାଟରେ ଡଙ୍ଗା ପାରି କରିବାକୁ କିଏ ଥବ ନା ବୋଉ ?”

 

ଏ କଥାର ଉଦ୍ଦେଶ୍ୟ କୁମୁଦିନୀ ଦେଈ କିଛି ବୁଝି ପାରିଲେନି । ପାଖରେ ବସିପଡ଼ି ଝିଅକୁ ନିରିଖି କରି ତାନେ ଅନେଇଲେ । କ’ଣ ସେ ପଚାରିବାକୁ ଯାଉଚନ୍ତି, ଏତିକିବେଳେ ଦାଣ୍ଡଦୁଆରେ ‘ରାଘବା’ ‘ରାଘବା’ ବୋଲି କିଏ ଡାକ ଛାଡ଼ିଲା । କୁମୁଦିନୀ ଦେଈ ବାରି ପାରିଲେ ଏ ଘାଟର ଇଜରାଦାର ଆର ଗାଁ ଯଦୁ ବିଶ୍ୱାଳର ଡାକ । ପାଖଆଖ ତିନି ଖଣ୍ଡ ଗାଁ ଭିତରେ ଯାଇଥିବା ନଈ ଆଉ ଘାଟଟା ମଧ୍ୟ ତାଙ୍କର ଇଲାକାରେ ଥିଲା । ଇଜରାଦାରର ପାଟି ସହ ସେ ଖୁବ୍ ପରିଚିତ-

 

ଯଦୁ ବିଶ୍ୱାଳ କାହିଁକି ଡାକିଲା ଏତେବେଳେ !

 

ସୁଷମା ମଧ୍ୟ ଉତ୍କର୍ଣ୍ଣ ହେଇ ଉଠିଲା । କିଏ କ’ଣ ସତେ ଆଇଲା ଏତେବେଳେ । କିଛି ଭାବି ପାରିଲାନି ସୁଷମା । ନିଜର ଚିନ୍ତାକୁ ସେ ବିଶ୍ୱାସ କରିପାରିଲାନି ।

 

ଗୋଡ଼ରେ ତେଲ ମାଖୁ ମାଖୁ ରାଘବା ଖୁଣ୍ଟ ଦିହକୁ ଆଉଜି ପଡ଼ି କେତେବେଳୁ ଆଖି ବୁଜି ଦେଇଥିଲା । ଧଡ଼ପଡ଼ ହେଇ ଉଠି ସେ କବାଟ ଖୋଲିଦେଲା । ଖଞ୍ଜା ଭିତରକୁ ଆଗେ ପଶି ଆସିଲା ଯଦୁ ବିଶ୍ୱାଳ । ଘାଟ କୂଳଠାରୁ ହାତରେ ଧରି ଆସିଥିବା ଆଗନ୍ତୁକଙ୍କ ବ୍ୟାଗ୍‍ଟା ତଳେ ଥୋଇଦେଇ କୁମୁଦିନୀ ଦେଈଙ୍କି ଗୋଟା ସାଷ୍ଟାଙ୍ଗ ଦଣ୍ଡବତ କରି ସେ କହିଲା–

 

“ଜଇଁ ଆସିଚନ୍ତି ମା’ !”

 

ସେତେବେଳକୁ କୁମୁଦିନୀ ଦେଈ ଓ ସୁଷମା ଉଭୟେ ଆସି ପିଣ୍ଡାରେ ଛିଡ଼ା ହେଇଥିଲେ-। ଯଦୁ ବିଶ୍ୱାଳର କଥା ସରୁ ସରୁ ମୀନକେତନ ଆସି ଅଗଣାରେ ପହଞ୍ଚି ଶାଶୁଙ୍କୁ ପ୍ରଣାମ କଲା-। ମୀନକେତନ ଆଉଥରେ ଆଗରୁ ଆସିଥିଲା ଏଠିକି, ପୂନେଇଁଖାଇ, ଏ ତା’ର ଦ୍ଵିତୀୟ ଆଗମନ-

 

ଜଇଁକି କଲ୍ୟାଣ କରି ପଛକୁ ଅନେଇଲେ କୁମୁଦିନୀ ଦେଈ । ଦେଖିଲେ, ତାଙ୍କ ଆଢ଼ୁଆଳରେ ଲୁଚିଯାଇଚି ସୁଷମା । ସୁଷମା ଦେହରେ ବେପଥୁ ଆଉ କୁମୁଦିନୀ ଦେଈଙ୍କ ମୁହଁରେ ସ୍ମିତ ହାସ୍ୟର ରେଖା ।

 

ସେ ଦିନ ରାତିରେ ସୁଷମାର କି ଉଦ୍‍ବେଗ । ସବୁ ଆନନ୍ଦ ଉଦ୍ଦୀପନା ତା’ର କ୍ରମେ ବିଷାଦରେ ପରିଣତ ହେବାକୁ ବସିଥାଏ । ଝିଅ ଘରେ ଥିଲାବେଳେ ସେଠାରେ ଜଇଁ ଆସି ରହିବା ସଙ୍ଗତ ହେବ ନାହିଁ ବୋଲି କିଏ କେତେ ପ୍ରକାରେ ମତ ପ୍ରକାଶ କରିସାରିଲେଣି । କୁମୁଦିନୀ ଦେଈ କିଛି ଠିକ୍ କରି ନ ପାରି ଶେଷକୁ ଗୁମାସ୍ତାଙ୍କୁ ଡକେଇଲେ । ଯାମିନୀ ମଧ୍ୟ ଆସିଲା । ଜଇଁ ଏଠି ରହିବେ ଓ ତାଙ୍କ ସାଙ୍ଗରେ ଝିଅର ଭେଟ ହେବ ଏ କଥାକୁ ସେମାନେ ମଧ୍ୟ ସମର୍ଥନ କଲେନାହିଁ । ସେମାନେ ଠିକ୍ କଲେ ଜଇଁ ରହିବେ ଗୋପାଳପୁର କଚିରି ଘରେ । ସେ ସକାଳୁ ଯିବେ ସେଠିକି, ଆଉ ତାଙ୍କୁ ଭେଟିବାକୁ ସବାରି ଚଢ଼ି ସୁଷମା ଯିବ ସନ୍ଧ୍ୟାକୁ । ଜମିଦାରୀ ଉଠି ଯାଇଥିଲେ ମଧ୍ୟ କଚିରିଘର ଓ ବାଡ଼ି ବଗିଚା ତାଙ୍କ ଦଖଲରେ ଥାଏ, ସେଠି ଝିଅ–ଜଇଁ ଚାହିଁଲେ କିଛିଦିନ ରହିବାର ସୁବିଧା ମଧ୍ୟ କରି ଦିଆଯାଇପାରିବ । ଏ ନିଷ୍ପତ୍ତି କିନ୍ତୁ କୁମୁଦିନୀ ଦେଈଙ୍କ ମନର ସମର୍ଥନ ପାଇଲାନି । ଏହା ଭିତରେ ଖାଇବା ପିଇବା ଶେଷ ହେଇଥାଏ । ସମସ୍ତେ ଚାଲିଗଲା ପରେ କୁମୁଦିନୀ ଦୀର୍ଘ ନିଃଶ୍ଵାସଟିଏ ମାରି ଠିଆ ହେଇ ପଡ଼ିଲେ । ଯେମିତି ଦୁଇଟି ତରୁଣ ତରୁଣୀଙ୍କର ନ୍ୟାୟସଙ୍ଗତ ଅଧିକାର ଉପରେ ସେ କୁଠାରାଘାତ କରୁଚନ୍ତି, ଏହା ତାଙ୍କର ଧାରଣା ହେଲା । ଘରଭିତରକୁ ପଶିଯାଇ ସେ ଚାହିଁଲେ ଝିଅର ମୁହଁକୁ । ସେଠି ପ୍ରାୟ ଘଣ୍ଟାକ ତଳେ ସେ ଯେଉଁ ଆନନ୍ଦର ଉନ୍ମେଷ ଦେଖିଥିଲେ ତା’ କୁଆଡ଼େ ନିଶ୍ଚହ୍ନ ହେଇ ଯାଇଚି । ସେଇ ମୁହଁର ଦୁଇଟି କାତର ଚକ୍ଷୁ ଚାହିଁ ରହିଚି ତାହାର ଜନ୍ମଦାତ୍ରୀକି । ଆଉ ଚାହିଁ ପାରିଲେନି କୁମୁଦିନୀ ଦେଈ ।

 

ଚାଲିଯାଇ ସେ ରାଘବା ହାତରେ ମେଲାରୁ ଡକେଇ ପଠେଇଲେ ମୀନକେତନକୁ । ଫେରିଯାଇ ଝିଅ ପାଖରେ ପହଞ୍ଚି କହିଲେ...

 

“ମୁଁ ଯାଉଚି ରାଣିଆମାକୁ ଡକେଇ ତଳଖଞ୍ଜାରେ ଶୋଇବି । ରାଘବା ଶୋଇବ ମେଲାରେ । ହଁ, ଜଇଁ ଆସିଲେ ତାଙ୍କୁ ପାନ ଭାଙ୍ଗିକରି ଦବୁ, ଜାଣିଲୁ...। ମୁଁ ଆର ଖଞ୍ଜାରେ ଜଇଁଙ୍କ ପାଇଁ ଖାଇବା ପିଇବାର ଯୋଗାଡ଼ କରୁଚି... !!

 

ଚମକି ପଡ଼ିଲା ସୁଷମା । ସେ ଏକା ରହିବ ଏଠି !

 

ହାତରେ ଗୋଟିଏ ଲଣ୍ଠନ ଧରି କୁମୁଦିନୀ ଦେଈ ଚାଲିଗଲେ ଆର ଖଞ୍ଜାକୁ । ସୁଷମା କେବଳ ଆଶ୍ଚର୍ଯ୍ୟ ହେଇ ତାଙ୍କୁ ଅନେଇ ରହିଲା ପଛରୁ । ଗୁମାସ୍ତା ଆଉ ଯାମିନ୍ ନା କ’ଣ ଭାବିବେ ବୋଉ ! ତୁ ମତେ ଏକୁଟିଆ ଛାଡ଼ିଦେଇ କୁଆଡ଼େ ଯାଉଚୁ !

 

ଆଉ କିଛି ଭାବିବାକୁ ସୁଷମା ଅବକାଶ ପାଇଲାନି । କାହାର ପଦଶବ୍ଦ କ୍ରମେ ନିକଟତର ହେଇ ଆସିଲା । ରାଘବା ତାଙ୍କୁ ଡାକି ଆଣିଲାଣି ନା କ’ଣ !

 

ହଁ ସେ ହେଇ ଆସି ପହଞ୍ଚି ଯିବେ । ସୁଷମାର ଛାତି ଭିତରଟା ଥରି ଉଠିଲା । ବୋଉ ପାନ ଭାଙ୍ଗିବାକୁ କହିଯାଇଥିଲା । ଆଉ କେତେବେଳେ ଭାଙ୍ଗିବି । ତା’ ଭିତରେ ଗୋଟା ବାତ୍ୟା ଘୂରିଗଲା ଯେମିତି । ସୁଷମା ଆଉ ଠିଆ ନ ହୋଇ ତଳେ ବସିପଡ଼ିଲା । ତା’ପରେ ଅନନ୍ୟୋପାୟ ହୋଇ ପାନ ପେଟରାଟାକୁ ଖୋଲିବାକୁ ଚେଷ୍ଟା କଲା ।

 

ଏ ସବୁ ମୁହୂର୍ତ୍ତକର ଘଟନା । ପରମୁହୂର୍ତ୍ତରେ ଦେଖିଲା, ସ୍ୱାମୀ ତା’ର ପଶି ଆସୁଚନ୍ତି ଘରଭିତରକୁ । ହୁଏତ ତେଣେ ଦାଣ୍ଡ କବାଟ ଲଗେଇ ଦେଇ ଜଳି ବାଟେ ରାଘବା ବାହାରି ଗଲଣି ମେଲାକୁ । ଏଡ଼େ ବଡ଼ ଖଞ୍ଜାଟା ଭିତରେ ସେମାନେ ରହିବେ କେବଳ ଦୁଇ ଜଣ ?

 

ହାତ ପାଖର ଲଣ୍ଠନର କଳ ମୋଡ଼ି ଦେଇ ସେ ହଠାତ୍ ଆଲୁଅ ଶିଖା କମେଇ ଦେଲା । ତା’ ବୁଦ୍ଧିରେ ଆଉ କିଛି ପଇଟିଲାନି ।

 

ମୀନକେତନ ସୁଷମାର ପାଖରେ ପହଞ୍ଚି ସ୍ଥାନ–କାଳ ପ୍ରତି କୌଣସି ବିଚାର ନ ରଖି ଅତି ପ୍ରମତ୍ତ ହୋଇ ପଡ଼ିଲା । ଜଣେ ଦକ୍ଷ ଶିକାରୀ ପରି ଟେକିନେଲା ସୁଷମାକୁ ନିଜର କୋଳକୁ ।

 

କଲ କଲ ହେଇ ଛାଟି ହେବାକୁ ଲାଗିଲା ସୁଷମା, କିନ୍ତୁ ବୃଥା ପ୍ରୟାସ, ମୀନକେତନ କବଳରୁ ଖସି ପଡ଼ିବା ସହଜରେ ସମ୍ଭବ ହେଲାନି । ଏହିପରି ଅବସ୍ଥାରେ ତା’ ମୁହଁ ଉପରେ ନିଜର ମୁହଁଟାକୁ ଦୃଢ଼ ଭାବରେ ଚାପି ଦେଇ ମୀନକେତନ ପ୍ରଶ୍ନ କଲା–

 

“ମୁଁ ଏଠିକି ତମର ଜରୁରୀ ଡାକରା ପାଇ ଆସିଚି ! ମନେଅଛି ସେ କଥା; କ’ଣ ହେଲା ତମର ?”

 

“ଉଁ...”

 

ନାରୀ କେବେ ଏ ପ୍ରଶ୍ନର ଉତ୍ତର ଦେଇନି, ଦେଇ ପାରିବନି ମଧ୍ୟ, ସେ କଥା ଭଲ କରି ଜାଣେ ମୀନକେତନ । ସେ ପ୍ରଶ୍ନଟା ତା’ର କେବଳ ଗୋଟାଏ ଉପଲକ୍ଷ୍ୟ ଥିଲା । ପତ୍ରାଳାପ ଭିତରେ ପତ୍ନୀର ଅବସ୍ଥା ଯାହା ହୋଇଛି ସେ ମଧ୍ୟ ନିଜର ଅଭିଜ୍ଞତାରୁ ତାହା ଭଲରୂପେ ଉପଲବ୍ଧି କରିଛି । ସେ ନିଜେ ମଧ୍ୟ ହୋଇଛି ଉଦ୍‍ଗ୍ରୀବ, ଉଚ୍ଛନ୍ନ ଏବଂ ଉତପ୍ତ । ଦୀର୍ଘ ପଥ ଅତିକ୍ରମ କରି ଆସିବା ଭିତରେ ତାହା ଆହୁରି ତୀକ୍ଷ୍ଣ ଓ ଶାଣିତ ହୋଇ ପଡ଼ିଛି । ସମ୍ଭୋଗର ଅଶେଷ ବାସନା ବସା ବାନ୍ଧି ଉଠିଛି ପଥ ଅତିକ୍ରମଣର ପ୍ରତିଟି ପଦକ୍ଷେପରେ । ତାହାର ରୂପଦାନ ନିମିତ୍ତ ସେ ଯେପରି ବ୍ୟଗ୍ର ହୋଇ ପଡ଼ିଲା । ସେଠାରେ ଅତି ଅକିଞ୍ଚିତ୍‍କର ହେଲା ଶ୍ଵଶୁରାଳୟର ପରିସ୍ଥିତି । ତାହାର ଉଦ୍‍ଗ୍ରୀବତାର ଶରବ୍ୟ ହେଲା ସର୍ବପ୍ରଥମେ ସୁଷମାର ସୁକୋମଳ ମୁହଁ ଖଣ୍ଡକ ।

 

ତଥାପି ଦଂଶିତ ଚୁମ୍ବନର ବର୍ଷାଧାରା ମଧ୍ୟରେ ସୁଷମା ଉତ୍ତେଜନାରେ କହି ଉଠିଲା, “କେହି ନାହାନ୍ତି ଏ ଖଞ୍ଜାରେ; ଖାଲି ଆମେ ଦି'ଜଣ ଏକା....”

 

ଯୁବତୀର ନିତମ୍ବର ଠିକ୍ ମଧ୍ୟଭାଗରେ ରହିଚି ଯୁବକର କରତଳ । ଆଉ ଗୋଟିଏ ହାତ (ବାମ ହାତ) ରହିଚି ଗ୍ରୀବା ଓ ସ୍କନ୍ଧ ଦେଶର ତଳଭାଗରେ । ବିଶେଷ ରସିକତା ଭିତରେ ଅତିଷ୍ଠ ହୋଇ ସୁଷମା ଠିଆ ହୋଇ ପଡ଼ିବାକୁ ପ୍ରଚେଷ୍ଟା କଲା, ମାତ୍ର ସେତେବେଳକୁ ତାହାର ଗୋଟିଏ ବକ୍ଷୋଜ ଉପରେ ଚାପି ହୋଇ ରହିଚି ମୀନକେତନର ପ୍ରମତ୍ତ ଓଷ୍ଠାଧର । ସୁଷମାର ଗୋଡ଼ ତଳେ ଲାଗିଲାବେଳକୁ ସେ ପ୍ରାୟ ଅଧାଅଧି ବିବସ୍ତ୍ରା ହୋଇ ପଡ଼ିଲା । ସେହି ଅବସ୍ଥାରେ ଜଳିଟା ବନ୍ଦ କରି ଦେଇ ଆସିବା ଲାଗି ସେ ବାହାରକୁ ଝଟ୍‍ ଚାଲିଯିବାର ଚେଷ୍ଟାକଲା । କିନ୍ତୁ ସେଥିରେ ସଫଳକାମ ହୋଇ ପାରିଲାନି, ତା’ର ଉଦ୍ଦେଶ୍ୟ ବୁଝି ନ ପାରି ଏହା ତାହାର ପ୍ରବଞ୍ଚନାର ଏକ ଉପକ୍ରମ ବୋଲି ମନେ କରି ତା' ଲୁଗା କାନିକୁ ଭିଡ଼ି ଧରିଲା ମୀନକେତନ ।

 

ପାଦର ପ୍ରକ୍ଷେପିତ ଗତିରେ ସୁଷମା ପ୍ରକୋଷ୍ଠର ଏରୁଣ୍ଡି ଡେଇଁ ସେହି ସମୟ ଭିତରେ ବାରଣ୍ଡାଯାଏ ଚାଲି ଯାଇଥିଲା । ସେ ପର୍ଯ୍ୟନ୍ତ ରହିଥିଲା ତା' ଦେହରେ ଶାଢ଼ିର ଉତ୍ତରାଂଶ । ମାତ୍ର ଆଉ ଯାଇ ପାରିଲାନି; ଛାତିର ବଡ଼ିଶ୍ ଏବଂ ଜଙ୍ଘର ସାୟା ଖଣ୍ଡକ ଛଡ଼ା ଦେହରୁ ଶାଢ଼ିର ଅଚ୍ଛାଦନ ସମ୍ପୂର୍ଣ୍ଣ ଶେଷ ହୋଇଗଲା । ସୁଷମା ସେଇଠି ବସି ପଡ଼ିଲା ନିଜର ଅନାବୃତ ତନୁରେ ଅଗଣାର ଅନ୍ଧାରଗୁଡ଼ାକ ଆବୁରି ପକେଇ ।

 

ସୁଷମା ଯେଉଁ ଘରେ ବସି ପାନ ଭାଙ୍ଗିବାର ପ୍ରୟାସ କରୁଥିଲା ଏବଂ ଯେଉଁ ଘରେ ପହଞ୍ଚିଲା ମୀନକେତନ, ସେହି ଘରର ଗୋଟିଏ ପଟକୁ ଗୋଟିଏ ବଡ଼ ପଲଙ୍କ ପଡ଼ିଥାଏ । କୁମୁଦିନୀ ଦେଈ ଚାଲିଯିବା ଆଗରୁ ସେଇ ପଲଙ୍କ ଉପରେ ଭଲରୂପେ ଗଦି, ତକିଆ ପକେଇ ଜଇଁପାଇଁ ଶୋଇବାର ବିଛଣା କରିଦେଇ ଯାଇଥିଲେ । ଲଣ୍ଠନଟାକୁ ତେଜେଇ ଦେଇ କୋଠରୀଟାକୁ ତନ୍ନତନ୍ନ କରି ଥରେ ଅନେଇଗଲା ମୀନକେତନ । ଗୋଟା ହାତରେ ତା’ର ସେ ପର୍ଯ୍ୟନ୍ତ ସୁଷମାର ପରିଧେୟ ବସ୍ତ୍ରଟା ଝୁଲି ରହିଚି । ଲଣ୍ଠନଟାକୁ ଗୋଟା ପଟର ବେଞ୍ଚ୍ ଉପରେ ରଖାଯାଇଥିବା କେତେଟା ଥାକମରା ଟ୍ରଙ୍କ୍‍ଉପରେ ରଖିଦେଇ ସେ ଯାଇ ସୁଷମାକୁ ଟେକି ଆଣିଲା ବାରଣ୍ଡାରୁ । ନାଥୁକିନା ଶୋଇଦେଲା ତାକୁ ପଲଙ୍କ ଉପରେ ।

 

ସୁଷମା ମଧ୍ୟ ଆଉ ଧୈର୍ଯ୍ୟ ଧରି ପାରିଲାନି । ଦୁଇ ହାତରେ ଖୁବ୍ ଜୋରରେ ମୀନକେତନକୁ ଭିଡ଼ିନେଲା ନିଜର ଉନ୍ମୁକ୍ତ ଛାତି ଉପରକୁ ।

 

ପ୍ରାୟ ଘଣ୍ଟାକ ପରେ ତଳ ଖଞ୍ଜା ପଟର କବାଟର ଜଞ୍ଜିରଟା ଝଣଝଣ ହେଲା । ସୁଷମା ଜାଣିପାରିଲା, ରୋଷେଇ ଶେଷ କରି ବୋଉ ଖାଇବାପାଇଁ ଡାକୁଚି । ସେତେବେଳକୁ ଉନ୍ମାଦନାର ପ୍ରଥମ ଉଦ୍‍ବେଳନ ଅନ୍ତରିତ ହୋଇ ସାରିଥାଏ ଏବଂ ସୁଷମାର ବକ୍ଷ ଉପରେ ପଡ଼ି ରହି କହୁଥାଏ ମୀନକେତନ–“ବୋଉ ଯଦି ତମ ସାଙ୍ଗରେ ଏକାଠି ହବାର ବରାଦ କରି ଦେଇ ନଥାନ୍ତେ ମୁଁ ପାଗଳ ହୋଇଯାଇଥାନ୍ତି ସୁଷମା । ଘରକୁ ନ ଡାକି ଚଉପାଢ଼ିରେ ରହିବାର ବ୍ୟବସ୍ଥା କରିଥିଲେ ମୁଁ ରାତିରୁ ଉଠି ଏକମୁହାଁ ହେଇ ଚାଲି ଯାଇଥାନ୍ତି ଆମ ଗାଁକୁ...।"

 

ବାର

 

ମୀନକେତନ ବିଭା ହେବାର ବର୍ଷକ ପରେ ମଙ୍ଗରାଜେ ପରାଗମଞ୍ଜରୀର ବିବାହ ଦେଲେ । ଖୁବ୍ ଆଡ଼ମ୍ବରରେ ସେ ଏଇ ବିବାହ ଉତ୍ସବ ସମ୍ପନ୍ନ କରିଥିଲେ । ଢୁଢ଼ୁଆ ମହନରାୟ ଘର, ପାତ୍ରଟି ମହନ ରାୟଙ୍କ ନାତି, ପୁରନ୍ଦର ରାୟଙ୍କ ପୁଅ ପ୍ରଭଞ୍ଜନ ରାୟ । ଆଗରୁ ଡାମ୍ଫଣ ମୁନରେ ଘିଅ ଖିଆ ଚାଲିଥିଲା, ହାଲି ଦି’ପୁରୁଷ ହେବ ସେଠି ବିଦ୍ୟାର ଆଲୋକ ପଶିଚି । ପୁରନ୍ଦର ମାଟ୍ରିକ୍ୟୁଲେଶନ ପାସ୍ କରି କୌଣସି ମହକୁମା ଅଫିସ୍‍ରେ ସିରସ୍ତାଦାରଯାଏ ଉଠିଥିଲେ । ଏ ଅମଳରେ ପୁଅ ଏମ.ଏ. ପାସ୍ କରି ଯୋଗ୍ୟ ହେଇଛି । କୋଉଠି ସରକାରୀ କଲେଜରେ ପାଇଛି ଲେକ୍‍ଚରର ଚାକିରି । ସେଥିଯୋଗୁଁ ମଙ୍ଗରାଜଙ୍କୁ ବରପକ୍ଷର ଦାବି ପୂରଣ କରି ଅଧିକ ପରିମାଣରେ ଯୌତୁକ ଦେବାକୁ ପଡ଼ିଲା । ଖର୍ଚ୍ଚ ହେଲା ପାଞ୍ଚ ହଜାର ଟଙ୍କା । ମୀନକେତନର ବା'ଘର ସେ ହଜାରେ ଟଙ୍କାରେ ସାରିଦେଇଥିଲେ । ବାକି ଯାହା ଟଙ୍କା ରହିଲା ସେଥିରେ ସେ ପ୍ରବାଳମଞ୍ଜରୀ ଓ ଅନ୍ୟ ଦୁଇ ପୁଅଙ୍କର ମଙ୍ଗଳକୃତ୍ୟ ଶେଷ କରିଦେବେ ବୋଲି ସ୍ଥିର କରିଥିଲେ । ମା’ ଅନୁଛାୟା ଦେଈଙ୍କ ହାତରେ ପ୍ରାୟ ତିନି ହଜାର ଯାଏଁ ଟଙ୍କା ଥିଲା । କିନ୍ତୁ ତାହା ଅନ୍ୟ କୌଣସି ଖର୍ଚ୍ଚରେ ଲାଗିଲାନି । ବୁଢ଼ୀ ମଲାବେଳକୁ ସେହି ଟଙ୍କାରେ ମଙ୍ଗରାଜ ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ ମା'ର ଅନ୍ତ୍ୟେଷ୍ଟିକ୍ରିୟାର ସମସ୍ତ କାର୍ଯ୍ୟ ଶେଷ କରିଥିଲେ ।

 

ପରାଗମଞ୍ଜରୀର ବା’ଘରବେଳକୁ ପ୍ରବାଳମଞ୍ଜରୀକୁ ପନ୍ଦରବର୍ଷ ପୂରି ଷୋଳ ଚାଲିଥାଏ-। ସତରବର୍ଷରେ ଝିଅକୁ ବିବାହ ଦେବେ ବୋଲି ମଙ୍ଗରାଜେ ସ୍ଥିର କଲେ । କିନ୍ତୁ ହଠାତ୍ ଦିନେ ଗ୍ରହବିପ୍ରର ଚେତାବନୀ ଶୁଣି ମଙ୍ଗରାଜେ ଚମକି ପଡ଼ିଲେ । ଝିଅକୁ କୋଡ଼ିଏବର୍ଷରେ ମାରକ-। ଝିଅ ବିଧବା ହୋଇପାରେ; ତା’ ନ ହେଇ ଯଦି ଜଇଁ ବଞ୍ଚିରହେ ଝିଅ ମୃତ୍ୟୁମୁଖରେ ପଡ଼ିବା ନିଶ୍ଚିତ-। ଜାତକ ଗଣନାର ଫଳ ଏପରି ଭୟାବହ ରୂପଧରିବ ବୋଲି ଜନ୍ମେଜୟ ମଙ୍ଗରାଜ କିମ୍ବା ତାଙ୍କ ପତ୍ନୀ ସୁରେଶ୍ଵରୀ ଦେଈ କେହିହେଲେ କଳ୍ପନା ମଧ୍ୟ କରି ନଥିଲେ । ଉଭୟେ ଅନେଇଲେ ପ୍ରବାଳମଞ୍ଜରୀର ମୁହଁକୁ, ମଙ୍ଗରାଜଙ୍କ ତିନି ଝିଅଙ୍କ ଭିତରେ ସେ ସବୁଠାରୁ ସୁନ୍ଦରୀ । ଗଣ୍ଡରେ ଚମ୍ପାଫୁଲ ଫୁଟିଲେ, ଓଠରେ ରଙ୍ଗଣୀଫୁଲ ଫୁଟେ । ଆଖିରେ ଫୁଟିଯାଏ ଅପରାଜିତା । ସୁରେଶ୍ୱରୀ ଅନେକ ସମୟରେ ଝିଅକୁ ଚାହିଁ ଚାହିଁ ଆତ୍ମହରା ହେଇ ଯାଆନ୍ତି । ତାଙ୍କରି ପେଟରୁ ଏଡ଼େ ସୁନ୍ଦରୀ ପ୍ରତିମାଟିଏ ଜନ୍ମହେଇଛି ଭାବି ସେ ବେଳେବେଳେ ବିସ୍ମିତ ହେଇପଡ଼ନ୍ତି । ସେଇ ଝିଅର ପୁଣି କୋଡ଼ିଏବର୍ଷରେ ମାରକ ! ବିଧବା ହେବ ଝିଅ ? ନା, ନା, ଝିଅ ପଛେ ମରିଯାଉ, କିନ୍ତୁ ବିଧବା ନ ହେଉ । ନା ତା’ ମଧ୍ୟ ହେବନି, ଏଡ଼େ ସୁନ୍ଦରୀ ଲାବଣ୍ୟ ପ୍ରତିମା...ଆଉ କିଛି ଭାବିପାରିଲେନି ସୁରେଶ୍ଵରୀ ଦେଈ । ଆଖିରୁ ତାଙ୍କର ଲୁହ ଝରିପଡ଼ିଲା । ଆଢ଼ୁଆଳରେ ସେ ଝିଅକୁ ଯାକିଧରି ଭୋଭୋ ହୋଇ କାନ୍ଦି ଉଠିଲେ । ଗ୍ରହବିପ୍ରର ଚେତାବନୀ ବିଷୟରେ ପ୍ରବାଳମଞ୍ଜରୀ କିଛି ଜାଣି ନଥିଲା । ବୋଉର ଏ ଢଙ୍ଗ ଦେଖି ସେ କିଛି ବୁଝି ନ ପାରି କେବଳ ଅବାକ୍ ହେଇ ଅନେଇ ରହିଲା ମା’ର ମୁହଁକୁ ।

 

ଜ୍ୟୋତିଷୀର ଭବିଷ୍ୟତବାଣୀରେ ସବୁଠାରୁ ଅଧିକ ମ୍ରିୟମାଣ ହେଇପଡ଼ିଲେ ଜନ୍ମେଜୟ ମଙ୍ଗରାଜ । ବୟସ ତାଙ୍କର ପ୍ରାୟ ଷାଠିଏ ହେଲାଣି । ଝିଅର ବିବାହପାଇଁ ଆହୁରି ଚାରିବର୍ଷରୁ ବେଶୀ ତକେଇବାକୁ ପଡ଼ିବ । ଖୁବ୍ ଡେରି । ସେତେଦିନଯାଏ ସେ ବସି ରହିପାରିବେ ତ ? ଶେଷକୁ ସବୁ ରାଗ ତାଙ୍କର ଯାଇ ପଡ଼ିଲା ଅବଧାନ ଉପରେ । ସେତକ ନ କହିଥିଲେ ତ ନାହାକର ବିଦାକିଟା କିଛି କମ୍ ହେଇ ନଥାନ୍ତା । ତେବେ ଏ ଅମଙ୍ଗଳ କଥାଗୁଡ଼ା ସେ କହିଲା କାହିଁକି । କ’ଣ ସେ ସତ କହିଲା ତାହାହେଲେ ? ମୋର ଲକ୍ଷ୍ମୀପ୍ରତିମା ପରି ଝିଅ....ମନରେ କେତେ ପାପ ଛୁଇଁଗଲା ତାଙ୍କର ।

 

କ୍ରମେ ଚାରିବର୍ଷ ପରିଯାଇ ପାଞ୍ଚବର୍ଷ ଚାଲିଲା । ପ୍ରବାଳମଞ୍ଜରୀ କ୍ରମେ ଏକୋଇଶବର୍ଷରେ ପଦାର୍ପଣ କଲା । ମାରକ ପଡ଼ିବା ତ ଦୂରର କଥା, ଚାରିବର୍ଷ ଭିତରେ ଦିନେ ପ୍ରବାଳମଞ୍ଜରୀକି ଜର ଟିକିଏ ମଧ୍ୟ ହେଲାନି । ଠିକ୍ ପ୍ରଥମ ବର୍ଷର ଆଦ୍ୟଭାଗରେ ଉଚ୍ଛନ୍ନ ହେଇପଡ଼ିଲେ ମଙ୍ଗରାଜ, ମତେ ଠକିଦେଲା ସୁବଳା ନାହାକ, ବଦମାସ, ଦ୍ୱାଚୋର୍ । ମୋ ବଂଶରେ କାଳି ନଗେଇଦେଲା ନାହାକ ଟୋକା । ତାକୁ ମୁଁ ଧ୍ଵଂସ କରିଦେବି । ଆଜି ଜାଳିଦେବି ତା’ ଘରକୁ ।

 

ରାଗରେ ବିଭ୍ରାନ୍ତ ହେଇପଡ଼ିଲେ ମଙ୍ଗରାଜ ।

 

ହାତରେ ରୁପା ମୁଠିବସା କଟ୍ରାଙ୍ଗ କାଠର ବାଡ଼ି ଖଣ୍ଡକ ଧରି ସେ ବାହାରିପଡ଼ିଲେ ପଦାକୁ ।

 

ଦୌଡ଼ି ଆସିଲା ପ୍ରତାପ ।

 

“କୁଆଡ଼େ ଯିବ ବାପା ?”

 

“ଯିବି ସେ ସୁବଳା ନା’କ ଘରକୁ । ଶଳା ନା’କ ଟୋକା ମୋର ସର୍ବନାଶ କରିଦେଲା ।”

 

“ମୁଁ ଯାଉଚି ତାକୁ ଡାକି ଆଣିବି । ତମେ କୋଉଠିକି ଯିବ ବାପା ? ଦି’ ମାଇଲ ବାଟ ତମେ ଏଇଲାଗେ ଯିବ ଖରାରେ....”

 

ପୁଅ ଉପରେ ତୀକ୍ଷ୍ଣଦୃଷ୍ଟି ହାଣି ଅନେଇଲେ ମଙ୍ଗରାଜେ ।

 

“ତୁ ସୁବଳା ନା’କକୁ ଡାକି ଆଣିବାକୁ ଯିବୁ ?” ହସିଉଠିଲେ ତାଚ୍ଛଲ୍ୟର ହସ । ପୁଣି କହିଲେ–

 

“ତୁ ଧରିଆଣି ପାରିବୁନି ନା’କ ଟୋକାକୁ–କ’ଣ କହିଲୁ, ଡାକି ଆଣିବାକୁ ଯିବୁ ? ମୁଁ କ’ଣ ତାକୁ ଡାକି ଆଣିବାକୁ ଯାଉଚି....ହା–ହା–ହା, ମୁଁ ଜନ୍ମେଜୟ ମଙ୍ଗରାଜ, ସରକାର ଜମିଦାରୀ ଛଡ଼େଇ ନେଇ ଯାଇଥିଲେବି ମୁଁ ସେଇ କଦମ୍‍ପାଳର ଜମିଦାର ଜନ୍ମେଜୟ ମଙ୍ଗରାଜ, ସୁବଳା ନା'କ ଘରକୁ ଜାଳି ଦେଇ ଆସିବାକୁ ଯାଉଚି, ସେ ମୋର ତିନିପୁରୁଷର ପ୍ରଜା, ତାକୁ ବାନ୍ଧି ଆଣିବି ପାଣ ହାତରେ...."

 

ପିଣ୍ଡାରୁ ଗୋଡ଼ କାଢ଼ି ପାହାଚ ଉପରକୁ ଆଗେଇଗଲେ ମଙ୍ଗରାଜ । ଗୋଡ଼ରେ କଠଉ ଲାଗିଚି । ରାଗ ଚୋଟରେ ହାତର କଟ୍ରାଙ୍ଗ ବାଡ଼ିଟା ସ୍ଥାନ ଭ୍ରଷ୍ଟ ହେଲା । ଖସିଗଲା ଦୂରକୁ । ଖଡ଼ମ ମୋଡ଼ି ହେଇଗଲା ପାଦରେ । ପଥର ପାହାଚ ଉପରେ ଦୂରକୁ ଖସିଗଲା ଗୋଡ଼ । ଟଳି ପଡ଼ିଲେ ମଙ୍ଗରାଜ । ଷାଠିଏବର୍ଷର ବୃଦ୍ଧ ଶରୀର ପାହାଚ ଉପରେ ଦି'ଥର ଗଡ଼ିଗଲା ।

 

ହାଁ, ହାଁ, ହାଁ....

 

ପ୍ରତାପ ପାଖକୁ ଦୌଡ଼ି ଆସିଲା । ଦୌଡ଼ି ଆସିଲେ ବଂଶୀ ଜେନା । ନାଚଖାନାରେ ବସି ସେ ପାରାଭାଡ଼ି ମରାମତ କରୁଥିଲେ । ଭାଡ଼ିରେ କିମିତି ଗୋଟା ବଡ଼ କଣା ହେଇଯାଇଚି । କାଣୀ ବିଲେଇ ସେ ବାଟେ ପଶି ଦି’ଟା ପାରା ମାରିଦେଇଚି । ତାଙ୍କର ସେ କାମ ବନ୍ଦ ହେଇଗଲା । ଦୌଡ଼ି ଆସି ପହଞ୍ଚିଲେ ସେ ପାଖରେ । ପାଟି ଶୁଣି ଖଞ୍ଜା ଭିତରୁ ଦୌଡ଼ି ଆସିଲେ ସାଆନ୍ତାଣୀ ସୁରେଶ୍ଵରୀ ଦେଈ । ବେହେଲାର ତା’ର ବାନ୍ଧିବା ବନ୍ଦ କରି ଚଉପାଢ଼ିରୁ ଉଠିଆସିଲା ମୀନକେତନ-। ତିନି ବୋହୂଯାକ ହାଉଳି ଖାଇଲେ ଅଗଣାରେ ।

 

"ମଙ୍ଗରାଜେ ପଡ଼ିଗଲେ....ମଙ୍ଗରାଜେ....ପଡ଼ିଗଲେ...."

 

ବଂଶୀ ଜେନାଙ୍କ ପାଟି ଶୁଣି ଆଉ କେତେ ଲୋକ ମଧ୍ୟ ଆସି ପହଞ୍ଚିଲେ ।

 

କିନ୍ତୁ ସେ ସେତେ ଦୁର୍ବଳ ନୁହନ୍ତି ଯେମିତି । ସେ ନିଜେ ଉଠି ବସିବାକୁ ଚେଷ୍ଟାକଲେ । ମାତ୍ର ପାରିଲେନି । ସମସ୍ତେ ମିଶି ତାଙ୍କୁ ଟେକି ନେଇଗଲେ ଘରଭିତରକୁ ।

 

ଘର ବାରଣ୍ଡାରେ ବସି ଟିକେ ସାଷ୍ଟାମ ହେଲାପରେ ମଙ୍ଗରାଜ ସମସ୍ତଙ୍କ ମୁହଁକୁ ତନ୍ନତନ୍ନ କରି ଅନେଇଗଲେ । ଦେହରେ ଖଣ୍ଡେ ହାପ୍ କାମିଜ । ନିଶ ହଳକ କଳା ଧଳା ମିଶା ବାଳରେ ସେ ପର୍ଯ୍ୟନ୍ତ ପ୍ରଶସ୍ତ ହେଇ ରହିଚି । ଆଖି ପଡ଼ିଲା ତାଙ୍କର ପ୍ରବାଳମଞ୍ଜରୀ ଉପରେ । ଆଙ୍ଗୁଠିରେ ସେ କ’ଣ ଗଣି ପକେଇ ପିନ୍ଧା କାନିରେ ମୁହଁ ପୋଛିବାକୁ ଚେଷ୍ଟାକଲେ । କିନ୍ତୁ ପାରିଲେନି ।

 

ଚିତ୍କାର କଲେ ମଙ୍ଗରାଜ–

 

"ପ୍ରତାପ, ମୀନା, ଆରେ ବଂଶୀ....ସୁର ।"

 

ଚମକି ପଡ଼ିଲେ ସୁରେଶ୍ଵରୀ ଦେଈ । ପ୍ରାୟ ଚାଳିଶବର୍ଷପରେ ଆଜି ସେ ତାଙ୍କୁ ନାଁ ଧରି ଡାକିଲେ କାହିଁକି ? କ’ଣ ହେଇଚି ସତେ !

 

"ଆରେ ମୋ ହାତ ଚଳୁନେଇଁ କାହିଁକି ?"

 

ତା’ପରେ ମଙ୍ଗରାଜେ ଉଠିବାକୁ ଚେଷ୍ଟାକଲେ । କିନ୍ତୁ ପାରିଲେନି । ସେ ପୁଣି ପାଟି କରି କହିଲେ–

 

"ଦେହଟା ମୋର ଏତେଦିନ ଖରାପ ହେଇଗଲା । ଆଜି ରକ୍ଷା ପାଇଗଲା ସୁବଳା । ଶଳା ମୋର ମାର୍କ ଅଛି ବୋଲି ତ କହୁ ନଥେଲା । ହୁଁ, ଠକିଦେଲା ମତେ । ବଦମାସ !"

 

ସମସ୍ତେ ଅବାକ୍ ହେଇ ଅନେଇଲେ ମଙ୍ଗରାଜଙ୍କ ମୁହଁକୁ । ଆଖିରୁ ଲୁହ ପୋଛିଲେ ସୁରେଶ୍ଵରୀ ଦେଈ । ସ୍ୱାମୀଙ୍କ ପାଖରେ ବସିପଡ଼ି ସେ କହିଲେ–

 

"ତମର କ’ଣ ହେଲା ସତେ !!"

 

ମଙ୍ଗରାଜଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିଲା । ଦେହଟା ତାଙ୍କର ସତେ ଏତେଦିନ ଖରାପ ହେଲା । ମଙ୍ଗରାଜ ଶଯ୍ୟାଶାୟୀ ହେଇପଡ଼ିଲେ । କଥାଟା ଚାରିଆଡ଼େ ପ୍ରଘଟ ହେଇଗଲା-। ଅନେକ ଲୋକ ତାଙ୍କୁ ଦେଖିବାକୁ ଆସିଲେ । ବଡ଼ପୁଅ ପାଖକୁ ଖବର ଗଲା, ଆସିଲା ଉଦିତଚନ୍ଦ୍ର-। ବି.ଏ. ପାସ୍ କରିବା ପରେ ମିତ୍ରଭାନୁ ଚାକିରି ଖୋଜିବାର ଚେଷ୍ଟା ନ କରି ରାଜନୈତିକ ଦଳରେ ଯୋଗ ଦେଇ ଅନେକ ସମୟ କଟକରେ ରହିଥାଏ । ଗାଁରେ ସେ କମ୍ୟୁନିଷ୍ଟ ବୋଲି ପରିଚିତ-। ବାପାଙ୍କ ଅସୁସ୍ଥତାର ଖବର ପାଇ ସେ ଆସି ପହଞ୍ଚିଲା । ବାପଘରୁ କନକମଞ୍ଜରୀ ଆଉ ପରାଗମଞ୍ଜରୀ ମଧ୍ୟ ସବାରୀ ଚଢ଼ି ଆସିଲେ । ମଙ୍ଗରାଜଙ୍କୁ ଆରୋଗ୍ୟ କରିବାପାଇଁ ଅନେକ ଯତ୍ନ ଆଉ ଉଦ୍ୟମ କରାଗଲା । ଶେଷକୁ କଟକ ମଧ୍ୟ ନିଆଗଲା । ଅନେକ ବଡ଼ବଡ଼ ଡାକ୍ତର ଦେଖିଲେ-। କିନ୍ତୁ କେହି କିଛି କରିପାରିଲେନି । ହାତ ଆଉ ଗୋଡ଼ରେ ଦେଖା ଦେଇଥିବା ପକ୍ଷାଘାତ ରୋଗ କ୍ରମେ ଅନ୍ୟ ଅଙ୍ଗକୁ ପ୍ରସରିଗଲା । କଟକରୁ ପୁଣି ତାଙ୍କୁ ଗାଁକୁ ଫେରେଇ ଅଣାହେଲା । ସୁବଳା ନାହାକ ତ ଅତି ତୁଚ୍ଛ, ଯାହାଙ୍କ ଫୁତ୍କାରରେ କେତେକେତେ ପରାକ୍ରମୀ ଲୋକ ଟଳି ପଡ଼ୁଥିଲେ ଶେଷକୁ ସେଇ ଦୁର୍ଦ୍ଧର୍ଷ ଜନ୍ମେଜୟ ମଙ୍ଗରାଜ ଅତି ଅକିଞ୍ଚନ ଅବସ୍ଥାରେ ପଡ଼ି ରହିଲେ । ଧନ ଅଛି, ଲୋକବଳ ଅଛି, ତାଙ୍କୁ ଆରୋଗ୍ୟ କରିବାପାଇଁ ଯଥେଷ୍ଟ ଚେଷ୍ଟା ଯତ୍ନ ମଧ୍ୟ ରହିଛି, କିନ୍ତୁ ସବୁ ନିଷ୍ଫଳ । ମଙ୍ଗରାଜଙ୍କ ବ୍ୟାଧି ମୁକ୍ତିରେ କେହି ସହାୟକ ହୋଇ ପାରିଲେନି ।

ରୋଗ ଭୋଗିବା ମଙ୍ଗରାଜଙ୍କ ପକ୍ଷରେ ଏହାହିଁ ପ୍ରଥମ । ପୁଣି ମାସେ ପକ୍ଷେ ନୁହେଁ, ଦୀର୍ଘ ଚାରିବର୍ଷ ସେ ରୋଗରେ ଘାଣ୍ଟି ହେଲେ । ମସ୍ତିଷ୍କ ଠିକ୍ ଅଛି । ପାକସ୍ଥଳି ଠିକ୍ ଚାଲିଛି, କିନ୍ତୁ ଦେହ ଅଚଳ । ଯେମିତି ସିଂହ ଯନ୍ତାରେ ପଡ଼ିଯାଇଛି । ସବୁ ଭାବିପାରୁଥିଲେ ମଧ୍ୟ କିଛି କରିବାର ଶକ୍ତି ନାହିଁ । ଏଇ ଚାରିବର୍ଷ ଭିତରେ ପରିବାର ଭିତରେ ନାନା ଅଶାନ୍ତି ସୃଷ୍ଟି ହେବାରେ ଲାଗିଲାଣି-। ଆଉ ବିଶେଷ କୌଣସି କାରଣରୁ ନୁହେଁ, ପାଳିକରି ରୋଷେଇବାସ କରିବାରେ ତିନି ବୋହୂଙ୍କ ଭିତରେ କ୍ରମେ କଳହ କୁହୁଳିବାରେ ଲାଗିଚି । ସୁରେଶ୍ଵରୀ ଦେଈ ସେ ସବୁ କଥା ଆଉ କିଛି ଭାବୁନାହାନ୍ତି । ପ୍ରବଳ ପରାକ୍ରମଶାଳୀ ସ୍ଵାମୀଙ୍କର ଏପରି ଦୟନୀୟ ଅବସ୍ଥା, ଆଉ ଅପୂର୍ବ ସୁନ୍ଦରୀ କନ୍ୟା ପ୍ରବାଳମଞ୍ଜରୀର ଦୁର୍ଭାଗ୍ୟ ତାଙ୍କୁ ପ୍ରାୟ ପାଗଳିନୀ କରିଦେଇଚି । ସେଥିଯୋଗୁଁ ସେ ଆଉ ଘରର କୌଣସି ହାନିଲାଭର ତତ୍ତ୍ଵ ନେଉନାହାନ୍ତି ।

ବେଳେବେଳେ ଅଶାନ୍ତିର ଖବର ମଙ୍ଗରାଜଙ୍କ କାନକୁ ଆସେ । ସେଇ ବିଛଣାରେ ପଡ଼ି ସେ ପାଟିକରି ଉଠନ୍ତି । ଗୋଟା ଗୋଟା ଗର୍ଜନ ମଧ୍ୟ କରନ୍ତି । କିନ୍ତୁ ସେଥିରେ ଏବେ ଆଉ ଫଳ କିଛି ହେଉନି । ବୋହୂମାନେ ଜାଣିଗଲେଣି, ସିଂହର ଏ ଗର୍ଜନ କେବଳ ଗହ୍ୱରରେ ଆବଦ୍ଧ ରହିବ । ଗହ୍ୱର ଛାଡ଼ି ସିଂହ କେବେ ବାହାରକୁ ଆସିପାରିବନି । ସବୁଠାରୁ ଦୁଷ୍ଟ ବଡ଼ ବୋହୂ, ଉଦିତଚନ୍ଦ୍ରର ସ୍ତ୍ରୀ । ସେ ଶଶୁରଙ୍କର ଏପରି ଗର୍ଜନ ଶୁଣି ବେଳେବେଳେ କିରିକିରି ହେଇ ହସିଦିଏ । ଅନ୍ୟ ଦୁଇ ଯାଆ ସେ ଘଟଣାରେ ମର୍ମାହତ ହେଇପଡ଼ନ୍ତି । କାନମୁଣ୍ଡା ଆଉଁସି ସେମାନେ ତୁନି ହେଇପଡ଼ନ୍ତି । ହୁଏତ ଯାହା ଶଶୁରଙ୍କ ସିଂହ ଗର୍ଜନରେ ନହୁଏ ତାହା ହେଇଯାଏ ବଡ଼ଯାଆର ଅଟ୍ଟହାସ୍ୟଦ୍ଵାରା । କିନ୍ତୁ ଏପରି ତାଚ୍ଛଲ୍ୟର ହସ ପ୍ରତାପ ପକ୍ଷରେ ଅତି ଅସହ୍ୟ ହୁଏ । ଦୌଡ଼ିଆସେ ସେ ବାହାରୁ । ଠେଙ୍ଗାଟାକୁ ମଝି ଅଗଣାରେ ଠୁକେଇ ଠୁକେଇ ସେ କହିଉଠେ....

"ସାବାଡ଼ କରିଦେବି ଯିଏ ଗୋଳମାଳ କରିବ ।"

ତଥାପି ବଡ଼ ବୋହୂ ହସେ । ଝୁଅର ମାଙ୍ଗ କାଟି ଦେଉ ଦେଉ ବାଳକୁ ତା’ର ଝିଙ୍କି ଦେଇ ସେ କହେ–

"ଇଏ ସାବାଡ଼ କରିବେ ନିଜ ମାଇପକୁ ନା, ଆଉ କା’ର କ’ଣ କରିବେ ।"

ଖୁବ୍ ଆହତ ହେଇ ଫେରିଯାଏ ପ୍ରତାପ । ପକ୍ଷାଘାତ ପ୍ରକୋପରୁ କାନ ଦି’ଟା ମୁକ୍ତ ଥିବାରୁ ମଙ୍ଗରାଜ ମଧ୍ୟ ଶୁଣନ୍ତି ସେ କଥା । ନିଜ ଉପରେ ଖୁବ୍ ଧିକ୍କାର ଆସେ । ପିଠିଟାକୁ ଉଠେଇ ପକେଇ ଦି’ଥର ବିଛଣାରେ ପିଟି ହେବାର ଚେଷ୍ଟା କରନ୍ତି । ବାଁ ହାତଟା ଏପର୍ଯ୍ୟନ୍ତ ଅଚଳ ହେଇନି, ସେଇଥିରେ ସେ ନିଶକୁ ମୋଡ଼ି ମୋଡ଼ି ଖାଡ଼ା କରି ଦିଅନ୍ତି ।

 

ତା’ପରେ ସେ ଡାକ ପକାନ୍ତି ପ୍ରତାପକୁ, ବଂଶୀ ଜେନାକୁ । ତା’ପରେ ସବୁ ଭୁଲିଯାଇ ଭାବନ୍ତି ପ୍ରବାଳମଞ୍ଜରୀର ବାହାଘର କଥା । ସେ ଆଉ ନିଜେ ଉଠି ଝିଅର ବା'ଘର କରିପାରିବେନି-। ଏଇ ରୋଗ ଶଯ୍ୟାରେ ତାହା ସାରିଦେବାକୁ ପଡ଼ିବ ।

 

ପ୍ରତାପ ଓ ବଂଶୀ ଜେନା ଆସି ପହଞ୍ଚିଲା ପରେ ସେ ଡାକନ୍ତି ମୀନକେତନକୁ । କିନ୍ତୁ ମୀନକେତନ ଅନେକ ସମୟରେ ହାଜିରା ଦେଇପାରେନା । ମୂଳକଥା, ସେ ବେଳେବେଳେ ଗାଁରେ ନଥାଏ । ବାପାଙ୍କ ଅସୁସ୍ଥତା ଯୋଗୁଁ ସୁବିଧା ପାଇ ସେ ପାଖଆଖ ଗାଁର ଯୁବକମାନଙ୍କ ଆଡ଼୍ଡ଼ାରେ ସଙ୍ଗୀତ ଚର୍ଚ୍ଚା ଆଉ ନାଟକ ଅଭିନୟର ମସୁଧା ଚଳେଇବାରେ ବ୍ୟସ୍ତ ରହିଥାଏ । ଖାଲି ମୁଠେ ଖାଇବାପାଇଁ ଯାହା ଘରକୁ ଆସେ । ପୁଣି ଆସେ ଯାଇ ରାତିରେ, ସେତକ କେବଳ ସୁଷମାର ଆକର୍ଷଣରୁ ।

 

ତା’ପରେ ମଙ୍ଗରାଜେ ଡାକନ୍ତି ସବା ସାନ ପୁଅ ଚିତ୍ରଭାନୁକୁ ।

 

ସୁବୋଧ ଯୁବକ ଚିତ୍ରଭାନୁ । ଗାଁ ହାଇସ୍କୁଲ୍‍ରେ ପଢ଼ି ମାଟ୍ରିକ୍ୟୁଲେଶନ ପାସ୍ କରିବା ପରେ ସେହି ସ୍କୁଲ୍‍ରେ ସେ ଦୁଇବର୍ଷ ହେଲା କିରାଣି ଚାକିରି ପାଇଚି । ପଚାଶ ଟଙ୍କା ଦରମା । ଘରୁ ଖାଇ ମାସକୁ ମାସ ପଚାଶଟି ଟଙ୍କା ପକେଟରେ ପକେଇ ନିଜକୁ ଯଥେଷ୍ଟ ଭାଗ୍ୟବାନ ବୋଲି ମନେକରେ ।

 

ଦି’ ପୁଅ ଆଉ ବଂଶୀ ଜେନାକୁ ଧରି ମଙ୍ଗରାଜେ ଝିଅ ବା'ଘରର ମସୁଧା ଚଳାନ୍ତି । କଥା ପଡ଼ୁ ପଡ଼ୁ ବଂଶୀ ଜେନା ଖୁବ୍ ନରମ କରି କ୍ଷୋଭିତ କଣ୍ଠରେ କହି ଉଠେ, ଝୁଅକୁ ଅନଉ ଅନଉ ଆସି ପଚିଶ ହେଲା । ଏଥିରେ କିଏ ରାଜି ହେବ ବୋହୂ କରିବାକୁ । ନିହାତି କମ୍ରେ ତିରିଶବର୍ଷର ବର ମିଳିଲେ ତ ପୁଣି....

 

ବଂଶୀ ଜେନାଙ୍କ କଥା ଶେଷ ହେଇ ପାରିଲାନି । ସେ ଆଉ କ’ଣ କହିବାକୁ ଚାହୁଁଥିଲେ ତା’ ମଧ୍ୟ କେହି ଜାଣିପାରିଲେନି । ସମସ୍ତେ ସ୍ତମ୍ଭିତ ହେଇଗଲେ, ଗିରିଗୁହାରେ ବଜ୍ରନିନାଦ ଭଳି କମ୍ପି ଉଠିଲା ମଙ୍ଗରାଜଙ୍କ ସ୍ୱର ।

 

"କ’ଣ କହିଲୁ ବଂଶିଆ ?"

 

ରୋଗ କଥା ମନରୁ ବିଲ୍‍କୁଲ୍ ଭୁଲିଯାଇ ମଙ୍ଗରାଜେ ଖୁବ୍ ଉତ୍ତେଜିତ ହେଇ ଗର୍ଜି ଗର୍ଜି କହିଲେ–

 

"ମୁଁ ଜନ୍ମେଜୟ ମଙ୍ଗରାଜ, ମୋ ଝୁଅକୁ ବର ମିଳିବନି ? କୁଆଡ଼େ ଗଲା ସେ ନାହାକ ଟୋକା ସୁବଳା । ସେଇ ମତେ ଆଜି ଏ କଥା ଶୁଣେଇଲା....ମୋ ବଂଶରେ କାଳି ନଗେଇ ଦେଲା ସୁବଳା...."

 

ଆହୁରି ଉତ୍ତେଜିତ ହେଇପଡ଼ିଲେ ମଙ୍ଗରାଜ । ରୋଗ କଥା ସମ୍ପୂର୍ଣ୍ଣ ଭୁଲିଗଲେ ସେ, ଉଠିପଡ଼ିଲେ ବିଛଣାରୁ । ହଁ ଉଠିପଡ଼ିଲେ ମଙ୍ଗରାଜେ । ପ୍ରଥମେ ବସି ପଡ଼ିଲେ ଖଟ ଉପରେ । ତା’ପରେ ସେ ତଳେ ଠିଆ ହୋଇପଡ଼ିଲେ । ସମସ୍ତେ ଅବାକ୍ ହେଇ ଅନେଇଲେ ତାଙ୍କୁ । ଚାରିବର୍ଷ ହେଲା ବିଛଣାରେ ପଡ଼ିରହିଥିବା ଲୋକ ଏବେ ହଠାତ୍ ଠିଆ ହେଇପଡ଼ିଚି । ପ୍ରତାପ ଉଠିଗଲା ପାଖକୁ, ବାପା ପଡ଼ିଯାଇ ପାରନ୍ତି, ତାଙ୍କୁ ଧରି ରଖିବ ।

 

ବଂଶୀ ଜେନାଙ୍କ ଆଖି ଦି’ଟା ଯାଇ କପାଳରେ ଖୋସି ହେଇଗଲା । ସେ ଦେଖିଲା, ମଙ୍ଗରାଜଙ୍କ ନିଶ ଦି’ଟା ଦାଉଦାଉ ହେଇ ଜଳୁଚି । ସେ ନିର୍ଭୀକ ଭାବରେ ଠିଆହେଇ ଅନେଇଚନ୍ତି ତା’ରି ମୁହଁକୁ ।

 

ମଙ୍ଗରାଜେ ମଧ୍ୟ ନିଜ ଅବସ୍ଥାରେ ନିଜେ ଆଶ୍ଚର୍ଯ୍ୟ ହେଇପଡ଼ିଲେ । ଡାହାଣ ହାତଟା ହଲେଇଲେ, ଚଳୁଚି । ଗୋଡ଼ ଘୁଞ୍ଚେଇଲେ, ତା’ ମଧ୍ୟ ଚଳିପାରୁଚି । କିଛି ବୁଝି ପାରିଲେନି ମଙ୍ଗରାଜେ । ସେ କ’ଣ ତାହାହେଲେ ଆଜିଯାଏ ବିଛଣାରେ ଶୋଇ ରହିଥିଲେ ଭୁଲରେ । ସତ୍ୟକୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ସେ ଆଗକୁ ଗୋଟିଏ ପହଣ୍ଡ ବଢ଼ାଇଲେ, କିଛି ଆଉ ତ୍ରୁଟି ଘଟୁନି, ସେ ନିର୍ବିଘ୍ନରେ ଚାଲିପାରୁଚନ୍ତି । ଡାହାଣ ହାତରେ ସେ ଫିଟି ଯାଇଥିବା ଲୁଗାର କୁଞ୍ଚଟା ସଜାଡ଼ି ଦେବାକୁ ଚେଷ୍ଟାକଲେ, ସେ ପାରୁଚନ୍ତି, କିଛି ଭୁଲ ହଉନି ।

 

ବାପାଙ୍କର ଏ ଅବସ୍ଥା ଦେଖି ହଠାତ୍ କହିଉଠିଲା ଚିତ୍ରଭାନୁ...

 

“ବାପା ଭଲ ହେଇ ଯାଇଚନ୍ତି । ତାଙ୍କ ଦିହରେ ଆଉ ପକ୍ଷାଘାତ ରୋଗ ନାଇଁ ବୋଉ ବୋଉ ?”

 

ମଙ୍ଗରାଜ ସେଇ ଘରଭିତରେ ପୁଣି ଆଉ ପହଣ୍ଡେ ଚାଲିବାକୁ ଆରମ୍ଭ କଲେ । କିନ୍ତୁ ସେଥିରେ ତାଙ୍କୁ ବାଧାଦେଲେ ବଂଶୀ ଜେନା । ସେ ଲମ୍ବ ହେଇ ପଡ଼ିଗଲେ ମଙ୍ଗରାଜଙ୍କ ଗୋଡ଼ ତଳେ ।

 

“ମତେ ମାଫ୍ କର ଭାଇ !!”

 

ଯେମିତି ବଜ୍ରର ହସ, ମଙ୍ଗରାଜଙ୍କ କଣ୍ଠରୁ ସେମିତି ଗୋଟାଏ ସ୍ଵର ଠନ୍ ଠନ୍ ହେଇ ଝରିପଡ଼ିଲା । ସେ ହସି ହସି କହିଲେ, “ଆରେ ତତେ ମୁଁ ମାଫ୍ କରିବି କ’ଣ । ଉଠ୍, ଉଠ୍, ଆରେ ତୁ ମତେ ଏ ରୋଗରୁ ଭଲ କରିଚୁ । ତୁ ଜୀବନ ଦେଇଚୁ ମତେ । କୁଆଡ଼େ ଦଶ କୋଶ ବାଟ ଯାଇ ତୁ ତୈଳ ଆଣି ଦେଇଥିଲୁ ମାସକ ତଳେ । ସେ ଓଷଧ ପରେ ୟା ଭିତରେ ଆଉ କିଛି ତ ମୁଁ ଲଗେଇନି...”

 

ସେ ପୁଣି କହିଲେ–

 

“ଆଉ ତା’ପରେ ଆଜି...ଆଜି ତୋରି କଥାରେ ମୁଁ ଚିଡ଼ିଯାଇ ଉଠି ବସିଲି, ଆହୁରି ରାଗିଯାଇ ଶେଷକୁ ଠିଆ ହେଇପଡ଼ିଲି । ତୁ ଠିଆ କରିଦେଲୁ ମତେ ବଂଶୀ...”

 

ମଙ୍ଗରାଜଙ୍କ ଆଖିରେ ଭରିଗଲା ଅଶ୍ରୁ । ସେ ନଇଁପଡ଼ି ତଳୁ ବଂଶୀ ଜେନାଙ୍କୁ ଉଠେଇ ନେବାକୁ ଚେଷ୍ଟାକଲେ । ସେ ନଇଁ ପାରୁଚନ୍ତି ଦେଖି ସମସ୍ତଙ୍କ ମୁହଁରେ ଆହୁରି ବିସ୍ମୟ ଫୁଟି ଉଠିଲା-। ମଙ୍ଗରାଜ ମଧ୍ୟ ନିଜ ଅବସ୍ଥାରେ ଆଶ୍ଚର୍ଯ୍ୟ ହେଉ ହେଉ ଦେଖିଲେ, ତାଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼ିଲାନି । ହାତ ବାଜୁ ବାଜୁ ବଂଶୀ ଜେନା ଉଠି ଛିଡ଼ା ହେଇ ପଡ଼ିଲା-। ତାଙ୍କୁ ଦି’ ହାତରେ ଜଡ଼େଇ ଧରିଲେ ମଙ୍ଗରାଜ ।

 

ସେତେବେଳକୁ ସୁରେଶ୍ଵରୀ ଦେଈ ଆସି ପହଞ୍ଚି ଯାଇଥିଲେ । ପହଞ୍ଚିଥିଲା ପ୍ରବାଳମଞ୍ଜରୀ । ମଙ୍ଗରାଜଙ୍କ ଜଣେ ଦି’ଜଣ ନାତିନାତୁଣୀ ମଧ୍ୟ ଆସି ପହଞ୍ଚିଥିଲେ ।

 

ସୁରେଶ୍ଵରୀ ଦେଈଙ୍କି ଦେଖି ମଙ୍ଗରାଜ ଠସ୍ ଠସ୍ କରି କାନ୍ଦି ଉଠିଲେ । ଲୁହମିଶା ସ୍ୱରରେ ସେ କହିଲେ–

 

“ମୁଁ ଭଲ ହେଇଯାଇଚି ଉଦିତ ବୋଉ...”

 

ତେର

 

ତୁଣ୍ଡବାଇଦ ସହସ୍ର କୋଶ ।

 

ମଙ୍ଗରାଜଙ୍କ ଏପରି ଅଦ୍ଭୁତ ଆରୋଗ୍ୟ ସମ୍ବାଦ କୌଣସି ଖବରକାଗଜରେ ବାହାରିଲା ନାହିଁ ସତ, କିନ୍ତୁ କଥାଟା ମୁହେଁ ମୁହେଁ ପ୍ରସରି ଯାଇ କ୍ରମେ ଚାରିଆଡ଼େ ପ୍ରଘଟ ହୋଇଗଲା । ଯିଏ ଶୁଣିଲା ସିଏ ଆଶ୍ଚର୍ଯ୍ୟ ହେଲା । କେତେ ଆଡ଼ୁ କେତେ ଲୋକ ତାଙ୍କୁ ଦେଖିଯିବା ଲାଗି ଆସିଲେ । ଦୀର୍ଘ ଚାରିବର୍ଷ କାଳ ଗୋଟିଏ ଘରେ, ଗୋଟିଏ ବିଛଣାରେ, ଗୋଟିଏ ଅବସ୍ଥାରେ ପଡ଼ିରହି ମଙ୍ଗରାଜ ମଧ୍ୟ ଅଥୟ ହୋଇ ପଡ଼ିଥିଲେ । ଏଣିକି ସେ ନିୟମିତ ଭାବରେ ଚାରିଆଡ଼େ ବୁଲାଚଲା କରିବା ଆରମ୍ଭ କରିଦେଲେ । ଶେଷକୁ ମନରେ ତାଙ୍କର ଏକ ଅଦ୍ଭୁତ ଖିଆଲ ଉଠିଲା । ସବାରି ବେହେରା ବନ୍ଦୋବସ୍ତ କରି ବନ୍ଧୁବାନ୍ଧବ ଘର ବୁଲି ଆସିବାକୁ ସେ ଠିକ୍ କଲେ ।

 

କଳ୍ପନା ଅନୁସାରେ କାର୍ଯ୍ୟ ହେଲା । ଜମାଦାର ରମ୍‍ଜାନ୍ ଖାଁ ନାହିଁ । ତହସିଲଦାର ରାମ ପଟନାଏକେ ମଧ୍ୟ ନାହାନ୍ତି । କମିଶନ ଏଜେଣ୍ଟ ରାଈମଣି ଧଳବି ନାହାନ୍ତି । ଜମିଦାରୀ ଉଚ୍ଛେଦ ହେବା ସାଙ୍ଗରେ ଏମାନଙ୍କର ଆର୍ଦୋଳି ମଧ୍ୟ ମଙ୍ଗରାଜଙ୍କ ଦାଣ୍ଡରୁ ଉଭାନ ହେଇ ଯାଇଛି । ସୁଖ ଦୁଃଖର ସାଥୀରୂପେ ଅଛନ୍ତି କେବଳ ବଂଶୀ ଜେନା । ମଙ୍ଗରାଜ ତାଙ୍କଦ୍ୱାରା ରୋଗମୁକ୍ତ ହୋଇଛନ୍ତି ବୋଲି ଶତମୁଖରେ ପ୍ରଶଂସା କରିଥିଲେ ମଧ୍ୟ ସେହି ଦିନରୁ ବଂଶୀ ଜେନା ମଙ୍ଗରାଜଙ୍କ ପାଖରେ ବଡ଼ ଅପରାଧୀ ହୋଇ ପଡ଼ିଚନ୍ତି । ସେଥିଯୋଗୁଁ ନିଜର ଅନୁରକ୍ତି ଓ ସେବାପରାୟଣତାରେ ଯେପରି ମଙ୍ଗରାଜଙ୍କୁ ତୁଷ୍ଟ କରିପାରିବେ ସେଥିପାଇଁ ସେ ସବୁବେଳେ ଚେଷ୍ଟିତ ହେଇ ରହିଚନ୍ତି । ଖଣ୍ଡମଣ୍ଡଳରେ ଗଉଡ଼ମାନେ ସବାରି କାନ୍ଧେଇବା ବନ୍ଦ କରି ଦେଇଚନ୍ତି । ମାନବତାର ଜାଗରଣ ଭିତରେ ସେମାନେ ଆଉ ଭାରବାହୀ ହେଇ ପଛରେ ପଡ଼ିବାକୁ ଚାହାଁନ୍ତିନି । ଏହିପରି ସମୟରେ ସେମାନଙ୍କ ପାଖରେ ପହଞ୍ଚିଲା ମଙ୍ଗରାଜଙ୍କ ଡାକରା । ହାତରେ ଠେଙ୍ଗା ଖଣ୍ଡେ ଧରି ଗଉଡ଼ ସାହିରେ ଠିଆ ହେଇପଡ଼ିଲେ ବଂଶୀ ଜେନା ।

 

କଥାଟା ଶୁଣି ପ୍ରଥମେ ବାସୁଆଗଉଡ଼ ପୁଅ ଡମା ହସିଦେଲା । ସବାରି କାନ୍ଧେଇ କାନ୍ଧେଇ କାନ୍ଧ ଉପରେ ହେଇଥିବା ଆବୁ ଦି’ଟା ଘୋଡ଼େଇବା ପାଇଁ ସେ କାନ୍ଧର ଗାମୁଛାଟାକୁ ବେକ ପାଖରେ ଭଲକରି ଘେରେଇ ଦେଲା । ସଦାଗଉଡ଼ ପୁଅ ଆନିଆ ମାଇନର୍ ପାସ୍ କରି ପୋଷ୍ଟ୍ ଅଫିସ୍‍ରେ ହେଇଚି ଡାକପିଅନ । ଗାଁ ଗଣ୍ଡାରେ ଚିଠି ବାଣ୍ଟିବାକୁ ସେ ପାଉଚି ମାସକୁ ପଚସ୍ତରୀ ଟଙ୍କା ଦରମା । କଦମ୍‍ପାଳ ହାଇସ୍କୁଲ୍‍ର ଗ୍ରାଜୁଏଟ୍ ଶିକ୍ଷକଙ୍କଠାରୁ ତା’ ଦରମା ପନ୍ଦର ଟଙ୍କା ବେଶୀ । ଟଙ୍କାପଇସା ରଖି ସେ ଜମି ମାଣେ କଲାଣି । ଘରଖଣ୍ଡକ ମଧ୍ୟ ଆଖିଦୃଶିଆ କରି ତିଆରି କରିଚି । ଶାଳୁଆ କାଠର କବାଟରେ ଲଗେଇ ଦେଇଚି ଆଲକାତରା । ଘରଭିତରେ ଖଟ, ଆଲମାରି ପକେଇଚି ।

 

ଡମାର ହସ ଦେଖି ଆନିଆ ହସିବାକୁ ଚେଷ୍ଟା କରୁଥିଲା କିନ୍ତୁ ପାରିଲାନି । ବଂଶୀ ଜେନା ହାତରେ ଠେଙ୍ଗା । ଜମିଦାରୀ ଯାଇଥିଲେ ମଧ୍ୟ ମଙ୍ଗରାଜଙ୍କ ଏଇ ଛଡ଼ିଦାର ବଂଶୀ ଜେନାର ପ୍ରତାପ କମି ଯାଇନି । ଡମା ହସିଦେଇ ରହିବ ଏଇ ଗଉଡ଼ ସାହିରେ । ଆନିଆ ସରକାରୀ କର୍ମଚାରୀ । ଚିଠି ବାଣ୍ଟିବାକୁ ସେ ହୁଏତ କାଲି ଯାଇ ପହଞ୍ଚିବ ମଙ୍ଗରାଜଙ୍କ ଦାଣ୍ଡରେ, ତାଙ୍କର ଘର ଆଗ ରାସ୍ତାରେ ଯିବ ହାଇସ୍କୁଲ୍‍କୁ । ଆଜି ଏଠି ହସିଦେଲେ କାଲି ସେ ଯିବ କୁଆଡ଼େ । କିଛି ନ କହି ନିଜକୁ ସଂଯତ କଲା ଭଙ୍ଗୀରେ ସରକାରୀ ଡାକ ବ୍ୟାଗ୍ ଖଣ୍ଡକ କାନ୍ଧରେ ଝୁଲେଇ ସେ ବାହାରିଗଲା ଅନ୍ୟତ୍ର ।

 

ସେ ପର୍ଯ୍ୟନ୍ତ ବଂଶୀ ଜେନାଙ୍କ ପ୍ରଚେଷ୍ଟା ବନ୍ଦ ହେଇନି । ସେ ଆରମ୍ଭ କରି ଦେଇଚନ୍ତି ମଙ୍ଗରାଜଙ୍କ ରୋଗମୁକ୍ତିର ଅଦ୍ଭୁତ କାହାଣୀ । ତାଙ୍କ କଣ୍ଠରେ ସେ କାହାଣୀ ଖୁବ୍ କରୁଣ ଶୁଣାଯାଉଚି । ଗୁଞ୍ଜରି ଉଠୁଚି କ୍ଷୟିଷ୍ଣୁ ମଧ୍ୟବିତ୍ତର ଆର୍ତ୍ତନାଦ ।

 

ଗୁହାଳରେ ଗାଈ ବାନ୍ଧି ଦେଇ ବାହାରି ଆସିଲା ବସୁଆ । ଡମା ପିଠିରେ ଗୋଟା ଚଟକଣା ବସେଇ ଦେଇ ତା’ର ଔଦ୍ଧତ୍ୟ ଲାଗି ଶାସ୍ତି ଦେଲା । ବାହାରି ଆସିଲେ ଶଙ୍କରା, ସାଧୁଆ ଆଉ ଜଇନ୍ତା । ବୟସରେ ସମସ୍ତେ ପ୍ରୌଢ଼ । ସମସ୍ତଙ୍କ ଦେହରେ ମାଂସପେଶୀ ପିଞ୍ଜି ହେଇରହିଚି-। କାନ୍ଧ ଉପରେ ଦୁଇଟା ଲେଖାଁ ଆବୁ ।

 

"ହଁ ଆମେ ମଙ୍ଗରାଜଙ୍କ ସବାରି କାନ୍ଧେଇବୁ ।"

 

"ତମେ ଯା ବଂଶୀବାବୁ, ଆମେ କାଲି ସକାଳୁ ଯାଇ ପହଞ୍ଚିବୁ ।"

 

"ଆଜି ରାତିରେ ଯାଇ ଆମେ ସବାରି ସଜିଲ କରି ଦେଇ ଆସିବୁ ।"

 

ତିନି ଜଣଯାକ ବେହେରାଙ୍କ ମୁହଁରୁ ଶୁଣାଗଲା ଗୋଟିଏ କଥା । ବଂଶୀ ଜେନାଙ୍କ ମନରେ ଆନନ୍ଦ ଜମାଟ ବାନ୍ଧି ଯିବାକୁ ଲାଗିଲା । ନିଶ ଦି’ଟାକୁ ମୋଡ଼ି ମୋଡ଼ି ଦି’ ମିନିଟ ଭିତରେ ସେ ଡାମ୍ଫଣ ମୁନରେ ପରିଣତ କରିଦେଲେ ।

 

ସବାରି ଚଢ଼ି ପ୍ରଥମେ ମଙ୍ଗରାଜ ପହଞ୍ଚିଲେ ଯାଇ ସାନ ଭଉଣୀ ନୟନା ଦେଈଙ୍କ ଘରେ-। ସେଠୁ ଫେରି ସବାରି ତାଙ୍କର ଚାଲିଲା ଉତ୍ତର ରାୟଙ୍କ ଉଆସ, ବଡ଼ ଝିଅ କନକମଞ୍ଜରୀ ଘରକୁ-। ସେ ପହଞ୍ଚିଲାବେଳକୁ ସମୁଧୀ ବେଣୁଧର ଉତ୍ତର ରାୟ ଘରେ ନଥିଲେ । ଦେଶରେ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଉଚି । ଘରଠାରୁ ଦୁଇ କୋଶ ଦୂରରେ ବ୍ଲକ୍ ଉନ୍ନୟନ କାର୍ଯ୍ୟ ଚାଲିଚି-। ସେଇଠି କେତେକ କାମର କଣ୍ଟ୍ରାକ୍ଟରୀ ନେଇଚନ୍ତି ଉତ୍ତର ରାୟ । ସମୁଧୀ ଆସିବା ଖବର ପାଇ ସେଠୁ ସେ ଜିପ୍‍ରେ ଚଢ଼ି ଆସି ଘରେ ପହଞ୍ଚିଲେ ।

 

ମଙ୍ଗରାଜଙ୍କ ସାଙ୍ଗରେ ଯାଇଚନ୍ତି ଆଠ ଜଣ କାନ୍ଧିଆ ଗଉଡ଼ । ଜଣେ ବାରିକ ମଧ୍ୟ ଯାଇଚି । ଏମିତି ମଙ୍ଗରାଜଙ୍କୁ ମିଶେଇ ହେଲେ ଦଶ ଜଣ ଲୋକ । ଏତେ ଲୋକଙ୍କ ଚର୍ଚ୍ଚା କରିବା ଉତ୍ତର ରାୟଙ୍କ ପକ୍ଷରେ କିଛି ବଡ଼କଥା ନୁହେଁ । ହେଲେ, ଅକାରଣରେ ତାଙ୍କ ଉପରେ ଚାପ ଦେବାପାଇଁ ମଙ୍ଗରାଜ ଉଚିତ ମନେ କଲେନି । ପରଦିନ ସକାଳୁ ସେ ଫେରିଯିବାକୁ ପ୍ରସ୍ତାବ କଲେ-। କିନ୍ତୁ ଜନ୍ମେଜୟ ମଙ୍ଗରାଜଙ୍କ ଭଳି ସମୁଧୀଙ୍କି ଏତେ ଶୀଘ୍ର ବିଦାୟ ଦେବାର ପାତ୍ର ନୁହଁନ୍ତି ଉତ୍ତର ରାୟ । ତାଙ୍କ ଅନୁରୋଧରେ ମଙ୍ଗରାଜ ଆଉ ଗୋଟିଏ ଦିନ ରହିଲେ । ଦ୍ଵିତୀୟ ଦିନ ସକାଳୁ ଖିଆପିଆସାରି ଜିପ୍ ଚଢ଼ି ଦୁଇ ସମୁଧୀ ବୁଲି ବାହାରିଲେ ବ୍ଲକ୍ ଅଞ୍ଚଳ ଆଡ଼େ । ବାଟରେ ଯାଉଁ ଯାଉଁ ମଙ୍ଗରାଜ ସୁଯୋଗ ଦେଖି ପ୍ରବାଳମଞ୍ଜରୀର ବିବାହ କଥା ଉତ୍ଥାପନ କଲେ ।

 

"ହୁଁ, ଜାଣିଲ ସମୁଧୀ, ମୁଁ କିମିତି ଅସୁବିଧାରେ ୟା ଭିତରେ ପଡ଼ିଗଲି ତମେ ସବୁ ତ ଜାଣିଚ । ଏଇ ଅସୁବିଧା ଭିତରେ ଝିଅଟି ମୋର ଆଜିଯାଏ ଅବିବାହିତା ରହିଗଲା । ଝିଅକୁ ମୋର ଏବେ ଟିକେ ବଅସ ହେଇଗଲାଣି । ହୁଁ...ଏଥିଲାଗି ଦିନେ ବଂଶୀ ଜେନା ମତେ କ’ଣ କହିଲା ଜାଣ-?

 

ଉତ୍ତର ରାୟ ବିସ୍ମିତ ହେଇ ଅନେଇଲେ ମଙ୍ଗରାଜଙ୍କ ମୁହଁକୁ । ବଂଶୀ ଜେନାକୁ ସିଏ ଭଲ ଭାବରେ ଜାଣନ୍ତି । ଏଠିକି ଅନେକଥର ସେ ଆସିଚି ତାଙ୍କ ଘରକୁ । ବଂଶୀ ଜେନା ମଙ୍ଗରାଜଙ୍କ ଏକାନ୍ତ ଅନୁଗତ ।

 

ତାକୁ ମଙ୍ଗରାଜ ଦି'ମାଣ ଜମି ଦେଇଥିବା କଥା ମଧ୍ୟ ଉତ୍ତର ରାୟ ଶୁଣିଚନ୍ତି । ସେଇ ବଂଶୀ ଜେନା ପୁଣି କ’ଣ କହିଲା ମଙ୍ଗରାଜଙ୍କ ଭଳି ଲୋକଙ୍କୁ !

 

"ହୁଁ...ନା, ନା, ହଁ । ଜାଣିଲ ସମୁଧୀ, ତାକୁ ଆଉ ଧରିବାର କଥା ନୁହେଁ । ଓଲଟି ବଂଶୀ ଜେନାର ସେଇ ଉପହାସ ଲାଗି ମୁଁ ଏଡ଼େବଡ଼ ପକ୍ଷଘାତ ରୋଗରୁ ମୁକ୍ତ ହେଇଗଲି । ତା’ ଉପରେ ରାଗିଯାଇ ମୁଁ ହଠାତ୍ ବିଛଣାରୁ ଉଠି ବସିପଡ଼ିଲି । ରୋଗ କଥା ଆଉ ମୋର ହୋବ୍ ରହିଲାନି ସେତେବେଳେ; ଆହୁରି ଉତ୍ତେଜିତ ହେଇ ମୁଁ ଶେଷକୁ ଖଟରୁ ଉଠି ତଳେ ଠିଆ ହେଇପଡ଼ିଲି । ତା’ପରେ ମୋର ଏଇ ଅବସ୍ଥା । ବଂଶୀ ଜେନା ଲାଗି ମୁଁ ଏଡ଼େବଡ଼ ରୋଗରୁ ଭଲ ହେଇଚି । ହେଲେ କ’ଣ ହବ, ବେଳେବେଳେ କାହିଁକି ବଂଶୀ ଜେନାର ସେଇକଥା ମନରୁ ମୁଁ ଭୁଲିଯାଇପାରେନା । ବଂଶୀ ଜେନାର ବିନା ସାହାଯ୍ୟରେ ଝିଅର ବା'ଘର କରି ଦେଇପାରିଲେ ତାକୁ ଯାଇ ଠିକଣା ଜବାବ ଦିଆଯିବ । ଏଥିରେ କେବଳ ତମରି ସାହାଯ୍ୟ ପାଇବାପାଇଁ ମୁଁ ଏତେବାଟ ଦଉଡ଼ି ଆସିଚି ।"

 

"ହଁ ବା'ଘର ତ ହେବ," କହିଲେ ଉତ୍ତର ରାୟ । "ତେବେ ତମକୁ କ’ଣ କହିଲା ବଂଶୀ ଜେନା ?"

 

ମଙ୍ଗରାଜ ଏ ପ୍ରଶ୍ନର କୌଣସି ଜବାବ ଦେଲେନି ।

 

ପୁଣି ଉତ୍ତର ରାୟ କହିଯିବାକୁ ଲାଗିଲେ–

 

"ବିବାହ ନିଶ୍ଚେ ହବ ଏଇ ବ୍ଲକ୍ ଡେଭଲପ୍‍ମେଣ୍ଟ ଅଫିସର୍ ସାଙ୍ଗରେ । ହେଇ ସେଇ ଦଶ ଜଣ କଣ୍ଟ୍ରାକ୍ଟରଙ୍କ ଆଗରେ, ଯେଉଁ ଟୋକାଟା ଖୁବ୍ ଠାଣିରେ ବୁଲୁନେଇ, ସେଇ । ସେଇ ହଉଚି ବ୍ଲକ୍ ଡେଭଲପ୍‍ମେଣ୍ଟ ଅଫିସର୍–ବି.ଡି.ଓ. । ତା’ରି ସାଙ୍ଗରେ ହବ ପ୍ରବାଳମଞ୍ଜରୀର ବା'ଘର-। ସେ ଦାୟିତ୍ଵ ରହିଲା ମୋ ଉପରେ । ତମେ କିଛି ଚିନ୍ତା କରନା ସମୁଧୀ ।"

 

ଆଶ୍ଚର୍ଯ୍ୟ ହେଇ ମଙ୍ଗରାଜ ଆଖି ଟେକି ଅନେଇଲେ ଉତ୍ତର ରାୟଙ୍କ ମୁହଁକୁ । ନିଜ ଚେତନାର ଅଜ୍ଞାତରେ ପାଟିରୁ ତାଙ୍କର ହଠାତ୍ ବାହାରି ପଡ଼ିଲା–

 

"କ’ଣ କହୁଚ ? ଧ୍ଵଂସ ପାଇଯାଉଥିବା ମଙ୍ଗରାଜ ବଂଶରେ ଏଇ ସରକାରୀ ଅଫିସର ବି.ଡି.ଓ.ର ତମେ ବିବାହ କରି ଦେଇପାରିବ ସମୁଧୀ ?"

 

ହସି ଉଠିଲେ ଉତ୍ତର ରାୟ । ସେଇପରି ହସି ହସି କହିଲେ, "ତମେ ଆଚମ୍ବିତ ହୁଅନା ସମୁଧୀ, ଆଜି ରାତିରେ ସବୁ ଠିକ୍ ହେଇଯିବ । ତମେ ଜାଣିଚ ସମୁଧୀ, ତମର ଜଇଁ ଏଇ ବି.ଡ଼ି.ଓ.ଙ୍କ ଉପର ହାକିମ । ଛାଡ଼ ସେ କଥା, ମୁଁ ମନେକରୁଚି, ତୁମେ କାଲି ସକାଳେ ଯିବା ପୂର୍ବରୁ, ଏ ବା'ଘରର ଜବାବ ନେଇ ଯାଇପାରିବ ।"

 

ତହିଁଆରଦିନ ସକାଳେ ମଙ୍ଗରାଜ ଉତ୍ତର ରାୟଙ୍କ ଘରୁ ବିଦାୟ ନେଇ ଚାଲିଲେ ମଝିଆଁ ଝିଅ ପରାଗମଞ୍ଜରୀର ଶାଶୁଘରକୁ । ସତକୁସତ ସେଇଦିନ ରାତିରେ ଯୁବକ ବି.ଡ଼ି.ଓ.ଙ୍କ ସହ ପ୍ରବାଳମଞ୍ଜରୀର ବିଭାଘର ପ୍ରସ୍ତାବ ଉତ୍ତର ରାୟ ସ୍ଥିର କରିଦେଲେ । ଏପରି ଗୋଟାଏ ଶୁଭଙ୍କର ପ୍ରସ୍ତାବକୁ କାର୍ଯ୍ୟରେ ପରିଣତ କରିବାପାଇଁ ମଙ୍ଗରାଜ ବ୍ୟଗ୍ର ହେଇପଡ଼ିଲେ । ବା'ଘର ସ୍ଥିର ହେଇଚି ଆସନ୍ତା ଫଗୁଣକୁ । ଆଜି କି ରହିଲା ମୋଟେ ଚାରି ମାସ । ଏତିକି ସମୟ ଭିତରେ ସବୁ ବ୍ୟବସ୍ଥା କରିବାକୁ ପଡ଼ିବ । ତେଣୁ ପରାଗମଞ୍ଜରୀ ଘରେ ମାତ୍ର ଗୋଟିଏ ଓଳି କଟେଇ ସନ୍ଧ୍ୟାମୁଖରେ ମଙ୍ଗରାଜ ବାହାରିପଡ଼ିଲେ ନିଜ ଘରକୁ । ରାତିରେ ଘରେ ପହଞ୍ଚିବାର କିଛିସମୟ ପରେ ପ୍ରବାଳମଞ୍ଜରୀକି ଦେଖିବାକୁ ମଙ୍ଗରାଜଙ୍କର ଖୁବ୍ ଇଚ୍ଛା ହେଲା । ଅପ୍‍ସରା ପରି ଝିଅ, ବା' ହବ ସରକାରୀ ଅଫିସର ବି.ଡି.ଓ.କୁ । ୟା ଚାହିଁ ଏ ଅବସ୍ଥାରେ ତାଙ୍କ ପକ୍ଷରେ ଭଲ ଭାଗ୍ୟ ଆଉ କ’ଣ ହୋଇପାରେ ।

 

ପାଣିଗିଲାସେ ଆଣିବାକୁ ସେ ପ୍ରବାଳମଞ୍ଜରୀକି ଡାକ ଛାଡ଼ିଲେ । ଜଳପାତ୍ର ହାତରେ ଧରି ଆଗରେ ଠିଆହେଲା ଆସି କନ୍ୟା । ନିଜ ଝିଅର ରୂପକୁ ଦେଖି ସେ ନିଜେ ଚମକି ପଡ଼ିଲେ । ପ୍ରବାଳମଞ୍ଜରୀକି ଏବେ ଆସି ହେବ ପଚିଶବର୍ଷ । ଯେଉଁ ଦେଶରେ କୋଡ଼ିଏବର୍ଷରେ ଝିଅ ବୁଢ଼ୀ ବୋଲି ବିବେଚିତ ହୁଅନ୍ତି ତାହାର ସୀମା ବହୁମାତ୍ରରେ ସେ ଅତିକ୍ରମ କରିଯାଇଚି । ତଥାପି ଝିଅର ମୁହଁରେ ବୟସର ଦାଗ ନାହିଁ । ସୌନ୍ଦର୍ଯ୍ୟର ଆତିଶଯ୍ୟ ଦେଖାଦେଇଚି ଏବେ ପ୍ରବାଳମଞ୍ଜରୀର ପ୍ରତ୍ୟେକ ଅଙ୍ଗରେ । ମୁହଁରୁ ଲାବଣ୍ୟ ଝରିପଡ଼ୁଚି । ମାଂସରେ ପ୍ରାଚୁର୍ଯ୍ୟର ସ୍ପର୍ଶଲାଗି ସର୍ବାଙ୍ଗ ହେଇଉଠିଚି ଅତ୍ୟନ୍ତ ଲୋଭନୀୟ । ସେ ଆଉ ଅଧିକକାଳ ଚାହିଁ ପାରିଲେନି ଝିଅକୁ । ହଠାତ୍ ପାଣି ଗ୍ଲାସ୍‍ଟା ଝିଅ ହାତରୁ ନେଇ ଯାଇ ଝିଅକୁ ସେଠାରୁ ଚାଲିଯିବା ପାଇଁ ସୁଯୋଗ ଦେଲେ । ବୁଲିପଡ଼ିଲାବେଳେ ପ୍ରବାଳମଞ୍ଜରୀ ହୁଏତ ଯେପରି ସତର୍କତାର ସହିତ ଆସିଥିଲା, ସେପରି ସତର୍କତା ରକ୍ଷା କରିପାରିଲାନି । ସେଥିଯୋଗୁଁ ମଙ୍ଗରାଜଙ୍କ ଆଖିରେ ଝିଅର ଉଦରାଂଶର ସ୍ଫୀତି ଆଉ ଲୁଚି ପାରିଲାନି ।

 

"ପଚିଶବର୍ଷର ଝିଅ....ହୁଏତ ଦେହରେ ଏବେ ଚର୍ବି ଲାଗିବା ଆରମ୍ଭ ହୋଇଚି ।" ସେ ଆଉ କିଛି ଭାବିପାରିଲେନି ।

 

ଏତିକିବେଳେ ଆଗରେ ଦେଖାଦେଲା ବଡ଼ ବୋହୂର ଭାଇ ଅକ୍ଷୟ । ବୟସ ବେଶିହେଲେ ହବ ସତେଇଶ ଅଠେଇଶ । ହୃଷ୍ଟପୁଷ୍ଟ । ଉଚ୍ଚ ମଧ୍ୟବିତ୍ତ କୁଳର ଚେହେରା । ଅନେକ ସମୟରେ ସେ ଆସେ ଏଇ କଦମ୍‍ପାଳ ବନ୍ଧୁଘରକୁ । ଥରେ ଥରେ ରହିଯାଏ ପନ୍ଦର କୋଡ଼ିଏ ଦିନ । ପୈତୃକ ସଙ୍ଗତି ଯୋଗୁଁ ଏ ଯୁବକଟି ପାଇଁ ପୃଥିବୀରେ ମୋଟେ କର୍ମର ତାଡ଼ନା ନାହିଁ । ଚେହେରାକୁ ମାଜି ନେବାପାଇଁ ଟିକେ ଆୟାସ କରିବା ଛଡ଼ା ତା’ ପକ୍ଷରେ ଆଉ କିଛି କାମ ଏପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନି ।

 

ଆଗକୁ ଯାଇ ଯୁବକଟି ମଙ୍ଗରାଜଙ୍କୁ ପ୍ରଣାମ କରି ଛିଡ଼ାହେଲା । କାହିଁକି କେଜାଣି ମଙ୍ଗରାଜ ତାକୁ ଭଲକରି ତାନେ ଚାହିଁଲେ । ଏତେଥର କାଇଁକି ଆସେ ଏ ଟୋକା ଏଠିକି ? ହୁଁ, ବଡ଼ ବୋହୂର ଭାଇ ହେଲେ କ’ଣ ହେଇଗଲା ।

 

ଚଉଦ

 

ବି.ଡି.ଓ.ର କେହି ନାହାନ୍ତି । ନିଜର ଲୋକ ଭିତରେ କେବଳ ପଚାଶବର୍ଷ ବୟସ୍କା ବିଧବା ମା’ । ସେ ମଧ୍ୟ ପୁଅ ସାଙ୍ଗରେ ଥାଏ ପ୍ରବାସରେ । ସେଥିଯୋଗୁଁ ସେମାନେ ସ୍ଥିରକଲେ ଯେ ନିଜ ଗାଁକୁ ଯାଇ ଅଯଥା ଖର୍ଚ୍ଚାନ୍ତ ନ ହୋଇ ଏଇ ପ୍ରବାସସ୍ଥଳରେ ମଙ୍ଗଳକୃତ୍ୟର ସବୁ କାମ ସମ୍ପନ୍ନ କରିଦେବେ । ସେହି ଅନୁସାରେ ସେମାନେ କାର୍ଯ୍ୟରେ ଆଗେଇ ଚାଲିଲେ । ଆଉ ସେମାନଙ୍କୁ ଏ କାର୍ଯ୍ୟରେ ସବୁ ବିଷୟରେ ସକ୍ରିୟ ସାହାଯ୍ୟ କଲେ ଉତ୍ତର ରାୟ । ଏଇ ସାହାଯ୍ୟ ସହଯୋଗ ଫଳରେ ସେ ମଧ୍ୟ ଖୁବ୍ ଲାଭବାନ ହେଇ ପାରିବେ ବୋଲି ଆଶା ପୋଷଣ କରି ରହିଲେ । ବ୍ଲକ୍ ଅଞ୍ଚଳରେ ଏପର୍ଯ୍ୟନ୍ତ ଅନେକ କାମ ବାକି ରହିଚି । କଣ୍ଟ୍ରାକ୍ଟରୀ ନାମରେ ବି.ଡ଼ି.ଓ.ଙ୍କ କୃପା କଟାକ୍ଷ ତଳେ ଯେତେ ଜାଲ୍ ଜୁଆଚୋରି ଚାଲି ଅର୍ଥର ସୁଅ ବହିଯାଉଚି ସେ ସବୁ ଭଲରୂପେ ଜାଣନ୍ତି ଉତ୍ତର ରାୟ । ହୁଏତ ଏ ଦିଗରେ ସେ ବି.ଡ଼ି.ଓ.ଙ୍କୁ ଅନେକ ଉପାୟ ବତେଇ ଦେଇପାରିବେ । ଭବିଷ୍ୟତର ସେଇ ସୁଖ କଳ୍ପନାରେ ଉତ୍ତର ରାୟ କିଛିଦିନ ପାଇଁ ନିଜର କାମକୁ ପଛକୁ ପକେଇ ଯେପରି ବି.ଡ଼ି.ଓ.ଙ୍କ ଲାଗି ଆତ୍ମୋସ୍ୱର୍ଗ କରିଦେବାକୁ ଲାଗିପଡ଼ିଲେ ।

 

ଉତ୍ତର ରାୟ ବ୍ୟକ୍ତିଗତ ଭାବରେ ମଧ୍ୟ ଊଣା ପ୍ରତିପତ୍ତିଶାଳୀ ଲୋକ ନୁହନ୍ତି । ଅନେକ ଭୂସମ୍ପତ୍ତି ରହିଚି, କଣ୍ଟ୍ରାକ୍ଟରୀ କରି ସେ ବହୁତ ପଇସା କମେଇଚନ୍ତି । ଯେଉଁ ବାଲିଚର ଆଉ ଠେଙ୍ଗ ଜମିରେ ତାଙ୍କ ନିଜ କିମ୍ବା ଭାଗଚାଷୀର ଗୁହାଳର ଗୋଟିଏ ହେଲେ ବଳଦ ଥରେହେଲେ ଗୋଡ଼ ପକେଇ ବାର ଚିନ୍ତା ସେ କରି ନଥିଲେ, ସେଇଭଳି ପାଞ୍ଚ ମାଣ ଜମି ସେ ଭୂଦାନ ଯଜ୍ଞକୁ ଦାନ କରି ନିଜ ଅଞ୍ଚଳ ଓ ଭୂଦାନ ଯଜ୍ଞ ମଣ୍ଡଳରେ କୀର୍ତ୍ତି–କେତନ ଉଡ଼େଇ ପାରିଚନ୍ତି । ଏଇ ବଦାନ୍ୟତା ଲାଗି ନିରୀହ ଭୂଦାନ ନେତାଙ୍କ ଦ୍ଵାରା ଫୁଲମାଳରେ ଭୂଷିତ ହୋଇ ସେ ସମ୍ମାନ ମଧ୍ୟ ହେଇଚନ୍ତି । ପାରାଦ୍ଵୀପରୁ ଜାପାନକୁ ଯେଉଁ ଲୁହାପଥର ରପ୍ତାନୀ ଯୋଜନା ଚାଲିଚି ସେଥିରେ ମଧ୍ୟ ତାଙ୍କର ବୈଷୟିକ ସହଯୋଗ ରହିଚି । ସୁକିନ୍ଦା ଖଣି ଅଞ୍ଚଳରୁ କେନାଲ ମୁଣ୍ଡକୁ ଲୁହାପଥର ବୋହିବାପାଇଁ ଅନ୍ୟମାନଙ୍କୁ ସାଙ୍ଗରେ ସେ ମଧ୍ୟ ପାଞ୍ଚ ଛ' ଖଣ୍ଡ ଟ୍ରକ୍ ଖଟେଇଛନ୍ତି । ତାହାର ଦାୟିତ୍ଵ ନେଇଛି ସାନପୁଅ । ବଡ଼ପୁଅ ସେକ୍ରେଟେରୀଏଟରେ ଗୋଟିଏ ବଡ଼ ଚାକିରି କରେ ।

 

ବିବାହର ଦିନ କ୍ରମେ ନିକଟ ହେବାକୁ ଲାଗିଲା ।

 

ମଙ୍ଗରାଜ ବା'ଘରର ଆୟୋଜନରେ ଯେମିତି ଉନ୍ମତ୍ତ ହେଇ ପଡ଼ିଚନ୍ତି । ସବା ସାନଝିଅ ସୁନ୍ଦରୀ ପ୍ରବାଳମଞ୍ଜରୀର ବା'ଘର । ପୁଣି ବା'ଘର ହେବ ଜଣେ ସରକାରୀ ଅଫିସର ସାଙ୍ଗରେ । ସେଥିପାଇଁ ଅର୍ଥ ଖର୍ଚ୍ଚରେ ସଂଯମର ନାମଗନ୍ଧ ସେ ଧରୁ ନାହାଁନ୍ତି । ପୁଣି ସେ ଏଥିଭିତରେ କାହାଠାରୁ ଶୁଣିଚନ୍ତି ଆଉ ବର୍ଷେ ଛ' ମାସ ଭିତରେ ଜମିଦାରୀ କ୍ଷତିପୂରଣ ଟଙ୍କା ମିଳିଯିବ । ସେଥିରେ ସେ ଆହୁରି ଉତ୍ସାହିତ ହେଇ ପଡ଼ିଚନ୍ତି । ପ୍ରାୟ ତିରିଶ ଚାଳିଶ ହଜାର ଟଙ୍କା ମିଳିଯିବ, ଆଉ ପରବାୟ କ’ଣ ! ସବୁ ହାନି ହାଇକତର ଖର୍ଚ୍ଚ ଯାଇ ହାତରେ ଏବେ ମଧ୍ୟ ଆଠ ହଜାର ଟଙ୍କା ନଗଦ ରହିଚି । ସେ ସବୁତକ ଖର୍ଚ୍ଚ କରିଦେବେ । କିଏ ବାଧାଦବ ତାଙ୍କୁ ବିବାହର ଆୟୋଜନରେ ମଙ୍ଗରାଜ ନିଜ ମନଇଚ୍ଛା ଖର୍ଚ୍ଚ କରିବାକୁ ଲାଗିଲେ । ନିଜେ କଟକ ଯାଇ ଅଳଙ୍କାର, ରୁପା ଓ କଂସାର ବାସନ, କାଠର ଆସବାବ ପତ୍ର, ଲୁଗାପଟା ଓ ଅନ୍ୟାନ୍ୟ ଯୌତୁକ ସାମଗ୍ରୀ କିଣି ଆଣିଲେ । ବର ପକ୍ଷରୁ କୌଣସି ଦାବି ନାହିଁ କେବଳ ଗୋଟିଏ ଦାମିକା ହାତଘଡ଼ି ମାଗିଚି ଜଇଁ । ସେଥିପାଇଁ ଚାରିଶ ଟଙ୍କା ଖର୍ଚ୍ଚ କରି ମଙ୍ଗରାଜେ ଗୋଟିଏ ରୋଲେକ୍‍ସ ଘଡ଼ି କିଣିଲେ । ଆଉ ତିନି ଚାରିଶ ଟଙ୍କା ପକେଇ ଦେଇ ସେ ଅଫିସର ଜଇଁପାଇଁ ଦାମିକା କପଡ଼ାରେ ଚାରି ପାଞ୍ଚଟା ସୁଟ୍ ବନେଇ ଆଣିଲେ ।

 

ଅନ୍ୟାନ୍ୟ ବିଳାସ ଦ୍ରବ୍ୟ କିଣିବା ତ ମଙ୍ଗରାଜଙ୍କୁ ଯେମିତି ଆସେନା; ସେ ଦିଗରେ ସେ ପୁଣି ଥରେ ଅନେକ ଦିନର ତଳକୁ ଖସିଗଲେ । ଶେଷକୁ ପାଞ୍ଚ ହଜାର ଟଙ୍କାର ଜିନିଷପତ୍ର ଧରି ସେ ଗାଁରେ ଆସି ପହଞ୍ଚିଲେ ।

 

ଦାମିକା ଦାମିକା ଜିନିଷପତ୍ର ସବୁ ମଙ୍ଗରାଜଙ୍କ ନିଜ ରହିବା ଘରେ ସାଇତା ହେଇ ରଖାଗଲା । ପୁଅ ଓ ବୋହୂମାନଙ୍କଠାରୁ ଆରମ୍ଭ କରି ସାହିର ଆଉ କେତେକ ବିଶିଷ୍ଟ ନାରୀ ପୁରୁଷ ସେ ସବୁ ଆସି ଦେଖି ଗଲେଣି । ପଥରବସା ଟାୟରାଟାକୁ ଦେଖି ବଡ଼ବୋହୂ, ହାରାମଣି ମୁହଁ ମୋଡ଼ି ଦେଇଯାଇଚି । ଗହଣାଗାଣ୍ଠି ଓ ଶାଢ଼ି ବ୍ଲାଉଜ୍ ପ୍ରଭୃତି ଦେଖି କେବଳ ଖୁସି ହେଇଚି ପ୍ରତାପର ସ୍ତ୍ରୀ ସୁଖଲତା । ନାଁଟି ତାଠିଁ ସାର୍ଥକ ହେଇଥିଲା ପରି ଲାଗେ । ବିଚାରୀ ଛନ୍ଦ କପଟର କୌଣସି ଧାର ଧାରେନା । ଖୁସି ହେଇ ସେ ହସି ହସି ଯାଇ କୁଣ୍ଢେଇ ଧରିଚି ପ୍ରବାଳମଞ୍ଜରୀକି । ତା’ର ଅକପଟ ଆଲିଙ୍ଗନରେ ପ୍ରବାଳମଞ୍ଜରୀ କିନ୍ତୁ ଖୁସି ନ ହୋଇ ଓଲଟି କାନ୍ଦିଉଠିଚି । ତା’ ସାଙ୍ଗରେ କାନ୍ଦିଉଠିଚି ସୁଷମା । ସୁଷମା ଏପର୍ଯ୍ୟନ୍ତ ସେ ସବୁ ଜିନିଷ ଦେଖିବାକୁ ଯାଇନି । ଆଉ ଦେଖିବାକୁ ଯାଇ ନାହାନ୍ତି ସୁରେଶ୍ୱରୀ ଦେଈ । ପଚାରିଲେ କହନ୍ତି, ହ, ଦେଖିବି କ’ଣ, ଝୁଅ–ଜଇଁ ସୁଖରେ ରହିଲେ ସେଇ ମୋର ଢେର୍...ଜିନିଷ ଦେଖିବି କ’ଣ !

 

ତା’ପରେ ସେ ଲୁଗା କାନିରେ ଆଖି ପୋଛନ୍ତି । ଦେଖିଲା ଲୋକେ ଭାବନ୍ତି, ଜନନୀର ଏ ଅଶ୍ରୁତ୍ୟାଗ କନ୍ୟାର ଆଗାମୀ ବିଚ୍ଛେଦର ଆଶଙ୍କାରେ । କିନ୍ତୁ ସୁରେଶ୍ୱରୀ ଦେଈଙ୍କ ଏ କାତର ଅବସ୍ଥାରେ କେବଳ ସୁଖୀ ହୁଏ ସୋଶୀଳା । ଅସ୍ପଷ୍ଟ ସ୍ୱରରେ ତାଚ୍ଛଲ୍ୟ କରି କହିଉଠେ,...ବାବୁଘର ଝୁଅ...-। ତା’ପରେ ମୁହଁରେ ଲୁଗା ମେଞ୍ଚା ମାଡ଼ି ଦେଇ ବାଡ଼ିପଟକୁ ଚାଲିଯାଇ ଫେଁ କରି ହସିଉଠେ-

 

ସୋଶୀଳାକୁ ଏବେ ପଇଁତ୍ରିଶବର୍ଷରୁ କମ୍ ହେବନି । ବୟସ ବୃଦ୍ଧି ଯୋଗୁଁ ଦେହର ମାଂସ ଟିକେ ପାକଳ ହେଇଯାଇଚି ସିନା, କିନ୍ତୁ ମାଂସର ସଂପଦ ସବୁ ସେମିତି ଅତୁଟ ରହିଚି । ସେଥିପାଇଁ ନିଜର ବଦଭ୍ୟାସକୁ ଛାଡ଼ିଦେବା ତ ସ୍ଵପ୍ନର କଥା, କମେଇ ଦେବାର ମଧ୍ୟ ସେ କୌଣସି ଆବଶ୍ୟକତା ଦେଖିନି । ମୈତ୍ରୀ–ସାଧନାରେ ଏକକୁ ଛାଡ଼ି ବହୁର ସମ୍ପର୍କ ଲାଭ କଲାପରି ସୋଶୀଳା ଗୋଟିଏ ସ୍ଵାମୀକୁ ଛାଡ଼ି ଗତ ସତର ଅଠରବର୍ଷ ଭିତରେ ମୂଳ ସଂଖ୍ୟାରେ ପ୍ରାୟ ଦୁଇଟି ଶୂନ୍ୟ ଯୋଗ କରିଦେଇଚି । କୌଣସି ମାଂସଲୋଭୀ ଇନ୍ଦ୍ରିୟପରତନ୍ତ୍ର ପୁରୁଷ ସୋଶୀଳାର ଆହ୍ୱାନ ଏଡ଼ିଦେଇ ଚାଲିଯିବା ଯେମିତି ଦୁଃସାଧ୍ୟ । ମାଇପି ମହଲରେ ସୋଶୀଳାର ଚରିତ୍ରକୁ କେନ୍ଦ୍ର କରି କେତେକଥା ଆଲୋଚିତ ହୁଏ । ଗାଧୁଆତୁଠରେ ତାକୁ ଶୁଣେଇ ଶୁଣେଇ କେହି କେହି ଦୁଃସାହସିନୀ ସମୟେ ସମୟେ ଦି’ ଚାରିକଥା ଝାଡ଼ି ଦିଅନ୍ତି । କିନ୍ତୁ ସୋଶୀଳାର ସେଥିକି ତବେ ନଥାଏ । କେନାଲର ସୁଅ ପାଣିରେ ଦେହର ପାତଳା ଫର୍ଦ୍ଦି ଲୁଗାଖଣ୍ଡକୁ ଉଚ୍ଛୃଙ୍ଖଳ ଭାବରେ ଭସେଇ ଦେଇ ସେ ଖିଲ୍ ଖିଲ୍ ହେଇ ହସିଉଠେ । ସେଇ ହସର ତାଳରେ ପାଣିର ସ୍ଫଟିକ ଆବରଣ ତଳେ ତା’ ଛାତିର ମୁକୁଳା ମାଂସପିଣ୍ଡ ଦି’ଟା ମଧ୍ୟ ନାଚିଉଠେ । କେହି ମୁଖରା ନାରୀ ଏଇ ଅବସରରେ ଆହୁରି ଦି’ କଥା ତାକୁ ଶୁଣେଇଦିଏ । କିନ୍ତୁ ସୋଶୀଳା କମ୍ ମୁଖରା ଆଉ ଦୁଃସାହସିନୀ ନୁହେଁ, ମୁହଁ ଝିଙ୍ଗାରି ଦେଇ ସେ କହିଉଠେ ।

 

“ସେଇଟା ମୋ ଜଙ୍ଘର ବଳ...ଆଉ କା’ ଧିଅ ଘୋରି ହେଇ ଯାଉଚି କାହିଁକି ?"

 

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ ସୋଶୀଳାର ଏ ଉତ୍ତର । ତା’ପରେ ସେ ନିଠେଇ ନିଠେଇ ଛାତି ସନ୍ଧିକୁ ଲୁଗା କାନିରେ ଘଷିବାରେ ଲାଗେ । ଅଳ୍ପ ପାଣିକି ଘୁଞ୍ଚି ଆସି ଗୋଟା ଗୋଡ଼କୁ ଉପରକୁ ଟେକି ଜଙ୍ଘ ଉପର ଯାଏଁ ଘଷି ହୁଏ । ମୁହଁରେ ପାଣି ଛାଟେ କେତେବେଳ ଯାଏଁ ଚଳା ଚଳା କରି । ଏଇ ସ୍ଵୈରିଣୀ ସୋଶୀଳା ଏବେ ଜାଣିପାରିଚି ସୁନ୍ଦରୀ ପ୍ରବାଳମଞ୍ଜରୀର ଗୋପନ କାହାଣୀ । ସେ ଅନେକ ଆଗରୁ ଭଲ କରି ଜାଣେ, ବଡ଼ ନୂଆବୋଉର ଭାଇ ଅକ୍ଷୟର କଦମ୍‍ପାଳ ଅଭିସାରର ରହସ୍ୟ । ଅକ୍ଷୟ ମଧ୍ୟ ତା’ କବଳରୁ ବାଦ ଯାଇନି । ବେଳେବେଳେ ହସିଉଠେ ସେ ମଙ୍ଗରାଜଙ୍କ କଥା ଭାବି, ମୀନଭାଇ ପାଖକୁ ଥରେ ରାତିରେ ସେ ଚଉପାଢ଼ିକି ଯାଇଥିଲା ବୋଲି ମଙ୍ଗରାଜେ ତାକୁ ତାଙ୍କ ଘର ମାଡ଼ିବା ବନ୍ଦ କରି ଦେଇଥିଲେ । ହି...ହି...ହି...ଆଉ ଆଜି ।

 

ହୁଏତ ଦଣ୍ତକରେ ସବୁ ଗୋପନ ରହସ୍ୟ ପଦାରେ ପକେଇ ଦେଇ ପାରନ୍ତା ଏଇ ସୋଶୀଳା । ସେ ଡରିଚି ଖାଲି ବାଦୀ ବଂଶୀ ଜେନାର ଠେଙ୍ଗାକୁ । କେତେଦିନ ତଳେ ତିନି ଚାରିଥର ମାଡ଼ ଖାଇ ସାରିଚି ସେ ବଂଶୀ ଜେନାଙ୍କଠାରୁ । ଥରେ ମାଡ଼ ଖାଇ ସେ ତିନି ଦିନ ପଡ଼ିରହିଥିଲା ବିଛଣାରେ । ଏହା ତିନିବର୍ଷ ପୂର୍ବର ଘଟନା, ବାରୁଣୀ ଯାତ୍ରାରେ ଦୁଇ ଦିନ ହଜିଯିବା ପରେ ଦିନେ ରାତିରେ ଆସି ଆପେଆପେ ସେ ପହଞ୍ଚିଥିଲା ଘରେ । ତା’ପରେ ସେ ବଂଶୀ ଜେନାଙ୍କଠାରୁ ପାଇଥିଲା ପ୍ରାଣାନ୍ତକ ଶାସ୍ତି । ସେଇ ଶାସ୍ତି ସତ୍ତ୍ଵେ ସମସ୍ତେ ତା'ର ମୃତ୍ୟୁ କାମନା କରୁଥିଲେ । କିନ୍ତୁ ସମସ୍ତଙ୍କ କାମନାକୁ ସୋଶୀଳା ବ୍ୟର୍ଥ କରିଦେଇଛି ନିଜ ଦେହର ବଳରେ । ସେ ଅକାଳରେ ମରିବାକୁ ଜନ୍ମ ହେଇନି । କଳଙ୍କିନୀର ସହଜରେ ମୃତ୍ୟୁ ହୁଏନା । ବାସ୍ତବିକ, ମାଂସଦ୍ୱାରା ମାଂସକୁ ଉପଭୋଗ କରିବାପାଇଁ ବିଧାତା ତା’ ଦେହରେ ଦେଇଛି ଅପ୍ରମିତ ବଳ । ଦେହର ପ୍ରତିଟି ଲୋମକୂପକୁ ସମ୍ଭୋଗରେ ସନ୍ତୁଷ୍ଟ କରିବା ଲାଗି ସେ ଯେମିତି ଆକାଂକ୍ଷା ପୋଷି ବଞ୍ଚି ରହିଚି ।

 

ନିଜର ଏସବୁ ପ୍ରକୃତି ବ୍ୟତୀତ ପ୍ରବାଳମଞ୍ଜରୀ ପାଇଁ ସୋଶୀଳାର ଅନ୍ତରରେ ସହାନୁଭୂତି ମଧ୍ୟ ରହିଚି । ଏଇ ଭ୍ରଷ୍ଟା ନାରୀର ସେଇ ସହାନୁଭୂତି ଜାତହେଇଚି ପ୍ରବାଳମଞ୍ଜରୀର ଅପୂର୍ବ ରୂପର ଆକର୍ଷଣରୁ । ଦେହ ଜୀବିକା ଚଳେଇଥିବା ଏଇ ନାରୀଟି ପ୍ରବାଳମଞ୍ଜରୀର ସୌନ୍ଦର୍ଯ୍ୟକୁ ଚାହିଁ ଚାହିଁ ବେଳେବେଳେ ଆତ୍ମହରା ହୋଇଯାଏ । ନିଜର ସ୍ୱଳ୍ପପଣ୍ୟରେ ଯିଏ ବହୁପୁରୁଷଙ୍କୁ କବଳିତ କରିନିଏ, ଅପରୂପ ସୁଷମାରେ ମଣ୍ଡିତା ଏଇ ପ୍ରବାଳମଞ୍ଜରୀ ପାଖରେ ଗୋଟିଏ ପୁରୁଷର ଅବସ୍ଥା କ’ଣ ହେବ, ସେ ଦଗ୍ଧ ହେଇଯିବନା, ଦେହ ଧରି ବଞ୍ଚି ରହି ପୁଣି ପ୍ରଣୟ ଭୋଜ୍ୟ ଆହାର କରିବ; ବେଳେବେଳେ ପ୍ରବାଳମଞ୍ଜରୀକି ଦେଖି ଏହିପରି ଚିନ୍ତା ପ୍ରକାଶ ପାଏ ସୋଶୀଳାର ମନ ଭିତରେ । ...ସେଇ ପ୍ରବାଳମଞ୍ଜରୀ ଏବେ ବିବାହ ପୂର୍ବରୁ ହେଇଚି ପୁରୁଷର ଉପଭୋଗ୍ୟା । ଆଉ ସେ ପୁରୁଷ ଦଗ୍ଧ ହୋଇନି, ବଞ୍ଚିଚି । ଓଲଟି ଦଗ୍ଧ ହେଉଚି ପ୍ରବାଳମଞ୍ଜରୀ । ତା’ର ଭବିଷ୍ୟତ୍ ଭାବି ସୋଶୀଳାର ମନରେ ବେଳେବେଳେ ବାସ୍ତବିକ ସହାନୁଭୂତି ଭରିଉଠେ । ଗର୍ଭରେ ଅନ୍ୟର ସନ୍ତାନ ଧରି ପ୍ରବାଳମଞ୍ଜରୀ କିପରି ବିବାହିତ ସ୍ୱାମୀ ଲାଗି ବାସର ଶଯ୍ୟାର ଅଭିସାରିକା ହେବ ତାହାହିଁ ଚିନ୍ତାକରେ ସୋଶୀଳା ।

 

ଏହା ବ୍ୟତୀତ ଆଉ ଗୋଟିଏ ବୈଷୟିକ କାରଣ ରହିଚି ସୋଶୀଳାର ଏଇ ସହାନୁଭୂତି ପଛରେ । ନାନା ଜଞ୍ଜାଳ ଓ କଳଙ୍କରୁ ମୁକ୍ତ ହେବା ଉଦ୍ଦେଶ୍ୟରେ ସୋଶୀଳାକୁ ସ୍ଥାନାନ୍ତର କରିଦେବା ସ୍ଥିର କରାଯାଇଚି । ସେ ଯିବ ପ୍ରବାଳମଞ୍ଜରୀ ସାଙ୍ଗରେ ତା’ର ସହଚରୀରୂପେ । ଆଗାମୀ ପାଞ୍ଚବର୍ଷ ପାଇଁ ସେ ପ୍ରବାଳମଞ୍ଜରୀ ପାଖରେ ରହିବ । ଏକ ଦରିଦ୍ର ପରିବାରର ଗଳଗ୍ରହ ହେଇ ରହିବା ଅପେକ୍ଷା ସୋଶୀଳା ଏ ପ୍ରସ୍ତାବରେ ରାଜି ହେଇଯାଇଚି । ସେ ଯିବ ବାବୁଘର ପ୍ରବାଳ ଦେଈଙ୍କ ସାଙ୍ଗରେ । ସେଠି ସେ ବି.ଡି.ଓ.ଙ୍କ ବଙ୍ଗଳାରେ ରହିବ । ତେବେ...

 

ଭାବନାଭିତରେ ଏଇଠି ଚିତ୍କାର କରିଉଠେ ସୋଶୀଳା । ସେ କ’ଣ କରିପାରିବ ପ୍ରବାଳ ଦେଈଙ୍କ ଲାଗି । ଆଉ ସାତ ମାସ ପରେ ବି.ଡି.ଓ.ଙ୍କର ଯେତେବେଳେ ପୁଅ ହେବ ସେ କ’ଣ କହିବ କାହାକୁ । ତାଳବରକଟ ଗାଁର ସେଇ ଟୋକା, ଅକ୍ଷିଆ; ସେଇ ଅକ୍ଷିଆ ତ ଏତେ କଥା କଲା-। ବା ହଉନେଇ ଆସି ସିଏ ପ୍ରବାଳକୁ...ହେଲେ ପ୍ରବାଳ କ’ଣ କାହାକୁ କିଛି କହୁଚି, କିଏ ଜାଣିବ ଏବେ ଅକ୍ଷିଆ କଥା । ସେ ବଡ଼ ନୂଆବୋଉଙ୍କ ଭାଇ, ସେ ଏଥିଲାଗି କିଛି କରିବେନି ? ....ତାଙ୍କୁ କହିଲେ କିଛି ହୁଅନ୍ତାନି ?

 

ସୋଶୀଳା ସ୍ଥିର କଲା ସେ ବଡ଼ ନୂଆବୋଉଙ୍କ ପାଖକୁ ଯିବ । ତାଙ୍କୁ କହିବ ସେ ଆଜି ସବୁକଥା । ...କି କଥା ସେ କହିବ । ଅକ୍ଷିଆ ବିରୁଦ୍ଧରେ କହିବ ବଡ଼ ନୂଆବୋଉକୁ...ସେ କିମିତି ଜାଣିଲା ସେ ସବୁ କଥା । ତା’ ମୁଣ୍ଡ ରହିବଟି ।

 

ସୋଶୀଳାର ଚାଲି ଉଠୁଥିବା ପାଦ ଥମକି ରହିଗଲା ।

 

ପନ୍ଦର

 

ଖୁବ୍ ଜାକଜମକ ଆଉ ଆଡ଼ମ୍ବର ଭିତରେ ପ୍ରବାଳମଞ୍ଜରୀର ବିବାହ ଉତ୍ସବ ଶେଷହେଲା । ତା’ର ସ୍ୱାମୀର ନାଁ କୀର୍ତ୍ତିରଞ୍ଜନ ରାଉତରାୟ । ମୁହଁରେ ପୌରୁଷର ଆଭା, ସୁଠାମ ଦେହ । ତିରିଶ ପାଖାପାଖି ବୟସ । ମଧୁଶଯ୍ୟାର ରାତିରେ ସ୍ୱାମୀକି ଦେଖି ଭାରି ଖୁସିହେଲା ପ୍ରବାଳମଞ୍ଜରୀ । କୀର୍ତ୍ତିରଞ୍ଜନ ମଧ୍ୟ ଚାହିଁରହିଲା ଅନିମେଷ ଆଖିରେ ନିଜର ବଧୂ ଲକ୍ଷ୍ମୀକି । ଲକ୍ଷ୍ମୀ କ’ଣ ସତେ ଏତେ ସୁନ୍ଦରୀ ? ଲକ୍ଷ୍ମୀ କି ଟେରୀ ବୋଲି କୁହନ୍ତି । ହୁଏତ ସେ ଛୋଟୀ । ଗୋଟିଏ ଗୋଟିଏ ଘରେ ସେଥିପାଇଁ ସେ ଆଣ୍ଠୁ ଭାଙ୍ଗି ପଡ଼ିରହିବାର ପ୍ରବାଦ ଅଛି । କିନ୍ତୁ ପ୍ରବାଳମଞ୍ଜରୀର ଆଖି ଯୋଡ଼ିକ ତୂଳୀରେ ଆଙ୍କି ଦେଲା ପରି, ପୁଣି ଢଳଢ଼ଳ ହଉଚି ପଦ୍ମପାଖୁଡ଼ା ସଦୃଶ । ମୁହଁ ଉପରେ ଆଖି ରଖିଲାରୁ ପଲକ ଦି'ଟାକୁ ପ୍ରବାଳମଞ୍ଜରୀ ବୁଜିଦେଲା । କୀର୍ତ୍ତିରଞ୍ଜନ ଦେଖିଲା, ମୁଦ୍ରିତ ଆଖିରେ ଆହୁରି ସୁନ୍ଦର ଦିଶୁଛି ଝିଅଟା । ତା’ପରେ ସେ ତା’ର ଗୋଡ଼କୁ ଅନେଇଲା, ମନରେ କ’ଣ ଯେମିତି ସନ୍ଦେହ କରି, ହୁଏତ ଲକ୍ଷ୍ମୀ ଛୋଟୀ ବୋଲି ଉଠିଥିବା ଖିଆଲଟା ତା’ ମନରେ ସେ ପର୍ଯ୍ୟନ୍ତ ରହିଚି । ସତେ, ଗୋଟା ଝିଅର ପାଦ ଏତେ ସୁନ୍ଦର ହୁଏ । ଦି’ଟାଯାକ ପାଦ ଉପରକୁ ଝୁଲିପଡ଼ିଚି ଶାଢ଼ିର ତଳଭାଗ-। ତାକୁ ଟିକେ ଉପରକୁ ଟେକି ଦେଇ ହୁଅନ୍ତାନି ! ଗୋଟା ଆଦିମ ଚିନ୍ତାର ଭଉଁରି ଘୂରିଗଲା ନବ ବିବାହିତ କୀର୍ତ୍ତିରଞ୍ଜନ ମନ ଭିତରେ । ନିଶାର୍ଦ୍ଧକାଳରେ ଏକ ନିଭୃତ କକ୍ଷରେ ଗୋଟିଏ ରୂପସୀ ଯୁବତୀ ସାଙ୍ଗରେ ଏକାଠି ହେବା କୀର୍ତ୍ତିରଞ୍ଜନର ଜୀବନରେ ଏହି ପ୍ରଥମ । ତଥାପି ଶିକ୍ଷିତ ମନର ଅଭିଜ୍ଞତା ଭିତରେ ଧୈର୍ଯ୍ୟଧରି ସେ ଅନେଇ ରହିଲା ନିଜର ରୂପବତୀ ସ୍ତ୍ରୀକୁ-। ଆଖି ତା’ର ରୂପସୀର ବକ୍ଷ ଦେଶ ଉପରେ ନିବଦ୍ଧ ହେଇ ରହିଗଲା । ଯୁବତୀର ଦେହ ଏତେ ସୁନ୍ଦର ହୁଏ ! ମାଂସର ସ୍ଫୀତି ହୁଏ ଏତେ ଲୋଭନୀୟ !

 

"ସତେ, ତମର ନାଁ ପ୍ରବାଳମଞ୍ଜରୀ ! କିଏ ଦେଇଥିଲା ଏ ନାଁ ? ବିଧାତା ପରି ମଣିଷବି କିଛି ଭୁଲ କରିପାରିଲାନି ?"

 

ମନର ଉତ୍ତେଜନା କାଟିବାକୁ କୀର୍ତ୍ତିରଞ୍ଜନ ଏକାଥରକେ କହିଗଲା ଏତକ କଥା । ସେତେବେଳକୁ ରୂପସୀ ଆଖି ଖୋଲି ଅନେଇଚି ନିଜର ଯୁବକ ସ୍ୱାମୀକି ।

 

କିନ୍ତୁ ତୁମ ନାଁ ଯେ ଆହୁରି ସୁନ୍ଦର ! କୀର୍ତ୍ତିରଞ୍ଜନ ବୋଲି ପ୍ରଥମେ କିଏ ଡାକିଥିଲା ତମକୁ ଏ କେବଳ ପ୍ରବାଳମଞ୍ଜରୀର ମନର ପ୍ରଶ୍ନ । ମୁହଁରେ କିନ୍ତୁ ସେ ପଦେହେଲେ କଥା ପ୍ରକାଶ କରିପାରିଲାନି । ଯେମିତି ଅପରାଧର ଗୋଟା ଗ୍ଳାନି ଛାଇଗଲା ତା’ ଭିତରେ । ମୁଁ କଳଙ୍କିନୀ, କାହିଁକି ବିଭା ହେଲି ଏଡ଼େ ସୁନ୍ଦର ପୁରୁଷକୁ ! ତା’ର ଅନିନ୍ଦ୍ୟ ଆଖିରୁ ଝରିପଡ଼ିଲା ଦୁଇ ବିନ୍ଦୁ ଲୋତକ ।

 

"ତମେ କାନ୍ଦୁଚ ? ତମେ କାନ୍ଦିଲ କାହିଁକି ପ୍ରବାଳମଞ୍ଜରୀ ? ମୋ ପାଖରେ ତମର କିଛିହେଲେ ଅସୁବିଧା ହବନି । ତୁମକୁ ସୁଖରେ ରଖିବାପାଇଁ ମୁଁ ପ୍ରାଣପଣେ ଚେଷ୍ଟା କରିବି । ତମର ଏ ରୂପକୁ ମୁଁ ଅମ୍ଳାନ ରଖିବି ମଞ୍ଜରୀ ।"

 

ସ୍ୱାମୀର ଏ କଥାରେ ଆହୁରି ଲୁହ ଝରିପଡ଼ିଲା ପ୍ରବାଳମଞ୍ଜରୀର ଆଖିରୁ । ତଳକୁ ନଇଁପଡ଼ି ସ୍ୱାମୀର ପାଦ ଛୁଇଁବାକୁ ଚେଷ୍ଟା କରିବା ଆଗରୁ ତାକୁ ଦୁଇ ହାତରେ ଜାକି ଧରିଲା କୀର୍ତ୍ତିରଞ୍ଜନ ।

 

"ଏଠି ତମର କିଛି ଅସୁବିଧା ହବନାଇଁ ମୁଁ କଥା ଦଉଚି ।"

 

କହିବା ଭିତରେ କୀର୍ତ୍ତିରଞ୍ଜନର ଆଶ୍ଳେଷ ଆହୁରି ନିବିଡ଼ ହେଇ ଉଠିଲା । ଟେବୁଲ ଉପରେ ଲ୍ୟାମ୍ପଟା ଖୁବ୍ ଜୋରରେ ଜଳୁଚି । ଆଲୁଅର ଦୀପ୍ତି ଭିତରେ ପ୍ରବାଳମଞ୍ଜରୀର ଗଣ୍ଡ ଦି’ଟା ନିଶା ବୋଳିଦେଲା ଯୁବକ କୀର୍ତ୍ତିରଞ୍ଜନର ଆଖିରେ । ପାଗଳ ହେଇଉଠିଲା ତା’ର ଦି’ଟାଯାକ ଓଠ-

 

ମାତ୍ର ଦି’ ମାସ ତଳର କଥା । ତା’ର ପନ୍ଦର ଦିନ ଆଗର ଗୋଟିଏ ଚିତ୍ର ଫୁଟିଉଠିଲା ପ୍ରବାଳମଞ୍ଜରୀର ମନରେ, ମହାଦେବଙ୍କ ପାଖରୁ ଜାଗର ଦେଖି ଫେରୁଥିବାବେଳେ ହଠାତ୍ ଅଣଓସାରିଆ ଗୋହିରି ରାସ୍ତାରୁ ଅମାବାସ୍ୟାର ଅନ୍ଧାର ରାତିରେ ତା’ ଗୋଡ଼ ଖସିଗଲା, ତାକୁ ଉପରକୁ ଭିଡ଼ି ଆଣିଲା ଅକ୍ଷୟ । ତା’ପରେ ଆଉ ଗୋଟିଏ ଅସତର୍କ ମୁହୂର୍ତ୍ତ, ସବୁ ଓଲଟପାଲଟ ହେଇଗଲା ସେହି ଗୋଟିଏ ମୁହୂର୍ତ୍ତ ଭିତରେ । ତା’ର କୁମାରୀତ୍ଵକୁ ନଷ୍ଟ କରିଦେଲା ଅକ୍ଷିଆ । ମରିଗଲା ନେଇଁ ଅକ୍ଷିଆ, ମତେ କଳଙ୍କିନୀ କରି ସନ୍ତୁଳି ଖାଇବାକୁ ଆମ ଘରେ ଏତେ ଆଦର ପାଉଥିଲା ସିଏ !

 

କୀର୍ତ୍ତିରଞ୍ଜନର ଆଲିଙ୍ଗନ ଭିତରେ ରହି ମୁହୂର୍ତ୍ତକ ଭିତରେ ଭାବିଗଲା ପ୍ରବାଳମଞ୍ଜରୀ ଆଉ ଗୋଟିଏ ମୁହୂର୍ତ୍ତର କଥା । ଜରାୟୁ ଭିତରେ ତା’ର ଗଢ଼ି ଉଠିଛି ଆଜି ଆଉ ଗୋଟିଏ ପୁରୁଷ ରକ୍ତର ଭ୍ରୂଣ । ନିଜର ଅପବିତ୍ର କାୟାକୁ ଧରି ସେ ଆଜି ସ୍ୱାମୀର ପବିତ୍ର ପ୍ରେମ–ବନ୍ଧନରେ ଆବଦ୍ଧ ହେବାକୁ ଆସିଛି ମଧୁଶଯ୍ୟାର ଗୃହକୁ । ଭୟରେ ଗୋଟାପଣେ ତା’ର ଦିହଟା ଶିହରି ଉଠିଲା । ହୁଏତ ପ୍ରେମର ଶିତ୍କାର ବୋଲି ତାକୁ ବିଚାରି ବସିଲା ପ୍ରଣୟ ବିଭୋର ସ୍ୱାମୀ । ଆଲିଙ୍ଗନ ତା’ର ଆହୁରି ଦୃଢ଼ ହେଇଗଲା, ଆହୁରି ନିବିଡ଼ ହେଇଉଠିଲା ଚୁମ୍ବନର ପ୍ରବାହ ।

 

"ଓଃ ତମେ ଏତେ ସୁନ୍ଦର !"

 

ପ୍ରବାଳମଞ୍ଜରୀ ଅନୁଭବ କଲା, ତା’ କାନରେ କିଏ ଅମୃତ ଢାଳି ଦେଉଚି ଯେମିତି । ସେତେବେଳକୁ ସେ ଆଉ ସ୍ୱାମୀର କୋଳରେ ନାହିଁ ।

 

ପଲଙ୍କର ବିଛଣା ଉପରେ ପଡ଼ିଚି ଅତି ଅସମ୍ବୃତ ଅବସ୍ଥାରେ । ସବୁ ଜାଣି ମଧ୍ୟ ସେ ନିଜର ଦେହ ଆଉ ଆବରଣକୁ ସଂଯତ କରିବାପାଇଁ ଚେଷ୍ଟା କଲାନି । ଉଚ୍ଚିଷ୍ଟ ଆଜି କୈବଲ୍ୟରେ ପରିଣତ ହେଇଯାଉ । ହେଇଯାଉ ଜୀବନ ଆଜି ତା’ର ଧନ୍ୟ; ବଦଳି ଯାଉ ଗତି । ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେଲା ସିଏ ସ୍ୱାମୀର ପ୍ରଣୟ–ଭୋଜ୍ୟ ହେବାପାଇଁ ।

 

ସୋଶୀଳା ଆସିନି ପରିଚାରିକାରୂପେ ପ୍ରବାଳମଞ୍ଜରୀ ସାଙ୍ଗରେ ସୋଶୀଳାକୁ ସାଙ୍ଗରେ ଆଣିବାକୁ ପ୍ରବାଳମଞ୍ଜରୀ ମଧ୍ୟ ଭଲ ମନେ କରୁ ନଥିଲା । ଭଉଣୀଟା କ’ଣ ଯିବ ତା’ ସାଙ୍ଗରେ ଶାଶୁଘରକୁ । କିନ୍ତୁ ଅସଲ କଥା, ଉତ୍ତରରାୟଙ୍କ ହସ୍ତକ୍ଷେପ ଫଳରେ ସେ ପ୍ରସ୍ତାବ ବଦଳିଗଲା । ନିଜ ଘରୁ ସେ ଗୋଟିଏ ଦାସୀ ଯୋଗେଇ ଦେବେ ବୋଲି ଜବାବ ଦେଲେ ମଙ୍ଗରାଜଙ୍କୁ । ନିଜର ଜବାବ ଅନୁସାରେ ମଧ୍ୟ ବ୍ୟବସ୍ଥା କରିଦେଲେ । ତିରିଶ ପଇଁତ୍ରିଶବର୍ଷ ବୟସର ଗୋଟିଏ ବିଧବାକୁ ଆଣି ସେ ଜୁଟେଇ ଦେଲେ ବି.ଡ଼ି.ଓ.ଙ୍କ ବସାରେ । ବି.ଡ଼ି.ଓ.ଙ୍କ ମା’ କାଞ୍ଚନଲତାଙ୍କ ମନରେ କିନ୍ତୁ ଦାସୀ ରଖିବା କଥାରେ ସେତେ ସରାଗ ନଥାଏ । ପିଅନ, ଚପରାସି ତ ଅଛନ୍ତି, ସେଥିରେ କନ୍ତରାଟିଙ୍କ ଲୋକ ତ ପକେଇଲା ଛେପକୁ ହାତ ଦେଖେଇବାକୁ ତକେଇ ରହିଚନ୍ତି । ତା’ ଉପରେ ପୁଣି ମାଇକିନା ଗୋଟା କ’ଣ ହବ । କ’ଣ ବା କରିବ ସିଏ ଏଠି । ଦାସୀଟାର ଖାଇବା ପିଇବା ପୁଣି ତାଙ୍କ ଆଖିରେ ଯାଉ ନଥାଏ । ମାଲୋ, ଇଏ କାମ କରିବ, ନା ଆଣ୍ଠୁ ତଳେ ଢାଳଟା ଢିରା ଦେଇ ଘଣ୍ଟାକାଳ ବସି ବେଲା ବେଲା ଭାତ ଖାଇବ । କିନ୍ତୁ ପୁଅ ଯୋଗୁଁ ମୁହଁ ଖୋଲି ସେ କିଛି କହି ପାରୁ ନଥାନ୍ତି । ମନଖାଲି ତାଙ୍କର ସାରୁ ଖାଇଲା ପରି ହେଉଥାଏ ।

 

ମଧୁଶଯ୍ୟା ବାସିଦିନ ସକାଳେ ବାସର ବିଛଣା ଉଠେଇ ନେଲା ଦାସୀ । ପ୍ରବାଳମଞ୍ଜରୀ ସେତେବେଳକୁ ଗାଧୋଇ ସାରି ଡ୍ରେସିଙ୍ଗ୍ ଟେବୁଲ୍ ଆଗରେ ଛିଡ଼ା ହେଇ ଲହରେଇ ଲହରେଇ ମୁଣ୍ଡରେ ବାଳ ଭାଙ୍ଗୁଥାଏ । ତାକୁ ପଛରୁ ଅନେଇ ଅନେଇ ଥକ୍କା ମାରି ଠିଆ ହୋଇଗଲା ଦାସୀ । ବିଛଣା ଗୋଟାଉ ଗୋଟାଉ ସେ ଗୋଟା ମୁଦି ପାଇଚି, ସେ କଥା ପଚାରିବ ବୋଲି ସେ ପ୍ରବାଳମଞ୍ଜରୀ ଆଡ଼କୁ ବୁଲି ପଡ଼ି ଶେଷକୁ ତା’ ରୂପ ଦେଖି ଥକ୍କା ମାରିଯାଇଚି ।

 

“ଏ ମୁଦିଟା ତମରି ବୋହୂ ?”

 

ବୁଲି ପଡ଼ିଲା ପ୍ରବାଳମଞ୍ଜରୀ । ଆରେ ଏ ତ ତାଙ୍କରି ମୁଦି, ନାଁ ଲେଖାହେଇଚି, କୀର୍ତ୍ତି, ରାତିରେ ସିଏ ମୋତେ ପିନ୍ଧେଇ ଦେଇଥିଲେ । ଖସି ପଡ଼ିଲା କେମିତି ?

 

ଆଙ୍ଗୁଠିରେ ଗଳେଇ ସେ ଦେଖିଲା, ମୁଦିଟା ଢିଲା ଅଛି । ତା’ପରେ ମୁହଁରେ ଫିକ୍ କରି ଖଣ୍ଡେ ହସ ଚହଟେଇ ଦେଇ କହିଲା–

 

“ତମ ନାଁ କ’ଣ ତି ?”

 

“ମୋ ନାଁ ? ମୋ ନାଁ କେଇ ଏଠି ଜାଣି ନା’ନ୍ତି । ସମତେ ମତେ କାଣିମା ବୋଲି ଡାକନ୍ତି ।”

 

ଏତିକିରେ ବନ୍ଦ ନ ହେଇ ତା’ପରେ ଗୁଡ଼ାଏ କଥା କହିଗଲା କାଣିମା, “ବାପ ମଲାର ସାତ ମାସରେ ପିଲା ଖଣ୍ଡକ ହେଇଥିଲା, ଝିଅଟାଏ, ସେଥିପେଇଁ ତା’ ନାଁ ଦେଇଥେଲି କାଣି । କାଣି ବିଧାତା ତାକୁବି ନେଇଗଲା । ...ଏବେ ସେଥିପେଇଁ ଆଉ ମୋର ଦୁଃଖ ନାଇଁ । ତମରି ଆର୍ଦୋଳି କରି ମୋ ଦିନ କଟିଗଲେ ଯାଏଁ । ଭାରି ଭଲ ଝିଅ ତମେ ବୋହୂ...ତମକୁ ଦେଖି ଭାରି ସୁଖ ଲାଗୁଚି ମତେ...ତମର ଏତେ ରୂପ !”

 

ଏତେ କଥା ଶୁଣି କିଛିହେଲେ କହିଲାନି ପ୍ରବାଳମଞ୍ଜରୀ । କ’ଣ କହିବ ଏଇ ନୂଆ ଭୂଇଁରେ ଏଇ ଅଚିହ୍ନା ଲୋକକୁ । ଓଠରେ ତା’ର ହସର ଆଭା ସେ ପର୍ଯ୍ୟନ୍ତ ଲାଗି ରହିଥାଏ । ହାତରୁ ଆଉ ଗୋଟା ମୁଦି ବାହାର କରି ସେ ଦେଲା କାଣିମାକୁ । "ତମେ ବିଛଣା ଉଠେଇଲ । ଟଙ୍କା ପକେଇବାକୁ ମୋର ମନେ ନାଇଁ । ଏଇ ମୁଦିଟା ନିଅ । କାହାକୁ ଏକା କହିବନି ।"

 

"ମୁଦି ! ସୁନା ମୁଦି ମୁଁ ନେବି ?"

 

ପୃଥିବୀରୁ ସ୍ୱାମୀର ସମସ୍ତ ସର୍ତ୍ତ ଲୋପ ପାଇଥିଲେବି ତା’ ପ୍ରତି କାଣିମାର ପୂର୍ବର ସମ୍ମାନ ଅଚଳ ହେଇ ରହିଚି । ତା’ ସ୍ୱାମୀର ନାଁ ସୁବନ । ସେଥିଯୋଗୁଁ 'ସୁ' 'କୁ' 'ନୁ' କରି ସୁନାକୁ ନୁନା ବୋଲି ସେ କୁହେ । ପ୍ରବାଳମଞ୍ଜରୀ ମଧ୍ୟ ମାଇପି ଜାତିଙ୍କ ଏ ସବୁ ଅଭ୍ୟାସ କଥା ଜାଣେ । ତେଣୁ କାଣିମାର ନୁନା ଉଚ୍ଚାରଣରେ ସେ ବିସ୍ମିତ ହେଲାନି । ବିସ୍ମିତ ହେଲା କାଣିମାର ଆଶ୍ଚର୍ଯ୍ୟତାର ପ୍ରକାଶରେ ।

 

"ହଁ ତମକୁ ଏ ମୁଦିଟା ଦଉଚି କାଣିମା ! ନବ ନେଇଁ ? ନ ନେଲେ ମୋ ମନରେ ଭାରି କଷ୍ଟ ହବ !"

 

ମୁଦି ଉପରୁ ଆଖି ଉଠେଇ ପ୍ରବାଳମଞ୍ଜରୀର ମୁହଁକୁ ଅନେଇଲା କାଣିମା । ଗୋଟା ହାକିମର ମାଇପ, ସେ ପୁଣି ଚାକରାଣୀଟାକୁ ଏଡ଼େ ଧୀର କଥାରେ ନେହୁରା କରୁଚି । ରୂପ ସାଙ୍ଗରେ ଗୁଣର ଅମେଳ ରହିଲେ କ’ଣ ଖରାପ ହୁଅନ୍ତା ! ସବୁ ବିଧାତାର ବରାଦ । ଖାଲି ଏଇ ଗରିବଲୋକଙ୍କୁ ସେ ହୀନିମାନ କରି ଗଢ଼ିଚି ।

 

ଭାବି ଭାବି ହାତ ପତେଇ ଦେଲା କାଣିମା । ନ ନେଲେ ବୋହୂଟାର ମନ ନିରସ ହେଇଯିବ ।

 

"ହେଲେ ଆକୁ ନେଇ ମୁଁ କରିବି କ’ଣ ! ହାତରେ ତ ନଗେଇବିନି । କାହାକୁ କହିବିନି ବୋଲି କହୁଚ । ତେବେ ରଖିବି ଆକୁ କୋଉଠି । ଏ ନୁନା ମୁଦି ମୋର ହେଇ ତମରି ପାଖରେ ଥାଉ । ଜାଣିଲ ବୋହୂ, ଶୁଣିଲ !"

 

ମୁଦିଟା ପ୍ରବାଳମଞ୍ଜରୀ ହାତର ନେଇ ପୁଣି କାଣିମା ତାକୁ ଫେରେଇ ଦେଲା । ଆଶ୍ଚର୍ଯ୍ୟ ହେଲା ପ୍ରବାଳମଞ୍ଜରୀ । ସତେ ଗରିବଗୁରୁବାଙ୍କ ସୁନା ଠେଇଁ ଲୋଭ ନାଇଁ; ସେଇ ମୁଦିଟା ପାଇ ସେ ତାକୁ ଦେଇଦେଲା । ଆଉ ଗୋଟା ମୁଦି ଦେଲେବି ନେଲା ନେଇଁ; ଭାରି ଭଲ ମଣିଷ ଏଇ କାଣିମା ।

 

ପ୍ରବାଳମଞ୍ଜରୀ ମନରୁ ଭାବନା ସରିଲାବେଳକୁ କାଣିମା ସେଠୁ ଚାଲିଗଲାଣି । କିଛି ସମୟ ପରେ ସେ ଘରକୁ କୀର୍ତ୍ତିରଞ୍ଜନ ପଶି ଆସି କହିଲା–

 

"ଉତ୍ତରରା' ଆସିଚନ୍ତି ତମକୁ ଦେଖିବାକୁ । ଟିକେ ପ୍ରସ୍ତୁତ ହେଇପଡ଼ । ରାତିରେ ଏତେ ଲାଜ କରୁଥିଲ କାଇଁକି, ଆଁ ?"

 

ସରସ କଣ୍ଠରେ ପ୍ରବାଳମଞ୍ଜରୀ କ’ଣ କହିବାକୁ ଇଚ୍ଛା କରୁଥିଲା, କିନ୍ତୁ କହିପାରିଲାନି । ଭାରି ଦୁଷ୍ଟ ଏଇ ପୁରୁଷଗୁଡ଼ାକ, ଝିଅଙ୍କୁ ଆକ୍ରମଣ କରିବାକୁ ଯେମିତି ଅନେଇ ବସିଥାନ୍ତି । ମନରେ ତା’ର ଦ୍ଵିଧା ଲାଗିଲା, ତା’ର ସ୍ୱାମୀ କ’ଣ ସେଇ ପୁରୁଷ ? ଦୟାର ଅବତାର ତା’ର ସ୍ଵାମୀ । ତାଙ୍କ ସ୍ପର୍ଶ ବାଜି କାଲି ରାତିରୁ ତା’ର ଜନ୍ମାନ୍ତର ଘଟିଚି । କିନ୍ତୁ ନିଜର ଗର୍ଭ ଭିତରେ ଯେଉଁ ନୂତନ ଜନ୍ମର ଆୟୋଜନ ଚାଲିଚି ପୁରାତନର ବେସୁରା ବୀଣା ବଜେଇ ତାକୁ ଭୁଲି ପାରିଲାନି ପ୍ରବାଳମଞ୍ଜରି । ମୁହଁଟା ହଠାତ୍ ତା’ର ଫିକା ପଡ଼ିଗଲା ।

 

"ପୁଣି ଲାଜ ଘୋଟିଗଲା ନା କ’ଣ ?"

 

ପାଖକୁ ଲାଗି ଆସି ଯୁବତୀ ପତ୍ନୀର ଚିବୁକଟାକୁ ହରେଇ ଦେଲା କୀର୍ତ୍ତିରଞ୍ଜନ । ଏହି ସମୟରେ ଅଗଣାପଟୁ ପାଟି କରି ଚାଲିଆସିଲେ ଉତ୍ତରରା । ସେ ଆଉ ବି.ଡି.ଓ.ଙ୍କ ଅଧୀନସ୍ଥ କିମ୍ବା ଦୟାପ୍ରାର୍ଥୀ ଜଣେ କଣ୍ଟ୍ରାକର ନୁହନ୍ତି । ଜନ୍ମେଜୟ ମଙ୍ଗରାଜଙ୍କ ସମୁଧୀ ଭାବରେ ସେ ବର୍ତ୍ତମାନ କୀର୍ତ୍ତିରଞ୍ଜନର ଶଶୁର ସମ୍ମାନ ଅଧିକାର କରିଛନ୍ତି । ବୋହୂ ପରାଗମଞ୍ଜରୀ ଭଉଣୀର ବା’ଘରକୁ ଯାଇ ବାପଘରେ ଅଛି । ଆଉ ପନ୍ଦର କୋଡ଼ିଏ ଦିନେ ସେଠୁ ସେ ଫେରି ଆସିଲେ ପ୍ରବାଳମଞ୍ଜରୀକି ନିଜ ଘରକୁ ବୁଲେଇ ନେବେ ବୋଲି କହି ଉତ୍ତରରାୟ ବିଦାୟ ନେଲେ । ଗଲାବେଳେ ସେ ଦିଖଣ୍ଡ ଶହେ ଟଙ୍କିଆ ନୋଟ୍ ଗୁଞ୍ଜି ଦେଇଗଲେ ପ୍ରବାଳମଞ୍ଜରୀ ହାତରେ ।

 

ମାଇପଙ୍କ କଥା ମାଇପେ ଜାଣନ୍ତି ଅତି ଅଦ୍ଭୁତ ଭାବରେ । ସେ ଅତି ବିଚକ୍ଷଣ ଭାଷା, ସ୍ଵରର ପ୍ରକାଶ ନ ଘଟି ଅଭିଜ୍ଞତାର ପୁଷ୍କଳ ପ୍ରକଟ ହେଇଯାଏ । ମାସକ ପରେ କାଣିମା ଆଉ କାଞ୍ଚନଲତାଙ୍କ ଭିତରେ ଆକାଶ କୁସୁମର ମାଳଗୁନ୍ଥା ଆରମ୍ଭ ହେଇଗଲା ।

 

"ପିଲାପିଲି ହବ ବୋହୂର, ପୁଅ ହବ !"

 

କାଣିମା ଟିକେ ବଡ଼ପାଟିରେ କହିଉଠିଲା, "ସରସ୍ୱତୀ ପରି ବୋହୂ, କାର୍ତ୍ତିକ ପ୍ରତିମା ପରି ପୁଅ, ପୁଣି ସରକାର ଘର ହାକିମ–କେତେ ମଣିଷ ଚରଉଚନ୍ତି ସେ ଏଠି; "ବା’ ହବାର ମାସକ ଭିତରେ ପୁଅ ଛଞ୍ଚିଲା ବିଧାତା । ତମ କପାଳ ଜଳୁଚି ମା’ ସାଆନ୍ତାଣୀ !”

 

କାଞ୍ଚନଲତାଙ୍କ ଗୋଡ଼ ଆଉ ତଳେ ଲାଗିଲାନି । ବୋହୂ ପାଖରେ ଯାଇ ଖଟ ଉପରେ ବସିଯାଇ ତାକୁ ଆଉଁସି ପକେଇଲେ ତାଳୁରୁ ତଳିପାଯାଏ । ତୁ ଲକ୍ଷ୍ମୀ ଆସିଚୁ ମୋ ଘରକୁ ! ହୁସିଆର, ରାତିରେ କେତେବେଳେ ହେଲେ ଏକୁଟିଆ ବାହାରକୁ ଉଠିବୁନି । ଆଲୋ କାଣିମା, ରାତିରେ ବୋରାବରି ତୁ ଏଇ ପିଣ୍ଡାରେ ଶୋଇବୁ ।

 

ସାଆନ୍ତାଣୀଙ୍କ ଉପଦେଶ ପାଳନପାଇଁ ସମର୍ଥନ ଜଣେଇ ପାଞ୍ଚ ଥର ମୁଣ୍ଡ ହଲେଇଲା କାଣିମା ଚାକରାଣୀ । ତା’ପରେ ବୋହୂକୁ ଆଉଥରେ ଭଲ କରି ଆଉଁସି ଦେଇ କାଞ୍ଚନଲତା ଦାଣ୍ଡଦୁଆର ଆଡ଼କୁ ଚାଲିଗଲେ । କେତେବେଳେ ଆସିବ ପୁଅ ! ହେଇ ଦୂରରେ କୋଉଠି ଜିପ୍‍ଗାଡ଼ି ଶବଦ ଶୁଭୁଚି ।

 

"ଆଲୋ କାଣିମା ।"

 

ତା’ପରେ ପାଖକୁ ଚାଲି ଆସି ତାକୁ ସେ ଫୁସ୍ ଫୁସ୍ କରି କହିଲେ । "ବାବୁ ଆସିଲେ ତାଙ୍କୁ ତୁ କିଛି କହିବୁନି । ମୁଁ ଉତ୍ତରାରାଙ୍କୁ ଡାକି ସବୁ କହିବି । ଆଲୋ, ସମୁଧୀ ଶୁଣିଲେ ମିଠେଇ ମାଗିବଲୋ କାଣିମା, ଆଲୋ ତତେପରା କୁଆଡ଼େ ମିଠେଇ ତିଆରି କରି ଆସେ । ହଁ ଉତ୍ତରରା ଘରେ ଥେଲୁ, କେତେ ସାଆନ୍ତିଆ କଥା ଶିଖିଥବୁ । ଆଜି ଉପରବେଳାକୁ ଲଡ଼ୁ, ଜିଲିପି କରିବୁ ତ । ଆଲୋ, କାମ କରିବାକୁ ବୋହୂକୁ ଡାକିବୁନୁ । ତା’ରି ପୁଅ ହବ–ସିଏ ପୁଣି ମିଠେଇ ତିଆରି କରିବ ନା !"

 

"କି କଥା ତମେ କହୁଚ ସାଆନ୍ତାଣୀ । ମୋର କ’ଣ ସେତକ ବୁଦ୍ଧି ନାଇଁ ।"

 

"ଆଲୋ, ତୋର ସିନା ବୁଦ୍ଧି ଅଛି । ମୋ ବୁଦ୍ଧି କ’ଣ ରହୁଚି । ଆଲୋ, କୀର୍ତ୍ତିର ମୋର ପୁଅହବ...ଆ ଛଡ଼ା ଆଉ କ’ଣ ମୁଁ କିଛି ଭାବିପାରୁଚି ? ତୁ ଜାଣିଚୁ କାଣିମା, କେତେ କଷ୍ଟରେ ମୁଁ କୀର୍ତ୍ତିକି ମଣିଷ କରିଚି ତୁ ଜାଣିଚୁ ? ଦେଶ ଦୁନିଆରେ ଏତେ କଷ୍ଟ କିଏ କରି ନଥବ, କୀର୍ତ୍ତିକି ଯେତେବେଳେ ମୋଟେ ଆଠବର୍ଷ ତା’ ବାପ ମରିଗଲା..." ।

 

ଆଉ କଥା କହିପାରିଲେନି କାଞ୍ଚନଲତା । ଆଖିରେ ଲୁହ ଭରି ଆସିଲା, କିନ୍ତୁ ସେ କାନ୍ଦିଲେନି । ଆଜି ଶୁଭଦିନରେ ସେ କାନ୍ଦିବେନି ।

 

ବ୍ଲକ୍ ଅଫିସ୍ ଠଉଁ ଉତ୍ତରରାଙ୍କ ଘର ବାଟ ଦି’ ମାଇଲ ହବ । ଏଥିଭିତରେ କନକମଞ୍ଜରୀ ବାପଘରୁ ଫେରିଆସିଚି । ଶାଶୁଘରେ ପହଞ୍ଚି ସଦ୍ୟ ବିବାହିତା ସାନଭଉଣୀ ପ୍ରବାଳମଞ୍ଜରୀର ପିଲାଝିଲା ହବା କଥା ଶୁଣି ସେ ପହିଲୁ ଟିକେ ଥକ୍କା ମାରିଗଲା । ପର ମୁହୂର୍ତ୍ତରେ କ’ଣ ଭାବି ହଠାତ୍ ଆନନ୍ଦରେ କୁଲୁରି ଉଠିଲା । "ଆଜିକାଲି ଲୋ ମା’, ସବୁରି ଘରେ ପିଲା; ଆଗେ ଆମବେଳେ ପୁଅ ଝିଅଟିଏ ଲାଗି ଦିଅଁଦେବତା ପୂଜି ପୂଜି ବେଳ ସରୁ ନଥିଲା । ...ହଉ ଭଲହେଲା; ପ୍ରବାଳର ପିଲା ହବ, ଭାରି ଆନନ୍ଦର କଥା । ଶାଶୁଘରକୁ ଆସୁ ଆସୁ ବିଧାତା ତାକୁ କଇଲାଣ କଲା । ସତ କହିବାକୁ ଗଲେ ସେ ବି.ଡ଼ି.ଓ. ବାବୁଙ୍କ କପାଳ ଭାରି ଭଲ । ଶୁଣିଚ ବୋହୂ, ଶଶୁର ତମର ଯାଇଥିଲେ ଯେ ପ୍ରବାଳର ଶାଶୁ ତାଙ୍କୁ ଥାଳିଏ ମିଠେଇ ଖାଇବାକୁ ଦେଲା । ଗୋଡ଼ ଆଉ ତାଙ୍କର ତଳେ ଲାଗୁନେଇଁ...ଦିନେ ଆଇଥେଲା କାଣିମା, ତାଙ୍କ ବିଷୟରେ କେତେକଥା କହୁଥିଲା...ପ୍ରବାଳର ଶାଶୁଟି ବିଚରା ଭାରି ଭଲଲୋକ...ଏକା ପୁଅଟିଏ ହବ କି, ଉତ୍ତରାଙ୍କ ନାଁ ରହିବ...ପ୍ରବାଳକୁ ସେଇ ଆଣି ଏଠି ଛନ୍ଦିଲେ ନା..."

 

ଶାଶୁଙ୍କ ତୁଣ୍ଡରୁ ଏକାଥରକେ ଏତେକଥା ଶୁଣିବ ବୋଲି କନକମଞ୍ଜରୀ ଭାବି ନଥିଲା । ଏ କଥା ଭିତରେ ଭଲ ନା ମନ୍ଦ, କ’ଣ ଅଛି ସେ ଯେମିତି ହଠାତ୍ ଠଉର କରିପାରିଲାନି । କୋଳରେ ଧରିଥିବା ତିନିବର୍ଷର ପୁଅ ପ୍ରମୋଦର ପାଟିରେ ଗୋଟା ଚକୋଲେଟ୍ ପୂରେଇ ଦେଇ ସେ କହିଲା–

 

"ବୋଉ, ଆମ ବିଦୁଅପାଙ୍କର ପରା ବା'ଘରର ପହିଲୁବର୍ଷରେ ଝିଅ ହେଇଥିଲା ?"

 

ଶାଶୁ ଲବଣୀ ଦେଈ ବୋହୂ ମୁହଁକୁ ଥରେ ଅନେଇଦେଲେ । ତା’ପରେ ହସି ହସି କହିଲେ–

 

"ତମେ ମୋ କଥା ଅଙ୍ଗୁଟୁ ବୁଝିଲ କି ବୋହୂ, ବିଦୁ କ’ଣ ମୋର ଝିଅ, ଆଉ ପ୍ରବାଳ ଝିଅ ନୁହେଁ । ଆମ ଆଗରେ ପୁଅ ଝିଅଙ୍କର ଉଜୁତି ହେଲେ ସେଥିରେ ଆମର ଖୁସି ହବାର କଥା । ହେଲେ ସଂସାର ସୁଖ ନ କରୁଣୁ ପିଲାଝିଲାରେ ଘାଣ୍ଟି ହେଇ ଝିଅଗୁଡ଼ାକ ଟିକେ ହାରି ଯାଆନ୍ତି । ବିଦୁ ତୋର କ’ଣ ହେଲା ଦେଖିଲ ନେଇଁ, ଗୋଟିଏ ଚାଉଳରେ ଗଢ଼ା, କିନ୍ତୁ ତା’ର କ’ଣ ସେ ଶୋଭା ଆଉ ରହିଲା । ତମ ଶଶୁରଙ୍କ ଠଉଁ ପ୍ରବାଳର ରୂପ କଥା ଯା ଶୁଣିଚି...ହଁ ତମେ କାଲି ଯାଇଁ ପ୍ରବାଳକୁ ଏଠିକି ଥରେ ଘିନିଆସ ବୋହୂ । ଆମର ତ ମଟର ଅଛି, ବାଟ କୋଶକର କଥା ।"

 

ଆଉ କିଛି କଥା ଧରିଲାନି କନକମଞ୍ଜରୀ । କେବଳ ଖୁସି ମନରେ କହିଲା, "ନାଇଁ, ଆମେ କାଲି ସମସ୍ତେ ଯିବା ପ୍ରବାଳ ଘରକୁ । ତାକୁ ଥରେ ଦେଖି ଆସିବା ଆଗେ । ତ’ପରେ ମୁଁ ଯାଇ ପ୍ରବାଳକୁ ଦିନେ ଘେନି ଆସିବି, ସେ ଏଠି ମୋ ସାଙ୍ଗରେ ପନ୍ଦର ଦିନ ରହିବ ।"

 

କନକମଞ୍ଜରୀର ଏ କଥାରେ ଶାଶୁ ସମ୍ମତି ଜଣେଇଲେ ।

 

କିଛିଦିନ ପରେ ସତକୁସତ କନକମଞ୍ଜରୀ ଯାଇ ପ୍ରବାଳମଞ୍ଜରୀକି ଘେନି ଆସିଲା ନିଜ ପାଖକୁ । ଆଉ ପ୍ରାୟ ମାସେ ଦେଢ଼ମାସ ପରେ ସେ ଭୁବନେଶ୍ୱର ଚାଲିଯିବ ସ୍ଵାମୀଙ୍କ ପାଖକୁ । ସେଥିଲାଗି ପ୍ରବାଳମଞ୍ଜରୀଙ୍କ ନିଜ ପାଖରେ ଦଶଟି ଦିନ ରଖି ତା’ ସାଙ୍ଗରେ ନିବିଡ଼ ଭାବରେ ହସଖୁସିରେ ଦିନ କାଟିଦେଲା କନକ । ସେହି ଦଶୋଟି ଦିନ ଭିତରେ ଅଦ୍ଭୁତ ଭାବରେ ବଦଳିଗଲା ପ୍ରବାଳମଞ୍ଜରୀର ମନୋଭାବ । ସେ ପାପିନୀ ନୁହେଁ, କଳଙ୍କିନୀ ନୁହେଁ, ଅସତୀ ନୁହେଁ; ସେ ସତୀ, ସାଧ୍ଵୀ, ସାବିତ୍ରୀ । ପୂର୍ବରୁ ଥରେ କୋଉଠି ସେ ଧୂଳିରେ ଖସି ପଡ଼ିଥିଲା, କିନ୍ତୁ ଆତ୍ମଗ୍ଳାନିରେ ସେ ଧୂଳିର ମଳିନତା ତା’ ଦେହରୁ ପୋଛି ହେଇଯାଇଚି । ସେ କାୟମନୋବାକ୍ୟରେ ଭଲପାଏ ତା’ର ସ୍ୱାମୀଙ୍କୁ । ତା’ର ଗର୍ଭରେ ଅଛି ସେହି ଧୂଳିର ମଳିନତା ? ନା, ସେ ଧୂଳିର ମଳିନତା ନୁହେଁ, ସ୍ୱର୍ଗ ପଥର ରତ୍ନ କଣିକା । ସେ ସ୍ୱର୍ଗୀୟ । ପୃଥିବୀରେ ଭୂମିଷ୍ଠ ହେଇ ସେ ହେବ ତା’ର ସ୍ୱାମୀର ଦାୟାଦ-। ସ୍ୱାମୀ କୀର୍ତ୍ତିରଞ୍ଜନ ତା’ର ଜୀବନର ସର୍ବସ୍ୱ ।

 

"ସ୍ୱାମୀ...ସ୍ୱାମୀ...ମୋର ପରମାରାଧ୍ୟ ସ୍ୱାମୀ !"

 

"ୟାଁ...କ’ଣ ହେଲା ? ତମେ ଏଇ ମଣିଷର ନାଁଟା ଘୋଷୁଚ କାହିଁକି ? ଦୁଷ୍ଟ ! ମୁଁ ଏଠି ପଢ଼ିଲେ ତମକୁ ଭଲ ଲାଗୁନି ?"

 

“ନା ! ଏଇଟା ପଢ଼ିବା ଘର ନୁହେଁ ।”

 

‘‘ତେବେ ଏଠୁ ଚାଲିଯାଇ ମୁଁ ଡ୍ରଇଂରୁମ୍‍ରେ ବସିବି ?”

 

“ନା ?”

 

“ଆଉ ?”

 

“ପଡ଼ିବନି ! କ’ଣ ପଢ଼ୁଚ ଶୁଣେ ?”

 

‘‘ତମେ କ’ଣ ପଢ଼ିଚ ମଞ୍ଜରୀ ?"

 

କିଛି ପଢ଼ିନି । ପଢ଼ିଚି କେବଳ ଦୁଇଟି ଅକ୍ଷର ‘ସ୍ୱାମୀ’ । ଆଉ ସ୍ୱାମୀ ପରମ ଗୁରୁ ବୋଲି ଜାଣିଚି ।

 

ବହିଟାକୁ ଟେବୁଲ୍ ଉପରେ ରଖିଦେଇ ଠୋଠୋ ହେଇ ହସିଲା କୀର୍ତ୍ତିରଞ୍ଜନ । ତା’ପରେ ଚୌକିରୁ ଉଠିଯାଇ ପଲଙ୍କ ଉପରେ ଲୀଳାୟିତ ଭଙ୍ଗୀରେ ଶୋଇଥିବା ରୂପସୀ ପତ୍ନୀର ଗଣ୍ଡରେ ଗୋଟିଏ ଗଭୀର ଚୁମ୍ବନ ଲେଖିଦେଇ କହିଲା–

 

"କୁସଂସ୍କାରଗ୍ରସ୍ତା ହିନ୍ଦୁ ରମଣୀ । ତମେ ମତେ ସ୍ନେହ କରିପାର, ସେଥିରେ ମୋ ମନରେ ଆନନ୍ଦ ହେବ । କିନ୍ତୁ ଭକ୍ତି କରନା, ସ୍ଵାମୀ ବୋଲି ମତେ ଗୋଟା ଅଦ୍ଭୁତ ଜୀବ ଭାବି ମନୁଷ୍ୟତ୍ଵର ଅପମାନ କରନା । ମୋର ଅମର୍ଯ୍ୟାଦା ହବ ସେଥିରେ ।"

 

“ହଁ, ଭଲ ହେଲା ତମେ କ’ଣ ପଢ଼ୁଥିଲ କହିଲ ?”

 

“ତମେ ଅନ୍ତଃସତ୍ତ୍ଵା, ପୁଣ୍ୟାର୍ଜ୍ଜନ ଲାଗି ମୁଁ ଧର୍ମଗ୍ରନ୍ଥ ପାଠ କରୁଥିଲି ।”

 

ହଠାତ୍ ବିଛଣାରୁ ଉଠିପଡ଼ି କୀର୍ତ୍ତିରଞ୍ଜନର ପାଦ ଛୁଇଁ ତାକୁ ବିନମ୍ର ଭାବରେ ନମସ୍କାର କଲା ପ୍ରବାଳମଞ୍ଜରୀ । ମନଟା ତା’ର କ୍ରମେ ଅସ୍ଵଚ୍ଛ ହେଇଗଲା । ମୁହଁରେ ମଳିନତା ଖେଳିଗଲା । ଟେବୁଲ ଉପରେ ଲ୍ୟାମ୍ପଟା ଆଗଭଳି ଖୁବ୍ ଜୋରରେ ଜଳୁଚି । ସ୍ଵାମୀ ପାଖରୁ ଆଡ଼େଇ ହେଇ ସେ ଦୂରକୁ ଅପସରି ଗଲା ।

 

‘‘ତମେ ପଢ଼ । ବୋଉ କାହିଁକି ଖୋଜୁଥିଲେ, ମୁଁ ତାଙ୍କ ପାଖରୁ ଟିକେ ଆସୁଚି ।"

 

ଏତିକି କହି ପ୍ରବାଳମଞ୍ଜରୀ ପିଣ୍ଡା ଆଡ଼କୁ ବାହାରିଯିବାକୁ ଉଦ୍ୟତ ହେଲା । କୀର୍ତ୍ତିରଞ୍ଜନ ଏ ସବୁର କାରଣ କିଛି ବୁଝିପାରିଲାନି। କ’ଣ ହେଲା, କ’ଣ ଆଉ ଭୁଲ୍ କଲା ସିଏ । ପ୍ରକୃତରେ ସେ ଗୋଟା ଇଂରେଜୀ ଗୋଏନ୍ଦା ଉପନ୍ୟାସ ପଢ଼ୁଥିଲା । କିନ୍ତୁ ସେ ତାକୁ ଧର୍ମଗ୍ରନ୍ଥ ପଢ଼ୁଥିଲା ବୋଲି ମିଥ୍ୟା କହିଚି । ତେବେ ସେ କଥା ତ ଆଉ ପ୍ରବାଳମଞ୍ଜରୀ ଜାଣିନି । ତାହାହେଲେ ସେ କ’ଣ ତା’ର ଅନ୍ତରର କଥା ବୁଝିପାରିଚି !

 

କୀର୍ତ୍ତିରଞ୍ଜନର ଏହି ଚିନ୍ତା ଭିତରେ ବାହାରକୁ ଚାଲିଗଲା ପ୍ରବାଳମଞ୍ଜରୀ । ଘରଭିତର ଭଳି ବାହାରେ ଆଲୋକର ପ୍ରଭାବ ନାହିଁ । ଦୂରରେ ଗୋଟା ଡିବିରି ରଖି କାଣିମା ଶିଳରେ ମସଲା ବାଟୁଚି । କିଏ ଜଣେ କଣ୍ଟ୍ରାକ୍ଟର ପଠେଇଚି ହରଡ଼ ଚଢ଼େଇ ମାଂସ । ତା’ରି ବ୍ୟଞ୍ଜନର ପ୍ରସ୍ତୁତିପାଇଁ ଚାଲିଚି ଆୟୋଜନ । ପ୍ରବାଳମଞ୍ଜରୀର ବାହାରକୁ ଆସିବା ପ୍ରତି କାଣିମାର ନଜର ନାହିଁ । ଅକସ୍ମାତ୍ ରୋଷେଇଘର ପଟୁ କାଞ୍ଚନଲତା ଦେଖିଲେ ବୋହୂକୁ । ଧାଇଁ ଆସି ସେ ତାକୁ ଧରି ପକେଇ କହିଲେ–

 

‘‘ଆଲୋ ତୁ ଅନ୍ଧାରରେ ଆସିଲୁ କୁଆଡ଼େ ?”

 

ଶାଶୁକୁ କୁଣ୍ଢେଇ ଧରିଲା ପ୍ରବାଳମଞ୍ଜରୀ, ଯେମିତି ସେ ଖୁବ୍ ନିରାଶ୍ରୟ ହେଇପଡ଼ିଚି । ପୁରୁଷ ନୁହେଁ, ଏ ନିରାଶ୍ରିତ ଅବସ୍ଥାରେ ତାକୁ କେବଳ ଆଶ୍ରୟ ଦେଇପାରେ ନାରୀ । ପାଟିରୁ ତା’ର ଗୋଟିଏ ଶବ୍ଦ ଫୁଟି ଉଠିଲା–

 

"ବୋଉ !!"

 

କିନ୍ତୁ ସେ ତା’ର ଅର୍ଥ କିମ୍ବା କାରଣ କିଛି ବୁଝିପାରିଲେନି । ବୋହୂକୁ ଦୁଇ ବାହୁର ବନ୍ଧନ ଭିତରେ ଖାଲି ଜାକିଧରିଲେ । ବୋହୂ ଯେମିତି ଖୁବ୍ ଅସୁସ୍ଥ ତାହା ଅନୁଭବ କଲେ କାଞ୍ଚନଲତା । ତାହାପରେ ବୋହୂକୁ ସେମିତି ବାହୁର ବନ୍ଧନ ଭିତରେ ଧରି ଧରି ରୋଷେଇଘରକୁ ନେଇଗଲେ ।

 

ଚୁଲିର ନିଆଁଧାସରେ ପ୍ରବାଳମଞ୍ଜରୀର ସ୍ୱର୍ଣ୍ଣାଭ ମୁଖମଣ୍ଡଳ ଉପରେ ରକ୍ତିମ ଆଭା ଫୁଟି ଉଠି ତାହାର ନାମକୁ ଅକ୍ଷରେ ଅକ୍ଷରେ ସାର୍ଥକ କରିଦେଲା । ବୋହୂର ମୁହଁକୁ ଏକଲୟରେ ଅନେଇ କାଞ୍ଚନଲତା ଭାବିଲେ–

 

"ବୋହୂ ଦିହରେ ମୋର ଲକ୍ଷ୍ମୀ ସରସ୍ୱତୀ ଏକ ହେଇ ଯାଇଚନ୍ତି । ଏମିତି ରୂପର ପସରା ଧରି ଅଛମର ହଉ ମୋ ବୋହୂ ।"

 

ଷୋହଳ

 

ଏହା ଭିତରେ ପ୍ରାୟ ଚାରି ପାଞ୍ଚ ମାସ ଗତ ହେଇଯାଇଚି । ପ୍ରବାଳମଞ୍ଜରୀର ବିଭାଘର ହୋଇଯିବା ପରେ ଜନ୍ମେଜୟ ମଙ୍ଗରାଜଙ୍କ ମୁଣ୍ଡରୁ ମସ୍ତ ଗୋଟାଏ ବୋଝ ଖସି ଯାଇଚି । ଭାଗ୍ୟଗଣନାର ମିଥ୍ୟାଜାଲରେ ପଡ଼ି କୋଳପୋଛା ସୁନ୍ଦରୀ ଝିଅର ଯେଉଁ ଦୁର୍ଭାଗ୍ୟ ସେ ନିଜ ହାତରେ ସୃଷ୍ଟି କରିଥିଲେ ତାହାର ନିରାକରଣରେ ମଙ୍ଗରାଜେ ଏବେ ପରମ ଆଶ୍ଵସ୍ତି ଅନୁଭବ କରୁଛନ୍ତି । ପ୍ରାୟ ପ୍ରତି ମାସରେ ପ୍ରବାଳମଞ୍ଜରୀ ଘରକୁ ଭାର ବେଭାର ପଠାଚାଲିଚି । ପ୍ରତି ମାସର ପୂର୍ଣ୍ଣମୀ ପଛକୁ ଅନ୍ୟ ପର୍ବପର୍ବାଣି ମଧ୍ୟ ରହିଚି, ସେ ସବୁ ଉପଲକ୍ଷ୍ୟରେ ବାରିକ ବେହେରା ସାଙ୍ଗକୁ ଭାଇମାନଙ୍କ ଭିତରୁ କିଏ ହେଲେ ଜଣେ ଯାଉଚି । ସବୁ ବ୍ୟବସ୍ଥା ପଛରେ ରହିଚି ସୁରେଶ୍ଵରୀ ଦେଈଙ୍କ ସୁସତର୍କ ଦୃଷ୍ଟି । ବଡ଼ପୁଅ ଉଦିତଚନ୍ଦ୍ର ଭଉଣୀ ବିଭାଘରକୁ ଆସି ପ୍ରାୟ ଦି’ ମାସର ଛୁଟି ଆଣି ଘରେ ରହିଥିଲା । ଦି’ ମାସ ଭିତରେ ଦି’ଥର ସେ ଘୋଡ଼ା ଛୁଟେଇ ଦେଇ ବୁଲି ଆସିଚି ପ୍ରବାଳମଞ୍ଜରୀ ଘରୁ । ପ୍ରତାପକେତନ ପରେ ଏବେ ନିକଟରେ ମୀନକେତନ ମଧ୍ୟ ସୁଷମାକୁ ଦୀର୍ଘ ସାତଟି ଦିନ ବିରହ ବେଦନାରେ ବ୍ୟଥିତ କରି ଭଉଣୀ ଘରେ ରହି ଫେରିଆସିଚି ।

 

ସମସ୍ତଙ୍କ ଭିତରେ ଆଗ୍ରହ ସୃଷ୍ଟି କରିଛି ପ୍ରବାଳମଞ୍ଜରୀର ପିଲା ହେବାର ସମ୍ବାଦ । ଏ ସମ୍ବାଦ ଏ ଗୃହକୁ ପ୍ରଥମେ ଦେଇଥିଲା କନକମଞ୍ଜରୀ । ସେହିଦିନୁ ମଙ୍ଗରାଜଙ୍କ ମନରେ ଅପାର ଆନନ୍ଦ ଜାତହେଇଚି । ବାସ୍ତବିକ ସେ ଭାଗ୍ୟବାନ ପୁରୁଷ, ହୁଏତ ତାଙ୍କ ମଧ୍ୟବିତ୍ତର ସମୃଦ୍ଧିରେ କ୍ଷୟର ଧକ୍କା ଖୁବ୍ ଜୋରରେ ଆସି ଲାଗିଚି, ତଥାପି ଧନ–ଜନ–ଗୋପ–ଲକ୍ଷ୍ମୀରେ ଆଜି ମଧ୍ୟ ସେ ଐଶ୍ଚର୍ଯ୍ୟବାନ୍ । ପ୍ରବାଳମଞ୍ଜରୀକି ସେ ଭଲ ପାଆନ୍ତି ସମସ୍ତଙ୍କଠାରୁ ଅଧିକ, ସେଥିଯୋଗୁଁ ସନ୍ତାନ ସମ୍ବାବନାର ସମ୍ବାଦ ଆନନ୍ଦ ଦେଇଚି ତାଙ୍କୁ ଖୁବ୍ ବେଶି । କିନ୍ତୁ ସୁରେଶ୍ଵରୀ ଦେଈ ମନର ଆନନ୍ଦ ଭିତରେ କେମିତି ଟିକେ ଉତ୍ତେଜନାର ଅଭାବ ଅନୁଭବ କରୁଥିଲା ଭଳି ଜଣାଯାଏ । ମାତ୍ର ସେଥିରେ ସେ ଦବିଯାଇ ନାହାନ୍ତି । ମାସକୁ ମାସ ଝିଅର ଖବର ନେଉଚନ୍ତି ଲୋକ ପଠେଇ । ସାତଦିନ ତଳେ ଫେରିଥିବା ମୀନକେତନଠାରୁ ଝିଅର ସବୁ ଖବର ଭଲ ବୋଲି ଜାଣି ମନ ତାଙ୍କର ଖୁବ୍ ନିର୍ଭୟ ହେଇଯାଇଚି । ଯେତେବେଳେ ଯେଉଁ ଦିଅଁଦେବତାଙ୍କ ନାଁ ତାଙ୍କ ମନରେ ପଡ଼ୁଚି ସମସ୍ତଙ୍କୁ ମନାସ ଯାଚି ତାଙ୍କ ଶରଣ ପଶୁଚନ୍ତି...ପହିଲୁ ଗର୍ଭ–ବାଳବାଛ ଝିଅ ମୋର ଏ ବୋଝରୁ ସୁଖରେ ଖଲାସ ହେଇଯାଉ ।

 

"ହଁ, କ'ଣ ଦିଆହବ କହିଲ ପ୍ରବାଳର ପୁଅ ହେଲେ ?"

 

ମଙ୍ଗରାଜଙ୍କ ପ୍ରଶ୍ନ । ତାଙ୍କ ମୁହଁକୁ ଚାହିଁଲେ ସୁରେଶ୍ଵରୀ । ଏତିକିବେଳୁ ଏତେ ପାଞ୍ଚ ହଉଚି କାହିଁକି । କ’ଣ ଏମିତି ଘୋଡ଼ା ହାତୀ ନାଗିବ ଯେ....

 

ମନରେ ଏକଥା ଭାବିଲେ ମଧ୍ୟ ସେ ମୁହଁରେ କିଛି ଉଠେଇଲେନି । ମଙ୍ଗରାଜ ପୁଣି ସେହି ପ୍ରଶ୍ନର ପୁନରାବୃତ୍ତି କଲେ । ପୁଣି ଅନେଇଲେ ସୁରେଶ୍ଵରୀ ତାଙ୍କ ମୁହଁକୁ ।

 

"ନାଇଁ, ଏତେ ଆଗରୁ ତମେ କିଛି ପାଞ୍ଚନା । ଝିଅ ମୋର ଆଗେ ଖଲାସ ହଉ ।"

 

"ହଁ ସତ କଥା !"

 

ମଙ୍ଗରାଜ ଗୋଟା ଦୀର୍ଘ ନିଃଶ୍ୱାସ ଛାଡ଼ିଲେ । ଭାଦ୍ର ମାସର ଅଧାଅଧି ବେଳ । ଦୋମହଲା କୋଠରୀର ଝରକା ଫାଙ୍କରୁ ଆକାଶ ଉପରେ ଦୃଷ୍ଟି ରଖିଲେ ଜନ୍ମେଜୟ । ଶରତ୍‍ର ଚଳିଷ୍ଣୁ ମେଘପଟଳ ଦେହରୁ ଟୋପା ଟୋପା ଜଳବିନ୍ଦୁ ଝରି ପଡ଼ୁଥାଏ । ବୟସ ବଢ଼ି ଯାଇଥିଲେବି ଦୃଷ୍ଟିଶକ୍ତି ଏବେ ମଧ୍ୟ ତାଙ୍କର ବିଶେଷ ଖରାପ ହେଇନି । ସେହି ଜଳବିନ୍ଦୁଗୁଡ଼ିକୁ ସେ ଲକ୍ଷ୍ୟ କରିବାକୁ ଲାଗିଲେ । ଭାବିଲେ, ଆଷାଢ଼ ଆଉ ଆଜିର ଏଇ ଭାଦ୍ରବର ଜଳବିନ୍ଦୁ ଭିତରେ ଯଥେଷ୍ଟ ପ୍ରଭେଦ ରହିଚି, ଦୁଃଖ ଓ ଆନନ୍ଦର ଅଶ୍ରୁବିନ୍ଦୁର ପାର୍ଥକ୍ୟ ଭଳି । ଆଜି ଯେମିତି ଆକାଶରୁ ଆନନ୍ଦର ଅଶ୍ରୁବିନ୍ଦୁ ଝରି ପଡ଼ୁଚି ଦେବତାର ଆଶୀର୍ବାଦ ଧରି । କିନ୍ତୁ ଦେବତାର କି ଆଶୀର୍ବାଦ ଅଛି ଏଇ ଜଳବିନ୍ଦୁ ଭିତରେ ? ବଡ଼ ସମସ୍ୟାରେ ପଡ଼ିଲେ ସେ ଏହିଭଳି ଏକ ଚିନ୍ତା ଭିତରକୁ ଚାଲିଯାଇ । ବର୍ଷା ନା ଶରତ୍‍ର ଜଳବିନ୍ଦୁ ଭିତରେ ରହିଚି ଦେବତାର ଆଶୀର୍ବାଦ ! ଧରଣୀକି ଶସ୍ୟଶ୍ୟାମଳା କରି ତାକୁ ପୁଣି ବନ୍ୟାରେ ନିଶ୍ଚିହ୍ନ କରିବା ଭିତରେ ଦେବତାର କି ଆଶୀର୍ବାଦ ରହିଚି ? ଅଶ୍ରୁ ସୃଷ୍ଟି କରିବାରେ ଦେବତାର କି ଆନନ୍ଦ ରହିଚି...କି ଅଭିପ୍ରାୟ ମଧ୍ୟ ? ପୃଥିବୀ କି ସୁଜଳା ସୁଫଳା କରିବାପାଇଁ ବର୍ଷା ଆଉ ଶରତ୍‍ର ଜଳ ବିନ୍ଦୁରେ ଆସେ ଦେବତାର ଆଶୀର୍ବାଦ । ଆଉ, ବନ୍ୟା, ଦୁର୍ବିପାକ ସୈତାନର ସୃଷ୍ଟି । ଶରତ୍‍ରେ ସେଥିପାଇଁ କରାଯାଏ ଦେବୀଙ୍କର ଆରାଧନା ।

 

ଦଶହରା ଦୁର୍ଗାପୂଜାରେ ମାତିବାରେ ଆମର କିଛି ଭୁଲ୍ ନାହିଁତ ଉଦିତ ବୋଉ ?"

 

ହଠାତ୍ ଏକ ଅନାକାଂକ୍ଷିତ ପ୍ରଶ୍ନ । ଚମକି ପଡ଼ିଲେ ମଙ୍ଗରାଜଙ୍କ ସ୍ତ୍ରୀ । ଏଇଖିଣି ଝିଅ କଥା ଗପୁ ଗପୁ ଯାଇ ଦଶରା ଭିତରେ ପଶି ଗଲେଣି । ବୁଢ଼ା ହେଲେ ପଛେ ଖର୍ଚ୍ଚ ଆଉ ମଉଜ ମଜଲିସ୍‍ର ଝୁଙ୍କି ୟାଙ୍କର ଛାଡ଼ିଲା ନାହିଁ ।

 

"ଆଉ ଦଶରା କଥା ତମେ ଉଠାନା । ଝିଅ ବା'ଘରତ ସଇଲା, ଏଥର ପିଲାଙ୍କ ଉନ୍ନତି କଥା ଭାବ । ଜମିଦାରୀ ତ ଗଲା, ରହିଲା ଖାଲି ଯା ହାତ ଚାଷ ଜମି । ସେତିକି ସମ୍ପତ୍ତିକି ଖାଇବାକୁ କୁଟୁମ୍ବ କେତେ ହେଲେଣି ମନେ ପଡ଼ୁଚି ତ । ମିତ ଆଉ ଚିତ୍ରତ ବା'ହେଇ ନାହାନ୍ତି, ତାଙ୍କ କଥା ଛାଡ଼..."

 

"ଛାଡ଼ିଲେ କେମିତି ହବ ?"

 

"ଧର ଏବେ ସମସ୍ତଙ୍କ କଥା, ମୁଁ କ’ଣ ମନା କରୁଚି । ...ମିତ୍ର ହୁଏତ ଆଉ ଚାରିବର୍ଷରେ ବା' ହବ; ହେଲେ ଚିତ୍ରପେଇଁ ତମେ କିଛି ପାରିବନି ।"

 

ମଙ୍ଗରାଜେ ଅନାସକ୍ତ ଭାବରେ କହିଲେ, "ସେ ଯେତେଦିନ ଲାଗୁ, ତା’ ପେଇଁତ ପୁଣି ଆମର କର୍ତ୍ତବ୍ୟ ରହିଚି । ...ହଁ, ମୁଁ ଭାବୁଚି କ’ଣ ଜାଣିଚ, ତମର ଜମି ବଣ୍ଟୁରା କଥା ମୁଁ ଭାବୁଚି, ମୁଁ ଭାବୁଚି ଏ ବଂଶର ଦୀପ ଜାଳିବ କିଏ ? ଉଦିତ କଥା ଛାଡ଼..."

 

"କ’ଣ ଏମିତି ପାଗଳ ଭଳି କହୁଚ ?" ସାମାନ୍ୟ ଅସହିଷ୍ଣୁ ହେଇ କହିଲେ ସୁରେଶ୍ଵରୀ ଦେଈ ।

 

"ଉଦିତ ମୋର ବଡ଼ପୁଅ, ସେ ଧନୀ ତାଲବର...ଏ ବଂଶର ଦୀପ ଜାଳିବ ଉଦିତ !"

 

"ଉଦିତ ମୋରବି ବଡ଼ପୁଅ ସୁରେଶ୍ଵରୀ । ହୁଏତ ପଚାଶ ଷାଠିଏ ହଜାର କାହିଁକି, ଲକ୍ଷେ ଯାଏଁ ଟଙ୍କା ସିଏ ରଖିଚି । କେତେ ଉପାୟରେ ସେ ଟଙ୍କା ରୋଜଗାର କରେ, ସେ ସବୁ କଥା ମୁଁ କିଛି କିଛି ଅନୁମାନ କରିଚି...ଶୁଣିଚିବି । ବେଳେବେଳେ ଗୋଟା ଗୋଟା ଠିକାଦାରଙ୍କ ଠଉଁ ଦଶ କୋଡ଼ିଏ ହଜାର ସେ ଫାଇଦା କରେ, ନିହାତ କମ୍‍ରେ ଦଶ ପନ୍ଦରଟା ଦଫାର ରୋଜଗାର ହେଲେ ଲକ୍ଷେ ହେଲା । ତା’ ସାଙ୍ଗକୁ ସାଢ଼େ ସାତଶ ଟଙ୍କା ଦରମା । ...ହଁ, ଭୁଲ୍ ହେଲା ଉଦିତ ବୋଉ, ତମ ବଡ଼ପୁଅର ପାଣ୍ଠି ଟଙ୍କା ଦେଢ଼ ଲକ୍ଷରୁ କମ୍ ହବନି... ।"

 

ପ୍ରଚୁର ଆନନ୍ଦରେ ଅଧୀର ହେଇ ସୁରେଶ୍ଵରୀ କହିଲେ, "କ’ଣ କହୁଚ ?"

 

"ହଁ ଶୁଣ, ସେ କଥା ଆମ କଥାଭାଷାର ବିଷୟ ନୁହେଁ । ...ମୋର ଶେଷ ଝିଅ, ତା’ର ସବା ସାନ ଭଉଣୀ, ସେଇ ପ୍ରବାଳମଞ୍ଜରୀ ବା' ହେଲା, ସେଥିପାଇଁ କିଛି କ’ଣ ଖର୍ଚ୍ଚ କରିପାରି ନଥାନ୍ତା ଉଦିତ ! ତମେ ଏଠି ଆଉ କିଛି ଯୁକ୍ତି କରନା, ମନେରଖ, ଉଦିତ ମୋର ମଧ୍ୟ ପୁଅ । ...ହଁ ତମେ କହୁଚ ସେଇ ଉଦିତ ଏ ବଂଶର ଦୀପ ଜାଳିବ । ବିନା ପଇସା ଖର୍ଚ୍ଚରେ ଦୀପ ଜଳେନା ଉଦିତ ବୋଉ । ଯୋଉ ନାଟତାମସା...ପର୍ବପର୍ବାଣିର ଆଡ଼ମ୍ବର ବାପାଙ୍କ ଅମଳରୁ ଏଠି ଚାଲି ଆସିଥିଲା ସେ ସବୁ ସେଇ ଦୀପ ଜାଳିବାର ଅଂଶ । ସେ ସବୁ ନ କରିଥିଲେ ତମକୁ କିଏ କାହିଁକି ଏ ଅଞ୍ଚଳରେ ମନେ ରଖନ୍ତା...ରାଧାଶ୍ୟାମ ନରେନ୍ଦ୍ର ମରି ଭସ୍ମ ହେଇ ଯାଇଚନ୍ତି...ଗୋଲଖବାବୁବି ନାହାନ୍ତି...କିନ୍ତୁ ଲୋକେ ତାଙ୍କ କଥା ଆଜି ମଧ୍ୟ କଥା ପଡ଼ିଲେ କହୁଚନ୍ତି । ...ମୁଁ କହୁନି ନାଟତାମସା କରି ବଂଶର ଦୀପ ଟେକି ରଖିବାକୁ । ମୁଁ ଜାଣେ, ଏ ଯୁଗରେ ସେ ସବୁ ଆଉ ଚଳିବନି...ସେଥିପାଇଁ ନୂଆ ଦୀପ ଜାଳିବାର ବାଟ ଧରିବାକୁ ପଡ଼ିବ...ନାଟତାମସାର ଆଡ଼ମ୍ବର ଭିତରେ ଆମେ ଯୋଉ ଦାନ ଖଇରାତର ବ୍ୟବସ୍ଥା ରଖିଥିଲୁ ସେ କଥା ତମେ ଭୁଲି ଯାଆନା ଉଦିତ ବୋଉ ! ଅବଶ୍ୟ ମୋ ଅମଳରେ ଟିକେ କମି ଯାଇଥିଲା, କିନ୍ତୁ ବାପାଙ୍କ ଅମଳରେ ଏ ଦାଣ୍ଡରେ ପର୍ବପର୍ବାଣିରେ କେତେ ଲୋକ ଖାଉଥିଲେ ତମେ ଆଖିରେ ଦେଖିଚ..."

 

"ତମେ ତାହାହେଲେ କ’ଣ କହୁଚ ?"

 

"ମୁଁ କହୁଚି, ତମ ବଡ଼ପୁଅ ଖୁବ୍ ଧନୀ ହେଲେବି ପଇସା ଖର୍ଚ୍ଚ କରି ଏ ବଂଶର ଦୀପ ଜାଳି ପାରିବନି ।"

 

ସୁରେଶ୍ଵରୀ ଦେଈ କଡ଼ଲେଉଟେଇଲେ ଖଟ ଉପରେ । ମେଦବହୁଳ ପୃଥୁଳ ନିତମ୍ବ ଉପରେ ସୁନା ଚନ୍ଦ୍ରହାରରେ ଲାଗିଥିବା ଚାବିପେନ୍ଥାଟା ସାମାନ୍ୟ ରଣଝଣ ଶବ୍ଦ କଲା । ତକିଆତଳୁ ପାନଖଣ୍ଡେ ଆଣି ଗାଲଭିତରକୁ ଠେସି ଟିକିଏ ସାହସ ବାନ୍ଧି କହିବାକୁ ଚେଷ୍ଟାକଲେ । ସେ ପର୍ଯ୍ୟନ୍ତ ବେତର କୁର୍ଚି ଉପରେ ଏକଲୟରେ ବସିଥାନ୍ତି ଜନ୍ମେଜୟ ।

 

"ହଁ, ଉଦିତ ଧନୀ ହେଇ ରହିଲେ କ’ଣ ସେଇଥିରେ ମଙ୍ଗରାଜ ବଂଶର ଟେକ ରହିବନି-। ହେଇ...ତେଲୀ ସାହିରେ..."

 

"ଓ...ତମେ ବୁରୁନ୍ଦ ସାଉଙ୍କ କଥା କହୁଚ..."

 

ଖୁବ୍ ଉଚ୍ଚରେ ହସି ଉଠିଲେ ମଙ୍ଗରାଜେ । ପାଖରେ ଥୁଆ ହେଇଥିବା ଆଲବାଲା ହୁକାର ନଳୀଟାକୁ ଧରି ଦି’ ଭୁଡ଼ୁକା ଧୂଆଁ ଟାଣିଲେ ।

 

"ଜାଣିଲ, ଉଦିତ ବୋଉ, ଖାଇବା ଆଗରୁ ଲୋକେ ବୁରୁନ୍ଦ ସାଉଙ୍କ ନାଁ ଧରନ୍ତିନି । ଉଦିତ ପଇସା ରଖି ବୁରୁନ୍ଦ ସାଉ ହବ...ହଉ,...ସେ ମୋର ଦାୟାଦତ୍ୱ ପାଇପାରେ...କିନ୍ତୁ ମଙ୍ଗରାଜ ବଂଶର ପରିଚୟ ପତ୍ର ପାଇପାରିବନି । ସେଥିଲାଗି ମୁଁ ମିତ୍ରଭାନୁ ଓପରେ ଆଶା ବାନ୍ଧିଛି । ପ୍ରତାପ କଥା ଛାଡ଼, ସେ ହବ ଗୋଟା ଟାଉଟର...ରାଜନୀତିଆ ଧପ୍ପାବାଜ...କିନ୍ତୁ ବଞ୍ଚିଯିବ ସିଏ...ହୁଏତ ଏ ଅଞ୍ଚଳରୁ ଦିନେ ସିଏ ଲାଟସଭାକୁ ଯାଇପାରେ..."

 

"ଆମ ପ୍ରତାପ...ଦିନେ ଲାଟସଭା ମେମ୍ବର ହବ ?"

 

"ସେଇଟା ବଡ଼କଥା ନୁହେଁ...ସେଥିରେ ଖୁସି ହବାର କିଛି ନାହିଁ ।"

 

"ତାହାହେଲେ ଦୀପ ଜାଳିବ ପ୍ରତାପ ।"

 

"ନା ।"

 

"କ’ଣ କହିଲ ! ମତେ ତ ତାଟକା ଲାଗୁଚି ତମ କଥା ।"

 

"ଉତ୍ତେଜନାରେ ସୁରେଶ୍ଵରୀ ଦେଈ ଖଟ ଉପରେ ବସିପଡ଼ିଲେ । ଫାଳେ ଲୁଗା ଗୋଟେଇ ହେଇଗଲା ଜଙ୍ଘରୁ । ମାଂସଳ ସ୍ତନ ଦି’ଟା ଲଦି ହେଇପଡ଼ିଲା ପେଟ ଉପରେ । ସାଜିସୁଜି ହେଇ ବସି ସେ ପୁଣି କହିଲେ...

 

"ଦୌଲତପୁର ଗୁଣ ମାହାନ୍ତି କ’ଣ ଡିଷ୍ଟ୍ରିକ୍ଟ ବୋର୍ଡ଼ ହେଇଚି ଯେ ତା’ ନାଁ କାହିଁରେ କ’ଣ ପଡ଼ୁଚି...ଆଉ ମୋ ପୁଅ ନାଟସଭାକୁ ଗଲେବି ସେ ତମ ଆଖିରେ କିଛି ନୁହେଁ ।"

 

ସ୍ତ୍ରୀଙ୍କ ଏ କଥାର କିଛି ଉତ୍ତର ଦେଲେନି ମଙ୍ଗରାଜେ । କେତେବେଳ ଯାଏଁ ଖାଲି ଭୁଡ଼ୁଭୁଡ଼ୁ କରି ଧୂଆଁ ଟାଣିଲେ । କ’ଣ କହି ସେ ନିଜର ଦୃଷ୍ଟିଭଙ୍ଗୀ ବୁଝେଇବେ ଏଇ ସ୍ତ୍ରୀଲୋକକୁ । ସଂସ୍କୃତି କ’ଣ ଲାଟସଭା, ଡିଷ୍ଟ୍ରିକ୍ଟ ବୋର୍ଡ଼ରେ ଅଛି ? ସେଇଠି ବସି ଆସିଲେ ଏ ବଂଶର ଧ୍ୱଜା ଟେକିବ ପ୍ରତାପ । ସେ ପୁଣି ସମସ୍ୟାରେ ପଡ଼ିଲେ । କେତେବେଳକେ ତାଙ୍କ ପାଟିରୁ ବାହାରି ପଡ଼ିଲା ମୀନକେତନର ନାଁ ।

 

"ହଁ, ମୀନ ଆମର ସୁନା...ତମେ ସେ କଥା କହୁନା । ମୀନର ସ୍ତ୍ରୀ ସୁଷମା କଥା ତ ତମେ କିଛି ଜାଣିନା । ଭାରି ଭଲ ପିଲା । ଏତେଦିନ ହେଲା ଏ ଘରକୁ ବୋହୂ ହେଇ ଆସିଲାଣି, ଦିନେ ହେଲେ ତୁଣ୍ଡ ଓଲଟେଇ କଥା କହିଚି..."

 

"ସେଇଟାଇ ହେଲା ମୀନକେତନ ପକ୍ଷରେ କାଳ । ଯଦି ସୁଷମା ତାକୁ ଚାବୁକ୍ ମାରି ପାରନ୍ତା ତାହାହେଲେ ମୀନକେତନ ହୁଅନ୍ତା ମଣିଷ । କିନ୍ତୁ ସେ କଥା ହବନି । ମୀନକେତନ କିଛି ହବନି । ମଣିମାଣିକ୍ୟ ଖଚିତ ଗୋଟିଏ ଅର୍ଦ୍ଧସ୍ତମ୍ଭ, ପୂର୍ଣ୍ଣତା ପାଇବା ପରିବର୍ତ୍ତେ ଶେଷକୁ ଅକର୍ମଶିଳାରେ ପରିଣତ ହେଇଯିବ । ସେଥିଲାଗି ମୁଁ ଏବେ ଆଖି ରଖିଚି ମିତ୍ରଭାନୁ ଉପରେ..."

 

ଖୁବ୍ ରୋକ୍‍ଠୋକ୍ ଜନ୍ମେଜୟଙ୍କ ଏ କଥାଗୁଡ଼ାକ ।

 

ଏହି ସମୟରେ ଦୂରରେ ତୋଟା ଆରପଟେ ଖୁବ୍ ପାଟି ଶୁଭିଲା । ଝରକା ପାଖକୁ ଉଠିଯାଇ ମଙ୍ଗରାଜେ ଦେଖିଲେ, ସ୍କୁଲ୍‍ ପିଲାଗୁଡ଼ାକ ଦଳଦଳ ହେଇ ବୁଲି ଖୁବ୍ ଜୋରରେ ପାଟିତୁଣ୍ତ କରୁଚନ୍ତି । ଜଣେ ଜଣେ ବଡ଼ ପିଲା ତା’ ଭିତରେ କ’ଣ ଧ୍ଵନି ଦେଲାଭଳି ଶୁଣାଯାଉଚି । ମଫସଲ ଗାଁରେ ଖଣ୍ଡେ ବୋଲି ହାଇସ୍କୁଲ୍‍, ଗାଁ ଯୁବକମାନଙ୍କ କେତେ ସାଧ୍ୟ ସାଧନାରେ ହେଇଚି । ସେଠି ପୁଣି କି ଗଣ୍ଡଗୋଳ ! କିଛି ସେ ହଠାତ୍ ଭାବିପାରିଲେନି । ଏତିକିବେଳେ ଦୁମ୍‍ଦୁମ୍ ହେଇ ପାହାଚରେ ଛୁଟି ଆସିଲା ଚିତ୍ରଭାନୁ । ଅଣନିଃଶ୍ୱାସୀ ହେଇ ଘରଭିତରେ ପଶି ପାଟିକରି କହିଲା–

 

"ଷ୍ଟ୍ରାଇକ୍...ଷ୍ଟ୍ରାଇକ୍ ।"

 

ମଙ୍ଗରାଜେ ଅବାକ୍ ହେଇ ଅନେଇଲେ ତା’ ମୁହଁକୁ । ସେ ଯେମିତି ଜନ୍ମେଜୟ ମଙ୍ଗରାଜଙ୍କ ଏକ ଅବିକୃତ କ୍ଷୁଦ୍ର ସଂସ୍କରଣ । ତାକୁ ଦେଖିଲେ ସହଜରେ ଯେକୌଣସି ଲୋକ ଉପଲବ୍ଧି କରିବ, ଯେପରି କି ଏମିତି ମଙ୍ଗରାଜେ ଥିଲେ ପିଲାଦିନେ । ପିତାଙ୍କ ଜିଜ୍ଞାସାକୁ ଲକ୍ଷ୍ୟ କରି ଚିତ୍ରଭାନୁ ଏକ ସଂପ୍ରସାରିତ ପୂର୍ଣ୍ଣ ବାକ୍ୟ କହିଲା–

 

"ଆମ ଇସ୍କୁଲ୍‍ରେ ଷ୍ଟ୍ରାଇକ୍ ହେଇଚି ବାପା !"

 

"ଛାତ୍ରମାନଙ୍କ ପକ୍ଷରେ ଷ୍ଟ୍ରାଇକ୍ କିମ୍ଵା ଧର୍ମଘଟ କରିବା ଅନ୍ୟାୟ ।"

 

"ସବୁ ପିଲା ଯୋଗ ଦେଇଚନ୍ତି ଷ୍ଟ୍ରାଇକ୍‍ରେ; ମୁଁ ସ୍କୁଲ୍‍ର କିରାଣି ହେଲେବି ମୋର କର୍ତ୍ତବ୍ୟ ଏଥିରେ ଅଛି ବୋଲି ଭାବୁଚି । ବିନା କାରଣରେ ସାଇନ୍‍ସ ସାର୍‍ଙ୍କୁ ବାହାର କରିଦବା କ’ଣ ଅନ୍ୟାୟ ନୁହେଁ ?"

 

ପୁଅର କଥା ଶୁଣି ମଙ୍ଗରାଜେ ଯେମିତି ଖୁସି ହେଲେ । ଚିତ୍ରଭାନୁ ପିଠିରେ ହାତ ଥାପୁଡ଼େଇ କହିଲେ, "ସାଇନ୍‍ସ ସାର୍‍ଙ୍କ ସ୍ୱାସ୍ଥ୍ୟ ଖରାପ, ସେଥିଯୋଗୁଁ ତାଙ୍କୁ ବାହାର କରି ଦିଆଯାଇଛି । ଅନ୍ୟାୟ କିଛି କରାଯାଇନି ।"

 

"କିନ୍ତୁ ସେ ଭାରି ଭଲଲୋକ । ଭଲ ତ ପଢ଼େଇ ପାରୁଚନ୍ତି । ଦେହ ଆଉ କ’ଣ ଖରାପ ହେଇଚି ?"

 

"ହେଲା, ଆଉ ଜଣେ ଭଲଲୋକ ଆସିବେ । କିନ୍ତୁ ତମ ସାଇନ୍‍ସ ସାର୍‍ଙ୍କ ଦେହ ଯାହା ଖରାପ ହେଇଚିନା, ସେଥିରେ ସେ କ୍ଲାସ୍‍କୁ ଯିବା ଉଚିତ ନୁହେଁ । ସେଥିରେ ପିଲାମାନଙ୍କର ଅନିଷ୍ଟ ହବ ।"

 

ଏଥିରୁ କିଛି ବୁଝିଲାନି ଚିତ୍ରଭାନୁ । ଏଥିର ଚାଲିଲା ମା’ ସାଙ୍ଗରେ ତା’ର ଅଳି ।

 

"ବୋଉ, ତୁ ବାପାଙ୍କୁ କ'...ବାପା ସେକ୍ରେଟେରୀ...ସେ ସାଇନ୍‍ସ ସାର୍‍ଙ୍କୁ ରଖିବେ ।"

 

କହି କହି ବୋଉକୁ ହଲେଇବାକୁ ଲାଗିଲା । ହସି ହସି ସୁରେଶ୍ଵରୀ ଦେଈ କହିଲେ–

 

"ଆରେ କି ପାଗଳା କଥା...ଇସ୍କୁଲ୍‍ କଚିରି କଥା କ’ଣ ମାଇପଙ୍କ ହାତରେ...ବାପା ପରା ଆଗରେ ଛିଡ଼ା ହେଇଚନ୍ତି...ତୁ କହୁନୁ ।"

 

"ନାଇଁ ତୁ କ ! ସିଏ ମତେ ଗାଳିଦେବେ..."

 

ପୁଅର ଏ ଭଳି କଥା ଶୁଣି ମଙ୍ଗରାଜେ ନ ହସି ରହି ପାରିଲେ ନି ।

 

"ଆଚ୍ଛା...ଆଚ୍ଛା, ତୁ ଯା ହେଡ଼୍‍ମାଷ୍ଟରଙ୍କୁ ଡାକିଦବୁ...ଆଉ ପିଲାଙ୍କୁ ଷ୍ଟ୍ରାଇକ୍ ଭାଙ୍ଗିବାକୁ କହିଦବୁ ଏକା..."

 

ବାପାଙ୍କ କଥା ଶୁଣି ଚିତ୍ରଭାନୁ ତିଳେହେଲ ଡେରି କଲାନି । ଯେମିତି ଆସିଥିଲା ସେମିତି ଦୁମ୍‍ଦୁମ୍ ହେଇ ଛୁଟି ଚାଲିଗଲା । ହୁଏତ ହେଡ଼୍‍ମାଷ୍ଟ୍ରେ ଏଇ କୋଠା ଉପରକୁ ଆସିବେ...ତା’ ଛଡ଼ା ସେ କେତେବେଳୁ ଆସି ରହିଲେଣି ଏଠି, ଏ ସବୁ କଥା ମନରେ ହେଜି ସୁରେଶ୍ୱରୀ ବିଛଣା ଛାଡ଼ି ପାହାଚରେ ଓହ୍ଲେଇ ଯିବାର ଉଦ୍ୟମ କଲେ । ସବାଶେଷ ପାହାଚ ଟପି ପିଣ୍ଡାରେ ଗୋଡ଼ ଦେଲାବେଳକୁ ସୋଶୀଳା ତାଙ୍କ ଆଗରେ ଆସି ଛିଡ଼ା ହୋଇଗଲା । କଥା କହିବା ଆଗରୁ ଫେଁକରି ହସିଉଠିଲା ସୋଶୀଳା ।

 

"ବଡ଼ମା'...ହେଁ, ହେଁ, ହେଁ..."

 

ଚିଡ଼ି ଉଠି କହିଲେ ସୁରେଶ୍ଵରୀ, “କ’ଣ କହୁଚୁ ?"

 

"ନାଇଁମ...ହେଁ, ହେଁ...କଉଥେଲି କି ପ୍ରବାଳର କୁଆଡ଼େ ପୁଅ ହବ !

 

"ସୁରେଶ୍ୱରୀ ଦେଈଙ୍କ ଦେହସାରା ନିଆଁ ଚରିଗଲା । ସେ ଗର୍ଜି ଉଠି କହିଲେ–

 

“ଛତରଖାଇ ଟୋକୀ, ତୋର ଏତେକଥାରେ ବିଶ୍ ପଡ଼ିଚି କାହିଁକିଲୋ । ମୁଣ୍ଡ କଣା କରି ଦେବିତି ବଇଁଶିଆକୁ ଡାକି । ଏଠି କ’ଣ ଦାରୀ ଭାଡ଼ୁଆ ଘର ପାଇଚୁ କିଲୋ, ସେ ହେଁହେଁ, ଫେଁଫେଁ, କ’ଣ ?"

 

ଗୃହିଣୀଙ୍କ ପାଟି ଶୁଣି ଉପରୁ ଓହ୍ଲେଇ ଆସିଲେ ମଙ୍ଗରାଜେ । ଅଗଣାରେ ଆସି ବୋହୂଯାକ ମଧ୍ୟ ରୁଣ୍ତ ହେଇଗଲେ । କାନ୍ଥରେ ମିଶିଗଲା ଯେମିତି ସୋଶୀଳା ।

ପରିସ୍ଥିତି ସୁବିଧାଜନକ ନ ଦେଖି ମଙ୍ଗରାଜେ ଦାଣ୍ଡକୁ ବାହାରି ଗଲେ । ଝିଅ ପ୍ରବାଳମଞ୍ଜରୀର ଗର୍ଭାଧାନ ସମ୍ପର୍କରେ ଆଉ କିଛି ରହସ୍ୟ ଥିବା ବିଷୟ ସେ ଜାଣି ନାହାନ୍ତି କି ସନ୍ଦେହ ମଧ୍ୟ କରି ନାହାନ୍ତି ।

ରାତିଅଧବେଳକୁ ଅସରାଏ ବର୍ଷା ହେଇଗଲା । କେଉଁଠୁଁ ହେଲେ ଆକାଶରେ ମେଘର ବର୍ଣ୍ଣ ଗନ୍ଧ ନଥିଲା, ତଥାପି ପନ୍ଦର କୋଡ଼ିଏ ମିନିଟ ଧରି ଭଲ ଅସରାଏ ବର୍ଷାରେ ପୃଥିବୀ ଓଦା ହେଇଗଲା । ଭାଦ୍ରବ ମାସର ଶାରଦ ଆକାଶରେ ଏମିତି ଥରେ ଥରେ ବର୍ଷାର ଅଭିସାର ଦେଖା ଦେଇଥାଏ । ବର୍ଷାପରେ ସ୍ୱଚ୍ଛ ହେଇ ଚାରିଆଡ଼େ ଜହ୍ନ ଆଲୁଅ ବିଞ୍ଚିହେଇ ପଡ଼ିଲା । ଦିନର କରତ ଧାରିଆ ଭୋଦେଇ ଖରାପରେ ରାତିର ବର୍ଷା ଅସରାକ ଖୁବ୍ ଆରାମଦାୟକ ହେଲା ।

କିଛି ସମୟ ପରେ ବାଡ଼ିପଟ ଦରଜା ପାଖରେ ଡାକଦେଲା କୋଠିଆ ପରମାନ୍ଦିଆ, ଚାକର ବାଞ୍ଛା ଉଦ୍ଦେଶ୍ୟରେ । ବର୍ଷାପରେ ଜହ୍ନ ପଡ଼ିଚି, ଏଇଖିଣି କଅଁଳଜୋର ଧାନକିଆରିରେ ମାଛ ଗଡ଼ିଥିବେ । ତା’ପରେ ସଞ୍ଜବେଳେ ହିଡ଼ କାଟି ଦି’ ତିନି ଖଣ୍ଡ ବଜା ସେ ବସେଇ ଦେଇ ଆସିଥିଲା । ସେଥିରେବି କିଛି ମାଛ ପଡ଼ିଥିବେ । ବର୍ତ୍ତମାନ ନ ଗଲେ ଆଉ ଘଣ୍ଟାକ ପରେ ଆଉ କିଏ ଆସି ବଜା ଝାଡ଼ି ମାଛଯାକ ନେଇ ଚାଲିଯିବ ।

ପରମାନ୍ଦିଆର ଡାକ ଶୁଣି କେତେବେଳକରେ ଜବାବ ଦେଲା ବାଞ୍ଛା । ତାହାପରେ ଦୁହେଁ ସାଙ୍ଗ ହେଇ ବିଲଆଡ଼େ ବାହାରିଗଲେ ।

ସେତେବେଳଯାଏ ମଙ୍ଗରାଜଙ୍କୁ ନିଦ ହେଇ ନଥାଏ । ଦୋମହଲାର ବଡ଼ କୋଠରୀର ପୂର୍ବପଟକୁ ଭାଗବତ ଘର । ସେ ପାଖ କାନ୍ଥକୁ ଲାଗି ଛୋଟ ଖଟ ଉପରେ କେତେବେଳୁ ଶୋଇପଡ଼ିଚି ଚିତ୍ରଭାନୁ । ବାପାଙ୍କ ଚେଷ୍ଟା ଫଳରେ ସ୍କୁଲ୍‍ର ଧର୍ମଘଟ ବନ୍ଦ ହେଇଯାଇଚି । ବିଜ୍ଞାନ ଶିକ୍ଷକଙ୍କୁ ବିଦାୟ ଦିଆ ନ ଯାଇ ଅଧା ଦରମାରେ ଛ’ ମାସ ଛୁଟି ଦେଇ ମଙ୍ଗରାଜେ ସ୍କୁଲ୍‍ର ସେକ୍ରେଟେରୀ ଭାବରେ ଛାତ୍ର–ବିକ୍ଷୋଭ ବନ୍ଦ କରି ଦେଇଛନ୍ତି ।

 

“କ’ଣ ହେଲା କି, କାହିଁକି ସୋଶୀଳା ଉପରେ ତମେ ଆଜି ଏତେ ରାଗିଲ ?"

 

ସ୍ୱାମୀଙ୍କ ଗୋଡ଼ ଚିପି ଦେଉଥିଲେ ସୁରେଶ୍ଵରୀ, କଥାଟାକୁ ବାଆଁରେଇ ଦେଇ ସେ କହିଲେ, "ପ୍ରବାଳର ପୁଅ ହବା କଥା ତ ପଚାରିବୁ, ଏମିତି ହେଁହେଁ...ଫେଁଫେଁ ହଉଚୁ କାହିଁକି । ମାନତି ଅମାନତି ନାଇଁ; ସେଥିନାଗି ତାକୁ ଦେଲି ପଟାଏ ଗାଳି ।"

 

"ହଁ ଠିକ୍ କରିଚ, ଝିଅଟା ଭାରି ବେହେଡ଼ା ।"

 

ମଙ୍ଗରାଜେ ଏ ବିଷୟରେ ବେଶି କିଛି କହିଲେନି, ମନରେ ତାଙ୍କର ଅନ୍ୟ ଚିନ୍ତା ଉବୁକି ମାରି ଉଠୁଥାଏ । ଏଣିକି ସେ ନିଜର ବୟସ କଥା ଅନେକ ସମୟରେ ଭାବୁଚନ୍ତି । ଷାଠିଏରୁ ଟପିଗଲାଣି ବୟସର ସୀମା । କେତେବେଳେ କୋଉକଥା, କିଛି ବନ୍ଦୋବସ୍ତ କରି ଦେଇ ନ ଗଲେ ପିଲାଗୁଡ଼ାକ ନଷ୍ଟ ହେଇଯିବେ, ଏଡ଼େବଡ଼ ଘରଟାବି ଖିନ୍‍ଖରାପ ହେଇଯିବ ।

 

ଖୋଲା ଝରକା ବାଟ ଦେଇ ଘରଭିତରେ ଦୁଇ ତିନି ଜାଗାରେ ତେରଛା ହେଇ ଜହ୍ନ ଆଲୁଅ ପଡ଼ିଥାଏ । ସେହି ଜହ୍ନ ଆଲୁଅ ଭିତରେ ଫୁଟିଉଠିଥାଏ ଯେମିତି ରକତର ପ୍ରତୀକତା । ଖଣ୍ଡେ ତେରଛା ଜହ୍ନ ଆଲୁଅକୁ ଅନେଇ ଅନେଇ ସେ ଆର୍ଥିକ ଚିନ୍ତା ଭିତରକୁ ଫେରି ଆସିଲେ ।

 

"ହଁ, ତିରିଶ ହଜାର ଟଙ୍କା ବୋଲି ମୁଁ ଭାବୁଥିଲି, କିନ୍ତୁ ମିଳିବ ପଚିଶ ହଜାର ଟଙ୍କା । କ’ଣ ଜାଣିଲ । ସରକାର ଘରୁ ଜମିଦାରୀ ବାବଦରେ ଯୋଉ କ୍ଷତିପୂରଣ ଟଙ୍କା ମିଳିବାର ନଥିଲା, ସେଇ ଟଙ୍କା କଥା କହୁଚି ।"

 

ସୁରେଶ୍ଵରୀ ଦେଈ ମନରେ ଆଶ୍ୱାସନାର ମୂର୍ଚ୍ଛନା ଫୁଟେଇ ପଚାରିଲେ–

 

"ତେବେ ପଚିଶ ହଜାର ଟଙ୍କା ମିଳିବ ତ ?"

 

ସ୍ଵରରେ ମଙ୍ଗରାଜେ ଏକ ଲଘୁଚାପ ସୃଷ୍ଟି କରି କହିଲେ–

 

"ମିଳିବ । ସେତକ ନ ମିଳି ଆଉ କୁଆଡ଼େ ଯିବ । ଆସନ୍ତା ମାସ ଠଉଁ ଦୁଇଟା କିସ୍ତିରେ ମିଳିବ, ଥରେ ପନ୍ଦର ହଜାର, ଆଉଥରେ ଦଶ ହଜାର ।"

 

ଏତିକି କହି ସେ ଦୀର୍ଘ ସମୟପାଇଁ ନୀରବ ରହିଲେ । ପ୍ରାୟ ପନ୍ଦର ମିନିଟ୍ ପରେ ଗୋଟା ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲେ–

 

"ଜାଣିଲ ଉଦିତ ବୋଉ, ଏଇ ଟଙ୍କାତକ ପାଇ ସାରିଲା ପରେ ଏ ବଂଶର ଗୋଟା ବିରାଟ ଇତିହାସ ଲୋପ ପାଇଯିବ । ଆମ ମନରେ ଜମିଦାର ବଂଶ ବୋଲି ଯେଉଁ ଅହମିକାର ଗୋଟା ବୁନିଆଦି ରହିଥିଲା, ତାହା ଏଇ ଚନ୍ଦ୍ର କିରଣ ପରି ବିଲ୍‍କୁଲ୍ ସଫା ହେଇଯିବ । ...ମୁଁ ଜମିଦାର ହେଇ ମରି ପାରିଲିନି..."

 

ପାଟି କରି ଉଠିଲେ ସୁରେଶ୍ଵରୀ–"ଏ ସବୁ କି ଅପସାନ୍ତର କଥା ଭାବୁଚ ତମେ କହିଲ-? ଜମିଦାରୀ କ’ଣ ଆମର ଏକା ଗଲା...ଏଥିପେଇଁ ନାଜ କ’ଣ...ଛୁଆ ମୋର ବଞ୍ଚିରହି ମଣିଷ ହେଲେ ସେହି ଢେର୍..."

 

"ଭଲ କଥା, ଆଜି ଖରାବେଳେ ମୁଁ ତମକୁ ସେଇକଥା କହୁଥିଲି । କ’ଣ କରିବ ମୀନକେତନ କହିଲ ?"

 

"ସମସ୍ତଙ୍କର ଭାଗ୍ୟ ଭଲ ହବ । ଉଦିତ ଅଛି । ସେ ସମସ୍ତଙ୍କୁ ସମାଳି ନବ । ତମେ ଉଦିତ ଓପରୁ ଆସ୍ଥା ହରାନା ମୁଁ କହୁଚି ।"

 

"ହଁ ଠିକ୍ କଥା । ଉଦିତ ମୋର ବଡ଼ପୁଅ ।"

 

ମନର ବିବ୍ରତ ଅବସ୍ଥା ଦୂର କରିବାକୁ ଉଦ୍ୟମ କଲେ ମଙ୍ଗରାଜ ।

 

"ମୁଁ ଜନୁ ମଙ୍ଗରାଜ–କଦମ୍‍ପାଳର ଜମିଦାର । ଜମିଦାରୀ ଚାଲିଗଲେବି ମୋର ଜମିଦାର ମନ ଯାଇନି । ମୁଁ ଜମିଦାର ହେଇ ଏ ଗାଁରେ ଜନ୍ମ ହେଇଚି...ଜମିଦାର ମାନଗୋବିନ୍ଦ ମଙ୍ଗରାଜଙ୍କ ଏକମାତ୍ର ଉତ୍ତରାଧିକାରୀ ମୁଁ ଜନ୍ମେଜୟ ମଙ୍ଗରାଜ...ମୋର ବଡ଼ପୁଅ ଉଦିତଚନ୍ଦ୍ର...ସେ ଲକ୍ଷପତି । ଲକ୍ଷପତି ଜମିଦାର ଚାହିଁ ବଡ଼, ଉଦିତ ବୋଉ । ଆଜି ଜମିଦାରୀରୁ ମିଳିଲା ମୋଟେ ପଚିଶ ହଜାର ଟଙ୍କା...ତା’ଠାରୁ ଚାରି ପାଞ୍ଚ ଗୁଣ ଟଙ୍କା ଅଛି ମୋର ପୁଅ ହାତରେ ।”

 

“ମୋର ଛୋଟ କୁହା ମାନି ତମେ ଭାବିବା ବନ୍ଦ କଲ ।”

 

ଗୃହିଣୀଙ୍କ ପରାମର୍ଶ ପାଇବା ପରେ ମଙ୍ଗରାଜେ ଆଉ କିଛି କହିଲେନି । କେବଳ ହସିଉଠିଲେ ଥରେ ।

 

ସତର

 

ଦିନେ ସକାଳର ନିତ୍ୟକର୍ମ ଶେଷ କରିବା ପରେ ମଙ୍ଗରାଜେ ଚାଲ ଚାଲ ହେଇ ଗାଁ ଭିତରେ ବୁଲି ଆସିବାପାଇଁ ବାହାରି ପଡ଼ିଲେ । ବାଟରେ ତାଙ୍କ ସାଙ୍ଗରେ ଯୋଗଦେଲେ ହାଇସ୍କୁଲ୍‍ର ହେଡ଼୍‍ମାଷ୍ଟ୍ରେ । ଯୁବକ ଲୋକ, ବୟସ ପଇଁତ୍ରିଶ କି ଛତ୍ରିଶ ହବ । ଆଖିରେ ଦୋଷ ଥିବା ହେତୁ ଖୁବ୍ ମୋଟା ଲେନ୍‍ସ୍‍ର ଗୋଟା ଚଷମା ସବୁବେଳେ ତାଙ୍କ ନାକ ଉପରେ ସୱ୍ୟାର ହେଇଥାଏ । ନାଁ ତାଙ୍କର ତାରାପ୍ରସାଦ ରାଜଗୁରୁ, ଦକ୍ଷିଣ ଓଡ଼ିଶାର ଲୋକ । ସେ ଆସିବା ଦିନୁ ଇସ୍କୁଲ୍‍ର ଅନେକ ଉନ୍ନତି କଲେଣି, ସେଥିଯୋଗୁଁ ମଙ୍ଗରାଜେ ତାଙ୍କୁ ଆନ୍ତରିକ ଭାବରେ ଖୁବ୍ ଆଦର କରନ୍ତି । ଦୁହେଁ ସାଙ୍ଗ ହେଇ ଯାଉଁ ଯାଉଁ ଅନେକ ଲୋକଙ୍କ ସହ ଭେଟହେଲା; ପ୍ରଥମେ ଭେଟହେଲା ଯୋଗିଆ କମାର ସାଙ୍ଗରେ । ଯୋଗିଆ ଏ ଅଞ୍ଚଳର କୃଷି କ୍ଷେତ୍ରର ଶ୍ରମିକ ଆଉ ଚାଷବନ୍ଦୀ ଲୋକଙ୍କ ବନ୍ଧୁ । ଲଙ୍ଗଳ ଲୁହା ଗଢ଼ିବା ଠଉଁ ଦା’ ପଜେଇଦବା ଆରମ୍ଭ କରି ଲଙ୍ଗଳ ମୁଣ୍ଡା, କଣ୍ଟି ଆଉ ଈଶ ସବୁ ଗଢ଼ିଦିଏ ଏଇ ଯୋଗିଆ । ସେଥିଯୋଗୁଁ ଶୀତଦିନେ ଧାନ ଅମଳବେଳେ କଳେଇ ଆଉ ହଳା ସଂଗ୍ରହ କରି ଯୋଗିଆ ଦି’ଟା ଧାନ ଗଦା ବସେଇ ଦିଏ । କଳେଇ ଓ ହଳା ବାଦ୍ କେତେକଙ୍କଠାରୁ ପାଇଥିବା ହେତା ଜମିରୁ ମଧ୍ୟ ସେ କିଛି ଫସଲ ଅମଳ କରେ । ସେଥିସକାଶେ ନିଜେ ଗୋଟିଏ ହଡ଼ା ବାନ୍ଧିଚି, ଅନ୍ୟଠଉଁ ଆଉ ଗୋଟିଏ ହଡ଼ା ମାଗି ଆଣି ବାପ ପୁଅ ମିଶି ଚାଷକାମ ଚଳେଇ ଦିଅନ୍ତି । କିନ୍ତୁ ମାଳୀକି ଛେଳି ଅଡ଼ୁଆ, କାରିଗର ଲୋକ, ଚାଷବାସରେ ଭଲ କରି ନିଘା ଦେଇ ପାରେନା । ତଥାପି ନିଜର ଗୁଜୁରାଣ ସେ ଚଳାଏ ।

 

ବେକର ମାଳି କେରାକ ଭିତରେ ଗୋଟା ସୁନାକଣ୍ଠି, ମାଳି ସୂତାଟା ମଧ୍ୟ ବେକରେ ଚାପି କରି ବନ୍ଧା ହେଇଚି । ଦି’ ଛାମୁଦାନ୍ତରେ ଦି’ଟା ସୁନାଖିଲ । କେବେ ଥରେ ସେ ମଝିପାଟଣା ଧନୁ ମୁଦୁଲି ସାଙ୍ଗରେ ଗଙ୍ଗାସ୍ନାନ ପାଇଁ ଯାଇଥିଲା କଲିକତା, ସେତିକିବେଳେ ଦାନ୍ତରେ ସୁନାଖିଲ ମାରିଆସିଚି । ସେଇ ସୁନା–କଣ୍ଠି–ଲଗା ମାଳିବନ୍ଧା ବେକକୁ ଦି’ ମୁଠୁଣି ତଳକୁ ନଇଁ ଦେଇ, ସୁନାଖିଲ ବସା ଦାନ୍ତକୁ ଦରମୁକୁଳିତ କରିବା ସହ ଯୋଗିଆ ମଙ୍ଗରାଜଙ୍କୁ ଗୋଟା ବିନମ୍ର ପ୍ରଣାମ କଲା ।

 

"ଆରେ ଯୋଗିଆ, ଭଲ ଅଛୁ !"

 

ଏତିକି କହି ମଙ୍ଗରାଜେ ଆଗକୁ ଗୋଡ଼ କାଢ଼ିଲେ । ଯୋଗିଆ ଦି’ ହାତକୁ ମଳି କ’ଣ କହିବା କହିବା ଭଙ୍ଗୀରେ ତାଙ୍କର ଅନୁଧାବନ କଲା । ହେଡ଼୍‍ମାଷ୍ଟ୍ରେ ଚଷମାର ମୋଟା କାଚ ଭିତରୁ ଲୋକଟିକୁ କେତେଥର ନିରୀକ୍ଷଣ କଲେ ।

 

“କ’ଣ କିଛି କହିବାର ଥାଉଚି କିହୋ !"

 

ପଛକୁ ଅନେଇଲେ ମଙ୍ଗରାଜେ, ଅନୁସରଣ କରୁଚି ଯୋଗିଆ ।

 

“କ’ଣ କିରେ ?"

 

"ଆଜ୍ଞା ମୋ ହେତା ଜମି କଥା; ତସିଲାରେ କହୁଚନ୍ତି କୁଆଡ଼େ ସେଥିରୁ ଅଧେ କଟିଯିବ...ଆଉ ମୁଁ ଗରିବ ନୋକ ଚଳିବି ପୁଣି କେମିତି !"

 

“ନା, ନା, ଜମିଦାରୀ ସିନା ଗଲା । ଆଉ ମୋ ଚାଷଜମି ତ ଯାଇନି, ସେଥିରେ ତୋ ହେତା ଜମି କଟିବ କାହିଁକି ।"

 

ମଙ୍ଗରାଜଙ୍କ ଠଉଁ ଏ ଅଭୟବାଣୀ ଶୁଣି ବାଟର ଧୂଳି ଉପରେ ଗୋଟା ସାଷ୍ଟାଙ୍ଗ ପ୍ରଣାମ କଲା ଯୋଗିଆ । ଆଗକୁ ଚାଲିଲେ ମଙ୍ଗରାଜେ । ଅନେକଦିନୁ ସେ ଗାଁ ଭିତରେ ବୁଲି ନଥିଲେ । ତାଙ୍କୁ ଆଜି ସେଥିପାଇଁ ଗାଁ ବୁଲା ଭାରି ଭଲ ଲାଗୁଥାଏ । କିଛି ବାଟ ଆଗକୁ ଯାଇ କୁର୍ତିଆସାହି ବଉଳମୂଳ ଛକ ପାଖରେ ସେ ଦକ୍ଷିଣପଟ ରାସ୍ତା ଧରିଲେ । ଆଗରେ ନକୁଳା ଭଣ୍ଡାରୀ ଘର । ରାସ୍ତାକଡ଼ର ଉଚ୍ଚ ପିଣ୍ଡା ଉପରୁ ସନେଇ ସାମଲ ଅବଧାନ, ଅବଧାନ କହି ତଳକୁ ଖସି ଆସି ମଙ୍ଗରାଜଙ୍କ ଗହଣରେ ଯୋଗଦେଲେ ।

 

ପ୍ରାୟ ଦି’ବର୍ଷ ତଳେ ଗାଁର ପାଟକୀ ଜାତି ଅଧ୍ୟୁକ୍ଷିତ ଏ ଅଞ୍ଚଳଟା ପୂରାପୂରି ପୋଡ଼ି ଯାଇଥିଲା । ତା’ପରେ ସରକାରୀ ବ୍ୟବସ୍ଥାରେ ଅନେକ ଲୋକ ଚାଳ ଘର ସ୍ଥାନରେ ପକ୍କା ଆଉ ଟାଇଲ୍ ଘର କଲେ । ସେହି ବ୍ୟବସ୍ଥାରେ ନକୁଳା ଭଣ୍ଡାରୀର ଘର ବଦଳି ଯାଇଚି । ଲୋକମାନଙ୍କୁ ବସେଇ ହଜାମତ କରିବାପାଇଁ ଆଗର ପିଣ୍ଡା ଖଣ୍ଡକୁ ମଧ୍ୟ ନକୁଳା ଭଲ ଭାବରେ ଗଢ଼ି ସିମେଣ୍ଟ ପଲସ୍ତରା କରିଚି । ପକ୍କା କାନ୍ଥରେ ନାଲି ଟାଇଲ୍ ଘର । ଲୋକଙ୍କ ହଜାମତ ବନ୍ଦ କରି ଖୁର ହାତରେ ଦୌଡ଼ିଆସିଲା ନକୁଳା । ଲୋଟିପଡ଼ିଲା ମଙ୍ଗରାଜଙ୍କ ପାଦତଳେ ।

 

ଆଖି ଟେକିଲେ ମଙ୍ଗରାଜେ । ନାଲି ଟାଇଲ୍‍ର ରଙ୍ଗ ଯେମିତି ନେଶି ହେଇଗଲା ତାଙ୍କ ଆଖିରେ ।

 

“ଭଲ, ଭଲ, ଭଲ ଘର ଖଣ୍ଡେ କରିଚୁ ।"

 

“ଆଜ୍ଞା, ହଜୁରଙ୍କ କଇଲାଣ ।"

 

କିଛିବାଟ ଯାଇ ଭୋଳା କାଣ୍ଡି ସାମନା ବାଟ ଧରି ମଙ୍ଗରାଜ ଆହୁରି ଆଗକୁ ଚାଲିଲେ । ତାଙ୍କ ପଛରେ ଚାଲିଥାନ୍ତି ହେଡ଼୍‍ମାଷ୍ଟ୍ରେ ରାଜଗୁରୁ ଆଉ ସନେଇ ସାମଲ । ସେମାନେ ଚାଲିଯିବା ପରେ ନକୁଳାର ତାନେ ହସିବାକୁ ମନହେଲା । ନର୍ତ୍ତମା ଭଣ୍ଡାରୀର ପୁଅ ସେ, ପାଞ୍ଚବର୍ଷ ହେଲା ମଲାଣି ତା’ ବାପ, ମାଡ଼ ଖାଇ ଖାଇ ଗଇଁଆ ହେଇ ଯାଇଥିଲା ସେ ସା'ନ୍ତଙ୍କ ଘରେ । ତା’ ପୁଅ ଆଜି କୋଠାଘର କରିଚି ସା'ନ୍ତେ ନିଜ ଆଖିରେ ଦେଖିଗଲେ । ସେଥିଲାଗି ତା’ର ହସିବାକୁ ଇଚ୍ଛାହେଲା, ଖାଲି କୋଠା ଘର ନୁହେଁ, ପୁଅ ତା’ର ପାଠପଢ଼ି ଅଞ୍ଚଳ ଅଫିସରେ କିରାଣି ଚାକିରି ପାଇଚି । କିନ୍ତୁ ହସି ପାରିଲାନି ନକୁଳା, ବାଁ ହାତରେ ଗାମୁଛାରୁ ପୁଳାଏ ଆଣି ମାଡ଼ିଦେଲା ପାଟିରେ-। ପିଣ୍ଡାରେ ହଜାମତ ପାଇଁ ବସିଥିବା ତିନି ଜଣଙ୍କ ଭିତରୁ ଜଣେ ବାବୁଘର ସାହିର ଲୋକ-। ହେଇ ଆଗରେ ଯାଉଚନ୍ତି ମଙ୍ଗରାଜେ । ପିଣ୍ଡାକୁ ଉଠିଯାଇ ନକୁଳା ହଜାମତ କରିବାରେ ମନଦେଲା ।

 

ଏହା ଭିତରେ ମଙ୍ଗରାଜଙ୍କ ଗହଣରେ ଆଉ ତିନି ଜଣ ଲୋକ ଯୋଗଦେଲେ, ଭଟ୍ଟସାହିର ଗୋବିନ୍ଦ ପାଡ଼ୁଷୀ, ତନ୍ତୀସାହିର ନିଧି ପରମାଣିକ ଆଉ ମଳିକସାହିର ନବ ମଳିକ, ଓରଫ୍ ନବଘନ ମତ୍ତଗଜ ହରିଚନ୍ଦନରାୟ । ନବ ମଳିକ ନିଜକୁ ମଲ୍ଲିକ ଲେଖେଇବା ପରେ ଶେଷକୁ ତାକୁ ବିଲୋପ କରି ଉଲ୍ଲିଖିତ ଉପାଧି ବ୍ୟବହାର କଲେ । କେବେ କାଳେ ତାଙ୍କ ବଂଶରେ ଏହି ଉପାଧି ଥିଲା, କୋଉ ଶତାବ୍ଦୀରେ କୁଆଡ଼େ ଓଡ଼ିଶାର ରାଜା ଏ ବାଟେ ସାମରିକି ଅଭିଯାନ କରୁଥିଲାବେଳେ ତାଙ୍କ ସୈନ୍ୟବାହିନୀକି ହାତୀଭଳି ପାଣିଢ଼ାଳି ପାନୀୟ ଜଳ ଯୋଗେଇ ତାଙ୍କ ବଂଶର କିଏ ଏ ଉପାଧି ଲାଭ କରିଥିଲା । ସେ ଯାହାହେଉ, ସାମନ୍ତବାଦର ବିଲୋପ ଯୁଗରେ ପୁରୁଣା କଳଙ୍କିଖିଆ ଖଣ୍ଡାପଟକୁ ମାଜି ମଳିକେ ଖୁବ୍ ଫାଇଦା ହାସଲ କରିଛନ୍ତି । ପୁଅ ବାଲିବିଶି ଜଳକର ଅଫିସରେ ପଚାଶ ଟଙ୍କାର ନୌକରି କରୁଥିଲାବେଳେ ଏହି ଉପାଧି ବଳରେ ତାକୁ ସେ ଉପାନ୍ତ ଅଞ୍ଚଳରେ ଏକ ରାଜ ପରିବାରସହ ବିବାହ ବନ୍ଧନରେ ଆବଦ୍ଧ କରିପାରିଚନ୍ତି ।

 

"କିହୋ ମତ୍ତଗଜେ, ଆମେ ତ ପାଇକରାରୁ ମଙ୍ଗରାଜ ହେଇ ଶେଷକୁ ଜମିଦାରୀ ହରେଇଲୁ...କିନ୍ତୁ ତମେ ତ ଖୁବ୍ ଉଠିଲହୋ । ଭଲ, ଭଲ, ତମ ବଂଶରେ ଏ ଉପାଧିଟା ଥିଲା ବୋଲି ଆମେ ଶୁଣିଥିଲୁ, ତମେ କିଛି ଖରାପ କାମ କରିନା...ହେଲେ ପିଲାଙ୍କୁ ଯୋଗ୍ୟ କଲେ ଯାଇ ସବୁ କଥା ରହିବ ।"

 

ମଙ୍ଗରାଜଙ୍କ ଶେଷ କେଇପଦ କଥାରେ ନବ ମଳିକ ଭରସା ପାଇଲେ । ଏହି ସମୟରେ ଗୋବିନ୍ଦ ପାଡ଼ୁଷୀ ମଧ୍ୟ ଦି’ ଚାରିକଥା କହି ମତ୍ତଗଜଙ୍କ ମହିମା ବଢ଼େଇ ଦେଲେ । ସେ ନିଜେ ଯାଇଥିଲେ ମତ୍ତଗଜଙ୍କ ପୁଅ ବିବାହରେ ପୁରୋହିତ ହେଇ । ରାଜୁଡ଼ା ସ୍ଥାନର ଆଡ଼ମ୍ବର ଆଉ ଯାନ–ଯୌତୁକ କଥା ସେ ବର୍ଣ୍ଣନ କରିଗଲେ ଅତି ନିପୁଣ ଭାବରେ ।

 

ମଙ୍ଗରାଜେ ହସି ହସି କହିଲେ, "ହଁ ପଟ୍ଟଜ୍ୟୋତିଷେ, ମୁଁ ସବୁକଥା ଜାଣେ...ତମେ କ’ଣ ସତ ଭାବିଲ କି...ଆମେ ଟିକେ ରହସ୍ୟ କଲୁ ନା...ହଁ, ମତ୍ତଗଜେ, ତମର ସେ ହାତିଆବାଙ୍କ ଅଳିଅ ଜମି ଖରିଦ କୋଉଯାଏ ଗଲା ?"

 

"ଆଜ୍ଞା, ଅଳିଅ ଆଉ କ’ଣ ! ଦାସ ବେହେରାର ପ୍ରକୃତରେ ତ ଆଉ କେହି ନାହାନ୍ତି । ପ୍ରତାପବାବୁ ଫାଲତୁରେ ଗୋଟା ରାଣ୍ଡୀ ଠଉଁ କବଲା କରି ଆଣିଚନ୍ତିନା ।"

 

ନିଧି ପରମାଣିକ ଅନେଇଲା ମତ୍ତଗଜଙ୍କ ମୁହଁକୁ । ଖୁବ୍ ସାହସ କରି ସେ ମଙ୍ଗରାଜଙ୍କ ମୁହଁ ଉପରେ କଥା କହିଚନ୍ତି । ସେତେବେଳକୁ କାନ ମୂଳର ବାଳ କୁଣ୍ଡଉଥାନ୍ତି ନବଘନ ମତ୍ତଗଜ ହରିଚନ୍ଦନରାୟ ।

 

ହାତର କଟ୍ରାଙ୍ଗ ବାଡ଼ିଟା ଉପରେ ଜୋର ଦେଇ ମଙ୍ଗରାଜେ ଠିଆ ହେଇପଡ଼ିଲେ ରାସ୍ତା ଉପରେ । ଥରେ ପଛକୁ ଅନେଇଲେ...

 

"ଆଁ...ହେଡ଼୍‍ମାଷ୍ଟ୍ରବାବୁ, ଆପଣ ଏତେବେଳଯାଏ ଅଛନ୍ତି ? ଯାଆନ୍ତୁ, ଯାଆନ୍ତୁ, ଆପଣଙ୍କ ଇସ୍କୁଲ୍‍ ବେଳ ହେଇଯିବ ।"

 

ଗୋଟା ନମସ୍କାର ପକେଇ ରାଜଗୁରୁବାବୁ ଫେରିଆସିଲେ । ହଁ, ତାଙ୍କୁ କ’ଣ ବୋଲି ଭାବିବ ଜଣେ ବାହାରର ଭଦ୍ରଲୋକ । ଗୋଟା ପଟର ନିଶକୁ ଥରେ ବାଁ ହାତରେ ସାଉଁଳି ନେଲେ ମଙ୍ଗରାଜେ ।

 

"ହଁ ନବ ?"

 

ଚମକି ପଡ଼ିଲେ ନବଘନ ମତ୍ତଗଜ । ମଙ୍ଗରାଜଙ୍କ କଣ୍ଠରୁ ମତ୍ତଗଜ ଉପାଧି ଉଭାନ ହେଇଯାଇଚି । ସେ ପୁଣି ଶୁଣିଲେ ମଙ୍ଗରାଜଙ୍କ କଣ୍ଠସ୍ୱର । ଖୁବ୍ ଗମ୍ଭୀର, ଭୀତିପ୍ରଦ ।

 

"କ’ଣ କହିଲ ନବଘନ, ପ୍ରତାପ ଫାଲତୁରେ ଗୋଟା ରାଣ୍ଡୀ ଠଉଁ କବଲା କରିଆଣିଚି-? ଫୁଲ ବେଓ୍ୟା ଦାସ ବେହେରାର ଝୁଅ ନୁହେଁ । କିହୋ ପଟ୍ଟଜ୍ୟୋତିଷେ, ନିଧି ପରମାଣିକ-? ଆଁ...ଗୋଟା ଲୋକର ଝୁଅକୁ ତମେ ସଂସାରରୁ ଉଡ଼େଇ ଦବ ?”

 

ଗୋବିନ୍ଦ ପାଡ଼ୁଷୀ କହିବାପାଇଁ ଚେଷ୍ଟା କରି ମଧ୍ୟ ପାଟି ଖୋଲି ପାରିଲେନି । କେବଳ ନିଧିଆ ତନ୍ତୀ କିଛି କହିଲା ।

 

"ଯୋଉଠି ପ୍ରତାପବାବୁ ପଶିଚନ୍ତି...ସେଠି କ’ଣ କିଛି ବେଠକ୍ ସେ କରିଥେବେ !”

 

ପୁଣି ଚାଲିଲେ ମଙ୍ଗରାଜେ । ସମସ୍ତେ ଚାଲିଲେ ତାଙ୍କ ପଛରେ ପୂର୍ବପରି । ପୁଣି ତାଙ୍କ କଣ୍ଠରୁ ଗମ୍ଭୀର ସ୍ୱର ଝଙ୍କାର ଫୁଟି ଉଠିଲା ।

 

"ଠିକ୍ ବେଠିକ୍ କଥା ନୁହେଁ । ଅସଲ କଥାହଉଚି, ଫୁଲ ବେଓ୍ୟା କିଏ ? କ’ଣ ନବ ମଳିକେ କହୁଚ ?”

 

ଗୋବିନ୍ଦ ପାଡ଼ୁଷୀ ଚମକି ପଡ଼ିଲେ । ନିଧି ପରମାଣିକ ଜିଭ କାମୁଡ଼ି ପକେଇଲା ।

 

"ଫୁଲ ବେଓ୍ୟା ଦାସ ବେହେରାର ରକ୍ଷିତା ସ୍ତ୍ରୀର ଝୁଅ ।”

 

ନବଘନ ମତ୍ତଗଜ ନିଜେ ମଧ୍ୟ ନିଜର ଏ ସାହସିକତାରେ ଆଚମ୍ବିତ ହେଇପଡ଼ିଲେ । ଯେମିତି ଗୋଟା ବଜ୍ର ଭାଙ୍ଗିପଡ଼ିଲା ମଙ୍ଗରାଜଙ୍କ ଉପରେ । ସେ ବୁଲିପଡ଼ିଲେ ପଛକୁ, ଦେଖିଲେ ନବଘନର ମୁହଁକୁ ଅନେଇଚନ୍ତି ସନେଇ ସାମଲ । ଗୋବିନ୍ଦ ପାଡ଼ୁଷୀ ଆଉ ନିଧି ପରମାଣିକ ସ୍ତବ୍ଧ ହେଇ ଠିଆ ହେଇଚନ୍ତି ।

 

ପାଦର ନାଗରା ଜୋତା ହଳକ ଧୂଳିରେ ଦବିଗଲା ଭଳି ମଙ୍ଗରାଜେ ଅନୁଭବ କଲେ । ଗୋଟା ପାଦ ବଢ଼େଇଲେ ଆଗକୁ, ନା ଠିକ୍ ଅଛି । ହାତର କଟ୍ରାଙ୍ଗ ବାଡ଼ିଟାବି ଅଛି ମଜବୁତ୍ ।

 

"ହୁଁ...ଆଚ୍ଛା, ଶୁଣିଲ ସନେଇବାବୁ ! ଆମ ସାଙ୍ଗରେ ନବ ମଳିକେ ଟକର ଦେଲେ ଏଥର...ତମେ ସମସ୍ତେ ଶୁଣିଲ, ଗୋବିନ୍ଦ ପାଡ଼ୁଷୀ...ନିଧି ପରମାଣିକ !”

 

ବିମୂଢ଼ ହେଇ ଅନେଇ ରହିଲେ ସନେଇ ସାମଲ ମଙ୍ଗରାଜଙ୍କ ମୁହଁକୁ । ଯେଉଁ ମଙ୍ଗରାଜେ ଗତ ତିରିଶବର୍ଷ ଭିତରେ ଭୁଲ୍‍ରେ ‘ସାମୁଲେ' ଛଡ଼ା ଅନ୍ୟ କିଛି ଉପାଧିରେ ସମ୍ବୋଧନ କରିନାହାନ୍ତି, ଆଜି ସେ ତାଙ୍କୁ ‘ବାବୁ’ ବୋଲି ଡାକ ଦେଇଚନ୍ତି । ଉତ୍ତେଜନାରେ ଟିକିଏ ଆଗକୁ ଝୁଙ୍କି ପଡ଼ି ସନେଇ ସାମଲ, ମଙ୍ଗରାଜଙ୍କ ପାଖକୁ ଲାଗି ଛିଡ଼ାହେଲେ । ବୟସ ଷାଠିଏ ପଁଷଠି ଯାଏଁ ହବ-। ପୁରୁଣାକାଳର ପାଁ ଶେଣୀଆ ଘରଭଳି ଦେହଟା ତାଙ୍କର ଏବେବି ମଜବୁତ୍ ରହିଚି । ଏବେ ମଧ୍ୟ ସେ ହାତରେ ବାଡ଼ିଧରି ଚାଲିବାର ଆବଶ୍ୟକ କରି ନାହାନ୍ତି ।

 

ସନେଇ ସାମଲଙ୍କୁ ବାବୁ ଡାକଦେଲେବି ମଙ୍ଗରାଜଙ୍କ ଭିତରେ କୌଣସି ଦୁର୍ବଳତାର ସୀମା ସ୍ପର୍ଶ ଘଟିନି । କେବଳ ଗୋଟା ନୈତିକ ସମର୍ଥନ ଲାଭ ଉଦ୍ଦେଶ୍ୟରେ ତାଙ୍କର ସେ ଆହ୍ୱାନ । ନବଘନ ମତ୍ତଗଜ ମଧ୍ୟ ମଙ୍ଗରାଜଙ୍କ ପଛରେ ଆଗପରି ରହିଚନ୍ତି । ପ୍ରତାପୀ ମଙ୍ଗରାଜ ବଂଶ ସାଙ୍ଗରେ କଳି ତକରାଳରେ ପଶିବା ତାଙ୍କର ଇଚ୍ଛା ନୁହେଁ । ତଥାପି ପାଞ୍ଚ ମାଣ ଜମିର ମୋହ, ଯଦି ଆବଶ୍ୟକ ପଡ଼େ ସେଥିରୁ ପଛଘୁଞ୍ଚା ଦେବାବି ତାଙ୍କର ମତଲବ ନୁହେଁ ।

 

"ଆଜ୍ଞା, ଆପଣଙ୍କ ସାଙ୍ଗରେ ମୁଁ ଟକର ଦେବି ବୋଲି ଭାବୁଚନ୍ତି ?”

 

ଭର୍ତ୍ସନା ପରେ ମଧ୍ୟ ମତ୍ତଗଜ ପୁଣି କଥା ଆରମ୍ଭ କରିବା ଦେଖି ମଙ୍ଗରାଜଙ୍କ ମନର ଉତ୍ତେଜନାଟା କ୍ରମେ ଶିଥିଳ ହେଇ ଆସିଲା ।

 

"ହୁଁ...ତାହାହେଲେ ଏସବୁ କଥା ଉଠେଇବାର ମତଲବ କ’ଣ ? ଦାସ ବେହେରାର ଗୋଟାଇ ମାଇପ ଥିଲା, ତାକୁ ତମେ ରକ୍ଷିତା ସ୍ତ୍ରୀ ବୋଲି ପ୍ରମାଣ କରିବାର ଫିକର କରି ଏଭଳି କଥାଭାଷା କରୁନା ତ ଆଉ କ’ଣ ?"

 

ଆଗରେ ଶୂନପୋଈ ଠାକୁରାଣୀଙ୍କ ଡେବିରି ପଟକୁ ଲାଗି ଖଣ୍ଡେ ପୁରୁଣା ଟୁଙ୍ଗି ଘର । ସେଇଠି ଗାଁର ସଂସ୍କୃତ ଟୋଲ୍ ବସେ । ଦଶ ବାରଟି ପିଲାଙ୍କୁ ଧରି ନେତର ପଣ୍ଡିତ ପନ୍ଦରଟି ଟଙ୍କାରେ ଜୀବନ କଟେଇ ଆସୁଥିଲେ । ଏବେ କିଛିଦିନ ହେଲା ବେତନ କୋଡ଼ିଏ ଟଙ୍କା ହେଇଛି । ଟୋଲ୍ ବସିଲାଣି ପ୍ରାୟ ଦଶବର୍ଷ ହେଲା । କିନ୍ତୁ ଏହି ଦଶବର୍ଷ ଭିତରେ ଜଣେହେଲେ ଛାତ୍ର ଗୋଟିଏ ଟଙ୍କାର ମୂଲ୍ୟ ହେଲା ଭଳି ସଂସ୍କୃତ ଜ୍ଞାନ କିମ୍ଵା ଶିକ୍ଷାଲାଭ କରିଚି ବୋଲି କହିହବନି ।

 

ମଙ୍ଗରାଜଙ୍କୁ ଟୋଲ୍‍ର ଅତି ନିକଟରେ ଦେଖି ଚମକି ପଡ଼ିଲେ ନେତର ପଣ୍ଡିତ । ମଙ୍ଗରାଜଙ୍କର ସଂସ୍କୃତରେ କିଛି ପ୍ରବେଶ ଅଛି ବୋଲି ସେ ଜାଣନ୍ତି, ସେଥିଯୋଗୁଁ ମଙ୍ଗରାଜଙ୍କ ପ୍ରତି ପଣ୍ଡିତଙ୍କ ମନରେ ବରାବର ଛନକା । ମଙ୍ଗରାଜଙ୍କୁ ସମ୍ମାନ ଜଣେଇବା ଉଦ୍ଦେଶ୍ୟରେ ଛତିମରା ଫଟା ପୁରୁଣା କାଠର ଚୌକି ଖଣ୍ଡକରୁ ଉଠି ସେ ଖଣ୍ଡକ ତାଙ୍କ ବସିବା ଲାଗି ଅଲଗା କରିଦେଲେ । ଅନ୍ୟମାନଙ୍କ ପାଇଁ ଖଣ୍ଡେ ନଡ଼ିଆ ଛପା ଖାଲି କରିବାକୁ ସେ ନିର୍ଦ୍ଦେଶ ଦେଲେ ଛାତ୍ରମାନଙ୍କୁ ।

 

ମଙ୍ଗରାଜେ କିନ୍ତୁ ଟୋଲ୍ ଆଡ଼େ ଗଲେନି । ସିଧା ବାଟ କାଟି ଚାଲିବାରେ ଲାଗିଲେ ନଈକୂଳ ଆଡ଼େ । ଏଥିଭିତରେ ତାଙ୍କ ଗହଣରେ ଯଦୁ ଖୁଣ୍ଟିଆ ଆସି ଯୋଗଦେଇଚି । ଲୋକଟା ଲୁଗା ଆଉ ଗହଣା ବେପାର କରେ । ହାଲି କିଛି ଜମି କଣିବା ମତଲବରେ ଅଛି । ଜମିଦାରଙ୍କ ସାଙ୍ଗରେ ଚଲାଫେରାଦ୍ଵାରା ଲୋକଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ସେ ଆସି ମଙ୍ଗରାଜଙ୍କ ଗହଣରେ ଯୋଗଦେଇଚି ।

 

ନଈକୂଳ ପାଳନ୍ଦା ଜମିକୁ ଲାଗି ଗାଁ ଆଡ଼କୁ ଏକ ବିରାଟ ତାଳବଣିଆ । ତା’ ପଛକୁ ଏକ ଶ୍ମଶାନଭୂମି... ଆୟତନ କୋଡ଼ିଏ ବାଇଶ ଗୁଣ୍ଠଯାଏ । ସେଇ ଶ୍ମଶାନଭୂମିରେ କେତୋଟି ସମାଧି ମନ୍ଦିର ଅନନ୍ତ ଆକାଶ ଭିତରେ ନିଜର ଖର୍ବମସ୍ତକ ଟେକି ଛିଡ଼ାହେଇଚି । ମଙ୍ଗରାଜ ବଂଶର ପୈତୃକ ଶ୍ମଶାନଭୂମି ସେଇଟା । ଶ୍ମଶାନ ଆଗରେ ଖଣ୍ଡେ ପ୍ରଶସ୍ତ ପଡ଼ିଆ–ତାହାର ଗୋଟିଏ ଅଂଶ ବଟ, ଅଶ୍ଵତ୍‍ଥର ଛାୟାରେ ସ୍ନିଗ୍ଧ ଓ ଶୀତଳ । ସେହି ପଡ଼ିଆର ପୂର୍ବପଟକୁ ଗୋଟାଏ ପଥର ବେଦୀ ନିର୍ମାଣ କରାଯାଉଚି । ମିସ୍ତ୍ରି ଓ ତିନି ଚାରିଜଣ ମଜୁରିଆ ଧରି ସେ କାମରେ ଲାଗିଚନ୍ତି ହଠାତ୍ ଡକରା ପାଇ ତହସିଲଦାର ରାମ ପଟ୍ଟନାୟକ । କେତେଖଣ୍ଡ ପଥର ବିକ୍ଷିପ୍ତ ହେଇ ପଡ଼ିରହିଚି, ଆଉ କେତେଖଣ୍ଡ ପଥରକୁ ଛେଣିରେ କାଟି ସମାନ କରୁଚି କାଶୀ ମାହାରଣା । ଏହି ହେଉଚି ମଙ୍ଗରାଜ ବଂଶର ଦଶହରା ପଡ଼ିଆ । ପଥର ବେଦୀ ତିଆରି ହେଉଚି ଦୁର୍ଗାଦେବୀଙ୍କ କଳସ ମେଢ଼ ରହିବା ଲାଗି । ପଥର ଦେହରେ ନିଜର ନାମ ଖୋଳି ଦେବାଲାଗି ମଙ୍ଗରାଜେ ବରାଦ ମଧ୍ୟ କରିଛନ୍ତି ।

 

ମଙ୍ଗରାଜ ବଡ଼ କ୍ଳାନ୍ତ ହେଇ ପଡ଼ିଚନ୍ତି । ସେ ପହଞ୍ଚିବାକ୍ଷଣି ରାମ ପଟନାଏକେ ପାଖକୁ ଛୁଟିଆସି ଗାମୁଛାରେ ଖଣ୍ଡେ ପଥର ମୁଣ୍ଡିଆ ଝାଡ଼ି ସଫା କରିଦେଲେ । କିନ୍ତୁ ମଙ୍ଗରାଜ ହଠାତ୍ ନ ବସି ଚାଲିଗଲେ ସମାଧି ପାଖକୁ । ପିତା, ପିତାମହ ଏବଂ ମାତା ଓ ଜେଜେମାତାଙ୍କ ସମାଧି ପାଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ତା’ପରେ ସେ ଆସି ପଥର ମୁଣ୍ଡିଆ ଉପରେ ବସି ଆରାମର ଗୋଟା ନିଃଶ୍ୱାସ ମାରିଲେ ।

 

ସମସ୍ତଙ୍କ ଭିତରେ କେବଳ ନବଘନ ମତ୍ତଗଜ ଏପରି ଗୋଟିଏ ସ୍ଥାନରେ ପହଞ୍ଚି ବିଶେଷ ଅସ୍ଵସ୍ତି ଅନୁଭବ କଲେ । ତାଙ୍କ ପକ୍ଷରେ ସବୁଠାରୁ ଅସହନୀୟ ହେଲା ତହସିଲଦାର ରାମ ପଟ୍ଟନାୟକଙ୍କ ଉପସ୍ଥିତି । ହଉ !

 

"ହଁ, ବସ ନବଘନ !"

 

ପାଖର ଖଣ୍ଡେ ପଥର ଉପରେ ବସିଲେ ମତ୍ତଗଜ ମଙ୍ଗରାଜଙ୍କ ଆହ୍ଵାନ ରକ୍ଷାକରି । ଅନ୍ୟମାନେ ବର ଆଉ ଓସ୍ତଗଛ ମୂଳରେ ବସି ପଡ଼ିଲେ ।

 

ସରୁ ଶାନ୍ତିପୁରୀ ଚାଦରଟାକୁ ହଲେଇ ବିଞ୍ଚି ହଉ ହଉ ମଙ୍ଗରାଜେ କଥା ଆରମ୍ଭ କଲେ–

 

"ଜାଣିଲ ନବ, ଦଶରା ଦିନ ରାତିରେ କଳସ ମେଢ଼ ବିସର୍ଜନ ନ କରି ଏ ବର୍ଷ ଠଉଁ ଏକାଦଶୀ ଦିନ ଏଠି ଗୋଟା ଦଶରା ସଭା କରିବାକୁ ମୁଁ ସ୍ଥିର କରିଛି । ସଭାରେ କୁସ୍ତି କସରତ, ଫରି ଖେଳ ହେରିକା ତ ଯାହା ଯେମିତି ହବ, ବିଶେଷକରି ଏ ଅଞ୍ଚଳର ଅଭାବ ଅସୁବିଧା କଥା ଆଲୋଚନା କରିବା....ତମ ସମସ୍ତଙ୍କ ସହଯୋଗ ଆଉ ସାହାଯ୍ୟ ରହିଲେ ଯାଇଁ ଏ କାମଟା ସମାଧା ହବ । ...ଆରେ ହଁ, ତମେ ଜାଣିଚ ନବ, ଆମ ରାମର ପୁଅ ଏବେ ସବ୍ଡ଼େପୁଟି ଚାକିରି ପାଇଚି..."

 

ନବଘନ ଉତ୍ସାହ ପ୍ରକାଶ କରି କହିଲେ...

 

"କ’ଣ କହୁଚନ୍ତି, କିହୋ ରାମ ଭାଇ, ତମେ ଏ କଥା ତ ଆମକୁ କହିନା ?"

 

ନିଜ କଥାରେ ନିଜକୁ ଟିକେ ଗୌରବାବହ ସ୍ଥାନକୁ ଉନ୍ନୀତ କଲେ ମତ୍ତଗଜ । ମଙ୍ଗରାଜଙ୍କ କଥାର ଢଙ୍ଗ ପରିବର୍ତ୍ତନ ଭିତରେ ତାଙ୍କ ମତିଗତିର ପରିବର୍ତ୍ତନ ମଧ୍ୟ ସେ ଲକ୍ଷ୍ୟ କରିପାରିଚନ୍ତି । ତେବେ ରାମ ପଟ୍ଟନାୟକ ହେଲେ ଅସଲ, ଏହି ଅବସରରେ ତାଙ୍କୁ ସାମାନ୍ୟ ତୋଆଜ୍ କରିବାର ସୁଯୋଗ ମଧ୍ୟ ସେ ପାଇଗଲେ । ଦଶରା ସଭାର ପ୍ରସଙ୍ଗ ଛାଡ଼ି ଆଲୋଚନାର ଗତି ଅନ୍ୟଆଡ଼କୁ ଚାଲିଯିବା ଭିତରେ ମଙ୍ଗରାଜେ ବଣିଚିରେ ଜିଅଳ ଗୁନ୍ଥି ସୂତା ଛାଡ଼ିଦେବାକୁ ଲାଗିଲେ । ବିଶେଷ କଥା, ସେ ଭାବିଲେ, ମଙ୍ଗରାଜ ବଂଶର ଦଶରା ସଭାରେ କି ସାହାଯ୍ୟ କରିବ ଏଇ ମଳିକ ଟୋକା ।

 

ରାମ ପଟ୍ଟନାୟକଙ୍କ ପୁଅ ସବ୍ଡ଼େପୁଟି ହେବାର ସମ୍ବାଦ ପରିବେଷଣରେ ଅନ୍ୟମାନଙ୍କ ଭିତରେ ମଧ୍ୟ ଖୁବ୍ କୌତୂହଳ ପ୍ରକାଶ ପାଇଲା । କୌତୂହଳଜନିତ ଆଗ୍ରହର ବଶବର୍ତ୍ତୀ ହେଇ ସନେଇ ସାମଲ ଯାଇ ପଟ୍ଟନାୟକଙ୍କ ପାଖରେ ଛିଡ଼ା ହେଇପଡ଼ିଲେ ।

 

ହଠାତ୍ ସଭା ମଝିରେ ଜଣେ ସ୍ତ୍ରୀଲୋକ ପହଞ୍ଚି ମଙ୍ଗରାଜଙ୍କ ପରିକଳ୍ପନାରେ ଗୋଟା ଆଘାତ ହାଣିଦେଲା । ମାଇପିଟା ଲମ୍ବଜାଲ ହେଇ ପଡ଼ିଗଲା ମଙ୍ଗରାଜଙ୍କ ଗୋଡ଼ତଳେ ।

 

କ’ଣ କ’ଣ ବୋଲି ପାଖକୁ ଛୁଟିଆସିଲେ ରାମ ପଟ୍ଟନାୟକ..."ଆରେ ଏ ତ ଭାଗୁ ମାଝୀ ବୋହୂ...ଆଲୋ କଥା କ’ଣ କହ..."

 

ସ୍ତ୍ରୀଲୋକଟି ଭାଗୁ ମାଝୀର ବୋହୂ–ପରିଆର ସ୍ତ୍ରୀ । ଚଇତି ପୁନେଇଁ ଘୋଡ଼ାନାଚରେ ଆନ୍ଦ ମାଝୀ ପୁଅ ଅର୍ଜ୍ଜୁନା ସାଙ୍ଗରେ ଚଢ଼େୟାଣୀ ସାଜି ନାଚେ ପରିଆ । ଦେଖଣାହାରିଙ୍କି ମୁଗ୍ଧ କରିଦିଏ ।

 

ସେଇ ପରିଆର ସ୍ତ୍ରୀ ପଡ଼ିଚି ମଙ୍ଗରାଜଙ୍କ ଗୋଡ଼ତଳେ । କଥା କ’ଣ ?

 

"ଆଲୋ କଥା କ’ଣ କହ..."

 

Unknown

ତହସିଲଦାରଙ୍କ ଡାକରାରେ ତଳୁ ଉଠି ଆଗରେ ହାତଯୋଡ଼ି ବସିଲା ସେହି ସ୍ତ୍ରୀଲୋକ-। ହୁରୁକା ହୁରୁକା ନିତମ୍ବ, ମୋଟମାଟ ଦିହ । ମାଂସଳ ବକ୍ଷୋଜ ଦି’ଟା ଅତି ଉନ୍ନତ । ଛୋଟ ଖଣ୍ଡେ ଖଦି ବେଢ଼ାଣରେ ସତେଇଶ ଅଠେଇଶବର୍ଷର ଯୁବତୀ ଦେହଟା ଭଲଭାବରେ ଆବୃତ ନ ହେଇ କିପରି ଏକ ଅଶ୍ଳୀଳତାର ଉଦ୍ରେକ କରୁଥାଏ । ମୁହଁରେ ଅସଂଖ୍ୟ ବସନ୍ତର କ୍ଷତ, ଗଠନରେ ସୌନ୍ଦର୍ଯ୍ୟ ନଥିଲେବି ଯୌବନର ଏକପ୍ରକାର ରମ୍ୟତା ରହିଚି ସେଥିରେ । ରଙ୍ଗଟା ମାଠ ସାବନ-

 

"କହିବି ଆଉ କ’ଣ..."

 

ନାରୀର କଥାରେ ଅଶ୍ରୁର ଝଲକ ।

 

"ସାତବର୍ଷ ହେଲା ଆସି ଘର ଖଟିଲିଣି...ଛୁଆପିଲା ହେଲାନେଇ ବିଲି ମତେ ଏବେ ଘରୁ ବାହାର କରି ଦଉଚନ୍ତି..."

 

"ହଉ, ହଉ, ବୁଝିବା ତୋ କଥା, ଆରେ କିଏ ପରିଆକୁ ଟିକେ ଡାକିଲ ।"

 

ମଙ୍ଗରାଜଙ୍କ କଥା ଶେଷ ନ ହଉଣୁ ଦୌଡ଼ିଗଲା ନିଧି ପ୍ରମାଣିକ । ଘଞ୍ଚ କନିଅର ବୁଦା ଆଉ ବାରବର୍ଷିଆ ଗଛର ଆରପଟେ, ଖୁବ୍ ଅଳ୍ପ ଦୂରରେ ଭାଗୁ ମାଝୀର ଘର । ଡଙ୍ଗାରେ ଶୁଖୁଆ ବେପାର କରି ବାପ–ପୁଏ ଭଲ ଦିପଇସା ରୋଜଗାର କରନ୍ତି । ମଙ୍ଗରାଜଙ୍କ ଡାକରା ପଡ଼ିଚି ଶୁଣି ପରିଆ ପରିବର୍ତ୍ତେ ଆସିଲା ବୁଢ଼ା ଭାଗୁ ମାଝୀ । ତେଲ ଜୁକୁଜୁକୁ ଦେହଟାକୁ ଧୂଳିରେ ନଇଁ ପକେଇ ଗୋଟା ସାଷ୍ଟାଙ୍ଗ ପ୍ରଣାମ କଲା ମଙ୍ଗରାଜଙ୍କୁ ।

 

ଭାଗୁ ମାଝୀକି ଆଗରେ ଦେଖି ମଙ୍ଗରାଜେ ତାକୁ ଥରେ ଖୁବ୍ ତୀକ୍ଷ୍ଣଦୃଷ୍ଟିରେ ଅନେଇଲେ । ଜଣାଗଲା, ସେତିକ ଯେମିତି ଭାଗୁ ମାଝୀ ପକ୍ଷରେ ଚରମ ଆତଙ୍କର କାରଣ ହେଲାଣି । ହଠାତ୍ ଗୋଟା ଘଡ଼ଘଡ଼ି ଫାଟି ପଡ଼ିଲା ପରି ଶୁଣାଗଲା...

 

"ପଇସା ହେଲେ ତମର ଖାଲି ମାଇପ ବଦଳ ହୁଏ...ନା, ନେଇ ଯା ତୋ ବୋହୂକୁ...ଆଉ ଦିନେ ଯେମିତି କିଛି ନ ଶୁଣେ ।"

 

"ଏଇଟା ବାୟାଣୀଟା ଆଜ୍ଞା ।"

 

"ଚୁପ୍...ମୋ ମୁହଁ ଓପରେ ଜବାବ ଦଉଚୁ..."

 

ହାତର କଟ୍ରାଙ୍ଗ ବାଡ଼ିଟା ଉଠେଇଲେ ମଙ୍ଗରାଜେ । ଯୋଡ଼ ହାତ ଫିଟେଇ ଭାଗୁ ମାଝୀ ବୋହୂର ହାତ ଟାଣିଲା ।

 

ବୃଥାରେ ଗୁଡ଼ାଏ ସମୟ ନଷ୍ଟକଲା ମାଇକିନାଟା । ମନେମନେ ମଙ୍ଗରାଜେ ଖୁବ୍ କ୍ଷୁବ୍ଧ ହେଲେ । କିନ୍ତୁ ମଙ୍ଗରାଜଙ୍କ ଏପରି ଆଧିପତ୍ୟ ଆଉ ଶାସନର ପ୍ରଭାବ ମତ୍ତଗଜ କେବେହେଲେ ଆଖିରେ ଦେଖି ନଥିଲେ । ସେଥିଯୋଗୁଁ ମନର ଦୃଢ଼ତା ତାଙ୍କର ଚହଲିଗଲା ଯେମିତି ।

 

ଚାଦରରେ ମୁହଁ ପୋଛି ନିଶ ଦି’ ପଟକୁ ଭଲ କରି ଟିକେ ସାଉଁଳି ନେଲେ ମଙ୍ଗରାଜେ । ପଞ୍ଜାବି ପକେଟରୁ ବଟା ବାହାର କରି ଖଣ୍ଡେ ମସଲାଦିଆ ପାନ ଖାଇଲେ । ଆଉ ଖଣ୍ଡେ ଦେଲେ ମତ୍ତଗଜକୁ ।

 

"ହଁ...କ’ଣ ହେଲା ତହସିଲଦାର, ସେ ଅନାଦି ବଳ କଥା । କୁଆଡ଼େ ଘୋଡ଼ାରେ ଚଢ଼ି ଆସି ମୋ ପାଳରେ ମଞ୍ଜି ପୋତି ଦେଇ ଯାଇଚି ?"

 

ପାଖକୁ ଲାଗିଆସି ରାମ ପଟ୍ଟନାୟକ କହିଲେ–"କ’ଣ ପାଇବେ ସେ କଥାରୁ ଆଜ୍ଞା, କାହା ଜମି ନିଲାମରେ ଧରି ଆମ ପାଳନ୍ଦାରେ ଆସି ମଞ୍ଜି ପୋତିଦେଇ ଯାଇଛନ୍ତି । ପାଳ ଆମର ବାଡ଼ାବନ୍ଦି ହେଇଗଲାଣି । ଏଥର ଆସିଲେ ସେ ଆଉ ଘୋଡ଼ା ଚଢ଼ି ଫେରିଯାଇ ପାରିବେନି ।"

 

"ସାବାସ୍ !"

 

ମଙ୍ଗରାଜଙ୍କ କଣ୍ଠସ୍ୱରରେ ଗମ୍ଭୀରତା, ଗୁହା ଭିତରୁ ସିଂହର ଆବାଜ ଭଳି ଶୁଣାଗଲା । ତା’ପରେ ସେ ବାଁ ଜଙ୍ଘ ଉପରେ ଡାହାଣ ଗୋଡ଼ ରଖି ବସିବାର ଠାଣି ଆଉ ବାଗେ ବଦଳେଇବାକୁ ଚେଷ୍ଟାକଲେ । ନା, ସୁବିଧାଜନକ ହେଲାନି, ଡାହାଣ ଗୋଡ଼ଟାକୁ ପୁଣି ଖସେଇ ନେଲେ ତଳକୁ । ପୁଣି ପାନବଟା କାଢ଼ି ଆଉ ଖଣ୍ଡେ ପାନଖିଲ ପୂରେଇଲେ ପାଟିରେ ।

 

"ହଁ... ଶୁଣ ରାମ, ମତ୍ତଗଜେ ଆସିଚନ୍ତି । ଆଉ...ଗୋବିନ୍ଦ ପଟ୍ଟଜ୍ୟୋତିଷେ, ସନେଇବାବୁ, ନିଧି ପ୍ରମାଣିକ ଆଉ ଯଦୁ ଖୁଣ୍ଟିଆବି ଅଛନ୍ତି । ...ମୁଁ କହୁଥିଲି ଏଇ ମତ୍ତଗଜଙ୍କ କଥା...ଅବଶ୍ୟ ବାଟରେ କଥା ପଡ଼ୁ ପଡ଼ୁ ମତେ ସେ ଦିପଦ ତେଢ଼ାତେଢ଼ି କରି କହିଲେ...କଥାରେ କିଛି ଦିହ ଘୋରି ହେଇଯାଏନା...କିହୋ ଖୁଣ୍ଟିଆ, ଗରମ ପାଣିରେ କୋଉଠି ଘର ପୋଡ଼େ..." କାହାରି ଉତ୍ତରକୁ ଅପେକ୍ଷା ନ କରି ମଙ୍ଗରାଜେ ପୁଣି କହିଲେ–

 

“ଯେତେହେଲେ ମତ୍ତଗଜେ ଆମ ଭାଇ ବିରାଦର ଲୋକ । ତାଙ୍କ ସାଙ୍ଗରେ ବିବାଦ ଲାଗିବା ମୋର ଇଚ୍ଛା ନୁହେଁ...ଭଲବି ହବନି...”

 

ମଙ୍ଗରାଜଙ୍କ କଥାକୁ ସର୍ବପ୍ରଥମେ ସମର୍ଥନ କଲେ ସନେଇ ସାମଲ । ...ଇଏ ଗୋଟା କଥା, ଆମ ଆମ ଭିତରେ ଫୌଜଦାରି...ମାଲିମକଦ୍ଦମା ହବ...ଆମକୁ କ’ଣ କହିବେ ଲୋକେ...

 

ଫୌଜଦାରି କଥାଟା ଏଠାରେ ସମ୍ପୂର୍ଣ୍ଣ ଅଭାବିତ ପ୍ରଶ୍ନ । ଚମକି ପଡ଼ିଲେ ନବଘନ ମତ୍ତଗଜ ହରିଚନ୍ଦନରାୟ । ନିଜ ବସିବା ଜାଗାରୁ ଉଠିପଡ଼ି ସେ ତହସିଲଦାରଙ୍କୁ ଟିକେ ଆପଟକୁ ଭିଡ଼ି ନେଇଗଲେ । ସେ ପାଖରେ ହାତୀଆଙ୍କୁଶା କଣ୍ଟା ବୁଦାର ଅରାଏ ଅରମା, ତା’ ପାଖକୁ ଲାଗି ତିନି ଚାରିଟା ଆତଗଛ । ତା’ ଉପରେ ମାଡ଼ିଯାଇଚି ସୁଆଁଫୁଲର ଲତା । ଅରମା ଭିତରେ ସୁବାସ ପବନ ଖେଳିବୁଲୁଚି । ତାଳବଣିଆ ସେ ପାଖରେ ପାଳନ୍ଦା ଜମିର କଡ଼େ କଡ଼େ କାଶତଣ୍ଡୀ ଫୁଲର ତରଙ୍ଗ ।

 

ରାମ ପଟ୍ଟନାୟକଙ୍କ ହାତକୁ ମୁଠେଇ ଧରିଲେ ମତ୍ତଗଜ ।

 

“ରାମ ଭାଇ, ତମେ ମୋ ସାଙ୍ଗରେ ଫୌଜଦାରି କରିବାକୁ ଭାବିଚ ।”

 

ପଟନାଏକେ ଦାଉଁ ମାରିବାରେ ଧୁରନ୍ଧର । ଥରେ ସେ ଭଲକରି ଅନେଇଲେ ମତ୍ତଗଜଙ୍କ ମୁହଁକୁ । ହଁ, ବଚନ କାଟୁ କରିବାର ବେଳ ହେଇଚି ।

 

“ତମେ ରାଣ୍ତୀଖଣ୍ଡୀଙ୍କ ଜମି ଆଉ ଯୋଉଠି ଯେତେ ନେଇଚ ନିଅ...ହେଲେ ଫୁଲ ବେଓ୍ୟା ଜମିରେ ପଶନା, ବୁଢ଼ାଠେଇଁ ଟିକେ ଭାଗଅଛି ମୁଁ କହୁଚି...କିନ୍ତୁ ପ୍ରତାପ କାହାରି ନୁହେଁ...”

 

“ରାମ ଭାଇ, ତମେ ଗୋଟା କିନାରା କରିଦିଅ !”

 

“ତମେ ଆଗେ କ’ଣ କହୁଚ କହିଲ ?”

 

“ଅଧାଅଧି, ଆଉ କ’ଣ କହିବି !”

 

“ତମେ କେତେଟଙ୍କା ଖର୍ଚ୍ଚ କରିଚ ମୁଁ ଜାଣିଚି ମତ୍ତଗଜେ । ହବନି । ତିନି–ଦୁଇ କମ୍‍ରୁ କିଛି ଫୈସଲା ହେଇପାରିବନି ।”

 

ନିରୁପାୟ ହେଇ ନୀରବ ରହିଲେ ମତ୍ତଗଜ । ଅର୍ଥାତ୍ ରାମ ପଟ୍ଟନାୟକ ବିବାଦ ସମାଧାନ ପାଇଁ ନିଷ୍ପତ୍ତି କଲେ ଯେ ଦାସ ବେହେରାର ପାଞ୍ଚ ମାଣ ଜମିରୁ ମତ୍ତଗଜ ପାଇବେ ଦୁଇ ମାଣ, ଆଉ ପ୍ରତାପ ପାଇବ ତିନି ମାଣ ।

 

ଗାଁ ପରିକ୍ରମାରୁ ଫେରି ପ୍ରାୟ ଦଶଟାବେଳକୁ ମଙ୍ଗରାଜେ ଘରକୁ ଫେରିଲେ ।

 

ଭୋଦୁଅ ମାସିଆ ଖରା, ସକାଳର ହଳଦି ଆଭା ପାଲଟେଇ ଖରାର ସେତେବେଳକୁ ସଫେଦ ହେଇଗଲାଣି; ପୁଣି ପାକଳ ହେଇ ଦେହକୁ ଦା'କାଟିଲା ଭଳି ଲାଗୁଥାଏ । କିନ୍ତୁ ପଲ୍ଲୀପଥର ଛାୟାଶୀତଳତା ଯୋଗୁଁ ମଙ୍ଗରାଜେ ବେଶି କଷ୍ଟ ଅନୁଭବ କଲେନି । ବିଶେଷ କଥା, ମନର ଆନନ୍ଦଟା ତାଙ୍କୁ ବାହାରର ଅସ୍ୱାଚ୍ଛନ୍ଦ୍ୟ ଭୁଲିବାକୁ ଖୁବ୍ ସାହାଯ୍ୟ କରିଚି ।

 

ହଁ....ଭଲ ଯୋଗରେ ବାହାରିଥିଲେ ସେ ଆଜି ବୁଲି । ରାଣ୍ତୀଖଣ୍ଡୀଙ୍କ ଜମି ଜାଲଫିସାଦିରେ ମାଡ଼ିବସି ଗୋଟା ନୂଆ ବୁନିଆଦି ଗଢ଼ୁଚି ନବଘନ ମତ୍ତଗଜ...ଯୋଉଠି ଯା' କର ପଛେ...କିହୋ ତମେ ମୋ ସାଙ୍ଗରେ ଦବ ଟକ୍କର । କେତେ ଦେଇଥିବ ପ୍ରତାପ ଫୁଲ ବେଓ୍ୟାକୁ...ଟଙ୍କା ପଚାଶ ଶହେଟାରୁ ହୁଏତ ବେଶି ନୁହେଁ । ବେଶିହେଲେ ଧର ଶହେ ଟଙ୍କା...ଶହେ ଟଙ୍କାରେ ହାତିଆବାଙ୍କର ତିନି ମାଣ ଜମି–ଗାଁରେ ଜମି ମାଣକ ହେଇଚି ବର୍ତ୍ତମାନ ଦି’ ହଜାରରୁ ଅଢ଼େଇ ହଜାର...ଢେର୍ ଢେର୍...ଢେର୍ ଫାଇଦା ହେଇଚି...। ନିରନ୍ଧ୍ର ଆନନ୍ଦରେ ଭରିଗଲା ମଙ୍ଗରାଜଙ୍କ ମନର ଚୌହଦୀ ।

 

ଚଉପାଢ଼ିର ଠିକ୍ ପଛପଟେ ପୂର୍ବ ଅଞ୍ଚଳକୁ ଲାଗି ଅମାର ଖଞ୍ଜା ଓ ଗୋରୁଗୁହାଳ । ଆଗରେ ଗୋଟିଏ ପ୍ରାଙ୍ଗଣ । ତା’ର ଦକ୍ଷିଣକୁ ଦୁଇ ତିନିଟା ଖତଗଦା ଆଉ ଗୋବର ଖାତ, ତା’ ଆରପଟକୁ ଛୋଟ ବଗିଚା ଭିତରେ ଗୋଟିଏ ପୋଖରୀ, ଚାରିପାଖରେ ଇଟାର ପାଚେରୀ ବୁଲିଚି-। ଏ ଆଡ଼କୁ ମଙ୍ଗରାଜେ ବେଶି ଆସନ୍ତିନି । ଏପଟଟା ହାଲି ତିଆରି ହେଇଚି । ସେଠି ସ୍ତ୍ରୀଲୋକମାନଙ୍କ ଆର୍ଦୋଳି ବେଶି ।

 

ମଙ୍ଗରାଜେ ସଦର ଦାଣ୍ଡରେ ପହଞ୍ଚିବାକ୍ଷଣି ଅମାର ଖଞ୍ଜା ଦାଣ୍ଡରୁ ଢୋଲକ ଶବ୍ଦ ସହ ସଖୀନାଚର ଗୀତ ଭାସିଆସିଲା ।

 

ଚନ୍ଦ୍ରବଦନୀଲୋ...ଇତ୍ୟାଦି ।

 

ମଙ୍ଗରାଜଙ୍କ ମନଟା ଆହୁରି ସରସ ଲାଗିଲା । ଘରଆଡ଼କୁ ବାଗେଇ ଯାଉଁ ଯାଉଁ ହଠାତ୍ ଚଉପାଢ଼ି ଆଡ଼େ ତାଙ୍କର ଆଖି ପଡ଼ିଲା । ଚଉପାଢ଼ି ପିଣ୍ଡାରେ କ’ଣ ସବୁ ଲୁଗାପଟା ଘାଣ୍ଟୁଚି ମୀନକେତନ । କ୍ରୋଟନ ଗଛ ଆପଟରେ କିଏ ବସିଚି ସେଠି ? ଆଁ, ଏ ତ ବରମବର୍ଦାର ମୀର୍ଜା ! ବାଟଭାଙ୍ଗି ମଙ୍ଗରାଜେ ଚଉପାଢ଼ି ଆଡ଼େ ଗଲେ ।

 

"ଆରେ...ଆପଣ କୁଆଡ଼େ ମୀର୍ଜା ସାହେବ ?”

 

ଉଠି ଠିଆହେଲେ ମୀର୍ଜା । ହାତ ଟେକି ସଲାମ କଲେ । ମୁହଁରେ ଅପରାଧୀର ଭାବ । କିନ୍ତୁ ତାଙ୍କ ସର୍ବାଙ୍ଗରେ ଫୁଟିଉଠୁଥାଏ ଏକ ଐଶ୍ୱର୍ଯ୍ୟଶାଳୀ ଆଭିଜାତ୍ୟର ବିଗଳିତଲାବଣ୍ୟ । ବୟସର ଆଧିକ୍ୟରେ ଦେହର ଗାନ୍ଥିନି ଢିଲା ଜଣାଯାଉଥିଲେ ମଧ୍ୟ ଚର୍ମର ଗୌରକାନ୍ତି ଅତୀତର ସୌଷ୍ଠବ ଘୋଷଣା କରୁଚି । ଯେମିତି ସ୍ୱର୍ଣ୍ଣ ଜରି ଉକୁଟା ପୁରୁଣା ମହାର୍ଘ ବସ୍ତ୍ର ଖଣ୍ଡେ ଲୋଟିପଡ଼ିଚି ଧୂଳିରେ ।

 

କିଛି କହିପାରିଲେନି ମୀର୍ଜା । ପ୍ରଶସ୍ତ ଚନ୍ଦା ମୁଣ୍ଡର ତଳ ପାଖରେ ସୌଖୀନ ଝିଲିପି ବାଳ ପାଚିଗଲାଣି । ବାଘ ମୁହଣ୍ଡା ମୁହଁର ଶ୍ଵେତ ଶ୍ମଶ୍ରୁରାଶିରେ ମେହେନ୍ଦିର ପ୍ରଲେପ । ଆଜି ମଧ୍ୟ ସେ ଆୟତ ନୟନ ଯୁଗଳରେ ସୁର୍ମା ଲଗେଇଚନ୍ତି । ତଞ୍ଜବ କନାର ପଞ୍ଜାବିର ଗୋଟିଏ କାନିରେ ଥରେ ଖାଲି ସେ ନିଜର ମୁହଁଟାକୁ ପୋଛିଦେଲେ ।

 

କଥା କହିଲା ମୀନକେତନ । ସେଥିରୁ ମଙ୍ଗରାଜେ ବୁଝିଲେ ନିଜ ଘରର ଏହି ସବୁ ପୁରୁଣା ବ୍ୟବହୃତ ଦାମିକା ଲୁଗାପଟା ଧରି ସେଗୁଡ଼ିକୁ ବିକ୍ରିକରି କିଛି ଅର୍ଥ ସଂଗ୍ରହ କରିବାକୁ ଆସିଚନ୍ତି ମୀର୍ଜା ସାହେବ । ବେଶିଭାଗ ସେଥିରେ ସ୍ତ୍ରୀଲୋକଙ୍କ ପୋଷାକ । ତାକୁ ଦେଖି ଏକ ସୌନ୍ଦର୍ଯ୍ୟମୟ ହାରେମ୍‍ର ଛବି ଭାସିଉଠିଲା ମଙ୍ଗରାଜଙ୍କ ଆଖିରେ । ଆଜି ମଧ୍ୟ ଏ ଅଞ୍ଚଳର କୌଣସି ଅଭିଜାତ ହିନ୍ଦୁ ପରିବାରର ବିଳାସ ଆଉ ସମ୍ଭୋଗର ସେ ସ୍ତରକୁ ଉଠି ପାରି ନଥିବ । ମଙ୍ଗରାଜଙ୍କ ଭିତରେ ଏକ ଅଖଣ୍ଡ ସ୍ତବ୍ଧତା ଆଧିପତ୍ୟ ବିସ୍ତାର କଲା । ସମୃଦ୍ଧି ଆଉ ଐଶ୍ୱର୍ଯ୍ୟ ଏବଂ ଆଭିଜାତ୍ୟର ଅପରାହ୍ନ ପୁଣି ଏପରି ଶୋଚନୀୟ ହୁଏ !

 

ମଙ୍ଗରାଜଙ୍କର ଆହୁରି ମନେପଡ଼ିଲା, ମୀର୍ଜା ଘର ନାଁ ଧରିଲେ ଗର୍ଭିଣୀ ଗାଈ ବାଟ ଛାଡ଼ୁଥିଲା । ଦୋଳ ପୁନେଇଁରେ ହିନ୍ଦୁର ଦେବତା ଚାଚେରୀରେ ଯାଇ ମୀର୍ଜାଘର ଦାଣ୍ଡରେ ଆଳତି ହେଉଥିଲେ । ସେଦିନ ଶହ ଶହ ଟଙ୍କାର ବାଣ ପୋଡ଼ି ଦେଉଥିଲେ ମୀର୍ଜା । ଆଜି ସେହି ମୀର୍ଜା ନିଜେ ଆସିଚନ୍ତି ନିଜ ମାଇପଙ୍କ ପୁରୁଣା ଲୁଗା ବିକ୍ରି କରିବାକୁ ତାଙ୍କ ଘରକୁ । ଆଜିବି ତାଙ୍କର ଲିଚୁ, ପିଆରା, ଡାଳିମ୍ବ, ଆମ୍ବ, ପଣସ, ସପୁରି ବଗିଚାରେ ବାଘ ଲୁଚୁଥିବ...ପଥର ପିଣ୍ଡା, ପଥର କାନ୍ଥ, ପଥର ପାହାଚର ଧାଡ଼ି, ଯାଜପୁର ଗଲା ବାଟରେ ସେ ସବୁ ଦେଖିଥିଲେ ସେ ଥରେ...

 

ସେ ଆଉ କିଛି ଭାବିପାରିଲେନି । ମୀର୍ଜାଘର ତୁଳନାରେ ନିଜର ମାତ୍ର ତିନିପୁରୁଷର ଖାନ୍‍ଦାନୀ କି ଅତି ଅକିଞ୍ଚିତ୍‍କର ବୋଲି ମନେକଲେ ।

 

"ଆପଣ କ'ଣ ଏଇ ଖରାରେ ଆଜି ଫେରିଯିବେ ?"

 

ମଙ୍ଗରାଜଙ୍କ ଏ ପ୍ରଶ୍ନ ଶୁଣି ଖଣ୍ଡେ କରୁଣ ହସ ହସିଲେ ମୀର୍ଜା । ମୀର୍ଜା କ'ଣ କାହା ଘରେ ରହନ୍ତିନି ବୋଲି ମଙ୍ଗରାଜ ଜାଣି ନାହାନ୍ତି ! ସେ ସଂକ୍ଷେପରେ କହିଲେ–

 

"ହାଟକୁ ଆମର କିଛି ଫଳ ଆଉ ପନିପରିବା ବିକିରି ହବାକୁ ଆସିଚି । ମୁଁ ହାଟକୁ ଚାଲିଯିବି ।"

 

ଚାଲିଗଲେ ମଙ୍ଗରାଜେ । ଇସାରା ଦେଇ ସେ ଡାକିନେଲେ ମୀନକେତନକୁ । ଘରେ ପହଞ୍ଚି ସେ ମୀନକେତନକୁ କହିଲେ, ଲୁଗାପଟାଯାକ ରଖ । ଦଶହରାକୁ ନାଚବାଲା ଆସିଲେ ତାଙ୍କୁ ଦେଇଦବୁ । ନେ...ଏ ପଚାଶ ଟଙ୍କା ମୀର୍ଜାଙ୍କୁ ଦବୁ...ଖୁବ୍ ଭଦ୍ର ଭାବରେ ଦବୁ...ବୁଝିଲୁ । ଭାରି ଖାନ୍‍ଦାନ୍ ଲୋକ ସିଏ...ଆଜି ଦୁର୍ଭାଗ୍ୟରେ ପଡ଼ି ଆମ ଦୁଆରକୁ ଆସିଚନ୍ତି...

 

ମଙ୍ଗରାଜେ ଭଲ କରି ଦେଖିଚନ୍ତି ପାଞ୍ଚ ଦଶ ଟଙ୍କାରୁ ସେ ସବୁ ଲୁଗାପଟାର ଦର ବେଶି ହବନି । କିନ୍ତୁ ମୀର୍ଜା ଆସିଚନ୍ତି ନିଜେ । ସେଠି ଆଉ ଜିନିଷର କି ଦର ଅଛି !

 

ଅଠର

 

ଅନେକ ଦିନ ହେଲା ହାରାମଣି ଗାଁରେ ନାହିଁ । ଉଦିତଚନ୍ଦ୍ର ବହୁ ସମୟରେ ନିଜ ସ୍ତ୍ରୀ ଆଉ ପିଲାମାନଙ୍କୁ ଆପଣାର କର୍ମସ୍ଥଳକୁ ନେଇଯାଏ । ସେଠାରେ ସେମାନେ ବେଳେବେଳେ ଅନେକ ଦିନ ଧରି ରହନ୍ତି । ପିଲା ଭିତରେ ତା'ର ଦୁଇଟି ଝିଅ ଆଉ ଗୋଟିଏ ପୁଅ । ଝିଅ ଦୁଇଟି ବଡ଼ । ପୁଅର ବୟସ ବେଶିହେଲେ ପାଞ୍ଚବର୍ଷ ଖଣ୍ଡେ ହେବ । ଝିଅ ଦୁଇଟିରୁ ଗୋଟିକୁ ବାର, ଆଉ ଗୋଟିକୁ ଏବେ ନଅବର୍ଷ ପୂରିଚି । ପ୍ରାୟ ପାଞ୍ଚ ସାତବର୍ଷ ତଳେ, ମୋଗଲବନ୍ଦି ଓ ଗଡ଼ଜାତର ଏକୀକରଣ ହେଇଯିବାର କିଛିକାଳ ପରେ ଉଦିତଚନ୍ଦ୍ରର ପଦୋନ୍ନତି ଘଟିଥିଲା, ସେଥିରେ ଏବେ ଆହୁରି ଉନ୍ନତି ଘଟିଛି । ଯୋଜନା କାର୍ଯ୍ୟର ବ୍ୟାପକତା ଭିତରେ ତା'ର ଆୟର ପରିସର ମଧ୍ୟ ବ୍ୟାପକ ହେଇଚି । ସେଥିପାଇଁ ଏବଂ ତାହା ଉପରେ ବଂଶର ବଡ଼ବୋହୂ ଭାବରେ, ମଙ୍ଗରାଜଙ୍କ ପରିବାରରେ ହାରାମଣିର ଆଧିପତ୍ୟ ବେଳେବେଳେ ସୀମାତିକ୍ରାନ୍ତ ହେଇଯାଏ । ସେ ଗାଁରୁ ଦୂରକୁ ଗଲେ ପ୍ରତାପ ଆଉ ମୀନକେତନର ସ୍ତ୍ରୀ ଛଡ଼ା ମଧ୍ୟ ଶାଶୁ ସୁରେଶ୍ଵରୀବି ଆଶ୍ୱସ୍ତ ହୁଅନ୍ତି । ବର୍ତ୍ତମାନ ଗତ କିଛିଦିନ ହେଲା ବଡ଼ବୋହୂ ହାରାମଣି ଯୋଗୁଁ ମଙ୍ଗରାଜ ବଂଶର ବିରାଟ ପରିବାରରେ ଗୃହ ବିବାଦର ସୂତ୍ରପାତ ହେଇଚି । ସ୍ୱାମୀ ଉଦିତଚନ୍ଦ୍ରକୁ ସେ କରିଚି ଅସ୍ତ୍ର । ଫୁଲ ବେଓ୍ୟାଠାରୁ ଦାସ ବେହେରା ଜମିର କବଲା କରିନେବା ଘଟଣାରୁ ସୂତ୍ର ପ୍ରସ୍ତୁତ କରିଚି ହାରାମଣି...ପ୍ରତାପ ଅଙ୍ଗିଲା ଜମି କିଣିଚି, ଜାଣିଲ ! ବାହାରକୁ ସିନା ପାଞ୍ଚ ମାଣ କଥା ଜଣାପଡ଼ିଚି, ଆଉ କୋଉଠି କ'ଣ ସବୁ ଯେ ନ କରିଥିବ କିଏ କହିବ !

 

ଉଦିତଚନ୍ଦ୍ର କିଛି ନ ଶୁଣିଲା ପରି କାମରେ ମନ ଦିଏ । ଓଭରସିୟର୍ ଦେଇଥିବା ପୋଲ ତିଆରିର ଫାଇନାଲ୍ ରିପୋର୍ଟଟାକୁ ଦେଖି ଚିଡ଼ିଉଠେ । କିଏ ୟାର କଣ୍ଟ୍ରାକ୍ଟର...ଆଁ,ଦାସ–ମହାପାତ୍ର କମ୍ପାନୀ ? ନା, ସେ ନିଜେ ଦେଖିବ ଏ କାମଟା ! ଦାସ–ମହାପାତ୍ର...ଉଁ...ଏ କମ୍ପାନୀର ଲୋକ କିଏ କେବେ ଆସିଚି ଏ କୋଠିକି ?

 

ଗୋଟା ହିସାବରଖା ନୋଟ୍ ବହିର ପୃଷ୍ଠା ସେ ଓଲଟେଇଲା । ହଁ, ଭଲ–କମ୍ପାନୀ, କାମ ନିଶ୍ଚୟ ଭଲ କରିଥିବ ।

 

"ଜାଣିଲ, ଶୁଭୁଚି...''

 

"ଉଁ !''

 

ଗୋଟା ନକ୍ସା ଉପରେ କମ୍ପାସ ଧରିଥିଲା ଉଦିତଚନ୍ଦ୍ର । ତଥାପି ତା’ କାନରେ ପୁଣି ପଶିଲା ସ୍ତ୍ରୀର କଣ୍ଠସ୍ୱର ।

 

"ତମେ ପ୍ରବାଳ ବା'ଘରକୁ କାଇଁକି କ'ଣ ଦେଇଥାନ୍ତ ମ ? କିଏ କ'ଣ ଦେଲା କି ?''

 

"କ'ଣ ତମେ ବାପାଙ୍କ ବିଷୟରେ କିଛି କହିବାକୁ ଚେଷ୍ଟା କରୁଚ ?''

 

ଦବିଗଲା ହାରାମଣି । ନା, ଆଜି ଆଉ କିଛି କହିହବନି । ଲ୍ୟାମ୍ପ ତଳେ ଟେବୁଲର କାଗଜପତ୍ର ଉପରେ ସ୍ୱାମୀଙ୍କର ମୁହଁଟା ମାଡ଼ ହେଇ ଯାଇଛି, ସେ ନିରିଖି ନିରିଖି ଅନେଇଲା । କିଛି ସମୟ ପରେ ଉଦିତଚନ୍ଦ୍ର ମଧ୍ୟ ଅନେଇଲା ହାରାମଣି ଆଡ଼କୁ । ଆରାମ କେଦାରାରେ ବସି ପତ୍ନୀ ଏକ ଲକ୍ଷ୍ୟରେ ତା’ ଆଡ଼କୁ ଚାହିଁରହିଚି । ଟେବୁଲର ଦରାଜ ଟାଣି ତାଡ଼ାଏ ନୋଟ୍ ଉଦିତଚନ୍ଦ୍ର ପକେଇଦେଲା ପତ୍ନୀର କୋଳ ଉପରକୁ ।

 

"ନିଅ, ଗୋଟା କାମ କର, ଏ ବିଡ଼ାଟାରେ କେତେ ଟଙ୍କା ଅଛି ବସି ଗଣିଲ...।''

 

ଉଦିତଚନ୍ଦ୍ର ପୁଣି କାମରେ ମନଦେଲା । ହାରାମଣି ନୋଟ୍ ବିଡ଼ା ଖୋଲି ତାକୁ ଗଣିବାକୁ ଚେଷ୍ଟାକଲା । କେତେଖଣ୍ଡ ସେଥିରୁ ନେଇ ଫାପୁଲା ସ୍ତନ ଦି’ଟାର ମଧ୍ୟବର୍ତ୍ତୀ ବ୍ଲାଉଜ୍ ତଳେ ଗୋପନ କରିବା ପରେ ଅକ୍ଷମତା ପ୍ରକାଶର ଭଙ୍ଗୀରେ କହିଲା...

 

"ନା, ମୁଁ ପାରିବି ନେଇଁଲୋ ମା’, ସବୁ ଭୁଲ ହେଇଯାଉଚି... କିଏ ଆକୁ ସବୁ ଗଣେ !''

 

ହସ ମାଡ଼ିଲା ଉଦିତଚନ୍ଦ୍ରକୁ, ତେବେ ମଙ୍ଗରାଜ ବଂଶର ବଡ଼ ବୋହୂଙ୍କ ତୁଣ୍ଡ କଥା ବୋଲି ସେ ତାକୁ ଶୁଣି ଆମୋଦ ଅନୁଭବ କଲା ।

 

"ହଁ...ତମର ସେଇ ଅକ୍ଷିଆଟା ଏବେ କ'ଣ କରୁଚି

 

କିହୋ ?''

 

ଟେବୁଲ ଉପରେ ନୋଟ୍ ଥାକଟା ରଖିଦେଇ ପୁଣି ଯାଇ କାଉଚରେ ବସିଲା ହାରାମଣି-। ଡାହାଣ ଜଙ୍ଘକୁ ଉଠେଇ ବାଁ ଜଙ୍ଘ ଉପରେ ଲଦିଦେଲା । ଗୋଟାଏ ପାଖରେ ଝଲସି ଉଠିଲା ରେଶମ ଶାଢ଼ିରେ ପାଲିସ୍ ବିରାଟ ନିତମ୍ବର ବିଶାଳ ବର୍ତ୍ତୁଳତା । ବ୍ଲାଉଜ୍ ଖସ୍ ଖସ୍ କଲା...ଆଁ–ଜମା ଦଶ ଖଣ୍ଡ ନୋଟ୍‍ରେ ଏତେ ଗୋଳମାଳ...ହଜାର ଟଙ୍କାର ମାମଲତ... ।

 

ହାରାମଣି ଟିକେ ଡେରିଙ୍ଗିହେଇ ବସିଲା । ଆଗକୁ ଉକୁସି ଉଠିଲା ତା'ର ବକ୍ଷ । ଛୁଆପିଲାର ମା’, ସ୍ତନ ବୃନ୍ତ ଦି’ଟା ବ୍ଲାଉଜ୍ ଉପରେ ପ୍ରାଧାନ୍ୟ ପ୍ରକାଶ କରୁଥାଏ ।

 

"କ'ଣ ପଚାରୁଥିଲଟି, ଆମ ଅକ୍ଷୟ କଥା ? ସିଏ କରିବ ଆଉ କ'ଣ...ଆମର କ'ଣ ଅଭାବ ଯେ...ଆଁ ଜାଣିଲନା, ଆମଆଡ଼େ ତାଲବର ଲୋକ ବେଶି ନାଆନ୍ତି, ସେଇ ଯା ଆମରି ଘରଟି, ସେଥିପାଇଁ କିଣିବା ଲାଗି ଜମି ଯାହାକୁ ଯେତେ, ଅକ୍ଷୟ ପନ୍ଦର ମାଣେ ଆମ ପେଇଁ ଯୋଗାଡ଼ କରିଚି..."

 

ଉଦିତଚନ୍ଦ୍ର ଆଉ କିଛି କାମ କରିପାରିଲାନି । ଥରେ ସ୍ତ୍ରୀକି ଅନେଇଦେଲା । ଆଖିରେ ଦେଖିଲା, ବିଶାଳ ଜଘନ ଆଉ ନିତମ୍ବ, ତା’ ଉପରେ ରେଶମ ଶାଢ଼ି ଚାପି ହେଇ ଆଲୁଅରେ ଚକ୍ ଚକ୍ ମାରୁଚି । ଗୋଟା ଢୋକ ଗିଳିଦେଲା ଉଦିତ ।

 

"ଅକ୍ଷିଆ ଆମ ବଂଶର ସର୍ବନାଶ କରିଚି, ତମେ ଜାଣ ? ପୁଣି ସେଇ ଅକ୍ଷିଆକୁ ଟାଣୁଚ ଆମ ଭିତରକୁ । ଭାଗ୍ୟର କଥା, "ବାପା ଏସବୁ କଥା ଘୁଣାକ୍ଷରେ ହେଲେ ଜାଣି ନାହାନ୍ତି...ନହେଲେ ତମ ବଂଶ..."

 

ହଠାତ୍ କଥା ବନ୍ଦ କରି ସେ ଗୋଟା ସିଗାରେଟ ଟାଣିଲା । ଅନେକ ଦିନର ଅବରୁଦ୍ଧ ଉତ୍ତେଜନାର ଅଗ୍ନି, ଆଜି ତା'ର ଉଦ୍‍ଗୀରଣ ହେଲା । ଶେଷକୁ ସେ ଚଉକି ଛାଡ଼ି ଠିଆ ହୋଇପଡ଼ିଲା । ଘରସାରା ଧୂଆଁର କୁଣ୍ଡଳୀମାଳା ଖେଳେଇ ଦେଇ, କେତେକାଂଶରେ ନିଜକୁ ସଂଯତ କରି ସେ କହିଲା...

 

"ଆମ ବଂଶର ସବୁଠାରୁ ଅଲିଅଳ ଝିଅ, ମୋର ସବୁଠାରୁ ସୁନ୍ଦରୀ ଭଉଣୀ...ବାପା–ବୋଉଙ୍କର ଜୀବନର ଧନ ପ୍ରବାଳମଞ୍ଜରୀକି ସଂସାରରୁ ଭସେଇ ଦବାପାଇଁ ତମ ଅକ୍ଷିଆ ଆମରି ଘରେ ରହି, ଆମରି ଅନ୍ନଧ୍ଵଂସ କରି ଚକ୍ରାନ୍ତ କରିଥିଲା । କ'ଣ ଆମେ ତମ ବଂଶର କ୍ଷତି କରିଥିଲୁ ହାରାମଣି ? ତମେ ଛାତିରେ ହାତ ଦେଇ କହି ପାରିବ ?"

 

ହାରାମଣିର ଆଖିରେ ଆଖି ମିଳେଇ ଠିକ୍ ତା’ ଆଗରେ ଛିଡ଼ା ହେଲା ଉଦିତଚନ୍ଦ୍ର । ପୁଣି ସେଠୁ ଘୁଞ୍ଚିଯାଇ କେତେ ପାଦ ବୁଲିଗଲା । ହାରାମଣି ନିର୍ବାକ୍, ନିସ୍ପନ୍ଦ, ବିମୂଢ଼ ହେଇ ଅନେଇରହିଲା ସ୍ୱାମୀର ମୁହଁକୁ ।

 

"ବୋଉ ସବୁକଥା ଜାଣି ମଧ୍ୟ ତମକୁ ସେ ଦିନେହେଲେ କିଛି କହିନି । ଏତେକଥା ପରେ ମଧ୍ୟ ଅକ୍ଷିଆ ଆମ ଘରେ ଯାଇ ପନ୍ଦର ଦିନ ରହି ଆସିଚି । ତମ ଯୋଗୁଁ ନୁହେଁ ହାରାମଣି, ସେମାନେ ସବୁକଥା ସହିଚନ୍ତି କେବଳ ମୋରି ଯୋଗୁଁ । ଓଲଟି ତମର ସବୁ ଅତ୍ୟାଚାର ସହିଚନ୍ତି । ଅବଶ୍ୟ ମୁଁ ବରାବର ଦୂରରେ ରହିଚି...ତମେ ପାଖରେ ରହି କ'ଣ କରିଥିଲ ?"

 

ଦୁଇ ଧାର ଅଶ୍ରୁ ଝରିଗଲା ହାରାମଣିର ଆଖିରୁ । ନିତମ୍ବର ଅବସ୍ଥିତି ସେଇମିତି ଅଭବ୍ୟ ଦୃଶ୍ୟ ସୃଷ୍ଟି କରୁଥିଲେ ମଧ୍ୟ ନିଜର ନିରାଶ୍ରୟତା ଭିତରେ ତା'ର ପରିବର୍ତ୍ତନ ପାଇଁ ସେ କୌଣସି ଉଦ୍ୟମ କରିପାରିଲାନି । ଉଦିତଚନ୍ଦ୍ର ପୁଣି କହିଲା...

 

"ତମେ ହୁଏତ ଆଜି ମିନିଟିକ ପାଇଁ କାନ୍ଦିବ । କିନ୍ତୁ ଆମେ ବଂଶସାରା ଆଜିବି ଆଠ–ନଅ ମାସ ଧରି କାନ୍ଦୁଥିଲାବେଳେ ତମେ ହସି ହସି ସମୟ କାଟିଦେଇଚ । ...ସୁଖର କଥା ଯେ, ଆଜି ଭଗବାନ ଆମକୁ ସେଇ ସଙ୍କଟ ଆଉ ଲୋକଲଜ୍ଜାରୁ ଉଦ୍ଧାର କରିଚନ୍ତି..."

 

ଆଖି ପୋଛି ସ୍ୱାମୀର ମୁହଁକୁ ଅନେଇଲା ହାରାମଣି । ଏଭଳି ସଙ୍କଟରୁ ସତେ କିପରି ଉଦ୍ଧାର ମିଳିଚି !

 

"ପ୍ରବାଳଙ୍କ କଥା କ'ଣ ?"

 

"ତମେ ଛ'ମାସ ହେଲା ଆସିଲଣି, ଘରର ବଡ଼ବୋହୂ । ତମେ ଆଜି ପଚାରୁଚ ଏ କଥା-! ସତେ ତମେ ପ୍ରବାଳର ବଞ୍ଚିବା ଚାହୁଁଥିଲ ?"

 

ଆଉ ଗୋଟା ସିଗାରେଟ ଧରିଲା ଉଦିତ । ବାଁ ହାତଟା କାମିଜ ପକେଟରେ ଗଳେଇ ସେ ରହି ରହି କହିଲା–

 

ତମେ ଭାବିଥିଲ ମୁଁ କିଛି ଜାଣିପାରିବିନି ବୋଲି ? ପ୍ରବାଳ ବା'ଘରରେ ମୁଁ ଦଶ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଭାବିଥିଲି...କାହିଁକି କଲିନି...ଭାବିଲି, ଆମର ଦୁର୍ଭାଗ୍ୟକୁ ପ୍ରବାଳ ଯଦି ସ୍ଵାମୀ–ପରିତ୍ୟକ୍ତା ହୁଏ ତା'ର ଜୀବନ ରକ୍ଷାପାଇଁ ମତେ କିଛି ବ୍ୟବସ୍ଥା କରିବାକୁ ହବ...ସେଥିଯୋଗୁଁ ବାପା ଭୁଲ ଭାବିଚନ୍ତି ମତେ । ପ୍ରକୃତ ଘଟଣା ମୁଁ କାହାକୁ କହିବି । ଏ କଥା ଆଜି ତମେ ଜାଣିଲ; କିନ୍ତୁ ଆଉ ଗୋଟିଏ ହେଲେ କାନ ଯେମିତି ନ ଜାଣେ..."

 

ସାମାନ୍ୟ ଅବକାଶ ନେଇ ଉଦିତ ପୁଣି କହିଲା–"ଆର ମାସରେ ମୁଁ ଗସ୍ତରେ ଯାଇଥିଲି ବୋଲି ତମେ ଜାଣ; କିନ୍ତୁ ପ୍ରକୃତରେ ମୁଁ ଯାଇଥିଲି ପ୍ରବାଳ ଘରକୁ । ସେତେବେଳେ ବାପାବି ଯାଇଥିଲେ, ପ୍ରବାଳକୁ ଦବାକୁ ବାପାଙ୍କ ହାତରେ ଦେଲି ପାଞ୍ଚ ହଜାର ଟଙ୍କା । ...ଆଉ ପାଞ୍ଚ ହଜାର ଟଙ୍କା ପ୍ରବାଳର ମୋ ଉପରେ ରହିଲା । ...ସେଇ ବଦମାସ ଅକ୍ଷିଆ, ତମପାଇଁ କେତେ ହଜାର ଟଙ୍କାରେ ଜମି କିଣିବ ? ସେ ସବୁ ଭାଣ୍ଡ କଥା ବନ୍ଦକର ହାରାମଣି, ତମ ଆଡ଼େ ଜମି ମାଣକ ତିନିଶ ଟଙ୍କା, ଟଙ୍କା ଖର୍ଚ୍ଚ ନ କରି ତଇଳା ଭାଙ୍ଗିଲେବି ଜମି ମିଳେ ।

 

ନିଜର ପ୍ରିୟମ୍ବଦ ସ୍ୱାମୀଠାରୁ ଉପର୍ଯ୍ୟୁପରି ଏତେଗୁଡ଼ିଏ ଅପ୍ରିୟ ଭର୍ତ୍ସନା ଶୁଣିବା ହାରାମଣି ପକ୍ଷରେ ଏହାହିଁ ପ୍ରଥମ । ତା'ର ମନ ହେଉଥାଏ, ଅକ୍ଷୟର ଦୋଷ କ୍ଷାଳନପାଇଁ ସେ ଗାଇଯାଆନ୍ତା ବେଫାଇଦା ନଣନ୍ଦ ନାଁରେ ଅସତ୍ୟର ପୁଟଦିଆ ଅନେକ ଅଶ୍ଳୀଳ କାହାଣୀ । ବାଡ଼ି ପୋଖରୀରେ ସେ କେମିତି ଅକ୍ଷୟକୁ ଧରି ଲୀଳା କରେ ସଞ୍ଜବେଳେ । ଅକ୍ଷୟର ଆଖି ଆଗରେ କେମିତି ଧୋବ ଫରଫର ପତଳା ଶାଢ଼ି ପିନ୍ଧି ପାଣିରେ ପହଁରି ପହଁରି ବୁଲେ । କିମିତି ଚମ୍ପା ଗଛରୁ ଫୁଲ ତୋଳୁ ତୋଳୁ ଅକ୍ଷୟ ଉପରେ ନଦି ହେଇପଡ଼େ ପ୍ରବାଳ ।

 

"ଗାଁରେ ତମେ କରୁଥିଲ କ'ଣ ?"

 

ନିଜ ଭିତରେ ଚମକି ପଡ଼େ ହାରାମଣି । ତା'ର ମନର କଥା ଉପରେ ଉତ୍ତର ଦେଲା କିଏ ? ତା'ର ନିଜର କାଇଲ୍ । ପୁଣି ଆତ୍ମ ଶୋଚନାରେ ଲୁହ ଝରିଗଲା ଆଖିରୁ । ତଥାପି ସ୍ୱାମୀ ତାକୁ ପ୍ରବୋଧ ଦେଉ ନାହାନ୍ତି । ହେଲେ, ପ୍ରକୃତରେ ପ୍ରବାଳଙ୍କର କ'ଣ ଘଟିଲା । କେମିତି ସେ ଆଉ ପଚାରିବ । ପ୍ରବାଳମଞ୍ଜରୀକି ସେ ନିଜେ ମଧ୍ୟ କମ୍ ଭଲପାଏନା । ତା’ପରେ ଅକ୍ଷୟର ପ୍ରେମବନ୍ଧନରେ ପଡ଼ି ସେ ଆହୁରି ହୋଇଉଠିଥିଲା ପ୍ରିୟ । ସେ ତ ଅକ୍ଷୟ ସାଙ୍ଗରେ ପ୍ରବାଳର ବା'ଘର ପ୍ରସ୍ତାବ ଉଠେଇ ପାରିଥାନ୍ତା । ତା’ର ଭାଇ ହେଉ ପଛେ, ଗୋଟାଏ ବେକାର ଓ ଅର୍ଦ୍ଧଶିକ୍ଷିତ ଯୁବକ ଏଇ ଅକ୍ଷୟ, ତା’ ସାଙ୍ଗରେ ମଙ୍ଗରାଜଙ୍କ ସବା ସାନ ପରମାସୁନ୍ଦରୀ ଝିଅର ବିବାହ ପ୍ରସ୍ତାବ କେଉଁ ସାହସରେ ସେ ପକାନ୍ତା ! କ’ଣ କହିଥାନ୍ତେ ବାହାର ଲୋକେ ଆଉ ତା’ର ମାନଧାରୀ ଶଶୁରବି । କିନ୍ତୁ ଏବେ ତ ସେ ପ୍ରଶ୍ନ ଆଉ ନାହିଁ । ବର୍ତ୍ତମାନ ପ୍ରବାଳର କଥା । ସେ ଯାଇଥିଲେ, ଶଶୁର ମଧ୍ୟ ଯାଇଥିଲେ । ଇଏ ପାଞ୍ଚ ହଜାର ଟଙ୍କା ଦେଇ ଆସିଲେ । ଟଙ୍କା କ’ଣ ହବ ପ୍ରବାଳର ! ତା’ ସ୍ୱାମୀ ତ କାଳେ ସରକାରୀ ଅଫିସର ! ପ୍ରବାଳର ଘଟିଚି ତାହାହେଲେ କ’ଣ ?

 

"କହିବନି ? ମତେ ଘୃଣା କରୁଚ ?"

 

ଚୌକିରୁ ଉଠିପଡ଼ି ସ୍ୱାମୀର ହାତ ଧରି ପକେଇ କାକୁସ୍ଥ ହେଇ ଛିଡ଼ାହେଲା ହାରାମଣି । ଯେମିତି କୋଉଠି ଗୋଟା ସୂତା ଅଡ଼ୁଆ ହେଇଯାଇଚି, ତାକୁ ସଜାଡ଼ିବା ସହଜ ହଉନି । ତଥାପି ଦାମ୍ପତ୍ୟ ପ୍ରେମଶୀଳତାର ଆର୍ଦ୍ରତାରେ ଦବିଯିବାର କୌଣସି ଲକ୍ଷଣ ପ୍ରକାଶ କଲାନି ଉଦିତଚନ୍ଦ୍ର । ସମ୍ପୂର୍ଣ୍ଣ ନିର୍ବିକାର ଭଙ୍ଗୀରେ କହିଲା–

 

"ତମପାଇଁ ମଧ୍ୟ ସଙ୍କଟ ଦୂର ହେଇଚି ହାରାମଣି । ତମରି ଯୋଗୁଁ ମୋ ଭଉଣୀର ଦଶା ଖରାପ ହେଇଥିଲେ ତମେ ଭାବିଚ ମୁଁ ତୁମକୁ ମୁଣ୍ଡେଇ ବୁଲିଥାନ୍ତି ?"

 

ହାରାମଣି ମଧ୍ୟ କ୍ରମେ ନିର୍ଭୀକା ହେଇଗଲା–ଭଲ ଉଦ୍ଦେଶ୍ୟରେ ।

 

"ତେବେ କ’ଣ ଘଟିଚି କୁହ ଭଲା !"

 

"ମାସେ ହେଲା ଘଟିଗଲାଣି...ମୁଁ ତମକୁ ଏପର୍ଯ୍ୟନ୍ତ କହୁ ନଥିଲି...କହିବାକୁ କାହିଁକି ତାଡ଼ନା ଅନୁଭବ କରୁ ନଥିଲି...ଭାବୁଥିଲି, ଯେମିତି ତମର ଇଚ୍ଛା ବିରୁଦ୍ଧରେ ଆମ ବଂଶର ଏ ପରିତ୍ରାଣ ଘଟିଚି...ତେବେ ବର୍ତ୍ତମାନ ମନେକରୁଚି, ତମର ଯଥେଷ୍ଟ ଦୋଷ ଥିଲେବି ମୋର ସେ ଧାରଣା ଠିକ୍ ନୁହେଁ ?"

 

ଉତ୍କଣ୍ଠ ଆଗ୍ରହରେ ପଚାରିଲା ହାରାମଣି, ଯେମିତି ବୁଡ଼ିଗଲା ଗୋଡ଼ ତା’ର ଭୂଇଁରେ ଲାଗିଚି ।

 

"ତାହାହେଲେ ?"

 

ଶୁଣିବ ତାହାହେଲେ ପ୍ରକୃତ କଥା..."ପ୍ରବାଳମଞ୍ଜରୀ ବର୍ତ୍ତମାନ ଖୁବ୍ ଭଲ ଅଛି । କିନ୍ତୁ ପ୍ରସବବେଳେ ଦିଦିନ ଧରି କଷ୍ଟ ପାଇବା ଫଳରେ ଜାରଜ ସନ୍ତାନଟା ଭୂମିଷ୍ଠ ହେଇ ମରିଯାଇଚି । ବା’ଘରର ଆଠ ମାସ ପନ୍ଦର ଦିନ ପରେ ସନ୍ତାନ ପ୍ରସବ ହେଇଥିବାରୁ ଆମର କୌଣସି ଶତ୍ରୁ ମଧ୍ୟ କିଛି ସନ୍ଦେହ କରି ପାରି ନାହାନ୍ତି । ଆମକୁ ଭାଗ୍ୟ ରକ୍ଷା କରିଚି...ଭଗବାନ ରକ୍ଷା କରିଚନ୍ତି..."

 

ଅଦ୍ଭୁତ ନାରୀ ଏଇ ହାରାମଣି । ସହଜରେ ହାଲ ଛାଡ଼ି ଦେବାର ମଣିଷ ନୁହେଁ । କିଛି ସମୟ ପରେ ମନର ଗତି ବଦଳେଇ ସେ କହି ବସିଲା...

 

"ପ୍ରବାଳଙ୍କର ପୁଅ ହେଇଥେଲା ତାହାହେଲେ !"

 

"ହୁଁ ।"

 

ଉଦିତଚନ୍ଦ୍ର ସଂକ୍ଷେପରେ କହିଲା । ମନର କ୍ରୁଦ୍ଧ ଉତ୍ତେଜନା ତା’ର କମି ଆସିଚି ।

 

"ଘର କରି ଏମିତି କେତେକଥା ଘଟେ ।" ପୁଣି କହିଲା ହାରାମଣି ।

 

ଏହାପରେ ସେ ଆହୁରି କହିବାକୁ ଚାହୁଁଥିଲା, ପୁଅଟା ବଞ୍ଚିଥିଲେ ଏବେ କ’ଣ ହେଇଯାଇ ଥାଆନ୍ତା । ମାତ୍ର ସେଥିପାଇଁ ସାହସ କରିପାରିଲାନି । ତା’ର ଆଗ କଥା ଉପରେ ମଧ୍ୟ ଉଦିତଚନ୍ଦ୍ର କୌଣସି ଉତ୍ତର ଦେଲାନି । ଯେତେହେଲେ ସେ ତା’ର ସ୍ତ୍ରୀ, ମଙ୍ଗରାଜ ବଂଶର ବଡ଼ବୋହୂ । ଆବରଣ ଭିତରେ ବଞ୍ଚିରହିଚି ନାରୀଜାତି । ସେଇ ଆବରଣ ଖୋଲି ଦେବାକୁ ପ୍ରୟାସ କଲେ ପିଆଜରୁ ଚୋପା ଛଡ଼େଇଲା ପରି ଅବସ୍ଥା ହେବ । ଶେଷକୁ ତା’ ସହିତ ନିଜର ଅସ୍ତିତ୍ଵ ମଧ୍ୟ ବିପନ୍ନ ହେବ । ସେଥିଲାଗି ସ୍ତ୍ରୀକି ଆଉ କିଛି କହିବାକୁ ଇଚ୍ଛା କଲାନି ଉଦିତଚନ୍ଦ୍ର ।

 

ଆଉ ଦିନକର କଥା । ରବିବାରର ଖରାବେଳ । ଛୁଆ ସବୁ ଶୋଇ ପଡ଼ିଚନ୍ତି । ଏହାଭିତରେ ଉଦିତ ଆଉ ହାରାମଣି ମଧ୍ୟରେ ଆଉ କୌଣସି ବିବଦମାନ ଘଟନା ଘଟିନି । ପତଳା ଶାଢ଼ି ଖଣ୍ଡେ ଦେହରେ, ଦାଣ୍ଡଘର, ମାନେ ଇଞ୍ଜିନିୟର୍ ସାହେବଙ୍କ ଡ୍ରଇଂରୁମ୍‍କୁ ପଶି ଆସିଲା ହାରାମଣି ।

 

"ରବିବାରରେବି ତମେ କାମଦାମ ବନ୍ଦ କରିବନି ।"

 

କାଗଜପତ୍ର ଉପରୁ ମୁହଁ ଉଠେଇ ସ୍ତ୍ରୀକି ଅନେଇଲା ଉଦିତ । ଆଖିକି ଖୁବ୍ ସୁନ୍ଦର ଦିଶୁଚି ସ୍ତ୍ରୀର ରୂପଟା । ତିନିଟାର ମା’ ହେବାପରେବି ହାରାମଣିର ରୂପରେ ଆକର୍ଷଣର ଚଟୁଳତା ରହିଚି । ମାଂସର ଆଧିକ୍ୟ ହେତୁ ବକ୍ଷାଂଶ ଏବେ ମଧ୍ୟ ଉଦ୍ଧତ ଅବସ୍ଥାରେ ଅଛି । ପାତଳ ଶାଢ଼ିର ପ୍ରଲେପ ତାକୁ ଆଶୀର୍ବାଦ କରୁଚି ଯେପରି ।

 

ଉଦିତଚନ୍ଦ୍ରର ମନ ହେଉଥିଲା, ସେ କୁହନ୍ତା, ତମେ କେବେ ଏ ଉଦୁଉଦିଆ ଦିପହରେ ଯୋଜନାର କୌଣସି କର୍ମସ୍ଥଳକୁ ଯାଇଚ ? ସେଠି ଦେଖନ୍ତ, ମାଟିତଡ଼ା ମଣିଷ ପୋକଗୁଡ଼ାକ ଏଇ ଖରାରେ କାମ କରନ୍ତି ବେଶି, ସେମାନଙ୍କ ପାଖରେ ରବିବାର ସୋମବାର ନାଇଁ...ଅଛି ଗୋଟାଇ ବନ୍ଧନ, କେବଳ ପେଟ, ସେଠି ଆଉ କିଛି ବାରଣ ନାଇଁ, ଆମେ ତ ରବିବାର ଛୁଟି ପାଇଚେ... ଛାଇତଳେ ବସିଚେ । କିନ୍ତୁ ସେ କାହାକୁ କହିବ ଏ କଥା, ତାହା ମଧ୍ୟ ସେ ଅନୁଭବ କଲା । ସେଥିପାଇଁ ହସିଦେଇ ପୁଣି ଅନେଇଲା ସ୍ତ୍ରୀର ମୁହଁକୁ...

 

"ତମର କି କାମ ବରାଦ ହଉଚି କୁହ !"

 

ସାମ୍ନାର ଗୋଟା ସୋଫା ଉପରେ ଖୁବ୍ ଅବହେଳା ସହକାରେ ହାରାମଣି ବସିପଡ଼ିଲା-। ଯୋଜନାର କାର୍ଯ୍ୟ ଚାଲିଚି ସହରଠାରୁ ଅନେକ ଦୂରରେ । ଜାଗାଟାକୁ ଏପର୍ଯ୍ୟନ୍ତ ବିଜୁଳି ଯୋଗାଣ ହେଇ ପାରିନି । ସେଥିଯୋଗୁଁ କଳ ପଙ୍ଖାର ଅଭାବ । ସେଥିରେ ଟିକେ ଗରମ ପଡ଼ିଚି ଆଜି । ପାତଳ ଲୁଗା ତଳେ ସେଥିପାଇଁ ବଡ଼ିସ୍ କିମ୍ବା ବ୍ଲାଉଜ୍ ପିନ୍ଧି ପାରିନି ହାରାମଣି-। ପୁରୁଷ ଲୋକ ଘରଭିତରେ ଲୁଙ୍ଗି ପିନ୍ଧି ସହଜ ସରଳ ଜୀବନ ଉପଭୋଗ କଲାପରି ନାରୀମାନେ ତୁଚ୍ଛା ଦେହରେ ଖାଲି ପାତଳ ବେଢ଼ାଣ ଖଣ୍ଡେ ପିନ୍ଧି ଆରାମ ପାଆନ୍ତି । ପରିବାରର ଅଭ୍ୟନ୍ତର ଜୀବନରେ ଏହା ପ୍ରାୟ ସଚରାଚର ଘଟିଥାଏ । କିନ୍ତୁ ନାରୀର ସେହି ସହଜ ଜୀବନ ଯାତ୍ରା ଭିତରୁ ନିଜର ଆଖି ଆଉ ମନପାଇଁ ସହଜଲଭ୍ୟ ଆରାମ ଲୁଣ୍ଠନ କରେ ପୁରୁଷ ।

 

ଉଦିତଚଦ୍ରର ଚେହେରାରେ ପୌରୁଷର ଆଧିପତ୍ୟ । ଚାକିରିର କର୍ମବ୍ୟସ୍ତତା ଭିତରେ ମଧ୍ୟ ସେ ଜୀବନକୁ ଉପଭୋଗ କରିବାରେ ତ୍ରୁଟି କରିନି । ଅନେକ ସମୟରେ ଏଥିଲାଗି ଅୟାସ କରିବାକୁ କିମ୍ବା ସେପରି ଅର୍ଥ ବ୍ୟୟ କରିବାକୁ ପଡ଼ିନି । ଠିକାଦାରମାନଙ୍କ କଲ୍ୟାଣରେ ସେ ଜୀବନକୁ ଖୁବ୍ ପ୍ରସାଦମୟ କରିପାରିଚି ବିଚିତ୍ର ଚର୍ବ୍ୟ, ଚୋଷ୍ୟ, ପେୟଠାରୁ ଆରମ୍ଭ କରି ବର୍ଣ୍ଣାଢ଼୍ୟ ଦୈହିକ ସମ୍ଭୋଗରେ । କେତେ ଯୁବତୀର ହସ, ସ୍ପର୍ଶ ଆଉ ରତିଲୀଳାର ସ୍ମୃତି ନେଶିହେଇଚି ତା’ର ଗୋଟିଏ ଦେହର ଚମଡ଼ା ଉପରେ । ସ୍ମୃତି ଉପରେ ସ୍ମୃତି, ଅନେକ ସମୟରେ କିଛି ମନେ ପଡ଼େନା-। ନୂତନ ସମ୍ଭୋଗର ଆବିର୍ଭାବରେ ବେଳେବେଳେ ପୁରାତନର ଚିନ୍ତା ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେଇଯାଏ-। କିନ୍ତୁ ଦାମ୍ପତ୍ୟ–ସମ୍ଭୋଗର ସ୍ମୃତି ରଚନା ସ୍ୱତନ୍ତ୍ର, ମନ୍ଦିରର ବନ୍ଧ–ଶିଳ୍ପଗୁଡ଼ାକ ଯେମିତି ଗାଦିମାଡ଼ି ବସେ ତା’ ଭିତରେ । ଗୋଟାଏ ଦେହ ଉପରେ ଗଢ଼ିଉଠେ ଗୋଟାଏ ଦେଉଳ । ମନ୍ଦିର–ଗାତ୍ରର ମୂର୍ତ୍ତି ସବୁ କାଳର କର ସ୍ପର୍ଶରେ କ୍ଷୟ ପାଇଲା ଭଳି ନାରୀର ରୂପ ଓ ଯୌବନରେ ଅବଶ୍ୟ ପରିବର୍ତ୍ତନ ଘଟେ, କିନ୍ତୁ ମରଣର ଆଲିଙ୍ଗନ ଅବଧି ଅନୁଭୂତ ଭିତରେ ସବୁ ରହିଯାଏ ଜୀବନ୍ତ ।

 

ଏଥିଭିତରେ ସୋଫାର ଗୋଟିଏ ପାଖ ବାଡ଼ା ଉପରକୁ ଗୋଡ଼ ଟେକି ଦେଇଚି ହାରାମଣି । ପାତଳ ଶାଢ଼ିର ଅଂଶଟା ଗୋଡ଼ ଉପରୁ କେତେକାଂଶରେ ଗୋଟେଇ ହେଇ ତଳକୁ ଢିଲା ହେଇ ଝୁଲୁଚି । ଏପର୍ଯ୍ୟନ୍ତ ସେ ସ୍ୱାମୀଙ୍କ ପ୍ରଶ୍ନର କିଛି ଉତ୍ତର ଦେଇନି । ମୁହଁରେ ସରସତା ଖେଳେଇ ସେ ବର୍ତ୍ତମାନ କହିଲା–

 

"କହୁଥେଲି କି, ଆଜି ସଞ୍ଜବେଳକୁ କୁଆଡ଼େ ବୁଲି ଯାଆନ୍ତେ..."

 

ଉଦିତଚନ୍ଦ୍ର ଖୁବ୍ ନିର୍ଲିପ୍ତ ଭାବରେ ସଂକ୍ଷେପରେ ଉତ୍ତର ଦେଲା–

 

"ଯିବା ।"

 

ପୁଣି କାମରେ ମନଦେଲା ଉଦିତ । ହଁ...କ’ଣ କହିବାକୁ ଚାହାନ୍ତି ଇଏ...କହୁ ନାହାନ୍ତି...। ମନର ଏକ ଗୌଣ ଭାବନା, କିନ୍ତୁ ଉଦିତଚନ୍ଦ୍ରର ହାତର କାମ ଚାଲିଥାଏ ।

 

"କହୁଥେଲି କି...।"

 

"ହଁ କ’ଣ ?"

 

"ତମେ ଆଉ ଘର କଥା କିଛି ଶୁଣିଚ ?"

 

"ଆଉ କ'ଣ ହେଲା କି । ବାପାଙ୍କ ଦେହ ତ ଭଲ ଅଛି ।"

 

"ମଲା, ବାପାଙ୍କର କାଇଁକି କ’ଣ ହବ...ଏଇ ମୀନକେତନଙ୍କ କଥା..."

 

ଉଦିତଚନ୍ଦ୍ର ଅନେଇଲା ହାରାମଣିର ମୁହଁକୁ । ନିଜର କୋଉ ଭାଇ ବିଷୟରେ ସେ ଖରାପ କିଛି ଶୁଣିବାକୁ ଚାହେଁନା ଯେମିତି ।

 

"ମୀନର କ’ଣ ହେଲା ?"

 

"ନାଇଁମ..... ହବ ଆଉ କ’ଣ, କିଛି ହେଇନି ! "

 

"ତେବେ ? "

 

"ତମେ କିଛି ଶୁଣିନା..."

 

"ଫେର୍ କ’ଣ ?"

 

"ନାଇଁମ....ସେମିତି ଚମକୁଚ କାଇଁକି, ମୀନଙ୍କ ଭଲ ପେଇଁ...ତମର କୁଆଡ଼େ ଗାଁ ମଝିରେ ସାର୍ତାବାରି ବୋଲି କୋଉଠି ଗୋଟା ଜାଗା ଅଛି...ସେଇଠି ମୀନଙ୍କୁ ଗୋଟା ଦୋକାନ କରିଦବାକୁ ବାପା ଠିକ୍ କରିଚନ୍ତି ।"

 

ଏକଥା ଶୁଣି ଖୁବ୍ ଉତ୍ସାହିତ ହେଇ କହିଲା ଉଦିତଚନ୍ଦ୍ର...

 

"ମୀନ ବ୍ୟବସାୟ କରିବ ! ଖୁବ୍ ଭଲକଥା ! ମୁଁ ବି ଟଙ୍କା ଦେବି ତାକୁ ସେଥିପେଇଁ । ବାସ୍ତବିକ ମୀନଟା ଭାରି ନିକମା ହେଇଗଲା...କିଛି ଗୋଟା କରନ୍ତା କି–"

 

ଏଁ...ଇଏ କ’ଣ; କ’ଣ ଏମିତି କଉଚନ୍ତି ଇଏ...ହାରାମଣିର ମନରେ ଅନୁଶୋଚନା ଦେଖାଦେଲା । ବାଡ଼ା ଉପରୁ ଗୋଡ଼ ଖସେଇ ସେ ତଳକୁ ପାଦ ଓହଳେଇ ବସିଲା । ଟିକକ ପରେ ବାଁ ଜଙ୍ଘ ଉପରେ ଡାହାଣ ଜଙ୍ଘକୁ ଆଣି ଲଦିଦେଲା । ଏମିତି ବସିବା ତା’ର ପ୍ରକୃତିଗତ ଅଭ୍ୟାସ । ପାତଳ ଲୁଗା ସାଙ୍ଗରେ ଜଘନ ଆଉ ନିତମ୍ବର ସୀମାରେଖା ଖୁବ୍ ସ୍ପଷ୍ଟ ହେଇ ଦେଖା ଯାଉଥାଏ । ...ହଁ ସେ କ’ଣ କହିବାକୁ ଭାବିଥିଲାଟି ! ହଁ....

 

"ହଁ...ତମର ଟଙ୍କା ଅଛି ତମେ ଦବ...ହେଲେ ବାପାଙ୍କ ହାତରେ ତ ଟଙ୍କା ଅଭାବ ନାଇଁ...ହଁ, ମୁଁ କଉଥେଲି କି..."

 

"କିହୋ କିଏ ତମକୁ ବାଧା ଦଉଚି କହିବାକୁ !"

 

କଥାରେ ସ୍ନେହର ସ୍ପର୍ଶ । ସ୍ୱାମୀ ଆଉ ସ୍ତ୍ରୀର ବିଶ୍ରମ୍ଭଆଳାପ ଭିତରେ ଯାହା ନିତାନ୍ତ ଆବଶ୍ୟକ । ସୁଖ ଲାଗିଲା ହାରାମଣିକି ସ୍ୱାମୀର ଏହି କଥା ।

 

"ମୁଁ କଉଥେଲି କି..."

 

ମନେମନେ ଭାରି ହସ ଲାଗିଲା ଉଦିତଚନ୍ଦ୍ରକୁ । ନିଜର ବସିଲା ଚୌକିରୁ ଉଠିଆସି ହାରାମଣିର ସୋଫା ଉପରେ ନାଥୁକରି ବସିପଡ଼ି ତା’ର ଦି’ ବାହୁକୁ ହଲେଇ ହଲେଇ କହିଲା...

 

"ମୁଁ କଉଥେଲି କି...ମୁଁ କଉଥେଲି କି, କ’ଣ କହୁଥିଲ ତମେ, କାହିଁ କିଛି ତ ଏ କାନ ଶୁଣିଲାନି..."

 

ଶେଷକୁ ହାରାମଣିକୁ ସେ ଖୁବ୍ ଜୋରରେ ଚାପି ଧରିଲା ନିଜର ବାହୁବନ୍ଧନ ଭିତରେ । ଅତି ପୁରୁଣା କଥା, ତଥାପି ନୂତନ ଆସ୍ୱାଦ ଭରି ଉଠିଲା ଆଜି ତା' ଅନୁଭୂତିରେ ସ୍ୱାମୀର ଏଇ ପ୍ରେମ–ନିବେଦନ ପାଇ । ଆହୁରି ଆଗେଇଗଲା ଉଦିତଚନ୍ଦ୍ର...ହାରାମଣିର ବକ୍ଷ ଉପରେ ମୁହଁଟାକୁ ମାଡ଼ିଦେଲା ଶକ୍ତ କରି । ତା’ପରେ ପାଗଳ ପରି ଗୁଡ଼ାଏ ଚୁମ୍ବନ ଚାପିଦେଲା ସ୍ତ୍ରୀର ମୁହଁସାରା । ପରିଶେଷରେ ସ୍ତ୍ରୀର ଜଙ୍ଘ ଆଉ ଅଣ୍ଟା ତଳେ ନିଜର ଦି’ ହାତ ରଖି ତାକୁ ଟେକିବାକୁ ଚେଷ୍ଟାକଲା । ବସ୍ତ୍ରାଂଶ ଦି’ ଗୋଡ଼ ଉପରୁ ଓହଳି ପଡ଼ିଲା ତଳକୁ । ଯେମିତି ଜଙ୍ଘ ଦି’ଟାରେ ଅଧ ମହଣ ଲେଖା ମାଂସ ଭିଡ଼ି ହେଇଛି, କେଡ଼େ ବିଶାଳ, ପୁଣି କି ନରମ ଆଉ ଧୋବ । ସ୍ତ୍ରୀକୁ ଟେକି ତୋଳିବାର ସାହସ ଓ ଶକ୍ତି ହରେଇ ବସିଲା ଉଦିତ ।

 

"ଭାରି ଓଜନ ହେଇଗଲଣି ତମେ ।"

 

"ହି–ହି–ହି ।"

 

ହସିଲା ହାରାମଣି । ତାକୁ ସତେ ଇଏ କି ଅଭବ୍ୟ କରିଦେଲେ ! ଖସିଯାଇଥିବା ଦେହର ଲୁଗା ସଜାଡ଼ିଲା ସିଏ ।

 

ଲୁଙ୍ଗି ଖଣ୍ଡେ ତଳ ଭାଗରେ, ଦେହର ଉପରାଂଶରେ ଖଣ୍ଡେ ହାତକଟା ଗେଞ୍ଜି । ସ୍ତ୍ରୀର ଓଠ ଉପରେ ମୁହଁ ଲଦି ଦେଇ ଉଦିତଚନ୍ଦ୍ର ରସିକତା କରି କହିଲା–

 

“ମୁଁ କଉଥେଲି କି, ସେ ପାଖର ସେ ନଈକୁ ଯାଇ ରାତିରେ ଜଳକ୍ରିଡ଼ା କରନ୍ତେ !”

 

“ମତେ ତମେ ଇମିତି ଭାବିଲ ନା କ’ଣ, ତମକୁ ମୁଁ ଏୟା କହିବାକୁ ଯାଉଥେଲି, ଏଇ ବଅସରେ... । ଟିକେ ବୁଲିଯିବାକୁ କହିଲି ବୋଲି...”

 

ଛଳନାପୂର୍ଣ୍ଣ ରୋଷ ପ୍ରକାଶ କରି ହାରାମଣି ଏତକ କହିସାରି ଗୋଟିଏ ଚଟୁଳ ହସର ରେଖା ଟାଣିଲା ମୁହଁରେ । ସ୍ଵାମୀକୁ ବେଶି ସମୟ ଅପେକ୍ଷା କରିବାର ଅବସର ନ ଦେଇ ସିଏ ପୁଣି କହିଲା–

 

“ମୁଁ କଉଥେଲି...ତମେ ଗାଁରେ ଗୋଟା ଭଲ ଘର କରନ୍ତନି...ନହେଲେ କଟକରେ ।”

 

ଏତକ କହିଦେଇ ହାରାମଣି ଗୋଟା ଚାପା ଦୀର୍ଘ ନିଃଶ୍ଵାସ ଛାଡ଼ିଲା । କିନ୍ତୁ ନିଃଶ୍ଵାସ ରୁଦ୍ଧ କରି ତା’ ମୁହଁକୁ ଚାହିଁ ରହିଲା ତା’ର ସ୍ୱାମୀ ।

 

“ତମ ଗାଁ ଘରଗୁଡ଼ା ଭାରି ପୁରୁଣାକାଳିଆ...”

 

ପ୍ରସ୍ତାବ ଏବଂ ମନ୍ତବ୍ୟ ଦୁଇଟାଯାକ ଅଦ୍ଭୁତ । ସ୍ଵାମୀର ପ୍ରତିକ୍ରିୟା ପାଇଁ ଅପେକ୍ଷା ନ ରଖି ତଥାପି ହାରାମଣି ଉପର୍ଯ୍ୟୁପରି ସେ ସବୁ କହିଯିବାରେ ଖୁବ୍ ବିସ୍ମିତ ହେଲା ଉଦିତଚନ୍ଦ୍ର । ଦୂରକୁ ଦୂରକୁ ଘୁଞ୍ଚିଯାଇ ସେ ପୁଣି ସ୍ତ୍ରୀର ପାଖକୁ ଲାଗିଆସିଲା । ଛାତି ତଳୁ ପୁଳାଏ ଲୁଗା ଟେକି କଶି କଶି ଘିମିରି ମାରିଲା ହାରାମଣି । ଖୋସଣି ଉପରେ ଫୁଲିଉଠିଚି ମାଂସର ଗୋଟା ମସୁଣ ଲୋଳା ।

 

ସ୍ତ୍ରୀର ଆହୁରି ପାଖକୁ ଲାଗି ଆସି ଉଦିତଚନ୍ଦ୍ର ଛିଡ଼ାହେଲା । ପୁଣି ଘୁଞ୍ଚିଗଲା ଦୂରକୁ । ନିଜର କାମକଲା ଚୌକି ଉପରେ ବସିପଡ଼ି ଲାଗଲାଗ ଦି’ଟା ସିଗାରେଟ ଟାଣିଲା । ନିଜ ଭିତରେ ସଂଗ୍ରାମ କଲା ସିଏ ନିଜକୁ ସଂଯତ କରିବାକୁ ।

 

ଘରଭିତରେ କିଛି ସମୟପାଇଁ ଚାଲିଲା ତୀବ୍ର ନୀରବତାର ଆଧିପତ୍ୟ । ଅଙ୍ଗ ସୌଷ୍ଠବକୁ ଅସମ୍ବୃତ କରିବା ପରିବର୍ତ୍ତେ ତାକୁ ଖୁବ୍ ନିପୁଣ ଭାବରେ ଅବୃତ କଲା ହାରାମଣି । ତା’ପରେ ଗୃହର ନୀରବତାକୁ ଅତି ନିଷ୍ଠୁର ଭାବରେ ହତ୍ୟା କରି ସେ କହି କହି ଚାଲିଗଲା...

 

“ପ୍ରବାଳମଞ୍ଜରୀକି ଆହୁରି ପାଞ୍ଚ ହଜାର ଟଙ୍କା ଦବ...ମୀନକେତନ ଦୋକାନ କଲେ ତାକୁ ପୁଣି କେଜାଣି କେତେ ଦବ...ଆଉ ମୋ କଥା କିଏ ଶୁଣୁଚି...ମୁଁ ଭୋଇ ନା ଭଣ୍ଡାରୀ...କୋଠା କଲେ କ’ଣ ମୁଁ ତାକୁ ମୋ ବାପ ଘରକୁ ନେଇଯିବି କି...”

 

ତାହାପରେ ହାରାମଣି ସେଠୁ ଚାଲିଗଲା ଗୁଣ୍ ଗୁଣ୍ ହେଇ ।

 

ଊଣେଇଶ

 

ହାରାମଣି ଚାଲିଯିବା ପରେ ତାହାର ଅନୁପସ୍ଥିତି ବେଶି କାମ କଲା । ଝରକଲମର ପଛପାଖ ମୁଣ୍ଡିଟାକୁ ଦୁଇ ଓଠ ମଝିରେ ମାଡ଼ି ମାଡ଼ି ଉଦିତଚନ୍ଦ୍ର ଚିନ୍ତାକଲା, ହାରାମଣିର ପ୍ରସ୍ତାବ ମନ୍ଦ କ’ଣ ! ହଁ...ଆମର ଘର ଭାରି ଦରକାର । ଯାହା ଅଛି ତାହା ଖୁବ୍ ପୁରୁଣାକାଳିଆ...ହୁଏତ ଜେଜେଙ୍କ ଅମଳର । ବାପା କରିଚନ୍ତି କେବଳ ସେଇ ଅମାର ଖଞ୍ଜାଟା । ଆମେ ପାଞ୍ଚ ଭାଇ ହେଲୁଣି । ଆମର ଘର ଭାରି ଦରକାର ।

 

ତା’ପରେ ଘରବାଡ଼ିର ଅବସ୍ଥିତି ସେ ଅନୁମାନ କରିବା ସାଙ୍ଗେ ସାଙ୍ଗେ ହାତରେ ଗୋଟା ନକ୍ସା କାଟିଲା ଟେବୁଲ ଉପରେ । ଘରବାଡ଼ିର ଆୟତନ ଛ'ମାଣ, ଆଉ ଛ'ମାଣ ବିରାଦରୀୟ ଭାୟାଙ୍କ ଭାଗରେ ପଡ଼ିଛି । ସେ ସବୁ ଭାଙ୍ଗି ଟୁକୁରା ଟୁକୁରା ହେଇଗଲାଣି । ନିଜ ଘରବାଡ଼ିର ଛ'ମାଣ ଭିତରେ ଆମ୍ବ ପଣସ ବଗିଚା ବାଦ କେବଳ ସପୁରି ବଣ ମାଡ଼ି ବସିଚି ମାଣକରେ । ତା’ପରେ ବାଉଁଶ ଆଉ ଅରମା ବଣରେ ତିନି ଚାରିମାଣ ପୂରି ରହିଚି । ସେ ସବୁ ଘର ଚକଡ଼ାର ପଛପଟ । ନା...ସେ ଆଡ଼କୁ ଯାଇ ହେବନି । ଘର ଆଗ ପାଖର ସେଇ ପଡ଼ିଆଟା ଭିତରେ ଗୋଟା ଡିହ ପଡ଼ିରହିଚି ଅନେକ କାଳୁ । କୁଆଡ଼େ ଥରେ ଦୁର୍ଭିକ୍ଷବେଳେ ନୋକେଇ ଜେନା ବଂଶଙ୍କଠଉଁ ଷେଣ୍ଡପାଇକରାଙ୍କ ସ୍ତ୍ରୀ ମୋଟେ ଦଶ ଗୌଣୀ ଧାନ ଦେଇ ସେଇ ପଡ଼ିଆ ଆଉ ଡିହଟାକୁ କିଣିଥିଲେ । ବିକିରି–ଖରିଦର କବଲା ନାଇଁ, ସେଇମିତି ମଙ୍ଗରାଜ ବଂଶ ଦଖଲକାର ଅଛନ୍ତି ସେଥିରେ ସେଇକାଳୁ । ଦି’ଦିଟା ବନ୍ଦୋବସ୍ତ ଗଲାଣି । କବଲାଠଉଁ ଆହୁରି ଟାଣ ବନ୍ଦୋବସ୍ତର ପଟା । ...ହଁ, ସେଇ ଡିହରେ ଘର କଲେ ଭଲ ହୁଅନ୍ତା । ସୁନ୍ଦର ବାଗ ବଗିଚାପାଇଁବି ଜାଗା ଅଛି ଚାରିପଟେ ।

 

ଘରବାଡ଼ିର ନକ୍ସା ଆଙ୍କିବା ଆଉ ଦରକାର ନାହିଁ । ନୋକେଇ ଜେନା ଡିହ ଉପରେ ଘର ତୋଳାହବ–କୋଠାଘର । ତା'ରି ଗୋଟା ନକ୍ସା କାଟିଲା ଉଦିତ । ଗାଁରେ ମୂଲିଆ ମଜୁରି ଶସ୍ତା, କାଠ ବାଉଁଶବି ଅଛି, ଚାରି ପାଞ୍ଚ ଭାଟି ଇଟା ପୋଡ଼ାଇବାକୁ ଖାଲି କୁମାର ଖର୍ଚ୍ଚ ଯାହା ଲାଗିବ । ପନ୍ଦର କୋଡ଼ିଏ ହଜାର ଲାଗିଲେବି ସବୁଟଙ୍କା କିଛି ଏକାଥରକେ ଦରକାର ହବନି । ହୁଏତ ଘର ତିଆରି ସରିବାକୁ ଦି’ବର୍ଷ ଲାଗିଯିବ । ପହିଲୁ ବର୍ଷ ନିଅଁ ଉଠେଇ ପାଣି ଖୋଇ ଦବାକୁ ହବ । ତା'ରି ଭିତରେ ଟଙ୍କା ଉଠିଯିବ ବାହାରୁ ବାହାରୁ ।

 

ସବୁକଥା ଏକାଥରକେ ଭାବିଗଲେବି ବାପାଙ୍କୁ ଏ ବିଷୟରେ ଚିଠି ଲେଖିବା ଘେନି ସେ ଆଦୌ କିଛି ଚିନ୍ତା କରିପାରିଲାନି । ବାପାଙ୍କୁ ସେ କ୍ଵଚିତ ଚିଠି ଲେଖିଥାଏ । ତହସିଲଦାରବି ମୁରବି ଭଳି, ବାପାଙ୍କ ପରିବର୍ତ୍ତେ ତାଙ୍କୁ ଲେଖିବା ଆହୁରି ଅସଙ୍ଗତ ହେବ ବୋଲି ସେ ସ୍ଥିର କଲା ।

 

ପ୍ରାୟ ପାଞ୍ଚ ଛ'ମାସ ପରେ ହଠାତ୍ ଉଦିତଚନ୍ଦ୍ର ଦିନେ ବାପାଙ୍କଠାରୁ ଚିଠି ପାଇଲା । ମଙ୍ଗରାଜ ଚିଠି ଲେଖିଚନ୍ତି ଶୀଘ୍ର ପିଲାମାନଙ୍କୁ ଘରକୁ ପଠେଇ ଦେବାକୁ । ବୋହୂ ପିଲାଙ୍କୁ ଧରି ଆଠ ନଅମାସ ଗଲାଣି, ଏ ସବୁ କ’ଣ ହେଉଚି । ସେମାନଙ୍କୁ ଶୀଘ୍ର ପଠେଇ ଦିଅ । ଏତିକି । ଜ୍ୟେଷ୍ଠପୁତ୍ର ଉଦିତଚନ୍ଦ୍ର ପାଖକୁ ପିତା ଜନ୍ମେଜୟ ମଙ୍ଗରାଜଙ୍କଠାରୁ ଯେତେବେଳେ ପତ୍ର ଆସେ ତାହା ପ୍ରାୟ ଏହିଭଳି ସଂକ୍ଷିପ୍ତ । କ’ଣ ଟଙ୍କାପଇସା ରୋଜଗାର କରୁଚି ସିନା, ଯେତେହେଲେ କାଲିକାର ପିଲା, ତା’ ପାଖକୁ ସେ ବେଶି କ’ଣ ଆଉ ଲେଖିବେ । କେବଳ ଏହିପରି ଘଟଣାରେ ନୁହେଁ, ବା'ଘର କିମ୍ଵା ସେହିଭଳି ଆଉ କିଛି ବଡ଼ ଧରଣର କଥା ଘଟିଲେ ମଙ୍ଗରାଜେ ଚିଠି ଦିଅନ୍ତି...ଅମକ ତାରିଖରେ ଅମକେଇ ବିଷୟ ହେବ । ଏତେ ତାରିଖରେ ଆସି ପହଞ୍ଚିବ । ଯେମିତି ଆଜ୍ଞା ପତ୍ରିକା । ତାକୁ ଅନ୍ୟଥା କରିବାକୁ କାହାର ଶକ୍ତି ନାହିଁ ।

 

ବାପାଙ୍କ ଚିଠି ପାଇ ଉଦିତ ଭାରି ବିବ୍ରତ ହେଇପଡ଼ିଲା । ଲଜ୍ଜିତ ମଧ୍ୟ ହେଲା । ହଁ...ସେଇକାଳରୁ ଏଠି ଆସି ରହିଲେଣି ହାରାମଣି ଆଉ ପିଲାମାନେ । ବଡ଼ ନାତୁଣୀ ରୁନୁକୁ ସେ ଅତି ଭଲ ପାଆନ୍ତି । ନାତି କାବଲାଟାକୁ ମଧ୍ୟ ସେ କମ୍ ଆଦର କରନ୍ତିନି । ବେଳେବେଳେ ଖାଇ ବସିଲା ସମୟରେ ସବୁ ନାତିନାତୁଣୀଯାକ ତାଙ୍କ ଥାଳୀ ଚାରିପାଖରେ ଯାଇ ଘେରି ବସନ୍ତି । ବାପାଙ୍କ ଖାଇବା ଭାତ ଡାଲିରେ ଛେପ ଶିଙ୍ଗାଣି ପିଲାଙ୍କ ପାଟି ଆଉ ନାକରୁ ବୋହି ମିଶିଗଲେ ମଧ୍ୟ ବାପା ତିଳେହେଲେ ଘୃଣା କରନ୍ତିନି । ଅଧିକ ବେଶି ବେଶି ଘିଅ ଗୋଳେଇ ଭାତ ଡାଲି ସବୁ ଖାଇ ଦିଅନ୍ତି । ...ହଁ ବାପା ଖୋଜୁଥିବେ ପିଲାଙ୍କୁ, ହୁଏତ ବଡ଼ବୋହୂ ସାଙ୍ଗରେ ତାଙ୍କର କିଛି ଆବଶ୍ୟକତା ନଥାଏ । ସତେ ଭାରି ଭୁଲ୍ ହେଇଯାଇଚି । ମାସେ, ବେଶିହେଲେ ଦି’ ମାସ ଅଢ଼େଇ ମାସରୁ ଅଧିକ ସମୟ ସେ କେବେ ତା’ ସାଙ୍ଗରେ ଆସି ରହେନା । ଏଥର ନଅ ମାସ ହେଇଗଲାଣି-। ସେ ଭୁଲ୍ ପରେ ସେ ପୁଣି ଆହୁରି ଭୁଲ୍ କରିବ ଘର କରିବାକୁ ଇଟା ପୋଡ଼େଇବାର ବରାଦ କରି ବାପାଙ୍କୁ ଚିଠି ଲେଖି ? ନା, ସେ ପାରିବନି । ହାରାମଣି ଯାଉ, ସେ ଯା' କରିବ ସେଠି ଚେଷ୍ଟା କରି, ହୁଏତ ବୋଉକୁ କହିବ ।

 

କିନ୍ତୁ ହାରାମଣି ଯିବାକୁ ନାରାଜ ।

 

ବଡ଼ ଅଡ଼ୁଆରେ ପଡ଼ିଲା ଉଦିତ । କହିବାକୁ ଗଲେ ଗୋଟାଏ ସଙ୍କଟର ଆବର୍ତ୍ତନ ଭିତରେ ସେ ଅକସ୍ମାତ୍ ନିକ୍ଷିପ୍ତ ହେଇଗଲା ଯେମିତି ।

 

"ଆହୋ ତମେ ଯିବନେଇଁ କାହିଁକି ?"

 

"ଆରେ ରୁନୁ, ଝୁନୁ, କାବଲା, ଜେଜେ ଚିଠି ଦେଇଚନ୍ତି ଗାଁକୁ ଯିବାକୁ !"

 

"ଆମେ ଯିବୁ ବାପା !"

 

ଛୁଆଯାକ ପାଟି କରି ଉଠି ଏକ ସାଙ୍ଗରେ ଗୋଟିଏ କଥା କହିଲେ ।

 

"କିନ୍ତୁ ତମେ ନାରାଜ ହଉଚ କାହିଁକି କହିଲ ?"

 

କାରଣ ଦର୍ଶାଇ ସ୍ଵାମୀକି କିଛି ଉତ୍ତର ଦେଇପାରିଲାନି ହାରାମଣି । ଅକ୍ଷିଆର କଥା ଉଠେ ହାରାମଣିର ମନରେ । ଅକ୍ଷିଆ କେବଳ ଭୟକରେ ତା’ର ସ୍ଵାମୀ ଉଦିତଚନ୍ଦ୍ରକୁ । କିନ୍ତୁ ହାରାମଣି ଗାଁକୁ ଗଲେ ସେଠି ସେ ପୁଣି ପହଞ୍ଚିବ । ଏତେ କଥା ପରେ ଅକ୍ଷିଆ ଆଉ କଦମ୍‍ପାଳ ଆସିବା କ’ଣ ଉଚିତ । ସେ ମଧ୍ୟ ଗାଁକୁ ଯିବ ଆଉ କୋଉ ମୁହଁରେ । ତା’ରି ଭାଇ କଲା ଏତେ ନଟଘଟ ତାଙ୍କରି ଘରେ ।

 

"ତମେ ଗଲେ ଘର ତିଆରିର ବନ୍ଦୋବସ୍ତ କରିବ । ପ୍ରଥମେ ବୋଉକୁ କହିବ । ବାପା ଜାଣିଲେ ତମେ ଦି’ ତିନି ହଜାର ଟଙ୍କା ପଠେଇ ଦବ ତାଙ୍କ ପାଖକୁ । କିନ୍ତୁ ତମେ ଆଗକୁ ବାହାରିବ ନାହିଁତି । ତହସିଲଦାର ଅଛନ୍ତି । ବଂଶୀ ଦାଦା ଓ ଆଉ ଆଉ ଲୋକ ଅଛନ୍ତି । ସେମାନେ ସବୁ କାମ କରିଦେବେ । ହଁ ଜାଣିଲ ହାରା... !"

 

କାନ ଡେରିଲା ହାରାମଣି । ଅନେକ ଦିନ ତଳର ଡାକ, ଆଗେ ସେ ଏଇ ନାଁରେ ତାକୁ ଡାକୁଥେଲେ, ଏବେ ଭୁଲିଗଲେଣି । ଆଜି କେମିତି ମନେ ପଡ଼ିଲା କେଜାଣି !

 

ଜାଣିଲନା ହାରା, ଅକ୍ଷିଆକୁ ଏଥର ବା' ଥା' କରିଦବାର ଚେଷ୍ଟାକର । ତମ ବୋଉଙ୍କୁ ଲେଖିବ ଏକଥା, ମୁଁ କହୁଥିଲି ବୋଲି । ...କୋଉଦିନ ଯିବ କହିଲ, ମୁଁ ଚିଠି ଦେବି ବାପାଙ୍କୁ ।

 

"ମୁଁ ମୋଟେ ଯିବିନି...ତମେ ପିଲାଙ୍କୁ ପଠେଇ ଦିଅ । ମୋ ଦିହ ଅସଜ ଅଛି ବୋଲି ଆଉ କେତେଥର କହିବି । “ଅସଜ, ଓ ହଁ ହଁ । ତେବେ ଆଗରୁ ତ ଗାଁରେ ତିନି ତିନିଥର ଅସଜ ଅବସ୍ଥା କଟେଇ ଜନନୀତ୍ୱ ଲାଭ କରିପାରିଚ । ଆଜି କ’ଣ ହେଲା ? ଏବେ ତ ଗାଁ ପାଖରେ ଆମର ଡାକ୍ତରଖାନା ବସିଲାଣି ।”

 

କିନ୍ତୁ ସ୍ତ୍ରୀଠାରୁ କିଛି ଉତ୍ତର ସେ ପାଇଲାନି । ତେବେ ସପ୍ତାହକ ପରେ ସମସ୍ତେ ଘରକୁ ଯିବେ ବୋଲି ଗୃହର କର୍ତ୍ତା ଭାବରେ ସେ ସିଦ୍ଧାନ୍ତ ଘୋଷଣା କରିଦେଲା ।

 

ସାର୍ତା ବାରିରେ ଏହା ଭିତରେ ଗୋଟାଏ ଦୋକାନ ଘର ମଙ୍ଗରାଜେ ତୋଳି ଦେଇଚନ୍ତି ମୀନକେତନ ଲାଗି । ଜମିଦାରୀ ଯାଇଚି ସିନା, ମଙ୍ଗରାଜଙ୍କ ଲାଖରାଜ ମାହାଲ ଖଣ୍ଡକ ରହିଚି । ସେହି ଲାଖରାଜ ଭିତରେ ସାର୍ତା ବାରି । ପ୍ରାୟ ଦଶଗୁଣ୍ଠ ହେବ ଜାଗା । ଚାରିପଟେ ପାଟକୀ ଜାତିର ପ୍ରଜା । ଦୋକାନ ଘରକୁ ଦେଖି ସମସ୍ତେ ପସନ୍ଦ କରିଚନ୍ତି, କାରବାର ଭଳ ଚାଲିବ ଏଠି । ବିକ୍ରିବଟା ପାଇଁ ଜାଗା, ମାଲପତ୍ର ରଖିବାକୁ ଗୋଦାମ ଘର, ତା’ ସାଙ୍ଗକୁ ସମୟ ବଖତରେ ଗଲାଅଇଲା ଚଳାଚଳ ମଧ୍ୟ ଘରର ବନ୍ଦୋବସ୍ତ କରାଯାଇଛି । କରୁଗେଟ୍ ଟିଣ ନ ମିଳିବାରୁ ନାଲି ଟାଇଲ୍‍ରେ କରାଯାଇଚି ଛାତ । ଦୋକାନର ସାମ୍ନା ଖାଇବି ପଟକୁ କାଠର ଆଡ଼ି ପୋତାଯାଇ ଗୋଟା ବଡ଼ ଦଣ୍ଡି ଲାଗିଚି । ବିରି, ମୁଗର ବସ୍ତା ଆଉ ଗୁଡ଼ମାଠିଆ ପ୍ରଭୃତି ଓଜନ ହବ ଏଇଠି । ଦଣ୍ଡିଦାର କାମରେ ରହିବ ଗୋଖା ମାଳିର ପୁଅ ପୋକ । ସିମିଳିଆ ମହାଜନ ବସ୍ତିରେ କାମ କରି ପୋକ ମାଲପତ୍ର ତଉଲାତଉଲି କାମରେ ପୋକ ପାଲଟିଥିବା ଜଣାଯାଇଚି । ତା’ ବାଦେ ରାତିରେ ଜଗୁଆଳି ରହିବେ ଦଶୁଆ ଆଉ ରୁଷିଆ ପାଣ ।

 

ନଦଉ ମାଟି କାନ୍ଥ ଉପରେ ବାଲି ମାଟିର ଭାରା, ତା’ ଉପରେ ଚୂନ ଧଉଳା ହେଇଚି । ତଳ ମେଜିଆର ଅଧିକାଂଶ ସ୍ଥଳ ପକ୍କା । ନିଜର ଛୋଟ ସଂସାରଟି ଘେନି ମୀନକେତନ ଏଠି ରହିଲେ ବେଶ୍ ଆନନ୍ଦରେ ଚଳିଯାଇପାରିବ । ବ୍ୟବସାୟରେ ନିଷ୍ଠା ରଖିଲେ ପ୍ରଚୁର ରୋଜଗାର ମଧ୍ୟ କରିପାରିବ । ଆଜିକାଲି ଦୋକାନର ଦୁଆର ଖୋଲି ବିକିବା ଦରକାର ହଉନି । ରେଳଷ୍ଟେସନ୍ ଛାଡ଼ି ବଡ଼ବଡ଼ ପେଣ୍ଠ ଜାଗା ଦେଖି ସହରରୁ ମାରୁଆଡ଼ି ଆସି ଗୋଦାମ ଖୋଲି ଦେଲେଣି । ଘରେ ଆଣି ଜମେଇ ରଖିଲେ ରାତିଅଧରେ ବେପାରୀ ଆସି ନେଇଯିବେ ।

 

ଦୋକାନ ଘରକୁ ଦେଖି ଥରେ ମୀନକେତନକୁ ମଙ୍ଗରାଜେ ଅନେଇଲେ l

 

“ଜାଣିଲୁ, ଏଠି ବସି ରହିଲେ ତୋ ଗୋଡ଼ତଳେ ଆସି ଟଙ୍କା ଜମାହବ...ତୋ ଭାଗ୍ୟ ଖୋଲିଯିବ । ଜାଣିଲୁ, ବଡ଼ ଭାଇ ଲକ୍ଷପତି ହେଲେବି ତୋର ସେଥିରେ ଦୁଃଖ ଯିବନି, ପ୍ରତାପ କିଛି ଫିକର କରି ଚଳିଯିବ, ମିତ୍ରଭାନୁ ଆଉ ଛ'ମାସରେ ପାଠ ଶେଷକଲେ ତା’ କଥା ଆମକୁ ଭାବିବାକୁ ପଡ଼ିବନି । ଚିତ୍ରଭାନୁ ତ ଛୋଟକାଟ ଚାକିରି ଖଣ୍ଡେ କରିଚି । ...ତତେ ମୁଁ ସବୁଠାରୁ ଭଲପାଏ...ତୋ ଲାଗି ଫିଟେଇ ଦେଇଗଲି ଲକ୍ଷ୍ମୀର ଗନ୍ତାଘର...ତେଣିକି ତୋ ଭାଗ୍ୟ...”

 

ବାପ ଆଉ ପୁଅ ଠିଆ ହେଇଥାନ୍ତି ନୂଆ ତିଆରି ଦୋକାନ ଘର ଆଗରେ । ପୂର୍ବତନ ପ୍ରତାପୀ ଜମିଦାର ଜନ୍ମେଜୟ ମଙ୍ଗରାଜ ଅନେଇ ରହିଚନ୍ତି କଳାପ୍ରେମିକ ପୁତ୍ର ମୀନକେତନର ସୁଷମାସୁନ୍ଦର ମୁହଁକୁ । ଦିଗ୍‍ବଳୟରେ ଘୋଟି ଆସିଚି ଅପରାହ୍ନ । ଗଛପତ୍ରର ଅଗରେ ନିଜର ଅସ୍ତାଭା ନେଶିଦେଇ ପୃଥିବୀରୁ ବିଦାୟ ନେଉଚି ସୂର୍ଯ୍ୟ । ତା’ରି ସ୍ପର୍ଶ ଲାଗିଚି ଯେମିତି ମଙ୍ଗରାଜଙ୍କ ଅନ୍ତରରେ । ସେଥିଯୋଗୁଁ ଯେମିତି ଅପରାହ୍ନର ଚିନ୍ତା ତାଙ୍କୁ କାତର କରିଦେଇଚି !

 

କିନ୍ତୁ କିଛି ଭାବିପାରୁନି କଳାପ୍ରେମିକ, ସଙ୍ଗୀତସାଧକ ପୁତ୍ର ମୀନକେତନ । କାହିଁ, କେଉଁଠି ତା’ର କ’ଣ ଦୁର୍ଭାଗ୍ୟ ପଡ଼ିଚି, ତାକୁ ବଦଳେଇବାକୁ ହେଉଚି ଏତେ ଚେଷ୍ଟା । ସେ ଜମିଦାର ଆଉ ବଡ଼ଲୋକର ପୁଅ, ଜମିଦାରୀ ଚାଲିଗଲେବି ଯଥେଷ୍ଟ ଭୂସମ୍ପତ୍ତି ରହିଚି ।

 

ସୁନ୍ଦରୀ ତା’ର ପତ୍ନୀ, ସେ ପୁଣି ଗୀତ ଗାଇପାରେ । ପୁଣି ଦୁଇଟି ସନ୍ତାନର ଜନନୀ ହେଲାଣି । ଛୁଆ ଯୋଡ଼ିକ ଖୁବ୍ ସୁନ୍ଦର ହେଇଚନ୍ତି, ଫୁଟିଲା ଫୁଲ ପରି । ତା’ ନିଜ ଭିତରେ ରହିଚି ସଙ୍ଗୀତ ଆଉ ନାଟ୍ୟାଭିନୟର ଅଗାଧ ଦକ୍ଷତା, ଅନ୍ତତଃ, ଏ ଖଣ୍ଡମଣ୍ଡଳରେ କେହି ତା’ର ସମକକ୍ଷ ହେବେନି । ତେବେ ଦୁର୍ଭାଗ୍ୟ ତା’ପାଇଁ ଆସିଲା କୁଆଡ଼ୁ । ବାପାଙ୍କ କଥାରୁ ସେ କିଛି ହେତୁ କରିପାରିଲାନି । ଅନେଇଲା ଆକାଶକୁ । ଚାରିଆଡ଼େ ବିଞ୍ଚି ହେଇଯାଇଚି ସୂର୍ଯ୍ୟାସ୍ତର ନାଲି ନାଲି ଆଭା । ବିଦା ଗୁଡ଼ିଆ ଘର ସଳଖରେ ଉଡ଼ୁଚନ୍ତି ଆଠ ଦଶଟା ପାରା, ଉଡ଼ି ଉଡ଼ି ଲୋଟଣି ଭାଙ୍ଗୁଚନ୍ତି-। ସେମାନଙ୍କ ପକ୍ଷରେ ପିଟିହେଉଚି ଅସ୍ତ ସୂର୍ଯ୍ୟର ଅନ୍ତିମ ରଶ୍ମି । ଦିନର ଆଲୁଅ ଶେଷ ହେଇଯାଉଚି । ରାତ୍ରିର ଆଗମରେ ମଧ୍ୟ ଫୁଟିଉଠୁଚି ମଣି–କାଞ୍ଚନର ଲୀଳା । ସେ ପୁଣି ନିଭିଯିବ-। ନିଭୁ ।

 

ଏ ଦୃଶ୍ୟ ତ ମନ୍ଦ ନୁହେଁ ! କ’ଣ ଖରାପ !

 

ଦିବସର ଆଗମରେ ପ୍ରଭାତର ଦୃଶ୍ୟ ସେ ଦେଖିଚି । ପ୍ରଭାତର ବହୁ ଆଗରୁ ଉଠି ସେ ସ୍ଵର ସାଧନା କରିଚି ବହୁକାଳ ଧରି । ପାହାନ୍ତି ଆକାଶରେ ସେ ଦେଖିଚି ଶୁକ ତାରା । ଆଉ ଅପରାହ୍ନର ଆଗମରେ ସେ ଦେଖିବ ସନ୍ଧ୍ୟା ତାରକା । କ୍ଷତି କ’ଣ ! ଦୁର୍ଭାଗ୍ୟ କାହିଁ ସେଥିରେ ? ମୀନକେତନର କଳାପ୍ରେମିକ ମନ ଦାର୍ଶନିକତାର ସୀମା ମାଡ଼ିଗଲେବି ବାସ୍ତବତାର ଗୁଳା ଛୁଇଁ ପାରିଲାନି ।

 

ଦି’ ମାସ ହେଲା ଦୋକାନ ଚାଲୁହେଲାଣି । ଦିନେ ଖରାବେଳେ ମଙ୍ଗରାଜଙ୍କ ନିର୍ଦ୍ଦେଶରେ ରମଜାନ୍ ପିଆଦା ପୋକକୁ ଡାକି ଆଣିଲା ଦାଣ୍ଡକୁ । ଖରାବେଳେ ବିକ୍ରିବଟା ନଥାଏ, ସେତିକିବେଳେ ଦୋକାନର ହାଲ ହଇକତ ବୁଝିବାକୁ ମଙ୍ଗରାଜେ ଇଚ୍ଛା କଲେ ।

 

“ଆରେ ପୋକ, ଆର ମାସରେ କେତେ ଲାଭ ହେଲା ?”

 

ଢେମ୍ଫାଳିଆ ହେଇ ବାଇଶ ତେଇଶବର୍ଷର ଟୋକା, ପୋକ । ଚେହେରାରେ ଚାଲାଖ ଚତୁରତାର ଛାପ । ଗୋଡ଼ିବାଣ ଆଉ ମଧୁମାଳତୀର ଫୁଲ ବଣ ଭିତରୁ ସେ ଡିଆଁମାରିଚି ମୁଗ, ବିରି, ଆଖୁ କିଆରି ଭିତରକୁ । ଦୋକାନରେ ଅଛି ଆହୁରି ଢେର୍ ଢେର୍ ଜିନିଷ । ଗାଏମୋଟ ପାଞ୍ଚ ହଜାର ଟଙ୍କାର ପଣ୍ୟ । ଏବେ ସବୁଥିରେ ହାତ ମାରିଚି ସିଏ । ଲୁଗା ଆଉ ଗାମୁଛା ଖଣ୍ଡକ ତା’ର ତେଲିଆ ତେଲିଆ, ରାଗରାଗୁଆ ବାସୁଚି, ମୋତିଚୁର୍‍ର କଡ଼ା ବାସ୍ନାବି ମିଶିଚି । ଗାମୁଛାରେ ମୁହଁ ପୋଛି ଛିଡ଼ାହେଲା ପୋକ ।

 

“ଆଜ୍ଞା, ପହିଲୁ ମାସ ହିସାବ ବାବୁଙ୍କ ପାଖରେ, ମୁଁ ଯା’ ଜାଣେ...ଗଲା ମାସରେ ଟଙ୍କା ଦି’ଶ ଫାଇଦା ହେଇଚି ।”

 

ମଙ୍ଗରାଜେ ଉତ୍‍ଫୁଲ୍ଲ ହେଲେ ଭିତରେ ଭିତରେ । ତାହାହେଲେ ମୀନକେତନ ବଞ୍ଚିଯିବ...ବଞ୍ଚିଯିବ ତା’ର ସଙ୍ଗୀତ । ବଡ଼ ସୁବୁଦ୍ଧିରେ ମୁଁ ତାକୁ ଦୋକାନ ଖଣ୍ଡେ କରିଦେଲି...ପହିଲି ମାସରେ ଦି’ଶ...ସେଥିରୁ ବିକାଳି, ଜଗୁଆଳି ଗାଏ ମୀନର ହାତଖର୍ଚ୍ଚ ଯାଉ ଶହେ ଟଙ୍କା, ଆଉ ନିଟ୍ ଶହେ ଟଙ୍କା ତ ରହିଲାଣି । ସେତିକି ନୁହେଁ, ଆୟ ପୁଣି ବଢ଼ିବ...ହୁଏତ ମାସକୁ ତିନିଶ ଚାରିଶ ହେଇଯିବ । ଖୁବ୍ ଖୁସି ହେଲେ ମଙ୍ଗରାଜେ ପୁଅର ଉଜ୍ଜ୍ୱଳ ଭବିଷ୍ୟତ ଭାବି ।

 

ପୋକ କିନ୍ତୁ ଅସଲ କଥା କିଛି କହିଲାନି । ମଙ୍ଗରାଜଙ୍କୁ ତାଙ୍କ ପୁଅଙ୍କ ନାଁରେ ସେ କିଛି କହିବ ତା’ର ସାହସ ଅଛି ! ହଉ, କେତେ ଏବେ, ମୀନବାବୁ ଟଙ୍କା ପଚାଶଟା ଉଡ଼ଉଥେବେ । ଗଲା ମାସରେ ହାରାହାରି ତିନିଶ’ଟଙ୍କା ଲାଭ ହେଇଚି । ଶହେ ଟଙ୍କା ହାତରେ ରଖି ସେ ଦି’ଶ ଟଙ୍କା କହିଚି । ବାବୁଙ୍କ ସାଙ୍ଗରେ ରାତିରେ ଭଗବାନ ମିଶ୍ର ଜୁଟିଲାଣି । ଗଞ୍ଜେଇ ଟଣାରେ ସେ ଓସ୍ତାତ । ଆଉ କ’ଣ ବଟମୂଳେ ପୂନେଇଁ ସଂକ୍ରାନ୍ତି ପାଳି ହବ ବୋଲି କଥା ପଡ଼ିଚି । ସେପାରିରୁ ଇନ୍ଦା ରାଢ଼ୀ ଆସୁଚି ଖଞ୍ଜଣି ମାଡ଼ କରିବାକୁ । କ’ଣ ସବୁ ପାର୍ଟ୍ ଶିଖୁଚନ୍ତି ଥଟାରି ସାହିର ଟୋକା । ରାତିରେ ଛୋଟକାଟର ଗୋଟା ଭୋଜି ହଉଚି ଦୋକାନରେ । କାଲିକି ରୁଷିଆ ପାଣକୁ ଦି’ଟା ଗଞ୍ଜା ଆଣିବାକୁ କୁହାହେଇଚି । ମଙ୍ଗରାଜଙ୍କୁ ସେ କଥା ସବୁ କିଛି କହିଲାନି ପୋକ ।

 

ଖାଲି ସେତିକି ନୁହେଁ, ପ୍ରାୟ ପନ୍ଦର ଦିନ ହେଲା ମୀନକେତନ ଘରକୁ ଅନେକ ସମୟରେ ଆସୁନି ରାତିରେ । କବାଟ ମୁକୁଳା କରି ସୁଷମା ଅନେଇ ଅନେଇ ରହୁଚି । ସବୁ ଅସନ୍ତୋଷ ତା’ର ଜମିଉଠିଚି ଶଶୁରଙ୍କ ଉପରେ । ପୁଅକୁ ଛଡ଼େଇ ନେଲେ ଇଏ ମୋଠୁଁ, ମୁଁ କି ଦୋଷ କରିଥେଲି ୟାଙ୍କର । ଶୋଇ ଶୋଇ ସୁଷମା କାନ୍ଦେ । ଛୁଆ ଦି’ଟାକୁ ସୁରେଶ୍ୱରୀ ନେଇ ଯାଇଚନ୍ତି ତାଙ୍କ ପାଖକୁ । ଲିଲି ଆଉ ଡଲି, ଦୁଇଟି ଗୋଲାପ ଫୁଲ ଯେମିତି ! ସବୁବେଳେ ତାଙ୍କୁ କାଖରେ କୋଳରେ କରିବାକୁ ସୁରେଶ୍ଵରୀଙ୍କି ଭାରି ସୁଖଲାଗେ ।

 

ଦିନେ ରାତିରେ ଆସି ମୀନକେତନ ସଅଳ ସଅଳ ପହଞ୍ଚିଲା ଘରେ । ସୁଷମା କିନ୍ତୁ ତାକୁ କଥା କହିଲାନି ।

 

“ଆରେ ମୋ ଦୁଃଖ ତମେ ଜମା ବୁଝିପାରିନା ସୁମା ! ମୁଁ କ’ଣ ଖୁସିରେ ଆସେନା । ଦୋକାନର କାରବାର ବଢ଼ୁଚି...ହିସାବକିତାବ ସାରୁ ସାରୁ ରାତି ଦି’ଟା ତିନିଟା ହେଇଯାଏ । କ୍ଳାନ୍ତ ହେଇ ମୁଁ ସେଇଠି ଶୋଇପଡ଼େ ସୁମା ! ମୋ କଷ୍ଟ ଜାଣିବ ତମେ କେମିତି !”

 

ଆଉ ନୀରବ ରହିପାରିଲାନି ସୁଷମା ।

 

“ଏଠି ଏତେ ଖିଆପିଆ, ତମେ ଓପାସରେ ଶୋଇପଡ଼ି ଦୋକାନରେ ?”

 

ମିଥ୍ୟା ଭିତରେ ସୁଷମାର ସମ୍ବେଦନା ଜାଗ୍ରତ ହେଇଚି । ତାକୁ ସେ କି ଉତ୍ତର ଦବ ସତେ ! ଭାବିବ ସେ ମୀନକେତନ, କ’ଣ କହିବ ?

 

“ଆରେ ସେଠି ପରା ରାଢ଼ୀ ଘର ଅଛି, ଆମ ଦୋକାନରେ କନ୍ଦ, ଚିନି ଅଛି, ଆଉ ଦୁଧ ଅଛି ସାଧୁଆ ଗଉଡ଼ ଘରେ । ମୁଁ ଓପାସରେ ରହିବି କାହିଁକି ?”

 

ସ୍ଵାମୀର ଏ ସବୁ ବର୍ଣ୍ଣନାକୁ ମିଛ ବୋଲି ବୁଝିପାରେନା ସୁଷମା । ସତେ ସିଏ କେତେ ଦୁଃଖ ସହୁଚନ୍ତି ଆମଲାଗି । ଆମର ଏତେ ଜମିବାଡ଼ି ଅଛି, କ’ଣ ଆମେ ଏମିତି ଭାସିଯିବା ଦୁନିଆରୁ । ବର୍ତ୍ତମାନର ପ୍ରାଚୁର୍ଯ୍ୟ ଭିତରେ କେଉଁ ଅନାଗତ କାଳର ଅନଟନ ଘେନି ଚିନ୍ତା କରିବାକୁ ସୁଷମା ଭିତରେ ପ୍ରବଳ କୁଣ୍ଠା ଜାଗିଉଠେ ।

 

“ଯେତେହେଲେ ତମେ ତ ଚୁଡ଼ା ଖାଇକରି ରୁହ ତ ! ଏ କ’ଣ, ତମ ଜାମାଟା କେମିତି କି ଜାତିଆ ବାସୁଚି ଯେ...”

 

ଘରର ଲଣ୍ଠନ ଆଲୁଅ ଭିତରେ ମୁହଁରେ ଖଣ୍ଡେ ହସ ଫୁଟେଇଲା ମୀନକେତନ । ବିଲ୍‍କୁଲ୍ ଛଳନାର ହସ । ଦେହର କାମିଜ ଖଣ୍ଡକୁ ଥରେ ଦି’ଥର ଶୁଙ୍ଘି ପକେଇଲା ।

 

ଓ...ଆରେ ହଁ...ମନେ ପଡ଼ିଲା...“ଯା’ ହଉ...ତମର ଘ୍ରାଣଶକ୍ତି ଖୁବ୍ ତୀକ୍ଷ୍ଣ ସୁଷମା । ସେଥିପାଇଁ ତମକୁ ଧନ୍ୟବାଦ ।”

 

ସୁଷମାର କୋମଳ ଗାଲରେ ଗୋଟା ଛୋଟିଆ ଟିପା ମାଇଲା ମୀନକେତନ । ତାକୁ ଜିଜ୍ଞାସୁ ଆଖିରେ ଅନେଇଥାଏ ସୁଷମା । ସେଥିଯୋଗୁଁ ମୀନକେତନ ଆରମ୍ଭ କରିଥିବା କଥା ବନ୍ଦ କରିପାରିଲାନି ।

 

“ହଁ, କ’ଣ କହୁଥିଲି ତି...ହଁ ମନେ ପଡ଼ିଲା...ଏଠି ଆମ ଘରେ ଯୋଉ ଦୁର୍ଜାନା ରୋଷେଇ କରୁନେଇଁ...ତା’ରି ବାପ ଭଗିଆନା, ଆଜି ସନ୍ଧ୍ୟାବେଳେ ଆସି ଦୋକାନରେ ‘ତ୍ରିନାଥମେଳା’ କରିଥେଲା । ସେମାନେ ଗଞ୍ଜେଇ ଟାଣୁଥେଲେ...ତା’ରି ଧୂଆଁ ପଶିଯାଇଚି ମୋ ଜାମାରେ...”

 

ଛାତିଟା ଧଡ଼ ଧଡ଼ ହେଲା । କଣ୍ଠ ନଳିରେ ନିଃଶ୍ଵାସ ରୋଧି ହେଇ ଆସିଲା ଯେମିତି । ଆଉ ବେଶି କିଛି ସେ କହିପାରିବନି । ଢେର୍ କହିଚି । ଏତେ ମିଛ ସେ ନିଜର ସ୍ତ୍ରୀକି, ବିଶେଷତଃ ସୁଷମାକୁ କହିପାରିବ ବୋଲି ସେ କେବେହେଲେ କଳ୍ପନା ସୁଦ୍ଧା କରି ନଥିଲା । ତକିଆରେ ମୁହଁମାଡ଼ି ପଡ଼ିଗଲା ମୀନକେତନ । ସେ କ୍ଳାନ୍ତ । ପଥଭ୍ରଷ୍ଟ । ଗୋଡ଼ ଦି’ଟା ତା’ର ତଳକୁ ତଳକୁ ଖସିଯାଉଚି ।

 

‘‘ସୁମା !’’

 

ମୁହଁ ବୁଲେଇଲା ମୀନକେତନ ଅପରାଧୀ ପରି । ସେତେବେଳକୁ ସୁଷମାର ଦି’ ଆଖିରୁ ଅଶ୍ରୁ ଝରୁଚି । ସେ ବୁଝିପାରିଚି, ସ୍ୱାମୀର ଦୁର୍ବଳତା ।

 

ମୁଁ ଆଉ ଦୋକାନକୁ ଯିବିନି ସୁମା !

 

ସୁଷମା ମନେକଲା, ତା' ଚିନ୍ତାର ସେଇ ଅନାଗତ କାଳର ଦୁର୍ଭାଗ୍ୟ ଗତ ଦୁଇ ମାସ ହେଲା ଆସି ପହଞ୍ଚିଗଲାଣି ସତେ !

 

ଏହାପରେ କିଛି ସମୟ ପୂର୍ଣ୍ଣ ନୀରବତା ଭିତରେ କଟିଗଲା । କାନ୍ଦିଆସେନା ସୁଷମାକୁ ଯେମିତି ଭଲ କରି । ସେଥିଲାଗି ଖୁବ୍ କାନ୍ଦିବାକୁ ଇଚ୍ଛା ହେଉଥିଲେବି କାନ୍ଦି ପାରିଲାନି । କିନ୍ତୁ କାନ୍ଦିଲା ମୀନକେତନ । ସୁଷମା ଏହା ଭିତରେ ଉଠିଯାଇ ଦରଜା ବନ୍ଦ କରି ଦେଇ ଆସିଥାଏ । ସେତକ ଉପସ୍ଥିତ ବୁଦ୍ଧି ତା’ ଭିତରେ ଅଛି, ଭାଇ ଭଗାରିଆ ଘର, ପଦେ କଥା କିଏ କୋଉଠି ଶୁଣିଲେ ତାକୁ ଦଶ ପଦ କରି କହିବେ । ଆଜି ମନ ଭଲ ଅଛି ବୋଲି ସବୁକଥା ଭଲରେ ଭଲରେ ଯାଉଚି; କାଲି ହୁଏତ ଚକ ଘୂରିଯାଇ ସବୁ ଓଲଟା ହେଇଯିବ । ...ମୀନକେତନ ସେ ପର୍ଯ୍ୟନ୍ତ କାନ୍ଦୁଥାଏ । ମୀନକେତନର ଗୋଟାଏ ଦୁର୍ବଳତା ଅଛି, କାନ୍ଦିଲେ ସେ ଖୁବ୍ ଅଧୈର୍ଯ୍ୟ ହେଇପଡ଼େ । କୌଣସି ପାରିବାରିକ ଘଟଣାରେ ତାକୁ ଅବଶ୍ୟ କେବେ କାନ୍ଦିବାକୁ ପଡ଼ିନି । କାନ୍ଦିଚି କେତେଥର ସେ ଦାମ୍ପତ୍ୟ ଘଟଣାରେ...ସୁଷମା ସହିତ ମାନ–ଅଭିମାନ ଘେନି । କିନ୍ତୁ ଆଜିର କ୍ରନ୍ଦନ ଭିତରେ ଦାମ୍ପତ୍ୟ ଓ ପାରିବାରିକ ଉଭୟ କାରଣ ନିହିତ ।

 

ସ୍ୱାମୀର କ୍ରନ୍ଦନ ଦେଖି ସୁଷମା ନିଜ ଭିତରୁ ସବୁ ଭରସା ହଜେଇ ଦେଇ କହିଲା–

 

"ତମେ କାନ୍ଦିଲେ ମୁଁ ପୁଣି ଧୈର୍ଯ୍ୟ ଧରିବି କେମିତି ?"

 

"ମତେ କ୍ଷମାକର ସୁମା...ମୁଁ ଭାରି ଭୁଲ୍ କରିଚି !"

 

ଦୁଃଖ ଭିତରେ ମଧ୍ୟ, ସ୍ୱାମୀର କଥା ଶୁଣି ହସିଲା ସୁଷମା...ସମ୍ବେଦନାର ହସ । ମୀନକେତନର ଛାତି ଉପରେ ଲୋଟିପଡ଼ି ତାକୁ ସେ ପ୍ରବୋଧନା ଦେବାକୁ ଚେଷ୍ଟାକଲା ।

 

"ସେମିତି କିଛି ଭୁଲ୍ କରିନା ତମେ...ପୁରୁଷ ଅନେକ କଥା କରନ୍ତି...ମୁଁ ଜାଣେ...ହେଲେ ତମେ ସେମିତି ହୁଅ ବୋଲି ମୁଁ ଚାହେଁନା...କେଇଦିନ ହେଲା ଦୋକାନରେ ଗଞ୍ଜେଇ ଖିଆ ଚାଲିଲାଣି କହିଲ ?"

 

ମୀନକେତନ ନିରୁତ୍ତର ରହିଲା ।

 

"ଦୋକାନରେ ରାତିରେ ରହିଯିବାର ଠିକ୍ କାରଣ କ’ଣ କୁହନି ?"

 

ସୁଷମାର ଉପର୍ଯ୍ୟୁପରି ଦୁଇଥର ପ୍ରଶ୍ନ ପରେବି ମୀନକେତନ କୌଣସି ଉତ୍ତର ଦେଇ ପାରିଲାନି ।

 

"ହଁ, ଏଥର ବୁଝିଲି, ତମେ ଖୁବ୍ ଭୁଲ୍ କରିଚ...ନହେଲେ ମୋ କଥାର ଉତ୍ତର ଦେଇପାରିଥାନ୍ତ । ...ତମେ କ’ଣ ସତେ ଏମିତି ଭୁଲିଗଲ...ଆଜିଯାଏ ମୋ ସାଙ୍ଗରେ କ’ଣ ଖାଲି ଛଳନା କରୁଥିଲ ସତେ ?"

 

"ସୁମା !"

 

"ନାଇଁ...ତମର ଏ ଡାକରେ ବେଶି କିଛି ଅର୍ଥ ନାଇଁ ଆଉ । ତମେ ମୋ କଥା ଏଣିକି ରଖିବନା କହିଲ ?"

 

"କୁହ..."

 

ସୁଷମା ଧୀରେ ଧୀରେ ଗୋଟି ଗୋଟି କରି କହି ବସିଲା–

 

"ଦେଖ, ବାପା ତମକୁ କେତେ ବିଶ୍ଵାସରେ ଦୋକାନ କରି ଦେଇଚନ୍ତି । ଆଉ କୋଉ ପୁଅଙ୍କ କଥା ନ ଭାବି ଆଗେ ଭାବିଚନ୍ତି ତମରି ଭବିଷ୍ୟତ କଥା...କାରଣ ଧନ କମେଇ କୁଟୁମ୍ବ ପୋଷିବାରେ ତମର ନିକମା ଢଙ୍ଗ ସେ ଜାଣିଚନ୍ତି । ବାପା ଭାବୁଚନ୍ତି, ସେ ଆଉ ବଞ୍ଚିବେ କେଇଦିନ...ତା’ ଆଗରୁ ତମକୁ ସେ ମଣିଷ ହବାର ଦେଖିକରି ଯିବେ । ...ସାନ ନନା ତ ସବୁବେଳେ ନିଜର ଫିକରରେ ଲାଗିଚନ୍ତି...ବଡ଼ ନନା ତ ଢେର୍ ପଇସା ରଖିଚନ୍ତି...ଶୁଣିଚ, ନୋକେଇ ଜେନା ଡିହରେ ବଡ଼ ନନା ଗୋଟା କୋଠା କରିବେ ବୋଲି ଦେଈ ବାପାଙ୍କ ପାଖକୁ ଖବର ଦେଇଚନ୍ତି..."

 

ମୁଣ୍ଡ ଟେକି ଅନେଇଲା ମୀନକେତନ ।

 

“କ’ଣ ଅଙ୍ଗିଲା ?”

 

ନିଜର ବକ୍ଷଦେଶକୁ ଘୁଞ୍ଚେଇ ନେଇ ସ୍ୱାମୀର ଛାତିଟାକୁ ଟିକିଏ ହାଲ୍‍କା କରିବାକୁ ପ୍ରୟାସ କରି ସୁଷମା ସାନ୍ତ୍ଵନା ଦେଇ କହିଲା–

 

“ଅବଶ୍ୟ ଏଇଖିଣି ଅଙ୍ଗିଲା କଥା ଉଠିନେଇଁ...କା’ ଜିଭରେ ହାଡ଼ ଅଛି ବାପାଙ୍କ ଆଗରେ ଉଠେଇବ ସେ କଥା । ...ହଁ, ବଡ଼ ନନା କୁଆଡ଼େ ତିନିଟା କୋଠା କରିଦେବେ...ଆଗେ କରିବେ ନୋକେଇ ଜେନା ଡିହରେ...”

 

ଖୁବ୍ ଅସ୍ୱସ୍ତି ଲାଗିଲା ମୀନକେତନକୁ । ହୁଏତ ସୁଷମା ଏସବୁ ଭୁଲ୍ ଶୁଣିଚି । ବଡ଼ ଭାଇଙ୍କ ବିରୁଦ୍ଧରେ ସେ କିଛି ଚିନ୍ତା କରିପାରିବନି । ସୁଷମା କିଛି ଆଉ ନ ଗପନ୍ତା କି ଆଜି ରାତିରେ ସେ ନିଜର ବେହେଲା ଖଣ୍ଡକ ଧରି ବଜାନ୍ତା... I କିନ୍ତୁ ତା’ର କବି–କଳ୍ପନାକୁ ବିପର୍ଯ୍ୟସ୍ତ କରି ସୁଷମାର କଥା ପୁଣି ଶୁଣାଗଲା ।

 

“ତମେ ଜାଣିଚନା, ଭାଗଚାଷ ଆଇନ ଚାଲୁ ହବା ଆଗରୁ ଚାଷଜମି ଯାକୁ ବାପା ସବୁ ପୁଅଙ୍କ ନାଁରେ ଭାଗ ଭାଗ କରି ଦେଇଚନ୍ତି...ତମ ଘରେ ଯେମିତି, ଆମ ଘରେ ସେମିତି, ଆଗେ ସିନା ଜମିଦାରୀ ଥିଲା ଯେ ତିନି ଚାରିଶ ମାଣ ଜମିରୁ ଫସଲ ଅମଳ ହେଇ ଆସୁଥେଲା...ଏବେ ଖାଲି ହାତ ଚାଷ ଜମିରୁ ଚଳିବାକୁ ହବ...

 

“ତମେ ଆଉ କ’ଣ କହିବ ସୁମା ?”

 

“ନା, ଆଉ କିଛି ନାଇଁ...ଏଣିକି ଆମରି କଥା ଖାଲି କହିବି ! ତମକୁ ପାଖରେ ପାଇ ଆଜି ରାତିରେ ମୁଁ ଜାଣୁଚି...ତମେ ଯଦି ଦୋକାନ ଛାଡ଼ିବ ତାହାହେଲେ ବାପା ଆଖି ବୁଜିବା ପରେ ଆମେ ଭାସିଯିବା...ଲିଲି ଆଉ ଡଲି କଥା ଭାବ...? ହୁଏତ ଆହୁରି ତାଙ୍କର ଭାଇ ଭଉଣୀ ଆସିବେ...”

 

“ମୁଁ ଦୋକାନ ଛାଡ଼ିବିନି ତାହାହେଲେ ତମେ କହୁଚ ?”

 

“ଏତେକଥା ପରେ ତମେ ପୁଣି ଏ ପ୍ରଶ୍ନ ପଚାରୁଚ ? ଗଞ୍ଜେଇ ଖିଆ ଛାଡ଼ି ପାରିବନି ବୋଲି ତମେ ଦୋକାନ ଛାଡ଼ିବା କଥା ଭାବୁଚନା କ’ଣ ?”

 

ସୁଷମାର କଥାରେ ଉଷ୍ଣତା । ତା’ର ସ୍ପର୍ଶ ଲାଗିଲା ମୀନକେତନର ଅନ୍ତରର ଗୋଟା ଗହୀର ପର୍ଦାରେ ।

 

“ସୁମା !!”

 

ମୀନକେତନର ମୁହଁଟାକୁ ଦି’ ହାତରେ ଚାପିଧରିଲା ସୁଷମା । ଗୋଟା ଚୁମା ଖାଇଲା । ପୁଣି ଲଦି ହେଇ ପଡ଼ିଲା ଛାତି ଉପରେ ।

 

“ନା...ତମେ ମୋର ସୁନା ! ନିଇତି ରାତି ଦଶଟାବେଳକୁ ଦୋକାନ କାମସାରି ଏଠି ଆସି ପହଞ୍ଚିବ, ଏଇ ରହିଲା କଥା । ତହିଁ ଆରଦିନ ଖରାବେଳେ, ବିକ୍ରିବଟା ନଥେଲା ସମୟରେ ହିସାବକିତାବ କରିବ ।”

 

କୋଡ଼ିଏ

 

ଶୀତ କାଳର ଏକ ଗୋଧୂଳି ଲଗ୍ନ ।

 

ମଟର ଯୋଗେ ବୁଲିଯିବା ପାଇଁ ବାହାରିଚନ୍ତି ପ୍ରବାଳମଞ୍ଜରୀ ଆଉ କୀର୍ତ୍ତିରଞ୍ଜନ । ଟ୍ରଙ୍କ୍‍ରୁ ଖଣ୍ଡେ ଶାଢ଼ି ବାହାର କରି ଲୁଗା ବଦଳେଇବାକୁ ଯାଉଚି ପ୍ରବାଳ, ଶାନ୍ତିପୁରୀ ଧୋବ ଶାଢ଼ି ଖଣ୍ଡକର ଭାଙ୍ଗ ଫିଟେଇ ଝାଡ଼ି ଦେଉଁ ଦେଉଁ ତା’ ଭିତରୁ ଝଡ଼ିପଡ଼ିଲା କେତେଗୁଡ଼ିଏ ବାଲିକଣା । ତାକୁ ନିରୀକ୍ଷଣ କରି ପ୍ରବାଳମଞ୍ଜରୀ ଆଖିରୁ ଝରିପଡ଼ିଲା ଦୁଇ ବିନ୍ଦୁ ଲୋତକ ।

 

ଆଗରେ ଠିଆହେଇଚି କୀର୍ତ୍ତିରଞ୍ଜନ । ପ୍ରବାଳର ଆଖିରେ ଲୁହ ଦେଖି ସେ ଚମକି ପଡ଼ିଲା ।

 

“କ’ଣ ହେଲା ମଞ୍ଜରୀ ? କାନ୍ଦିଲ କାହିଁକି ?”

 

ଶାଢ଼ିଖଣ୍ଡକୁ ତାନେ ଭଲ କରି ଝାଡ଼ିଦେଲା ପ୍ରବାଳମଞ୍ଜରୀ । ନିଜର ଆଖି ପୋଛିଦେଲା, ପିନ୍ଧିଥିବା ଲୁଗାର ପଣତରେ ।

 

“ତମ ଗାଁ ଧୋବା ହାତର ଏଇ ବାସିକରା ଲୁଗା, ବୋଧହୁଏ ! କେତେ ବାଲି ଭର୍ତ୍ତି କରିଦେଇଚି ସେ ଶାଢ଼ିଟାରେ । ...ତମେ କାନ୍ଦିଲ କାହିଁକି ମଞ୍ଜରୀ କହିଲ ?”

 

ପ୍ରବାଳ ଅଧରରେ ଛୋଟ ଖଣ୍ଡେ ହସ ଖେଳେଇ ଦେଇ ପ୍ରବାଳମଞ୍ଜରୀ କହିଲା–

 

“ଏଇ ଏ ଲୁଗାର ବାଲିଗୁଡ଼ାକ ଆମ ଗାଁ ନଈବାଲି । ଏଇ ବାଲିଗୁଡ଼ାକ ଦେଖି ଆମ ଗାଁ କଥା ମନେ ପଡ଼ିଗଲା । କୋଉଦିନୁ ଆସିଲିଣି ମୁଁ ଗାଁରୁ...”

 

ହସିଉଠିଲା କୀର୍ତ୍ତିରଞ୍ଜନ ।

 

“ଏଇଥିଲାଗି ତମେ ଆଖିରୁ ଲୁହ ଗଡ଼େଇଦେଲ ? ତମେ ପରା ଆର ସୋମବାର ଦିନ ତମ ଗାଁକୁ ଯିବ ଠିକ୍ ହେଇଚି । ଆଉ ହୁଏତ ଆଠ ନ'ଦିନ ରହିଲା, ସେଥିରେ ପୁଣି ତମେ ଲୁହ ଗଡ଼େଇ ଦେଲ...”

 

ହଁ ମୁଁ ଯିବି ସତେ ? ତମେ କହୁଚ ? ତମେ ଛାଡ଼ିଦେବ ?”

 

ସ୍ଵାମୀର ମୁହଁକୁ ଛଳଛଳ କରି ଅନେଇଲା ପ୍ରବାଳମଞ୍ଜରୀ । ସୁନ୍ଦର ସ୍ଵାମୀ । ରୂପବାନ୍ ପୁରୁଷ । ବଳିଷ୍ଠ, କର୍ମଦକ୍ଷ; ଦେହରେ ଶକ୍ତି ଅଛି ଯଥେଷ୍ଟ । ଭାଓଲେଟ୍ ରଙ୍ଗର ଭେଲ୍‍ବେଟ୍ କପଡ଼ାର ପ୍ୟାଣ୍ଟ୍ ଉପରେ ବର୍ଣ୍ଟ ଅମ୍ବର ରଙ୍ଗର ସାର୍ଜ କନାର ଗୋଟା ଜର୍ସି ପିନ୍ଧିଥାଏ କୀର୍ତ୍ତିରଞ୍ଜନ । ସୁନ୍ଦର ମାନୁଥାଏ ତାକୁ । ବଳିଷ୍ଠ ଓ ସୁଗଠିତ ବାହୁଯୁଗଳର ପ୍ରଭାବରେ କାନ୍ଧ ଦି’ଟା ଫୁଲି ଫୁଲି ଉଠିଚି । ସ୍ୱାମୀର ସେଇ ରୂପକୁ, ପ୍ରବାଳମଞ୍ଜରୀର ଇଚ୍ଛା ହେଲା ଆହୁରି ଅନେଇବା ପାଇଁ । ଏଣେ ଡେରି ହେଇଯାଉଚି ଲୁଗା ବଦଳେଇବାକୁ, ହାତର ଶାନ୍ତିପୁରୀ ଶାଢ଼ି ଖଣ୍ଡକୁ ସେ ଖେଳେଇ ଧରିଲା, ଦୋଦୋପାଞ୍ଚ ହେଲା ସ୍ଵାମୀ ଆଗରେ ପାଲଟିବାକୁ । କେମିତି ଅବା ସ୍ଵାମୀକି କହିବ ଦୂରେଇ ଯିବାକୁ...ଡେରି ହେଇଯାଉଚି ସତେ...

 

“ଓ ତମେ ଲୁଗା ପାଲଟିବ ପରା...ଆଚ୍ଛା ମୁଁ ମଟର ପାଖରେ ଅପେକ୍ଷା କରିଚି, ତମେ ଆସ ।”

 

“ନା ନା, ଆରେ, ତମେ ଠିଆହୁଅ, ମୋର କିଛି ଅସୁବିଧା ହବନି...ଶୁଣୁଚ...”

 

କୀର୍ତ୍ତିରଞ୍ଜନ ପାଦ ବଢ଼େଇ ଦେଇଥିଲା ଦ୍ଵାର ମୁହଁଯାଏ, ଫେରି ଆସିଲା । ଘରଭିତରେ ପଡ଼ିଥିବା ଗୋଟାଏ ଚୌକିକୁ ବୁଲେଇ ଦେଇ ତା’ ଉପରେ ବସିପଡ଼ି କହିଲା–

 

“ମୁଁ ଆଡ଼କୁ ମୁହଁ କରୁଚି...ତମେ ଝଟ୍ କାମ ସାଇଲ !”

 

ଆଗରେ ଡ୍ରେସିଙ୍ଗ୍ ଟେବୁଲ୍‍ର ବଡ଼ ଦର୍ପଣଟା, ସେ କଥା ପ୍ରବାଳମଞ୍ଜରୀର ହୋବ୍ ନାହିଁ-। ପିନ୍ଧିଥିବା ଶାଢ଼ି ଖଣ୍ଡକୁ ଦେହରୁ ଖସେଇ ଦେଇ ଖାଲି ସାୟା ଆଉ ବଡ଼ିଶ୍ ପିନ୍ଧା ଦେହରେ ଠିଆ ହେଇପଡ଼ିଲା । ଦର୍ପଣରେ ବିମ୍ବିତ ହେଲା ପୃଥୁଳ ସ୍ତନ ଯୁଗଳ, ଲୋଭନୀୟ ଶ୍ରୋଣିଚକ୍ର । ତା’ପରେ ଲୁଗା ବଦଳେଇବା ଭିତରେ ସେ ବୁଲିପଡ଼ିଲା ଦର୍ପଣ ଆଡ଼କୁ ପିଠିକରି । ସାୟାରେ ଆବୃତ ହେଇଥିଲେବି ନିତମ୍ବର ବର୍ତ୍ତୁଳ ସ୍ଫୀତି ଦର୍ପଣର ପ୍ରତିବିମ୍ବ ଭିତରୁ କୀର୍ତ୍ତିରଞ୍ଜନର ଆଖିରେ ମାୟାର ଅଞ୍ଜନ ଲେଖିଦେଲା । ତା’ ଉପରକୁ ପୃଷ୍ଠଦେଶର ମାଂସଳ ବିକାଶକୁ ଦୁଇ ଭାଗ କରିଚି ବଡ଼ିଶ୍ର ଘନିଷ୍ଠ ଆକର୍ଷଣ । ପ୍ରବାଳମଞ୍ଜରୀର କାନ୍ଧ ଦି’ଟା ମଧ୍ୟ କି ସୁନ୍ଦର । ତା' ଉପରକୁ ଆଉ କିଛି ଦେଖାଗଲାନି । ଦର୍ପଣର ସୀମିତ ପରିସର ମଧ୍ୟରେ ଦେଖାଗଲା କେବଳ ଜଘନଠାରୁ ଗଳଦେଶ ଯାଏଁ ଗୋଟିଏ ଯୁବତୀ ନାରୀର ପ୍ରତିକୃତି । ଶରୀରର ସେତିକି ଅଂଶକୁ ଆଧାର କରି ଜଡ଼ ଦର୍ପଣ ବାଡ଼ ଭିତରେ ପ୍ରାୟ ଦୁଇ ମିନିଟପାଇଁ ଜାଗିଉଠିଲା ଏକ ବିରାଟ ଉତ୍ସବ । ସେ ଉତ୍ସବ କେବଳ ଯୌବନ ସୁଷମିତ ମାଂସ ଆଉ ସୌନ୍ଦର୍ଯ୍ୟର ।

 

ଶାଢ଼ି ପିନ୍ଧା ଶେଷ କରି, ପୁଣି ତାକୁ ବକ୍ଷାଂଶରୁ ଖସେଇ ଦେଇ ପ୍ରବାଳମଞ୍ଜରୀ ବ୍ଲାଉଜ୍ ପିନ୍ଧିଲା । ଟେଲିଭିଜନର ଦୃଶ୍ୟ ପରି ସବୁ ଦେଖି ଚାଲିଥାଏ କୀର୍ତ୍ତିରଞ୍ଜନ । ଯୁବତୀ ପୁଣି ବୁଲିପଡ଼ିଚି ଆଗ ପଟକୁ...ଦୁଇ ବାହୁକୁ ପ୍ରସାରିତ କରିଦେଇ ସେ ବ୍ଲାଉଜ୍ ଗଳଉଚି ଦେହରେ...ବକ୍ଷାଂଶ ଉତ୍ତୋଲିତ ହେଇ ଥରିଉଠୁଚି ସ୍ତନ ବୃନ୍ତ । କିନ୍ତୁ ଅଭିନୟର ନାୟିକା ପାଖରେ ନିଜ ଦର୍ପଣର ଗୁପ୍ତଚର ବୃତ୍ତି ସମ୍ପୂର୍ଣ୍ଣ ଅଜ୍ଞାତ ହୋଇ ରହିଚି ।

 

କୀର୍ତ୍ତିରଞ୍ଜନର ନିଃଶ୍ୱାସ ବହଳ ହେଇଉଠିଲା । ତା’ର ଶ୍ଵାସରୁଦ୍ଧ ହେଇଆସୁଚି । ନା, ଆଉ ସେ ବସି ପାରିବନି !

 

ଚୌକିରୁ ଉଠିପଡ଼ି ସେ ଦି’ ହାତରେ ଚାପିଧରିଲା ପ୍ରବାଳମଞ୍ଜରୀକି ।

 

“ସତେ ତମେ କି ସୁନ୍ଦର !”

 

ତା’ର ମନହେଲା, ଖାଲି ସାୟା ଆଉ ବଡ଼ିସ୍ ପିନ୍ଧା ଦେହରେ ପ୍ରବାଳମଞ୍ଜରୀକି ବୁଲେଇ ନେଲେ ତାହା ଖୁବ୍ ଆମୋଦପ୍ରଦ ହୁଅନ୍ତା । କିନ୍ତୁ ଚାରା କାହିଁ !

 

“ତମେ କେତେଦିନ ରହିବ କହିଲ ?”

 

“ସତେ ତମେ ଯିବ ?”

 

ପ୍ରାୟ ଗୋଟିଏ ମିନିଟର ବ୍ୟବଧାନରେ କୀର୍ତ୍ତିରଞ୍ଜନ ଦୁଇଟି ପ୍ରଶ୍ନ ପଚାରିଲା ପ୍ରବାଳମଞ୍ଜରୀକି । ମଟରର ଗତି ସେ କମେଇ ଦେଇଚି । ଗୋଟା ଘୂରାଣୀରେ ସେ ମଟରଟାକୁ ବୁଲେଇଦେଲା । ଶୀତ ଦିନର ସନ୍ଧ୍ୟା । ଅଳ୍ପ ସମୟ ହେଲେବି ରାତି ଅଧିକ ହେଇଗଲା ପରି ମନେ ହେଉଚି । କୋଉଠି ଗୋଟା କି ଚଢ଼େଇ ବୋବୋଉଚି, ସ୍ଵର ତା’ର ବଡ଼ କରୁଣ । ବିଲୁଆଗୁଡ଼ାକ କିଛି ସମୟ ଆଗରୁ ସେମାନଙ୍କର ସନ୍ଧ୍ୟାର ଆଜାନ୍ ଶେଷ କରିଚନ୍ତି । ଧାନକଟା ସମୟ, କ୍ଷେତରୁ କାମ ଶେଷ କରି ଲୋକେ ଘରକୁ ଫେରିଗଲେଣି । କୋଉଠି ହାଟବାରି ଥିଲା ଆଜି, ବିକାକିଣା ଶେଷ କରି ଜଣେ ଜଣେ ଦୋକାନୀ ଫେରୁଚନ୍ତି ରାସ୍ତାରେ । କିଛି ଦୂରରେ ଆଲୁଅ ଦେଖାଗଲା, କୀର୍ତ୍ତିରଞ୍ଜନର ମନେପଡ଼ିଲା ସେଠି ଚାଲିଚି ବ୍ଲକ୍ ଉନ୍ନୟନର କାମ । ଦୁଇ ଦିନ ପରେ ମନ୍ତ୍ରୀ ଆସିବେ ଗସ୍ତରେ, ସେଥିଲାଗି ଗୁଡ଼ାଏ ପେଟ୍ରୋମାକ୍‍ସ ଜାଳି କଣ୍ଟ୍ରାକ୍ଟର କାମ ଶେଷ କରିବାରେ ଲାଗିପଡ଼ିଚି । ସେଇଠିକି ମଟର ଚଳେଇଲା କୀର୍ତ୍ତିରଞ୍ଜନ ।

 

“ତମକୁ ଛାଡ଼ି ମୁଁ କୋଉଠିକି ଯିବିନି !”

 

ଷ୍ଟିଅରିଂ ଉପରୁ ଗୋଟିଏ ହାତ ଉଠେଇ କୀର୍ତ୍ତିରଞ୍ଜନ ଚାପିଧରିଲା ପ୍ରବାଳମଞ୍ଜରୀର ବାହୁଟାକୁ । କିନ୍ତୁ ମୁହଁରେ କିଛି କହିପାରିଲାନି । ଯେମିତି ସ୍ପର୍ଶରେ ଅଭିବ୍ୟକ୍ତ କଲା ମନର କଥା, ସତେ ତମେ ନ ଯାଆନ୍ତ କି ! ଆଗରେ ପୁଣି ଗୋଟାଏ ଘୂରାଣୀ ପଡ଼ିଲା । ଗ୍ରାମ ଅଞ୍ଚଳ, ସହସ୍ର ଆଡ଼ବାଙ୍କ ଭିତରେ ପଲ୍ଲୀପଥର ଗତି । ତେବେ ଏଇ ବାଙ୍କଟାପାଇଁ ବି.ଡି.ଓ. କୀର୍ତ୍ତିରଞ୍ଜନ ମନେମନେ ଭାରି ବିରକ୍ତ ହେଲା । କେତେ ଚେଷ୍ଟା କରାଗଲାଣି ଏଇ ବାଙ୍କଟା ଭାଙ୍ଗି ରାସ୍ତାକୁ ସିଧା କରିବା ଲାଗି । କିନ୍ତୁ ଗାଁ ଲୋକେ ଜମି ଛାଡ଼ିବାକୁ ରାଜି ହେଉନାହାନ୍ତି । ତାଙ୍କ ଶଗଡ଼ ଠିକ୍ ଚାଲିବ ବୋଲି ଜିଦ୍ ଧରିଚନ୍ତି, ମଟର ଯିବା ତାଙ୍କର ଦରକାର ନାହିଁ । ଅଦୂରଦର୍ଶୀ ଲୋକେ ବୁଝୁନାହାନ୍ତି, ଆଉ ନିହାତି ପାଞ୍ଚବର୍ଷ ପରେ ସେମାନେ ଏ ରାସ୍ତାରେ ମଟର ଚଳେଇବେ । ଲୋକଙ୍କ ଜିଦ୍‍କୁ ଭାଙ୍ଗି ଜମି ଦଖଲ କରିନେବା ପାଇଁ ଉପରକୁ ଲେଖାଯାଇଛି । ଯେତେ ଦୂର ସମ୍ଭବ ଅଡ଼ର୍ ଆସିଯିବ । ହେଲେ, ତା’ପରଠଉଁ ଲୋକମାନଙ୍କର ଶିକାର ହେବ ବି.ଡି.ଓ.; କେହି ବୁଝିବନି ଭିତର କଥା, ଦରଖାସ୍ତ ଉପରେ ଦରଖାସ୍ତ ପଡ଼ିବା ଦେଖି ଶେଷକୁ ବଦଳି ହୁକୁମ ଆସିବ । ହୁଏତ ଭଲ କରିବାର ଫଳରୂପେ ଶାସ୍ତିବିଧାନସ୍ଵରୂପ ତାକୁ ଠେଲି ଦିଆଯିବ କୋଉ ଅପନ୍ତରା ସ୍ଥାନକୁ । କ’ଣ ମିଳିବ ଏ ରାସ୍ତା ସଳଖରୁ ତାକୁ । ଏସବୁ ଉନ୍ନତିମୂଳକ କାର୍ଯ୍ୟ ଭିତରେ ହୁଏତ ରହିଚି କେବଳ ନିର୍ବାଚନର ଆଭିମୁଖ୍ୟ । ଲୋକଙ୍କୁ ସନ୍ତୁଷ୍ଟ କରି ତାଙ୍କଠଉଁ ଭୋଟ ପାଇବା ସକାଶେ ରାସ୍ତାକୁ ତାଡ଼ି ଗୋହିରି କରି ଦେବାକୁ ଦିନେ ନିର୍ଦ୍ଦେଶ ଆସିବା ବିଚିତ୍ର ନୁହେଁ ।

 

ବର୍ତ୍ତମାନ ଏତେ ଚିନ୍ତା ହୁଏତ କଲାନି କୀର୍ତ୍ତିରଞ୍ଜନ । କିନ୍ତୁ ଏଇ ବାଙ୍କ ରାସ୍ତାପାଇଁ ସେ ବେଳେବେଳେ ଏ ବାଟେ ଯିବା ସମୟରେ ମନ ତା’ର ଏହିଭଳି ଚିନ୍ତାର କବଳିତ ହୁଏ ।

 

ପ୍ରବାଳମଞ୍ଜରୀ ବାହୁରୁ ହାତଟାକୁ ଓହରେଇ ଆଣି ଘୂରାଣୀକୁ ଅଭିଶାପ ଦେଇ ଷ୍ଟିଅରିଂକୁ ସେ ଦୃଢ଼ କରି ଧରିଲା । ରାସ୍ତା ତଳେ ଖୁବ୍ ଖାଲ, ଗହୀର ଜମିରେ ଧାନକଟା ହେଇ ଶୁଖୁଚି ।

 

ଘୂରାଣୀ ପାର ହେଲାପରେ କଥା କହିଲା କୀର୍ତ୍ତିରଞ୍ଜନ ।

 

“ଅନେକ ଦିନୁ ତମେ ଆସିଲଣି, ପ୍ରାୟ ଦେଢ଼ବର୍ଷ ହେଇଯିବ । ତମ ଘରୁ କେତେଥର ନବାକୁ ଆସିଲେଣି, ତମ ଦେହ ଖରାପ କଥା କହି ଆଜିଯାଏ ମୁଁ ଗଡ଼େଇ ଗଡ଼େଇ ଆସିଚି; ଏଥର କିନ୍ତୁ ଠକିହବନି ମଞ୍ଜରୀ...ତମକୁ ଯିବାକୁ ପଡ଼ିବ...ତା’ପରେ ଲୁଗା ଦେହରୁ ଗାଁର ବାଲି ଗୋଡ଼ି ଦେଖି ତମେ ଆଜି କାନ୍ଦି ପକେଇଲ...ଗାଁ ମାଟି ଦେଖିଲେ ତମେ ସତେ କେତେ ଖୁସି ନହବ କହିଲ-? ...ବୋଉ ମଧ୍ୟ ତମକୁ ଖୁବ୍ ଝୁରୁଥିବେ...ଏତେବଡ଼ ସୁନ୍ଦର ଝିଅ...ଏକମୁହାଁ ହେଇ ଏତେଦିନ ଦୂରରେ ରହିଯିବ ବୋଲି କ’ଣ ସେ ଭାବିଥିଲେ !”

 

“ନା ନା ମୁଁ ଯିବି...ହେଲେ ତମେ ଏକା ଯିବ ସାଙ୍ଗରେ !”

 

ଆଗରେ ମଟରର ଫ୍ଳାସ୍ ଆଲୁଅ ଦୂରକୁ ବିଞ୍ଚିହେଇ ପଡ଼ୁଚି...କିନ୍ତୁ ପଛ ପଟକୁ ତା’ର ପ୍ରଭାବ ଖୁବ୍ କମ୍ । ସେହି ଝାପ୍‍ସା ଅନ୍ଧକାର ଭିତରେ ପ୍ରବାଳମଞ୍ଜରୀକି ଅନେଇଲା କୀର୍ତ୍ତିରଞ୍ଜନ ।

 

“କ’ଣ, ମୁଁ ତମ ସାଙ୍ଗରେ ଯିବି ?”

 

କିର୍ କିର୍ ହେଇ ହସିଉଠିଲା ପ୍ରବାଳମଞ୍ଜରୀ ।

 

“ଆଗୋ, ଏ କି କଥା...ତମେ ମୋ ସାଙ୍ଗରେ କେମିତି ଯିବ ?”

 

“ଆଉ ?”

 

ଘୋର ବିସ୍ମୟପୂର୍ଣ୍ଣ ଗୋଟିଏ ଶବ୍ଦ ଉଚ୍ଚାରଣ କରି କୀର୍ତ୍ତିରଞ୍ଜନ ପୁଣି ଅନେଇଲା ପ୍ରବାଳମଞ୍ଜରୀର ମୁହଁକୁ ।

 

“ମୁଁ ଥେଲାବେଳେ ତମେ ଆମ ଘରକୁ ପୁନେଇଁ ଖାଇ ଯିବ...ଜାଣିଲ !”

 

“ଓ...”

 

ଆଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସ୍ଥଳ ଖୁବ୍ ନିକଟ ହେଇଗଲା । ସେଥିଲାଗି କୀର୍ତ୍ତିରଞ୍ଜନ ଆଉ କିଛି କଥାବାର୍ତ୍ତା କରିବାକୁ ଉଚିତ ମନେ କଲାନି । କେବଳ ଶୁଣାଗଲା ପ୍ରବାଳମଞ୍ଜରୀର କଥା...“ପୁନେଇଁଖାଇ ଗଲେ ତମେ ଢେର୍ ଜିନିଷ ପାଇବ...ମୁଁ ମଧ୍ୟ ଭାରଘିତାରେ ଆଣିବି ଅନେକ ଜିନିଷ...”

 

ମଟର ବନ୍ଦ କଲା କୀର୍ତ୍ତିରଞ୍ଜନ । ସେ ମଟରରୁ ଓହ୍ଲେଇବା ଆଗରୁ ପାଖକୁ ଛୁଟିଆସିଲା କଣ୍ଟ୍ରାକ୍ଟର । ଏଠି ଉତ୍ତରରାୟ କଣ୍ଟ୍ରାକ୍ଟର ନୁହନ୍ତି, ଆଉ ଜଣେ ଲୋକ, ଉତ୍ତରରାୟଙ୍କ ବୟସର ଜଣେ ପ୍ରୌଢ଼ବ୍ୟକ୍ତି । କୀର୍ତ୍ତିରଞ୍ଜନ ସାଙ୍ଗରେ ପ୍ରବାଳମଞ୍ଜରୀ ମଧ୍ୟ ମଟରରୁ ଓହ୍ଲେଇଲା । ଆଗରେ କାମ ଲାଗିଚି...ଜଳୁଚି ଗୁଡ଼ାଏ ପେଟ୍ରୋମାକ୍‍ସ, ବ୍ଲକ୍‍ର ଲାଇବ୍ରେରିଟା ତିଆରି ସରି ସଫେଇ କରିବା ଆଉ ଝରକା କବାଟରେ ରଙ୍ଗ ଲାଗିବା ବାକି ରହିଚି । ଆଉ ଦୁଇ ଦିନ ହାତରେ...ସେଥିଭିତରେ ଏତକ କାମ ନିଶ୍ଚୟ ସରିଯିବ । ବର୍ତ୍ତମାନ କେତେକ ସ୍ଥାନର ପଲସ୍ତରା ଚାଲିଚି । ପଲସ୍ତରା ପରେ ସେଥିରେ ପାଣି ପଡ଼ିବାକୁ ଆଉ ସମୟ ମିଳିବନି...ତା’ ଉପରେ ଚାଲିବ ଚୂନ ଧଉଳା, ଆଉ ରଙ୍ଗ କାମ । ଲାଇବ୍ରେରିର ଡାହାଣ ପଟକୁ କୂଅ ଚାରିପଟେ ଚଉତରା ତିଆରି ଚାଲିଚି, ସେଠି ଚୂନ ଲିପିବାର କାମ ନାହିଁ, ପଲସ୍ତରା କାଲି ଭିତରେ ଶେଷ ହେଇଯିବ । ତାହା ବାଦ୍ ଲାଇବ୍ରେରି ସାମ୍ନା ରାସ୍ତା...ସେଥିରେ ନାଲି ମୋରମ ଗୋଡ଼ି ବିଛେଇବା ଆରମ୍ଭ ହୋଇଚି ।

 

କୀର୍ତ୍ତିରଞ୍ଜନ ଘରଭିତରର ପଲସ୍ତରା କାମ ଉପରେ ଆଖି ପକେଇଲା । ପ୍ରବାଳମଞ୍ଜରୀ ଆଉ ତା’ ପଛରେ ଭିତରକୁ ଆସିଲାନି । ବାହାରେ ଛିଡ଼ା ହେଇ ପରିବେଶ ପ୍ରତି ଦୃଷ୍ଟିଦେଲା, ଦୁଇ ତିନିଟା କ୍ରୋଟନ୍ ଗଛ ପୋତା ହେଇଚି ବାରଣ୍ଡା ତଳେ । କ୍ରୋଟନ୍ ପତରଗୁଡ଼ାକରେ ହାତ ମାରିଦେଇ ସେ ଆଗକୁ ଆଗକୁ ଚାଲିଲା କୂଅ ମୂଳର ଚଉତରା ଯାଏଁ । ସବୁ ଆଲୁଅର ଆଭା ଯେମିତି ତା’ରି ଉପରେ ଲୋଟିପଡ଼ି ଲହଡ଼ି ଭାଙ୍ଗିବାରେ ଲାଗିଚି । ସେଥିଯୋଗୁଁ ଅନେକ ଆଖି ଠୁଳ ହେଇଚି ତା’ରି ରୂପର ବର୍ତ୍ତିକା ଉପରେ ।

 

ଚମକି ପଡ଼ିଲା ପ୍ରବାଳମଞ୍ଜରୀ । ମୂଲିଆଙ୍କୁ ଧରି କାମ କରଉଚି ସେଇ ଲୋକୁଟା କିଏ-? କିଏ ତାକୁ ଏମିତି ଅନେଇଚି ? ସାରା ଦେହ ତା’ର ଝିମ୍ ଝିମ୍ ହେଇଗଲା ।

 

ପଛକୁ ଫେରିବାକୁ ପ୍ରବାଳମଞ୍ଜରୀ ଉଦ୍ୟମ କଲା । ଥରେ ପାଦର ଚଟିଟା ମୋଡ଼ି ହେଇଗଲା ମୋରମଗୁଡ଼ାକ ଭିତରେ । ଆଉଥରେ ପଣତଟା ଖସିପଡ଼ି ପାଦରେ ଛନ୍ଦି ହେଇଗଲା । ଖୁବ୍ ଅରାବରା ହେଇ ପଡ଼ିଲା ଯୁବତୀ ପ୍ରବାଳମଞ୍ଜରୀ ଅନେକ ଇତର ଲୋକଙ୍କ ଆଗରେ । ତଥାପି ସେ ଫେରି ଚାଲିଲା । ଯାଇ ମଟର ଭିତରେ ବସିପଡ଼ିଲା ଅଣନିଃଶ୍ୱାସୀ ହେଇ ।

 

ପ୍ରାୟ ପାଞ୍ଚ ମିନିଟ ପରେ ପ୍ରବାଳମଞ୍ଜରୀ ଆଉଥରେ ଚମକି ପଡ଼ିଲା । ରାସ୍ତାର ଆରପଟେ ଗୋଟାଏ ଲୋକ ବୁଲି ଆସି ଛିଡ଼ାହେଇଚି ତା’ ମଟର ପାଖରେ । ଆଲୋକର ଅପରପାର୍ଶ୍ୱରେ ଅନ୍ଧକାରର ଆସ୍ତରଣ ଅପେକ୍ଷାକୃତ ଗାଢ଼ ହେଇଉଠିଚି । ତା’ରି ଭିତରେ ଗୋଟା ଯୁବକର ଛାୟା ।

 

“କିଏ ?”

 

“ମତେ ଚିହ୍ନି କରି ପଳେଇ ଆସିଲୁ...ପୁଣି ପାଟି କରୁଚୁ ପ୍ରବାଳ...”

 

“ତମେ ଏଠୁ ପଳା ଅକ୍ଷିଭାଇ...ତମେ ଏଠିକି କେମିତି ଆସିଲ ?...ପଳା...”

 

ଅକ୍ଷିଆ ଭିତରେ ପ୍ରକାଶ ପାଇଲା ଯେମିତି ପ୍ରେତର ଦୌରାତ୍ମ୍ୟ । ମଟର ଭିତରକୁ ମୁହଁଟାକୁ ଓହଳେଇ ଦେଇ ସିଏ କହିଲା...

 

“ମତେ ଭୁଲିଗଲୁ ତୁ ପ୍ରବାଳ, ତତେ ଖୋଜି ଖୋଜି ମୁଁ ଏଠିକି ଆସିଚି, ଏବେ ତମ ଗାଁକୁ ଯାଇଥେଲି...ଅପାଠଉଁ ଜାଣିଲି ତୋ କଥା...ଛୁଆଟାକୁ ତମେ ମାରିଦେଇଚ ?”

 

ପ୍ରବାଳମଞ୍ଜରୀ ଏହି ଅଚାନକ ବିପଦ ଭିତରେ ସାହସ ଧରିବା ଛଡ଼ା ଅନ୍ୟ ବାଟ ଦେଖି ପାରିଲା ନାହିଁ । ସେ ଲକ୍ଷ୍ୟକଲା, ଅକ୍ଷିଭାଇ ଭିତରେ ସଂଗ୍ରାମର ଝଡ଼ ଉଠିଚି...ହୁଏତ ତାକୁ ଏଇଠି ସେ ଏଇ ମଟର ଭିତରେ ଆକ୍ରମଣ କରିବ...ଗୋଟା ଧକ୍କା ମାରିଲେ ତାକୁ ସେ ହୁଏତ ଓଲଟେଇ ଦେଇ ପାରିବ ସେ ପାଖକୁ । କିନ୍ତୁ ସେଥିରେ ଉପଦ୍ରବ ଆହୁରି ବଢ଼ିଉଠିବ । ତେବେ ବର୍ତ୍ତମାନ ଗୋଟିଏ ପାଖ କେବଳ ନିରାପଦ...ଆଲୋକର ପାଖ ।

 

ଅକ୍ଷିଆ ହାତ ବଢ଼େଇ ତା’ ଆଡ଼କୁ ଝୁଙ୍କି ଆସିବା ପୂର୍ବରୁ ପ୍ରବାଳମଞ୍ଜରୀ ଆଖି ପିଛୁଳାକରେ ଜିପ୍‍ର ଖୋଲା ଦରଜା ବାଟେ ପଦାକୁ ବାହାରି ଆସିବାର ଚେଷ୍ଟାକଲା । କିନ୍ତୁ ସଫଳ ହେଇ ପାରିଲାନି । ପ୍ରାୟ ଅଧାଅଧି ଦେହକୁ ମଟର ଭିତରକୁ ଅଜାଡ଼ି ଦେଇ ନିଜର ମୁହଁ ତଳେ ପ୍ରବାଳମଞ୍ଜରୀର ମୁହଁକୁ ମାଡ଼ିବସିଲା ଅକ୍ଷିଆ । ଚୁମ୍ବନରେ ଚୁମ୍ବନରେ ତାକୁ ଖିନ୍‍ଭିନ୍ କରିଦେଲା ।

 

“ଅକ୍ଷିଭାଇ...ଏଇ କ’ଣ ଭଲ ପାଇବାର ପୁରସ୍କାର !”

 

ବିଦୀର୍ଣ୍ଣ ଅନ୍ତରର ବାର୍ତ୍ତା ପ୍ରକାଶ କରି ପ୍ରବାଳମଞ୍ଜରୀ ଡାକଦେଲା ଅତି ଭୟାର୍ତ୍ତ କଣ୍ଠରେ-। ସେ ମର୍ମେ ମର୍ମେ ଅନୁଭବ କଲା, ସ୍ୱାମୀଙ୍କ ପାଖକୁ ଫେରି ନ ଯାଇ ଖୁବ୍ ଭୁଲ କରିଚି ସେ ମଟର ଭିତରକୁ ଚାଲିଆସି । ଦୁର୍ବୃତ୍ତଠାରୁ ବର୍ତ୍ତମାନ ଦୟା ଭିକ୍ଷା କରିବା ଛଡ଼ା ଆଉ କୌଣସି ଉପାୟ ପ୍ରବାଳମଞ୍ଜରୀ ପକ୍ଷରେ ରହିଲାନି । ପୁଣି ଥରେ ସେ କାତର କଣ୍ଠରେ ଡାକିଲା–

 

“ଅକ୍ଷିଭାଇ...”

 

ଅକ୍ଷିଆ ଛାଡ଼ିଦେଲା ପ୍ରବାଳକୁ । ଶେଷକୁ ଦୟାକରି ସେ କହିଲା–

 

“ତୋ ସାଙ୍ଗରେ ଆଉ ଦେଖା ହବନି ପ୍ରବାଳ । ଏଇ ଶେଷ ଦେଖା । ଆର ମାସରେ ମୋର ବା'ଘର ହଉଚି । ତତେ ମୁଁ କେତେ ଭଲପାଏ ତୁ ଜାଣିଥବୁ...ସେଥିଲାଗି ତତେ ଥରେ ଦେଖିବାପେଇଁ ଏଠି ଆସି ରହିଥେଲି । ତତେ ଏଠି ଏତେ ଚଞ୍ଚଳ ଭେଟିବି ବୋଲି ଜାଣି ନଥେଲି...ଆଉ ତତେ ଦେଖି ମୁଁ ପୁଣି ପାଗଳ ହେଇଯିବି ବୋଲି ଭାବି ପାରି ନଥେଲି । କ୍ଷମା କରିବୁ । ମତେ ଆଉ କେହି ଏଠି ଦେଖିବନି ।”

 

ପ୍ରସାଧନର ପ୍ରଚୁର ବିପର୍ଯ୍ୟସ୍ତତା ଭିତରେ ବିଚିତ୍ର ଭାବରେ ସୁନ୍ଦର ଦେଖା ଯାଉଥିବା ନିଜର ମୁଖମଣ୍ଡଳକୁ ଟେକି ଅତି କାତର କଣ୍ଠରେ ପ୍ରବାଳମଞ୍ଜରୀ ପଚାରିଲା–

 

“ସତ କହୁଚ ?”

 

ପ୍ରବାଳମଞ୍ଜରୀର ଅଲରା ବାଳ କେରାଏ ନିଜ ଆଙ୍ଗୁଠିରେ ସଜାଡ଼ି ଦେଇ ଅକ୍ଷିଆ ଖୁବ୍ ଦରଦପୂର୍ଣ୍ଣ ସ୍ୱରରେ କହିଲା–

 

“ଏହି ମୁହୂର୍ତ୍ତରୁ ମୋଦ୍ୱାରା ଆଉ ତୋର କିଛି ହେଲେ କ୍ଷତି ହବନି...ତତେ ଭଲପାଇ ମୁଁ ଭୁଲ୍ କରିଥେଲି...ଏଠିକି ଆସି ଆହୁରି ଭୁଲ୍ କଲି...ତତେ ଦେଖିଲେ ମତେ ସଇତାନ୍ ଘୋଟିଯାଏ । କିନ୍ତୁ ଆଉ କିଛି ଘଟିବନି ।”

 

ରାସ୍ତାର ଅନ୍ଧାର ଭିତରେ ଆଗକୁ ଆଗକୁ ପାଦ ବଢ଼େଇଲା ଅକ୍ଷୟ । ଅନ୍ଧାର ଭିତରେ ହଜିଯିବା ଯାଏଁ ତାକୁ ଅନେଇ ରହିଲା ପ୍ରବାଳମଞ୍ଜରୀ । ଆଉ ଅନୁଶୋଚନାର ବେଳ ନାହିଁ, ସ୍ୱାମୀ ହୁଏତ ଏଇଲାଗେ ଫେରିବେ । ଭ୍ୟାନିଟିବ୍ୟାଗ୍ ଖଣ୍ଡକ ଖୋଜି ତାକୁ ଫିଟେଇ କେତେକ ପରିମାଣରେ ମୁହଁ ଓ କେଶଗୁଚ୍ଛର ବିପର୍ଯ୍ୟସ୍ତ ପ୍ରସାଧନକୁ ସଜାଡ଼ି ନେବାପାଇଁ ସେ ଚେଷ୍ଟାକଲା । ନା, ଏଠି ଆଉ ବସି ହବନି । ଭୂତ ଅଛି ଏ ରାସ୍ତାରେ । ମଟରରୁ ଓହ୍ଲେଇ ଯାଇ ଲାଇବ୍ରେରି ଘର ଆଗରେ ପ୍ରବାଳମଞ୍ଜରୀ ବୁଲିଲା ଆଲୁଅକୁ ପଛ କରି । ଅନ୍ଧାରରେ ଘଟିଥିବା ଭୂତର ଅତ୍ୟାଚାର, ପ୍ରସାଧନର ଯଥେଷ୍ଟ ମରାମତି ସତ୍ତ୍ଵେ ଯେମିତି ଆଲୁଅରେ ତାହା ଧରାପଡ଼ିଯିବ, ଏଇ ଭୟ ତା’ର ମନରେ ।

 

ରାତି ବେଶି ହେବନି, ପ୍ରାୟ ଆଠଟା ବେଳକୁ କୀର୍ତ୍ତିରଞ୍ଜନ ଆଉ ପ୍ରବାଳମଞ୍ଜରୀ ସାନ୍ଧ୍ୟଭ୍ରମଣ ଶେଷକରି ଘରକୁ ଫେରିଆସିଲେ । କିନ୍ତୁ ଶୀତଦିନ ଯୋଗୁଁ ରାତିଟା ଖୁବ୍ ଗଭୀର ଜଣାଯାଉଥାଏ । ସ୍ୱାମୀ ଆଉ ସ୍ତ୍ରୀ ଉଭୟେ ସାଙ୍ଗ ହେଇ ଯାଇଥିଲେ ଗୋଟିଏ ମଟରରେ ବୁଲି, ସେହି ଗୋଟିଏ ମଟରରେ ଦୁହେଁ ପୁଣି ସାଙ୍ଗ ହେଇ ଫେରି ଆସିଚନ୍ତି ଘରକୁ । ମଝିରେ ଉଭୟଙ୍କ ସାନ୍ନିଧ୍ୟ ଭିତରେ ଖୁବ୍ ବେଶି ହେଲେ ଦଶ ପନ୍ଦର ମିନିଟର ବିଚ୍ଛେଦ ଘଟିଚି–କିନ୍ତୁ ତା’ରି ଭିତରେ ଘଟିଯାଇଛି ଗୋଟିଏ ଜୀବନରେ ଏକ ବିରାଟ ଘଟଣା, ଅନ୍ୟ ପାଖରେ ରହିଚି ତାହା ସମ୍ପୂର୍ଣ୍ଣ ଅବଜ୍ଞାତ । ଦୁନିଆରେ ଏଇମିତି ବିଚିତ୍ରତା ଅନେକ ଘଟେ, କୋଉଠି ତା’ର ସନ୍ଧାନ ମିଳେ, କୋଉଠି ମିଳେନା; ନ ମିଳିବା ଭିତରେ ଯୁଗଳଜୀବନରେ ଝରିପଡ଼େ ସୌଭାଗ୍ୟର ଆଶୀର୍ବାଦ, ଆଉ ମିଳିବା ଭିତରେ ଖସିଆସେ ଦୁର୍ଭାଗ୍ୟର ଅଭିଶାପ । କିନ୍ତୁ କେହି ଜ୍ଞାତସାରରେ ମିଳିଥିବା ସନ୍ଧାନକୁ ଅବଜ୍ଞା କରେନା, ଯଦି ଜ୍ଞାତସାରରେ କେହି ଅବଜ୍ଞା କରେ ସେଠି ମନୁଷ୍ୟ ଭିତରେ ପ୍ରକାଶ ପାଏ ଦେବଦୁର୍ଲଭ ମହାନତା ।

 

ପରିସ୍ଥିତିକୁ ପୂର୍ଣ୍ଣ ଅବହେଳା କରି, ହୁଏତ ବିସ୍ମୃତ ହେଇ, ବେଳେବେଳେ ମଣିଷ ଭିତରେ ଜାଗିଉଠେ ବଞ୍ଚିବାର ଦୁର୍ବାର ଆକାଂକ୍ଷା । ତା’ ନହେଲେ ଏ ସୃଷ୍ଟି ଚଳୁ ନଥାନ୍ତା । ଏହିଭଳି ଦୁର୍ବାର ଆକାଂକ୍ଷା ଅଧିକ ଭାବରେ ଜାଗିଉଠେ ଅବଳା ନାରୀ ଜାତିର ହୃଦୟରେ । କାହାକୁ କାମନା ନ କରି ମଧ୍ୟ ସେ ହୁଏ କାମୁକର ଶିକାର, କାହାକୁ ପ୍ରେମ ନିବେଦନ ନ କରି ମଧ୍ୟ ସେ ହୁଏ ପ୍ରଣୟୀର ଶରବ୍ୟ । ନାରୀ ଜୀବନର ଏହା ଏକ ପ୍ରଧାନ ବିଡ଼ମ୍ବନା । ସେହି ବିଡ଼ମ୍ବନା ହୁଏ ଆହୁରି ପ୍ରଳମ୍ବ, ଯେତେବେଳେ କ୍ଷଣକର ପ୍ରଣୟ ଘଟନା ତା’ର ଜୀବନଯାତ୍ରାକୁ କରେ ଯାତନାରେ ଜର୍ଜରିତ-। ପରିସ୍ଥିତିକୁ ଅସ୍ଵୀକାର କରି ବଞ୍ଚିବାର ଦୁର୍ବାର ଆକାଂକ୍ଷା ପୋଷିବା ଛଡ଼ା ଆଉ ସେଠି କ’ଣ କରିବ ଦୁର୍ଭାଗିନୀ ନାରୀ । ହୁଏତ ଆତ୍ମହତ୍ୟାର ପ୍ରଶ୍ନ ଉଠିପାରେ, ମାତ୍ର ତାହା ଅତି ଚପଳତାସୁଲଭ-। କେବଳ ନିରୁପାୟ ଆଉ ନିର୍ବୋଧ ଜୀବର ଆଶ୍ରୟ ହୁଏ ଅସ୍ଵାଭାବିକ ମୃତ୍ୟୁ । ହୁଏତ ମରଣଟା ଦେହର ପରିଣତି, ଜୀବନର ନୁହେଁ । ଜୀବନ ଅନନ୍ତ–ସେଥିପାଇଁ ଜୀବନକୁ ଉତ୍ସବମୁଖର କରିବାରେ ଲାଗିଚି ଜୀବୀ । ସେହି ଜୀବୀ ପ୍ରବାଳମଞ୍ଜରୀ, ତା’ର ଦେହରେ ଭରିରହିଚି ରୂପ, ଆଉ ରୂପରେ ପୂରିରହିଚି ଲାବଣ୍ୟ । ସେହି ରୂପ–ଲାବଣ୍ୟ ଭିତରେ ଜାଗିଚି ଯେଉଁ ଜୀବନ ତାହା ଖାଲି ସମ୍ଭୋଗ ଆଉ ଉତ୍ସବର ଆକାଂକ୍ଷୀ । ...କୋଉଠି ଗୋଟା ଚାଇଁପୋକ ପଡ଼ିଗଲା ଆଖିରେ, ତା’ ବୋଲି ସେ ଆଖିଟାକୁ ତାଡ଼ି ଫୋପାଡ଼ି ଦବାକୁ ହେବ !

 

ଆରେ...

 

କଲକଲ ହେଇ ଶେଯରେ ଏପାଖ ସେପାଖ ଲୋଟିଗଲା ପ୍ରବାଳମଞ୍ଜରୀ । କୀର୍ତ୍ତିରଞ୍ଜନ ତାକୁ କୋଳରେ ଯେତେ ଚାପିରଖିବାକୁ ପ୍ରୟାସ କରୁଚି ସେ ସେତେ ଖସିଯାଉଚି । ସେଥିରେ ଆହୁରି ଆଗ୍ରହ ବଢ଼ିଚାଲିଚି ପୁରୁଷ ଭିତରେ । ଦେହର ଲୁଗାପଟା କେତେକ ସ୍ଥାନରୁ ଖସିଗଲାଣି । ସେଣିକି ପ୍ରବାଳମଞ୍ଜରୀ ଧ୍ୟାନ ଦେବାକୁ ଆଜି ଚାହୁଁନି । ଟେବୁଲ ଉପର ଆଲୁଅଟାକୁ ମଧ୍ୟ ନିଭେଇବାକୁ ଆଜି ତା’ର ଇଚ୍ଛା ହେଉନି । ଶୀତ ଭିତରେ ଆଲୋକର ପ୍ରଭାବ ଖୁବ୍ ଭଲ ଲାଗୁଚି, ଆହୁରି ଭଲ ଲାଗୁଚି ଆଜି ଆଲୁଅ ଭିତରେ ଏଇ ନିଧୁବନ । ଦେହର ବିବସନତା ଉପରେ ଆଲୋକର ସ୍ପର୍ଶ ଅଧିକ ପାଗଳ କରିଦେବ ତା’ର ପ୍ରାଣର ପ୍ରିୟତମକୁ । ଭୂତର ସ୍ପର୍ଶ ଲାଗିଥିଲା ତା’ ଦେହରେ । ଦେବତାର ଆଲିଙ୍ଗନରେ ତାହା ପବିତ୍ର ହେଇଯିବ ଯେମିତି ।

 

ଜୀବନ, ଜୀବନ–ଜୀବନ ଭିତରେ ପ୍ରଣୟର ସୌରଭ ! ତାହାକୁ ନିଖୁଣ ଭାବରେ ଆଘ୍ରାଣ କରିବାକୁ ପ୍ରଚେଷ୍ଟା କଲା ପ୍ରବାଳମଞ୍ଜରୀ । ଭିଡ଼ିଧରିଲା କୀର୍ତ୍ତିରଞ୍ଜନକୁ ନିଜର ବକ୍ଷ ଉପରେ ଖୁବ୍ ନିବିଡ଼ ଭାବରେ । ପାଗଳ ହେଇଥିଲା କୀର୍ତ୍ତିରଞ୍ଜନ । ଆହୁରି ପାଗଳ ହେଲା । ସତେ, ଆଲୋକର ପ୍ରଲେପ ଭିତରେ ଆଜିର ଏ ସମ୍ଭୋଗ ଖୁବ୍ ନୂଆ ! ଏତେ ଭଲଲାଗେ ରୂପସୀ ଯୁବତୀର ଦେହ । ଆଲିଙ୍ଗନ ଓ ଚୁମ୍ବନ ଭିତରେ ସେ ମିଶି ଏକାକାର ହେଇଯିବାକୁ ଲାଗିଲା ପ୍ରବାଳମଞ୍ଜରୀର ଦେହରେ । ପ୍ରବାଳମଞ୍ଜରୀର ଶରୀର ସମ୍ପୂର୍ଣ୍ଣ ଉଲଗ୍ନ । ସୂକ୍ଷ୍ମାଗ୍ର ମର୍ମର ସ୍ତୂପ ପରି ସ୍ତନ ଦୁଇଟା ଉପରେ ଆଲୋକ ଜମା ହୋଇ ପଡ଼ିଚି । ଜଘନ ସଙ୍କଟର କୃଷ୍ଣାଭ ରୋମାବଳି ଭିତରେ କେବଳ ଲୁଚିଯାଇଚି ଅନ୍ଧକାର । ମସୃଣ, ଶୁଭ୍ର, ବର୍ତ୍ତୁଳ ଓ କୋମଳ ଜଘନ ଦୁଇଟିକୁ ଚାପିଧରିଲା ଦୟିତ ।

 

ଏକୋଇଶ

 

ଅକ୍ଷୟର ବିଭାଘର ହେଲା ମାଘ ମାସର ଶେଷ ଆଡ଼କୁ । ବା'ଘରର ପନ୍ଦର ଦିନ ଆଗରୁ ସେଥିଲାଗି ହାରାମଣି ନିଜର ଛୁଆପିଲାଙ୍କୁ ଧରି ବାପଘରକୁ ଚାଲିଯାଇଥାଏ । ଗୋଟିଏ ବୋଲି ଭାଇ, ଅନେକ ଦିନର ଉଦ୍ଭ୍ରାନ୍ତ ଜୀବନଯାପନ ପରେ ଏବେ ଘରସଂସାର କରୁଚି, ସେଥିଲାଗି ସବୁ କଥାର ତତ୍ତ୍ୱାବଧାନ ପାଇଁ ସେ ଆଗରୁ ଯାଇ ପହଞ୍ଚିଗଲା ତାଳବରକଟ ଗାଁରେ । ପ୍ରବାଳମଞ୍ଜରୀ ବାପଘରକୁ ଅସିଲାବେଳକୁ ଶାଶୁଘର ଛାଡ଼ିଥାଏ ହାରାମଣି । ନଣନ୍ଦ–ଭାଉଜଙ୍କ ଭିତରେ ଦେଖା ହେଇପାରିଲାନି । ସେଥିରେ ପ୍ରବାଳମଞ୍ଜରୀ ମନ ଭିତରେ ସନ୍ତୋଷ ଅନୁଭବ କଲା ଅନେକ ।

 

ପ୍ରବାଳମଞ୍ଜରୀ ଗାଁକୁ ଆସିବା ଦିନୁ ସୋଶୀଳାର ଅଫିସ୍‍ଟା ଯେମିତି ସରଗରମ ହେଇଉଠିଚି । ଦିନକୁ ଆଠ ଦଶ ଥର ଆସି ମଙ୍ଗରାଜଙ୍କ ଘର ଭିତରେ ଏଖଞ୍ଜା ସେଖଞ୍ଜା ହେଇ ବୁଲିଯାଏ । ଅନେକ ସମୟରେ ପ୍ରବାଳମଞ୍ଜରୀ ପାଖେପାଖେ ଥାଏ ସୁଷମା; କିମ୍ବା ଅନେକ ସମୟରେ ପ୍ରବାଳମଞ୍ଜରୀ ରହିଥାଏ ସୁଷମାର ଘରେ । ସେଥିଯୋଗୁଁ ସୋଶୀଳାର ଆଆବ ଖଟେନା ପ୍ରବାଳମଞ୍ଜରୀର ପାଖକୁ ଆସିବାକୁ । କିନ୍ତୁ ଦୂରରୁ ଦେଖାହେଲେ ହେଁ...ହେଁ ହେଇ ତାନେ ହସିଦିଏ । ସର୍ବୋପରି ରହିଚି ସୁରେଶ୍ୱରୀ ଦେଈଙ୍କ ଶ୍ୟେନଦୃଷ୍ଟି । ତା'ପଛକୁ ପ୍ରତାପର ସ୍ତ୍ରୀ ।

 

ତଥାପି ଏତେ କଟକଣା ଭିତରେ ଦିନେ ଦିପହରେ ସୁବିଧା ପାଇଲା ସୋଶୀଳା । କିଏ କୁଆଡ଼େ ଶୋଇ ପଡ଼ିଥାନ୍ତି, ନିରୋଳା ଦେଖି କୋଠାର ଛାତ ଉପରକୁ ଉଠିଯାଇ ଗାଁଟାକୁ ଗୋଟା ବିହଙ୍ଗମ ଦୃଷ୍ଟିରେ ଦେଖୁଥାଏ ପ୍ରବାଳମଞ୍ଜରୀ । ଶୀତକାଳର ପରିବେଶ ଭିତରେ ଦୂରର ଦୃଶ୍ୟ ଈଷତ୍ ଧୂଆଁଳିଆ ଦେଖାଯାଉଥାଏ । ଏ ଭିତରେ କେତେଗୁଡ଼ାକ ଗଛ ଖୁବ୍ ବଢ଼ିଗଲାଣି । ସେଥିଯୋଗୁଁ କେତେକ ସାହିର ଚାଳଘରର ମଥାନ ସବୁ କୋଠା ଉପରକୁ ଆଉ ଦେଖାଯାଉନି । ଛାତ ଉପରେ ବୁଲି ବୁଲି ପୂର୍ବପାଖ ପାରାପେଟ୍ ଉପରକୁ ପ୍ରବାଳମଞ୍ଜରୀ ଆଉଜି ପଡ଼ିଲା । ଆଲୋ ହେଇ ଝିଙ୍କ ମା’ ଘର । ଏପାଖ ଘରଟା ଭାଙ୍ଗିଯାଇ ଡିହଟା ମୁକୁଳା ପଡ଼ିଥେଲା, ସେଠି ଝିଙ୍କ ମା’ କେଡ଼େ ସୁନ୍ଦର ଘର କଲାଣି । କଲିକତାରେ ଭଲ ରୋଜଗାର କରୁଥେଲା ଝିଙ୍କ, ସେଇ ଏବେ ଏ ଘର କରିଚି ନା କ’ଣ । ସେପାଖର ନାଉ ରଞ୍ଜା ତଳେ କେତେ ନାଉ ଫଳିଚି । ତା’ ତଳେ ସେ ବୋହୂଟି ଜାଳ ଭାଙ୍ଗୁଚି ସେ କିଏ । ଆଲୋ ଝିଙ୍କ ମା’ ବୋହୂ କଲାଣି ନା କ’ଣ, ଝିଙ୍କ ବା' ହେଲାଣି-?

 

ଇଏ ଝିଙ୍କ ମା’ ବୋହୂ । ହାତଠାରିଲା ପ୍ରବାଳମଞ୍ଜରୀ । ଅନଭ୍ୟର୍ଥିତ ହେଲା ତାହାର ସେ ହସ୍ତସଂକେତ । ତା’ପରେ ସେ ଦି’ଥର ତାଳି ମାରିଲା । ବାପଘରର ଝିଅ, ହସି ଖୁସି କେତେ ଡେଉଁଥିଲା ସେ ଏଇ ଛାତ ଉପରେ ଆଗେ । ଏବେ ତାଳି ମାରି ପାରିବନି ! ଆଉ ଦି’ଥର ତାଳି ମାରିଲା ପ୍ରବାଳମଞ୍ଜରୀ । ବୋହୂଟିର ଆଖିପଡ଼ିଲା ପ୍ରବାଳମଞ୍ଜରୀ ଉପରେ । ଜାଳ ଭଙ୍ଗା ବନ୍ଦକରି ଦେଇ ସେ ଅନେଇଲା, ଥରେ ହସିଦେଲା ପ୍ରବାଳମଞ୍ଜରୀକି ଦେଖି । ତା’ପରେ ମୁହଁ ଉପରକୁ ଉଢ଼ୁଣା ଟାଣି ଦେଇ ଅନ୍ତରାଳରେ ଲୁଚିଗଲା । ମିନିଟକ ପରେ ପୁଣି ଛେଉଁକା ଭଙ୍ଗୀରେ ଅନେଇଲା କୋଠାର ଛାତ ଆଡ଼େ । ତା’ ଆଖିରେ ଯେମିତି ଫୁଟିଉଠିଲା ଭାଷା...

 

ଏଇ ବାବୁଘର ଝୁଅ ପ୍ରବାଳମଞ୍ଜରୀ !

 

ପଛରୁ ଚୁପ୍ ଚୁପ୍ କରି ଆସି ସୋଶୀଳା ଏତିକିବେଳେ ପ୍ରବାଳର ଆଖି ଦି’ଟାକୁ ହାତରେ ଚାପିଧରିଲା । ପ୍ରବାଳମଞ୍ଜରୀ ହସି ହସି କହିଉଠିଲା–

 

“ତମେ ସୁଷମା ନୂଆବୋଉ !”

 

କିନ୍ତୁ ପର ମୁହୂର୍ତ୍ତରେ ତା’ର ସେ ସମ୍ଭାବନା ନିଷ୍ଠୁର ଭାବରେ ଭିତ୍ତିହୀନ ହୋଇଉଠିଲା ନିଜର ଅନୁଭୂତି ଭିତରେ । ନିଜ ହାତରେ ଆଗନ୍ତୁକାର ହାତ ଦି’ଟାକୁ ଅଣ୍ଡାଳି ପକେଇ ସେ ନିରାଶ ହେଲା । ଏ ନୂଆବୋଉଙ୍କର ହାତ ନୁହେଁ, ନଙ୍ଗଳା ହାତରେ ଖାଲି ଦି’ ଦି’ ପଟ ପାଣିକାଚ । ମୁହଁଟା ତା’ର ଫିକା ପଡ଼ିଗଲା ।

 

“ସୋଶୀଳା ଅପା, ହାତ ଛାଡ଼ ମୋ ଆଖିରୁ ।”

 

“ହି ହି ହି...ଏତେବେଳେକେ ମୋ ନାଁ ମନେ ପଡ଼ିଲା ?”

 

କଥାତକ ଚଞ୍ଚଳ ଶେଷ କରି ସୋଶୀଳା ଦି’ ହାତରେ ଭିଡ଼ିଧରିଲା ପ୍ରବାଳମଞ୍ଜରୀକି । ଦୂରର ନାଉ ରଞ୍ଜା ତଳେ ଝିଙ୍କର ସ୍ତ୍ରୀ ହୁଏତ ତାକୁ ସେ ପର୍ଯ୍ୟନ୍ତ ଅନେଇରହିଚି । କିନ୍ତୁ ତା’ର ଆକାଂକ୍ଷାକୁ ବ୍ୟାହତ କରି ପ୍ରବାଳମଞ୍ଜରୀ ପାରାପେଟ୍ ଉପରୁ ଓହରି ଆସି ତେଳ ବସିପଡ଼ିଲା । ଶେଷକୁ ପଡ଼ିଲା ସେ ଏଇ ବେଫାଇଦା ସୋଶୀଳାର ହାବୁଡ଼ରେ । ବିସର୍ପୀ ଉଠିଲା ତା’ର ଦେହଟା-। ମନଟାବି ।

 

“ସତେ ବସିପଡ଼ିଲ ଭଲ ହେଲା...କେତେକଥା ଅଛି ତମକୁ କହିବାକୁ...ଝିଙ୍କ ମା’ ବୋହୂକୁ ଦେଖୁଥେଲ କି...ଝିଙ୍କକୁ ଫେର୍ ଝୁଅ ଦଉଥେଲା କିଏ...ତିନି ଚାରି କୋଡ଼ି ଟଙ୍କା ଦେଇ କିଣି ଆଣିଚି ମ ।”

 

ଅସ୍ୱସ୍ତିଭରା ମନରେ ସୋଶୀଳର ମୁହଁକୁ ପ୍ରବାଳମଞ୍ଜରୀ ତାନେ ଅନେଇଗଲା । ସେମିତି ଉଦ୍ଦଣ୍ଡୀ ରହିଚି ଏ ଟୋକୀଟା । ଦୁନିଆର ପରିବର୍ତ୍ତନ ସାଙ୍ଗରେ ୟାର କିଛି ଯେମିତି ସମ୍ପର୍କ ନାହିଁ । ପ୍ରବାଳମଞ୍ଜରୀର ଚିନ୍ତା ଶେଷ ନ ହେଉଣୁ ତାକୁ ସୋଶୀଳା ପୁଣି ଥରେ କୁଣ୍ଢେଇ ଧରିଲା । ଦୁଇଟି ଯୁବତୀର ଚାରୋଟି ବକ୍ଷୋଜ ଭିତରେ ଲାଗିଗଲା ସଂଘର୍ଷ ।

 

“ସେମିତି ଆଗପରି ଭଲ ଅଛି ତ ତମ ଦିହ ହାତ ! କିଏ କଉଥେଲା ଝଡ଼ିଯାଇଚ ବୋଲି...ଏ ରାଣ୍ଡ ଗାଁରେ ଖାଲି ପର ଛିଦ୍ର ଗାଇ ବୁଲିବେ...”

 

ଆଉ କିଛି କହିବା ଆଗରୁ ଜିଭ କାମୁଡ଼ି ପକେଇଲା ସୋଶୀଳା । ତା’ପରେ କଥା ବାଆଁରେଇ କରି କହିଲା–

 

“ଜାଣିଚନା ପ୍ରବାଳ, ଆର ମାସରେ ଆଇଥେଲା ତମ ଅକ୍ଷିଭାଇ...ଆଲୋ ଏତେ ବଳ ତା’ ଦିହରେ...”

 

ଏ କଥା ଭିତରେ ସୋଶୀଳା ଜଣେଇ ଦେବାକୁ ଚାହିଁଲା, ସେ ମଧ୍ୟ ଅକ୍ଷୟର ଅଙ୍ଗଲାଗି ହେଇଚି, ସିଏବି ଅକ୍ଷିଆର ବଳ କଷି ନେଇଚି । କିନ୍ତୁ ସୋଶୀଳାର ସେ ଚାତୁରୀ ପ୍ରବାଳମଞ୍ଜରୀକି ଭିତରେ ଭିତରେ ଅତି ବିବ୍ରତ, ଅତିଷ୍ଠ କରି ପକେଇଲା । ସାରା ମୁହଁଟା ତା’ର ରଙ୍ଗା ପଡ଼ିଗଲା ଲଜ୍ଜା ଆଉ ଅପମାନରେ । କିଞ୍ଚିତ୍ ଦୂର ସମ୍ପର୍କୀୟ ହେଲେ ମଧ୍ୟ ହିସାବରେ ବଡ଼ଭଉଣୀ ହେବ ସୋଶୀଳା । ତାକୁ ପୁଣି ସେ କହୁଚି ଏ କଥା, କ’ଣ ଉଦ୍ଦେଶ୍ୟ ? ପ୍ରବାଳମଞ୍ଜରୀର ମୁହଁଟା ଆହୁରି ଥମ ଥମ ହେଇଉଠିଲା । ଲୁହ ଜକେଇ ଆସିଲା ଆଖି କଣରେ । ସେ ପଳେଇ ଯିବାକୁ ଉଠି ଛିଡ଼ା ହେଇପଡ଼ିଲା । ପାରିଲାନି । ତାକୁ ଭିଡ଼ି ଧରିଲା ସୋଶୀଳା । ବିକର୍ଷଣ ଓ ଆକର୍ଷଣର ସଂଘର୍ଷରେ ପ୍ରବାଳମଞ୍ଜରୀ ନାଥୁକିନା ବସିପଡ଼ିଲା । ଗୋଡ଼ ଦି’ଟାରୁ ଉଲୁରିଗଲା ଲୁଗା । ବିଲୋମ ପେଣ୍ଡା ଦି’ଟାର ମାଂସଳ ଗଠନ ଉଜ୍ଜ୍ଵଳ ହେଇ ଦେଖାଗଲା । ତାକୁ ଅନେଇ ଅନେଇ ସୋଶୀଳା କହିଉଠିଲା–

 

“କି ସୁନ୍ଦର ଭଣ୍ଡା ହେଇଚି ଗୋ ତମର ପ୍ରବାଳ...ଘଇତା ନିଶ୍ଚେ ଗୋଡ଼ ଘଷି ଦଉଥିବ-!”

 

“ସୋଶୀଳା ଅପା ?”

 

କଥା ସାଙ୍ଗରେ ଦି’ ବୁନ୍ଦା ଲୁହ ଝରିପଡ଼ିଲା ପ୍ରବାଳମଞ୍ଜରୀର ଆଖିରୁ । କିନ୍ତୁ ସେଥିରେ ଶଙ୍କିଯିବାର ପାତ୍ରୀ ନୁହେଁ ସୋଶୀଳା । ଓଲଟି ଫେଁକରି ହସି ପକେଇ ସେ କହି ଚାଲିଲା–

 

“ଆଲୋ ଏ କି କଥା ! ତମେ ଏଇ କଥାରେ ରାଗୁଚ । ଦେଖମ, ଆଖିରୁ ନୁହ ଝରେଇ ଦେଲନା ! ...ହଁ...କ’ଣ ତି...ମୁଁ କ’ଣ କହିବାକୁ ଭାବିଥେଲି ତି ତମକୁ...ଓ ହଁ ହଁ, ...ବା...ହଉଚନ୍ତି ତମର ଗୁଣମଣି ଅକ୍ଷିଭାଇ...”

 

“ସୋଶୀଳାର ଆନନ୍ଦର କଣ୍ଠସ୍ଵର ହଠାତ୍ ଭୟାର୍ତ୍ତ ଚିତ୍କାରରେ ଲୀନ ହେଇଗଲା । ପଛରୁ ଚିଲ ଭଳି ଆସି ତା’ ମୁଣ୍ଡ ବାଳ କେରାକୁ ଘୋଷାରି ନେଇଗଲା ସୁଷମା ।

 

“ବେଧେଇ, ବଜାରୁଣୀ, ଛତରଖାଇ, ତୋର ଏତେ ଦିମାକ ? ତୁ ଏଠି କ’ଣ ବୋଲି ପାଇଚୁ କିଲୋ ? ତୁ ଏ କୋଠା ଓପରକୁ କାହିଁକି ଅଇଲୁଲୋ ଦାରିଆଣୀ ?”

 

ସୁଷମାର ଏ ଝଟିକା–ବିକ୍ଷୁବ୍ଧ ରୂପ କେହି କେବେ ଦେଖି ନଥିଲେ । ନିଜେ ପ୍ରବାଳମଞ୍ଜରୀ ମଧ୍ୟ ସ୍ତମ୍ଭିତ ହେଇଗଲା । ଭୂଇଁରେ ମିଶିଗଲା ସୋଶୀଳା । ସୁଷମାର ମନ ହେଉଥାଏ ଦି’ ଗୋଇଠା ହାଣି ଦିଅନ୍ତା ସୋଶୀଳାର ପଟା ଫାଳିଆ ପିଠିରେ । କିନ୍ତୁ ଯେତେହେଲେ ସେ ନଣନ୍ଦୁଟା । ହାତରୁ ତା' ଚୁଟି କେରାକୁ ଛାଡ଼ିଦେଲା । ସୋଶୀଳା ଘୁଷୁରି ଘୁଷୁରି ଖସିପଡ଼ିଲା ସିଡ଼ିଘର ତଳକୁ । କିନ୍ତୁ ପାହାଚରେ ଓହ୍ଲେଇ ତଳକୁ ପଳେଇଯିବା ସମ୍ଭବ ହେଲାନି । କୋଠା ଖଞ୍ଜାରେ ଶୁଣାଯାଉଚି ସୁରେଶ୍ଵରୀ ଦେଈଙ୍କ ସ୍ଵର । କୋଉଠୁ ମଙ୍ଗରାଜଙ୍କ ପାଟି ମଧ୍ୟ ଶୁଭୁଚି ।

 

ଅଣଓସାରିଆ ଗଳି ପାହାଚର ଗୋଟା ବୁଲାଣିରେ ପାହାଚ ଧାରର କାଠବାଡ଼ାକୁ ଲାଗି ଛୋଟ ଗୁମ୍ଫା ଭଳି ଗୋଟା କାଠଘର ଅଛି । ଜୀବନ ବିକଳେ ତା’ରି ଭିତରେ ପଶିଗଲା ସୋଶୀଳା । ପ୍ରବାଳ ଆଉ ସୁଷମା କିଛି ସମୟ ପରେ ଓହ୍ଲେଇ ଗଲେ ସେହି ବାଟେ । କିନ୍ତୁ ସୋଶୀଳାର ଲୁକ୍କାୟିତ ଅସ୍ତିତ୍ଵର ସନ୍ଧାନ କେହି ପାରିଲେନି ।

 

ମାତ୍ର ଏ ଘଟଣାର ପ୍ରାୟ ପନ୍ଦର ମିନିଟ ପରେ ସେଇ କାଠ ଘରେ ଘଟିଲା ଆହୁରି ଏକ ଅଘଟନ । ହଠାତ୍ ଚାକର ବାଞ୍ଛା ହାବୁଡ଼ରେ ପଡ଼ିଲା ସୋଶୀଳା । ସେଇ ଗୁମ୍ଫା ଖଣ୍ଡକରେ ବାଞ୍ଛା ନିଜର ଲୁଗାପଟା ରଖେ, ସନ୍ଧ୍ୟା ଆଗରୁ ଶୀତର ଆକ୍ରମଣ ଲାଗି ପ୍ରସ୍ତୁତ ହେବାକୁ ଜାଡ଼ୁଆଳି ନେବାକୁ ଆସି ସେ ଚମକି ପଡ଼ିଲା । ତା’ କାଠଘର ଭିତରେ କିଏ ଗୋଟା ପଶିଚି, ଚୋର...

 

ବାଞ୍ଛା ପାଟି କରିବା ଆଗରୁ ସୋଶୀଳା ଉଠିପଡ଼ି ତା’ ପାଟିଟାକୁ ନିଜ ହାତ ପାପୁଲିରେ ମାଡ଼ିବସିଲା । ବାଞ୍ଛା ଦେହରେ ସରପଟିଗଲା ଗୋଟା ଦରଲଙ୍ଗଳା ମାଇକିନାର ଦିହ । ଝିମେଇ ଉଠିଲା ବାଞ୍ଛା, ଶୀତେଇ ପଡ଼ିଲା ।

 

“ବାଞ୍ଛା...ମୁଁ...ସୋଶୀଳା ଅପା, ଯା ଶାସ୍ତି ଦବୁ ପଛକେ ଦେ...ପାଟି କରନା । ଦାଦା ଶୁଣିଲେ ମତେ ଅଝୁଆଁ ମାରି ପକେଇବ । ବାଞ୍ଛା...”

 

ତା'ପରେ ବାଞ୍ଛା ପାଟିରୁ ହାତ କାଢ଼ି ନେଇ ତାକୁ ଆହୁରି ଜୋରରେ ସରପଟି ଧରିଲା ସୋଶୀଳା । ଏ ବିପଦରେ ବାଞ୍ଛା ତା’ର ଏକମାତ୍ର ଆଶ୍ରୟ ।

 

ଅଦ୍ଭୁତ ଘଟଣା । ସମ୍ପୂର୍ଣ୍ଣ ବିମୂଢ଼ ହେଇଗଲା ବାଞ୍ଛା । ତା’ ଗୁମ୍ଫା ଭିତରେ ଗୋଟା ମାଇକିନା, ପୁଣି ଆଉ କେହି ନୁହେଁ, ସୋଶୀଳା ଅପା । କେତେ କଥା ସେ ଶୁଣିଚି ଏଇ ସୋଶୀଳା ନାଁରେ, କେତେ କଥା ଦେଖିଚିବି । ସେଇ ସୋଶୀଳା ଅପା ତାକୁ ଭିଡ଼ିଧରିଚି ତା’ ଗୁମ୍ଫା ଘରେ । କାହିଁକି ଆସିଥିଲା ସୋଶୀଳା ଏଠିକି, ସେ କଥା ଭାବିବାରେ ମନଦେଲାନି ବାଞ୍ଛା । ତା’ର ଜବର ମରଦ ଦେହରେ ବହୁ ବିଜ୍ଞାପିତ ସୋଶୀଳାର ଉଦ୍‍ବେଳ ଯୌବନର ଆକର୍ଷଣ ତାକୁ ଆଗପଛ ସବୁକଥା ଭୁଲେଇ ଦେଲା ଯେମିତି । ତା’ର ନିରାଶ୍ରିତ ଦେହରେ ଅମୃତ ବୋଳି ହେଇଗଲା ପରି ଲାଗିଲା । ଦୈହିକ କ୍ଷୁଧାର ଦୁର୍ବାର ତାଡ଼ନା ଭିତରେ ସେ ଅତି ଦୃଢ଼ ଭାବରେ ଚାପିଧରିଲା ସୋଶୀଳାକୁ । ଅଣନିଃଶ୍ଵାସୀ ହେଇଗଲା ସୋଶୀଳା, ବକ୍ଷର ବିଶାଳ ମାଂସ ପେଣ୍ଡୁଳା ଦି’ଟା ଅତି ନିବିଡ଼ ଭାବରେ ଚାପି ହେଇଗଲା ବାଞ୍ଛାର ମୁହଁ ପାଖରେ ।

 

ମଙ୍ଗରାଜଙ୍କ ଘରେ ଏହା ଭିତରେ ଅନେକ କାମ ବଢ଼ିଯାଇଛି । ବଡ଼ ବୋହୂ ହାରାମଣିର ଅନୁରୋଧ ଅନୁସାରେ ଚାରିଟା ଭାଟିର ଇଟା ଗଢ଼େଇବା କାମ ମଙ୍ଗରାଜେ ଆରମ୍ଭ କରି ଦେଇଛନ୍ତି । ତିନି ଚାରି ଦଳ ଛାଞ୍ଚୁଆ ଲାଗିଚନ୍ତି କାମରେ । ଦି’ଟା ଭାଟି ଘର ଚକଡ଼ାର ପଛପାଖ ବାଉଁଶ ବାଡ଼ି ଆରପଟେ କଣ୍ଟାଣିଆ ଭିତରେ ଏବଂ ଆଉ ଦି’ଟା ଭାଟି ଘର ପାଖରୁ ପାଏ ଦୂର ଖରଦା ତୋଟାରେ ଆରମ୍ଭ କରାଯାଇଚି । ପାଗ ଭଲଥିବାରୁ କାମ ଖୁବ୍ ଆଗେଇ ଯାଇଚି । ଫଗୁଣ ଆରମ୍ଭରେ ଭାଟି ଲଦା ହେଇ ନିଆଁ ଲାଗିବ । ଏହିଭଳି ଆଡ଼ମ୍ବରଜନକ କାମରେ ମଙ୍ଗରାଜଙ୍କ ଭାରି ଆଗ୍ରହ, ଖୁବ୍ ଉତ୍ସାହ ଅନୁଭବ କରନ୍ତି ମଧ୍ୟ ସେ ସେଥିରେ । ବଡ଼ଘର, ବଡ଼ବଡ଼ କାମ ନ କଲେ କି ଆଉ ପ୍ରତିଷ୍ଠା ଦେଖେଇବେ ସେ ଗାଁରେ । ସେଥିଲାଗି ଅନେକ ସମୟରେ ଜନ୍ମେଜୟ ବାହାରେ ବୁଲି ଯାଉଚନ୍ତି । କଣ୍ଟାଣିଆ ଅପେକ୍ଷା ବେଶି ଯାଉଚନ୍ତି ସେ ଖର୍ଦା ତୋଟାକୁ । କେତେ ଲୋକ ଜୁଟିଯାଉଚନ୍ତି ସେଠି । କ୍ଷୟିଷ୍ଣୁ ସମୃଦ୍ଧି ଭିତରେ ମଙ୍ଗରାଜଙ୍କ ବଡ଼ତି ଦେଖି ଅନେକେ ଆଶ୍ଚର୍ଯ୍ୟ ମଧ୍ୟ ହେଉଚନ୍ତି । କେତେକେ ଚାଟୁ ବାକ୍ୟରେ ମଙ୍ଗରାଜଙ୍କୁ ନାନା ଉତ୍ସାହବାଣୀ ମଧ୍ୟ ଶୁଣାଉଚନ୍ତି । କିନ୍ତୁ କାହାରି ସ୍ତୁତି ବାକ୍ୟରେ ଭଳିଯିବାର ପାତ୍ର ନୁହନ୍ତି ଜନ୍ମେଜୟ । ଅନେକ କଥା ଶୁଣି ଶୁଣି ବେଳେବେଳେ ସେ କହିଉଠନ୍ତି–

 

“ଗୋଟାଏ ବାପର ଜନ୍ମ ହେଇଥିଲି ମୁଁ ଗୋଟାଇ ପୁଅ । ହଇହୋ, ଜାଣିଲ ସାନ୍ତରା, ଏବେ ଭଗବାନ ମତେ ପାଞ୍ଚଟା ପୁଅ ଦେଇଚନ୍ତି...ଜମିଦାରୀ ସିନା ଗଲା...କିନ୍ତୁ ଜମିବାଡ଼ି ତ ଯାଇନି, ଖାଇବା ପେଇଁ ଧାନ ଗଣ୍ଡାକ ତ ମିଳିବ, ତା’ ଉପରକୁ ଜଣକେ ପାଞ୍ଚ ପାଞ୍ଚ ଟଙ୍କା ଆଣିଲେ ଖୁସିରେ ଚଳିଯିବେ । କିହୋ, କ’ଣ କହୁଚ ସାନ୍ତରା ?”

 

ମଙ୍ଗରାଜଙ୍କ କଥା ଶୁଣି ଶୁଣି ଅରଖିଆବାଙ୍କର ଲୋକନାଥ ସାନ୍ତରା ପାକୁଆ ପାଟିରେ ହସିଉଠନ୍ତି । ଖାଇବିପଟ କାନର ଉପର ପାଖରେ ମୋତିବସା ସୁନା ବାଉଳିଟାକୁ ଥରେ ଆଉଁସି ପକେଇ ମୁଣ୍ଡ ପଛପଟ ବେଣ୍ଟିବାଳ କେରାକୁ ସାଉଁଳେଇ ନିଅନ୍ତି । ବାଉଁଶ ନଳି ଭିତରେ ଲୁହା ଖେଞ୍ଚଣାଟାକୁ ଠେସି ଠେସି ଛେଚା ପାନ ଗରଦାକୁ ପାକୁଆ ପାଟିକି ଛାଟି ଦେଇ ସେ କହି ବସନ୍ତି–

 

“ଦେଖିଲ, ଆପଣଙ୍କ ଭଳି ଲାଏକ ମୁହଁରୁ ଆଜି ଏ କାନ ଏ କଥା ଶୁଣିଲା । ହଇହେ ମଙ୍ଗରାଜେ, ହାତୀ ଥେଲେ ଲକ୍ଷେ ଟଙ୍କା, ଗଲେବି ଲକ୍ଷେ ଟଙ୍କା, ହେଲେ ଆପଣଙ୍କର କ’ଣ ହେଇଯାଇଚି ଯେ ଆପଣ ଏତେ ବଡ଼କଥାଟା କହିଦେଲେ !”

 

ଲୋକନାଥ ସାନ୍ତରା ମଙ୍ଗରାଜଙ୍କ ସମଧର୍ମା ଲୋକ । ବିଲାତି କବି ଏଲିୟଟ୍‍ଙ୍କ ଭାଷାରେ ମକ୍ଷିକା ଦଂଶିତ ହେଇ ଆଜାନୁ ଲବଣାକ୍ତ ଜଳରେ ପଶି ସେ କେବେ ସଂଗ୍ରାମ କରି ନାହାନ୍ତି । କେବଳ କୁଟୁମ୍ବ ବୃଦ୍ଧିର ଖାଇ–ଖରଚରେ ତିନିପୁରୁଷର ସମୃଦ୍ଧିକି ଖତମ କରି ଏବେ ପୈତୃକ ଦେବୋତ୍ତର ସମ୍ପତ୍ତିର ମାର୍ଫତଦାର୍ ଭାବରେ ଚଳି ଯାଉଚନ୍ତି । ସେଥି ଉପରେ ମଧ୍ୟ ଗାଁବାଲାଙ୍କ ଆଖି ପଡ଼ିଚି । ପାରିବାରିକ ଦେବତାଙ୍କୁ ସର୍ବସାଧାରଣ କରିବା ଲାଗି ଚାଲିଚି ଚକ୍ରାନ୍ତ । ସେହି ସୂତ୍ରରେ ସେ ମଙ୍ଗରାଜଙ୍କ ଘନିଷ୍ଠ ସମ୍ପର୍କର ଆକାଂକ୍ଷୀ ହେଇ ନଈ ସେ ପାଖରୁ ବେଳେବେଳେ ଧପାଲି ଆସୁଚନ୍ତି କଦମ୍‍ପାଳ ଗାଁକୁ । ...ଆମର ପ୍ରବଚନ ଅଛି, ହାତୀ ମଲେ ଲକ୍ଷେ ଟଙ୍କା, ହାତୀ ଜିଇଲେ ଲକ୍ଷେ ଟଙ୍କା; କିନ୍ତୁ ସେ କଥାଟାକୁ ସେ ଜାଣିଶୁଣି ଆଉବାଗେ କରି କହିଲେ, ମଙ୍ଗରାଜଙ୍କ ଜୀବିତାବସ୍ଥାରେ ଅଶୁଭର ସୂଚନା ନ ଦେବାପାଇଁ । କଥାଟା କହିସାରି ଲୋକନାଥ ସାନ୍ତରା ପୁଣି ଥରେ ପାକୁଆ ପାଟିରେ ହସିଲେ । ତାଙ୍କର ଉଦ୍ଦେଶ୍ୟ ଅବଗତ ହେଇ ମଙ୍ଗରାଜ ଗୋଟାଏ ଉଚ୍ଚକିତ ହାସ୍ୟ କଲେ । ସେଥିରେ ଉଡ଼ିଗଲେ ଯେମିତି ମୃତ୍ୟୁର ଚିଲ ଚିରଗୁଣୀ ।

 

ଏତିକିବେଳେ ନୂଆ ଚାକର ଟୋକା କାର୍ତ୍ତିକା ଗୋଟା ବେତ ମୋଡ଼ିଆ ଆଉ ଆଲବାଲା ହୁକାଟାକୁ ଧରି ପହଞ୍ଚିଲା ।

 

“ଆରେ ଗୋଟାଇ କୁର୍ଚି ଆଣିଲୁ, ସାନ୍ତରା ଆସିଚନ୍ତି ପରା । ହଉ, ଆଗେ ହୁକାଟାକୁ ଏଠିକି ଆଣିଲୁ !”

 

ମଙ୍ଗରାଜ ବସିଥିଲେ ଗୋଟା କଟା ତାଳଗଛର ପୁରୁଣା ମୂଳି ଉପରେ । ଆଉ ସାନ୍ତରା ବସିଥିଲେ ନିର୍ବାଣ ଲିଭିଥିବା ଗୋଟା ବାଉଁଶ ବୁଦାର ମାଟି କୁଦ ଉପରେ ଗାମୁଛା ଖଣ୍ଡକୁ ବିଛେଇ-

 

ଭୁଡ଼ୁ ଭୁଡ଼ୁ କରି ହୁକା ଟାଣିଲେ ମଙ୍ଗରାଜେ । ଫୁର୍ ଫୁର୍ କରି ଧୂଆଁ ଛାଡ଼ିଲେ । କାର୍ତ୍ତିକା ଦୌଡ଼ି ଦୌଡ଼ି ଯାଇ କିଛି ସମୟ ପରେ ଆଉ ଖଣ୍ଡେ ବେତ ମୋଡ଼ିଆ ଧରି ପହଞ୍ଚିଲା । କ୍ଷୟିଷ୍ଣୁ ସାମନ୍ତବାଦର ଦୁଇ ପ୍ରତିନିଧି ଦୁଇଟି କୁର୍ଚି ଉପରେ ବସି ଟିକିଏ ଆରାମ ଉପଭୋଗ କଲେ । ଅଣ୍ଟାଟାକୁ ସଳଖି ନେଲେ ମଙ୍ଗରାଜେ । ଲୋକନାଥ ସାନ୍ତରା କିନ୍ତୁ ପତଳା ଲୋକ, ମଙ୍ଗରାଜଙ୍କ ଠଉଁ ବୟସ ଦି' ତିନିବର୍ଷ ଅଧିକ ହେଲେବି ହାଡ଼ ଟାଣ ଯୋଗୁଁ ଦେହକୁ ସଳଖ ବାଙ୍କ କରିବା ତାଙ୍କ ପକ୍ଷରେ ବେଶି ଦରକାର ପଡ଼େନା । ଛାତି ଉପରେ ଚିପି ହେଇ ଅଣ୍ଟାର ଖୋସଣି ମୁଣ୍ଡାରେ ପୋତି ହେଇ ପଡ଼ିଥିବା ମଳିଛିଆ ପଇତା କେରାକୁ ସଜାଡ଼ି ସଜାଡ଼ି ସେ ପୁଣି କଥା ଆରମ୍ଭ କଲେ–

 

“ସେ କାଳ ଚାଲିଗଲା ମଙ୍ଗରାଜେ, ଆଉ ଫେରିବ ନେଇଁ !”

 

ମଙ୍ଗରାଜେ ଅନେଇଲେ ସାନ୍ତରାଙ୍କ ମୁହଁକୁ । ହୁକା ନଳିରୁ ପୁଣି ମେଞ୍ଚାଏ ଧୂଆଁ ଉଡ଼େଇଦେଲେ । ନିଶ ହଳକୁ ମୋଡ଼ି ବସିଲେ ଗୋଟା ହାତରେ । ସାନ୍ତରାଙ୍କ ମୁହଁରେ ନିଶ ନାହିଁ; କିନ୍ତୁ ଇତିହାସ ବହିର କର୍ଣ୍ଣଓ୍ୟାଲିସ୍ ସାହେବର ଛବି ଭଳି କାନମୂଳରୁ ଗାଲର ଅଧାଯାଏ ମୋଟା ମୋଟା ଗାଲମୁଛା ଅଛି । ସେତକ ପୁଣି ପାଚିଗଲାଣି । ବେଣ୍ଟିବାଳ ସାଙ୍ଗକୁ ଗାଲମୁଛା ମିଶି ତାଙ୍କ ଚେହେରାକୁ ଏକପ୍ରକାର ବୈଶିଷ୍ଟ୍ୟ ଦାନ କରିଥାଏ । ସାନ୍ତରାଙ୍କ କଥା ପୁଣି ଶୁଣାଗଲା–

 

“ହେଲେ, ଆପଣଙ୍କର କ’ଣ ତେବେ ଅଛି; ଏକା ଉଦିତକୁ ପଚାଶଗଣ୍ଡା ପୁଅ ସରି ହେବେନି । ଆପଣଙ୍କ ନାଁ ରଖିବ ଉଦିତ...ବଂଶର ମାନ ରଖିବ...”

 

ବିସ୍ମୟ ଭିତରେ ଆବିଷ୍ଟ ହେଇ ମଙ୍ଗରାଜେ ଯେମିତି ଖୁସି ହେଲେ । ତେବେ ମଙ୍ଗରାଜ ବଂଶ ଧ୍ଵଂସପାଇଯିବ ବୋଲି ବାହାର ଲୋକେ ମନେ କରୁନାହାନ୍ତି । ହଁ, ଉଦିତ କଥା କହିଲେ ସାନ୍ତରା, ଆଗରୁ ଉଦିତ ବିଷୟରେ ଭିନ୍ନରୂପେ ଭାବୁଥିବାରୁ ମନରେ ତାଙ୍କର ଦୁଃଖ ହେଲା । ତିନିଟା କୋଠା ତୋଳିଦବ ଉଦିତ । ସେଦିନ ପ୍ରବାଳ ପେଇଁ ନଗଦ ପାଞ୍ଚ ହଜାର ଟଙ୍କା ଦେଲା । ତାକୁ ସେ ଭୁଲ୍ ଭାବିଥିଲେ ସତେ ! ଉଦିତ ଭିତରେ ଉଦାରତା ଅଛି, ମହତ୍ତ୍ଵ ଅଛି । ତାଙ୍କର ମନ ହେଉଥାଏ, ଉଦିତର ତିନି ତିନିଟା କୋଠା କରିବା କଥା ସେ ସାନ୍ତରାଙ୍କୁ କହନ୍ତେ । କିନ୍ତୁ ଉଚିତ ମନେ କଲେନି । ବଳେ କାମ ହେଲେ ଦେଖିବେ ସମସ୍ତେ । ଆଗରୁ ଡେଙ୍ଗୁରା ପିଟି କି ଲାଭ !

 

“ହଁ କୁଆଡ଼େ ଚାରିଟା ଭାଟି ପୋଡ଼ଉଛନ୍ତି ?’’

 

ୟେଁ ! ସେ ଆଉ ପ୍ରକାଶ ନ କରିବେ କ’ଣ ! ସାନ୍ତରାଙ୍କୁ କ’ଣ ଉତ୍ତର ଦେବେ ବୋଲି ଭାବୁଚନ୍ତି ଏତିକିବେଳେ ଚାରିଟା ଶଗଡ଼ରେ କାଠ ଆସି ପହଞ୍ଚିଲା । ଭାଟି ଲଦା ହେବାର ଆୟୋଜନ । ବର ଆଉ ଓସ୍ତ କାଠର କଞ୍ଚା କଞ୍ଚା ଗର ଆଉ ଡାଳିଆଗୁଡ଼ାକ ଶଗଡ଼ିଆମାନେ କାଢ଼ି ଜମା କରିବାରେ ଲାଗିଲେ । ମଙ୍ଗରାଜେ ଉଠିପଡ଼ିଲେ କୁର୍ଚିରୁ । ସାନ୍ତରାବି ଉଠି ଛିଡ଼ାହେଲେ । ଆମ୍ବ ବଗିଚାର ଶେଷ ମୁଣ୍ଡକୁ ପାଞ୍ଚ ସାତଟା ଖଜୁରି ଗଛ, ସେଇଠି କାଠ ଜମା ହେଉଥାଏ । ମଙ୍ଗରାଜଙ୍କ ମନରେ ସ୍ଫୁର୍ତ୍ତି ଭରିଗଲା । ଚାଲ ଚାଲ ହେଇ ସେ ସେଇଯାଏ ଚାଲିଲେ । ଚାଲୁ ଚାଲୁ ସାନ୍ତରାଙ୍କୁ ଉତ୍ତର ଦେବା ଉଦ୍ଦେଶ୍ୟରେ କହିଲେ–

 

“ତମେ ତ ଜାଣିଚ, ମୁଁ ଆଉ ବେଶି କହିବି କ’ଣ ? ତେବେ ଏକାଥରକେ ଚାରିଟା ଭାଟିର ଯୋଗାଡ଼ କରି ଟିକେ ହଇରାଣରେ ପଡ଼ିଗଲି...ଆଉ କିଛି ନୁହେଁ ଯେ, ଏଇ କାଠପେଇଁ ଯା ଅସୁବିଧା ପଡ଼ିଲା...”

 

“କ’ଣ ଆଜ୍ଞା, ଆଉ କାଠ ଦରକାର ଅଛି ? କହିବେ ତ ମୁଁ ଗୋଟା ବରଗଛ କଟେଇଦେବି !”

 

ସାମନ୍ତରାଙ୍କ ବଦାନ୍ୟତା ପ୍ରକାଶରେ ମଙ୍ଗରାଜେ ଖୁସିହେଲେ । କିନ୍ତୁ କାଠର ଆଉ ଆବଶ୍ୟକତା ନଥିବା ଜଣେଇ ସେ ଆଗକୁ ଆଗକୁ ଚାଲିଲେ । ଆଗରେ କଞ୍ଚା ଇଟାର ଗାଦି ଧାଡ଼ି ଧାଡ଼ି ହେଇ ଲାଗିଚି । ଗାଦିଗୁଡ଼ାକର ତାଳୁରେ ବରଡ଼ା ମଡ଼ାଯାଇଚି ଆକସ୍ମିକ ବର୍ଷା ବିତ୍ପାତରୁ କଞ୍ଚା ଇଟାଗୁଡ଼ାକୁ ରକ୍ଷା ପାଇବାପାଇଁ । ଇଟା ଗାଦି ସବୁ ଯେତିକି ଉଞ୍ଚରେ ଉଠିଚି, ତା'ଠାରୁ ମାଟି ତଳର ଖାଲ ହେଇଚି ଆହୁରି ଗଭୀର । ନିଜର ଠେଙ୍ଗ ବିଲକୁ ଖାଲ କରି ଜମିକୁ ଅଧିକ ଚାଷଯୋଗ୍ୟ କରିବାପାଇଁ କେତେକ ଲୋକ ସ୍ୱେଚ୍ଛାରେ ଜମି ତଡ଼େଇବାର ସୁଯୋଗ ଦେଇଚନ୍ତି । ସେ ସବୁ ଛଡ଼ା ଅନ୍ୟ ଜାଗାରେ ଖାଲ ହେଇଛି ଗହୀର । ଖାଲଗୁଡ଼ାକୁ ଚାହିଁଲେ ମଙ୍ଗରାଜେ, ତା’ପରେ ଇଟାର ଗାଦିଗୁଡ଼ାକୁ ଅନେଇ ମଙ୍ଗରାଜେ ସେ ସବୁକୁ ଗଣିବାକୁ ଯେମିତି ଚେଷ୍ଟାକଲେ । ପାରିଲେନି । ଏତେ ଇଟା ! ଘର ତିଆରିର ଏପରି ବିପୁଳ ଆୟୋଜନ ଜୀବନରେ ସେ କେବେ ଆଉ କରି ନଥିଲେ । ଛାତିଟା ତାଙ୍କର ବାସ୍ତବିକ ଉଲ୍ଲସିତ ହେଇଉଠିଲା । କିନ୍ତୁ କାହିଁକି କେଜାଣି, ସେହି ଉଲ୍ଲାସ ଭିତରେ ମାଟି ତଳର ଖାଲଗୁଡ଼ାକୁ ସେ ବିଶ୍ଳେଷଣପୂର୍ଣ୍ଣ ଦୃଷ୍ଟିରେ ଅନେଇବାକୁ ଲାଗିଲେ । ଅନେଇ ଅନେଇ ପଚାରିଲେ ସାନ୍ତରାଙ୍କୁ–

 

“କହିପାରିବ ସାନ୍ତରା, କେବେ ଏଇ ଖାଲଗୁଡ଼ାକ ପୁଣି ପୂର୍ଣ୍ଣ ହବ ? ଗାଁରେ ଯେତେ ଗଡ଼ିଆ ପୋଖରୀ ଭର୍ତ୍ତି ହେଇଚି ସେ ସବୁ ଦେଖିଲେ ମତେ ଭାରି ଚିଡ଼ି ଲାଗେ, ପୁଣି ସେଥିରେ ମୁଁ ଏତେ ଖାଲ ଖୋଳିଦେଲି ।”

 

ସାନ୍ତରା ଗୋଟା ମନଖୋଲା ହସ ହସି କହିଲେ, “ସେ ସବୁ ଭାବିଲେ କିଛି କାମ ହବନି ମଙ୍ଗରାଜେ ! ଜିଲାବୋର୍ଡ଼ ରାସ୍ତା କଡ଼ଯାକ ଖାଲ, ୟା ବୋଲି ରାସ୍ତା ଆଉ ତିଆରି ହବନି...ପୁଅ ଟଙ୍କା ଦଉଚି...ଆପଣ ଆଗେଇ ଯା'ନ୍ତୁ, ଆପଣଙ୍କ ନାଁ ରଖିଲା ଉଦିତ ।”

 

ଇଟା ତିଆରି ଲାଗି ମଟାଳ ମାଟିରେ ମିଶେଇବା ପାଇଁ ଜମା ହେଇଥିବା ଗୋଟା ବାଲିକୁଦ ଉପରେ ମଙ୍ଗରାଜେ ବସିପଡ଼ିଲେ । କେତେକ ମିନିଟ ତଳର ସାନ୍ତରାଙ୍କ ସେଇ ପୁରୁଣା କଥା ତାଙ୍କ କାନରେ ପୁଣି ପଡ଼ିଲା । ବଡ଼ପୁଅ ଉଦିତ ପ୍ରତି ମନଟା ତାଙ୍କର କୃତଜ୍ଞତାରେ ଭରିଗଲା ଯେମିତି । ମୀନ ନୁହେଁ ଉଦିତ, ଉଦିତ ତାଙ୍କ ନାଁ ରଖିବ । ସେ ଆଜି ଯାଏଁ ଭୁଲ୍ ଭାବି ଆସିଥିଲେ !

 

ଶୀତଦିନର ଅପରାହ୍ନଟା କ୍ରମେ ବଢ଼ି ବଢ଼ି ଚାଲିଚି । ସକାଳେ ଅନେକ ବେଳ ଯାଏଁ କୁହୁଡ଼ି ଘୋଟିଥିଲା । ମଧ୍ୟାହ୍ନରେ କିଛି ସମୟ ଟାଣ ଖରା ହେଇ ପୁଣି ଆକାଶରେ କାଆଁଳ ଘୋଟିଯାଇଚି । ଅରଖିଆବାଙ୍କ ବେଶି ବାଟ ନୁହେଁ । ଅନେକ ସମୟରେ ସନ୍ଧ୍ୟା ମୁହଁରେ ମଧ୍ୟ ସାନ୍ତରା କଦମ୍‍ପାଳରୁ ନିଜ ଗାଁକୁ ଫେରନ୍ତି । ଆଜି ସାନ୍ତରାଙ୍କ ଉପସ୍ଥିତି ଯୋଗୁଁ ଖର୍ଦା ତୋଟାରେ ମଙ୍ଗରାଜେ ମଧ୍ୟ ଅନେକ ସମୟ ଅଟକି ଗଲେ । କିଛି ସମୟ ପରେ ସାନ୍ତରାଙ୍କୁ ସାଙ୍ଗରେ ଧରି ସେ ଫେରିଲେ ଚଉପାଢ଼ିକି ।

 

“ଆରେ ବଇଁଶୀବାବୁ ଯେ !”

 

ମଙ୍ଗରାଜଙ୍କ ଦାଣ୍ଡରେ ବଂଶୀ ଜେନାଙ୍କୁ ଦେଖି ସାନ୍ତରା ଖୁସିରେ ପାଟି କରି ଉଠିଲେ । ବଂଶୀ ଜେନାଙ୍କ ବେପରୁଆ ଢଙ୍ଗ ଯୋଗୁଁ ସାନ୍ତରା ତାଙ୍କୁ ମନେମନେ ଖୁବ୍ ସୁଖ ପାଆନ୍ତି । କିନ୍ତୁ ଦାଣ୍ତରେ ବଂଶୀ ଜେନାଙ୍କ କାଣ୍ଡ ଦେଖି ମଙ୍ଗରାଜେ ଅବାକ୍ ହେଇଗଲେ ।

 

“ଆରେ ଏଇ କ’ଣ ବଇଁଶିଆ ।”

 

ବଂଶୀ ଜେନା କିଛି ଉତ୍ତର ନ ଦେଇ ପାଖକୁ ଆସି ସାନ୍ତରାଙ୍କୁ ନମସ୍କାର କରି ପୁଣି ଦୂରକୁ ହଟିଗଲେ । ବଂଶୀ ଜେନା ଦାଣ୍ଡରେ ଏକା ନଥାନ୍ତି, ଗାଁର ଚାରି ଛ’ଟା ଟୋକା ଆସି ତାଙ୍କ ସାଙ୍ଗରେ ଜୁଟିଯାଇଚନ୍ତି । ଷେଣ୍ଡ ପଞ୍ଜରା, ହନୁ–ଅଙ୍ଗଦ, ସାହାବ–ସାହାବାଣୀ ଆଉ କେଳା–କେଲୁଣୀର ରୂପ ଦାଣ୍ଡସାରା ଗଡ଼ଗଡ଼ା ମାରିବାରେ ଲାଗିଚି । ଚଉରା ଉପରେ ଥୁଆ ହେଇଚି ଲେହି ଅଠାର ଗୋଟା କଡ଼େଇ । କେଲୁଣୀ ରୂପର ପ୍ରକାଣ୍ତ ସ୍ତନ ଦି’ଟା ଉପରେ ଖବରକାଗଜର ପଟି ମଡ଼େଇ ତାକୁ ମରାମତି କରୁଚନ୍ତି ଦି’ଜଣ ଟୋକା ।

 

ଷେଣ୍ଡ ପଞ୍ଜରାଟାକୁ ଗୋଟା ପହଁରାରେ ଝାଡ଼ି ସଫା କରୁଥିଲା କାର୍ତ୍ତିକା । ମଙ୍ଗରାଜଙ୍କୁ ଖର୍ଦାରୁ ଫେରି ଆସିବାର ଦେଖି ସେଠୁ କୁର୍ଚି ଆଉ ଆଲବାଲା ହୁକା ଆଣିବାକୁ ଦୌଡ଼ିଲା ।

 

ଦୋଳଯାତ୍ରାର ଆଡ଼ମ୍ବର ମଙ୍ଗରାଜେ କୋଉଦିନୁ ଯେମିତି ବିସ୍ମୃତ ହେଇ ଯାଇଚନ୍ତି । ଆଡ଼ମ୍ବରର ଏଇ ଉପକରଣଗୁଡ଼ାକ ଆଜିଯାଏ କୋଉଠି ଥିଲା ସେ କଥା ମଧ୍ୟ ତାଙ୍କର ପାଶୋର ହେଇ ଯାଇଥିଲା । ମଙ୍ଗରାଜ ଘର ଦୋଳଯାତ୍ରା ଅବଶ୍ୟ ବନ୍ଦ ହେଇନି; କିନ୍ତୁ ପୂର୍ବର ସେ ଆଟୋପ ଅନେକ ଦିନୁ ବିଦାୟ ନେଇଚି । ଏଥିଭିତରେ କୌଣସି ମେଲଣକୁ ରାଧାମାଧବ ଆଉ ଯାଇ ନାହାନ୍ତି । ଖାଲି ଯାହା ବର୍ଷକରେ ଥରେ ଚାଚେରୀରେ ବୁଲିଚନ୍ତି, ତାହା ମଧ୍ୟ ନିରାଡ଼ମ୍ବର ଭାବରେ-

 

କିନ୍ତୁ ଏବର୍ଷ କେଜାଣି କାହିଁକି ବଂଶୀ ଜେନାଙ୍କ ଭିତରେ ଅନେକ ଦିନ ତଳର ସେଇ ଭୂତଟା ଉଭା ହେଇପଡ଼ିଚି । ଏହା ଭିତରେ ବଂଶୀ ଜେନାଙ୍କ ବ୍ୟକ୍ତିଗତ ଅବସ୍ଥା ଅନେକାଂଶରେ ସ୍ଵଚ୍ଛଳ ହେଇଚି । ଅଣ୍ଟାରେ ହନୁମାନ ଦୋପଇସି ମାରି ଟଙ୍କା ଭଙ୍ଗେଇ ମୂଲ୍ୟ ପରିଶୋଧର ପ୍ରତ୍ୟୟ ସୃଷ୍ଟି କରିବାର ଫିକର ଅବଶ୍ୟ ଅନେକ ଦିନୁ ଦୂର ହେଇଥିଲା, ତା’ପରେ ନିଜର ମାଣେ ପାଞ୍ଚପା ଚାଷଜମି ସାଙ୍ଗକୁ ମଙ୍ଗରାଜେ ଦେଲେ ଦି’ ମାଣ, ତା’ ଛଡ଼ା ଛ' ସାତ ଗୁଣ୍ଠ ଗୋଚର ଜମିକୁ ନିଜ ଜମିରେ ମିଶେଇ ସାରସୋତ୍ କରି ସେ ଏଥି ମଧ୍ୟରେ ବେଶ୍ ପାରି ଉଠିଛନ୍ତି । ତିନି ପୁଅ ଭିତରୁ, ବଡ଼ ଟୋକାଟା ପାରିଲାର ହେଇ ଏବେ ଚାଷକାମରେ ଅଣ୍ଟା ଭିଡ଼ିଚି । ଘରଡ଼ିହ ସାଙ୍ଗକୁ ଦିଗୁଣ୍ଠ ବାଡ଼ିବରିଚା ମଧ୍ୟ ଅଛି । ପରିବାରର ଜୀବନଧାରଣ ପାଇଁ ବାଡ଼ି ନେଉଟିଆ କିଆରିର ଅବଦାନ ସେଥିଯୋଗୁଁ ସ୍ମରଣୀୟ ସ୍ଥାନ ଅଧିକାର କରିଚି ।

 

ହୁଁ...କ’ଣ ନାଇଁ ଆମର ! ଏ ବଂଶୀ ଜେନାଙ୍କ ସ୍ୱଗତ । ଶଳା ରାହାସ ନାଆକ, ଛାତି ଫୁଲେଇ କଥା କଉଚି ମଙ୍ଗରାଜ ଘର ଭାଙ୍ଗି ପଡ଼ିଲେଣି । ଶଳାଙ୍କ ଆଖିରେ ଇଲିଶି କଣ୍ଟା ମରିଚି କି-। ଆରେ ମଙ୍ଗରାଜ ଘର ଗୋଦାମ ଖୋଲା ହେଇଚି ସାର୍ତା ବାରିରେ, ଚାରିଟା ଇଟା ଭାଟି ପୋଡ଼ା ହଉଚି, ତିନିଟା କୋଠା ତିଆରି ହବ...ଏଁ, ଖାଲି ମାଟି ପୋଡ଼ିଦେଲେ କୋଠା ହୁଏ, ନା...ଆଉ କିଛି ଲାଗେ ?

 

ଭାବନାର ଧାରା ଭାଙ୍ଗିଦେଇ ବଂଶୀ ଜେନା ଯେମିତି ନିଜର ଚାଳ ଘରପାଇଁ କୋଠାର ସ୍ଵପ୍ନ ଦେଖିବାରେ ମନଦେଲେ । ଏତ ନିପଟ ପଲ୍ଲୀବାସୀ ମୂର୍ଖ ବଂଶୀ ଜେନାଙ୍କ ଭାବନା । କିନ୍ତୁ ଏ ପ୍ରଦେଶର ଜଣେ ବିଶିଷ୍ଟ ଚିନ୍ତାଶୀଳ ବୋଲି ଡିଣ୍ଡିମ ପିଟୁଥିବା ବ୍ୟକ୍ତି ଓଡ଼ିଶାର ଅଗ୍ନିକାଣ୍ଡଜନିତ ଗୃହଦାହ ଘଟଣାରେ ବ୍ୟଥିତ ହେଇ ଖବରକାଗଜରେ ବିବୃତି ଛାପି ଥରେ କହିଥିଲେ, ଯେଉଁଠି ମାଟି ପୋଡ଼ିଦେଲେ ପକ୍କାଘର ହୁଏ ସେଠି ଲୋକେ କାହିଁକି ଘରପୋଡ଼ିରେ ସର୍ବସ୍ଵାନ୍ତ ହେଉଛନ୍ତି ତାହା ବୁଝି ହୁଏନାହିଁ । କିନ୍ତୁ କଦମ୍‍ପାଳ ଗ୍ରାମର ମୂର୍ଖ ବଂଶୀ ଜେନା ବିଲାତ ଫେରନ୍ତା ଉକ୍ତ ଚିନ୍ତାଶୀଳଙ୍କଠାରୁ ଯଥେଷ୍ଟ ବୁଦ୍ଧିମାନ । ମଙ୍ଗରାଜ ଘର ମାଟି ପୋଡ଼ା ପଛରେ ସେ ଦେଖିଲେ ବିପୁଳ ଅର୍ଥର ଆୟୋଜନ । ଶୀତେଇ ପଡ଼ିଲେ । ଆକାଶୀ ଭାବନାରୁ ଫେରି ସେ ଆତ୍ମପ୍ରତିଷ୍ଠ ହେଲେ । ହଁ...ଗାଁର ଧୋବା, ଭଣ୍ଡାରି କୋଠାଘର କଲେ ପଛେ କରନ୍ତୁ, ସେ ପାରିବେନି । ଯେଉଁଠି ଚାଳ ଛପର ଉପରେ ବିପତ୍ତି, ସେଠି ମାଟିକି ପୋଡ଼ି କାନ୍ଥ ବଦଳେଇବାର ଚିନ୍ତା କରିବା କି ଦରକାର । ବେଶିହେଲେ ଆଉ ଦି’ ତିନିବର୍ଷରେ ଚାଳରୁ ଛଣ ଉତ୍ତାରି ଦେଇ ସେଠି ଟାଇଲ୍ ପକେଇ ଦେବେ; ବଡ଼ପୁଅ ବା'ଘର ବେଳକୁ ।

 

ତା'ପରେ ନିଜ ଭାବନା ଭିତରେ ବଂଶୀ ଜେନା ଫେରି ଆସିଲେ ରାହାସ ନାଆକ ପାଖକୁ । ଦେଖୁ ଶଳା କଲକତିଆ ସର୍ଦ୍ଦାର ରାହାସ ନାଆକ । ଅଢ଼େଇ ଲାଖ୍ ଇଟା ପୋଡ଼ା ହଉଚି ମଙ୍ଗରାଜ ଘର...ବଡ଼ପୁଅ ଉଦିତଚନ୍ଦ୍ର ଲକ୍ଷପତି । ହୁଁ ସାନ ଜୋଇଁ ସରକାରୀ ଅଫିସର, ପୁନେଇଁ ଖାଇ ଆସିବ ଦୋଳକୁ । ଏବର୍ଷ ଆଉ ଦୋଳପୁନେଇଁ ଏମିତି ସେମିତି ହବ...କ’ଣ ହେଇଯାଉଚି କି ଆମର...ଆଉ ଜମିଦାରୀ, ମଙ୍ଗରାଜ ଘର ଉଜୁତି ଆଉରି ବଢ଼ିଯାଇଚି...ଡାମ୍ଫଣ ମୁନିଆ ନିଶ ହଳକୁ ଆହୁରି ମୋଡ଼ି ସେ ଖାଡ଼ା କରିଦେଇ ଅଳିଆ ସଫା କରିବା ଉଦ୍ଦେଶ୍ୟରେ ଷେଣ୍ତ ପଞ୍ଜଗଟାକୁ ଦି'ଥର ଧାଡ଼ୁ ଧାଡ଼ୁ କରି କଚାଡ଼ି ଦେଲେ ।

 

ଏଁ...ହଁ, ଅରଖିଆବାଙ୍କ ସାନ୍ତରା । ସାନ୍ତରାଙ୍କୁ ଦଣ୍ତବତ କରି ଫେରୁ ଫେରୁ ସେ ଶୁଣିଲେ ମଙ୍ଗରାଜଙ୍କ କଥା । ମଙ୍ଗରାଜଙ୍କ ପାଖକୁ ଆସିଲେ ବଂଶୀ ଜେନା । କାନ ମୂଳର ବାଳ ସନ୍ଧିରେ ଆଙ୍ଗୁଠି ଘଷି ଘଷି ସେ କହିଲେ–

 

ନୂଆବୋଉ କହିଚନ୍ତି, ଦୋଳକୁ ସାନ ଜଇଁ ଆସିବ ପୁନେଇଁ ଖାଇ । ଠାକୁରଙ୍କ ଚାଚିରୀଟା ଏସନ ଯେମିତି ଭଲକରି ହବ...

 

ମଙ୍ଗରାଜେ ମଲ୍ଲୀ କି ଚମ୍ପା କିଛିହେଲେ ପଦେ କହିଲେନି । କିନ୍ତୁ ତାଙ୍କ ହୃଦୟର ସୂକ୍ଷ୍ମ ତନ୍ତ୍ରୀରେ ଉଲ୍ଲାସର ଗୋଟା ସ୍ପନ୍ଦନ ଖେଳିଗଲା ଯେମିତି । ଖୁସିହେଲେ ମନେମନେ ବଂଶୀ ଜେନା ପ୍ରତି । ଏଇ ବଇଁଶିଆଟା ମଧ୍ୟ ତାଙ୍କରି ପରି ପାଗଳ !

 

ଏହି ସମୟରେ ଲୋକନାଥ ସାନ୍ତରା ଖୁବ୍ ଠୋସ୍‍ରେ କହି ଉଠିଲେ–

 

“ଦିନେ ବେଳ ଥିଲା ଆପଣଙ୍କ ବିମାନ ସାଙ୍ଗରେ ଆମ ବିମାନର ନଢ଼େଇ ହଉଥେଲା, ମୋର ମନେ ଅଛି । ଗୋଟା ବର୍ଷ ଆପଣଙ୍କ ବିମାନକୁ ହରେଇଦବାକୁ ଆମେ ପାଁଶ ଟଙ୍କାର ବାଣ ମାରିଥେଲୁ...”

 

ସାନ୍ତରାଙ୍କ କଥାକୁ କାନରେ ଶୁଣିବା ଭିତରେ ମଙ୍ଗରାଜେ ଆଖି ଟେକି ଅନେଇଲେ ମୂର୍ତ୍ତିଗୁଡ଼ାକୁ । ଯେମିତି ହରେକ ରକମର ସେଇ ରୂପଗୁଡ଼ାକ ତାଙ୍କ ଜୀବନର ଅଂଶ । ତାଙ୍କରି ଭିତରେ ସେ ନାଚୁଥିଲେ ସବୁଦିନେ । ଏବେ ସେ ନାଚିବା ବନ୍ଦ ହେଇଯାଇଚି ।

 

କିନ୍ତୁ ମୁହଁରେ କିଛି ପ୍ରକାଶ ନ କରି ସାନ୍ତରାଙ୍କୁ ସାଙ୍ଗରେ ଧରି ସେ ବାହାରିଗଲେ ଅମାର ଦାଣ୍ଡର ଜଳିବାଟ ଦେଇ ବାଡ଼ି ପଛପଟ କଣ୍ଟାଣିଆକୁ ।

 

ବାଇଶ

 

ହାରାମଣି ବାପଘରୁ ଫେରିଲା ଦୁଇ ମାସ ପରେ । ସେତେବେଳକୁ ପ୍ରବାଳମଞ୍ଜରୀ ଶାଶୁଘରକୁ ଫେରିଯାଇଚି । ଝିଅର ଭାରଘିତା ଆଉ ଜଇଁର ପୁନେଇଁ ଖିଆରେ ମଙ୍ଗରାଜେ ଅନେକ ଜିନିଷ ଦେଲେ । କୀର୍ତ୍ତିରଞ୍ଜନ ଦୋଳ ପୁନେଇଁର ଠିକ୍ ଦିନକ ପୂର୍ବରୁ ଆସି ପହଞ୍ଚିଥିଲା । ତା’ ପୂର୍ବରୁ ଉଦିତଚନ୍ଦ୍ର ଆସି ଘରେ ପହଞ୍ଚି ସେ ନିଜେ କୀର୍ତ୍ତିରଞ୍ଜନକୁ ନିମନ୍ତ୍ରଣ କରିବାକୁ ଯାଇ ତାକୁ ସାଙ୍ଗରେ ଘେନି ଆସିଲା । ବହୁଦିନ ତଳର ଉଦିତର ସେ ଘୋଡ଼ାଟା ଆଉ ନାହିଁ । ଏବେ ସେ ଖଣ୍ଡେ ସେକେଣ୍ଡ୍‍ହାଣ୍ଡ୍ ଜିପ୍ କରିଛି । ସେ ଖଣ୍ଡକ ସେ କିଣିଛି କି କୋଉଠୁ ଉପରିମାଲ ଭାବରେ ପାଇଛି ସେ କଥା ଅବଶ୍ୟ ଠିକ୍ କହିହେବନି । ତେବେ କେବଳ ଜିପ୍ ନୁହେଁ, ଖଣ୍ଡେ ଭଲ ଧରଣର ନୂଆ ମଟରକାର କିଣିବାକୁ ଯେ ତା’ର ଯଥେଷ୍ଟ ସାମର୍ଥ୍ୟ ରହିଚି ସେ କଥା ଆଉ ଅବିଶ୍ଵାସ କରିବାର କାରଣ ନାହିଁ । ...ବଂଶୀ ଜେନାଙ୍କ ଏ ବର୍ଷର ଦୋଳର ଆୟୋଜନକୁ ମନେମନେ ପ୍ରଶଂସା କରିବା ଭିତରେ ମଙ୍ଗରାଜେ ଆହୁରି ଏକ ଆତ୍ମପ୍ରସାଦ ଲାଭ କଲେ, ପୁଅ ଉଦିତଚନ୍ଦ୍ରର ନିଜସ୍ଵ ଜିପ୍‍ଗାଡ଼ି ଯୋଗୁଁ ।

 

ହୁଁ...ଢେର୍ କରିଚି ଉଦିତ । ଆଗେ ଘୋଡ଼ାରେ ଚଢ଼ି ଆସୁଥିଲା ସେ ଗାଁକୁ, ଏବେ ମଟର ଚଢ଼ି ଆସିଚି । ମନେମନେ ଏକଥା ଚିନ୍ତା କରି ମଙ୍ଗରାଜେ ଦେଖିଲେ, ସେକେଣ୍ଡ୍‍ହାଣ୍ଡ୍ କୁହାଗଲେ ମଧ୍ୟ ମଟର ଖଣ୍ଡକ ଅର୍ଖ ନୂଆ । ଯେମିତି ସ୍ୱାସ୍ଥ୍ୟବତୀ ଯୁବତୀର ବୟସ କଳନା କରିବା ଆବଶ୍ୟକ ପଡ଼େନା, ଜିପ୍‍ଟାର ଅବସ୍ଥା ଠିକ୍ ସେହିପରି । ସୂର୍ଯ୍ୟାସ୍ତ ଭିତରେ ସୂର୍ଯ୍ୟୋଦୟର ଚିତ୍ର ଆଙ୍କି ମଙ୍ଗରାଜେ ଦେଖିଲେ, ନିଜର ଅପରାହ୍ନ ଭିତରେ ତାଙ୍କ ଉତ୍ତରପୁରୁଷର ପ୍ରଭାତ ଆଗମ ହେଇଚି ।

 

ଭଉଣୀ ଆଉ ଭିଣୋଇକି ଯଥେଷ୍ଟ ବିଧି ବିଧାନରେ ବିଦା କରିବାପାଇଁ ଉଦିତ ବାପାଙ୍କୁ ବହୁ ପରିମାଣରେ ଅର୍ଥ ସାହାଯ୍ୟ କଲା । ଝିଅଜଇଁ ରହିବା ଭିତରେ ବଡ଼ ବୋହୂ ଆସି ନ ପାରିବାରୁ ସବୁ ଆୟୋଜନ ଭିତରେ ମଙ୍ଗରାଜେ କେତେକ ପରିମାଣରେ ଅସ୍ୱସ୍ତି ଅନୁଭବ କଲେ ମଧ୍ୟ ଉଦିତଚନ୍ଦ୍ର ହାରାମଣିକି ମଟର ନେଇ ଯାଇ ଘେନି ଆସିବାର ନାମଗନ୍ଧ ଧରିଲାନି । ସୁରେଶ୍ଵରୀ ଦେଈ କିମ୍ଵା ପ୍ରତାପ ଓ ମୀନକେତନର ସ୍ତ୍ରୀ ମଧ୍ୟ ସେ ବିଷୟରେ କୌଣସି କଥା ଉଠେଇଲେନି ।

 

“ଜାଣିଲୁ ଉଦିତ, ବଡ଼ ବୋହୂ ଯୋଗୁଁ ଚାରି ଭାଟି ଇଟା ପୋଡ଼ା ହେଲା । ଦୋଳକୁ ଏ ବର୍ଷ ଏଡ଼େ ବଡ଼ ଚାଚିରୀ ହେଲା, ପ୍ରବାଳ ଆସିଥିଲା, ପୁଣି ଜଇଁ ପୁନେଇଁ ଖାଇ ଆସିଲା, କେତେ କଥା ହେଲା, ହେଲେ କେହି ଯାଇ ବଡ଼ ବୋହୂକୁ ଟିକେ ଘେନି ଆସିଲନି...। ଆରେ ବଂଶୀ, ତତେ କଇଥିଲିନା, ବଡ଼ ବୋହୂକୁ ଆଣିବାର ବରାଦ କରିବାକୁ ?”

 

ବାପାଙ୍କ ଆଗରେ ବେଶି ସମୟ କେବେ ଛିଡ଼ା ହୁଏନା ଉଦିତ । ବଂଶୀ ଜେନା ଡାକରା ଶୁଣି ଆଗରେ ଆସି ପହଞ୍ଚିବାରୁ ଉଦିତଚନ୍ଦ୍ର ପଛକୁ ହଟିଯିବାର ଉପକ୍ରମ କଲା ।

 

“ମୁଁ ଆଉ କ’ଣ ହେଳା କରିଚି ଭାଇ ! ଅକ୍ଷୟବାବୁ ବଇଶାଖରେ ପଠେଇବାକୁ ଜବାବ ଦେଲେ, ସେଥିପେଇଁ ଛୁଆପିଲାଙ୍କୁ ଘେନି ମୁଁ ଫେରି ଆସିଲି ।”

 

ବଂଶୀ ଜେନାଙ୍କ ଉତ୍ତର ଶୁଣି ମଙ୍ଗରାଜେ ଏକ ସଂକ୍ଷିପ୍ତ ମନ୍ତବ୍ୟ କରି ନୀରବ ରହିଲେ ।

 

“ଓ, ତାଙ୍କ ଘରେ ଅକ୍ଷୟ ବର୍ତ୍ତମାନ ମାଲିକ । ସମୁଧୁଣୀ କିଛି କହିଲେନି ?”

 

ଏହା ହୁଏତ ସ୍ଵଗତଭିତ୍ତିକ ଏକ ପ୍ରଶ୍ନ । ସୁତରାଂ କେହି ତା’ର ଉତ୍ତର କିଛି ଦେଲେନି କିମ୍ଵା ତାହା ଶୁଣିବାକୁ ନିଜେ ପ୍ରଶ୍ନକର୍ତ୍ତା ମଧ୍ୟ ଆଗ୍ରହ ପ୍ରକାଶ କଲେନି ।

 

ଏ ବର୍ଷ ଦୋଳର ଆଉ ଏକ ବଡ଼ ଘଟଣା ହେଉଚି, ମିତ୍ରଭାନୁର ଆବିର୍ଭାବ । କଲେଜ ଛୁଟିରେ ସେ କୁଆଡ଼େ କେତେବେଳେଯାଏ ତା’ର କିଛି ଠିକଣା ନଥାଏ । ଏ ବର୍ଷ ଦୋଳ ଛୁଟିରେ ତିନି ଚାରିଜଣ ସାଙ୍ଗ ଧରି ସେ ଆସି ଗାଁରେ ପହଞ୍ଚିଲା । ଚଉପାଢ଼ିରେ ନ ରହି ନିଜର ସାଙ୍ଗମାନଙ୍କୁ ଧରି ମିତ୍ରଭାନୁ ରହିଲା ହାଇସ୍କୁଲ୍‍ର ହଷ୍ଟେଲ୍‍ରେ । ସେ ଏକ ଅଦ୍ଭୁତ ଯୁବକ । ବଡ଼ବଡ଼ କଥା ଭାବିବା, ଆଉ କିଛି ବଡ଼ କାମ କରିବାପାଇଁ ତା’ ମୁଣ୍ଡରେ ସବୁବେଳେ ଯେମିତି ଖିଆଲ ଚଢ଼ିଥାଏ । ଗତ କେତେବର୍ଷ ଭିତରେ ବଡ଼ ଭାଇ ଉଦିତଚନ୍ଦ୍ର ସାଙ୍ଗରେ ତା’ର କ୍ଵଚିତ ଦେଖାହେଇଚି । ଏଥର ଦୁଇ ଭାଇଙ୍କର ସାନ୍ନିଧ୍ୟ ଘଟି ଅନେକ ବିଷୟ ଆଲୋଚନା ହେଲା । ପ୍ରତାପ ଆଉ ମୀନକେତନ ବଡ଼ ଭାଇ ଉଦିତଚନ୍ଦ୍ରକୁ ଯେତେ ଡରିହରି ଛାନିଆ ହୁଅନ୍ତି, ମିତ୍ରଭାନୁ ସେମିତି ହୁଏନା । ଉଦିତଚନ୍ଦ୍ର ମଧ୍ୟ ସାନଭାଇର ବିଦ୍‍ବତ୍ତା ଯୋଗୁଁ ମିତ୍ରଭାନୁକୁ ଖୁବ୍ ଆଦର କରେ । ବିଶେଷ କଥା, ଏ ବର୍ଷ ବି.ଏ. ପାସ୍ କରିବା ପରେ ମିତ୍ରଭାନୁ ଆଇ.ଏ.ଏସ୍.ରେ ପ୍ରତିଯୋଗିତା କରିବାପାଇଁ ସ୍ଥିର କରିଛି ଶୁଣି ଉଦିତଚନ୍ଦ୍ର ମନେମନେ ଆନନ୍ଦରେ ବିଭୋର ହେଇପଡ଼ିଲା । କାଲି ସକାଳର ମିତ୍ରଭାନୁ, ତା’ରି ସାନ ଭାଇ, ସେ ଆଇ.ଏ.ଏସ୍. ହବ ! ଗଭୀର ଆନନ୍ଦର ଗୋଟା ଉତ୍ତେଜନା ଖେଳିଗଲା ତା’ ଭିତରେ । ଚଞ୍ଚଳ ପାଦରେ ଚାଲିଯାଇ ସେ ବାପାଙ୍କ ଆଗରେ ଠିଆ ହେଇ ପଡ଼ି ବଡ଼ପାଟିରେ କହିଉଠିଲା–

 

Unknown

“ମିତ୍ର ଆମର ଆଇ.ଏ.ଏସ୍. ହବ ବାପା ! ମିତ୍ରର ଚେହେରାରେ ଗୋଟା ଢଙ୍ଗ ଅଛି ବାପା, ନିଶ୍ଚେ ବଡ଼ମଣିଷ ହବ !”

କିଏ ? ଏତେଗୁଡ଼ା କଥା କିଏ କହୁଚି ତାଙ୍କୁ ?

ହୁକା ନଳିରୁ ମୁହଁ ଛଡ଼େଇ ମଙ୍ଗରାଜେ ଅନାଇଲେ ଉଦିତଚନ୍ଦ୍ରଙ୍କୁ । ଉଦିତଚନ୍ଦ୍ର ମଧ୍ୟ ନିଜେ ଆଶ୍ଚର୍ଯ୍ୟ ହେଇପଡ଼ିଚି ବାପାଙ୍କ ଆଗରେ ଏତେଗୁଡ଼ାଏ କଥା କହିପକେଇ ।

“ଆଁ...ମିତ୍ର ବଡ଼ମଣିଷ ହବ ତାହାହେଲେ ! ତେବେ କଟକରେ ରହି ସେ ଚଗଲା ହେଇନି ?”

ଏ କି ପ୍ରଶ୍ନ ?

ଉଦିତଚନ୍ଦ୍ର ବିସ୍ମୟରେ ଅଭିଭୂତ ହେଇ ଅନେଇଲା ବାପାଙ୍କ ମୁହଁକୁ । ଅଦ୍ଭୁତ କଥା, କଟକରେ ରହି ମିତ୍ରଭାନୁ ଚଗଲା ହବ କାହିଁକି ? କଲେଜ ଶିକ୍ଷାକୁ ପସନ୍ଦ କରନ୍ତିନି ବାପା...ସେଇ ଅନେକ ଦିନ ତଳର ଧାରଣା ଏବେ ମଧ୍ୟ ତାଙ୍କ ମନରେ ବସାବନ୍ଧି ରହିଚି । ସେଥିଲାଗି ବେହେଲା ବଜାଇ, ନାଟକ ଅଭିନୟ କରି, ମୀନକେତନ ତାଙ୍କର ନାଁ ରଖିବ ବୋଲି ସେ ଭାବନ୍ତି । ନିରାଶ ହେଲା ଉଦିତଚନ୍ଦ୍ର । ଫେରିଗଲା ସେ ବାପାଙ୍କ ଆଗରୁ ।

ମଙ୍ଗରାଜେ ଜୋରରେ ହୁକାର ନଳିଟାକୁ ଶୋଷି ନେଇ ଏକାଥରକେ ଗୁଡ଼ାଏ ଧୂଆଁ ଛାଡ଼ିଦେଲେ । ପୁଅ ଆଇ.ଏ.ଏସ୍. ହେଇ ଯେତେ ବଡ଼ ହାକିମ ହେଲେବି ଏ ବଂଶର ଜମିଦାରୀ ଆଉ ଫେରେଇ ଆଣି ପାରିବନି ! ଏଇ ଅବସୋସ ତାଙ୍କ ମନରେ ।

 

କୋଉଠି ମୀନ ଦୋକାନ କରିଚି...ବାପାଙ୍କର ପ୍ରିୟ ପୁତ୍ର ?

 

ବିଚରା ମୀନକେତନ ଉପରେ ଜାତ ହେଲା ଉଦିତଚନ୍ଦ୍ରର ଅହେତୁକ କ୍ରୋଧ । ଦେହରେ ଖଣ୍ଡେ ପାଇଜାମା ଆଉ ପଞ୍ଜାବି, ହାତରେ ଗୋଟାଏ ଦାମିକା ପଥରବସା ମୁଦି ଝକ୍ ଝକ୍ କରୁଚି । ବୟସ୍କ ମୁଖମଣ୍ଡଳରେ କଳା ନିଶ ହଳକର ଅସ୍ଫାଳନ ତା’ର ପୌରୁଷକୁ ଅଧିକ ଗମ୍ଭୀରତା ବ୍ୟଞ୍ଜକ କରିଚି । କୋଠା ବାରଣ୍ଡାରୁ ପାହାଚ ବାଟେ ଦାଣ୍ଡକୁ ଆସି ସେ ସାର୍ତା ବାରି ଉଦ୍ଦେଶ୍ୟରେ ଚାଲି ଚାଲି ଯିବାକୁ ବାହାରି ପଡ଼ିଲା । କିନ୍ତୁ କ’ଣ ଭାବି ଫେରି ଆସି ନିଜର ଜିପ୍ ଖଣ୍ଡକର ଆଶ୍ରୟ ଧରିଲା ।

 

ଆଗରେ ଗୋଟା ତ୍ରିଛକି, ତା’ ପାଖକୁ ଲାଗି ସାର୍ତା ବାରି । କଦମ୍‍ପାଳର ଗାଁ ରାସ୍ତାରେ ମଟର ଚାଲିବା ଖୁବ୍ କ୍ଵଚିତ । ଯୋଜନାର କାମ ଲାଗି କାଁଭାଁ କେତେବେଳେ ପରିଦର୍ଶକ କର୍ମଚାରୀଙ୍କ ଖଣ୍ଡେ ଅଧେ ମଟର ଚାଲିଯାଏ । ଉଦିତଚନ୍ଦ୍ର, ତ୍ରିଛକି ଉପରେ ମଟର ରୋକିଲାକ୍ଷଣି ଅନେକ ପିଲାଛୁଆ ଜମା ହେଇଗଲେ । ବୟସ୍କ ନରନାରୀ ମଧ୍ୟ ଅନେଇଲେ ବିସ୍ମୟରେ । କେଉଁ ଆଡ଼କୁ ଦୃଷ୍ଟି ନ ଦେଇ ଉଦିତଚନ୍ଦ୍ର ବାଉଁଶ ବତାର ଫାଟକ ଆଡ଼େଇ ମୀନକେତନର ଦୋକାନ ଆଗରେ ଯାଇ ପହଞ୍ଚିଲା । ବେଳ ପ୍ରାୟ ଅପରାହ୍ନ ଚାରିଟା ହେବ ।

 

ସନ୍ଧ୍ୟା ପ୍ରହରର ବିକ୍ରିପାଇଁ ପୋକ ଦୋକାନର ଜିନିଷପତ୍ର ସଜଡ଼ାସଜଡ଼ି କରି, କେତେଟା ଚୌକୋଣିଆ କାଠ ଡଭାରେ ଡାଲି ଆଉ ମସଲା ପ୍ରଭୃତି ଭର୍ତ୍ତି କରୁଥାଏ । କେତେଜଣ ପ୍ରାପ୍ତବୟସ୍କ ଲୋକ ଆଉ କେତୋଟି ବାଳକ ବାଳିକା ଶିଶି ବୋତଲ ଧରି ଦୋକାନ ପିଣ୍ଡାରେ ଆସି ଠିଆ ହୋଇଥାନ୍ତି । ଉଦିତଚନ୍ଦ୍ର ଅନେଇଲା ଦୋକାନ ଭିତରକୁ ।

 

ଦୋକାନ ଖଞ୍ଜା ଭିତରୁ ଭାସିଆସୁଚି ବେହେଲାର ସ୍ଵର, ଆଉ ତା’ ସାଙ୍ଗରେ ତବଲାର ଚାଟି ।

 

ଗୋଟା ଗଳାଖଙ୍କାର ମାରିଲା ଉଦିତଚନ୍ଦ୍ର ।

 

ପୋକ ଚମକିପଡ଼ି ପଦାକୁ ବାହାରି ଆସି କାକୁସ୍ଥ ଭାବରେ ନମସ୍କାର କରି ଛିଡ଼ାହେଲା-

 

“ତବଲା ବଜଉଚି କିଏ ?”

 

“ନିଧିଆ । ...ଡାକିଦେବି ବାବୁଙ୍କୁ ?”

 

ପୋକ ଉତ୍ତର ଦେଇ ପୁଣି ଉତ୍ତର ଅପେକ୍ଷାରେ ପ୍ରଶ୍ନକଲା ଅତି ବିନୟ ଭାବରେ । କିନ୍ତୁ ଉଦିତଚନ୍ଦ୍ର କିଛି ଉତ୍ତର ନ ଦେଇ ହଠାତ୍ ଫେରିପଡ଼ିଲା । ହଁ, ଭଲ ଅଛି ମୀନକେତନ, ଅର୍ଥାଗମ ସାଙ୍ଗରେ ସଙ୍ଗୀତ ସାଧନାବି କରୁଚି । କିନ୍ତୁ କ’ଣ ହବ ସଙ୍ଗୀତ, ପବନରେ ମିଳେଇଗଲା ପରେ ତା’ର ଆଉ ସତ୍ତା କ’ଣ ରହୁଚି ? କି ମୂଲ୍ୟ ମିଳିବ ପରିଣାମରେ ସେଥିରୁ...ଯଦି ବ୍ୟବସାୟରେ ପଶିଲା ସେହି ସମୟ ଭିତରେ ବ୍ୟବସାୟ ବିଷୟରେ ମୀନକେତନ ଆଉ କିଛି ଉପାୟ ଚିନ୍ତାକଲେ ହୁଏତ ଭଲ ହୁଅନ୍ତା !

 

ଏମିତି ଅନେକ କଥା ଭାବି ଭାବି ଉଦିତଚନ୍ଦ୍ର ଘର ଦାଣ୍ଡରେ ପହଞ୍ଚି ମଟର ରୋକିଲା । ମଙ୍ଗରାଜେ ସେତେବେଳକୁ ଦାଣ୍ଡପିଣ୍ଡାରୁ ଓହ୍ଲେଇ ଆସି ପଦୁଆଁ ମା’ ଡିହ ସାମ୍ନାରେ ଠିଆ ହେଇଥାନ୍ତି । ବଂଶୀ ଜେନା ଆଉ ରାମ ପଟ୍ଟନାୟକ ଫିତା ଧରି ମାପୁଥାନ୍ତି ସେହି ଡିହ ବାଡ଼ିଟାର ଚୌହଦୀ । ଉଦିତ ଆସି ସେମାନଙ୍କ ପାଖରେ ପହଞ୍ଚିଲା । ଗୋଟା କ୍ଷେପା ମାରି ଉଠିଗଲା ଡିହ ଉପରକୁ ।

 

ଡିହର ଅଗ୍ନିକୋଣକୁ ଗୋଟା ବିରାଟ କେତକୀ ବୁଦା, ତା’ ଭିତରେ ଗୋଟା ବଡ଼ ଧରଣର ସାପ ରହିଚି ବୋଲି ସମସ୍ତଙ୍କର ଧାରଣା । ସେଥିଯୋଗୁଁ ଆଗକୁ ନ ଯିବାକୁ ମଙ୍ଗରାଜେ ପୁଅକୁ ତାକିଦ୍ କରିଦେଲେ । ତେବେ କେତକୀ ବୁଦାରେ ଗୋଟା ଫୁଲ ଫୁଟିଚି, ତା’ର ବାସ୍ନାରେ ଚୌଦିଗ ମହକି ଉଠିବାରେ ଲାଗିଚି । କେତକୀ ଫୁଲରେ ବଂଶୀ ଜେନାଙ୍କର ଭାରୀ ସଉକ । କୋଉଠୁ କେତକୀ ଫୁଲ ପାଇଲେ ସେ ନେଇ ବଡ଼ ଭାଉଜ ସୁରେଶ୍ଵରୀ ଦେଈଙ୍କି ଦିଅନ୍ତି । ଫୁଲର ଆଉ କୌଣସି ଉପଯୋଗରେ ତାଙ୍କର ଆଗ୍ରହ ନଥାଏ, କେତକୀ ପାଖୁଡ଼ାରେ ଖଇର ତିଆରି ହେଲେ ସେଥିରୁ ଖଣ୍ଡେ ସେ ପାଆନ୍ତି । ସେଇ ତାଙ୍କର ପୁରସ୍କାର । କିନ୍ତୁ ସାପ ଅଛି କେତକୀ ବୁଦାରେ, ପଦାରେ ଠିଆହେଇଚି ବାଘ–ଜନୁ ମଙ୍ଗରାଜ, ପୁଅକୁ ତାକିଦ୍ କରି ସାରିଲାଣି, ଏଇ ଅବସ୍ଥାରେ ବୁଦା ଭିତରୁ ଫୁଲ ଆଣିବାକୁ ଚେଷ୍ଟାକଲେ ତାଙ୍କ ହୁକୁମ ଅମାନ୍ୟ କଲାଭଳି ହବ । କାଲି ସକାଳେ ସେ ଦେଖିଲା କାମ କରିବେ, ବଡ଼ ଲାଗି ଗୋଟାକରେ ଟାଣକରି ଖଣ୍ଡେ ଆଙ୍କୁଶୀ ବାନ୍ଧି ଦେଲେ କାମ ଫତେ ।

 

ଉଦିତଠାରୁ ସେମିତି ବେଶି ଦୂରରେ ନଥାନ୍ତି ମଙ୍ଗରାଜେ । ଉଦିତ ବୁଲୁଥାଏ ଡିହ ଉପରେ । ତା’ର ଗତିବିଧିକି ବଡ଼ ଆଗ୍ରହରେ ସେ ଲକ୍ଷ୍ୟ କରୁଥାନ୍ତି । ଆରେ ହଁ, କ’ଣ କହୁଥିଲା ସେତେବେଳେ ଉଦିତ । ବଂଶର ବଡ଼ ପୁଅ, ତାଙ୍କର ଉତ୍ତରାଧିକାରୀ, ତାଙ୍କ ଅନ୍ତେ ଏ ବଂଶର ନାଁ ରଖିବ ସିଏ...କ’ଣ ପଚାରୁଥିଲା, ତାକୁ ସିଏ ଠିକ୍ ଉତ୍ତର ସେତେବେଳେ ଦେଇ ନାହାନ୍ତି । ସହରରେ ରହି ସବୁପିଲା କ’ଣ ଚଗଲା ହଉଚନ୍ତି...ହଁ କ’ଣ କହୁଥିଲା ଉଦିତ !

 

ଭାବନା ଭିତରେ ମଙ୍ଗରାଜେ ଆଉଟିକେ ଆଗେଇଗଲେ ଆଗକୁ । ସେତେବେଳକୁ ସେଇ ଡିହ ବାଡ଼ିର କ୍ଷେତ୍ରଫଳ ପଚାରୁଥାଏ ଉଦିତ, ରାମ ପଟନା'କଙ୍କୁ ।

 

“ହଁ...ଆରେ ବାବୁ, ସେତେବେଳେ କ’ଣ କହୁଥିଲୁ ମିତ୍ରଭାନୁ କଥା !”

 

ତହସିଲଦାରଙ୍କ ସହ କଥାବାର୍ତ୍ତା ବନ୍ଦ କରି ବାପାଙ୍କୁ ଉତ୍ତର ଦେବା ଉଦ୍ଦେଶ୍ୟରେ ଉଦିତଚନ୍ଦ୍ର କେତେ ପାହୁଣ୍ଡ ହଟିଆସିଲା ନିକଟବର୍ତ୍ତୀ ଅଞ୍ଚଳକୁ । ଏତିକିବେଳେ ମିତ୍ରଭାନୁ ତା’ର ତିନିଜଣ ସାଥୀଙ୍କ ସାଙ୍ଗରେ ସେଠି ଆସି ପହଞ୍ଚିଲା । ପାତଳ ଢାଞ୍ଚାର ଦେହ, ତା’ ଉପରେ ପାତଳ କନାର ପଞ୍ଜାବି ଆଉ ଧୋତି । ମୁଣ୍ଡର କୁଞ୍ଚୁକୁଞ୍ଚିଆ ବାଳ ଗୋଛାକ ସାମାନ୍ୟ ଅବିନ୍ୟସ୍ତ ହୋଇଚି, ଓଠ ଉପରେ ଖୁବ୍ ସରୁଆ ଧାରେ ନିଶ । ଗୋଡ଼ରେ ହଳେ ବିଦ୍ୟାସାଗରୀ ଚଟି । ତା’ର ସାଙ୍ଗ ତିନିଜଣ ଆସିଥାନ୍ତି ପ୍ୟାଣ୍ଟ ଉପରେ ହାଓ୍ୟାନୀ ଲଗେଇ ।

 

ବାପାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇଁ ଉଦିତଚନ୍ଦ୍ର ମିତ୍ରଭାନୁଠାରୁ ତାହାର ସଠିକତା ପ୍ରମାଣ କରି ନେବାକୁ ଯେମିତି ଚେଷ୍ଟାକଲା ।

 

“ଆରେ ମିତ୍ର, ତୋର ସାଙ୍ଗମାନଙ୍କ ଭିତରୁ ଆଉ କିଏ ଆଇ.ଏ.ଏସ୍.ରେ ଠିଆ ହେବେ କି ? ଅନ୍ୟମାନଙ୍କର ଲକ୍ଷ୍ୟ କ’ଣ ?”

 

ବଡ଼ଭାଇର ଏପରି ପ୍ରଶ୍ନରେ ମିତ୍ରଭାନୁ ଅପ୍ରତିଭ ହେଲା । ଅନେଇଲା ତା’ର ସାଙ୍ଗମାନଙ୍କ ମୁହଁକୁ । ତିନିଜଣଙ୍କ ଭିତରୁ ଦୁଇଜଣ ବିଜ୍ଞାନର, ଅନ୍ୟ ଜଣକ ଅର୍ଥନୀତିର ଛାତ୍ର । ନିଜ ବିଷୟରେ କିଛି ନ କହି ନିଜର ଉତ୍ତରରେ ସେହିକଥା ପ୍ରକାଶ କଲା ମିତ୍ରଭାନୁ । ମଙ୍ଗରାଜେ ସେ ସବୁ ବିଷୟ ବେଶି କିଛି ବୁଝିଲେନି । ଏତିକି ବୁଝିଲେ ଯେ, ନିଜ ପୁଅ ମିତ୍ରଭାନୁ ଆଇ.ଏ.ଏସ୍. ହେଲେ ଦିନେ ବଡ଼ ହାକିମଟାଏ ହବ । ଭଲ, ଭଲ, କ୍ଷମତା ନଥିଲେ ମର୍ଦପୁଅର ମୂଲ୍ୟ କିଛି ରହେନା । ସରକାର ଜମିଦାରଙ୍କ ଠଉଁ କ୍ଷମତା କାଢ଼ିନେଇ ଏବେ ଗୋଟା ଲେଖା ଅଞ୍ଚଳ ଅଧିକାରୀ ବସେଇ ସେ କ୍ଷମତା ବାଣ୍ଟି ଦେଇଚି, ପୁଣି କୁଆଡ଼େ ଅଞ୍ଚଳ ଅଧିକାରୀ ହେଇଯିବ ଅଞ୍ଚଳ ଅଫିସର । ହଉ...ହଉ...ସବୁ କଲମର କରାମତି, ସେହି କଲମ ଧରିବ ଦିନେ ତାଙ୍କରି ମିତ୍ରଭାନୁ !

 

ମିତ୍ରଭାନୁ ଉପରେ ଦୃଷ୍ଟି ରଖିଲେ ମଙ୍ଗରାଜେ । କୁର୍ତ୍ତା ଭିତରେ ଛାତିଟା ତାଙ୍କର ଫୁଲି ଫୁଲି ଉଠିଲା । ରାମ ପଟନା'କର ପୁଅ ହେଇଚି ହାକିମ । ତାଙ୍କ ପୁଅ ତା'ଠଉଁ ବଡ଼ ହାକିମ ହବ । ମଙ୍ଗରାଜଙ୍କ ମନ ଆହୁରି ଉଲ୍ଲସି ଉଠିଲା । ଉଲ୍ଲାସରେ ପାଟିରୁ ତାଙ୍କର କିଛି ଗୋଟା ଶବ୍ଦ ବାହାରିବା ଆବଶ୍ୟକ ହେଇପଡ଼ିଲା ଯେମିତି ।

 

“ଆରେ ବଂଶୀ, କେତକୀ ବୁଦାରେ ଫୁଲ ଫୁଟିଚି ନା କ'ଣ ? ଭାରି ତ ମହକ ଛାଡ଼ୁଚି ? ହଁ...ଜାଣିଲ ବାବୁମାନେ, ଗାଁ ଭୂଇଁରେ ଆମେ ପଡ଼ିଚୁ...ଏଇ ଫୁଲଟା, ପତରଟାର ବାସ୍ନାରେ ଆମର ଭାରି ସଉକ ।”

 

ତା'ପରେ ସ୍ଵର ବଦଳେଇ ସେ ପୁଣି କହିଲେ...

 

“ବଂଶୀ, ଏ ସନର ପହିଲି ଫୁଲ ମଠକୁ ଠାକୁରଙ୍କ ପାଖକୁ ଯାଇଚିନା ?”

 

ମଙ୍ଗରାଜେ ବିଶେଷକରି ଏସବୁ କଥା ନିଜର ଉତ୍ତେଜନା ବୃଦ୍ଧି ହେତୁ କହୁଥାନ୍ତି । ସେଥିରୁ ମିତ୍ରଭାନୁ ଆଉ ତାହାର ସାଥୀମାନେ ନିଜର ଆଗ୍ରହ ବୃଦ୍ଧିପାଇଁ କୌଣସି ଖୋରାକ ପାଇଲେନି । କିଛି ସମୟ ପରେ ସେଠୁ ବିଦାୟ ନେଇ ସେମାନେ ବୁଲି ବାହାରିଗଲେ ଗାଁ ରାସ୍ତାରେ ।

 

ଆଉ ଦିନକ ପରେ ଉଦିତଚନ୍ଦ୍ର କର୍ମସ୍ଥଳକୁ ଫେରିଯିବ । ସେଥିପାଇଁ ଭାଇମାନଙ୍କର ଏକ ବୈଠକ ଡାକି ଭବିଷ୍ୟତର କର୍ମପନ୍ଥା ସମ୍ପର୍କରେ ସେମାନଙ୍କଠାରୁ ସେ କିଛି ବୁଝିବାକୁ ଉଦ୍ୟମ କଲା । ଚିତ୍ରଭାନୁ ନାଁ ବାଳକ ଶ୍ରେଣୀରେ ଅନ୍ତର୍ଭୁକ୍ତ, ମିତ୍ରଭାନୁ ସମସ୍ତଙ୍କଠାରୁ ଊର୍ଦ୍ଧ୍ଵରେ, ତେଣୁ ସେ ଦୁଇଜଣଙ୍କୁ ବାଦ ଦେଇ ବୈଠକରେ ଯୋଗ ଦେବାକୁ ଡକାଗଲା ପ୍ରତାପ ଆଉ ମୀନକେତନକୁ । ବଡ଼ଭାଇର ଏ ବାର୍ତ୍ତା ବାଞ୍ଛା ଚାକରଠାରୁ ପାଇ ସଅଳ ସଅଳ ଦୋକାନ ବନ୍ଦ କରି ମୀନକେତନ ଘରେ ଆସି ହାଜର ହେଲା ।

 

ବୈଠକ ବସିଲା ମଙ୍ଗରାଜଙ୍କ ଅଲକ୍ଷ୍ୟରେ ଚଉପାଢ଼ି ଘରେ । ଖରାବେଳେ ଉଦିତଚନ୍ଦ୍ର ଯାଇ ଦୋକାନ ପାଖରୁ ଫେରି ଆସିବା କଥା ପରେ ମୀନକେତନ ପୋକଠଉଁ ଶୁଣିଚି । ଦିନବେଳେ ମଧ୍ୟ ଗାଉଣାବାଜଣା ଚଳେଇଥିବା କଥା ବଡ଼ଭାଇ ଜାଣିପାରିଚନ୍ତି । ଏହି ଚିନ୍ତାରେ ମୀନକେତନ ବଡ଼ ଶଙ୍କିତ ମନରେ ଆସି ବସିଥାଏ । ବିଶେଷ କଥା ବଡ଼ଭାଇ ଉଦିତଚନ୍ଦ୍ର ଆଗରେ ଏପରି ଆନୁଷ୍ଠାନିକ ଭାବରେ ମିଳିତ ହେବା ପ୍ରତାପ ଆଉ ମୀନକେତନ ପକ୍ଷରେ ଆଉ କେବେ ଘଟି ନଥିଲା । ସେଥିଯୋଗୁଁ ଦୁହିଁଙ୍କ ଭିତରେ ଏକ ଅସ୍ୱସ୍ତିକର ନିରୀହତା ଯେମିତି ଘୋଟି ଯାଇଥାଏ-। ଘର ଭିତରେ ଗରମ ହେବାରୁ କିଛି ସମୟ ପରେ ସମସ୍ତେ ଆସି ବାହାରେ ବସିଲେ-। ଚଉପାଢ଼ି ପିଣ୍ଡାର ଆଗ ପାହାଚ ଉପରେ ବସିଲା ଉଦିତ, ଆଉ ତଳ ପାହାଚରେ ବସିଲେ ପ୍ରତାପ ଆଉ ମୀନକେତନ । ପ୍ରଥମେ ଉଦିତ ଦୁଇଭାଇଙ୍କୁ ଦେଶର ପରିବର୍ତ୍ତିତ ପରିସ୍ଥିତି ବୁଝେଇ ଦେଇ ବଂଶର ମାନମର୍ଯ୍ୟାଦା ରକ୍ଷା ଲାଗି କେତେକ ଉପଦେଶ ଦେଲା । ତା’ପରେ କିଛିକ୍ଷଣ ନୀରବ ରହି ସେ ପ୍ରଥମେ ପ୍ରଶ୍ନକଲା ପ୍ରତାପକୁ...

 

“ତୁ କ’ଣ କରିବୁ କହିଲୁ ପ୍ରତାପ ? ...ହଁ, ଜମିଦାରୀ ଉଠିବାବେଳେ ଆମର ସ୍ଵାର୍ଥରକ୍ଷା ପାଇଁ ତୁ ବାପାଙ୍କୁ ଅନେକ ସାହାଯ୍ୟ କରିଥିବା କଥା ମୁଁ ଶୁଣିଚି...ତେବେ ବର୍ତ୍ତମାନ କ’ଣ କରୁଚୁ, ଆଉ ଆଗକୁ କ’ଣ କରିବୁ ବୋଲି ଠିକ୍ କରିଚୁ କହିଲୁ ?”

 

ପ୍ରତାପ ହଠାତ୍ କିଛି ଉତ୍ତର ଦେଇ ପାରିଲାନି । ବିରି ମାଡ଼ ଦେଖି କୋଳଥ ଚେପା ହେଲାପରି ମୀନକେତନ ମନେମନେ ଆତଙ୍କ ଗଣିବାକୁ ଲାଗିଲା । ପ୍ରତାପ ପରେ ତା’ ଉପରକୁ ଆସିବ ଏଇ ପ୍ରଶ୍ନ, କ’ଣ କହିବ ସିଏ । ଜମିଦାରୀ କିମ୍ବା ଜମି କୌଣସି ସ୍ଵାର୍ଥ ସଂଶ୍ଳିଷ୍ଟ ଘଟଣାରେ ସେ କୁଟା ଖିଅକୁ ଦିଖଣ୍ଡ କରିନି, ପୁଣି ତା’ର ଆଗାମୀ ପନ୍ଥା ମଧ୍ୟ କ’ଣ ? ହଁ ସୁଷମା କହିଚି, ଦୋକାନ ଖଣ୍ଡକୁ ଜୀବନର ସମ୍ବଳ କରି ଧରିବାକୁ । ...କଥା ପଡ଼ିଲେ ସେ ସେଇ ଉତ୍ତର ଦବ ।

 

ପାଖର କ୍ରୋଟନ୍ ଗଛ ପଟୁ ଏହି ସମୟରେ ଗୋଟିଏ ନାରୀମୂର୍ତ୍ତି ଆଗେଇ ଆସିଲା ସେମାନଙ୍କ ଆଡ଼କୁ । ଉଦିତଚନ୍ଦ୍ର ଆଶ୍ଚର୍ଯ୍ୟ ହେଇଗଲା ସ୍ତ୍ରୀ ହାରାମଣିକି ଆଗରେ ଦେଖି । ସେମାନେ ଆସି ଦାଣ୍ଡର ଚଉପାଢ଼ିରେ ଆଲୋଚନା କରୁଚନ୍ତି, ସେଠି ଆସି ଦେଖାଦେଇଛି ଅନ୍ତଃପୁରର ନାରୀ !

 

“ପ୍ରତାପ ପରା 'ଏମେଲେ' ହେବେ, ତମେ ଜାଣିନା ? ଆଉରି ତାଙ୍କୁ ପଚାରୁଚ, ତୁ କ’ଣ କରିବୁ ? ପ୍ରତାପ କାଳେ ନାଜରେ ସେଇକଥା ନ କହିବେ, ସେଇନାଗି ମୁଁ ଏଠିକି ଚାଲିଆସିଲି...”

 

“ପ୍ରତାପ... ! ଏମ.ଏଲ.ଏ. !”

 

ହାରାମଣିର ଦାଣ୍ଡକୁ ଆସିବା କଥାରେ ଆଉ କିଛି ଦୋଷ ଦେଖିଲାନି ଉଦିତଚନ୍ଦ୍ର । ହଁ, ପ୍ରତାପ କେବେ ଏକଥା ତାକୁ କହି ନଥାନ୍ତା, ଭଲ କରିଚି ହାରାମଣି ।

 

“ତେବେ ତମେ ଏଥର ଯା'...ଆଉ କିଛି କହିବାକୁ ଅଛି ।”

 

ସ୍ଵାମୀର ଏଭଳି ପ୍ରଶ୍ନରେ ହାରାମଣି ଅବଶ୍ୟ ଆହତ ହେଲା; କିନ୍ତୁ ସେ ଆଘାତ ମନର ବେଶୀ ଗହୀରକୁ ଭେଦିଲାନି । ଅଫିସର ଲୋକ, ବାହାରର ମଞ୍ଜାଷଟାବି ସେ ଅନେକ ସମୟରେ ଘରଭିତରେ ପ୍ରକାଶ କରିବାକୁ ଭୁଲି ପାରନ୍ତିନି । ଏମିତି କେତେକଥା ସେ ସହିଚି, ଆଜିର ଏକଥା ସେମିତି ଅଧିକ କିଛି ନୁହେଁ । ହେଲେ ସେ କ’ଣ ଏମିତି କହିଚନ୍ତି କି ?

 

ହଁ...କ’ଣ ଆଉ କହିବି ବୋଲି ଭାବୁଥିଲି ତ...

 

ହାରାମଣି ନିଜକୁ ପ୍ରଶ୍ନ କରିବା ଭିତରେ କ୍ରୋଟନ୍ ଗଛରୁ ଗୋଟିଏ ପତ୍ର ଛିଣ୍ଡେଇ ଆଣି ହାତରେ ଦଳିବାକୁ ଲାଗିଲା । ତା’ର ଉପସ୍ଥିତି ପ୍ରଳମ୍ବିତ ହେଉଥିବାରୁ ଉଦିତଚନ୍ଦ୍ର ଭିତରେ ଅସନ୍ତୋଷ ଯେମିତି ଦୀର୍ଘାୟୁ ହେଉଥାଏ । ଏତିକିବେଳେ ନୀରବତାକୁ ସ୍ୱରମୁଖର କରି ହାରାମଣିର ସଂଳାପ ପୁଣି ଶୁଣାଗଲା...

 

“ଆଉ, ମୀନଙ୍କ ପେଇଁ କାହାରି ମୁଣ୍ଡ ଘୂରେଇବା ଦରକାର ନାଇଁ । ଢେର୍ ଟଙ୍କା ଖର୍ଚ୍ଚ କରି ବାପା ତାଙ୍କୁ ଦୋକାନ କରି ଦେଇଛନ୍ତି । ଖାଲି ଭଗିଆନା ସାଙ୍ଗରେ ଗଞ୍ଜେଇ ଫୁଙ୍କ ନ ଚାଲିଲେ ହେଲା ।”

 

“ହାରା ?”

 

ପ୍ରାୟ ତିନି ସେକେଣ୍ଡର ବ୍ୟବଧାନରେ ଉଦିତଚନ୍ଦ୍ର ଘୋର ଅସହିଷ୍ଣୁତା ପ୍ରକାଶ କରି ପୁଣି କହିଲା...

 

“ତମେ କ’ଣ କହୁଚ ହାରାମଣି ?”

 

“ଜମିଦାରୀ ବାବଦରେ ଯୋଉ କ୍ଷତିପୂରଣ ମିଳିଥେଲା ସେଇ ଟଙ୍କାରେ ମୀନକେତନଙ୍କ ଦୋକାନ ହେଇଚି...”

 

ତିନି ଭାଇଙ୍କ ମୁଣ୍ଡରେ ଗୋଟା ବଜ୍ର ଭାଙ୍ଗିପଡ଼ିଲା ଯେମିତି । ଉଦିତଚନ୍ଦ୍ରର ଆଖି ବୁଜି ହେଇଗଲା ଅପମାନରେ । କ'ଣ କହୁଚି ତାହାରି ସ୍ତ୍ରୀ । ବେକଟାକୁ ତା’ର ସେ ଚିପି ଦିଅନ୍ତା ନିଜ ହାତରେ । ଏଡ଼େ ସୁନ୍ଦର ଘରଟାକୁ ଭାଙ୍ଗିଦବ ଏଇ ମାଇକିନା । ସେଇ ବଦମାସ ଅକ୍ଷିଆର ଭଉଣୀ ଇଏ... ।

 

ବିକ୍ଷୋଭିତ ମନର ଚାଞ୍ଚଲ୍ୟରେ ରକ୍ତ ଉଠିଗଲା ଉଚିତଚନ୍ଦ୍ରର ମୁଣ୍ଡକୁ । ଆଖି ଟେକି ଅନେଇଲା କ’ଣ ଗୋଟା ଯେମିତି ପ୍ରତିକାର କରିବା ଲାଗି । କିନ୍ତୁ ଆଗରେ ସେ ଆଉ ହାରାମଣି କି ଦେଖିଲାନି । ହାରାମଣି ସେତେବେଳେ ଗୃହାଭିମୁଖରେ କିଛିଦୂର ଅଗ୍ରସର ହେଇଯାଇଚି । ତା’ର ମଦାଳସ ଗତିରେ ଫୁଟିଉଠୁଚି ଗଜେନ୍ଦ୍ର ଗମନ ।

 

ଭାଇମାନଙ୍କ ଭିତରେ କୌଣସି ଆଲୋଚନା ପାଇଁ ଆଉ ହାର୍ଦ୍ଦିକ ପରିସ୍ଥିତି ରହିଲାନି । ଉଦିତଚନ୍ଦ୍ର ନିଜକୁ ଯେପରି ଏକ ଜଘନ୍ୟ ଅପରାଧୀ ବୋଲି ବିଚାରିଲା । ଯେମିତି ଭାଇମାନଙ୍କୁ ସେ ଏଠିକି ଜବାନ୍‍ବନ୍ଦୀ ଦେବାକୁ ଡାକିଚି, ନିଜ ନିଜ ଭିତରେ ଆଉ ଭ୍ରାତୃତ୍ୱର ଅନାବିଳ ବନ୍ଧନ ନାହିଁ । କୋଉ ମୁହଁରେ ସେ ପୁଣି କଥା ଆରମ୍ଭ କରିବ ଭାଇ ଦୁହିଁଙ୍କ ସାଙ୍ଗରେ । ଜୀବନରେ କେବେହେଲେ ଏତେ ଛୋଟ ହେଇ ନଥିଲା ଉଦିତଚନ୍ଦ୍ର । ଏତେ ନୀଚତାର ସ୍ତରକୁ କେବେ ଯାଇ ନଥିଲା । ବଡ଼ଭାଇର ମର୍ଯ୍ୟାଦାବନ୍ତ ଆସନର ସମସ୍ତ ଭବିଷ୍ୟତ ନଷ୍ଟ ହେଇଗଲା ଆଜି । ଏହାର ପୁନରୁତ୍ଥାନ ଅସମ୍ଭବ । ଦୁଇ ଆଣ୍ଠୁ ସନ୍ଧିରେ ମୁହଁ ମାଡ଼ି ଦେଇ ସେ ଅନେକ ସମୟ ଅପ୍ରୀତିକର ନୀରବତା ଭିତରେ କାଟିଦେଲା ।

 

ପାଞ୍ଚ ମିନିଟରୁ ଦଶ, ଶେଷକୁ ତାହା ପନ୍ଦର ମିନିଟରୁ ଅତିକ୍ରାନ୍ତ ହୋଇ ନୀରବତାର ପରିଧି କୋଡ଼ିଏ ମିନିଟର ସୀମା ସ୍ପର୍ଶ କଲା । ସେମାନେ କାହିଁକି ଆଉ ବସିଛନ୍ତି ? କିଏ ଉଠିବ ଆଗେ ? ମୁଁ ? ବଡ଼ଭାଇ ? ଉଦିତଚନ୍ଦ୍ରର ଆବଦ୍ଧ ମୁଖଗହ୍ଵର ଭିତରେ ସ୍ୱଗତର ପ୍ରସୂତି ଭବନ ସୃଷ୍ଟି ହେଲା ।

 

ପ୍ରଥମେ ପ୍ରତାପ ଉଠି ଠିଆ ହେଇପଡ଼ିଲା । ହଁ, ଏମ୍.ଏଲ୍.ଏ. ହବ ସିଏ । ଦିନେ ମନ୍ତ୍ରୀବି ହେଇପାରେ । ହଁ ଠିଆ ହଉ, ଠିଆ ହଉ ପ୍ରତାପ, ଏ ବଂଶର ମାନ ରକ୍ଷା କରିବ ପ୍ରତାପ, ଯାହା କି ହଜାରେ ଆଇ.ଏ.ଏସ୍. ପାସ୍ କରି ସମ୍ଭବ ହେଇ ପାରିବନି । ହୁଏତ ପ୍ରତାପ ଯୋଗୁଁ ତା’ ନିଜର ପାହ୍ୟାଟା ଦିନେ ଅସମ୍ଭବ ରକମର ବଢ଼ିଯିବ । ଆଉ ମୀନକେତନ କ’ଣ ଖରାପ କରିଚି, ଏଡ଼େବଡ଼ ଦୋକାନର ଦାୟିତ୍ଵ, ପୁଣି ସଙ୍ଗୀତସାଧକ ପକ୍ଷରେ ଟିକେ ଗଞ୍ଜେଇ ଚିଲମ ଟାଣିଦବା ଅତି ମାମୁଲି । ମଦ ତ ନୁହେଁ । କଣ୍ଟ୍ରାକ୍ଟରଙ୍କ ଡାଲାରେ ଆସିଥିବା କେତେ ବୋତଲ ତ ପୁଣି ମୁଁ ନିଜେ ସାଫ୍ କରିଦିଏ । କ’ଣ ହେଲା ସେଇଠୁ । ଅସଲ କଥା, ସେଥିପାଇଁ ପଇସା କମେଇଲେ ହେଲା । ଉଦିତଚନ୍ଦ୍ର ଭାବିଗଲା ଏମିତି ଅନେକ ବିଷୟ । ତା’ପରେ ଉତ୍ତେଜନାରେ କହିଉଠିଲା ।

 

“ପ୍ରତାପ !”

 

ଉଦିତଚନ୍ଦ୍ରର ମୁହଁକୁ ନ ଅନେଇ ପ୍ରତାପ ଚାହିଁଲା ତା’ର ପାଦ ତଳକୁ । ସେ ପର୍ଯ୍ୟନ୍ତ ମୀନକେତନ ସେଇମିତି ଏକ ସ୍ଥାନରେ ଏକ ଅବସ୍ଥାରେ ବସିରହିଚି । ହଠାତ୍ ତାକୁ ନିଜ ଦୁଇ ବାହୁ ଭିତରକୁ ଟେକିନେଲା ଉଦିତଚନ୍ଦ୍ର । ବାପାଙ୍କର ମନୋନୀତ ଉତ୍ତରାଧିକାରୀ, ଆଇ.ସି.ଏସ୍., ଆଇ.ଏ.ଏସ୍. ହେଲେ ମଧ୍ୟ ବାପାଙ୍କ ମନରେ ଅନ୍ୟ କୌଣସି ପୁଅ ମୀନକେତନର ଆସନ ଲାଭ କରିପାରିବନି । ସେଇ ଆଦରର ମୀନକେତନକୁ ଆଜି ଏଠି ଦିଆଯାଇଛି ଘୋର ଅପମାନ । ବଡ଼ଭାଇ ଆଗରେ ବଡ଼ ଭାଉଜ ଆଜି ସେଇ ସୁନ୍ଦର ସୁଭଗ ଭାଇକୁ ଗଞ୍ଜୋଡ଼ରୂପେ ଚିତ୍ର କରିଦେଇ ଚାଲିଯାଇଚି । ସବୁକଥା ସ୍ମରଣ କରି ଉଦିତଚନ୍ଦ୍ରର ଆଲିଙ୍ଗନ ଆହୁରି ପ୍ରଗାଢ଼ ହୋଇପଡ଼ିଲା ।

 

“ମୀନ ! ଭାଇଟା ପରା, ଭୁଲିଯିବୁ ସବୁକଥା । ମୁଁ ଆଜି ଭୁଲ୍‍ରେ ତମକୁ ସବୁ ଡକେଇଲି । ଦୋକାନରେ କିଛି ଷ୍ଟେସନାରି ଜିନିଷ ରଖ, ଟଙ୍କା ଦରକାର ହେଲେ ମତେ ଲେଖିବୁ । ...କାହିଁ, ତମେ ତ କେହି କେବେହେଲେ ମତେ ଖଣ୍ଡେ ଚିଠି ଦିଅନା...ମୁଁ କ'ଣ ତମର ଭାଇ ନୁହେଁ...ନା ଅଧିକ ଦିପଇସା ରୋଜଗାର କରୁଚି ବୋଲି ମତେ ସବୁ ଆଉବାଗେ ଭାବୁଚ ?”

 

“ଭାଇ !”

 

ପ୍ରତାପର କଣ୍ଠସ୍ଵର । ଉଦିତଚନ୍ଦ୍ର ଅନେଇଲା ପ୍ରତାପର ମୁହଁକୁ ।

 

“ତମେ କ’ଣ ନୂଆବୋଉଙ୍କ କଥା ସବୁ ସତ ମନେକରୁଚ ।”

 

ପ୍ରତାପର ପ୍ରଶ୍ନ । ଅତି ଆନ୍ତରିକତାରେ ପୂରିରହିଛି ଯେମିତି ବାକ୍ୟଟିର ସମସ୍ତ ଶବ୍ଦ । ଗୋଟା ହାତ ବଢ଼େଇ ଉଦିତ ତାକୁ ପାଖକୁ ଟାଣିନେଲା । ଥପ ଥପ ହେଇ ଆଖିରୁ ତା’ର ଝରିପଡ଼ିଲା ଦୁଇ ବିନ୍ଦୁ ଅଶ୍ରୁ ।

 

“ମୁଁ ଜମା ସତ ବୁଝିନି ପ୍ରତାପ । କିନ୍ତୁ ମୋରି ସ୍ତ୍ରୀର କଥାରେ ତମେମାନେ ମତେ କ'ଣ ବୁଝୁଥିବ ସେକଥା ଭାବି ମୁଁ ଦଗ୍ଧ ହେଇ ଯାଉଚି ।”

 

ଆଉ କିଛି କହି ପାରିଲାନି ଉଦିତ ।

 

ତେଇଶ

 

ଏହା ଭିତରେ ତିନୋଟି ବର୍ଷ ଅତିକ୍ରାନ୍ତ ହେଇଯାଇଚି । ଦୁନିଆରେ, ରାଷ୍ଟ୍ରରେ ଏହା ଭିତରେ ଅନେକ କଥା ଘଟିଯାଇଚି, ଆଉ ତା’ ସାଙ୍ଗରେ କେତେକ ଘଟଣା ଘଟି ଯାଇଛି ମଙ୍ଗରାଜଙ୍କ ଘରେ । ଚନ୍ଦ୍ରର ଶଶାଟା ସାଙ୍ଗରେ ସାଙ୍ଗ ହେବାକୁ ଯାଇ ଅନ୍ତରୀକ୍ଷକୁ ଉଠି ରୁଷିଆର ଲାଇକା କୁକୁରଟା ବିଲ୍‍କୁଲ୍ ସ୍ୱର୍ଗବାସ କରିଚି । ପୁଣି ମହାକାଶ ପରିକ୍ରମା କରିଚି ମଣିଷ । ରୁଷିଆର ପ୍ରଚେଷ୍ଟାରେ ମାଟିର ଦାଆ ହାତୁଡ଼ି ମହାଶୂନ୍ୟକୁ ଉଠି ଚନ୍ଦ୍ରଲୋକରେ ଯାଇ ନିଜର ଅସ୍ତିତ୍ଵ ରକ୍ଷାକରି ମଣିଷର ବିଜୟ ଘୋଷଣା କରିଚି । ଆଉ, ରାଷ୍ଟ୍ରୀୟ ସ୍ତରରେ ଘଟିଚି ଯୋଜନାର ବହୁ ବିକାଶ, ଆବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଭାରତରେ ଦଲାଇଲାମାଙ୍କ ଆଶ୍ରୟ ଗ୍ରହଣ ପରେ ପଡ଼ୋଶୀ ରାଷ୍ଟ୍ରଦ୍ଵାରା ପଞ୍ଚଶୀଳର ପରୋକ୍ଷ ଅବମାନନା ତଥା ଶତ୍ରୁତାର ଘନାୟମାନ ଅଭିବୃଦ୍ଧି ।

 

ମଙ୍ଗରାଜଙ୍କ ଘରେ ପ୍ରଥମ ଘଟଣା ହେଲା, ସୋଶୀଳାର ଅନ୍ତର୍ଦ୍ଧାନ । ଆଉ ଚାକର ବାଞ୍ଛାର ନିରୁଦ୍ଦିଷ୍ଟ ପଳାୟନ I ଦିନେ ସକାଳୁ ସେ ଦୁହିଁଙ୍କର କୌଣସି ସନ୍ଧାନ ମିଳିଲାନି । ଖବର ଶୁଣି ମଙ୍ଗରାଜେ ଥକ୍କା ମାରି ବସି ପଡ଼ିଲେ । ଡାମ୍ଫଣ ମୁନିଆ ନିଶ ହଳକରେ ହାତ ସାଉଁଳା ବନ୍ଦକରି ବଂଶୀ ଜେନା ଅନେଇ ରହିଲେ ଆକାଶକୁ ।

 

“ଆଉ ଅନେଇଚୁ କ'ଣ ବଂଶୀ ?”

 

କେତେବେଳକେ ଥକ୍କା ଭାଙ୍ଗି ଜନୁ ମଙ୍ଗରାଜେ ପଚାରିଲେ ନିଜର ବିରାଦରୀୟ ଭାଇ ବଂଶୀ ଜେନାକୁ । ଯେମିତି ମଙ୍ଗରାଜଙ୍କ ମୁହଁରେ କିଏ ପୋତା ପୋଖରୀର ପଚା ପାଣି ତଳର ମେଞ୍ଚାଏ ପଙ୍କ ନେଶିଦେଇଛି, ନା ନା, ତା’ଠାରୁ ବେଶି । ପାଇଖାନାର ମଇଳା । ଦାନ୍ତଘଷା ନ ସରୁଣୁ ତିନି ଚାରି ଢାଳ ପାଣିରେ ମୁହଁ ଧୋଇବା ପରେ ମଧ୍ୟ ସେଥିଲାଗି ମଙ୍ଗରାଜେ ଯେମିତି ସ୍ଵସ୍ତି ପାଇପାରିଲେନି । ଗାମୁଛାରେ ମୁହଁ ଖଣ୍ଡକୁ ଅନେକ ସମୟ ଯାଏଁ ଘଷିଲେ । ମୁହଁରେ ବାର୍ଦ୍ଧକ୍ୟର ମୁଦ୍ରା ଅଧିକ ସଖ୍ୟ ପ୍ରତିଷ୍ଠା କରିଛି ।

 

“କ’ଣ କରିବା କହୁଚ, ସେ କଳଙ୍କିନୀ ପଛରେ ଆଉ ନାଗିବା ?

 

ଦାରୁଣ ଦୁଃଖ ଓ ମାନସିକ ବିଭ୍ରାନ୍ତି ଭିତରେ ବଂଶୀ ଜେନା ଉତ୍ତର ଦେଲେ ମଙ୍ଗରାଜଙ୍କୁ-। ଦୁଃଖର ଆବର୍ତ୍ତନିକ ଆତିଶଯ୍ୟ ଭିତରେ ସେ ଆହୁରି କହିଲେ–

 

“କେତେ କରିଚି ସେଇ ଟୋକୀଟା ନାଗି ଭାଇ, କେତେ ସହିଚି । ନିଜର ଝୁଅ ହେଇଥେଲେ କୋଉଦିନୁ ଦେଖିଲା କାମ କରି ଦେଇ ସାରନ୍ତିଣି !”

 

“ବଂଶୀ ?”

 

ମଙ୍ଗରାଜେ ପୁଣି ଡାକ ଦେଲେ । ତା’ର ଅର୍ଥ ସେଇ ଦେଖିଲା କାମ ଏବେ ମଧ୍ୟ ଶେଷ କରିବାକୁ ହେବ । କଳଙ୍କିନୀ ହେଇ ଏ ବଂଶର ଝିଅ ବଞ୍ଚି ପାରିବନି । ତା’ପରେ ସେଠୁ ଉଠି ଚାଲିଗଲେ ବଂଶୀ ଜେନା, କେତେ ସାଙ୍ଗ ପାଙ୍ଗ ଯୋଗାଡ଼ କରି ଅନୁସନ୍ଧାନର ବ୍ୟବସ୍ଥା କଲେ । ସେମାନେ ହୁଏତ ବେଶି ଦୂର ଯାଇ ପାରି ନଥିବେ ! ...ମଙ୍ଗରାଜେ ନିଜର ଝିଅ ପ୍ରବାଳମଞ୍ଜରୀର ଚାରିତ୍ରିକ ଦୁଃଷ୍କ୍ରିୟା ସମ୍ଭବତଃ ଏବେ ମଧ୍ୟ ପାଇ ପାରି ନାହାନ୍ତି !

 

ପ୍ରାୟ ଦଶ ମାଇଲ ଦୂରବର୍ତ୍ତୀ ନିଶିମଳା ଗାଁରେ ବାଞ୍ଛା ଆଉ ସୋଶୀଳାକୁ ଠାବ କରାଗଲା । କିନ୍ତୁ କେହି କଦମ୍‍ପାଳକୁ ଆଉ ଫେରିଲେନି । ସେମାନଙ୍କ ଭବିଷ୍ୟତ କ’ଣ ହେଲା ତା’ ମଧ୍ୟ କେହି ଜାଣିବାକୁ ପାଇଲେନି ।

 

ବାଞ୍ଛା ଆଉ ସୋଶୀଳା କୁଆଡ଼େ ଗଲେ ସତେ ?

 

ଆଜି ମଧ୍ୟ ଏଇ ପ୍ରଶ୍ନବାଚକ ଅନେକଙ୍କ ମୁହଁରେ ଫୁଟିଉଠେ । ସୋଶୀଳାର କଳଙ୍କିନୀ ଅପବାଦ କ’ଣ ଘୁଞ୍ଚିଯାଇଚି ତା’ର ନିଶ୍ଚିହ୍ନତାଦ୍ଵାରା, ଏ ପ୍ରଶ୍ନର ସମାଧାନ ମଧ୍ୟ ଏପର୍ଯ୍ୟନ୍ତ ଅନ୍ୟ ଏକ ପ୍ରଶ୍ନବାଚକର ସୃଷ୍ଟି କରିଚି । ଚଣ୍ଡିଆ ପାହାଡ଼ର ନାସୀ ତଳେ ସେ ଯେଉଁ ଦୁଇଟି ଅସ୍ଥି ପଞ୍ଜର ଏବେ ମଧ୍ୟ ମାଟିରେ ଅଧା ପୋତି ହେଇ ରହିଚି, ସେ କାହାର ? ବାଘ ଖାଇଗଲା ସୋଶୀଳା ଆଉ ବାଞ୍ଛାକୁ ! ବାଘ ? ଆଇନର ଶାସନ ଭିତରେ ମଧ୍ୟ ବାଘ ମଣିଷ ରୂପରେ ଅନେକ ସମୟରେ ଅସମ୍ଭବ ଉପଦ୍ରବ ସୃଷ୍ଟିକରେ । କିନ୍ତୁ ସେ ବାଘର ମୃତ୍ୟୁ ହୁଏନା । ନିରୁତା ବାଘ ହୁଏତ ମରିଯାଏ । ହେଲେ ମିଛ–ବାଘ ମରେନା । ପୁଣି ସେ ହୁଏ ସମାଜର ସର୍ବାଧିନାୟକ ।

 

ଆଇ.ଏ.ଏସ୍. ପାସ୍ କରିବା ପରେ ବୈଦେଶିକ ଚାକିରିରେ ଯୋଗ ଦେଇ ମିତ୍ରଭାନୁ ଚାଲିଯାଇଛି ଭାରତ ବାହାରକୁ । ପ୍ରଥମେ ସେ ପଶ୍ଚିମ ଏସିଆର କୌଣସି ଏକ ଭାରତୀୟ ଦୂତାବାସରେ ଥିଲା । ତା’ପରେ ସେଠୁ ସେ ବଦଳିହେଇଚି ବ୍ରାଜିଲ୍‍କୁ ।

 

ସମସ୍ତଙ୍କୁ ଅବାକ୍ କରି ସତକୁସତ ସୌଭାଗ୍ୟର ଶିକା ଛିଣ୍ଡିଲା–ପ୍ରତାପଚନ୍ଦ୍ରର କପାଳରେ । ଦେଶ ତଥା ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଆଉରି ଦି’ବର୍ଷ ବାକି ଅଛି । ଏଥି ଭିତରେ ହଠାତ୍ ଗୋଟାଏ ଉପନିର୍ବାଚନର ଆବଶ୍ୟକତା ସୃଷ୍ଟିହେଲା ନିଜ ଅଞ୍ଚଳର ନିର୍ବାଚନ ମଣ୍ଡଳୀରେ । ନିର୍ବାଚନ ମକଦ୍ଦମାରେ ଦେଢ଼ବର୍ଷ ଲଢି ଲଢ଼ି ଟ୍ରାଇବ୍ୟୁନାଲଠାରୁ ହାଇକୋର୍ଟ ଯାଏଁ ଦୌଉଡ଼ି ଶେଷକୁ ଜୟଲାଭ କରି ଫେରିବା–ବାଟରେ ମଟର ଦୁର୍ଘଟଣାରେ ସେଇ ଆସେମ୍ଳି ସଭ୍ୟଙ୍କ ଘଟିଲା ମୃତ୍ୟୁ । ତା’ର ଛ'ମାସ ଭିତରେ ହେଲା ଉପ–ନିର୍ବାଚନ । ସେଥିଲାଗି ଅନେକ ପ୍ରାର୍ଥୀ ସ୍ଵରାଜ ଆଶ୍ରମର ଦୁଆରେ ଭିଡ଼ ଭାଙ୍ଗିଥିଲେ ମଧ୍ୟ ହଠାତ୍ ନିଜର ତତ୍ପରତାର ତୁଙ୍ଗ ମହଲର ସାର୍ଟିଫିକେଟ୍ ପାଇଲା ପ୍ରତାପ । ଦୁଇ ଜଣ ପ୍ରତିଦ୍ଵନ୍ଦ୍ୱୀଙ୍କୁ ନିର୍ଘାତ ଚିତ୍‍ପଟାଙ୍ଗ କରି ମାସକ ଭିତରେ ପ୍ରତାପ ହେଲା ଏମ୍.ଏଲ୍.ଏ. ।

 

ଥାକୁଲା ମୁହଁରେ ଏବେ ମଙ୍ଗରାଜଙ୍କ ଆଖିପତା ଦି’ଟା ଟିକେ ଓହଳି ଆସିଲାଣି । ସେଥିରେ ପୁଣି ମେଞ୍ଚାଏ ବାଳ, ଆଗର ବଡ଼ବଡ଼ ବାଳ କେତେଟା ପଚିଯାଇଚି । ଯୌବନରେ ଯେଉଁ ମୋଟା ମୋଟା କଳା ଆଖି ପତା ଯୋଡ଼ାକ ସୁଷମାର ବିକାଶ କରୁଥିଲା ତାହା ଏବେ ଆଶଙ୍କାର ଶଙ୍କାସରେ ପରିଣତ ହେଇଚି ।

 

ସେହି ଭୀତିପ୍ରଦ ଆଖିପତା ଦି’ଟାକୁ ଉଠେଇ ମଙ୍ଗରାଜ ଆଗକୁ ଅନେଇଲେ । ଦାଣ୍ଡରେ ଅନେକ ଲୋକ ଆସି ଜମା ହୋଇ ଯାଇଚନ୍ତି । ପ୍ରତାପ କଟକ ଯାଇଚି, ଆଜି ଫେରିବାର କଥା, ମାତ୍ର ଏପର୍ଯ୍ୟନ୍ତ ଆସି ଗାଁରେ ପହଞ୍ଚିନି; ହୁଏତ ଆଉରି ଦୁଇ ଘଣ୍ଟା ଡେରି ଅଛି; କିନ୍ତୁ କୋଉ ସକାଳରୁ ଲୋକ ଆସି ଦାଣ୍ଡରେ ଥାଟ ପତ୍ର ଭାଙ୍ଗିଲେଣି ।

 

ମନେମନେ ଖୁବ୍ ଆଶ୍ଚର୍ଯ୍ୟ ହେଲେ ମଙ୍ଗରାଜେ । ପାଟିରୁ ତାଙ୍କର ନିଜର ଅଜ୍ଞାତସାରରେ ବାହାରିପଡ଼ିଲା ଗୋଟିଏ ମାତ୍ର ଶବ୍ଦ–

 

“ଏମେଲେ...”

 

ଆସେମ୍ଳି ମେମ୍ୱରଙ୍କ କ୍ଷମତା ଓ ପ୍ରତିପତ୍ତି ବିଷୟରେ ଅନେକ କଥା ସେ ଲୋକମୁଖରୁ ଶୁଣିଥିଲେ; କିନ୍ତୁ କେବେହେଲେ ସେ ସବୁ ବିଶ୍ୱାସ କରିବାକୁ ତାଙ୍କୁ ସୁଖକର ମନେ ହେଇ ନଥିଲା । ତେବେ ଜମିଦାରୀ ଉଚ୍ଛେଦ ଘଟଣାରେ ସେ ସ୍ଵଦେଶୀ ସରକାରଙ୍କ ଆଇନକାନୁନ ଉପରେ ଶେଷକୁ ଆସ୍ଥାବାନ ହେବାକୁ ବାଧ୍ୟ ହେଇ ପଡ଼ିଥିଲେ । ଆଜି ଆସେମ୍ଳି ସଭ୍ୟଙ୍କ ପ୍ରତିପତ୍ତି ସେ ପ୍ରତ୍ୟକ୍ଷ କଲେ ନିଜର ଦର୍ଶନେନ୍ଦ୍ରିୟର ମାଧ୍ୟମରେ । ପୁଣି ସେହି ଆସେମ୍ଳି ସଭ୍ୟ ଆଉ କେହି ନୁହେଁ, ନିଜ ଔରସଜାତ ପୁତ୍ର ପ୍ରତାପ । ମନଟା ତାଙ୍କର ଆନନ୍ଦରେ ପଲ୍ଲବିତ ହେଇ ପଡ଼ିଲା । କୁଆଡ଼େ ଥେଲା ଏଇ ପ୍ରତାପ ଆଜିଯାଏ, ଆଜି ହଠାତ୍ ଏ ଦାଣ୍ଡରେ ଏଡ଼େ ବିରାଟ ହେଇ ଠିଆ ହେଇଗଲା ? ନା ନା, ପ୍ରତାପ ବରାବର ଥେଲା ଇତିହାସର ପୃଷ୍ଠା ଭିତରେ, ଜମିଦାରୀ ଉଚ୍ଛେଦ ଘଟଣାରେ ଏଇ ପ୍ରତାପ ଏ ବଂଶର ଅନେକ ଉପକାର କରିଚି, ଆଜି ସେ ଇତିହାସର ପୃଷ୍ଠା ଚିରି ବାହାରି ଆସିଚି ଆଗକୁ ।

 

ମଙ୍ଗରାଜେ ଭାବିଲେ, ଏମିତି ହୁଏ, ନାନା ଭଙ୍ଗା ଗଢ଼ା ଭିତରେ ଇତିହାସ ହୁଏ ତିଆରି-। କେତେବେଳେ ପୁରୁଣା ପୃଷ୍ଠା ଚିରା ହୁଏ, କେତେବେଳେ ଅବା ନୂଆ ପୃଷ୍ଠା ଯୋଡ଼ା ହୋଇ ତିଆରି ହୁଏ ଅସଲ ଇତିହାସ । ବଡ଼ପୁଅ ଓଭର୍‍ସିଅର୍‍ରୁ ଇଞ୍ଜିନିୟର୍ ହେଇ ଲକ୍ଷପତି ହେଲା, ଆଉ ଗୋଟା ହେଲା ଆଇ.ଏ.ଏସ୍, ଏ ଦାଣ୍ଡର ଇତିହାସ ଗଢ଼ିବାରେ ସେମାନେ ସାହାଯ୍ୟ କଲେନି-। କିନ୍ତୁ ଅଖୋଜା ଅଲୋଡ଼ା ପ୍ରତାପ ଧରିଲା ଆସି ଏଠି ମଶାଲ । କୁଆଡ଼େ ଗଲା ମୀନକେତନ-? ବଡ଼ ସୁନ୍ଦର ବେହେଲା ବଜଉଥେଲା ଦିନେ, ସେଥିଲାଗି ତା’ ଉପରେ ଭାରି ଭରସା ଜମି ଯାଇଥେଲା । ନାଃ... ଯୁଗ ବଦଳି ଯାଇଚି, ବେହେଲାର ସ୍ଵରରେ ଆଉ ଇତିହାସ ଗଢ଼ାଯାଇ ପାରିବନି ! ତଥାପି...ମୀନକେତନ...ତୁ ଗୋଟା ଦୁର୍ଭାଗା ।

 

ନା ନା, ଭୁଲ୍ ଭୁଲ୍, ବିଷ୍ଣୁ ବିଷ୍ଣୁ...

 

ନିଜ ତ୍ରୁଟିର ସୁଧାରପାଇଁ କିଛି ଶବ୍ଦ ଯେମିତି ମଙ୍ଗରାଜେ ତୁଣ୍ଡରେ ଆଉଡ଼େଇବାର ଚେଷ୍ଟାକଲେ । ଅଜ୍ଞାତସାରରେ କହି ପକେଇଥିବା କଥାପାଇଁ ସେ ଏବେ ଜ୍ଞାତସାରରେ ନିଜର ଜିଭ ଅଗ କାମୁଡ଼ି ପକେଇଲେ ।

 

“ଆରେ ମୀନକେତନ ଉଠିଲାଣି...”

 

ନା, ଏକଥାବି ଭୁଲ । ଆଠଟା ଆସି ବାଜିଲାଣି, ମୀନ ହୁଏତ ଯାଇ ଦୋକାନ ଖୋଲି ସାରିବଣି ।

 

“ଆରେ, ବଂଶୀକି ଡାକିଦେଲୁ ବାଞ୍ଛା...”

 

ଆପଣା କଥାରେ ଆପେ ଚମକି ପଡ଼ିଲେ ଜନୁ ମଙ୍ଗରାଜ । ପ୍ରାୟ ଚାରିବର୍ଷ ପରେ ଆଜି ସେ ହଠାତ୍ ଭୂତ ଦେଖିଲେ ଯେମିତି, ପୁଣି ଦିନର ଆଲୁଅ ଭିତରେ । ଠିଆ ହେଇଥିଲେ ସେ ଦାଣ୍ଡକୁ ବାହାରିବା ପାଇଁ, ବିବ୍ରତ ହେଇ ସେ ପୁଣି ବସି ପଡ଼ିଲେ ବେତିର କୁର୍ଚିଟା ଉପରେ । ବାଞ୍ଛା ସାଙ୍ଗରେ ସୋଶୀଳାର ପ୍ରେତ ଆସି ବୁଲିଗଲା ଯେମିତି ତାଙ୍କ ଆଗରେ । ଗାମୁଛାରେ ଭଲ କରି ତାନେ ସେ ନିଜର ମୁହଁଟାକୁ ପୋଛିଲେ । ନିଶ ହଳକରେ ହାତ ମାରିଲେ ଥର ଥର କରି । ଯେମିତି କାହାର ଭୟଚକିତ ଦୃଷ୍ଟିରେ ସେ ନିଜର ନିଶ ବାଳକୁ ମଧ୍ୟ ମୋଡ଼ି ପାରୁନାହାନ୍ତି । ଅବଶେଷରେ ନିଶ ମୋଡ଼ିବାକୁ ସେ ସମର୍ଥ ହେଲେ । ତା’ପରେ ହଠାତ୍ ଗୋଡ଼ରେ ଫୁଲ ଚଟି ଯୋଡ଼ାକ ଗଳେଇ ଦାଣ୍ଡକୁ ବାହାରି ପଡ଼ିଲେ । ରକ୍ତରେ କେତେ ପୁରୁଷର ଖାନ୍‍ଦାନୀ । ହୁଁ, ବାଘ ମୁହଁରେ ପଡ଼ି କିଏ କୋଉଠି ମଲା, ତାକୁ ସିଏ କ’ଣ କରିବେ !

 

ଦାଣ୍ଡରେ ସେତେବେଳକୁ ଆଉରି ଲୋକ ଆସି ଜମିଗଲେଣି । ଦାଣ୍ଡରେ ଏଇମିତି ଲୋକ ସମାଗମ କରେଇବା ଲାଗି ଆଗେ ସେ କେତେ କେତେ ଟଙ୍କା ଖର୍ଚ୍ଚ କରି କେତେ ଯାନିଯାତ୍ରା କରୁଥିଲେ । ଆଜି ଲୋକ ଆସୁଚନ୍ତି ନିଜ ଅଣ୍ଟାରୁ କଉଡ଼ି ଖର୍ଚ୍ଚ କରି–ହୁଏତ ଆହୁରି ଖର୍ଚ୍ଚ କରିବା ଲାଗି ।

 

ପିଣ୍ଡାରୁ ଓହ୍ଲେଇ ସେ ପାହାଚରେ ତଳକୁ ଖସିଲେ ।

 

ହାତର ରୁପା ଗୁବବସା ବାଡ଼ିଟା ହଠାତ୍ ତାଙ୍କର ସ୍ଥାନ ଭ୍ରଷ୍ଟ ହେଲା । ଗୋଟା ପାହାଚର ପଥର ସନ୍ଧିଟା ଅଧ ଚାଖଣ୍ଡେ ଫାଙ୍କ ହେଇ ଯାଇଛି, ସେଇଠି ଗୋଡ଼ ପଡ଼ି ଚଟିଟା ଟିକେ ଖସଡ଼ିଗଲା । କିଏ ତାଙ୍କୁ ଅକସ୍ମାତ୍ ଧରି ପକେଇଲା ଆସି ।

 

ପଛକୁ ଅନେଇ ମଙ୍ଗରାଜେ ମୁହଁରେ ହସ ଟାଣିଲେ ।

 

“ଆରେ, ବଂଶୀ…”

 

“ଭାଇ !”

 

“କେତେ ଲୋକ ଦେଖୁଚୁ ଦାଣ୍ଡରେ ! ପ୍ରତାପକୁ ଅପେକ୍ଷା କରିଚନ୍ତି !”

 

ପ୍ରାୟ କୋଡ଼ିଏ ହାତ ଦୂରରେ ଜନସମାଗମ । ବଂଶୀ ଜେନାଙ୍କ ଛଡ଼ା ମଙ୍ଗରାଜଙ୍କ କଥା ଆଉ କାହାକୁ ଶୁଭିଲାନି । ବଂଶୀ ଜେନା ମଧ୍ୟ ଦିପଦ ଉତ୍ସାହ ବାକ୍ୟ ଶୁଣେଇଲେ । ଯେମିତି ସୂର୍ଯ୍ୟାସ୍ତକାଳରୁ ଅପରାହ୍ନ କହିବା ଭୁଲ୍ । କୋଉଠି କୁଆଡ଼େ ରାତିଅଧରେ ସୂର୍ଯ୍ୟୋଦୟ ହୁଏ । ହୁଏତ କାଳିଦାସ ଯାଏଁ ବଂଶୀ ଜେନା ଯାଇ ନଥିଲେ, ନହେଲେ ରଘୁବଂଶର ସେଇ ପ୍ରଦୀପରୁ ପ୍ରଦୀପାଲୋକ ପ୍ରସାରର ଉପମାଟା ସେ ସହଜରେ ଚିନ୍ତା କରିପାରିଥାନ୍ତେ ।

 

“ଅବଧାନ, ଅବଧାନ !”

 

“ହଇହୋ ରୂପ ମାହାନ୍ତି, ତମର ଏତେ ଦିନେ ଏ ଦାଣ୍ଡରେ ପାଦ ପଡ଼ିଲା !!”

 

ମୁହଁର କଥା ଶେଷ କରିବା ଆଗରୁ ପ୍ରତ୍ୟବଧାନ ପାଇଁ ମଙ୍ଗରାଜେ ହାତ ଉଠେଇଲେ-। ସେ ହାତ ଉଠା ନ ସରୁଣୁ ଖଡ଼ିଅଙ୍ଗର ମାଧ ସାମଲ ଆସି ଜୁହାର ହେଲା । ମଙ୍ଗରାଜେ ସେହି ଏକା ହାତ ଟେକାରେ ଦୁଇଟି ପ୍ରତ୍ୟବଧାନ ଶେଷ କଲେ । ଆଗରେ ଆଉରି କେତେ ଲୋକ, ମଙ୍ଗରାଜେ ସେ ସମସ୍ତଙ୍କୁ ହୁଏତ ଅନେକ ଦିନ ତଳେ ଚିହ୍ନିଥିଲେ; କିନ୍ତୁ ଆଜି ହୁଏତ ମନେ ରଖି ନାହାଁନ୍ତି । କେତେ ନମସ୍କାର, ଦଣ୍ଡବତ ଆଉ ଅବଧାନ ଭିତରେ ସେ କିଛି ବାଟ ଆଗେଇ ଯାଇ ନାଚଖାନାର ଗୋଟା ବେଞ୍ଚ୍ ଉପରେ ବସିପଡ଼ିଲେ ।

 

ନାଚଖାନାଟା ଉପନିର୍ବାଚନବେଳୁ ଅଧିକ ସଫାସୁତୁରା ଅବସ୍ଥାରେ ରହିଛି । ସେହି ସମୟରେ କେତେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଆଗମନ, କେତେ ପ୍ରଚାରକ ଆଉ କର୍ମୀଙ୍କ ଉପସ୍ଥିତିରେ କେତେ ସରଗରମ ପରିସ୍ଥିତି ଏଠି ସୃଷ୍ଟି ହୋଇ ଯାଇଛି । ପ୍ରାୟ ସେହି ସମୟରୁ ନାଚଖାନାରେ ବେଞ୍ଚ୍ ଆଉ ଚୌକିର ସଂଖ୍ୟା ମଧ୍ୟ ବଢ଼ିଯାଇଛି ।

 

“ଆରେ ନୋକେଇ ରାଉତ ? ତମର ପୁଣି ପାଦ ପଡ଼ିଚି ଏଠି ! କାନ୍ତରାଟି କରି ତ ରାଜମହଲ ପିଟି ସାଇଲଣି । ତମର ଆଉରି ପୁଣି ଦରକାର କ’ଣ ?”

 

ଟିକେ ଅପ୍ରତିଭ ହେଲେ ଲୋକନାଥ ରାଉତ । ପୂର୍ବାଶ୍ରମରେ ସେ ଜଣେ ପ୍ରାଇମେରୀ ଶିକ୍ଷକ ଥିଲେ ମଧ୍ୟ ଏବେ ହେଇଚନ୍ତି ବିପୁଳ ଧନ ସମ୍ପଦର ଅଧିକାରୀ । ତିନି ଲକ୍ଷ ଟଙ୍କାର ଗୋଟା ପାଇଲଟ୍ ପ୍ରୋଜେକ୍ଟ୍ ହାତକୁ ନେବାପାଇଁ ସେ ବର୍ତ୍ତମାନ ଚେଷ୍ଟା କରୁଛନ୍ତି । ହୁଏତ ସେଇ ସମ୍ପର୍କରେ ଏମ୍.ଏଲ.ଏ.ଙ୍କୁ ଭେଟିବା ଲାଗି ତାଙ୍କର ଏ ଆଗମନ ।

 

“ଆରେ ଠିଆ ହେଲ ସବୁ କାହିଁକି, ଏତେ ଚୌକି ବେଞ୍ଚ୍ ପଡ଼ିଚି...। ବଂଶୀ ସେ ପାଖ ଚଉପାଢ଼ି ପିଣ୍ଡାରେ ଗୋଟା ମସିଣା ପକେଇଦେଲୁ ।”

 

ମଙ୍ଗରାଜଙ୍କ ଆଜ୍ଞାକୁ ତିଳେହେଲେ ଅବଜ୍ଞା ନ କରି ବଂଶୀ ଜେନା କାମରେ ଆଗେଇ ଗଲେ । ଗୋଟା ଚୌକିରେ ବସିପଡ଼ି ଲୋକନାଥ ରାଉତ କେତେକ ମିନିଟ୍ ଆଗରୁ ଶେଷ ହେଇଥିବା ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରି କହିଲେ–

 

“ପ୍ରତାପବାବୁ ହେଲେ ଆମ ଏ ଅଞ୍ଚଳର ମାଲିକ । ତାଙ୍କୁ ଭେଟିବି ଭେଟିବି ବୋଲି ଫୁରୁସତ୍ ପାଉ ନଥେଲି । ଆଜି ଟିକେ ସମୟ ପାଇ ଚାଲି ଆସିଲି । ଆପଣଙ୍କର ସବୁ କୁଶଳ ତ ଆଜ୍ଞା !”

 

ପ୍ରତାପ ଏ ଅଞ୍ଚଳର ମାଲିକ ହେଇଚି...ଓ...ଜମିଦାରୀ ଯିବା ସାଙ୍ଗରେ ତାଙ୍କ ମାଲିକାନା ଉଡ଼ିଯାଇଚି । ଏ ସବୁ ମନରେ ଭାବିଲେବି ମଙ୍ଗରାଜେ ମୁହଁରେ କିଛି କହିଲେନି । କେବଳ ଉଚ୍ଚ ସ୍ୱରରେ ହୋହୋ ହେଇ ଗୋଟା ବଡ଼ ହସ ହସିଦେଲେ । ତା’ପରେ ହାତର ଇସାରା ଦେଇ ପାଖକୁ ଡାକିଲେ ରୂପ ମହାନ୍ତିଙ୍କୁ । ବଂଶୀ ଜେନା ମଙ୍ଗରାଜଙ୍କ ପାଖକୁ ଲଗେଇ ଗୋଟା ଚୌକି ପକେଇ ଦେଲେ ।

 

ସୁନ୍ଦରପଦା ମୌଜାର ବିଖ୍ୟାତ ଛକଡ଼ି ମହାନ୍ତିଙ୍କ ନାତି ଏଇ ରୂପମହାନ୍ତି । ପୁଅ ଜଗଦାନନ୍ଦ ସବ୍ଡ଼େପୁଟି ହେଇଚି । ପୁରୁଣା ଘର, ପୁଣି ସେଥିରେ ନୂଆ ପଲସ୍ତରା ଲାଗୁଚି । କିଛିଦିନ ରୂପ ମହାନ୍ତିଙ୍କ ମୁଣ୍ଡରେ ଗୋଛାଏ ଝିଲିପ ବାଳ ଥିଲା, ସେଥିରେ କିଛି ଅସୌନ୍ଦର୍ଯ୍ୟ ନଥିଲେବି ଅଧିକ ସଭ୍ୟ ସଙ୍ଗତ ଶୋଭନତା ଦୃଷ୍ଟିରୁ ସେତକ ସେ ହାଲି କାଟି ପକେଇଚନ୍ତି । ସେ ଆସି ମଙ୍ଗରାଜଙ୍କ ପାଖରେ ବସି ପଡ଼ିବାବେଳେ ମଙ୍ଗରାଜେ ତାଙ୍କର ସେଇ ଝିଲିପ ବାଳର ସୌନ୍ଦର୍ଯ୍ୟ ଚର୍ଚ୍ଚା କରି ଆଳାପ ଆରମ୍ଭ କଲେ ।

 

“ହଁ, ପୁଅ ଦୋପଟି ହେଲା । ତା’ପରେ ପୁଅ ବା’ଘର କଲ । ପୁଣି କାଳେ ନାତି ହେଲାଣି ବୋଲି ଶୁଣୁଚି...ଆଉ ସେ ସବୁର କିଛିହେଲେ ଗନ୍ଧ ବାସନା ଆମେ ପାଇଲୁ ନେଇଁ ତ ରୂପ !”

 

ମଙ୍ଗରାଜଙ୍କ କଥା ଶୁଣି ରୂପ ମହାନ୍ତିଙ୍କ ମୁହଁରେ ଛୋଟ ହସ ଖଣ୍ଡେ ଉକୁଟି ଉଠିଲା । ମଙ୍ଗରାଜେ ତାଙ୍କ ସୌଭାଗ୍ୟ ଓ ସମ୍ପଦର ସବୁ ଖବର ରଖିଚନ୍ତି ଜାଣି ସେ ମନେମନେ ତୃପ୍ତି ଅନୁଭବ କଲେ । ସେ କିଛି ଉତ୍ତର ଦେବା ଆଗରୁ ମଙ୍ଗରାଜଙ୍କ ପ୍ରଶ୍ନ ପୁଣି ଶୁଣାଗଲା–

 

“ପୁଅ ବର୍ତ୍ତମାନ କୋଉଠି ?”

 

ଅତି ନରମ କଣ୍ଠରେ, ଆଉ କାହାକୁ ଶୁଣା ନ ଯିବା ଭଳି ସ୍ୱରରେ ରୂପ ମହାନ୍ତି ଦି’ ହାତ ମୁଠାକୁ ମଳି ମଳି କହିଲେ–

 

“ବଡ଼ ହଇରାଣ କଥା ଆଜ୍ଞା ! ଯେତେ ଗୁଣର ଯୋଗ୍ୟର ହେଲେ କ’ଣ ହବ, ଆଜିକାଲି ଯାହାର ପଛରେ ଠିଆ ହେବାକୁ କେହି ନାହିଁ, ତା’ର କିଛି ନାଇଁ । ଚାରିବର୍ଷ ହେଲା ସୁନ୍ଦରଗଡ଼, କୋରାପୁଟ; କଳାହାଣ୍ଡି ଭିତରେ ଖାଲି ବଦଳି ହବାରେ ଲାଗିଚି । ସେଥିରେ ପିଲାଛୁଆଙ୍କର ଦେହପା ମଧ୍ୟ ଖରାପ...”

 

ସହାନୁଭୂତିସୂଚକ ଦୁଃଖ ପ୍ରକାଶ କରି ମଙ୍ଗରାଜେ ମୁଣ୍ଡ ହଲେଇଲେ ।

 

“ତାହାହେଲେ ଆମ ପ୍ରତାପ ଏଥିପେଇଁ କିଛି କରିପାରିବ,...ଭଲ, ଭଲ । ...ହଁ, ତମେ ମାଧ ସାମଲ ପୁଣି କୁଆଡ଼େ...ଭୋଟବେଳେ ତ ତମେ ପ୍ରତାପକୁ ବାଛନ୍ଦ କରି ଦେଇଥିଲ...ହୁଏତ ତମେ ଏଠି ଏମେଲେ ହେଇଥାନ୍ତ...ସରପଞ୍ଚ ନା କ’ଣ ହେଇଚ ପରା ?...ହଁ, ଜାଣିଲ ରୂପ, ଆଉ ଶୁଣିଲ ନୋକେଇ ରାଉତ, ତମର ସବୁ ମତ କ’ଣ କେଜାଣି...କିନ୍ତୁ ମୁଁ ସତ କହୁଚି, ସବୁ ନାଶ କରିଦେଲେ ଏଇ କଂଗ୍ରେସିଆ, ମୋ ପୁଅ କଂଗ୍ରେସ ଦଳରେ ପଶି ଏମେଲେ ହେଲା ବୋଲି ମୁଁ ସେଥିପେଇଁ ପରୁଆ କରିନେଇ; କିନ୍ତୁ ସତକଥା କହୁଚି ଏଇ ପଞ୍ଚାୟତ ଫଞ୍ଚାୟତ ଗଢ଼ି, ଆଉ ନାନା ଛୋଟନୋକ, ଟାଉଟରଙ୍କ ହାତକୁ କ୍ଷମତା ଦେଇ ଯା’ ଟିକେ ଗାଁରେ ଶାନ୍ତି ଥେଲା ତାକୁ ନଷ୍ଟ କରିଦେଲେ । ...କ’ଣ ସତ ନୁହେଁ ଏ କଥା...ଆଁ ?”

 

ମାଧ ସାମଲ ସେ ପର୍ଯ୍ୟନ୍ତ କୋଉଠି ହେଲେ ବସି ନଥାଏ । ଏପାଖ ସେପାଖ ବୁଲାବୁଲି କରିବା ଭିତରେ ଚଉପାଢ଼ି ପିଣ୍ଡାତଳ କ୍ରୋଟନ୍ ଗଛରୁ ଗୋଟା ପତ୍ର ଛିଣ୍ଡେଇ କ୍ରମେ ପାଖକୁ ପାଖକୁ ଆସିଲା । ଏ ଅଞ୍ଚଳର ଜଣେ ନେତାମନ୍ୟ ଲୋକ ସିଏ । ବୟସ ପଇଁତ୍ରିଶ ଛତିଶ ହବ । ଦେହରେ ଖଣ୍ଡେ ଖଦଡ଼ର ହାଓ୍ୟାନି । ବର୍ତ୍ତୁଳ ମୁହଁରେ ଗଜରା ନିଶ ଦିପଟ ଚେହେରାକୁ କେତେକ ପରିମାଣରେ ସମ୍ଭ୍ରାନ୍ତ ଦାନକରିଚି । ମଙ୍ଗରାଜଙ୍କ ମୁହଁରୁ ଏତେଗୁଡ଼ା ଅପ୍ରୀତିକର କଥା ଶୁଣିବ ବୋଲି ସେ ଆଦୌ ଭାବି ପାରି ନଥିଲା । କେବଳ ଲୋକନାଥ ରାଉତର ପାଇଲଟ୍ ପ୍ରୋଜେକ୍ଟ୍‍ପାଇଁ ତା’ର ଏଠିକି ଆସିବାର କଥା । ସେଥିପାଇଁ ରାଉତଙ୍କ ମନିବ୍ୟାଗ୍‍ର କିଛି ଅଂଶ ହୁଏତ ତା' ପକେଟରେ ଅତିଥି ହେଇଥିବ । ...କେବଳ ମାଧ ନୁହେଁ, ରୂପ ମହାନ୍ତି କିମ୍ଵା ଲୋକନାଥ ରାଉତ କେହି ମଙ୍ଗରାଜଙ୍କଠଉଁ ଏଭଳି ବଚନ ଶୁଣିବେ ବୋଲି ଆଶା କରି ନଥିଲେ । ତେବେ ସେ ଯାହାହେଉ, ମଙ୍ଗରାଜଙ୍କ କଥାର ଉତ୍ତର କେହିହେଲେ କ’ଣ ଦେବେନି, କ’ଣ କହିବେ ସେମାନେ ତାଙ୍କୁ, ଗ୍ରାମ ପଞ୍ଚାୟତରେ ଯାହା ଘଟୁଚି ସେମାନେ ସମସ୍ତେ ଊଣା ଅଧିକେ ତାହାର ଅନୁଭବୀ । ହେଲେ ଗଣତନ୍ତ୍ରର ଉଜ୍ଜୀବନ ପାଇଁ ବିରାଟ ଆଲୋଡ଼ନ ଚାଲିଚି ଦେଶରେ । ତଳୁ, ଲୋକଙ୍କ ସ୍ତରରୁ ଶାସନର ନିର୍ଦ୍ଦେଶ ଯିବ ଉପରକୁ । ପ୍ରଧାନମନ୍ତ୍ରୀ ନେହରୁ ସାହେବଙ୍କର ସେହି ଇଚ୍ଛା । ହୁଏତ ଆଜିର ମାମଲତ୍‍କାର ଆଉ ଟାଉଟର ବେଶି ଦିନ ତିଷ୍ଠିବେନି । ଭଲ ଆଉ ଶିକ୍ଷିତ ଲୋକ ଆସିଯିବେ ତାଙ୍କ ସ୍ଥାନରେ । ଆଜି ଗାଁ ଲୋକଙ୍କର ମୁଣ୍ଡ ଫାଟୁ, କାଲିକି ହୁଏତ ସେ ଘଟଣା ରହିବନି । ହୁଏତ ଆଜି ଉଚ୍ଛନ୍ନ ହୋଇଯାଇଥିବା ଲୋକଙ୍କର ଚିତାଭସ୍ମ ଉପରେ କାଲି ଗଢ଼ିଉଠିବ ନୂତନ ବ୍ୟକ୍ତିତ୍ଵ ଆଉ ନୂତନ ସମାଜ ।

 

କିନ୍ତୁ ନିଜ ଭାବନା ଭିତରେ ଏଭଳି ଚିନ୍ତାକୁ କେହି ସ୍ଥାନ ଦେଇ ପାରିଲେନି । ଅନେକଙ୍କ ମନରେ ଏହାର ବିରୋଧୀ ଚିନ୍ତାର ଉନ୍ମେଷ ମଧ୍ୟ ଘଟୁଥାଏ । ତେବେ କ’ଣ କହିବେ ସେମାନେ, ଏଠି ମାଧ ସାମଲ ଠିଆ ହେଇଚି, ସେମାନେ ଆସିଚନ୍ତି ପୁଣି କଂଗ୍ରେସ ଦଳର ଜଣେ ବ୍ୟବସ୍ଥାପକଙ୍କ ପାଖକୁ । ବାପ ମୁହଁରେ ଶିବ ଭଜନ ହେଲେ ପୁଅର ହରିକୀର୍ତ୍ତନ । ବଡ଼ ଅଡ଼ୁଆରେ ପଡ଼ିଲେ ରୂପ ମହାନ୍ତି, ଆଉ ଲୋକନାଥ ରାଉତ ।

 

ଏଥି ଭିତରେ ମାଧ ସାମଲ ମଙ୍ଗରାଜଙ୍କ ନିକଟତର ସ୍ଥାନକୁ ଚାଲି ଆସି ପୁଣି ଟିକେ ଦୂରକୁ ଘୁଞ୍ଚିଗଲା । ଯେମିତି ମାସନ୍ତକୁ ସଂକ୍ରାନ୍ତି ଅଡ଼ୁଆ ହଉଚି, ଏହିପରି ଭାବ ତା’ର ମୁହଁରେ । ଆଉ ଟିକେ ଦୂରକୁ ଚାଲି ଯାଇ ସେ ପୁଣି ଗୋଟା କ୍ରୋଟନ୍ ପତ୍ର ଛିଣ୍ଡେଇଲା ।

 

“ମାଧ, କ’ଣ ମୋ କଥାରେ ଚିଡ଼ିଗଲ କି ?”

 

ଏ ମଙ୍ଗରାଜଙ୍କ କଣ୍ଠସ୍ଵର । କାନରେ ତା’ର ସ୍ପର୍ଶ ବାଜି ଚମକି ପଡ଼ିଲା ମାଧବାନନ୍ଦ । କିନ୍ତୁ ପାଖକୁ ନ ଆସି ସେଇପରି ଦୂରରେ ଦୂରରେ ସେ ବୁଲିଲା ।

 

“ଆଉ ତମେ ସମସ୍ତେବି କିଛି କହିଲନି କେବଳ ଏଇ ମାଧ ଯୋଗୁଁ । କଂଗ୍ରେସ ସରକାର ମୋର ଜମିଦାରୀ ଛଡ଼େଇ ନେଲା ବୋଲି ମୁଁ କଂଗ୍ରେସର ବିରୋଧୀ ବୋଲି ତମେ ଭାବନା । ଆମେ ଜମିଦାରୀ ଚଳେଇଥିଲାବେଳେ କ’ଣ ସବୁ କାମ ଠିକ୍ କରୁଥେଲୁ; ସେମିତି ଏ କଥାଟା । ମାଧର ମଧ୍ୟ ଏଥିରେ ଅସହିଷ୍ଣୁ ହବା ଉଚିତ ନୁହେଁ । ଭୁଲ, ଠିକ୍‍ର ଆଲୋଚନା ପାଇଁ ଆମ ସମସ୍ତଙ୍କର ଅଧିକାର ରହିଚି, ଆଉ ସେଥିପେଇଁ ସାହସ ମଧ୍ୟ ରହିବା ଉଚିତ । ହୁଏତ ମାଧର ଗ୍ରାମପଞ୍ଚାୟତ ଠିକଣା ବାଟରେ ଚାଲିଥିବ; କିନ୍ତୁ କ୍ଷେତରପୁର ଆଉ ଲଳିତଗିରି ଗ୍ରାମପଞ୍ଚାୟତ ଖବର କିଏ ରଖିଚ । ସରପଞ୍ଚଙ୍କ ପେଟ ଭିତରେ ଗ୍ରାମପଞ୍ଚାୟତର ସବୁଯାକ ପାଣ୍ଠି । ଏ କଥା ପୁଣି ବିଚାର କରିବ କିଏ । କିହୋ ମାଧ, କହୁନା ?”

 

ମାଧ ଦେଖିଲା, ଆଉ ଅବହେଳା କରି ଉତ୍ତର ନ ଦେବାର ଉପାୟ ନାହିଁ ।

 

“ଆପଣ ଠିକ୍ କହିଛନ୍ତି ଆଜ୍ଞା; କ୍ଷେତରପୁର ଆଉ ଲଳିତଗିରି ଗ୍ରାମପଞ୍ଚାୟତରେ କୋଉଠି ଦି’ ହାତ ନୂଆ ରାସ୍ତା ହେଇଚି କି, ପୁରୁଣା ରାସ୍ତାରେ ମୁଠାଏ ମାଟି ପଡ଼ିଚି ବୋଲି ଦେଖିବନି । ରାସ୍ତାକଡ଼ର ବାଡ଼ ମଧ୍ୟ କଟା ହଉନି । କିନ୍ତୁ ସେଠି କଂଗ୍ରେସର ଲୋକ କେହି ନାହାନ୍ତି...”

 

“ଯଦି କଂଗ୍ରେସ ଲୋକ ଛଡ଼ା ଗ୍ରାମପଞ୍ଚାୟତ ଚାଲି ପାରିବ ନେଇଁ, ତାହାହେଲେ କଂଗ୍ରେସ ସେ କାମ ଆରମ୍ଭ କଲା କାହିଁକି ?”

 

ଅତି ଅସ୍ଵାଭାବିକ ଉତ୍ତେଜନାରେ ମଙ୍ଗରାଜେ ପାଟିକରି ଉଠିଲେ । ସମସ୍ତଙ୍କ କର୍ଣ୍ଣକୁହରରେ ଗୋଟା ବଜ୍ର ଭାଙ୍ଗିପଡ଼ିଲା ଯେମିତି ।

 

ମାଧ ସାମଲର ଆଉରି କେତେକଥା କହିବାକୁ ବାକିଥିଲା । ସେ କହିଥାନ୍ତା ଉପନିର୍ବାଚନ ସମ୍ପର୍କୀୟ ପୃଷ୍ଠଭୂମିର କାହାଣୀ । ଦଳର ପାଣ୍ଠିକି ତିନି ହଜାର ଟଙ୍କା ଦେଇ ନିର୍ବାଚନ ଖର୍ଚ୍ଚପାଇଁ ପାଞ୍ଚ ହଜାର ଟଙ୍କା ସାହାଯ୍ୟ ପାଇବାରେ ସେ କିପରି ପ୍ରତାପ ସହ ପ୍ରତିଯୋଗିତା କରିପାରିଲା ନାହିଁ । ତା’ର ସେ ବୃତ୍ତାନ୍ତ ଅବ୍ୟକ୍ତ ରହିଗଲା, ଆଉ ତା’ ପୂର୍ବରୁ ଫୁଟିଉଠିଲା ମଙ୍ଗରାଜଙ୍କ ମୁହଁରୁ ଗୋଟାଏ ବଜ୍ର । ସମସ୍ତେ ବିସ୍ମିତ, ତଟସ୍ଥ ଓ ବିଭ୍ରାନ୍ତ ହେଇପଡ଼ିଲେ ।

 

ମଙ୍ଗରାଜଙ୍କ ଅତି ବିଶ୍ଵସ୍ତ ଆଜ୍ଞାବହ ବଂଶୀ ଜେନା ମଧ୍ୟ ମଙ୍ଗରାଜଙ୍କ ଆଜିର କଥା ଓ ବ୍ୟବହାରରେ ଅତି କ୍ଷୁବ୍ଧ ହୋଇ ପଡ଼ିଥିବା ଜଣାଗଲା । ଏପାଖ ସେପାଖ ମୁହଁ ବୁଲେଇ ଏତିକିବେଳେ ସେ ହଠାତ୍ କହି ଉଠିଲେ–

 

“ପ୍ରତାପବାବୁ ଆସିଲେଣି !”

 

ପୁତୁରା ପ୍ରତାପକୁ ଆଜି ପ୍ରତାପବାବୁ ବୋଲି ବଂଶୀ ଜେନା ନିଜ ତୁଣ୍ଡରେ ପ୍ରଥମ କରି କହିଲେ । ଯୋଉ ପୁତୁରାକୁ ଦାଣ୍ଡରେ ଏତେ ଲୋକ ଆସି ଅପେକ୍ଷା କରିଛନ୍ତି ତାକୁ ସେ କିପରି ହୀନ ପ୍ରତିପନ୍ନ କରିବେ ନିଜର ବାକ୍ୟରେ । ବୋଧହୁଏ ତାହାହିଁ ହେଲା ତାଙ୍କର ଧାରଣା ।

 

ପ୍ରତାପ କୋଠା ପିଣ୍ଡା ଉପରେ ଆସି ଠିଆ ହୋଇଥାଏ । ବାରି ବାଟ ଦେଇ ସେ ଘରଭିତରକୁ ଆସି କେତେବେଳୁ ଗାଧୁଆ ଆଉ ଖାଇବା ପିଇବା ସାରି ଦାଣ୍ଡରେ ଲୋକ ସମାଗମର ଖବର ପାଇ ଦରବାରୀ କାଇଦାରେ ବାହାରି ପଡ଼ିଚି ପଦାକୁ । କିନ୍ତୁ ଦାଣ୍ଡରେ ବାପାଙ୍କ ଉପସ୍ଥିତି ଯୋଗୁଁ ସେ ଆଗକୁ ନ ଆସି ଅଟକିଗଲା କୋଠା ପିଣ୍ଡାରେ ।

 

ଅନେକ ନମସ୍କାର ଓ ଅଭିବାଦନର କୋଳାହଳ ଭିତରେ ସମସ୍ତେ ମୁହେଁଇ ଚାଲିଲେ ସେଇ ପିଣ୍ଡା ଆଡ଼କୁ । କେବଳ ମଙ୍ଗରାଜଙ୍କ ପାଖରେ ବସି ରହିଲେ ରୂପ ମହାନ୍ତି ।

 

ଚବିଶ

 

ଶେଷକୁ ମଙ୍ଗରାଜେ ବୁଝିପାରିଲେ, କୋଠା ପିଣ୍ଡାର ଅପ୍ରଶସ୍ତ ପରିସର ଭିତରେ ଏତେ ଲୋକଙ୍କ ସମାବେଶ ସୁବିଧାଜନକ ହେବନି । ସେ ପାଖରେ ଘରର ଅର୍ଦ୍ଦୋଳି ମଧ୍ୟ ରହିଛି । ବଂଶୀ ଜେନାଙ୍କୁ ସାଙ୍ଗରେ ଧରି ସେଥିପାଇଁ ସେ ଦାଣ୍ଡ ଚୌହଦୀ ଛାଡ଼ି ଆଗକୁ ବାହାରି ପଡ଼ିଲେ । ସେ ଚାଲିଗଲା ପରେ ରୂପ ମହାନ୍ତି ରହିଲେ ଏକାକୀ; କିନ୍ତୁ ସେ କୋଠା ପିଣ୍ଡା ଆଡ଼କୁ ମୁହେଁଇବା ଆଗରୁ ସଦଳବଳେ ପ୍ରତାପ ଆସି ପହଞ୍ଚିଲା ଦାଣ୍ଡରେ ।

 

ମଙ୍ଗରାଜେ ଆଗକୁ ଆଗକୁ ଚାଲିଲେ । ବଂଶୀ ଜେନା ଖୁବ୍ ପାଖରେ ଯାଉଥିଲେବି ସେ ପର୍ଯ୍ୟନ୍ତ କିଛି ଆଳାପ ଆରମ୍ଭ କରିବାର ସାହସ ପାଇ ନାହାନ୍ତି । ହଁ, ଆଗରେ ଦଶରା, କିଛି କହିବି କି ସେ କଥା, ଏବେ କାହିଁରେ କ’ଣ ଅନୁମତି । ପ୍ରତାପବାବୁଙ୍କ ଦାଣ୍ଡରେ ଦଶରା ହବ ଶୁଣିଲେ କେତେପଞ୍ଝା ଯାତ୍ରାବାଲା ହୁଏତ ସେମିତି ଆସି ପହଞ୍ଚିଯିବେ । ହଁ ଏବେ ଜନୁବାବୁଙ୍କ ନାଁ ନୁଚିଗଲା...ହେଲା ପ୍ରତାପବାବୁଙ୍କ ନାଁ । କେତେ ବାବୁଭାୟା, ହାକିମହୁକୁମା, କେତେ କଂଗ୍ରେସବାଲା ଆସୁଚନ୍ତି, ସମସ୍ତଙ୍କ ମୁହଁରେ ଖାଲି ପ୍ରତାପବାବୁଙ୍କ ଘର । ପ୍ରତାପବାବୁଙ୍କ ନାଁ । ଆରେ, ଆମ ଏ ପ୍ରତାପ ଏମିତି ନାଁ କମେଇବ ବୋଲି କିଏ ଜାଣିଥିଲେ !

 

“ପ୍ରତାପ ଏ ବଂଶର ନାଁ ରଖିଲା ବଂଶୀ !”

 

ଷୋଳ ଅଣା ବଂଶୀ ଜେନାଙ୍କ ମନର କଥା । ବଂଶୀ ଜେନା ଅନେଇଲେ ବଡ଼ଭାଇ ଜନ୍ମେଜୟ ମଙ୍ଗରାଜଙ୍କ ମୁହଁକୁ । ସେ ପର୍ଯ୍ୟନ୍ତ ସେ ନୀରବ ଚିନ୍ତାଭିତରେ କେବଳ ଅଗ୍ରଜଙ୍କ ସହ ପାଦ ମିଳେଇ ଯାଉଚନ୍ତି, ବର୍ତ୍ତମାନ ତୁଣ୍ଡ ଖୋଲିବାରେ ମଉକା ମିଳିଲା । ବଂଶୀ ଜେନା ମୁହଁ ଟେକିଲେ ପୁଣି ଥରେ ।

 

“ଆଉ ପଚାରିବାକୁ ଅଛି ସେ କଥା ଭାଇ !”

 

ପୁଣି କେତେ ପାହୁଣ୍ଡ ଆଗକୁ ଚାଲିଲେ ମଙ୍ଗରାଜେ । ହଁ, କୁଆଡ଼େ ଯିବେଟି । କିଛି ମୀମାଂସା ଗ୍ରହଣ କରିବା ଆଗରୁ ଆଗରେ ପଡ଼ିଲା ପଦୁଆଁ ମା’ ଡିହ; ସେ ସେଇଠି ଅଟକିଗଲେ । ସକାଳ ପ୍ରାୟ ଦଶଟାବେଳ ହେବ । ସେପାଖର ବାଉଁଶ ବୁଦାରେ ଗୋଟା କୁମ୍ଭାଟୁଆ ବୋବଉଥାଏ-। କିଛି ଦୂରରେ ଥିବା ଠାକୁରାଣୀ ମୂଳ ଯୋର ଆଡ଼ୁ ଡାକ ଛାଡ଼ିଥାନ୍ତି ଦି’ ତିନିଟା ଡାହୁକ । ଶରତ୍‍ କାଳର ଆଗମ ହେଇଚି ବସୁନ୍ଧରାରେ । ସକାଳର ଖରା ଭିତରେ ଝଟକି ଉଠୁଥିବା ସୁବର୍ଣ୍ଣର ଆଭାକୁ ଆହୁରି ତୀବ୍ର କରି ଦି’ଟା ହଳଦିବସନ୍ତ ନିକଟବର୍ତ୍ତୀ ଆକାଶରେ କଞ୍ଚା ସୁନାର ଦି’ଟା ଗାର ଟାଣି ଦେଇ ଉଡ଼ି ଚାଲିଗଲେ । ଡିହ ସେ କଣର କେତକୀ ବୁଦାଟା ସବୁଜିମାର ଗୋଟା ପ୍ରଦର୍ଶନୀରେ ପରିଣତ ହେଇଚି ଯେମିତି । ପଦୁଆଁ ମା’ ହାତର ସେଇ ତରାଟ ଗଛଟା ଆଜିଯାଏ ବଞ୍ଚିଛି । ଆଉ ସେଇ ତିରୋହିତା ମହିଳାର ବୃକ୍ଷରୋପଣର କୀର୍ତ୍ତି ଘୋଷଣା କରି ସେଥିରେ ଛାଇଯାଉଚି ଗୁଡ଼ାଏ ଧଳା ଧଳା ଫୁଲ, ନକ୍ଷତ୍ର ଭଳି ।

 

ଡାହାଣ ପାଖ ତୋଟାର ଶେଷ ପଟକୁ ଡିହଟା । ତୋଟାର ଡିହପାଖ ଶେଷଧାଡ଼ିରେ ଗୋଟା ଅଉଗଛ । ଗଛଟାରେ ଏବେବି ଚାଳିଶ ପଚାଶଟା ଫୁଲ ଫୁଟିଛି । କେତେଟା ଫୁଲ ଝଡ଼ିପଡ଼ିଚି ତଳେ । ସେଥିରୁ ଗୋଟା ଫୁଲ ହାତରେ ଆଣି ଧରିଲେ ବଂଶୀ ଜେନା । ସତେ, ଅଉ ଫୁଲ କି ସୁନ୍ଦର ! ସେଇ ଫୁଲଟିର ସୌନ୍ଦର୍ଯ୍ୟ ଅନୁଭବ କରିବା ଭିତରେ ବଂଶୀ ଜେନା ଯେମିତି ନିଜ ମଧ୍ୟରେ ଆଉ ଗୋଟିଏ ଭିନ୍ନ ମଣିଷର ଆବିଷ୍କାର କଲେ । ତା' ସାଙ୍ଗକୁ ବହୁଦିନ ତଳେ ଶୁଣିଥିବା ପଦେ ଘୋଡ଼ା ଗୀତର ସ୍ମୃତି

 

ତାଙ୍କର ମନେ ପଡ଼ିଲା, “ଅଉ ଫୁଲରେ କଞ୍ଚିନେତା ଥୋଇ ରାଧା ଯମୁନାର ନୀଳ ଜଳ ଭିତରେ ପଶିଥିଲେ ତନୁ ପଖାଳିବାପେଇଁ ।” ସେ ଆଜି ତାହାହେଲେ ପ୍ରଥମ ନୁହନ୍ତି, ଗ୍ରାମ୍ୟ କବି ଦାମୋଦର ଦେବତା କି ଆଉ କିଏ ବହୁ ଆଗରୁ ଏଇ ଅଉ ଫୁଲର ସୌନ୍ଦର୍ଯ୍ୟ ଉପଲବ୍ଧି କରି ଯାଇଚନ୍ତି । ଏ କ୍ଷେତ୍ରରେ ସେ ପ୍ରଥମ ନହେଲେବି, ଫୁଲଟିର ସୌନ୍ଦର୍ଯ୍ୟ ସେ ତଥାପି ଉପଭୋଗ କରିବାକୁ ଲାଗିଲେ । ମନଟା ତାଙ୍କର କ୍ରମେ ନରମ ହେଇ ଆସିଲା ।

 

କିଏ ?

 

ଦିନ ଆଲୁଅ ଭିତରେ ମଧ୍ୟ ଯେମିତି ଚମକି ପଡ଼ିଲେ ବଂଶୀ ଜେନା । ନିଜ ମୁହଁଟାକୁ ପିନ୍ଧା କାନିରୁ ପୁଳାଏ ଧରି ପୋଛିଦେଲେ । କିନ୍ତୁ ସାମନାରେ ଭାସି ଉଠୁଥିବା ସୋଶୀଳାର ମୁହଁକୁ ପୋଛି ପାରିଲେନି । ନିଜର ଝିଆରୀ ସୋଶୀଳା ମରିଯାଇଚି, ବ୍ୟଭିଚାରର ଫଳ ଭୋଗ କରି ସେ ଆମରି ହାତରେ ବିଦାୟ ନେଇଚି ସଂସାରରୁ । ତାକୁ କିଏ ମାରିଲା ? ସେ ନିଜେ ? ନା ନା, ନିଶିମଳା ଗାଁକୁ ସେ କେବେହେଲେ ଯାଇ ନାହାନ୍ତି; ଖାଲି ଚାରି ପାଞ୍ଚୁଟା ନୋକ ପଠେଇଥେଲେ ମଙ୍ଗରାଜଙ୍କ ଆଜ୍ଞା ପାଳନ କରି । ସେଇ ମଙ୍ଗରାଜ ପୁଣି ତାଙ୍କରି ଭାଇ, ଆଉ ସେଇ ଭାଇର ଝିଆରୀ ମଧ୍ୟ ସୋଶୀଳା ।

 

ଇସ୍ ! ଆମେ ଦି’ଟାଯାକ ପଶୁ !

 

ବଂଶୀ ଜେନା ପୁଣି ଭାବିଲେ, ବାଘ ଖାଇଲା ବାଞ୍ଛା ଆଉ ସୋଶୀଳାକୁ । ସେଇ ବାଘ ଜନୁ ମଙ୍ଗରାଜ ଆଉ ବଂଶୀ ଜେନା । ସେ ଆଖି ଟେକି ଅନେଇଲେ ଆଗକୁ । ତରାଟ ଗଛର ଫୁଲ ଗଣୁଛନ୍ତି ଯେମିତି ମଙ୍ଗରାଜେ, ସେଇମିତି ଦୃଷ୍ଟି ତାଙ୍କର ଆଗରେ କୋଉଠି ଲାଖିଯାଇଚି । ବଂଶୀ ଜେନା ଦେଖିଲେ, ସାମନାରେ ଦୃଷ୍ଟି ନିର୍ବନ୍ଧ ରଖି ମଙ୍ଗରାଜେ ଆଉ କେତେ ପାହୁଣ୍ଡ ଆଗକୁ ଚାଲିବାକୁ ଚେଷ୍ଟା କରୁଛନ୍ତି । ଧୋବ ଚମଡ଼ାର ଫୁଲଚଟି ହଳକ ଘାସର କାକର ଲାଗି ଓଦା ହେଇଯାଉଚି ।

 

ଚାରିବର୍ଷରୁ ବେଶି ହେବ ପଦୁଆଁ ମା’ ଡିହରେ ଇଟାର ନିଅଁ ବନ୍ଧା ହେଇ ରହିଛି । ତଳେ ଚାରିଫୁଟ୍ ନିଅଁ ପୋତା ହେଇ ଉପରକୁ ଉଠିଚି ଚାରି ଫୁଟ୍ ଉଞ୍ଚରେ ଇଟାର ରଦା । ବଂଶୀ ଜେନା ଦେଖିଲେ, ତାଙ୍କର କୌଣସି ସହାୟତା ନ ଲୋଡ଼ି ସେଇ ଇଟାର ରଦା ଉପରକୁ ଉଠୁଚନ୍ତି ମଙ୍ଗରାଜେ । ଶିଉଳି ଲଗା ପାହାଚ ଉପରେ ଶିଶିର ଓଦା ଚଟି ଉପରେ ଭାରା ଦେଇ ଉଠୁ ଉଠୁ ମଙ୍ଗରାଜେ ନାଥୁକିନି କଚାଡ଼ି ହେଇ ପଡ଼ିଲେ । ପଡ଼ିଯାଇ ପୁଣି ଦି'ଚାରି ହାତ ଗଡ଼ିଗଲେ ଅରମା ଘାସ ଲଟା ଉପରେ । ଅତି ଦୟନୀୟ ସେ ଦୃଶ୍ୟ ।

 

ବଂଶୀ ଜେନା ଦୌଉଡ଼ି ଗଲେ ପାଖକୁ ।

 

“ପଡ଼ିଗଲି”, “ପଡ଼ିଗଲି”, ବୋଲି ମଙ୍ଗରାଜେ ମଧ୍ୟ ଡାକ ଛାଡ଼ିଲେ ସେଇ ଅସମର୍ଥ ଅବସ୍ଥା ଭିତରେ ।

 

ବଂଶୀ ଜେନା ପାଖରେ ପହଞ୍ଚି ମଙ୍ଗରାଜଙ୍କୁ ଟେକିବାକୁ ଚେଷ୍ଟା କଲେ । କିନ୍ତୁ ପ୍ରକୃତରେ ତଳୁ ଉଠେଇବାର କୌଣସି ଉପକ୍ରମ କଲେନି । ମଙ୍ଗରାଜେ ଅନେଇଥାନ୍ତି ବଂଶୀ ଜେନାଙ୍କ ମୁହଁକୁ । ବଂଶୀ ପାଖରେ ଥାଉଁ ଥାଉଁ ତାଙ୍କ ଉପରେ ଦୁର୍ଭାଗ୍ୟର କରଣୀ ସହଜରେ ଖଟିବନି । ତାଙ୍କର ପୂରା ହୋସ୍ ଥାଏ । ସେ କିନ୍ତୁ ଦେଖିଲେ, ତାଙ୍କର ସମସ୍ତ ବିଶ୍ୱାସ ଓ ଆସ୍ଥାକୁ ବିପର୍ଯ୍ୟସ୍ତ କରି ବଂଶୀ ଜେନା କଲା ଚରମ ବିଶ୍ୱାସଘାତକତା । ତାଙ୍କୁ ଟେକିବା ବାହାନାରେ ଓଲଟି ତାଙ୍କୁ ଗଡ଼େଇ ଗଡ଼େଇ ନେଇ କେତକୀ ବଣକୁ ଠେଲିଦେଲା ।

 

“ଆରେ ବଂଶିଆ ?”

 

ଜୀବନ ବିକଳରେ ଗୋଟା ବଜ୍ରନିନାଦ କଲେ ମଙ୍ଗରାଜେ । ବଂଶୀ ଜେନାଙ୍କ ଭିତରେ ଏ ନିନାଦରେ ଗୋଟା ପ୍ରବଳ ଆଲୋଡ଼ନ ଖେଳିଗଲା । ସତେ ସିଏ ମାରିଦେବାକୁ ବସିଚି ନା କ’ଣ ମଙ୍ଗରାଜଙ୍କୁ ? ଏହି ମଙ୍ଗରାଜ ତାକୁ ଜମିବାଡ଼ି, ପେଜ ପାଣି, ଖୁଦ କୁଣ୍ଡା, ଦୁଧ ଘିଅ ସବୁ ଦେଇ ବଞ୍ଚେଇ ଆସିଚି । ଆଉ, ଆଜି ସେ ତା’ର ଜୀବନଦାତାକୁ ମାରିଦଉଚି । କିଏ ସେଇ ସୋଶୀଳା, ନିଜର ବଞ୍ଚି ରହିବାର ଅଧିକାରକୁ ନିଜେ ନଷ୍ଟ କରି ଦେଇଥିଲା ସେଇ ଟୋକୀ ।

 

ବଂଶୀ ଜେନାଙ୍କ ଦ୍ୱିଧାଗ୍ରସ୍ତ ନିଷ୍କ୍ରିୟତା ଭିତରେ ମଙ୍ଗରାଜେ ପୁଣି ଗୋଟାଏ ଗର୍ଜନ ଛାଡ଼ିଲେ ।

 

“କିଏ ଅଛ ଧାଇଁପଡ଼ହୋ, ମତେ ବଂଶିଆ ଏଠି ମାରି ପକେଇଲା ।”

 

ପ୍ରତାପ ପାଖରୁ କାମ ଶେଷ କରି ସେଇ ଡିହ ପାଖ ରାସ୍ତାରେ ଫେରୁଥିଲେ ମାଧ ସାମଲ ଆଉ ଲୋକନାଥ ରାଉତ । ଦୁହେଁ ତଟସ୍ଥ ହେଇଗଲେ ସେଇ ଚିତ୍କାର ଶୁଣି । ପ୍ରାୟ ଦୁଇ ଶହ ହାତର ବାଟକୁ ଚାରି ଛ' ଖେପାରେ ଡେଇଁ ମଙ୍ଗରାଜଙ୍କ ପାଖରେ ଆସି ପହଞ୍ଚିଲା ମାଧ ସାମଲ । ଲୋକନାଥ ରାଉତ ମଧ୍ୟ ଆସି ପହଞ୍ଚିଲା ପଛେ ପଛେ । ବଂଶୀ ଜେନା ଅବାକ୍ ହେଇ ଅନେଇଲେ ସେ ଦୁହିଁଙ୍କି । ସେ ଭାବିଥିଲେ, ପୁରାତନ ପକ୍ଷାଘାତ ରୋଗୀ ମଙ୍ଗରାଜଙ୍କୁ ସେ ମୁମୂର୍ଷୁ ଅବସ୍ଥାରେ ଛାଡ଼ିଦେଇ ଯିବେ ଏଇ କେତକୀ ବୁଦା ଭିତରେ । ତା’ପରେ ବୁଦା ଭିତରେ ଥିବା ବିଷଧର ସର୍ପ କରିବ ମଙ୍ଗରାଜଙ୍କ ଶେଷ ସତ୍କାର । ସହଜରେ ସେ କୌଣସି ଦୋଷରେ ଭାଗୀ ହେଇ ପାରିବେନି । କିନ୍ତୁ ଘଟିଲା ଠିକ୍ ତା’ର ବିପରୀତ । ଆଉ କିଛି ଉପାୟ ନ ଦେଖି ମାଧ ସାମଲ ଏବଂ ଲୋକନାଥ ରାଉତଙ୍କ ସାମନାରେ ଲମ୍ବ ହେଇ ପଡ଼ିଗଲେ ବଂଶୀ ଜେନା ।

କେହି କିନ୍ତୁ ବଂଶୀ ଜେନାଙ୍କ ସେ କାର୍ଯ୍ୟ ପ୍ରତି ଦୃଷ୍ଟି ଦେଲେନି । ଦୁହେଁଯାକ ଲାଗି ଯାଇ ମଙ୍ଗରାଜଙ୍କୁ କେତକୀ ପତ୍ର ଅରମା ଭିତରୁ ଟେକି ଆଣି ଇଟା ଗାନ୍ଥିନିର ନିଅଁ ରଦା ଉପରେ ବସେଇଲେ । ପ୍ରକୃତରେ ମଙ୍ଗରାଜଙ୍କର ବିଶେଷ କିଛି କ୍ଷତି ହେଇ ନଥାଏ । କେବଳ ପାଦର ଚଟି ହଳକ ଆଉ ହାତର ରୁପା ଗୁବବସା ବାଡ଼ିଟା ଖସି ଯାଇଥାଏ ଥୋଡ଼ା ଦୂରକୁ । ହେଲେ, ମଙ୍ଗରାଜଙ୍କ ମନର ଦମ୍ଭ ଆଉ ନଥାଏ । ଟିକେ ସାଷ୍ଟମ ହେବାପରେ ସେ ଖାଲି ବଂଶୀ ଜେନା କଥା ଭାବିବାକୁ ଲାଗିଲେ ।

ତାଙ୍କୁ କ’ଣ କଲା ଆଜି ବଂଶିଆ, ଗଡ଼େଇ ଗଡ଼େଇ ନେଇ କେତକୀ ବଣରେ ପକେଇଦେଲା ସାପ ଖାଇବ ବୋଲି !

ପୁଣି କ’ଣ ଭାବି ସେ ହସିବାକୁ ଯାଇ କାନ୍ଦି ପକେଇଲେ । କିନ୍ତୁ ଆଖି କଣର ତାଙ୍କର ସେ ଅଶ୍ରୁ ବିନ୍ଦୁକୁ କେହି ଦେଖି ପାରିଲେନି । ପର ମୁହୂର୍ତ୍ତରେ ସେ ଟିକେ ହସିଦେଲେ । ସେତେବେଳକୁ ଅନେକ ଲୋକ ସେଠି ଆସି ଜମିଗଲେଣି । ପ୍ରତାପ ଆଉ ତା’ ପାଖରେ ଦାଣ୍ଡରେ ଯେତେ ଲୋକ ଥିଲେ ପୁଣି ମୀନକେତନ ଚିତ୍ରଭାନୁ ଆଉ ଗାଁର ଅଧେ ଲୋକ ଆସି ସେଠି ଜମା ହେଇଗଲେ । କେହି କିନ୍ତୁ ପ୍ରକୃତ ଘଟଣା କ’ଣ କିଛି ବୁଝିପାରିଲେନି । ଏପରି କି ପ୍ରତାପ ଆଉ ମୀନକେତନ ମଧ୍ୟ କିଛି ଜାଣି ପାରି ନଥାନ୍ତି । ସମସ୍ତେ ଭାବୁଥାନ୍ତି, ଗୋଡ଼ ଖସିଗଲା ମଙ୍ଗରାଜେ ତ ପଡ଼ିଗଲେ । ମାତ୍ର ବଂଶୀ ଜେନାଙ୍କ ଅବସ୍ଥା ଏମିତି କାହିଲ୍ କାହିଁକି !

କ’ଣ ଘଟିଚି ସତେ !

ସମସ୍ତଙ୍କ ମୁହଁରେ ଫୁଟିଉଠିଲା ଏକ ବିରାଟ ପ୍ରଶ୍ନବାଚକ ।

କିଛି ସମୟ ପରେ ମଙ୍ଗରାଜଙ୍କୁ ଘରକୁ ନେବାପାଇଁ ଉଦ୍ୟମ କରାଗଲା । କେତେକ ଲୋକ ତାଙ୍କୁ ହାତ–ଛନ୍ଦାରେ ବସେଇ ଟେକି ନେଇ ଯିବାକୁ ବସିଲେ । ଆଉ କେତେକ ସ୍ଥିର କଲେ ଚଉପାଢ଼ି ପିଣ୍ଡାରୁ ଗୋଟା ସବାରି ଉଠେଇ ଆଣି ସେଥିରେ ବସେଇ ନେବାକୁ । କିନ୍ତୁ ସେ ସବୁ ପ୍ରସ୍ତାବନାକୁ ରଦ୍ଧ କରିଦେଲେ ମଙ୍ଗରାଜେ ନିଜେ ।

“ନା, ମୁଁ ଛାଏଁ ଚାଲି ଚାଲି ଯିବି । ମୁଁ ବଂଶୀ ସାଙ୍ଗରେ ଆସିଚି, ସେଇ ବଂଶୀ ସାଙ୍ଗରେ ଯିବି । ମୋର କିଛି ହେଇନି । ମୁଁ ନିଜେ ପଡ଼ିଗଲି ।”

“ଆପଣ କ’ଣ ଚାଲି ପାରିବେ ?” ପ୍ରତାପ ପ୍ରଶ୍ନ କଲା ।

ପୁଅର ପ୍ରଶ୍ନ ଶୁଣି ମଙ୍ଗରାଜେ ତା’ ମୁହଁକୁ ଅନେଇ ଟିକେ ହସିଦେଲେ । ସେ ହସରେ ଉତ୍ସାହ ନାହିଁ କି ଉତ୍ତାପ ନାହିଁ । ଯେମିତି ଦିନଶେଷର ସକଳ ନିସ୍ତେଜତାରେ ଗଢ଼ା ହେଇଚି ସେଇ ହସ ।

 

ସତ୍ୟତାର ପରୀକ୍ଷାପାଇଁ ମଙ୍ଗରାଜଙ୍କ ନିଜ ମନରେ ମଧ୍ୟ ସନ୍ଦେହ ହେଲା । ସତରେ ସେ ଚାଲିପାରିବେ କି ନାହିଁ ! ତା'ପରେ ସେ ଉଠି ଛିଡ଼ା ହେଲେ । ପାଦ ବଢ଼େଇଲେ ଚାଲିବାପାଇଁ-। ସେ ଚାଲିଲେ । ସମସ୍ତେ ଆଶ୍ଚର୍ଯ୍ୟ ହେଇ ଅନେଇଲେ ତାଙ୍କ ଗୋଡ଼କୁ । ବଂଶୀ ଜେନାଙ୍କର ଯେମିତି ଜୀବନ୍ତ ମରଣ ହେଇଚି । ସେ ମଧ୍ୟ ଦେଖିଲେ ମଙ୍ଗରାଜେ ଚାଲୁଚନ୍ତି । କାହାରି ମୁହଁକୁ ନ ଅନେଇ, ଲୋକଙ୍କ ଭିଡ଼ ଠେଲି ସେ ଆସି ମଙ୍ଗରାଜଙ୍କ ଠିକ୍ ବାଁ ପାଖକୁ ଲାଗି ଠିଆହେଲେ-

 

ଗୋଟିଏ ହାତରେ ବାଡ଼ି, ଗୋଟିଏ ହାତ ବଂଶୀ ଜେନାଙ୍କ କାନ୍ଧରେ ଭରା ରଖି ଚାଲିଲେ ମଙ୍ଗରାଜେ ।

 

ସ୍ଵାମୀଙ୍କ ଖବର ଶୁଣି ଘରଭିତରେ ସୁରେଶ୍ଵରୀ ଦେଈ ଅସମ୍ଭାଳ ହେଇ ରହିଥିଲେ । କେତେଥର ଦାଣ୍ଡକୁ, ପୁଣି ତା’ଠଉଁ ଆହୁରି ଆଗକୁ ଆସି ଫେରି ଯାଇଛନ୍ତି । କାର୍ତ୍ତିକା ଚାକରଠାରୁ ପରବର୍ତ୍ତୀ ସମ୍ବାଦ ଶୁଣି ସେ ଟିକେ ଆଶ୍ଵସ୍ତ ହେଇଚନ୍ତି । ଘରଭିତରେ ବୋହୂ ଓ ନାତିନାତୁଣୀମାନେ ଛନକା ହେଇ ରହିଥିଲେ । ଜେଜେଙ୍କୁ ଦାଣ୍ଡ ଭିତରେ ପଶିବାର ଦେଖି ନାତିନାତୁଣୀଯାକ ଧାଇଁ ଆସି ତାଙ୍କ ଚାରିପାଖରେ ବେଢ଼ ଗଲେ । କାହା ପ୍ରତି ଭ୍ରୂକ୍ଷେପ ନକରି ସୁରେଶ୍ଵରୀ ଦେଈ ଛୁଟିଆସିଲେ ଦାଣ୍ଡର ଅଧା ଯାଏଁ । ଅସୁରୁଣୀ ଗୋଟାକର ବଳରେ ତାଙ୍କ ଦେହଟା ଯେମିତି ଉଠୁଥାଏ ପଡ଼ୁଥାଏ, ଯେମିତି ସେ ସ୍ଵାମୀଙ୍କି କୋଳରେ ଯାକି ଟେକି ନେଇଯାନ୍ତେ ଘରଭିତରକୁ, ଏହିପରି ଭାବ ତାଙ୍କ ମନରେ ଢୁଆ ମାରୁଥାଏ । କିନ୍ତୁ ମଙ୍ଗରାଜଙ୍କ ପଛରେ ଏତେ ଲୋକ ଗୋଟା ପଟୁଆର କରି ଆସୁଥିବାର ଦେଖି ସେ ପଛକୁ ହଟିଗଲେ ।

 

ଦାଣ୍ଡ ପାହାଚ ପାଖରେ ପହଞ୍ଚି ବଂଶୀ ଜେନା ମଙ୍ଗରାଜଙ୍କୁ ଆଉ ଚଲେଇ ଦେଲେନି । ଦି’ ହାତରେ ଟେକି ନେଇଗଲେ ଖଞ୍ଜା ଭିତରକୁ ।

 

ମଙ୍ଗରାଜଙ୍କ ଖଞ୍ଜା ଘର ଭିତରକୁ ବାହାରର ଲୋକ କେହି ଗଲେନି । ସେ ସାହସ କାହାରି ନାହିଁ କିମ୍ୱା ସେ ଚଳଣି ମଧ୍ୟ ନାହିଁ । ଦାଣ୍ଡରୁ କିଛିକ୍ଷଣ ପରେ ଲୋକ ମଧ୍ୟ ଭାଙ୍ଗିଗଲେ । କିଛି ହେଇନି, ମଙ୍ଗରାଜେ ପଡ଼ି ଯାଇଥିଲେ ଟିକେ । ବୁଢ଼ାର ଦିହ ବଜ୍ର । ଏତେ ଉନ୍ନତି ଘଟୁଥେଲାବେଳେ ତାଙ୍କର କ’ଣ କିଛି ହବ । ଆଉ ପାଁ–ଦଶବର୍ଷ ବଞ୍ଚି ରହନ୍ତୁ ସିଏ...ଯେତେ ଯିଏ ନାଁ କଲେ ସମସ୍ତେ ପିଲା...ସିଏ ଚାଲିଗଲେ ଏ ଅଞ୍ଚଳରୁ ଦୀପ ନିଭିଯିବ । ...ଏମିତି କେତେ କଥା କହି କିଏ କେତେ ଟିପ୍ପଣୀ କାଟିଲେ ।

 

ସମସ୍ତେ ଚାଲିଗଲା ପରେ ପ୍ରତାପ ପାଖରେ ରହିଲେ ମାଧ ଆଉ ଲୋକନାଥ ରାଉତ-। ମୀନକେତନ ଆଉ ଚିତ୍ରଭାନୁ ସେତେବେଳକୁ ଖଞ୍ଜା ଭିତରକୁ ଆସି ବାପାଙ୍କ ପାଖରେ ବସିଥାନ୍ତି-। ଭିତର ପିଣ୍ଡାରେ ଖଣ୍ଡେ ଗାଲିଚା ବିଛେଇ ସ୍ଵାମୀଙ୍କ ଗୋଡ଼ରେ ହାତ ବୁଲଉଥାନ୍ତି ସୁରେଶ୍ଵରୀଦେଈ । ବଂଶୀ ଜେନା ନିର୍ବେଦ ହେଇ ଛିଡ଼ା ହେଇଥାନ୍ତି କୋଠା ବାରଣ୍ଡାର ଗୋଟିଏ ଖୁମ୍ବକୁ ଆଉଜି । ହୁଏତ ସେ ଭାବୁଥାନ୍ତି, ମଙ୍ଗରାଜେ ନିଜ ମୁହଁରେ ସତକୁ ମିଛ କରି ଦେଇଚନ୍ତି ସିନା, ତେଣେ ବୋଧହୁଏ ପ୍ରତାପକୁ ସବୁ କଥା କହି ଦେଇଥିବେ ମାଧ ସାମଲ ଆଉ ନୋକେଇ ରାଉତ । ...ସତେ ସେ କି ଭୁଲ୍ କଲା ଆଜି । କୋଉ କାଳରୁ ମରି ହଜି ଗଲାଣି ସୋଶୀଳା, ସମସ୍ତେ ହୁଏତ ତା’ କଥା ଭୁଲିଗଲେଣି; କିନ୍ତୁ ସେଇ ମଲା ଘୋଡ଼ାର ଟାଙ୍କୁ ମାପିବାକୁ ଯାଇ ଆଜି ସିଏ କ’ଣ କରିଲା ସତେ ! ସତେ କ’ଣ ସିଏ କରିଚି, ତା’ର ତ ଆଉ ଠିକଣା କରି କିଛି ହୋବ୍ ହଉନି । ମଙ୍ଗରାଜେ ପଡ଼ିଗଲେ, ପଡ଼ିଯାଇ କିଛି ବାଟ ଗଡ଼ଗଡ଼ା ମାରି ଓଲଟିଗଲେ ଅରମା ଘାସ ଲଟାରେ । ସେ ଉଠେଇବାକୁ ଯାଇ ମଙ୍ଗରାଜଙ୍କ ବିରାଟ ଦେହଟାକୁ ଟେକି ପାରିଲାନି...। ତେବେ କେତକୀ ବୁଦା ପାଖରେ ସେ ପଡ଼ିଲେ ଯାଇ କେମିତି ! ଚମକି ପଡ଼ିଲେ ବଂଶୀ ଜେନା, ନିଜ ମନରେ ପରିକଳ୍ପିତ ଫିସାଦିକି ସେ ଆଉ ବେଶି ବାଟ ଆଗେଇ ନେଇ ପାରିଲେନି । ଏହାପରେ ଭିତରେ ଭିତରେ ସେ ଆହୁରି ନିରୁତ୍ସାହିତ ଓ ନିଃସହାୟ ହେଇ ପଡ଼ିଲେ ।

 

“କ'ଣ ହେଲା ତମ ଭାଇଙ୍କର ଆଜି ବଇଁଶୀ ?”

 

ଚମକି ପଡ଼ି ବଂଶୀ ଜେନା ଖୁମ୍ବ ଆଢ଼ୁଆଳରୁ ଆଗକୁ ମୁହଁ ବଢ଼େଇ ଅନେଇଲେ ନୂଆବୋଉଙ୍କ ଆଡ଼କୁ । ଏ ଅଞ୍ଚଳର ଲକ୍ଷ୍ମୀଠାକୁରାଣୀ ସୁରେଶ୍ଵରୀ ଦେଈ ପଚାରୁଛନ୍ତି ତାଙ୍କୁ ଘଟନାର ବିବରଣୀ । ନିଜର ନିଃସହାୟତା ଭିତରେ ସେ ଟିକେ ଆଶ୍ରା ପାଇଲେ ଯେମିତି । କିନ୍ତୁ ସେ କ’ଣ କହିବେ । ହଁ ନ କହିବେ କାଇଁକି, ମଙ୍ଗରାଜେ ନିଜେ ବାଟ ସଫା କରି ଦେଇଚନ୍ତି ।

 

“ସେଇ ପଦୁଆଁ ମା’ ଡିହ ପକ୍କା ଗାନ୍ଥିନି ଓପରକୁ ଉଠୁ ଉଠୁ ପଡ଼ିଗଲେ ପରା...”

 

ଏତକ କଥା ଏକ ନିଃଶ୍ୱାସରେ କହିଲେ, କି ରହି ରହି କେତେ ଥରକରେ କହିଲେ, ବଂଶୀ ଜେନା ତାହା ଭାବିପାରିଲେନି । କିନ୍ତୁ ତାଙ୍କ କାନ ଉପରେ ବିଶ୍ୱାସ କରି ସେ ନିଶ୍ଚିତରୂପେ ଜାଣିଲେ ଯେ ସେ ଏତକ କଥା କହିଚନ୍ତି ।

 

ମଙ୍ଗରାଜଙ୍କ ମୁହଁରେ ଏ କଥାରେ ଟିକେ ହସ ଫୁଟି ଆସୁଥାଏ; ଏତିକିବେଳେ ମୁହଁରେ ଖଣ୍ଡେ କଳାହାଣ୍ଡିଆ ମେଘ ଧରି ଖଞ୍ଜାଭିତରକୁ ପଶିଆସିଲା ପ୍ରତାପ । ତା’ର ଚେହେରା ଦେଖି ବଂଶୀ ଜେନାଙ୍କ ଅପେକ୍ଷା ଅଧିକ ପ୍ରମାଦ ଗଣିଲେ ମଙ୍ଗରାଜେ ।

 

“କେତେ ଲୋକ ଆସିଥେଲେ, ସମସ୍ତଙ୍କ କଥା ବୁଝିଲୁନା ପ୍ରତାପ । ହୁଏତ ସମସ୍ତଙ୍କୁ ସନ୍ତୁଷ୍ଟ କରି ହବନି, କିନ୍ତୁ ସମସ୍ତଙ୍କ କଥା ବୁଝିବାକୁ ପଡ଼ିବ ।”

 

ଯେମିତି ମହାଭାରତର ଶାନ୍ତିପର୍ବର ଗୋଟିଏ ଦୃଶ୍ୟ, ଶରଶଯ୍ୟାରେ ପଡ଼ି ପିତାମହ ଭୀଷ୍ମ ରାଜନୀତିର ଶିକ୍ଷା ଦେଉଚନ୍ତି । ମଙ୍ଗରାଜଙ୍କ ଏ ସବୁ କଥା ଶୁଣି ସେହିଭଳି କଥା ମନେହେଲା ।

 

କିନ୍ତୁ ମହାପ୍ରତାପୀ ପିତାଙ୍କର ଏତେଗୁଡ଼ିଏ କଥା ଶୁଣି ମଧ୍ୟ ପ୍ରତାପ ରାମ କି କୃଷ୍ଣ ପଦେ ହେଲେ କିଛି କହିଲାନି । ଅନେଇଲା ସେ ଥରେ ବଂଶୀ ଜେନାଙ୍କ ମୁହଁକୁ । ତା’ର ଦାଦି ହେବେ ବଂଶୀ ଜେନା । ଅନ୍ୟ ଭାଇମାନେ ବଂଶୀ ଜେନାଙ୍କୁ ଦାଦା ବୋଲି ସମ୍ବୋଧନ କରୁଥିଲାବେଳେ ଗତ କେତେକ ବର୍ଷ ହେଲା ନିଜ ସ୍ତ୍ରୀର ପ୍ରଭାବରେ ପ୍ରତାପ ତାଙ୍କୁ 'କକା' ବୋଲି ଡାକି ଏକ ସ୍ଵତନ୍ତ୍ର ମର୍ଯ୍ୟାଦା ଦେଇ ଆସିଚି । ସେଇ ମର୍ଯ୍ୟାଦାବନ୍ତ କକାର ମୁହଁକୁ ଅନେଇ ଅନେଇ ପ୍ରତାପ ଭାବିଲା, କି ଶାସ୍ତି ଦିଆଯାଇପାରେ ଏଇ ଲୋକକୁ ?

 

“କକା, ବଂଶୀ କକା ?”

 

ବଂଶୀ ଜେନା ଆଖି ଟେକି ପାରିଲେ ନାହିଁ କି କିଛି ଉତ୍ତର ମଧ୍ୟ ଦେଇ ପାରିଲେନି । ଯେମିତି ବିଲ୍‍କୁଲ୍ ଜଡ଼ ପାଲଟିଗଲେ । ମଙ୍ଗରାଜେ ସେତେବେଳକୁ ଚହଲି ଗଲେଣି । ଏହି ସମୟରେ ପ୍ରତାପର ପ୍ରଶ୍ନ ପୁଣି ବାୟୁମଣ୍ଡଳକୁ ଆହତ କଲା...

 

“ତମେ ଆମର ସର୍ବନାଶ କରିବାକୁ ଆଜି କାହିଁକି ଚେଷ୍ଟା କରୁଥିଲ ?”

 

“ପ୍ରତାପ !”

 

ମଙ୍ଗରାଜେ ଖୁବ୍ ବଡ଼ପାଟିରେ ଗୋଟା ଚିତ୍କାର କଲେ । କିନ୍ତୁ ହଠାତ୍ ତାଙ୍କ ଚିତ୍କାରକୁ ବଳିପଡ଼ିଲା ସୁରେଶ୍ଵରୀ ଦେଈଙ୍କ ଆର୍ତ୍ତନାଦ...

 

“ଆରେ କ’ଣ ହେଇଚି କି ଆଜି...ମତେ ସମତେ ନୁଚଉଚ କାଇଁକି ? ଆରେ ବଇଁଶିଆ-?”

 

ବଂଶୀ ଜେନାଙ୍କ ପ୍ରତି ସୁରେଶ୍ଵରୀ ଦେଈ ଆଉ ଦେବରସୁଲଭ ସୌଜନ୍ୟ ରକ୍ଷାକରି ପାରିଲେନି । କେହି ଅସଲ କଥା ଖୋଲି କିଛି ନ କହିଲେ ମଧ୍ୟ ସେ ନିଶ୍ଚିତରୂପେ ଜାଣିପାରିଲେ ଯେ, ଆଜି ଯାହା କିଛି ବିପଦ ଘଟିଛି ସବୁ ଏଇ ବଂଶୀ ଜେନା ଯୋଗୁଁ । ଗୋଟାକୁ ଦି’ଟା ହେଇ ରଣଚଣ୍ଡୀ ମୂର୍ତ୍ତିରେ ସେ କମ୍ପି ଉଠିଲେ । ଆଉ ସେ ଭଲ ଭାବରେ ଜାଣିଲେ, ସେହି ବିପଦ ହେଉଚି, ସ୍ଵାମୀଙ୍କର କ୍ଷତି ସାଧନଦ୍ଵାରା ଏ ବଂଶ ଅପେକ୍ଷା ତାଙ୍କ ନିଜର ଚରମ ଦୁର୍ଗତି ରଚନାର ପଥ ନିର୍ମାଣ ।

 

ଆଉ କିଛି ନ କହି ସୁରେଶ୍ଵରୀ ହଠାତ୍ ଢୋକରି ନିଜର ମୁଣ୍ଡଟାକୁ ପିଟିଦେଲେ ପକ୍କା କାନ୍ଥ ଦେହରେ ।

 

ସମସ୍ତେ ସ୍ତବ୍ଧ ହେଇ ପଡ଼ିଲେ ।

 

ମଙ୍ଗରାଜେ ଅତି କ୍ଷୁବ୍ଧ କଣ୍ଠରେ କହିଲେ–

 

“ତୁ କ’ଣ କଲୁ ପ୍ରତାପ ! ଆରେ ଉଦିତବୋଉ, ତମେ ମୋ କଥା ଟିକେହେଲେ ଶୁଣ; ଆରେ ମୋର କିଛି ହେଇନି । ଯିଏ ଯାହା ଶୁଣିଚ, ସବୁ ଭୁଲ୍ ଶୁଣିଚ । ମୂଳଦୁଆ ଉପରକୁ ଉଠୁ ଉଠୁ ମୁଁ ପଡ଼ିଯାଇ କେତକୀ ବୁଦା ଯାଏଁ ଗଡ଼ିଗଲି । ମୋଟା ଲୋକୁଟା, ଜଣେ ଲୋକ ମତେ ଉଠେଇ ପାରିଲାନି, ସେଥିରେ ବଂଶୀର କ’ଣ ଦୋଷ...”

 

“ବାପା !”

 

ପ୍ରତାପର ସ୍ୱର ଶୁଣି ତା’ ମୁହଁକୁ ଗୋଟା ଅତି ରୁକ୍ଷ ଦୃଷ୍ଟି ହାଣିଲେ ମଙ୍ଗରାଜେ । କ୍ଷଣକ ପରେ ପୁଣି ସେ କହିଲେ–

 

“ମୁଁ ଯାହା କହିଲି, ତାହାଇ ପ୍ରକୃତ ଘଟଣା । ପଦୁଆଁ ମା’ ବାରିରେ ଆଉ କିଛି ଘଟିନି । ...ତମେ ମୋ କଥା ବିଶ୍ୱାସ କର ଉଦିତବୋଉ !”

 

ଏତକ କହିସାରି ଗୋଟା ଶୁଖିଲା ହସ ହସି ସେ ନିଜର ଅନୁଚର ବଂଶୀ ଜେନାଙ୍କ ମୁହଁକୁ ଅନେଇଲେ । କିନ୍ତୁ ସେ ବଂଶୀ ଜେନାଙ୍କୁ ଦେଖିଲେନି, ଯେମିତି ସେଠି ଠିଆହେଇଚି ବଂଶୀ ଜେନାର ପ୍ରେତ ।

 

ନିଜ ଛାତିରେ ହାତ ଦି'ଟାକୁ ଅତି ଜୋରରେ ଭିଡ଼ି ଭିଡ଼ି ପ୍ରତାପ ସେଠୁ ତଳ ଖଞ୍ଜକୁ ଚାଲିଗଲା । ହଁ, ବାପା ହୁଏତ ଠିକ୍ କାମ କରିଚନ୍ତି, ନହେଲେ ବଂଶୀ ଜେନା ଆଜି ପ୍ରାଣ ପାଇ ପାରି ନଥାନ୍ତା !

 

ପଚିଶ

 

ଗୋଟିଏ ସାହିରେ ଘର ହେଲେ ମଧ୍ୟ ମଙ୍ଗରାଜ ବଂଶ ଓ ବଂଶୀ ଜେନାଙ୍କ ଘର ଚକଡ଼ାର ଅବସ୍ଥିତି ମଧ୍ୟରେ ଅନେକ ଦୂରତ୍ଵ ରହିଛି । ମଙ୍ଗରାଜଘର ତଳ ଖଞ୍ଜାର ପଛପଟେ ଥିବା ଛୋଟ କଦଳୀ ବଗିଚା ଆରପଟେ ଗୋଟିଏ ଗଳି ରାସ୍ତା । ସେହି ଗଳିରାସ୍ତା କିଛିଦୂର ଯାଇ ପଶ୍ଚିମପଟୁ ଲୋକାଲ୍ ବୋର୍ଡ଼ ସଡ଼କରୁ ଆସିଥିବା ଗୋଟିଏ ଛୋଟ ରାସ୍ତାରେ ମିଶିଛି । ମିଶ୍ରଣ ସ୍ଥଳର ଉତ୍ତର ଆଡ଼କୁ ଗୋଟିଏ ଛୋଟ ଦାଣ୍ଡ, ସେହି ଦାଣ୍ଡର ପଶ୍ଚିମ ପାଖ କଣ ମୁଣ୍ଡରେ ବଂଶୀ ଜେନାଙ୍କ ଘର । କିନ୍ତୁ ପ୍ରତିକ୍ଷଣର ଚଳାଚଳ ଯୋଗୁଁ ଉଭୟ ପରିବାରର ଲୋକଙ୍କ ପକ୍ଷରେ ଏ ଦୂରତ୍ଵ କେବେହେଲେ ଅଧିକ ଜଣାପଡ଼େନା । ଦାଣ୍ଡକୁ ଯାଇ ବଡ଼ମଣିଷଙ୍କ ଆକଟରେ ପଡ଼ି ହଇରାଣ ହେବା ଭୟରେ ମଙ୍ଗରାଜଙ୍କ ଛୋଟ ଛୋଟ ନାତିନାତୁଣୀମାନେ ସେଇ ଗଳି ରାସ୍ତା ଆଉ ବଂଶୀ ଜେନାଙ୍କର ଛୋଟ ଦାଣ୍ଡଟିକୁ ଅତି ଆପଣାର କରିଥାନ୍ତି । ଦାଣ୍ଡରେ ଧୂଳି ଅଛି ପର୍ଯ୍ୟାପ୍ତ; ବାଡ଼ର କାଠି ଆଉ ବାଉଁଶ କଣିର ପ୍ରାଚୁର୍ଯ୍ୟ ପିଲାମାନଙ୍କୁ ଧୂଳିଖେଳ ପାଇଁ ପ୍ରଶସ୍ତ ସୁଯୋଗ ଦେଇଥାଏ । ବଂଶୀ ଜେନା ଘର ବାଡ଼ରେ ସୁଆଁ ଫୁଲ ଫୁଟିଲେ ତା’ର ବାସନା ଚହଟିଯାଏ ଆସି ମଙ୍ଗରାଜଙ୍କ କଦଳୀ ବାରିରେ । ମଙ୍ଗରାଜ ଘର ବାରି ଜଝାଙ୍ଗ ଗଛରେ କୁଆଟା ବସି କା କା କଲେ ବଂଶୀ ଜେନାଙ୍କ ଦାଣ୍ଡ ଚାଳରେ ଝୁଲୁଥିବା ପଞ୍ଜୁରୀ ଭିତରୁ ବଣିଟା କେଁ କେଁ ହେଇ ଜବାବ ଦିଏ । କିନ୍ତୁ ରାତି ହେଲେ ସବୁ ନୀରବ ଆଉ ନିଥର ହେଇଯାଏ । ସବୁ କୋଳାହଳ ଆଉ କଳରବର ସମାଧି ରଚି କେବଳ ଅନ୍ଧକାର ନିଜର ଆଧିପତ୍ୟ ଜାହିର୍ କରେ । ସେଥିଲାଗି ରାତିର ଅନ୍ଧାର ଭିତରେ ଗୋଟିଏ ଚକଡ଼ାର କୌଣସି ଗୋପନ ଆୟୋଜନ ଅନ୍ୟ ଚକଡ଼ାର ଜ୍ଞାନଭେଦ କରିବା ଅତି କଷ୍ଟକର ହୋଇପଡ଼େ ।

 

ରାତି ସେତେବେଳକୁ ଆଠଟା କି ନଅଟା ହେବ । ସକାଳର ସେଇ ପଦୁଆଁ ମା’ ଡିହ ଘଟଣା ଓ ତାହାର ଆନୁସଙ୍ଗିକ ପର୍ବ ପରେ ପ୍ରାୟ ବାର ଘଣ୍ଟା ଅତୀତ ହେଇଗଲାଣି । ମାତ୍ର ଏହି ଦୀର୍ଘ ସମୟ ଭିତରେ ବଂଶୀ ଜେନାଙ୍କ ମନୋବେଦନାର କୌଣସି ପ୍ରକାର ଅପନୋଦନ ଘଟି ପାରି ନାହିଁ । ଏହି ଦୀର୍ଘ ସମୟ ଭିତରେ ନାନା ସୂତ୍ର ଧରି ନାନାପ୍ରକାର ଚିନ୍ତା ତାଙ୍କ ମନରେ ଉଙ୍କି ମାରି ଯାଇଚି । କିନ୍ତୁ କୌଣସିଟିର ସିଏ କିଛି ମୀମାଂସା କରିପାରି ନାହାନ୍ତି ।

 

କି ଭୁଲ୍ ସିଏ କରିଚନ୍ତି !

 

ହଁ ଭୁଲ୍, ବଡ଼ ଭୁଲ୍ କରିଚନ୍ତି ସିଏ ।

 

ଅମାର୍ଜନୀୟ ଅପରାଧ ।

 

ମଙ୍ଗରାଜଙ୍କ ପ୍ରାଣନାଶ ଉଦ୍ଦେଶ୍ୟରେ ସେ ଏ କାମ କରିଚନ୍ତି ।

 

ସେ ଅନ୍ନଦାତା, କିନ୍ତୁ ତାଙ୍କୁ ସିଏ ମାରି ପକେଇବାକୁ ଚେଷ୍ଟା କରିଚନ୍ତି ।

 

ପୁଣି ତାଙ୍କ ଦିହରେ ହାତ ନଗେଇଚନ୍ତି ସିଏ ।

 

ଗୋଟିଏ ଖୁବ୍ ବଡ଼ ଟାଣୁଆ ନିଃଶ୍ଵାସ ଛାଡ଼ିଲେ ବଂଶୀ ଜେନା । କାହିଁକି ସେ ଏ କାମ କଲେ ? ସୋଶୀଳା ପେଇଁ ? ସୋଶୀଳାର ହତ୍ୟାପାଇଁ ତ ସେ ନିଜେ ଦାୟୀ, ମଙ୍ଗରାଜେ କ’ଣ କଲେ ? ଚାରିବର୍ଷରୁ ବେଶି ହେଲାଣି ସେ ଘଟଣା । ଆଜି ତାଙ୍କୁ ଭୂତ ମାଡ଼ି ବସିଲା କାହିଁକି ? କ’ଣ ଏକ ନିକାଞ୍ଚନ ଜାଗାରେ ମଙ୍ଗରାଜଙ୍କୁ ଏକୁଟିଆ ପାଇ ! ...ସେ ନିଜେ ଯେତେବେଳେ ଦୋଷୀ, ତାହାହେଲେ ସେ ନିଜପାଇଁ କି ଶାସ୍ତିର ବ୍ୟବସ୍ଥା କରିଚନ୍ତି ?

 

ମଙ୍ଗରାଜେ ଏତେ ଘଟଣା ପରେ ପୁଣି ତାଙ୍କ ପ୍ରତି ଏତେ ଭଲ ବ୍ୟବହାର କଲେ କାହିଁକି ? ସତେ ସେ କି ଉଦାର, ପୁଣି ମୋ ଉପରେ ତାଙ୍କର କି ପ୍ରଗାଢ଼ ବିଶ୍ୱାସ ନ ରହିଚି ! ସେଇ ବିଶ୍ୱାସ ବଳରେ ନିଜର ଝିଆରୀକି ମାରିଦେବାକୁ ମତେ ଆଦେଶ ଦେଇଥିଲେ । ସେଇ ବିଶ୍ୱାସ ଭଙ୍ଗ କରି ମୁଁ ପୁଣି ତାଙ୍କୁ ମାରିବାକୁ ବସିଲି !

 

ନିଜ ଭିତରେ ହସିଉଠିଲେ ବଂଶୀ ଜେନା ।

 

ପ୍ରତାପ କ’ଣ ମାରି ଦେଇଥାନ୍ତା ତାଙ୍କୁ ଆଜି ! ପ୍ରତାପବାବୁ; ଏମେଲେ । ଆଜି ତା’ ହାତରେ ଅଖଣ୍ଡ କ୍ଷମତା । ସତେ ମାରି ଦେଇଥାନ୍ତା ? ଆମ ହାତରେ କିଛି କ୍ଷମତା ନଥିଲାବେଳେ ଆମେ ଦି'ଦିଟା ମଣିଷ ମାରି ଦେଇଚୁ...ଆଉ ପ୍ରତାପ ହାତରେ ଏତେ କ୍ଷମତା...ସେଠି ଗୋଟାଇ ମଣିଷକୁ ମାରିଦେବା ହୁଏତ ଆଦୌ ବଡ଼କଥା ନୁହେଁ...ତେବେ ବଂଶୀ ଜେନାର ମୃତ୍ୟୁ ।

 

ବଂଶୀ ଜେନା ଚମକି ପଡ଼ି କିଛି ସମୟପାଇଁ ସ୍ତମ୍ଭିତ ହେଇ ବସି ରହିଲେ ।

 

ମୁଁ ମରିଯାଇଥାନ୍ତି ଆଜି ! ଯୋଉ ପ୍ରତାପ ହେରିକାଙ୍କୁ କାଖରେ ପିଠିରେ କରି ମଣିଷ କରିଚି, ସେଇମାନେ ଆଜି ମତେ ମାରି ଦେଇଥାନ୍ତେ ! ଭଲ ହେଇଥାନ୍ତା, ଭଲ ହେଇଥାନ୍ତା, ମୁଁ ପ୍ରକୃତ ଦୋଷୀ, ମୁଁ ଦୁଷ୍କର୍ମ କରିଚି; ମଙ୍ଗରାଜଙ୍କୁ ମୋର ମାରିବାର ଉଦ୍ୟମ ତୁଳନାରେ ପ୍ରତାପର କାର୍ଯ୍ୟ ହୁଏତ ଖୁବ୍ ନଗଣ୍ୟ ହେଇଥାନ୍ତା । ହଁ ମୁଁ ମରିଯାଇଥାନ୍ତି, ହୁଏତ ସେଇ ଅମାର ଖଞ୍ଜାରେ ପୂରେଇ ମତେ ମାରୁ ମାରୁ ମାରି ଦେଇଥାନ୍ତେ... ।

 

ପୁଣି ଥରେ ବଂଶୀ ଜେନା ଚମକି ପଡ଼ିଲେ । ତାହାହେଲେ କ’ଣ ହେଇଥାନ୍ତା ମୋ ଛୁଆପିଲାମାନଙ୍କର ଅବସ୍ଥା । ବଡ଼ ଟୋକାଟା ଟିକେ ପାରିଯାଇଚି ସିନା, ଆହୁରି ତିନିଟା ପିଲା ଏବେ ମଧ୍ୟ ଅପୋଗଣ୍ଡ...ତା’ପରେ ମାଇପିଟା ! ନୂଆବୋଉ ସୁରେଶ୍ଵରୀ ଦେଈ ତାକୁ ଭାରି ଭଲ ପାଆନ୍ତି...ମୁଁ ମରିଗଲା ପରେ ତାକୁ ଅନେଇ ନଥାନ୍ତେ ! ମୁଁ ଚାଲି ଆସିଲା ପରେ ନିଶ୍ଚୟ ସବୁ କଥା ପ୍ରଘଟ ହେଇଯାଇଥିବ, କ’ଣ ଭାବିଥେବେ ନୂଆବୋଉ । ତାଙ୍କ ସ୍ଵାମୀକି ମୁଁ ଆଜି ମାରି ପକେଇବାକୁ ବସିଥେଲି । ଏଥିରେ ସେଇ ନୂଆବୋଉ ପୁଣି ମୋ ମାଇପକୁ ଅନେଇବେ ମୁଁ ମଲା ପରେ !

 

ଠକ୍ ଠକ୍ ଠକ୍

 

କବାଟ ବାଡ଼ଉଚି କିଏ ? ପ୍ରତାପ ଆସିଲା କି ? ଏ ଘର ଖଣ୍ଡକୁ ସେମାନେ କ’ଣ ଆଜି ରାତିରେ ପୋଡ଼ିଦେବେ !

 

ମଙ୍ଗରାଜ ବଂଶର ସ୍ଵାର୍ଥରକ୍ଷା ପାଇଁ ବଂଶୀ ଜେନା ନିଜ ହାତରେ କେତେ ପୋଡ଼ାଜଳା କାର୍ଯ୍ୟ କରିଚନ୍ତି । ସେହିସବୁ ପାପ ଆଜି ନିଜ ମନରେ ଫୁଟିଉଠିଲା ।

 

“କିଏ ମଣିବୋଉ ?”

 

ବଡ଼ପୁଅର ନାଁ ମଣିଚରଣ, ସେଥିପାଇଁ ବଂଶୀ ଜେନା ସ୍ତ୍ରୀଙ୍କୁ ମଣିବୋଉ ବୋଲି ଡାକନ୍ତି-। ହାତରେ କିରାସିନି ଡିବିଟା ଧରି କବାଟ ଫିଟେଇ ଦେଇ ମଣିବୋଉ ଫେରି ଆସିଲେ-। ମଣିବୋଉଙ୍କ ପଛରେ ଖଞ୍ଜା ଭିତରକୁ ପଶିଆସିଲା ଭୀମା ଗୁଡ଼ିଆ । ତା’ର କଳା ମଚମଚ ଜବାନ୍ ଦିହରେ ଡିବି ଆଲୁଅର ଝଲକ ଲାଗିଲା ଅସ୍ୱଚ୍ଛ ହେଇ । ତଥାପି ଲୋକଟାର ଅବୟବର ଟାଣୁଆ ଗାନ୍ଥିନି ଲକ୍ଷ୍ୟ କରି ହୁଏ ।

 

ପିଣ୍ଡା ଉପରକୁ ଉଠିଯାଇ ଭୀମା ଗୁଡ଼ିଆ ବସିପଡ଼ିଲା ଯାଇଁ ବଂଶୀ ଜେନାଙ୍କ ପାଖରେ-। “କ’ଣ ବାବୁ, କ’ଣ ଏକଥା ? ତମେ ଆଜି ଦିନଯାକ ବୋଧାସେ ପଦାକୁ ବାହାରିନ । ଖାଲି ଏ ଗାଁ ନୁହେଁ, ଖଣ୍ଡମଣ୍ଡଳରେ ରାଷ୍ଟ୍ର ହେଇଗଲାଣି । କଥାକୁ ଆଉ କେହି ମିଛ ବୋଲିବି ଭାବୁ ନାହାଁନ୍ତି-।’’

 

“ଭୀମା ?”

 

ଭୀମାର ଗୋଟା ହାତକୁ ବଂଶୀ ଜେନା ଜାବୁଡ଼ି କରି ଧରି ପକେଇଲେ । ମଣିବୋଉ ଡିବିରି ହାତରେ ଦୁଆରମୁହଁ କାନ୍ଥର ଗାବୁଗାବୁକା ଦିହରେ ସରପଟି କରି ଲାଖିଗଲେ । ବଂଶୀ ଜେନାଙ୍କ ତୁଣ୍ଡରୁ ଆଉ କଥା ଶୁଣାଗଲାନି । କେତେପଦ କଥା ସାହସ କରି ମଣିବୋଉ କହି ବସିଲେ...

 

“ତୁ ହୁଡ଼ୁମ ଘର ସାଧୁଆକୁ ଟିକେ ଡାକି ଆଣନ୍ତୁନୁ ଭୀମା । ଆଙ୍କୁ ତ ପୂରାପୂରି ଭୂତ ଗରାସି ଯାଇଚି, ନଇଲେ ନିଜର ଅନ୍ନ ଦଉଥେଲା ଲୋକଙ୍କୁ...”

 

କ’ଣ ଭାବି କଥା ଢୋକି ନେଲେ ମଣିବୋଉ । କିନ୍ତୁ ସଂଳାପର ଯୋଗସୂତ୍ର ରକ୍ଷା କରି ଟିକକ ପରେ ସେ ପୁଣି କହି ଚାଲିଲେ, “ହଁ ମୁଁ କ’ଣ କହୁଥେଲି ତି, ସାଧୁଆ କଥା । ଡାକି ଆଣନ୍ତୁନି, ଟିକେ ଝଡ଼ାଫୁଙ୍କା କରିଦେଲେ ଆଙ୍କ ମନ ହେଲେ ବଦଳି ଯାଆନ୍ତା...”

 

“ଏ ହୁଡ଼ୁମ ସାଧୁଆ କଥା କଉଚ ସାନ୍ତାଆଣି ! ସେ ଫୁଙ୍କିବ ବଇଁଶୀବାବୁଙ୍କୁ...”

 

ଏତକ କହି ଖଣ୍ଡେ ହାଲୁକା ହସ ହସିଲା ଭୀମା । ତା’ପରେ ସେ ଏକ ନିଃଶ୍ୱାସରେ କହିଗଲା..

 

“ତମେ କାଲି ସକାଳୁ ମୁହଁ ଦେଖେଇ ପାରିବ ? ପୁଣି ଚଳପ୍ରଚଳ ହବ ଏ ଗାଁରେ ! ପାରିବ ?”

 

ଭୀମା ମୁହଁରୁ ଏସବୁ କଥା ଶୁଣି ବଂଶୀ ଜେନା ଯେମିତି ଆକାଶରୁ ପଡ଼ିଲେ । ସତେ, କଥା ଏତେ ପ୍ରଘଟ ହେଇଗଲାଣି ଗାଁରେ ! କେତେ ମୁଲକରୁ ଲୋକ ଆସି ଜମିଥିଲେ ଆଜି ଦାଣ୍ଡରେ । କିଏ କା’ ମୁହଁରେ ବାଡ଼ବତା ଦବ । ଲୋକେ ସବୁ କ’ଣ କହୁଚନ୍ତି ଭୀମା ? ମୁଁ ମଙ୍ଗରାଜକୁ ସତେ ମାରି ପକଉଥେଲି !

 

ବଂଶୀ ଜେନା ଏସବୁ ମନରେ କେବଳ ଭାବିଗଲେ, କିନ୍ତୁ କିଛି ହେଲେ କହି ପାରିଲେନି-। କେତେବେଳକେ ତାଙ୍କ ମୁହଁରୁ କେତୋଟି ଶବ୍ଦ ଅସଂବଦ୍ଧ ଭାବରେ ଉଚ୍ଚାରିତ ହେଲା...

 

“ଘରଦ୍ୱାର, ବାରିବଗିଚା, ବିଲବାଡ଼ି...ପୁଣି ଧାନ ଫଳିଚି ବିଲରେ, ବର୍ଷକର ଧାନ !”

 

ଏହାପରେ ବଂଶୀ ଜେନା ପୁଣି ଚିନ୍ତା କଲେ, ଯେମିତି ମଙ୍ଗରାଜେ ଯେତେଇଚ୍ଛା ସେତେ ମାଫ୍ କଲେବି ଆଉ ରକ୍ଷା ନାଇଁ । କଥା ବର୍ତ୍ତମାନ ଜନତାର ଦରବାରକୁ ଚାଲିଗଲାଣି । ଯେଉଁ ଦରବାରରେ ସେ କରଣୀ କାଟୁଥିଲେ, ମଙ୍ଗରାଜଙ୍କ ଭାଇ ବୋଲି ସେଠି ଆଉ କି ପରିଚୟ ତାଙ୍କର ରହିବ । ଆଉ ସେ ପରିଚୟ ପତ୍ର ରଦ୍ଦ ହେଇଗଲା ପରେ ତାଙ୍କର ମୂଲ୍ୟ ମଧ୍ୟ କ’ଣ ହବ ! ଦିନେ ହନୁମାନ ଦୋପଇସି ଅଣ୍ଟାରେ ମାରି ସେ ଟଙ୍କାର ଯେଉଁ ଭ୍ରାନ୍ତି ସୃଷ୍ଟି କରିପାରୁଥିଲେ ତା’ ପଛରେ ମଧ୍ୟ ଥିଲା ସେଇ ମଙ୍ଗରାଜଙ୍କ କରଣୀ । ସେଥିଯୋଗୁଁ ଦୋପଇସି ସୃଷ୍ଟି କରୁଥିଲା ରୌପ୍ୟମୁଦ୍ରାର ପୂର୍ଣ୍ଣ ପ୍ରତ୍ୟୟ ।

 

“ହଁ ବିଲବାରି, ଘରଦ୍ଵାର କଥା କ’ଣ କହୁଥିଲେ ବଂଶୀବାବୁ !”

 

ଭୀମାର ଏ ପ୍ରଶ୍ନରେ ବଂଶୀ ଜେନାଙ୍କ ସାବଲୀଳ ଚିନ୍ତା ହଠାତ୍ ବ୍ୟାହତ ହେଲା । ଭୀମାର ପାଖକୁ ଲାଗି ସେ ଘୁଞ୍ଚି ଆସିଲେ । କେହି ନ ଶୁଣିବା ଭଳି ଆସ୍ତେ ଆସ୍ତେ କହିଲେ–“ତୋର ପରା ଶଗଡ଼ ଅଛି ଭୀମ । ମତେ ସାହାଯ୍ୟ କରିବୁନି । ବିଦେଇ ଭୂୟାଁ ଦାଉରୁ ମୁଁ କେତେଥର ତତେ ରକ୍ଷାକରିଚି । ମନେଅଛି ।''

 

ଭୀମା ଦମ୍ଭ ପ୍ରକାଶ କରି କହିଲା, “ସବୁ ମନେଅଛି ବାବୁ । ମଧୁରକୁଳରେ ଜନ୍ମ, ମୁଁ ନିମକହାରାମ ନୁହେଁ । ତମର ଏ ବିପଦରେ ମୁଁ କ’ଣ କରିବି କହିଲ ?’’

 

ବଂଶୀ ଜେନା ସେହିପରି ମନ୍ଥର ଗତିରେ କହିଲେ, “ଆଉ କିଛି କରିବାକୁ ପଡ଼ିବନି ତତେ । ଖାଲି ଦିଖଣ୍ତ ଶଗଡ଼ ଆଣି ପହଞ୍ଚେଇବୁ, ଆଜି ରାତି ବାରଟାରୁ ଆଙ୍ଗୁଳିଏ ସେ ପାଖକୁ ଗଡ଼ିବନି... । ଗୋଟା କି ଦି’ଟା ବେଳକୁ ହୁଏତ ଏ ଘରୁଟାକୁ ପୋଡ଼ିଦବ ପ୍ରତାପ । ନାଜରେ ଆମେ ମଧ୍ୟ ବାହାରି ପାରିବୁନି । ପିଲାଛୁଆ ଗୁରାକ ମରିଯିବେ ଭୀମ ।’’

 

“ତମକୁ ସତେ ଭୂତ ନାଗିଚି ବଂଶୀବାବୁ !''

 

ଭୀମା ବିରକ୍ତିର ଭାବ ପ୍ରକାଶ କରି ଏ କଥାତକ କହିଲା । ଏଥିରେ ମଣିବୋଉ ଉତ୍ସାହିତ ହେଇ କହିଉଠିଲେ–

 

“ମୁଁ ପରା ସେଇଆ କହୁଚିରେ ପୁଅ, ଟିକେ ହୁଡ଼ୁମ ଘର ସାଧୁଆକୁ ଡାକେ...’’

 

ଭୀମା ଆହୁରି ବିରକ୍ତ ହେଲା ।

 

“ତମେବି ଡାଆଣୀ ହାବୁଡ଼ରେ ପଡ଼ିଚ ସାଆନ୍ତାଣୀ ! ଅବସ୍ଥା କ’ଣ ହେଲାଣି ଟିକେ ତେଣିକି ମନ ଦିଅ, ନା ସେଇ ହୁଡ଼ୁମ ହୁଡ଼ୁମ ହୁରି ପଡ଼ିଚି । ...ହଁ, ମୁଁ ଗାଡ଼ି ଆଣିବି...ଆଉ ଗୁରିଆକୁ ଧରି ତା’ ଗାଡ଼ି ଖଣ୍ଡକୁ ଆଣିବି । ...ହେଲେ, ତମେ କୋଉଠିକି ଯିବ ?''

 

“ଶଶୁରଘର, କଟିକଟା । ଆଉ କୋଉଠି ଜାଗା ଅଛି ମୋ ପେଇଁ ।’’

 

ତା’ପରେ ବଂଶୀ ଜେନା ସ୍ତ୍ରୀଙ୍କ ଆଡ଼କୁ ଅନେଇ କହିଲେ, “ତମେ ପରା ବାପଘରକୁ ଯିବ ବୋଲି ଅନେକ ଥର କହିଲଣି । ତମର ତ ଅନେକ ଘର ଦୁଆର, ଆମେ ସମସ୍ତେ ସେଇଠି ଯାଇ ରହିବା । ତା’ପରେ ଏସବୁ ଜମିବାଡ଼ି ବିକିରିବଟା କରି ସେଇ କଟିକଟାରେ ଘର କରି ରହିଯିବା । ଆଉ ରହି ହବନି କି, ଏ ଗାଁରେ ମୁହଁ ଦେଖେଇ ହବନି !''

 

“ତୁଚ୍ଛାଟାରେ ତମେ କି ଗୋଳମାଳ କରିଦେଲ ! ଏ କଦମ୍‍ପାଳର ଆଧି ତମେ ଆଉ କୋଉଠି ପାଇବ ?’’

 

ଭୀମାର ଏ ମନ୍ତବ୍ୟ ପ୍ରକାଶରେ ବଂଶୀ ଜେନା କିନ୍ତୁ କିଛି ଉତ୍ତର ଦେଇପାରିଲେନି । ଖାଲି ଗାଈ ଦି’ଟାଙ୍କ କଥା ସେ ଭାବିଲେ । ଗୋଟାକର ଦୁଧ ଖାଏ ପ୍ରତାପର ପୁଅ । ନା, ଗାଈ ଦି’ଟାକୁ ସେ ନେବେନି । ସେମିତି ବନ୍ଧା ହେଇଥେବେ ଗୁହାଳରେ ।

 

ମାନସିକ ଉତ୍ତେଜନା ଭିତରେ ବଂଶୀ ଜେନା ତଳୁ ଉଠି ଛିଡ଼ା ହେଇ ପଡ଼ିଲେ । କେଡ଼େ ବଡ଼ ପଞ୍ଚୁହତା ମର୍ଦ, ମୁଣ୍ଡ ଯାଇ ବରାନ୍ଦ ସଳଖରେ ଚାଳର ରୁଅ ବାଉଁଶ ଛୁଇଁଲା । ହାଲି ତିନିବର୍ଷ ତଳେ ଖଞ୍ଜାଟାକୁ ନୂଆ କରି ଗଢ଼େଇଥିଲେ ସିଏ । ଘରର ଶେଣି, ଚଉକାଠ, କବାଟ, ଝରକା ଇତ୍ୟାଦିକି ସେ ତନ୍ନତନ୍ନ କରି ଅନେଇଗଲେ । ଅଗଣା ଚୁଲିରେ ମଣିବୋଉ ରୋଷେଇ ବସେଇଥାଏ, ସେଇଠୁ ନିଆଁର ଧାସ ଆସି ଲାଗୁଥାଏ ଘରର ବିଭିନ୍ନ ଦ୍ରବ୍ୟାବଳୀରେ । ସେଇ ଧାସର ଉଦିଆ ଭିତରେ ଗୋଟା ଖୁଣ୍ଟ ଦିହର ଦାନ୍ତିଆକୁ ଅନେଇଲେ ବଂଶୀ ଜେନା...ଦାନ୍ତିଆରେ ଡେରାବିଶି ବଢ଼େଇର ସ୍ଥପତି–ବିଦ୍ୟାର କୀର୍ତ୍ତି ଘୋଷଣା କରି ଗୋଟାଏ ମାଙ୍କଡ଼ ବସି କଦଳୀ ଖାଉଚି ।

 

ଏତେ ନକ୍ସା ଭିତରେ ବଢ଼େଇଟା ଏଠି ଗୋଟା ମାଙ୍କଡ଼ କାହିଁକି ବସେଇ ଦେଇଗଲା ?

 

କିନ୍ତୁ ଚିନ୍ତାର ବିଶେଷ ଆଦତ୍ ପାଇଲାନି ପ୍ରଶ୍ନ । ବର୍ତ୍ତମାନ ଜୀବନ–ମରଣର ସମସ୍ୟା, ସେଠି ସାମାନ୍ୟ ଗୋଟା ମାଙ୍କଡ଼ ଚିନ୍ତାମାନସର ଅତି ଅକିଞ୍ଚିତ୍‍କର ସମୟର ଭାଗ ଅଧିକାର କରି ପରିତ୍ୟକ୍ତ ହେଇ ପଡ଼ିଲା । ଏତିକିବେଳେ ବାରିପଟ ଆଡ଼ୁ ଘରଭିତରକୁ ପଶି ଆସିଲେ ମଝିଆଁ ଓ ସାନପୁଅ ହରିହର ଆଉ ରାଧାଚରଣ । ବିଘିନ୍ ଜେନା ଘର ପିଲାଙ୍କ ସାଙ୍ଗରେ ସେମାନେ ପାଠ ପଢ଼ିବାକୁ ଯାଇଥିଲେ । ଜଣକୁ ବାର, ଆର ଜଣକୁ ନଅବର୍ଷ ହେବ । ହରିହର ହାତରେ ଗୋଟିଏ ଲଣ୍ଠନ । ସେଇ ଗୋଟିକ ଏ ଘରେ ଏକମାତ୍ର ଉଜ୍ଜ୍ୱଳ ଆଲୋକର ଆଧାର । ସେଇ ଆଲୋକର ସ୍ପର୍ଶରେ ଘରଦ୍ୱାରର ଚିତ୍ର ଆହୁରି ଉଜ୍ଜ୍ୱଳ ହେଇ ଫୁଟିଉଠିଲା । କିନ୍ତୁ ତାହା ଅସହ୍ୟ ହେଲା ଯେମିତି ବଂଶୀ ଜେନାଙ୍କ ପକ୍ଷରେ । ମନର ଏହି ପ୍ରକାର ପ୍ରତିକ୍ରିୟା ଭିତରେ ସେ ଶୁଣିବାକୁ ପାଇଲେ, ମଝିଆଁ ପୁଅ ହରିହର ତ ମା’କୁ ପଚାରୁଚି–

 

“ବୋଉ, ଆମେ କୁଆଡ଼େ ଏ ଗାଁରେ ଆଉ ରହିପାରିବାନି !”

 

ମଣିବୋଉ କିନ୍ତୁ ପୁଅର ଏ ପ୍ରଶ୍ନ–ବାକ୍ୟରେ ଚହଲି ଗଲେନି । ଗାଁର ଆବହାଉଆ ଯେ ଅତି ବିଷାକ୍ତ ହେଇପଡ଼ିଚି ସେ ଅନେକବେଳୁ ସେ କଥା ଜାଣିଚନ୍ତି । ସେଥିପାଇଁ ସେ ପିଲାଙ୍କ ମନରେ ଉତ୍ତେଜନା ଖେଳେଇ ଦେବାପାଇଁ କହିଉଠିଲେ...

 

“ଆମେ ସବୁ ମାମୁଘରକୁ ଚାଲିଯିବାରେ ହରି, ମାମୁଘରକୁ ଚାଲିଯିବା । ମୋ ବାପର କେତେ ଯାନ ଆସନ, କେତେ ଘରଦୁଆର ପଡ଼ିଚି...ଏଡ଼େ ବଡ଼ ବାପଘର ଥାଉଁ ଥାଉଁ ମୁଁ କ’ଣ ଭାସିଯିବି...”

 

ମଣିବୋଉ କଥା କହିବା ସାଙ୍ଗରେ ଜାଳ ଦିଖଣ୍ଡ ମୋହିଁଦେଲେ ଚୁଲି ଭିତରକୁ । ରଡ଼ଟା ତେଜି ଉଠି ମୁହଁରେ ନାଲି ଆଲୁଅ ଝଲକାଏ ଛାଟି ହେଇଗଲା । ପିଣ୍ଡା ଉପରୁ ବଂଶୀ ଜେନାଙ୍କ ଆଖି ପଡ଼ିଲା ସେଇ ମୁହଁ ଉପରେ । ସେ ଦେଖିଲେ, ମଣିବୋଉର ଗାଲରେ ଦି’ ଧାର ଲୁହ ଗଡ଼ି ଯାଉଚି । ଭୀମା ମଧ୍ୟ ସେଇ ଆଡ଼କୁ ଏକଲୟରେ ଅନେଇଚି । କେଡ଼େ ଘର, କେଡ଼େ ଅଳି ଆର୍ଦ୍ଦୋଳି ଚାଲିଥେଲା ଏଠି । କାଲି ସକାଳୁ ସବୁ ଏଠୁ ପୋଛି ହେଇଯିବ । ଏତିକିବେଳେ ସେ ମନରୁ ଜଡ଼ତା ଆଡ଼େଇ ଦେଇ ବଂଶୀ ଜେନାଙ୍କୁ ଯେମିତି ସାହସ ଦେବା ଉଦ୍ଦେଶ୍ୟରେ ଅପେକ୍ଷାକୃତ ଟିକେ ବଡ଼ପାଟି କରି କହିଲା–

 

“ଦିଖଣ୍ଡ ଶଗଡ଼ରେ ହେଇଯିବ ବୋଲି ଭାବୁଚ, ନା ତିନି ଖଣ୍ଡ ଆଣିବି ?”

 

ବଂଶୀ ଜେନା କିଛି ଜବାବ ଦେଇ ପାରିଲେନି । କୌଣସି ଉତ୍ତରକୁ ଅପେକ୍ଷା ନ ରଖି ଭୀମା ପୁଣି କହିଲା, “ନା ତିନି ଖଣ୍ଡ ଶଗଡ଼ ଆଣିବି । ଏ କବାଟ ଝରକାଗୁଡ଼ା ସବୁ ତାଡ଼ି କରି ନେଇଯିବା...ଏ କାମ ତମେ ଆଉ କରେଇପାରିବ । ...ହଉ ତମେ ସମସ୍ତେ ଖିଆପିଆ ଶେଷ କରିଦିଅ, ବନ୍ଧାବନ୍ଧି ମଧ୍ୟ ସାରି ଦେଇଥବ ବାବୁ । ସେ କବାଟ ଫବାଟ କଥା ଆମେ ଆସି ଠିକ୍ କରିଦବୁ...ହଁ ପିଲାଛୁଆଙ୍କୁ ଆଉ ବାହାରକୁ ଛାଡ଼ିବନି । ବିଘିନ୍ ଜେନା ଘରପାଖ ଦୁଆରଟାକୁ ବିଲ୍‍କୁଲ୍ ବନ୍ଦ କରିଦିଅ ।”

 

ଅନ୍ୟମନସ୍କ ଭାବରେ ଗୋଟା “ହୁଁ” ମାରିଲେ ବଂଶୀ ଜେନା ।

 

ଦୂର ନୁହେଁ କି ଅତି ନିକଟ ନୁହେଁ, ବଂଶୀ ଜେନାଙ୍କ ଘରଠାରୁ ଏହିପରି ଗୋଟିଏ ସ୍ଥାନରେ ଭୀମା ଗୁଡ଼ିଆର ଘର । ଗଳି ରାସ୍ତାରେ ଯାଇ ଆଗର ଲୋକାଲ ବୋର୍ଡ଼ ରାସ୍ତା ଉପରେ ମସ୍ତବଡ଼ ହାତୀ ଆଙ୍କୁଶା କଣ୍ଟାବାଡ଼ର ଚୌହଦୀ ଭିତରେ ଗୋଟିଏ ବଡ଼ ଧରଣର ତିଶେଣିଆ ଖଞ୍ଜା; ସେଇ ଭୀମା ଗୁଡ଼ିଆର ଘର । ସେଇ ବଂଶୀ ଜେନାଙ୍କ ଜମି ଭାଗ ବଖରା କରେ । ତା’ରି ବାରିରେ ଧାନ ଗଦା ମରାହେଇ ଅମଳ ହୁଏ । ତା’ରି ଘରେ ମୁଢ଼ି ଭଜା ହୁଏ ସାହିର ପିଲାମାନଙ୍କ ପାଇଁ । ଭୀମାର ସ୍ତ୍ରୀ ପଦୀ ଭାରି ଭଲ ମଣିଷ । ପାଖ ନରଣପୁରର ଅଲଣି ସାହୁର ଝିଅ । ଆଗ ଗେରସ୍ତ ତା’ର ମରିଯିବା ପରେ ସେ ଭୀମାକୁ ଦୁତିଅ ହେଇଚି । ଦେହର ପରିପୁଷ୍ଟ ଯୌବନ ଆଉ କର୍ମପ୍ରବଣତା ଯୋଗୁଁ ଭୀମା ତାକୁ ଭାରି ଭଲପାଏ । ଭୀମାର ମା'ବୁଢ଼ୀ, ଆଉ ଗୋଟିଏ ସାନଭାଇ ଅଛି, ନରିଆ । ସେ କୁଳର ବିଦ୍ୟା ଶିଖି ଇସ୍କୁଲ୍‍ ଛକରେ ଏବେ ଗୋଟିଏ ଜଳଖିଆ ଦୋକାନ ଖୋଲିଚି ।

 

ଭୀମା ଚାଲିଯିବା ପରେ ବଂଶୀ ଜେନା ଅନେକ ବେଳଯାଏ କେତେ କଥା ଚିନ୍ତା କରିବାକୁ ଲାଗିଲେ । ଭୀମା ଆସି ପହଞ୍ଚି ନଥିଲେ ସେ ହୁଏତ କିଛି କରିପାରି ନଥାନ୍ତେ !

 

ଛବିଶ

 

ରାତିଅଧରୁ ସେତେବେଳକୁ ବେଶି ହେଲାଣି ।

 

ମୀନକେତନ ସେ ଦିନ ଅନେକ ଡେରିରେ ଫେରିଲା ଦୋକାନରୁ । ବାରିପଟ ରାସ୍ତାରେ ସେ ଘରକୁ ଆସୁ ଆସୁ ବଂଶୀ ଜେନାଙ୍କ ଦାଣ୍ଡରେ ଭେଟିଲା ତିନି ଖଣ୍ଡ ଶଗଡ଼ । ଦାଣ୍ଡ ଚଉରା ଆଉ ବଂଶୀ ଜେନାଙ୍କ ପିଣ୍ଡା ଉପରେ ଥୁଆହେଇଚି ଦି’ଟା ଲଣ୍ଠନ । ବଂଶୀ ଜେନାଙ୍କ ଘରଭିତରୁ ଜିନିଷପତ୍ର ବୁହା ହେଇ ଆସି ଲଦା ହଉଚି ଶଗଡ଼ରେ । ଆଉ କିଛି ଅଧିକ ବିଷୟର ତଥ୍ୟ ନ ନେଇ ଏତିକିରୁ ମୀନକେତନ ଅନେକ କଥା ଅନୁମାନ କରିପାରିଲା ।

 

ମଙ୍ଗରାଜେ ସେ ପର୍ଯ୍ୟନ୍ତ ଶୋଇ ନଥାନ୍ତି । ଦୋମହଲାର ହଲ୍ ଘରର ଟେବୁଲ ଉପରେ ମହମବତୀ ଲଗା ତିନିଶାଖିଆ ଝାଡ଼ ଲ୍ୟାମ୍ପଟା ଜଳୁଥାଏ । ମଙ୍ଗରାଜେ ପଲଙ୍କ ଉପରେ ପଡ଼ି ଆଗ ପାଖକୁ କଡ଼ ଲେଉଟେଇ ଆଲବାଲା ନଳିରୁ ଧୂଆଁ ଟାଣୁଥାନ୍ତି, ଆଉ ସୁରେଶ୍ଵରୀ ଦେଈ ଗୋଟା ଚଉକି ଉପରେ ବସି ହାତ ବୁଲଉଥାନ୍ତି ତାଙ୍କ ଗୋଡ଼ରେ । ସୁଷମା ଅପେକ୍ଷା କରି ରହିଥିଲା ସ୍ୱାମୀକୁ ତଳ ଖଞ୍ଜାରେ, ତା’ ଆଡ଼କୁ ଦୃଷ୍ଟିପାତ ନ କରି ମୀନକେତନ ତ୍ଵରା ରାତିରେ ଉପର ଖଞ୍ଜାକୁ ଆସି ଉଠି ଚାଲିଗଲା ଦୋମହଲାକୁ । ହଲ୍ ଘର ଭିତରକୁ ମୀନକେତନ ପଶିବାର ଅନେକ ଆଗରୁ ପାହାଚରେ ତା’ର ପାଦଶବ୍ଦ ଦୁଲୁକି ଉଠିଲା । ଘରଭିତରେ ପହଞ୍ଚି ସେ ଏକ ନିଃଶ୍ଵାସରେ କହିଗଲା ବଂଶୀ ଜେନା ଘରର ଘଟଣା ।

 

ମୀନକେତନର କଥା ଶେଷ ନ ହେବା ଆଗରୁ କମ୍ପି ଉଠିଲେ ସ୍ଵରେଶ୍ଵରୀ ଦେଈ.....

 

“ବଇଁଶିଆର ଏଡ଼େ ସାହସ । ଆମକୁ ମାଡ଼ ମାରି ପୁଣି ରାତିଅଧରେ ଏ ଗାଁ ଛାଡ଼ି ଚାଲିଯାଉଚି । ତୁ ଡାକିଲୁ ପ୍ରତାପକୁ...’’

ମଙ୍ଗରାଜେ କିନ୍ତୁ ସହଧର୍ମିଣୀଙ୍କ ଏଭଳି ମନ୍ତବ୍ୟକୁ କୌଣସି ସମ୍ବର୍ଦ୍ଧନା ଜଣେଇଲେନି । ସେ ଧୀରେ ଗମ୍ଭୀର ଭାବରେ ଉଠି ପଶ୍ଚିମ ପାଖର ଝରକା ପାଖରେ ଯାଇ ଛିଡ଼ାହେଲେ । ହଁ, ଲଣ୍ଠନର ଆଲୁଅ ଭିତରେ କ’ଣ ସବୁ କାରବାର ଚାଲିଥିଲା ପରି ଜଣାଯାଉଛି । କଦଳୀ ବଣରେ ଆପଟ ଯୋଗୁଁ ବେଶି କିଛି ଲକ୍ଷ୍ୟ କରି ହଉନି । ନିଦ୍ରାସୁପ୍ତ ଗ୍ରାମର ନିସ୍ତବ୍ଧତା ମଥିତ କରି ସେଇଠୁ ସେ ଡାକ ଛାଡ଼ିଲେ.....

“ବଂଶୀ ? ଆରେ ବଂଶୀ ଘରେ ଅଛୁ ?”

ବଂଶୀ ଜେନାଙ୍କ ଘରେ ଯେମିତି ଗୋଟା ଭୂମିକମ୍ପର ଆତଙ୍କ ଖେଳିଗଲା । ଉଠେଇ ଆଣୁଥିବା ଗୋଟା ବାକ୍‍ସ ଖସିପଡ଼ିଲା ତାଙ୍କ ହାତରୁ । ଭୀମା ହାତରୁ ଖସିପଡ଼ିଲା ଖଟର ପର୍ବତିଆଟା । ଗୁରିଆ ଆଉ ଘାଟିଆ ସାହିର ଗାଡ଼ିବାଲା ଭଗିଆ ଚଉକାଠର ହୁଡ଼ୁକା ଦିହରୁ କବାଟ ଖସଉଥିଲେ, ତାଙ୍କର ହାତ ସେଇଠି ଅଟକି ରହିଗଲା । କେହି କିଛି ଉପାୟ ସ୍ଥିର କରିପାରିଲେନି । ଭୀମାର ମନେହେଲା, ସେ ଯେମିତି ଏକା ଡିଆଁରେ ପଳେଇ ଯାଆନ୍ତା ତା' ଘରକୁ । ମଣିବୋଉ ସେ ପର୍ଯ୍ୟନ୍ତ ହାଣ୍ଡିଶାଳରେ ପଶି କଂସାବାସନ ସବୁ ଗଣି ଗଣି ପଟେ ଅଖାରେ ଭର୍ତ୍ତି କରୁଥିଲେ । ଏ ଡାକରାରେ ସେ ଚମକି ପଡ଼ି ମୁହୂର୍ତ୍ତେ ଥକ୍କା ମାରିଗଲେ । ତା’ପରେ ସେ ପଦାକୁ ବାହାରି ଆସି ବଡ଼ପାଟିରେ କହିଲେ......

“ସାଆନ୍ତେ ଡାକୁଚନ୍ତି; ଶୁଗୁଚିଟି !”

ପ୍ରକୃତରେ କାହାକୁ ଯେମିତି କିଛି ଆଉ ଶୁଭୁନି । କିଏ ସେ ଡାକୁଚି, କୋଉଠି ? ହଁ, କିଏ ଡାକୁଥେଲା ନା କ’ଣ ! କୋଉଆଡ଼ୁ ସେ ଡାକ ଆସିଲା ?

ଏତିକିବେଳେ ପୁଣି ଭାସିଆସିଲା ଡାକ–

“ବଂଶୀ ? ଆରେ ମଙ୍ଗରାଜ ମରିଗଲା କିରେ ଏ ଗାଁରୁ ?”

ବଂଶୀ ଜେନା ନିପଟ ଅଥର୍ବ ହେଇ ବସିପଡ଼ିଲେ ପିଣ୍ଡା ଉପରେ, ମୁଣ୍ଡରେ ଦି’ ହାତକୁ ଦେଇ । ଯେମିତି ମହରଗରୁ ଯାଇ ସେ କାନ୍ତାରରେ ପଡ଼ିଲେ । ତାଙ୍କର ମନେହେଲା, ସେ ଏଇଠି ଦାଣ୍ଡ ଧୂଳିରେ ଲମ୍ବଜାଲ୍ ହେଇ ପଡ଼ି ମଙ୍ଗରାଜଙ୍କୁ କ୍ଷମା ମାଗନ୍ତେ । ଏହି କାର୍ଯ୍ୟଟି ସେ ଏପର୍ଯ୍ୟନ୍ତ କରିପାରି ନାହାନ୍ତି । କିନ୍ତୁ ହଠାତ୍ ତାଙ୍କର ଆଖି ବୁଜି ହେଇଗଲା । ସେ ଆଉ କିଛି ଭାବି ପାରିଲେନି । ଯେମିତି ସୃଷ୍ଟିର ସକଳ ମହିମା ପ୍ରଳୟ ଭିତରେ ଆତ୍ମଗୋପନ କଲା ।

“ଦାଦା !”

ଖୁବ୍ ପାଖରେ କିଏ ତାଙ୍କୁ ଡାକୁଚି ସତେ । ବଂଶୀ ଜେନା ଜାଣିପାରିଲେ, ତାଙ୍କ ସ୍ମୃତିଶକ୍ତିରେ କୌଣସି ଗଣ୍ଡଗୋଳ ଘଟିନି । ତେବେ ତାଙ୍କୁ ଦାଦା ବୋଲି କିଏ ଡାକିଲା ଏତେ ପାଖରେ । ସେ କ’ଣ ଆଉ ମଙ୍ଗରାଜଙ୍କ ଘରକୁ ଯାଇଚନ୍ତି । ଏହି ସମୟରେ ତାଙ୍କ ଚିନ୍ତାକୁ ଆହୁରି ବିପର୍ଯ୍ୟସ୍ତ କରି ଶୁଣାଗଲା–

“ତମେ କ’ଣ ଏସବୁ କରୁଚ ବଂଶୀ କକା !”

 

ବଂଶୀ ଜେନାଙ୍କ ଭିତରେ ହୋସ୍ ପଶିଲା, ସେ ଆଖି ଖୋଲି ଦେଖିଲେ ତାଙ୍କ ଆଗରେ ମୀନକେତନ ଆଉ ପ୍ରତାପ ଠିଆ ହେଇଚନ୍ତି । ମଣିବୋଉ ଆବାକାବା ହେଇ ଅନେଇଲେ ସେ ଦୁଇ ଭାଇଙ୍କ ମୁହଁକୁ । ପିଲାଦିନେ ସେମାନେ ଏଇଠି ଆସି କେତେ ଖେଳୁଥିଲେ । ଏବେ ବଡ଼ ହେଇ ସେମାନେ ଦାଣ୍ଡଗାରିଆ ହେଇଚନ୍ତି । ଆଗର ବାରିବାଟେ ସେମାନେ ସଦର ରାସ୍ତାକୁ ବାହାରି ଗଲେବି ଏ ଆଡ଼େ ବାଟ ଭାଙ୍ଗି କେବେ ଆସନ୍ତିନି । ଏବେ ଆସନ୍ତି ତାଙ୍କର ପିଲାମାନେ ଏଠିକି ଖେଳିବା ପେଇଁ । ଏଇଟା ପିଲାଖେଳର ଜାଗା । ସେଇ ପିଲାଖେଳର ହସଖୁସିର ପୀଠସ୍ଥଳୀରେ ଆଜି ଖାଲି ବିଷାଦ ଓ ବିପତ୍ତିର ଝଞ୍ଜା ବହିଯାଉଚି । ମଣିବୋଉ ପୁତୁରା ଦୁହିଁଙ୍କ ମୁହଁକୁ ଅନେଇ ରହିଲେ ସିନା, କିନ୍ତୁ ପଦେହେଲେ କିଛି କହିପାରିଲେନି ।

 

ପ୍ରତାପକୁ ଦେଖି ଭୀମାର ଛାତି ଭିତରେ ହେମାଳ ଘୋଟିଗଲାଣି । ସୁବିଧା ଦେଖି ଅନ୍ଧାର ଭିତରେ ଦିହଲୁଚା ଦେଇ ଗୁରିଆ ଆଉ ଭଗିଆ ବାରିଆଡ଼କୁ ଖସିଯାଇ ଆମ୍ବକସିଆ ଅଦା ଗଛର କଳା ଛାଇ ପୁଳାକରେ ସେତେବେଳକୁ ଛପି ଗଲେଣି । ବିଶେଷ ଭକ୍ତି ଦେଖେଇବା ବାହାନାରେ ଭୀମା ଆଗକୁ ଆସି ପ୍ରତାପ ଆଉ ମୀନକେତନକୁ ଗୋଟା ସାଷ୍ଟାଙ୍ଗ ଦଣ୍ଡବତ କଲା ।

 

ଏଥି ଭିତରେ ପ୍ରତାପ ଅନେକ କଥା ତଜ୍‍ବିଜ୍ କରିପାରିଚି । ଏଠିକି ଆସିଲାବେଳେ ସେ ଦାଣ୍ଡରେ ଦେଖି ଆସିଚି ସେମାନଙ୍କର ଶଗଡ଼କୁ । ଆଗରେ ଭୀମାକୁ ନଇଁପଡ଼ିବାର ଦେଖି ସେ ଗର୍ଜି ଉଠି କହିଲା ।

 

“ହ୍ୟାପ୍, ତୁ ଆସି ଏଠି ସାପ ଗାତରେ ହାତ ପୂରେଇଚୁ, ହଇରେ ଭୀମା ?''

 

ଭୀମାର ଦଣ୍ଡବତ ଆଉ ଶେଷ ହେଲାନି, ଯେମିତି 'ଗୁରୁଲବଙ୍ଗଲତା'ର ବୃଦ୍ଧ କବି ବାଳକୃଷ୍ଣ ପଟ୍ଟନାୟକଙ୍କ ଚିରଜୁହାର କବିତାର ଏକ ଚିତ୍ରପଟ ପ୍ରସ୍ତୁତ କରିଦେଲା ସିଏ । ତଳୁ ଆଉ ଉଠିବାକୁ ଚାହିଁଲାନି ଭୀମା । ପ୍ରତାପର ଇଚ୍ଛା ହେଲା ଚଟି ପିନ୍ଧା ଗୋଡ଼ରେ ଗୋଟା ଗୋଇଠା ହାଣି ଦିଅନ୍ତା ସେ ତାହାର ମୁଣ୍ଡେ ମୁଣ୍ଡେ । ଜମି କେଇମାଣ ଭାଗ ବଖରା କରି ଦିମାକ ବଢ଼ିଯାଇଚି ଲୋକଟାର ।

 

“ଉଠ୍‍ବେ ତଳୁ । ଆଗେ ମୋ କଥାର ଜବାବ ଦେ । ...ହଇରେ, ତୁ ଆସି ଏ ଘରୁ କବାଟ, ଚଉକାଠ ତାଡ଼ୁଚୁ । ହଇରେ, କକାଙ୍କ ଜମି ଚାରିମାଣ ମାରି ନେବାପାଇଁ ତୁ ତାଙ୍କୁ ଏ ଗାଁରୁ ବିଦା କରିବାକୁ ଫିକର କରି ବସିଚୁ ?’’

 

ଏହାପରେ ପ୍ରତାପ ଆହୁରି ଗର୍ଜି ଉଠି କହିଲା–“ହଇରେ ଭୀମା । ଏ ଘରବାଡ଼ିକି କାହାକୁ ଦବାକୁ ଯୋଗାଡ଼ କରିଥେଲୁ ?''

 

ଭୀମା ବାସ୍ତବିକ ତଳୁ ଉଠି ଠିଆ ହେବାପାଇଁ ଶକ୍ତି କିମ୍ବା ସାହସ ପାଇଲାନି । କ’ଣ କହୁଚନ୍ତି ସତେ ପ୍ରତାପବାବୁ ! କେବଳ ବଂଶୀବାବୁଙ୍କୁ ମଙ୍ଗରାଜଙ୍କ ରାଗ ମୁହଁରୁ ରକ୍ଷା କରିବାପାଇଁ ସେ କାମ କରୁଥେଲା । କିନ୍ତୁ ଏ ସବୁ ଅଭିଯୋଗ କ’ଣ ? କୋଉଠୁ ଏ ଖବର ପାଇଲେ ପ୍ରତାପବାବୁ ! ବଂଶୀ ଜେନା ନୁହନ୍ତି, ଅବସ୍ଥା ଯାହା ହେଲାଣି ଏ ଗାଁରୁ ଉଠିଯିବ ତାହାହେଲେ ସେ ନିଜେ !!

 

ସେଇମିତି ତଳେ ପଡ଼ି ପ୍ରତାପର ଦି' ଗୋଡ଼କୁ ମୁଠେଇ ଧରିଲା ଭୀମା । ଏଭଳି ପରିସ୍ଥିତିରେ ବଂଶୀ ଜେନାଙ୍କ ନିଜର ଦୁଃଖ ହ୍ରାସ ପାଇ ସେଠି ଭୀମାର ମୂର୍ତ୍ତି ଠିଆ ହେଇଗଲା ଏକ ବିରାଟ ଆକାର ଧରି । ସେ ଚମକି ପଡ଼ିଲେ, କ’ଣ ହବାକୁ ଯାଉଚି ସତେ ଘଟନା । ପ୍ରତାପ ଏ ସବୁ କ’ଣ କହିଯାଉଚି ?

 

ବଂଶୀ ଜେନା ତଳୁ ଉଠିପଡ଼ି ଦି’ହାତରେ କୁଣ୍ଢେଇ ଧରିଲେ ପ୍ରତାପକୁ । କିଛି ସମୟପାଇଁ ତାଙ୍କ ପାଟି ଖନି ମାରିଗଲା । ନିଜର ସାହସ ଫେରାଇ ସେ ଅତିଶୟ ନିରାଶ୍ରିତ କଣ୍ଠରେ କହିଲେ...

 

“ପ୍ରତାପବାବୁ...ବାବା ପ୍ରତାପ, ତୁ ମତେ ରକ୍ଷା କରିବୁନି ବାପା । ତମକୁ ଆଉ ମୁହଁ ଦେଖେଇ ପାରିବିନି ଭାବି ମତେ ଏଠୁ ଉଦ୍ଧାରି ନବାକୁ ମୁଁ ଭୀମାକୁ ଡାକିଥେଲି । ସେ ବିଚରାର କିଛି ଦୋଷ ନାଇଁ ।'' ପ୍ରତାପର ବେକ ଉପରୁ ମୁହଁ ଉଠେଇ ସେ ପୁଣି କହିଲେ, “ମଣିବୋଉ, ତମେ ପାଖକୁ ଆସ, ଆମ ଘରକୁ ମୀନ ଆଉ ପ୍ରତାପ ଆସିଚନ୍ତି । ଆରେ ମୀନ, ଆରେ ପ୍ରତାପ, ମନେଅଛି ନା ତମର ସବୁ ପିଲା ଦିନର କଥା । ପ୍ରତାପ, ଖେଳୁ ଖେଳୁ ଖୁଡ଼ୀର ଆଙ୍ଗୁଠି ଗୋଟା ତୁ ଭାଙ୍ଗି ଦେଇଥେଲୁ । ମନେ ଅଛି ? ...ଭାଇ, ଏତେବେଳଯାଏ ଶୋଇ ନାହାନ୍ତି ମୀନ । ମୁଁ ଭାଇଙ୍କି ଆଉ ଏ ମୁହଁ ଦେଖେଇବିନି ବିଲି ଭାବିଥେଲି...ଚାଲ, ଚାଲ, ଏ ମୁହଁଟାକୁ ମୁଁ ତାଙ୍କରି ଗୋଡ଼ତଳେ ପକେଇ ଦେଇ ଆସିବି...ସିଏ ଯାହା କରିବେ !”

 

“ବଂଶୀ କକା, ତମେ କାହିଁକି ଏସବୁ ପ୍ରଳାପ ଗପୁଚ ! ତମେ ଆମର ଦାଦି, ବାପାଙ୍କର ଭାଇ, ତମେ ଏ ଗାଁରେ ରହିବନି ଆଉ ରହିବ କିଏ ? କିଏ ତମକୁ ଏ ମାରାତ୍ମକ ଧାରଣା ଦେଲା-? ତମେ ନ ରହିଲେ ଆମେ ମଧ୍ୟ ରହିବୁନି ଏ ଗାଁରେ ।”

 

ପ୍ରତାପର ଏ ବାକ୍ୟରେ ବଂଶୀ ଜେନା ଯତ୍‍ପରୋନାସ୍ତି ଆଶ୍ୱସ୍ତ ହେଲେ । ମଣିବୋଉ ଭାବାବେଗରେ ଭୋକରି କାନ୍ଦି ଉଠି ବାହୁନିବା ଆରମ୍ଭ କରିଦେଲେ, ତାଙ୍କୁ ଦେଖି ପିଲାଗୁଡ଼ାକ କାଉଳି ବାଉଳି ହେଇ କାନ୍ଦିଲେ । ପ୍ରତାପ ଅତି ବିହ୍ଵଳ ହୃଦୟରେ ତାଙ୍କର ହାତ ଧରି ପକେଇ କହିଲା–

 

“ତମେ ଏ କ'ଣ କରୁଚ ଖୁଡ଼ୀ ? ମୁଁ କହୁଚି ତୁନି ହୁଅ, ତମର କେହି କିଛି କ୍ଷତି କରିବନି-!”

 

ଗୋଟା ଅଶୁଭ ମୁହୂର୍ତ୍ତର କାହାଣୀ । ଗୋଟା ଇତିହାସ । ଗୋଟିଏ ଦିନ ଭିତରେ ଗୋଟାଏ ଯୁଗର ଯେମିତି ଓଲଟପାଲଟ ହେଇଗଲା । ମଙ୍ଗରାଜଙ୍କ ପାଖରୁ ଫେରିଆସି ବଂଶୀ ଜେନା ଦେଖିଲେ, ଭୀମା ଥକ୍କାମାରି ଗୋଟିଏ ଜାଗାରେ ନିଶ୍ଚଳ ହେଇ ବସି ରହିଚି । ଦାଣ୍ଡରେ ଗୁରିଆ ଆଉ ଭଗିଆର ଶଗଡ଼କୁ ନ ଦେଖି ସେମାନେ ଚାଲିଯାଇଚନ୍ତି ବୋଲି ସେ ଜାଣିପାରିଥିଲେ-। ସେଥିପାଇଁ ସେମାନଙ୍କ କଥା ସେ କିଛି ଭାବିଲେନି, ନିଜକୁ ରକ୍ଷା କରିବାର ସାମର୍ଥ୍ୟ ଦୃଷ୍ଟିରୁ ସେମାନେ ଫେରିଯାଇଚନ୍ତି–ତାଙ୍କର କୌଣସି ପରାମର୍ଶକୁ ଅପେକ୍ଷା ନ ରଖି । କେବଳ ଦୟାର ପାତ୍ର ହେଇ ପଡ଼ିରହିଲା ଏଇ ଭୀମା ! ବିଚରା ତାଙ୍କୁ ରକ୍ଷା କରିବାକୁ ଯାଇ ନିଜ ବେକରେ ପିନ୍ଧିଲା କାଳ–ଫାଶ । ହୁଏତ ଭାଇ–ଭାଇ ସେମାନେ ପୁଣି ମିଳିଗଲେ; କ’ଣ ସନ୍ଦେହ ଅଛି ଆଉରି; କ’ଣ ଅମେଳ ହେଇଥେଲା ? ନା, ଅମେଳ ନୁହେଁ, ଭୁଲ୍ । ଓଃ, କି ଦୁର୍ବୁଦ୍ଧି ତାଙ୍କୁ ଗ୍ରାସିଗଲା ଆଜି ସକାଳେ ! ମନହେଲା, ଗାଲରେ ଠୋଠୋ ଚାରି ଚାପୁଡ଼ା ସେ ମାରି ହୁଅନ୍ତେ, କିନ୍ତୁ ପାରିଲେନି, ଭୀମାଟା ଅଛି, ପିଲାଛୁଆ ଧରି ସେ ଘର କରିଚନ୍ତି, କ’ଣ ଭାବିବେ ସମସ୍ତେ । ନା...

 

ହଠାତ୍ ଭାବ ପରିବର୍ତ୍ତନ କରି ବଂଶୀ ଜେନା ହସିଉଠିଲେ ।

 

“ଭୀମା !”

 

ଭୀମା ଅନେଇଲା ତାଙ୍କ ମୁହଁକୁ । ମଣିବୋଉ ଆସି ପାଖରେ ପହଞ୍ଚିଲେ । ମୁହଁରେ ତାଙ୍କର ଜିଜ୍ଞାସା, ସବୁ ତୁଟି ଗଲାନା ! ପ୍ରତାପ ଯେତେବେଳେ ଏଠି କଥା ଦେଇ ଯାଇଥେଲା ଆଉ ବାକି ରହିଥେଲା କ’ଣ ଯେ ! ତେବେ କ’ଣ କହିଲେ ସାଆନ୍ତେ ! ଏତେଗୁଡ଼ାଏ ପ୍ରଶ୍ନ ଧରି ମଣିବୋଉ ଅନେଇ ରହିଲେ ସ୍ୱାମୀଙ୍କର ମୁହଁକୁ ।

 

“ତୋ କଥା କିଛି ଆଉ ଖାତାରେ ନାଇଁ, ମୁଁ ସବୁ ବୁଝେଇ ଦେଇ ଆସିଚି ଭାଇଙ୍କି । ଯା’ ଘରକୁ ଯା’ ଭୀମା । କିଛି ଆଉ ଭାବନା, ମୋ ମୁହଁକୁ ଅନେଇ ଆଉସବୁ କଥା ଭୁଲିଯା । ରାଗ ବାଗରେ ପ୍ରତାପ ସିମିତି ସବୁ କହି ପକେଇଲା...”

 

ବଂଶୀ ଜେନାଙ୍କ କଥାର ଅର୍ଥ ପୂରା ଉପଲବ୍ଧି କରିବାକୁ ଭୀମା ଚେଷ୍ଟାକଲା । ତା’ପରେ ପିଣ୍ଡା ଉପରୁ ଉଠିପଡ଼ି ଗୁରିଆ ଆଉ ଭଗିଆ ସବୁ ଜିନିଷ ଠିକଣା ଭାବରେ ରଖାରଖି କରିଦେଇ ଯାଇଚନ୍ତି କି ନା ସେଥିପ୍ରତି ଦୃଷ୍ଟି ଦେଇ ଚାରିଆଡ଼େ ଟିକେ ବୁଲି ଆସିଲେ । ତା’ପରେ ସେ ବାହାରିଗଲା ପଦାକୁ, ଦାଣ୍ଡରୁ ଶଗଡ଼ ଖଣ୍ଡକ ଅଡ଼େଇ ଘରମୁହାଁ ହେଇ ଚାଲିଗଲା ।

 

ଦାଣ୍ଡରେ ଅନେକଗୁଡ଼ାଏ ଗୋବର ହଗିଚନ୍ତି ଛ'ଟା ବଳଦ । କବାଟ ଦେଇ ଆସୁ ଆସୁ ମଣିବୋଉ ସେତକ ଲକ୍ଷ୍ୟ କରି ଫେରିଆସିଲେ । ସ୍ୱାମୀ ପାଖକୁ ଲାଗି ଆସି ସେ ପଚାରିଲେ—

 

“କ’ଣ କହିଲେ ଅପା”

 

ଏହା ମଣିବୋଉଙ୍କ ଅନେକବେଳରେ ଚିନ୍ତା, ଏତେବେଳକେ ଭାଷାରେ ପ୍ରକାଶ ପାଇଲା । କିନ୍ତୁ ଏ ପ୍ରଶ୍ନ ବିରୋଧାଭାଷ ସୃଷ୍ଟିକଲା ବଂଶୀ ଜେନାଙ୍କ ଭିତରେ । ମଙ୍ଗରାଜଙ୍କ ଘରେ କେତେକଥା ଘଟିଗଲା, ସେ ପୁଣି ସେଠି ଅଧଘଣ୍ଟାଏ ଯାଏଁ ରହିଲେ । କିନ୍ତୁ ନୂଆବୋଉଙ୍କୁ ତ ସେ ଦେଖି ନାହାନ୍ତି ! କ’ଣ କହିବେ ସେ ସୁରେଶ୍ଵରୀ ଦେଈଙ୍କ ସମ୍ବାଦ ମଣିବୋଉ ଓରଫ୍ ଯମୁନା ଦେଈଙ୍କି ।

 

କିଛି କହିପାରିଲେନି । ଖାଲି ଶୁଷ୍କ ଚାହାଣିରେ ସେ ଅନେଇଲେ ସହଧର୍ମିଣୀଙ୍କର ଦୁଇଟିଯାକ ପ୍ରଶ୍ନଭରା ଆଖିକି ।

 

ଯେମିତି ଏକ ଅସମାପିକାର ସୂତ୍ର ରହିଯାଇଛି । ବ୍ରଣରୁ ପୂଜ ବାହାରି ଯାଇଛି, ମାତ୍ର ରହିଯାଇଛି ବିଷ–ମଞ୍ଜି ।

 

ସତେଇଶ

 

ଚାରିଟା ଇଟା ଭାଟି ପୋଡ଼ାହେଲା, କିନ୍ତୁ ଚାରିବର୍ଷ ବିତିଗଲେବି ଗୋଟାଏ ହେଲେ କୋଠା ତିଆରି ହେଇ ପାରିଲାନି । ଏଥିଲାଗି ଜନ୍ମେଜୟ ମଙ୍ଗରାଜଙ୍କ ମନରେ ଅନେକ ସମୟରେ ଅବସୋସ ହୁଏ । ରାଗ ହୁଏ ବଡ଼ପୁଅ ଉଦିତଚନ୍ଦ୍ର ଉପରେ, କାହିଁକି ସେ ତାଙ୍କୁ ଏତେ ତଅ ଖର୍ଚ୍ଚରେ ପକେଇଲା, ଏତେ ପରିଶ୍ରମ କରେଇଲା ? କୋଠା ତୋଳାଇବାରେ ତାଙ୍କର କି ଦରକାର ଥେଲା । ସେ ସବୁ କଥା ଭଠେଇଲା ସେଇ ଉଦିତ, ପୁଣି ସେଇ ସବୁ ଭଣ୍ଡୁର କରି ଥୋଇଚି । ଗଲା ତିନି ଚାରିବର୍ଷ ଭିତରେ ଜମା ଦି’ଥର ଆସିଚି ଗାଁକୁ । ଥରେ ଆସିଥେଲା ଯାଇଁ ସେଇ ମିତ୍ରଭାନୁ ବିଦେଶ ଯିବାବେଳେ । ଆଉଥରେ କାହିଁକି ଆସିଥେଲା ମନେନାଇଁ, କିନ୍ତୁ ଆସିଥେଲା । “ନିଶ୍ଚେ ବଡ଼ ବୋହୂର କିଛି କାରସାଦି ଅଛି ୟା ଭିତରେ !”

 

ବଡ଼ ଅନିଚ୍ଛା ସତ୍ତ୍ଵେ ଶେଷର କଥାପଦକ ମଙ୍ଗରାଜେ କହିଉଠିଲେ । ସୁରେସ୍ଵରୀ ଦେଈ ସ୍ଵାମୀଙ୍କ ମନର ଗତିଟାକୁ ସୁଧାରି ନେବାପାଇଁ ଚେଷ୍ଟାକଲେ । କହିଲେ–

 

“ମିତ୍ରଭାନୁ ଯିବାବେଳକୁ ଉଦିତ ଦଶହଜାର ଟଙ୍କା ଦେଇଥେଲା ତା’ ଯିବା ଖର୍ଚ୍ଚ ଓ ଆଉ କ’ଣ ସବୁ ଜିନିଷପତ୍ର ଲାଗି । ପୁଣି ତା’ର କେତେ ଛୁଆପିଲା, ସେମାନଙ୍କ ପଢ଼ାପଢ଼ି ଖର୍ଚ୍ଚ ରହିଛି, ଏଥିରେ ସେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଇଜମାଲିରେ କୋଠା ତୋଳିବ କାଇଁକି ? ଆଉ ବୋହୂର ଏଥିରେ ଦୋଷ କ’ଣ ?”

 

ବଡ଼ ବୋହୂ ହାରାମଣିର ଗୁଣ ଓ ଦୁର୍ଗୁଣ କେତେ ସେ ବିଷୟରେ ସୁରେଶ୍ଵରୀ ଦେଈଙ୍କର ଯେ କିଛି ଅବଗତି ନାହିଁ ସେଥିରେ ସନ୍ଦେହ କରାଯାଇ ନପାରେ । ତେବେ ବଂଶର ବଡ଼ବୋହୂ ଭାବରେ ସେ ହାରାମଣିକି କିଛି ସ୍ଵତନ୍ତ୍ର ମର୍ଯ୍ୟାଦା ଦେବାକୁ ଚାହାନ୍ତି । ସେ ଥର ଗାଁକୁ ଆସି ଭାଇମାନଙ୍କ ଭିତରେ ହାରାମଣି କିପରି ଅପ୍ରୀତି ସୃଷ୍ଟି କରି ଦେଇଗଲା ତାହାର କେତେକ ଖବର ରଖିବାକୁ ମଧ୍ୟ ସୁରେଶ୍ଵରୀ ଦେଈ ଭୁଲି ନାହାନ୍ତି । ଯେତେହେଲେ ସେ ଘରର ବଡ଼ ବୋହୂ, ସେଥିପାଇଁ ତା’ର କେତେକ ମତ ପ୍ରକାଶ କରିବାର ଅଧିକାର ରହିଚି, ଯାହାକୁ କି କେହି ବେଖାତିର କରିବା ସମୀଚୀନ ନୁହେଁ, ସୁରେଶ୍ଵରୀ ଦେଈଙ୍କର ସେହିଭଳି ମତ ।

 

ସ୍ଵାମୀଙ୍କ ମନରେ ନିଜ କଥାର ପ୍ରଭାବକୁ ଦୃଢ଼ୀଭୂତ କରିବା ଉଦ୍ଦେଶ୍ୟରେ ସେ ପୁଣି କହିଲେ–

 

“ଉଦିତର ବଡ଼ ଝିଅଟା ପୁଣି ବା' ହବାକୁ ହେଲାଣି । କୋଉଠି କୁଆଡ଼େ ଗୋଟା ଡାକ୍ତର ଜଇଁ ଠିକ୍ କରିଚି । ପନ୍ଦର କୋଡ଼ିଏ ହଜାରରୁ କୁଆଡ଼େ କମ୍ ଟଙ୍କା ଲାଗିବନି । ଏସବୁ ଖର୍ଚ୍ଚ କିଏ ତୁଲେଇବ ? ଉଦିତ ଏଥିରେ କ’ଣ କରିବ ତମେ କହିଲ ?”

 

“ହୁଁ ।”

 

ଅଣ୍ଡାର ଗୋଟା ପୋଚ୍ ଖାଇଲେ ମଙ୍ଗରାଜେ। ତା’ପରେ ଚାକର କାର୍ତ୍ତିକା କିଛି କୃଶ୍ଚେନ୍ ସଲ୍‍ଟ ଗୋଳେଇଲା ଗୋଟା କାଚ ଗିଲାସରେ । ତାକୁ ଗଳାଧଃକରଣ କରି ସେ ଆସ୍ତେ ଆସ୍ତେ ବସି ଚା' ପିଇଲେ ।

 

“ହୁଁ...ତା’ର ତ ଏତେ ଦାୟିତ୍ଵ, କିଏ କହୁଥେଲା ତାକୁ ଗାଁରେ କୋଠା ତୋଳାର ଆୟୋଜନ କରିବାକୁ ।”

 

ଚା’ ପିଇବା ଶେଷ କରି ମଙ୍ଗରାଜେ ଚାକର ହାତରୁ ଆଲ୍‍ବାଲାର ନଳି ଧରିଲେ । ସବୁଠାରୁ ଆରାମପ୍ରଦ ତାଙ୍କ ପକ୍ଷରେ ଏଇ ନଳି ଟାଣିବା । ଗୁଡ଼୍‍ଗୁଡ଼୍ ଶବ୍ଦ ପରେ ମେଞ୍ଚାଏ ଧୂଆଁ ଛାଡ଼ିଦେଇ ସେ କହିଲେ–

 

“କାହିଁକି ଇଜମାଲିରେ ସେ ଅଙ୍ଗଲା ଧନ ଖର୍ଚ୍ଚ କରି କୋଠା କରିବ ବୋଲି ତମେ ଯୋଉ କଥାଟା କହିଲ, ସେଇ କଥାଟା ସତ । ଆଉ ଏସବୁ କଥା ପଛରେ ନିଶ୍ଚେ ବଡ଼ବୋହୂର ହାତ ଥବ..., ହୁଁ...ମତେ ଖାଲି ଭାଣ୍ଡୁରା କଲା ଏ ଗାଁରେ...ଚାରି ଚାରିଟା ଇଟାଭାଟି ପୋଡ଼ା ହବା ଦେଖି ଲୋକେ କାହିଁରେ କ’ଣ ଭାବିଗଲେ, ଶେଷକୁ ଭୁରିଶ୍ରବାଙ୍କ ପାଗ ବନ୍ଧା ପରି ହେଲା...ଏବେ ଇଟାଭାଟି ଉପରେ ପୁରୁଷେ ଉଞ୍ଚ ବର ଆଉ ଓସ୍ତ ଗଛ ଉଠିଲାଣି...କିଏ କେତେ ଇଟାବି ବୋହି ନେଇ ଗଲେଣି । ହଉ...ମୋର କୋଉ ଘର ନଥେଲା ନା କ’ଣ । ...ଆଜିକାଲିର ଏ ଟୋକାଙ୍କୁ ଆଉ ପାରି ହବନି...”

 

ଦୋକାନକୁ ଯିବାପାଇଁ ବାହାରି ଏତିକିବେଳେ ମୀନକେତନ ଆସି ଆଗରେ ଛିଡ଼ାହେଲା । ବରଣ୍ଡାର ମଝି ଦରଜା ପାଖକୁ ବସି ସୁରେଶ୍ଵରୀ ଦେଈ ସେତେବେଳକୁ ସ୍ଵାମୀଙ୍କ ପାଇଁ ନିଜ ହାତରେ କେତେ ଖଣ୍ଡ ପାନ ଭାଙ୍ଗୁଥିଲେ । ସେ ଅନେଇଲେ ପୁଅର ମୁହଁକୁ । ମଙ୍ଗରାଜେ ମଧ୍ୟ ଅନେଇ ଦେଖିଲେ, ମୀନକେତନ କ’ଣ ଯେମିତି କହିବାକୁ ଆସିଚି । ତାହାକୁ ସେଥିପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ପଚାରିଲେ–

 

“କ’ଣ କିରେ ମୀନୁ ?”

 

ମୀନକେତନ ଟିକେ ଆଙ୍ଗୁପାଙ୍ଗୁ ହେଲା, ଦି'ଚାରି ସେକେଣ୍ଡ ପରେ ହାତ ମଳି ମଳି କହିବାକୁ ଚେଷ୍ଟାକଲା–

 

“ନନାଙ୍କ କଥା ପ୍ରତାପ ତମକୁ କିଛି କହିନି ?”

 

ମଙ୍ଗରାଜେ ହଠାତ୍ ଚହଲି ଗଲେ । ହାତର ଗୁଆ ଭଙ୍ଗା ବନ୍ଦ କରିଦେଇ ସୁରେଶ୍ଵରୀ ଦେଈ ବିସ୍ମିତ ଆଖିରେ ଚାହିଁ ରହିଲେ ମୀନକେତନକୁ । “କିଏ ଉଦିତ ! କ’ଣ ହେଇଚି ତା’ର ? କୁଆଡ଼େ ଗଲା ପ୍ରତାପ ?”

 

ବଡ଼ ବିବ୍ରତ ସ୍ୱରରେ ମଙ୍ଗରାଜେ ପଚାରିଗଲେ ଏତକ ପ୍ରଶ୍ନ । ମୀନକେତନ କିନ୍ତୁ ନିଜ କଥାରେ କୌଣସି ପ୍ରକାର ଉଦ୍‍ବେଗ ପ୍ରକାଶ ନ କରି ଆସ୍ତେ ଆସ୍ତେ କହିଲା–

 

“ପ୍ରତାପ ଭୋରୁ ଉଠି କଟକ ଚାଲିଯାଇଚି, ସେଠୁ ସେ ଭୁବନେଶ୍ଵର ଯିବ...ନନାଙ୍କର ସେମିତି କିଛି ହେଇନି ଯେ...”

 

“ଆରେ କ’ଣ ହେଇଚି ତୁ ଆଗେ କ'...”

 

ମଙ୍ଗରାଜେ ଖୁବ୍ ଉତ୍ତେଜିତ ହେଇ ପ୍ରଶ୍ନ କଲେ ।

 

“ଦି’ ତିନି ଜଣ କଣ୍ଟ୍ରାକ୍ଟର ଗଲା ଦି'ବର୍ଷ ହେଲା ଚକ୍ରାନ୍ତ କରୁଥେଲେ । ସେଇମାନେ ତାଙ୍କ ବିରୁଦ୍ଧରେ ଗୋଟା କେଶ୍ ଧରେଇ ଦେଇଚନ୍ତି...ତେବେ ସେ ବିଷୟରେ କିଛି ଚିନ୍ତା ନ କରିବାକୁ ପ୍ରତାପ କହିଯାଇଚି...ଦିନକ ତଳେ ଏତେ ଗୋଳମାଳ ଘାଟିଯାଇଚି...କାଳେ ଆପଣଙ୍କ ମନ ଖରାପ ହବ, ସେଥିଲାଗି ତମକୁ ସେ କିଛି ନ କହି...”

 

“କାହିଁ କ’ଣ ଘଟିଚି, ଓ...ଏ ବଂଶୀ କଥା କହୁଚୁ...କାହିଁ ମୋ ମନ ତ ଜମା ଖରାପ ହେଇନି, ମନ ଖରାପ ହେଇଚି ତୋ ବୋଉର...ମୁଁ ଯେତେ ବୁଝେଇଲେ ମଧ୍ୟ ତାଙ୍କ ମନ ବଦଳୁନି...ବଂଶୀ କୁଆଡ଼େ ଇତର ଲୋକ...ସିଏ ମୋ ଧିଅରେ ହାତ ଛୁଇଁଲା...”

 

ଦୁଃଖର ପରିସ୍ଥିତି ଭିତରେ ମଧ୍ୟ ମଙ୍ଗରାଜ ହୋହୋ ହେଇ ହସି ଉଠିଲେ ।

 

“ଜାଣିଲୁ ମୀନ, ଜାଣିଲ ଉଦିତ ବୋଉ, ବଂଶୀ ଆମର ତ ଅତି ଲଗୌନ୍ତି ଲୋକ...ଆମେ ଟିକେ ବଡ଼ଲୋକ ହେଇ ଯାଇଚେ ବୋଲି ନିଜର ଭାଇ ବିରାଦରକୁ ଛୋଟ ଭାବିବା ଉଚିତ ନୁହେଁ...ହଁ ଛାଡ଼, ଉଦିତ କଥା ଶୁଣି ବଡ଼ ଦୁଃଖ ହେଲା । କିନ୍ତୁ...ତେବେ ପ୍ରତାପ ଏମ୍.ଏଲ୍.ଏ. ହେଇଚି ଏତିକି ଭରସା...ନହେଲେ...

 

ତା’ପରେ କିଛିକ୍ଷଣର ନୀରବତା ପରେ ସେ କହିଲେ–

 

“ହୁଁ...ବର୍ତ୍ତମାନ ପ୍ରତାପ ଜାଣି ଏ ବଂଶର ରକ୍ଷାକର୍ତ୍ତା । ମୁଁ ଆଗରୁ ଅନେକ ଭୁଲ୍ ଭାବୁଥିଲି । ...ଆରେ ମୀନ, ତୁ ରାତିରେ ଏବେ ବେହେଲା ବଜଉଚୁ ନା...ହାତ ତୋର କେଡ଼େ ସୁନ୍ଦର ଫିଟି ଯାଇଥିଲା...”

 

ଏ କଥାରେ ଅତି ଲଜ୍ଜିତ ହେଇ ପଡ଼ିଲା ମୀନକେତନ, ମୁହଁଟା ତା’ର ରଙ୍ଗା ପଡ଼ିଗଲା । ତୀକ୍ଷ୍ଣ ନୀରବତା ଭିତରେ ସେ ବାହାରିଗଲା ଦୋକାନ ଆଡ଼େ ।

 

ସେ ଦିନ ସକାଳେ ମଙ୍ଗରାଜେ ଆଉ ବାହାରକୁ କୁଆଡ଼େ ଗଲେନି । ପୂର୍ବଦିନ ମଧ୍ୟ ସେ ଘର ଚକଡ଼ାରୁ ଆଉ କେଉଁଆଡ଼କୁ ଯାଇ ନଥିଲେ । ତହିଁ ପୂର୍ବଦିନର ଭୂତଟା ତାଙ୍କ ମନରେ ଯେମିତି ସଜାଗ ହେଇ ରହିଥିଲା । ତା’ପରେ ସେଦିନ ରାତିଅଧକୁ ଘଟିଯାଇଥିଲା ଆହୁରି ଅପ୍ରତ୍ୟାଶିତ ଘଟନା । ବଂଶୀ ଜେନା ସେଦିନ ରାତିରେ ଆସି ତାଙ୍କ ଗୋଡ଼ ଧରି କ୍ଷମା ମାଗିଗଲେ-। ଏପରି ଘଟିବା ମଙ୍ଗରାଜ କିନ୍ତୁ ଆକାଂକ୍ଷା କରୁ ନଥିଲେ । ଘଟଣା ଦିନ ମଙ୍ଗରାଜେ ଯେପରି ସାହସିକତାର ସହ ପରିସ୍ଥିତିର ସମ୍ମୁଖୀନ ହେଲେ ତତ୍ପର ଦିନ କାହିଁକି କେଜାଣି ତାଙ୍କର ସେ ସାହସ ରହିପାରିଲାନି । ଯେମିତି ସେ ନିଜକୁ ଅତିଶୟ ଲଜ୍ଜିତ ଓ ଅପମାନିତ ମନେକଲେ-। ବଂଶୀ ଜେନା ମଧ୍ୟ ସେଦିନ ମଙ୍ଗରାଜଙ୍କ ଦାଣ୍ଡକୁ ଆସିବେ ଆସିବେ ଭାବି, ଯେତେ ଇଚ୍ଛା କଲେବି ଆସି ପାରିଲେନି । ଗାଁରେ ଥାଇ ଦିନେ ମଙ୍ଗରାଜଙ୍କ ଦାଣ୍ଡକୁ ନ ଆସିବା ଏବଂ ମଙ୍ଗରାଜଙ୍କ ସହ ସାକ୍ଷାତ ନ ହେବା ବଂଶୀ ଜେନାଙ୍କ ଜୀବନରେ ଆଉ କେବେ ଘଟି ନଥିଲା । ମଙ୍ଗରାଜଙ୍କ ପକ୍ଷରେ ମଧ୍ୟ ସେହିପରି ସେ ଦିନର ଘଟନା ଅତି ଅଭାବିତ । ମୀନକେତନ ଚାଲିଯିବା ପରେ ମଙ୍ଗରାଜେ ଯାଇ ଦାଣ୍ଡ ଚାଳିର ଖଣ୍ଡେ ଚୌକି ଉପରେ ବସି ପଡ଼ିଲେ । ମଝିରେ ମଝିରେ ଖଣ୍ଡିଏ ଖଣ୍ଡିଏ ପାନ ଚୋବେଇ ଏବଂ ଆଲ୍‍ବାଲା ନଳିରୁ ଧୂଆଁ ଟାଣି ଟାଣି ଖଣ୍ଡେ ଦିଖଣ୍ଡ ଖବରକାଗଜ ପଢ଼ିଲେ-। ସମ୍ବାଦ ପଢ଼ିବା ଶେଷ ହେବାପରେ କାଗଜର ଏପାଖ ସେପାଖ ଓଲଟେଇ ବିଜ୍ଞାପନଗୁଡ଼ାକ ମଧ୍ୟ ପଢ଼ିଗଲେ । ...ନା, ଆଉ ହବନି...

 

“ଆରେ କାର୍ତ୍ତିକା”

 

କାଳେ ଆଲ୍‍ବାଲାରୁ ନିଆଁ ନିଭି ଯାଇଥିବ ଭାବି ଡାକ ଶୁଣି କାର୍ତ୍ତିକା ଗୋଟିଏ ସଢ଼େଇରେ କେତେଖଣ୍ଡ ରଡ଼ନିଆଁ ଘେନି ଆସି ପହଞ୍ଚି ସେତକ ଗୁଡ଼ାଖୁର ଚିଲମ ମୁହଁରେ ଥୋଇ ମେଞ୍ଚାଏ ଗୁଡ଼ାଖୁ ମଧ୍ୟ ସାଜି ଦେଲା ।

 

ଭୁଡ଼୍ ଭୁଡ଼୍ ଭୁଡ଼୍...ଗୁଡ଼୍ ଗୁଡ଼୍...

 

“ହଁ, ଆରେ କାର୍ତ୍ତିକା...”

 

ମୁହଁରୁ ପୁଳାଏ ଧୂଆଁ ଉଡ଼େଇ ଦେଇ ଚାଳିର ରୁଅ ବାଉଁଶକୁ ଅନେଇ ଅନେଇ ମଙ୍ଗରାଜେ କହିଲେ–

 

“ଗବାବୁକୁ ଡାକି ଆଣିବୁ ।”

 

ଅନେକବେଳଯାଏ ମଙ୍ଗରାଜେ ରୁଅ ବାଉଁଶ ଉପରୁ ଆଖି ଫେରେଇଲେନି । ତାଳବରଡ଼ା ଛାଉଣିର ବିରାଟ ଚାଳି । ଦଶହରାକୁ ଥରେ ଛାଉଣି ହୁଏ ।

 

“ଆରେ ଦଶରା ତ ନିକଟ ହେଲାଣି...”

 

ମଣିଷ ଆସିବାର ଗୋଟା ଛାଇର ଆଭାସ ପାଇ ମଙ୍ଗରାଜେ ଏତକ ବଂଶୀ ଜେନାଙ୍କ ଉଦ୍ଦେଶ୍ୟରେ କହି ପକେଇଲେ । କିନ୍ତୁ କିଏ ତାଙ୍କୁ ତଳେ ପଡ଼ି ସାଷ୍ଟାଙ୍ଗ ପ୍ରଣିପାତ ହେବାର ଦେଖି ସେ ଚିହ୍ନିଲେ, ବଂଶୀ ନୁହେଁ, ଆଗରେ ମକରା ଚମାର । ଗୋଲାକାରରେ ଗୁଡ଼ା ହେଇଥିବା ତାଳକୋରଟର ଦଉଡ଼ି ଓ କଟୁରିଟା ଏକପାଖିଆ କରି ରଖି କଳା ମଚମଚ ଲୁହାର ଦେହରେ ମକରା ତଳୁ ଉଠି ଠିଆ ହେଇ ପୁଣି ହାତ ଯୋଡ଼ିଲା ।

 

“କିଏ ମକରା, ଏଁ...ତୁ ବରଡ଼ା କାଟିବାକୁ ଆସିଚୁ । ମୁଁ ତ ଆଜି ସେଇକଥା ଭାବୁଥେଲି ଏ ଚାଳିକି ଅନେଇ ! ତୁ ଏକା ?”

 

“ନା, ହଜୁର, ଭିକା ଆଉ ଯୋଗିଆ ଆଇଚି !”

 

ପୁଣି ଗୋଟାଏ ମଣିଷର ଛାଇ ପଡ଼ିଲା ।

 

ମକରା ଖୁବ୍ ତଳକୁ ନଇଁପଡ଼ି ଦଣ୍ଡବତ ହେଲା । ମଙ୍ଗରାଜଙ୍କ ବିଜେ ପ୍ରତିମା ବଂଶୀ ଜେନା ।

 

“ତମର ସବୁ ଏସନ ଡେରି ହେଲା କାଇଁକିରେ ?’’

 

ବଂଶୀ ଜେନାଙ୍କ ପ୍ରଶ୍ନ ଶୁଣି ମକରା ଆଙ୍ଗୁ ଆଙ୍ଗୁ ହେଲା । କିନ୍ତୁ କିଛି କହିଲାନି । ଯେମିତି ଏସନର ଡେରି ଯୋଗୁଁ ଭିତରେ କାଇଲ୍ ମାନିଲା । ଦଶରା ପନ୍ଦର ଦିନ ଅଛି । ଢେର୍ ବେଳ ରହିଚି । ବରଡ଼ା କଟାଠାରୁ ମଡ଼ାଣ ଆଉ ପାଖିମରା ସବୁ ୟାରି ଭିତରେ ହେଇଯିବ ଯେ ! ଏସବୁ ବିଷୟ ମକରା ମନେମନେ ଭାବିଗଲା । କିନ୍ତୁ କିଛି କହିଲାନି ।

 

“ଆରେ କାର୍ତ୍ତିକା, ଆଜି ଚହ୍ମାର ଆସିଚନ୍ତି, ଖାଇବେ । ଘରେ କହିଦବୁ !’’

 

ମଙ୍ଗରାଜେ ଖୁସି ହେଲେ । ଛଡ଼ିଦାର ବଂଶୀ ଜେନା ନଥେଲେ ଏସବୁ ବରାଦ କିଏ କରିବ । ସେ ଅନେଇଲେ ବଂଶୀ ଜେନାଙ୍କ ଆଡ଼କୁ । ଚଉପାଢ଼ି ଚାଳରୁ ଖସିପଡ଼ି କେତେଟା କୁଟା ପଡ଼ିଥେଲା ଆଗର କ୍ରୋଟନ ଗଛ ଉପରେ । ବଂଶୀ ଜେନା ଯାଇ ତାକୁ କାଢ଼ିଦେଲେ । ତା’ପରେ

 

ଚଉପାଢ଼ି ଘର ପାହାଚରେ ଉଠିଯାଇ ସେ ଆଗରୁ ଖୋସି ରଖିଥିବା ଚାଳରୁ ଗୋଟା ଦା' ଟାଣିଆଣି ଦାଣ୍ଡର ଅରମା ଘାସକୁ ବାଛି ସଫା କରିବାରେ ଲାଗିଗଲେ ।

 

ନାଚଖାନାର ଛାଉଣୀ ଆୟୋଜନବେଳକୁ ନାଟ ସଂପ୍ରଦାର ବରାଦପାଇଁ ମଧ୍ୟ ମଙ୍ଗରାଜଙ୍କ ଘରେ ଆଲୋଚନା ହେଇଥାଏ । କାର୍ତ୍ତିକା ମୁହଁରୁ ଚହ୍ମାର ଆସିଥିବା କଥା ଶୁଣି ସୁରେଶ୍ଵରୀ ଦେଈ ହୁଏତ ସେହି ଉଦ୍ଦେଶ୍ୟରେ ଥରେ ବାହାରି ଆସିଲେ ପଦାକୁ । ଦେଖିଲେ, ବଂଶୀ ଜେନା ଦାଣ୍ଡରୁ ଘାସ ବାଛୁଚି ।

 

“ମଲା, ଆଉ ଆଠଦିନେ ତ ପାଣ ଆସି ଦାଣ୍ଡ ସଫେଇ କରିବେ । ଏ ପୁଣି ମାଖନା କାମ କରୁଚି କାଇଁକି ?”

 

ମଙ୍ଗରାଜଙ୍କ ହାତରୁ ଖବରକାଗଜଟା ଖସିପଡ଼ିଲା । ଚଷମାଟା ନାକ ଉପରେ ରହିଥିଲେ ମଧ୍ୟ ହଠାତ୍ ତାଙ୍କର ଆଖିର ଶକ୍ତି ଟିକେ ଝାପସା ହେଇଗଲା ଯେମିତି । ଥରେ ପଛକୁ ଅନେଇବାକୁ ତାଙ୍କର ଇଚ୍ଛା ହେଲା, କିନ୍ତୁ ପାଇଲେନି । ସୃଷ୍ଟିର ଅସାଧ୍ୟ ଏଇ ମାଇପି ଜାତି, ହୁଁ ।

 

ବଂଶୀ ଜେନା ହାତ ତଳର ଦି’ ତିନିଟା ଦୂବଘାସର ମୂଳକୁ ଉପାଡ଼ି ପାରିଲେନି ଯେମିତି-। ଦାଆଟା ଅଟକି ଯାଉଚି କି ବାହୁଟା ଥମକି ଯାଉଚି ସେ ଠିକ୍ କରିପାରିଲେନି । ମିନିଟକ ପରେ ଦାଆ ମୁନରେ ଗୋଟିଏ ମୁଥା ଘାସର ମୂଳ ତାଡ଼ି ହେଇ ଆସିଲା, ଘାସ ଗଛର ମୂଳରେ ମୁଥାଟା ଟିକେ ବଡ଼ ଗୋଟା ବାନ୍ଧିଛି, କ’ଣ ଭାବି ମୁଥାଟାକୁ ଭାଙ୍ଗି ବଂଶୀ ଜେନା ତାକୁ ନାକ ପାଖକୁ ନେଇ ଆଘ୍ରାଣ କଲେ । ବଡ଼ ଖୁସ୍‍ବେଇ ! ସାମାନ୍ୟ ଘାସ ଗଛର ମୂଳରେ ମଧ୍ୟ ସୁଗନ୍ଧ ରହିଚି, କିନ୍ତୁ ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ ଭିତରେ ସେତିକି ନାଇଁ ! ତାଙ୍କର ମନହେଲା, ସେ ନୂଆବୋଉଙ୍କୁ ଖଣ୍ଡେ ପାନ ମାଗି ତାଙ୍କର କ୍ଷମାଶୀଳତା ପ୍ରକାଶ କରନ୍ତେ । ମାତ୍ର ପ୍ରତି ଭାବନାର ଅନୁଶାସନରେ ସେ ସେଥିରୁ ନିବୃତ ହେଲେ । କ୍ଷମା କାଇଁକି କରିବେ ତାଙ୍କୁ ନୂଆବୋଉ, ଦିନକ ତଳେ ସେ କେବଳ ଏଇ ନୂଆବୋଉଙ୍କରହିଁ କ୍ଷତି କରିବାକୁ ଉଦ୍ୟମ କରିଥିଲେ । ତେବେ ସେ କଥାର ଜୋର୍ ଚାଲିଥିବନା, ତାହାର ପୂର୍ଣ୍ଣଚ୍ଛେଦ ଅଛି । କିଏ ଉତ୍ତର ଦବ !

 

ମନର ଭାବନା ଭିତରେ ଆଉ କେତେଟା ଘାସ ଗଛ ଉପାଡ଼ି ତାହାର ମୂଳ ମଧ୍ୟ ଶୁଙ୍ଘିଲେ ବଂଶୀ ଜେନା । ସବୁଥିରେ ଅଳ୍ପାଧିକ ସୁଗନ୍ଧ ରହିଚି, କିନ୍ତୁ ମାଟି ତଳର ଏହି ଘାସ ମୂଳରେ ବାସନା ରହିଲା କାହିଁକି ? ଯୁଗଯୁଗ ଧରି ଏଇଭଳି ନାନା ପ୍ରଶ୍ନ ଉଠିଚି ମଣିଷ ମନରେ, କିନ୍ତୁ ତାହାର ଉତ୍ତରଦାତାକୁ ନ ପାଇ ସେ ନିଜେଇ ନିଜ ପ୍ରଶ୍ନର ଉତ୍ତର ଦେଇ ଆସିବାରେ ଲାଗିଚି-। ଆଜି ବଂଶୀ ଜେନାଙ୍କ ଅବସ୍ଥା ମଧ୍ୟ ସେଇପରି ହେଲା । ତେବେ ସେ ଆଉ ନିଜ ପ୍ରଶ୍ନର ଉତ୍ତର ଆବିଷ୍କାର କରିବାରେ ମନ ଦେଲେନି । ଥାଉ ମୁଥା ମୂଳରେ ସୁଗନ୍ଧ, ଆମେ ସେଇ ସୁଗନ୍ଧର ସନ୍ଧାନ କରିପାରିଚୁ ସେଇ ଢେର୍, ତାହାର କାରଣ ସାଙ୍ଗରେ ଉପଭୋଗର କି ସମ୍ପର୍କ ଅଛି-! କାରଣ ନ ପାଇ ମଧ୍ୟ ଉପଭୋଗରେ ଯେତେବେଳେ କୌଣସି ବ୍ୟାହତି ଘଟୁନି ସେତେବେଳେ କାରଣର ପଶ୍ଚାତ୍‍ଧାବନ କରିବା ଆଉ କି ଦରକାର !

 

“ଆରେ ବଂଶୀ ?”

 

ହଁ, ଡାକିଦେଲେ ସିନା, କ’ଣ କହିବେ ସେ ବଂଶୀକି ! ହଁ ହଁ, ଆଗରେ ଦଶହରା, ଏ ବର୍ଷ ପାର୍ବଣକୁ ଅଧିକ ସୁଖକର କିଛି କରି ହୁଅନ୍ତାନି ! ପ୍ରତାପ ଲାଟ ସଭା ମେମ୍ବର ହେଇଚି । ଏସନ ଅନେକ ଲୋକ ଆସିବେ ଦଶରାକୁ ।

 

“ହଁ, ଆରେ ବଂଶୀ ?”

 

ମଙ୍ଗରାଜଙ୍କ ଏ ଡାକ ଶୁଣି ବଂଶୀ ଜେନାଙ୍କର ବଡ଼ କ୍ଷୋଭ ହେଲା । ଯେମିତି, ସେ ମନେ କଲେ, ମଙ୍ଗରାଜଙ୍କ ପାଟିରେ ତାଙ୍କ ନାଁ ଆଉ ଆଗଭଳି ଶୁଭୁନି, ହୁଏତ ମଙ୍ଗରାଜେ ଆଗଭଳି ଡାକିପାରୁ ନାହାଁନ୍ତି । ତଥାପି ତାହା ମଙ୍ଗରାଜଙ୍କ ଡାକ, ଘାସ ଉପୁଡ଼ା ଛାଡ଼ି ସେ ପାଖରେ ଆସି ଛିଡ଼ା ହେଲେ । ସେତେବେଳକୁ ସୁରେଶ୍ଵରୀ ଦେଈ ଘରଭିତରକୁ ଚାଲି ଯାଇ ସାରିଲେଣି ।

 

ଚଉପାଢ଼ିର ଦକ୍ଷିଣ ପଟକୁ ଗୋଟା ପକ୍କା କୂଅ ଓ ତାହାର ବଡ଼ ଚଉତରା । ତା' ପାଖକୁ ଲାଗି ଦୁଇ ତିନିଗୁଣ୍ଠ ଜମିରେ ଖଣ୍ଡେ ଫୁଲ ବଗିଚା । ସେବତୀ ଆଉ କୁନ୍ଦ ଫୁଲ ଭରା ହେଇ ଫୁଟିଚି ସେ ବଗିଚାରେ । ଗୋଟା ପାଖରେ ମାଡ଼ିଥିବା ଜାଇ ଲଟାରେ କଢ଼ ନେଶି ହେଇଚି । ରାସ୍ତା ପାଖକୁ ଲାଗିଥିବା ବଗିଚାର କଣପଟକୁ ଗୋଟା ମୁଚକୁନ୍ଦ ଗଛ ।

 

ବଂଶୀ ଜେନା ଆସି ପାଖରେ ପହଞ୍ଚିଲା ପରେ ମଙ୍ଗରାଜେ ଚଉକିରୁ ଉଠିପଡ଼ି ସେଇ ଚଉତରା ପାଖକୁ ଚାଲ ଚାଲ ହେଇ ଗଲେ । ବଂଶୀ ଜେନା ମଧ୍ୟ ଚାଲିଲେ ତାଙ୍କ ପଛେ ପଛେ ।

 

ବଗିଚାର ଅନୁଚ୍ଚ ଜାଫ୍ରିବାଡ଼ରେ କେତେଟା କୁଞ୍ଜଲତା ମାଡ଼ିଚି । ସେଥିରେ ବିରଳ ହେଇ ଫୁଟିଚି ମାଜେଣ୍ଟା ରଙ୍ଗର ଛୋଟ ଛୋଟ ଫୁଲ । ସେଇ ଫୁଲ କେତୋଟିକି ଅନେଇ ଛିଡ଼ା ହେଲେ ମଙ୍ଗରାଜେ । ଯେମିତି ସେ କ’ଣ ଚିନ୍ତା କରୁଚନ୍ତି, କିନ୍ତୁ କିଛି ସ୍ଥିର କରିପାରୁ ନାହାଁନ୍ତି ।

 

ତାଙ୍କୁ ଡାକିବା ପରେ ପୁଣି ମଙ୍ଗରାଜଙ୍କର ଏ ଅସ୍ଵାଭାବିକ ଗତିରେ ନୀରବତା ଭିତ୍ତିକ କାଳକ୍ଷେପ ବଂଶୀ ଜେନାଙ୍କୁ ଅରୁଚିକର ବୋଧହେଲା । ଯେମିତି ଏଇଟା ମଧ୍ୟ ତାଙ୍କ ପ୍ରତି ଏକ ଶାସ୍ତି । ନା, ସେ ଦିନ ସେ ଏ ଗାଁରୁ ଚାଲି ଯାଇଥେଲେ ଖୁବ୍ ଭଲ ହେଇଥାନ୍ତା ! ମରିବାଠାରୁ ଏ ଘୋଷରା ଅଧିକ ଯନ୍ତ୍ରଣା ଦାୟକ ! ଏ ଅବସ୍ଥାର କବଳରୁ ନିବର୍ତ୍ତି ଯିବାପାଇଁ ବଂଶୀ ଜେନାଙ୍କର ବୟସ ଯଥେଷ୍ଟ ହେଇଚି । ମଙ୍ଗରାଜଙ୍କୁ ପଁଷଠି ସତଷଠିବର୍ଷ ହେଲେ ତାଙ୍କୁ ପଞ୍ଚାବନ କି ସତାବନ ହେବ । ନୀରବତାର ଯବନିକା ଟାଣିବା ଲାଗି ବଂଶୀ ଜେନା ମନେମନେ ସ୍ଥିର କଲେ ଯେମିତି । ଶେଷରେ ତାଙ୍କ କଣ୍ଠସ୍ୱର ବାୟୁମଣ୍ଡଳକୁ ଆଘାତ କଲା ।

 

“କ’ଣ କଉଥେଲ ପରା ଭାଇ !”

 

ମଙ୍ଗରାଜ ଠୋସ୍‍ କରି କହି ଉଠିଲେ । ନିଜ ଚିନ୍ତାର ନିଷ୍ପତ୍ତି ସେ ଯେମିତି କରିସାରିଛନ୍ତି-

 

“ଆଜି ଓପରଓଳି ତୋର କିଛି କାମ ଅଛି ?”

 

ଏପରି ପ୍ରଶ୍ନର ଉଦ୍ଦେଶ୍ୟ କିଛି ବୁଝି ନ ପାରି ବଂଶୀ ଜେନା ଦୋଦୋପାଞ୍ଚ ହେଇ କହିଲେ, “ମୋର ଆଉ କାମ କ’ଣ ! ହଁ, ଓପରଓଳି ଆସି ଦାଣ୍ଡରୁ ଆଉ ପୁଳାଏ ଘାସ ବାଛିବି ।”

 

ବଂଶୀ ଜେନାଙ୍କ କଥାର ଅତ୍ୟନ୍ତ ଆନ୍ତରିକତା ମଙ୍ଗରାଜଙ୍କ ହୃଦୟରେ ଗୋଟାଏ ଆଲୋଡ଼ନ ସୃଷ୍ଟି କରିଦେଲା । ତାଙ୍କର ଇଚ୍ଛା ହେଲା, ସେ ପଚାରନ୍ତେ, ତୁ କଟିକଟା ଚାଲି ଯାଇଥିଲେ ଏ ଦାଣ୍ଡ କଥା ପୁଣି ଭାବିଥାନ୍ତା କିଏ ? ମାତ୍ର ସେ ସବୁ କଥାର ଉତ୍ଥାପନ ନ କରି ସେ ସମ୍ପୂର୍ଣ୍ଣ ଭିନ୍ନ କଥା କହିଲେ—

 

“ତୁ ଚାରିଟାବେଳକୁ ଆସିବୁ, ସେଇ ମୁଣ୍ଡିଆ ଆଡ଼େ ବୁଲିଯିବା । ଆଗେ ସେଆଡ଼େ କେତେ ବୁଲି ଯାଉଥେଲେ । ଚାରିଆଡ଼େ ଏବେ କେତେ କାଶତଣ୍ଡୀ ଫୁଲ ଫୁଟୁଥବ । ସେଇ ମୁଣ୍ଡିଆ ଓପରେ ଖଣ୍ଡେ ଘର କରି ରହିବାକୁ ମୁଁ କେତେଥର ଭାବିଚି । କିନ୍ତୁ କିଛି କରି ହେଲାନି । ଆଜି ଯିବା ସେଠିକି ଚାଲ୍ ବଂଶୀ । ସେଠି ବସି ତୁ ଯେତେ ଘାସ ଓପାଡ଼ିଲେବି ତତେ କେହି କହିବାକୁ ନଥେବେ ।

 

ବଂଶୀ ଜେନାଙ୍କ ମନରେ ସୁରେଶ୍ଵରୀ ଦେଈଙ୍କ କଥା ମନେପଡ଼ିଲା ।

 

ଉପରଓଳି ଚାରିଟା ବାଜିବାର ପ୍ରାୟ ପନ୍ଦର ମିନିଟ ପୂର୍ବରୁ ବଂଶୀ ଜେନା ଆସି ମଙ୍ଗରାଜ ଘର ଦାଣ୍ଡରେ ପହଞ୍ଚିଲେ । ତାଙ୍କ ଖଞ୍ଜା ଭିତରକୁ ଯିବାକୁ ବଂଶୀ ଜେନାଙ୍କର କାହିଁକି ମନ ବଳିଲାନି । ଗୋଡ଼ ଦି’ଟା ତାଙ୍କର କେମିତି ବାନ୍ଧି ବାନ୍ଧି ହେଲା, ସେ ଆଉ ଆଗକୁ ନ ଯାଇ ଅନ୍ୟମନସ୍କ ଭାବରେ ଦାଣ୍ଡ ଚାଳିର ଗୋଟା ଚୌକି ଉପରେ ବସି ପଡ଼ିଲେ । ମଙ୍ଗରାଜଙ୍କୁ ଖବର ଦବାର କଥା; ସେ ହୁଏତ ଘରଭିତରେ ତାଙ୍କୁ ଅପେକ୍ଷା କରିଥିବେ । ବଂଶୀ ଜେନା ମନେମନେ ଭାବିଲେ, କାର୍ତ୍ତିକା ଫାର୍ତିକା କେଇ ଆସୁନାନ୍ତି ପଦାକୁ ! ହେଇ ସେ ବଡ଼ ଖଞ୍ଜାର ଦୋକଡ଼ିରେ କିଏ ଠିଆ ହେଇଚି ! ସେ ଅନେଇ ଅନେଇ ଚିହ୍ନିଲେ, ମଣିଯୋରିର ମୂଳିଆ ମା’ ଗଉଡ଼ୁଣୀ । ବୁଢ଼ୀ ନୁହେଁ କି ଯୁବତୀ ନୁହେଁ ମୂଳିଆ ମା’, ତଥାପି ଦେହରେ ତା’ର ଅଧୁଆଣୀ ନଈର ଐଶ୍ୱର୍ଯ୍ୟ ଅଛି । ଅବୟବର ଗଠନରେ ସଂପ୍ରଦାୟସୁଲଭ ଟିକେ କୋମଳତା ମଧ୍ୟ ରହିଛି । ହାତର ପିତଳବାହୀ ଓହ୍ଲେଇ ଏବେ ସିଏ ରୁପାର ମଗରମୁହାଁବାଲା ହଳେ ଲଗେଇ ତା’ ପଛକୁ ମୁଠା ମୁଠା ପାଣିକାଚ ପିନ୍ଧିଚି । ଯୁବତୀବେଳେ ଆହୁରି ଚହଟ ଥିଲା । ମଣିଯୋରିକି ସେ ଆଗେ ମଙ୍ଗରାଜ ଘର ଧାନ ଅମଳ କରିବାକୁ ଯାଇ ତା’ ଘରୁ କେତେ କଅଁଳ ଛେନା ଖାଇଚନ୍ତି ପାଣୁ ପଣ୍ଡା ଦୋକାନର ଚିନି ମଡ଼େଇ ।

 

ଡାକିବେ କି ମୂଳିଆ ମା’କୁ, ସେ ଯାଇ କାର୍ତ୍ତିକାକୁ ଡାକିଦବ ! କିନ୍ତୁ ପାଟିରେ ସ୍ଵର ଉଚ୍ଚାରଣ ନ କରି ସେ ହାତ ଉଠେଇ ସଙ୍କେତ ଦେଲେ । ମୂଳିଆ ମା’ର ଦୃଷ୍ଟି ଆକର୍ଷଣ କଲା ତାଙ୍କର ହସ୍ତ ସଙ୍କେତ ।

 

ମୂଳିଆ ମା’ ଆସି ପାଖରେ ପହଞ୍ଚିଲା । ମାତ୍ର ତାକୁ କିଛି କହିବା ଆଗରୁ ବଂଶୀ ଜେନା ଦେଖିଲେ, ପାହାଚରେ ଓହ୍ଲେଇ ଆସୁଚନ୍ତି ମଙ୍ଗରାଜେ । ବଂଶୀ ଜେନା ଜିଭ କାମୁଡ଼ି ପକେଇ ଛିଡ଼ା ହେଇ ପଡ଼ିଲେ, କ’ଣ ଭାବିଥେବେ କି ଭାଇ ତାଙ୍କ ପାଖରେ ମୂଳିଆ ମା’କୁ ଦେଖି !

 

ମଙ୍ଗରାଜଙ୍କର କିନ୍ତୁ ତେଣିକି ଲକ୍ଷ୍ୟ ନାଇଁ । ସ୍ତ୍ରୀ ସୁରେଶ୍ଵରୀ ଦେଈ ବାହାରକୁ କଣ୍ଟାଣିଆ ଆଡ଼େ ଯାଇଚନ୍ତି; ତାଙ୍କରି ଅନୁପସ୍ଥିତିରେ ସେ ଶୀଘ୍ର ଶୀଘ୍ର ବାହାରି ପଡ଼ିଚନ୍ତି ବୁଲିଯିବାରେ ବଂଶୀ ଜେନାଙ୍କ ସାହଚର୍ଯ୍ୟ ଲାଭ କରିବା ଲାଗି । ହୁଏତ ସୁରେଶ୍ଵରୀ ଦେଈ କଦାପି ତାଙ୍କୁ ବଂଶୀ ଜେନାଙ୍କ ସାଙ୍ଗରେ ଏକୁଟିଆ ଛାଡ଼ିବେନି । କିନ୍ତୁ ସେ ବଂଶୀ ଜେନାଙ୍କ ସାଙ୍ଗରେ ଯିବେ । ବଂଶୀ ଜେନା ତାଙ୍କର ଭାଇ । ପାହାଡ଼ର ମୁଣ୍ଡିଆ ଯାଏଁ ପାଏ ବାଟ ସେ ତାଙ୍କ ସାଙ୍ଗରେ ଚାଲି ଚାଲି ସମସ୍ତଙ୍କୁ ଜଣେଇ ଦେବେ ବଂଶୀ ଜେନା ଓ ତାଙ୍କ ଭିତରେ କୌଣସି ଅମେଳ ନାହିଁ । ଯଦି କେହି କିଛି ସେପରି ଶୁଣିଥାଏ, ତାହା ଭୁଲ୍ ।

 

ଘରଠାରୁ କିଛି ବାଟ ଚାଲି ଯାଇ ଗୋଟାଏ ଛକ ପାରିହେଇ ଗଲେ ଦୁଇ ଜଣଯାକ । ଗୋଟାଏ ଘୂରାଣିରେ ସେମାନେ ଚାଲିଲେ ଆଗକୁ । ମଙ୍ଗରାଜେ ନିଜ ଚାଲିର ଗତି ଟିକେ ମନ୍ଥର କଲେ । ସୁରେଶ୍ଵରୀ ଦେଈଙ୍କ ଆଖି ଆଉ ଏଯାକେ ପାଇବନି, ବୃଥାରେ ବାର୍ଦ୍ଧକ୍ୟ–ପୀଡ଼ିତ ଦେହ ଉପରେ ଅଧିକ ଚାପ ଦେଇ ଆଉ କି ଲାଭ !

 

ଶରତ୍‍ କାଳର ଅପରାହ୍ନ ଖରାଟା କ୍ରମେ ସୁବର୍ଣ୍ଣର ପ୍ଳାବନରେ ପରିଣତ ହେଉଛି । ଆଗର ବ୍ରାହ୍ମୁଣସାହି ଛକରୁ ସେମାନେ ବାଟ ଭାଙ୍ଗି ଚାଲିଲେ ସେନାପତି ସାହି ଆଡ଼େ । ସେପାଖରେ ରୁଷିଆ କମାର ଘର, ସେଇଠୁ ଢାଉରଙ୍ଗ ତୋଟା ଭିତରକୁ ବାହାରିଗଲେ ତା’ ସେପାଖରେ ସେହି ଅଭିଳଷିତ ସ୍ଥାନଟା ପଡ଼ିବ, ମଣିଗୋସେଇଁ ମୁଣ୍ଡିଆ ।

 

ଏକ ସ୍ମରଣାତୀତ କାଳର କାହାଣୀ, ଗାଁର ବୈଷ୍ଣବ ବଂଶରେ କାଳେ କିଏ ମଣିଗୋସେଇଁ ବୋଲି ଜଣେ ଭାରି ସାଧକ ଲୋକ ଥିଲେ । ବଣର ବାଘ, ଭାଲୁଙ୍କୁ କୁଆଡ଼େ ନିଜର ସାଧନା ବଳରେ ବଶ କରିଥିଲେ ସିଏ । ସେଇ ମଣିଗୋସେଇଁ କାଳେ ଆହୁରି କେତେ ଅସାଧ୍ୟ ସାଧନ କରିଥିଲେ । ଥରେ କୁଆଡ଼େ ଅନେକ ଶିଷ୍ୟ ଭକତ ନାନା ଭାର ବେଭାର ଆଉ ଉପଢ଼ୌକନ ଧରି ମଠକୁ ଆସୁଥିଲାବେଳେ ବାଟରେ ଭୀଷଣ ବର୍ଷା ହେଲା, ଆଉ କିଛି ଉପାୟ ନ ଦେଖି “ଦ୍ଵାହି ମଣିଗୋସେଇଁ” ବୋଲି ସେମାନେ ରାସ୍ତାର ଦି’ ପାଖରେ ଗାର କାଟି କାଟି ଚାଲିଲେ-। କାହାରି ଦେହରେ ବିନ୍ଦୁଏ ହେଲେ ମେଘପାଣି ପଡ଼ିଲାନି । ମଣିଗୋସେଇଁ ଆହୁରି କାଳେ ସୂର୍ଯ୍ୟସ୍ତମ୍ଭନ ଏବଂ ବର୍ଷାବତରଣ ବିଦ୍ୟା ଜାଣିଥିଲେ । ତାଙ୍କରି ସାଧନା ବଳରେ କୁଆଡ଼େ ତାଙ୍କ ଅମଳରେ ଏ ଅଞ୍ଚଳରେ ଥରେହେଲେ ମରୁଡ଼ି ପଡ଼ି ନଥିଲା । ଏମିତି କେତେ କଥା ଏବେ ମଧ୍ୟ ତାଙ୍କ ନାଁରେ ଶୁଣାଯାଏ । ସେଇ ମଣିଗୋସେଇଁ ଏହି ଛୋଟ ପାହାଡ଼ ମୁଣ୍ଡିଆଟି ଉପରେ ବସି କୁଆଡ଼େ ରାତିରେ ତପସ୍ୟା କରୁଥିଲେ । ସେଥିପାଇଁ ତାଙ୍କରି ନାମରେ ମୁଣ୍ଡିଆର ନାମକରଣ ହୋଇଚି ।

 

“ଆରେ ଅପର୍ତ୍ତି !”

 

ଯଖପଡ଼ାର ଅପର୍ତ୍ତି ନାଏକ ରାସ୍ତାରେ ନଇଁପଡ଼ି ମଙ୍ଗରାଜଙ୍କୁ ଦଣ୍ଡବତ ହେଲେ । ଆସିବା ବାଟରେ ମଙ୍ଗରାଜେ କେତେ ଲୋକଙ୍କୁ ଦେଖିଚନ୍ତି । କିନ୍ତୁ କାହାକୁ ଥରେ ଆଖିଟେକି ହେଲେ ଅନେଇ ନାହାଁନ୍ତି । ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥାଏ, ଭାଇ ବଂଶୀ ଜେନାଙ୍କ ସାଙ୍ଗରେ ତାଙ୍କର ବିବିକ୍ତ ଭ୍ରମଣକୁ ଯେପରି ସମସ୍ତେ ଦେଖନ୍ତୁ । ତା’ପରେ ମୁଣ୍ଡିଆଠାରେ ପହଞ୍ଚି ସେଠାର ପ୍ରାକୃତିକ ଶୋଭା ଉପଭୋଗ କରିବାର ଲକ୍ଷ୍ୟ ମଧ୍ୟ ରହିଚି । ସେଥିଲାଗି ବାଟରେ ସେ କିଛିହେଲେ ସମୟ ନଷ୍ଟ କରିବାକୁ ଚାହୁଁ ନଥିଲେ । ବର୍ତ୍ତମାନ ସାମନା ଉପରେ ଅପର୍ତ୍ତି ନାଏକଙ୍କୁ ଦେଖି ସେ ଟିକିଏ ଅଟକି ଗଲେ ।

 

“କ’ଣ ବୁଲି ବାହାରିଚନ୍ତି ଆଜ୍ଞା !”

 

“ହଁ, ଶୁଣ ଅପର୍ତ୍ତି, ତମ ଗାଁ ନାଟ ସମ୍ପର୍ଦା ଅଛନ୍ତି ନା ?”

 

“ଆଜ୍ଞା...ମୋରି ସମ୍ପର୍ଦା ତ....”

 

“ଏସନ ଦଶରାକୁ ଆମ ଦାଣ୍ଡକୁ ଆସିବ ?”

 

ଏ କଥା ଶୁଣି କୃତ୍ୟ କୃତ୍ୟ ହେଇ ଅପର୍ତ୍ତି ନାଏକ ମଙ୍ଗରାଜଙ୍କୁ ଦୁଇ ତିନିଟା ଜୁହାର କଲେ । ତା’ପରେ ମଙ୍ଗରାଜ ଚାଲିଗଲେ ଆଗକୁ । ଏ ଘଟଣାରେ ବଂଶୀ ଜେନା କିପରି ସାମାନ୍ୟ ଅସ୍ୱସ୍ତି ଅନୁଭବ କଲେ । ଏତେଦିନେ ମଙ୍ଗରାଜେ ନିଜେ ବରାଦ କଲେ ନାଟ ସମ୍ପର୍ଦା ଆସିବା କଥା-! କିନ୍ତୁ ସେ ଚିନ୍ତାରେ ସେ ନିଜକୁ ବେଶି ପ୍ରଭାବିତ କରିବାକୁ ଚେଷ୍ଟା କଲେନି । ତଥାପି ମୁଣ୍ଡିଆ ଆଡ଼େ ଏପରି ଏକାନ୍ତରେ ବୁଲିଯିବା ଭିତରେ ମଙ୍ଗରାଜଙ୍କ ଉଦ୍ଦେଶ୍ୟ କ’ଣ, ସେହି ଚିନ୍ତାରେ ସେ ବେଶି ସମୟ ମନ ଦେଉଥାନ୍ତି । ମାତ୍ର କିଛି ସ୍ଥିର କରି ପାରୁ ନଥାନ୍ତି ।

 

“ଆରେ ବଂଶୀ, କେତେ କାଶତଣ୍ଡୀ ଫୁଲ ଫୁଟିଚି ଦେଖ୍‍ମ....”

 

ହାତର ରୁପାଗୁବ ବସା ବାଡ଼ିଟାକୁ ଉପରକୁ ଟେକି ଦେଇ ମଙ୍ଗରାଜେ ଆନନ୍ଦରେ ପାଟି କରି ଉଠିଲେ ।

 

ମଙ୍ଗରାଜେ ପିନ୍ଧିଥାନ୍ତି ଧୋତି ଉପରେ ପୁଣ୍ଟାଦାର ତଞ୍ଜବ କନାର ଖଣ୍ଡେ ଫଞ୍ଜାବି, ତା’ ଉପରେ ବାଁ କାନ୍ଧରେ ପକେଇଥାନ୍ତି ଖଣ୍ଡେ ଶାନ୍ତିପୁରୀ ଚାଦର । ଗୋଡ଼ରେ ହଳେ ହାପ୍ ଜୋତା । ବଂଶୀ ଜେନା ଖାଲି ଦେହରେ ଖଣ୍ଡେ ପୁରୁଣା ପାଚଲା ଗାମୁଛା ପକେଇଥାନ୍ତି । ପିନ୍ଧିଲା ଲୁଗା ଖଣ୍ଡକ ମଧ୍ୟ ସେପରି ଦାମିକା ନୁହେଁ । ଦୁଇ ପାଦଯାକ ଖାଲି । ଦୁହେଁଯାକ ଢାଉରଙ୍ଗ ତୋଟା ପାରହେଇ ଶେଷକୁ ଯାଇ ମୁଣ୍ଡିଆ ପାଖରେ ପହଞ୍ଚିଲେ । ତୋଟା ଶେଷ ହେବାଠାରୁ ମୁଣ୍ଡିଆର ପାଦଦେଶଟା କ୍ରମେ ଉଚ୍ଚ ହେଇ ଉଠିଯାଇଚି, ପାଖଆଖ ଜମିର ପତ୍ତନଠାରୁ ପ୍ରାୟ ପାଞ୍ଚ ସାତ ଫୁଟ୍ ଉଚ୍ଚ ହେବ । ତା’ ଉପରକୁ ଉଠିଚି ମୁଣ୍ଡିଆ । ମୁଣ୍ଡିଆର ଉଚ୍ଚତା ହେବ ପଚିଶରୁ ତିରିଶ ଫୁଟ୍ ଯାଏଁ । ଚାରିଆଡ଼େ ସୁନ୍ଦର ଗଛଲତା । ସବୁଜ ଧାନ ଜମି ଭିତରେ ମୁଣ୍ଡିଆର ନୀଳ ଓ ଗୈରିକ ବର୍ଣ୍ଣ ଉପରେ ଅପରାହ୍ନ ସୂର୍ଯ୍ୟର ସ୍ୱର୍ଣ୍ଣ କିରଣ ପଡ଼ି ରମଣୀୟ ଶୋଭା ସୃଷ୍ଟି କରିଥାଏ । ଗୋଟିଏ ପାଖରେ ବିସର୍ପିଳ ଗତିରେ ବହିଯାଉଚି ଛୋଟ ଗୋଟିଏ ଝରଣା । ଚାରିଆଡ଼େ କାଶତଣ୍ଡୀ ଆଉ ନାନା ଜାତିର ବଣଫୁଲ ଭରା ହେଇ ଫୁଟିଉଠିଚି । ଜନବସତିଠାରୁ ମାତ୍ର ଚାରିଶ ଗଜ ଦୂରରେ ଥିବା ଏହି ରମଣୀୟ ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଗାଁ ଗାୟାଳ ଆଉ କୃଷିକ୍ଷେତ୍ରର ଶ୍ରମିକମାନଙ୍କ ଛଡ଼ା ଅନ୍ୟ କେହି ପ୍ରାୟ ଆସନ୍ତିନି । ମଙ୍ଗରାଜେ ଏହି ସ୍ଥାନଟିକୁ ମନେମନେ ଝୁରି ହେଲେ ମଧ୍ୟ ପ୍ରାୟ ଗତ ଦଶ ପନ୍ଦରବର୍ଷ ଭିତରେ ଏଠିକି ଥରେ ହେଲେ ଆସି ପାରି ନାହାଁନ୍ତି ।

 

ଆଜିବି ମଙ୍ଗରାଜଙ୍କର ଏଠିକି ଆସିବା ଅତି ଅସ୍ଵାଭାବିକ । ତାଙ୍କୁ ଆଜି ଏ ବାଟରେ ମାଡ଼ି ଚାଲିବାର ଦେଖି ଅନେକ ଲୋକଙ୍କ ମନରେ ବିସ୍ମୟର ପ୍ରଶ୍ନ ମଧ୍ୟ ଜାଗି ଉଠିଚି । କିନ୍ତୁ ଅନେକେ ଆହୁରି ଆଶ୍ଚର୍ଯ୍ୟ ହେଇଚନ୍ତି ମାତ୍ର ଦୁଇ ଦିନ ତଳର ଗୋଟିଏ ଏକାନ୍ତ ଅପ୍ରୀତିକର ଘଟନା ପରେ ବଂଶୀ ଜେନାଙ୍କ ସାଙ୍ଗରେ ତାଙ୍କର ଏଇ ଘନିଷ୍ଠ ଭ୍ରମଣକୁ ଦେଖି । ମଙ୍ଗରାଜେ ଯାହା ଇଚ୍ଛା କରୁଥିଲେ ଲୋକଙ୍କ ଏ ପ୍ରକାର ଚିନ୍ତା ଭିତରେ ପ୍ରାୟ ତାହାହିଁ ଘଟିଚି । କିନ୍ତୁ ଏହାର କାରଣ କ’ଣ ? ହୁଏତ ମଙ୍ଗରାଜେ ବାହାର ଲୋକଙ୍କୁ ଜଣେଇ ଦେବାକୁ ଚାହାନ୍ତି, ଭ୍ରାତୃତ୍ଵର ସାହଚର୍ଯ୍ୟରେ ସେ ନିଃସଙ୍ଗ ନୁହନ୍ତି, ବଂଶୀ ଜେନା ଓ ସିଏ ଘନିଷ୍ଠ ସହୋଦରର ବନ୍ଧନରେ ଆବଦ୍ଧ । ଲୋକେ ଯାହା ଶୁଣିଚନ୍ତି, ତାହା ଭୁଲ୍ ଚୂଡ଼ାନ୍ତ ଭାବରେ ଏକ ଭ୍ରମ ।

 

“ଭାଇ, ଆଉ ଓପରକୁ ଯାଅନା, ଚଢ଼ିବାକୁ ଖୁବ୍ କଷ୍ଟ ହବ । ଆଉରି ଅସୁବିଧା ହବ ଓହ୍ଲେଇବାବେଳେ...ସଞ୍ଜ ହେଇଗଲେ ଭାରି ହଇରାଣରେ ପଡ଼ିଯିବା ।”

 

ବଂଶୀ ଜେନାଙ୍କ କଥା ଶୁଣି ମଙ୍ଗରାଜଙ୍କ ଆରୋହଣର ପ୍ରଚେଷ୍ଟା ହଠାତ୍ ବନ୍ଦ ହେଇଗଲା ।

 

“ଏଇଠି, ଏ ପାଖର ଏଇ ବଡ଼ ପଥରଟା ଓପରେ ବସିବା ।”

 

ହୁଁ, ବଂଶୀ ଠିକ୍ କଇଚି...ଆଉ ଓପରକୁ ଉଠିବାନି ! ମଙ୍ଗରାଜ ମନେମନେ ବଂଶୀ ଜେନାଙ୍କ ପରାମର୍ଶକୁ ସ୍ଵାଗତ କରି ଚାରିଆଡ଼କୁ ଥରେ ଆଖି ପକେଇଲେ । ଆଗଟା ପଶ୍ଚିମ ଦିଗ । ସେହି ଦିଗ ଭାଲର କିଞ୍ଚିତ୍ ଊର୍ଦ୍ଧ୍ଵ ଦେଶରେ ଝୁଲୁଚି ଅସ୍ତଗାମୀ ସୂର୍ଯ୍ୟ । ମଧ୍ୟାହ୍ନର ମାର୍ତଣ୍ତ ସେ ବର୍ତ୍ତମାନ ନୁହେଁ କିନ୍ତୁ ଏଇ ଅପରାହ୍ନର ଯାତ୍ରା ଭିତରେ ଫୁଟିଉଠିଚି ସୂର୍ଯ୍ୟର ଅଧିକ ଐଶ୍ୱର୍ଯ୍ୟ । ଖାଲି ସୁନାରେ, ସୁନାରେ ଛାଇଯାଇଚି ପଶ୍ଚିମ ଆକାଶ । ସୂର୍ଯ୍ୟର ଅସ୍ତାଭାରେ ମଧ୍ୟ ପୃଥିବୀ ପୃଷ୍ଠର ସମ୍ପଦଗୁଡ଼ାକ ହୋଇଉଠିଚି ସ୍ୱର୍ଣ୍ଣାଭ । ହିରଣ୍ମୟ ।

 

ମଙ୍ଗରାଜେ ବସି ପଡ଼ିଲେ ବଡ଼ ପଥରଟା ଉପରେ । ବଡ଼ ଆରାମ ଲାଗିଲା । ପାଦରୁ ଜୋତା ଖସେଇ ଦେଇ ଗୋଡ଼ ଦି’ଟାକୁ ସେ ଟିକେ ସଳଖ କରିନେଲେ । ପରିବେଶଟା ତାଙ୍କ ମନରେ ଯେମିତି ନୂତନ ଉତ୍ସାହ ସଞ୍ଚାର କରିଦେଲା । ଘରଠାରୁ ଖୁବ୍ ଅଳ୍ପ ଦୂରରେ ପୂରିରହିଚି ଏତେ ଶାନ୍ତି ଆଉ ସୌନ୍ଦର୍ଯ୍ୟ, ତଥାପି ମଣିଷ ଆସି ପାରେନା ଏଠିକି । ଏଇକଥା ଭାବି ମନରେ ସେ କିଞ୍ଚିତ୍ ଅବସୋସ କଲେ ।

 

“ବଂଶୀ, ତୁ ମୋ ପାଖକୁ ନାଗି କରି ବସ୍...”

 

ମଙ୍ଗରାଜଙ୍କ ନିର୍ଦ୍ଦେଶ ଶୁଣି ବଂଶୀ ଜେନା ତାଙ୍କ ମୁହଁକୁ ଅନେଇଲେ । ଏ କଥା ସମ୍ପୂର୍ଣ୍ଣ ନୂଆ । ନିହାତି ଦଶ ହାତରୁ କମ୍ ଛଡ଼ାରେ ସେ କେବେହେଲେ ମଙ୍ଗରାଜଙ୍କ ପାଖରେ ବସି ନାହାଁନ୍ତି-। ଅନନ୍ୟୋପାୟ ହେଇ ସେ ମଙ୍ଗରାଜଙ୍କ ପାଖକୁ ଲାଗି ଛିଡ଼ା ହେଲେ, କିନ୍ତୁ ବସି ପାରିଲେନି-। କେବଳ ପାଖ ନୁହେଁ, ଏକ ଆସନରେ ତାଙ୍କୁ ମଙ୍ଗରାଜଙ୍କ ସାଙ୍ଗରେ ବସିବାକୁ ପଡ଼ିବ-। ପ୍ରକୃତରେ ସେ ପାରିଲେନି ।

 

ହଠାତ୍ ମଙ୍ଗରାଜେ ବଂଶୀ ଜେନାଙ୍କ ଗୋଟା ହାତକୁ ଭିଡ଼ିନେଇ ତାଙ୍କୁ ନିଜ ପାଖରେ ବସେଇ ଦେଲେ । ବଂଶୀ ଜେନା ଭଲ ଭାବରେ ଅନୁଭବ କଲେ, ମଙ୍ଗରାଜଙ୍କ ଦେହରେ ଏବେ ମଧ୍ୟ ଯଥେଷ୍ଟ ଜୋର୍ ରହିଚି । କିନ୍ତୁ ମଙ୍ଗରାଜଙ୍କ ଅତି ପାଖରେ ବସି ତାଙ୍କର ଯେମିତି ଚେତା ହଜି ଯାଉଥାଏ, ସେ ଅନ୍ୟ ବିଷୟ କିଛି ଭାବିପାରିଲେନି ।

 

ମଙ୍ଗରାଜଙ୍କ ନିଃଶ୍ୱାସ ବଂଶୀ ଜେନାଙ୍କ ଦେହରେ ବାଜିଲା । କ’ଣ କହିବା ଆଗରୁ ତାଙ୍କ ନିଃଶ୍ୱାସ ଆଉ ଟିକେ ଗଭୀର ହେଲା । ମଙ୍ଗରାଜଙ୍କ ମୁହଁକୁ ଥରେ ଅନେଇବାକୁ ପ୍ରୟାସ କରି ବଂଶୀ ଜେନା ବ୍ୟର୍ଥକାମ ହେଲେ । ସେ ଅନେଇ ରହିଲେ ଅସ୍ତଗାମୀ ସୂର୍ଯ୍ୟକୁ । ହାତରେ କ’ଣ ଗୋଟା ବଣଫୁଲ ସେ ଛିଣ୍ଡେଇ ଆଣିଚନ୍ତି, ତାକୁ ମଧ୍ୟ ଦେଖିବାକୁ ଚେଷ୍ଟା କଲେ । କିନ୍ତୁ ସେ ମଙ୍ଗରାଜଙ୍କ ମୁହଁକୁ ଥରେହେଲେ ଅନେଇ ପାରିଲେନି । ଏବେ ଅପରାଧ କରିଥିବା ଯୋଗୁଁ ନୁହେଁ, ଏତେ ନିକଟରୁ ସେ କେବେ ଏପରି ଦୁଃସାହସ ନ କରିଥିବା ତାହାର ଏକମାତ୍ର କାରଣ । “ଡେରି ହେଲେ ଅନ୍ଧାର ହୋଇଯିବ, ଆମେ ଯାଇ ପାରିବା ନେଇଁ... ନା ?”

 

କିଛି ସମୟ ଛାଡ଼ି ମଙ୍ଗରାଜେ ପୁଣି କହିଲେ–

 

“ଆମେ ଏଠୁ ନ ଫେରିଲେ ଆଜି ? ସମସ୍ତେ ଦେଖିଛନ୍ତି ଆମେ ସାଙ୍ଗ ହୋଇ ଏଠିକି ଆସିଚେ, ସେଇ ଢେର୍...”

 

ବଂଶୀ ଜେନା ଚମକି ପଡ଼ି ଗୋଟା ଚିତ୍କାର କରି କହିଲେ–

 

“ଭାଇ !”

 

ମଙ୍ଗରାଜେ ହସି ଉଠିଲେ । ତାଙ୍କୁ ଖୁବ୍ ଆନନ୍ଦ ଲାଗିଲା । ବଂଶୀ ଜେନାଙ୍କ ଏ ସମ୍ବୋଧନ–ବାକ୍ୟରେ ବିଶୁଦ୍ଧ ଆନ୍ତରିକତାର ଆଧିପତ୍ୟ ରହିଛି ବୋଲି ତାଙ୍କର ଷୋଳଅଣା ହୃଦ୍‍ବୋଧ ହେଲା ଯେମିତି । ସେ ପୁଣି ଥରେ ହସିଲେ, ହସି ହସି ସେ କହିଲେ–

 

“ମୋ ପ୍ରତି ତୋର ଏତେ ମମତା, କିନ୍ତୁ ସେ ଦିନ ମତେ ମାରିଦେବାକୁ ବସିଥେଲୁ କାହିଁକି ?”

 

ବଂଶୀ ଜେନାଙ୍କ ସାରା ଦେହରୁ ସବୁ ରକ୍ତବାହୀ ଧମନୀ ଶୁଖି ଯିବାକୁ ଲାଗିଲା । ତଥାପି ଏକ ବିରାଟ ମନଶ୍ଚେତନାର ତାଡ଼ନାରେ ସେ ହଠାତ୍ ଉଠିପଡ଼ି ପଥର ମୁଣ୍ଡିଆର ଗଡ଼ାଣି ଉପରେ ଲମ୍ବ ହୋଇ ମଙ୍ଗରାଜଙ୍କ ଗୋଡ଼ତଳେ ପଡ଼ିଗଲେ । କିନ୍ତୁ ଗଡ଼ାଣିରେ ତାଙ୍କ ଦେହଟା ଭାରସାମ୍ୟ ରକ୍ଷା କରିପାରିଲାନି, ସେ ଗଡ଼ି ପଡ଼ିଲେ ତଳକୁ । ମଙ୍ଗରାଜେ ଚମକି ପଡ଼ିଲେ ଏ ଘଟଣାରେ । ବଂଶୀ ଗଡ଼ି ଯାଉଚି ପଥରର ଗଡ଼ାଣି ଉପରେ । ତୁରନ୍ତ ଦୁଇ ତିନି ପାହୁଣ୍ଡ ଖସି ଯାଇ ସେ ବଂଶୀ ଜେନାଙ୍କ ଦେହଟାକୁ ଅଟକେଇ ରଖିବାକୁ ଚେଷ୍ଟା କଲେ I ମାତ୍ର ପାରିଲେନି I ନିଜେ ମଧ୍ୟ ଚାରି ପାଞ୍ଚ ହାତ ଓଟାରି ହେଇଗଲେ । ଦେହର ଜାମାଟା ଚିରିଗଲା ଗୋଟା କଣ୍ଟା ଗଛରେ ଲାଗିଯାଇ । ହାତର ବାଡ଼ିଟା ମଧ୍ୟ ତାଙ୍କର......

Image